୨୦୦୩ ମସିହାରେ କଂଗ୍ରେସ ତ୍ୟାଗ କରି ବି‌େଜପିରେ ଯୋଗ ଦେଇଥିବା ଧନଖଡ଼ ମହାଶୟଙ୍କ ଠାରୁ ବିଜେପିର ନୀତି-ଆଦର୍ଶ ପ୍ରତି ଅପରିବର୍ତ୍ତନୀୟ ଆନୁଗତ୍ୟ ଆଶା କରାଯାଇ ନ ପାରେ! ତେଣୁ, ତାଙ୍କ ଭଳି ଜଣେ ନେତା କାରଣ-ଅକାରଣ ସନ୍ଦେହାସ୍ପଦ ହୋଇ ପଡ଼ିବା ସହଜ ଏବଂ ତାଙ୍କୁ ପରିତ୍ୟାଗ କରିବା ନେଇ ବିଜେପି କୌଣସି ‌େନୖତିକ ଦ୍ବନ୍ଦ୍ବର ସାମନା କରି ନ ଥିବ।

Advertisment

ଗଲା ସୋମବାର ଦିନ ଅପ୍ରତ୍ୟାଶିତ ଭାବେ ଯେଉଁ ଘଟଣାଟି ଘଟିଯାଇ ସମସ୍ତଙ୍କୁ ଚକିତ କରି ଦେଇଛି, ତାହା ହେଲା ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଅତର୍କିତ ଇସ୍ତଫା। ସାଧାରଣତଃ, ଏଭଳି ଏକ ସ୍ଥିତି‌େର ଏହା ପଛରେ ଥିବା ସମ୍ଭାବ୍ୟ କାରଣମାନକୁ ନେଇ କଳ୍ପନାଜଳ୍ପନା‌ ବା ଅନୁମାନର ସଂଚରଣ ଅତ୍ୟନ୍ତ ସ୍ବାଭାବିକ ହୋଇଥାଏ। ତେବେ, ଶଂସିତ ଘଟଣାର ସମୟ, ବିସ୍ଫୋରକତା‌ ଏବଂ ଏହାକୁ ଘେରି ରହିଥିବା ରହସ୍ୟର ପଟଳ ହେତୁ ପର୍ଯ୍ୟବେକ୍ଷକମାନେ ଗୁଇନ୍ଦାସୁଲଭ ସନ୍ଧାନୀ ଦୃଷ୍ଟି ପ୍ରୟୋଗ କରି ଏ ସଂକ୍ରାନ୍ତରେ ଅନୁମାନର ଅରଣ୍ୟ ସୃଷ୍ଟି କଲେଣି। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ‘ବିମୁଦ୍ରୀକରଣ’ ଅଥବା ‘ଧାରା ୩୭୦ ଉଚ୍ଛେଦ’ ଭଳି ସହସା ପଦକ୍ଷେପମାନ ନେଇ ସମସ୍ତଙ୍କୁ ତଟସ୍ଥ କରି ଦେବାରେ ଅଭ୍ୟସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଧାରା ସହିତ ଧନଖଡ଼ଙ୍କ ଅଚାନକ ବିଦାୟ ଖାପ ଖାଇଥାଏ, ଯାହାର କାରଣ ହୁଏତ ସରକାର ଓ (ପୂର୍ବତନ) ଉପରାଷ୍ଟ୍ରପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କୌଣସି ମତ ପାର୍ଥକ୍ୟ; ଏବଂ ଯାହାର ପ୍ରମାଣ ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏକ ଶୁଷ୍କ ଓ ନିଷ୍କରୁଣ ‘ଏକ୍‌ସ’ ବାର୍ତ୍ତା ଯେ ‘ଧନଖଡ଼ଜୀ ରାଷ୍ଟ୍ର ସକାଶେ କର୍ତ୍ତବ୍ୟ ନିର୍ବାହର ଅ‌େନକ ସୁଯୋଗ ପାଇଛନ୍ତି। ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।’ ଏହି ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଅନ୍ୟଥା ଭାବ-ବିହ୍ବଳ ବିଦାୟ ପ୍ରଦାନରେ ବିଶ୍ବାସୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶେଷ ଦରଦଭରା ଅଭିବ୍ୟକ୍ତି ଦେଖିବାକୁ ମିଳିଥାଆନ୍ତା। ଏମାନଙ୍କ ଅନୁଶୀଳନମୂଳକ ଅନୁମାନ କହିଥାଏ ଯେ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ବିଚାରପତିମାନଙ୍କ ନିଯୁକ୍ତି ପ୍ରକରଣ, କଲେଜିଅମ ବ୍ୟବସ୍ଥା, ବିଚାରପତିମାନଙ୍କ ସାଧୁତା ଇତ୍ୟାଦି ସଂଦର୍ଭରେ କର୍କଶ ଭାବେ ମୁଖର ଧନଖଡ଼ ମହାଶୟ କ୍ରମେ ସରକାରଙ୍କ ଠାରେ ଅପ୍ରିୟ ହୋଇ ଉଠିଥିବେ, କାରଣ କୌଣସି ସରକାର ନ୍ୟାୟପାଳିକା ସହିତ କଳହରେ ଲିପ୍ତ ହେବାକୁ ଚାହିଁ ନ ଥାଏ। ତେବେ, ଏଭଳି ଅନୁମାନକୁ ନାକଚ କରୁଥିବା ଆଉ ଏକ ପର୍ଯ୍ୟବେକ୍ଷକ ଗୋଷ୍ଠୀ ପ୍ରଶ୍ନ କରନ୍ତି ଯେ ଏହା ଯଦି ଠିକ୍‌, ତେବେ ଜୁଲାଇ ୨୧ ଭଳି ଏକ ସଂବେଦନଶୀଳ ଦିନକୁ ବିବାଦୀୟ କରି ପକାଇବା ଅଯଥାର୍ଥ ଭଳି ଲାଗି ନ ଥାଏ କି? କାରଣ ଜୁଲାଇ ୨୧ ହେଉଛି ‘ଅପରେସନ ସିନ୍ଦୂର’ ପରବର୍ତ୍ତୀ ପ୍ରଥମ ସଂସଦୀୟ ଅଧିବେଶନ, ଯାହା ଉପରେ କେବଳ ଦେଶର ନୁହେଁ, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ମଧ୍ୟ ନିବଦ୍ଧ ଥିବ। ଖାଲି ସେତିକି ନୁହେଁ, ‘ଅପରେସନ ସିନ୍ଦୂର’ର ସଫଳତାକୁ ସଂସଦର ପ୍ରାରମ୍ଭିକ ଦିବସ ଅର୍ଥାତ୍ ଜୁଲାଇ ୨୧ରେ ଉତ୍ସବାୟିତ କରିବାକୁ ପ୍ରଧାନମନ୍ତ୍ରୀ ସ୍ବୟଂ ଆହ୍ବାନ ଦେଇଥିଲେ। ସୁତରାଂ, ଏଭଳି ଏକ ଦିନରେ ଧନଖଡ଼ଙ୍କ ଇସ୍ତଫା ସଂପୂର୍ଣ୍ଣ ‘ରସଭଙ୍ଗ’ ସୁଲଭ ଦିଶିଥାଏ; ସେହି ଦୃଷ୍ଟିରୁ ଏହି ଦିନ ବିବାଦାସ୍ପଦ ହେଉ ବୋଲି ସରକାର କଦାପି ଚାହାନ୍ତେ ନାହିଁ। ତେଣୁ, ଧନଖଡ଼ଙ୍କ ଇସ୍ତଫା କୌଣସି ଯୋଜନାବଦ୍ଧ ପଦକ୍ଷେପର ଉପଜ ନୁହେଁ। ଏଭଳି ସ୍ଥଳେ ସେମାନଙ୍କ ତର୍କ ହେଲା ଆ‌ଲହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବହିଷ୍କାର ଲାଗି ବିଧି ମୁତାବକ ସଂସଦର ଉଭୟ ଗୃହରେ ଗତିବିଧି ଦ୍ରୁତ ହୋଇଥିବା ବେଳେ ରାଜ୍ୟସଭାର ସଭାପତି ଭାବେ ଧନଖଡ଼ ମହାଶୟ ୬୨ ଜଣ ରାଜ୍ୟସଭା ସଦସ୍ୟଙ୍କ ଦସ୍ତଖତ ସଂବଳିତ ଆବେଦନକୁ ଗ୍ରହଣ କରି ନେଇଥି‌େଲ, ଯହିଁରେ ସ୍ବାକ୍ଷରକାରୀମାନେ ହେଉଛନ୍ତି କେବଳ ବିରୋଧୀ ଦଳ ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ଲୋକସଭାରେ ଗୃହୀତ ଏଭଳି ଏକ ଆବେଦନରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦଙ୍କ ସ୍ବାକ୍ଷର ଥିବା ବେଳେ ରାଜ୍ୟସଭାରେ ଗୃହୀତ ଆବେଦନରେ ଶାସକ ଦଳ ଅଦୃଶ୍ୟ ରହିବା ଏକ ମର୍ଯ୍ୟାଦାହାନିର ବିଷୟ ହୋଇ ଦଳକୁ ଅସହନୀୟ ଭାବେ ଅପ୍ରତିଭ କରିଦେଇଥିବ। ବିରୋଧୀ ଦଳଗୁଡ଼ିିକର ଧରାବନ୍ଧା ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ହେଉ ବା ଉପରାଷ୍ଟ୍ରପତି ରୂପେ ରାଜ୍ୟସଭାର ପରିଚାଳକ ଭାବେ ହେଉ; ଧନଖଡ଼ ମହାଶୟ ସାଂବିଧାନିକ ପଦରେ ଥାଇ ସୁଦ୍ଧା ନିଷ୍ପକ୍ଷ ନ ହୋଇ ସର୍ବଦା ବିଜେପିର ଅନୁଗତ ସଦସ୍ୟ ଭାବେ କାର୍ଯ୍ୟ କରିଥାଆନ୍ତି। ତେଣୁ ବଶମ୍ବଦ ଧନଖଡ଼ଙ୍କ ତ୍ରୁଟିକୁ ବିଜେପି ଦ୍ବାରା ଏକ ଦାରୁଣ ଅବମାନନା ରୂପେ ଦେଖାଯାଇ ତାଙ୍କ ଠାରୁ ତତ୍‌କ୍ଷଣାତ୍‌ ଇସ୍ତଫା ଦାବି କରାଯାଇଥିବା ଖୁବ୍‌ ସମ୍ଭବ। ଏ ପରିପ୍ରେକ୍ଷୀରେ ତୃତୀୟ ଅନୁମାନଟି କହିଥାଏ ଯେ କୌଣସି ଦୂର ଉଦ୍ଦେଶ୍ୟ ସାଧନ କରିବା ଲାଗି ଦଳରେ ଈପ୍‌ସିତ ପରିବର୍ତ୍ତନ ସକାଶେ ଏଭଳି ଇସ୍ତଫା ଲୋଡ଼ା ଯାଇଥିବ; କିନ୍ତୁ କଥା ହେଲା ସେଥି ଲାଗି ଏଭଳି ଅତ୍ୟନ୍ତ ତରତର ହେବାର କୌଣସି ଆବଶ୍ୟକତା ଥିଲା କି? କହିବା ବାହୁଲ୍ୟ, ଏ ସବୁ କେବଳ ଅନୁମାନ ମାତ୍ର; ଏବଂ ସତ୍ୟ ହୁଏତ କେବଳ ଧନଖଡ଼ ମହାଶୟ ଚାହିଁଲେ ଉଦ୍‌ଘାଟିତ ହୋଇ ପାରିବ!
୨୦୧୯ ମସିହାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ, ବି. ସି. ଖଣ୍ଡୁରୀ ଆଦି ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବାରୁ କ୍ଷାନ୍ତ ହେଲେ ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଥିଲା, କିନ୍ତୁ ମୂରଲୀ ମନୋହର ଯୋଶୀ ସତ୍ୟ ଉଦ୍‌ଘାଟନ କରି କହିଥିଲେ ଯେ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ନ ଲଢ଼ିବାକୁ ନିର୍ଦ୍ଦେଶ ମିଳିଥିଲା, ଯଦିଓ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବା ଥିଲା ଏକ ଆଳ ମାତ୍ର! ଧନଖଡ଼ଙ୍କ ଇସ୍ତଫା ପଛରେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟାକୁ ଏକ ମାତ୍ର କାରଣ ଭାବେ ଦର୍ଶାଯାଇଛି, ଯଦିଓ ସେହି ଦିନ ସେ ଅପରାହ୍‌ଣ ୪ଟା ୩୦ ପର୍ଯ୍ୟନ୍ତ ସ୍ବଭାବସୁଲଭ ଶୈଳୀରେ କର୍ମ-ଚଞ୍ଚଳ ଓ କର୍ମ-ଲିପ୍ତ ଥିଲେ। ଏଭଳି ସ୍ଥିତିରେ ସଂଧ୍ୟା ୮ଟା ୩୦ ବେଳକୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଇସ୍ତଫା ପ୍ରଦାନ କ୍ବଚିତ୍ କାହା ଦ୍ବାରା ଗ୍ରହଣୀୟ ହେବ! ଦ୍ବିତୀୟରେ ଯଦି କୌଣସି ପଦାସୀନ ଉପରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ହଠାତ୍‌ ବିଗିଡ଼ି ଯାଇ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାନ୍ତା, ତେବେ ତାଙ୍କ ଚିକିତ୍ସା ଏବଂ ଉତ୍ତମ ସ୍ବାସ୍ଥ୍ୟ ସକାଶେ ଉଦ୍‌ବେଗ ଓ ପ୍ରାର୍ଥନା‌ର ତରଙ୍ଗ ସୃଷ୍ଟି ହୁଅନ୍ତା। ମାତ୍ର, ସେଭଳି କିଛି ହେଲେ ଘଟିନାହିଁ। ଧନଖଡ଼ଙ୍କ ଘନିଷ୍ଠମାନେ କହନ୍ତି ଯେ ଆଇନ ଶାସ୍ତ୍ରରେ ପ୍ରବୀଣ ଏବଂ ସୁପ୍ରିମ କୋର୍ଟର ପୂର୍ବତନ ଅଗ୍ରଗଣ୍ୟ ଓକିଲ ଜଗଦୀପ ଧନଖଡ଼ ମଧ୍ୟ ଜଣେ ଦୃଢ଼ମନସ୍କ ବ୍ୟକ୍ତି, ଯିଏ ଠିକଣା ସମୟରେ ହୁଏତ ଶିରୋନାମା ଅପହରଣ କଲା ଭଳି ତଥ୍ୟ ପ୍ରଦାନ କରି ପାରନ୍ତି। ଧନଖଡ଼ କିଭଳି ଦାଉ ସାଧି ପାରନ୍ତି, ତା’ର ଉଦାହରଣ ମିଳିଥିଲା ସେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସମୟ‌େର! ବିଧାନସଭା ଅଧିବେଶନ ଲାଗି ସ୍ବୀକୃତି ଦେବା ସକାଶେ ତାଙ୍କ ନିକଟକୁ ପ୍ରେରିତ ଔପଚାରିକ ପତ୍ରରେ ଅଧିବେଶନର ପ୍ରାରମ୍ଭ ସମୟ ଭୁଲ୍‌ କ୍ରମେ ୨ ପି.ଏମ. (ଅପରାହ୍‌ଣ) ବଦଳରେ ୨ ଏ.ଏମ (ଭୋର) ହୋଇଯାଇଥିଲା, ଯାହାକୁ ସ୍ବୀକୃତି ପ୍ରଦାନ କଲା ପରେ ସେ ତହିଁରେ ଆଉ ପରିବର୍ତ୍ତନ କରିବାକୁ କୌଣସିମତେ ରାଜି ନ ଥିଲେ। ଅବଶ୍ୟ ଏହାର କାରଣ ଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ତାଙ୍କ ମନୋମାଳିନ୍ୟ। ଏ ସଂକ୍ରାନ୍ତରେ ମମତା ବାନାର୍ଜୀଙ୍କ ବ୍ୟକ୍ତିଗତ ଅନୁରୋଧକୁ ମଧ୍ୟ ସେ କର୍ଣ୍ଣପାତ ନ କରିବାରୁ ଅଗତ୍ୟା ଆଉ ଏକ କ୍ୟାବିନେଟ୍ ବୈଠକ ଡକାଯାଇ ତ୍ରୁଟି ସଂଶୋଧନ କରାଯାଇଥିଲା। କହିବା ଅନାବଶ୍ୟକ ଯେ ସଂପୂର୍ଣ୍ଣ ଆଇନାନୁମୋଦିତ ଭାବେ ମମତାଙ୍କୁ ହଇରାଣ କରିବା ଥିଲା ତାଙ୍କର ଲକ୍ଷ୍ୟ। ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଧନଖଡ଼ ହୁଏତ ଦିନେ ବିଜେପି ତଣ୍ଟିରେ ଏକ କଣ୍ଟା ଭଳି ଲାଖି ଯାଇ ପାରନ୍ତି!
୨୦୦୩ ମସିହାରେ କଂଗ୍ରେସ ତ୍ୟାଗ କରି ବି‌େଜପିରେ ଯୋଗ ଦେଇଥିବା ଧନଖଡ଼ ମହାଶୟଙ୍କ ଠାରୁ ବିଜେପିର ନୀତି-ଆଦର୍ଶ ପ୍ରତି ଅପରିବର୍ତ୍ତନୀୟ ଆନୁଗତ୍ୟ ଆଶା କରାଯାଇ ନ ପାରେ! ତେଣୁ, ତାଙ୍କ ଭଳି ଜଣେ ନେତା କାରଣ-ଅକାରଣ ସନ୍ଦେହାସ୍ପଦ ହୋଇ ପଡ଼ିବା ସହଜ ଏବଂ ତାଙ୍କୁ ପରିତ୍ୟାଗ କରିବା ନେଇ ବିଜେପି କୌଣସି ‌େନୖତିକ ଦ୍ବନ୍ଦ୍ବର ସାମନା କରି ନ ଥିବ। ତେବେ, ଏହି ପ୍ରକରଣରେ ଆଉ ଯେଉଁ ବାସ୍ତବତାଟି ଉଜାଗର ହୋଇଛି, ତାହା ହେଲା ବଳିଷ୍ଠ ନେତୃତ୍ବ ଦ୍ବାରା ପରିଚାଳିତ ବ୍ୟବସ୍ଥାରେ ମନୋମାଳିନ୍ୟର ପରିଣାମ ‘କ୍ର‌ମ ଅପସାରଣ’ ନୁହେଁ, ଏକାବେଳକେ କକ୍ଷରୁ ବିଚ୍ୟୁତି ଓ ଅନ୍ଧକାରରେ ବିଲୟ! ଆମେରିକାରେ ଏଲନ ମସ୍କ ମଧ୍ୟ ଅଚିରେ ଅସ୍ତମିତ ହୋଇଯା‌ଇଥାଆନ୍ତେ, ଯଦି ସେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ହୋଇ ନ ଥାଆନ୍ତେ! ଚୀନରେ ଏଭଳି ସ୍ଥିତିରେ ଅନେକ ନେତା ସଶରୀର ଅଦୃଶ୍ୟ ହୋଇ ଯାଆନ୍ତି, କିନ୍ତୁ ଭାରତରେ ସେମାନେ ଅଚଳ ମୁଦ୍ରା ଭଳି ବ୍ୟବହାରକ୍ଷମ ହୋଇ ନ ପାରି ଅବଲୀଳା କ୍ରମେ ବିସ୍ମୃତି ଗର୍ଭକୁ ଚାଲି ଯାଆନ୍ତି!