ଭାରତରେ ପ୍ରାୟ ସମସ୍ତ ହସ୍ତଶିଳ୍ପ କାରିଗରମାନେ ବର୍ତ୍ତମାନ ଏଇଭଳି ସଂକଟ ଦେଇ ଗତି କରୁଛନ୍ତି। କଚ୍ଛର ଏମ୍ରଏଡେରି କାରିଗରମାନଙ୍କ ଠାରୁ ଆରମ୍ଭ କରି ବନାରସୀ ବୁଣାକାରମାନଙ୍କ ପର୍ଯ୍ୟନ୍ତ ଅସହାୟ ଭାବରେ ଦେଖୁଛନ୍ତି ସେମାନଙ୍କର ବିନାନୁମତିରେ ସେମାନଙ୍କର ଡିଜାଇନ୍ ନକଲ କରାଯାଉଛି, ସେମାନଙ୍କର ବଜାରରେ ବାହ୍ୟ ଅନୁପ୍ରବେଶ ଘଟୁଛି, ସେମାନଙ୍କର ପିଲାମାନେ ତାଙ୍କର ପାରମ୍ପରିକ ବୃତ୍ତି ଅବଲମ୍ବନ କରି ଜୀବିକା ଅର୍ଜନ କରିବାରେ ବିଫଳ ହୋଇ ତାହାକୁ ପରିତ୍ୟାଗ କରି ସାଧାରଣ ଶ୍ରମିକ ଭାବରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି।

Advertisment

ଲରେନ୍ ୱାଇସ୍‌ବର୍ଗର୍‌ଙ୍କର ୨୦୦୩ରେ ପ୍ରକାଶିତ ଉପନ୍ୟାସ ଓ ତାହାକୁ ଆଧାର କରି ସମାନ ଶୀର୍ଷକ ବହନ କରୁଥିବା ୨୦୦୬ରେ ନିର୍ମିତ ହଲିଉଡ୍ ଫିଲ୍‌ମ ‘ଦି ଡେଭିଲ୍ ୱିଅର୍‌ସ ପ୍ରାଡା’ର କାହାଣୀ ଆମ ପାଇଁ ଏଠାରେ ପ୍ରାସଙ୍ଗିକ ହୋଇ ନ ଥିଲେ ହେଁ, ଏହି ଶୀର୍ଷକ ଯେଉଁ ଲୁକ୍‌କାୟିତ ସନ୍ଦେଶ ବହନ କରିଥାଏ, ତାହା ଏକ ସାଂପ୍ରତିକ ଘଟଣା ପରିପ୍ରେକ୍ଷୀରେ ସଂପୂର୍ଣ୍ଣ ପ୍ରଯୁଜ୍ୟ ହୋଇଥିବା ଭଳି ମନେ ହୋଇଥାଏ। ଶୀର୍ଷକଟିର ଆକ୍ଷରିକ ଅନୁବାଦ ହେଲା- ‘ସଇତାନ୍ ପ୍ରାଡା ପରିଧାନ କରେ’। ଆମ ପାଇଁ ଏହାର ମର୍ମ ହେଲା- ଯେଉଁମାନେ ପ୍ରାଡା ପରିଧାନ କରନ୍ତି, ସେମାନେ ସଇତାନ୍‌କୁ ସାହଚର୍ଯ୍ୟ ଦେଇଥାନ୍ତି। ‘ପ୍ରାଡା’ ଅବଶ୍ୟ ହେଉଛି ଏକ ସୁପରିଚିତ ତଥା ଦୁର୍ମୂଲ୍ୟ ଇଟାଲୀୟ ଫେସନ୍ ବ୍ରାଣ୍ଡ୍।
ଭାରତରେ ଏହି ହାଇ ଫେସନ୍ କଂପାନି ଏବେ ଏକ ବ୍ୟାପକ ଉତ୍ତେଜନାପୂର୍ଣ୍ଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ଦେଖାଯାଇଛି। ଉତ୍ତେଜନାର କାରଣ ହେଲା, ପ୍ରାଡା ଭାରତରେ ପାରମ୍ପରିକ ଭାବରେ ବହୁଳ ବ୍ୟବହୃତ କୋହ୍ଲାପୁରୀ ଚପଲର ଡିଜାଇନ୍ ଚୋରି କରି ନେଇଛି ବୋଲି ଅଭିଯୋଗ ହୋଇଛି। ଯେଉଁ ଚମଡ଼ା ଚପଲ ହଳେ ମହାରାଷ୍ଟ୍ରର କୋହ୍ଲାପୁରର ଚପଲ ବଜାରରେ ପ୍ରାୟ ୬୦୦ ଟଙ୍କାରେ ବିକ୍ରି ହୋଇଥାଏ, ତାହାର ଅବିକଳ ନକଲ ପ୍ରାଡା ଚପଲ ହଳେ ବିଦେଶରେ ପ୍ରାୟ ୯୦୦ ଡଲାର୍ (୭୭,୦୦୦ ଟଙ୍କା) ମୂଲ୍ୟରେ ବିକ୍ରି ହେବା ଦେଖାଯାଇଛି।
କୁହାଯାଇଥାଏ ନକଲ ହେଉଛି ଶୀର୍ଷତମ ସମ୍ମାନ ପ୍ରଦର୍ଶନ। ଜଣାଶୁଣା ଭାବେ ଆଜିକାଲି ଫେସନ୍ ଯେତେବେଳେ ଐତିହ୍ୟକୁ ଅନୁକରଣ କରିବା ଏକ ବ୍ୟାବସାୟିକ କୌଶଳରେ ପରିଣତ ହୋଇଛି, ଏଭଳି ନକଲ ନିଶ୍ଚିତ ରୂ‌େପ କେବଳ ସମ୍ମାନ ପ୍ରଦର୍ଶନରେ ସୀମିତ ନ ରହି ଏକ ଅର୍ଥକରୀ ଚୋରିର ରୂପ ପରିଗ୍ରହଣ କରିଥାଏ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ। ସବୁ ଚୋରି କ୍ଷେତ୍ରରେ ଯେପରି ଘଟିଥାଏ, ଏଠାରେ ମଧ୍ୟ ସେଇଭଳି ଘଟି ପ୍ରାଡା ଏ ସମ୍ବନ୍ଧରେ ଅବଲମ୍ବନ କରିଥିବା ନିରବତା ତା’ର ଏକ ଅନ୍ତଃସାରଶୂନ୍ୟ ବ୍ୟାବସାୟିକ ବ୍ରାଣ୍ଡ୍ ତଳେ ଶତାବ୍ଦୀ ଶତାବ୍ଦୀ ଧରି ସଯତ୍ନରେ ଗଢ଼ି ଉଠିଥିବା ଏକ ଭାରତୀୟ ହସ୍ତକର୍ମ ଐତିହ୍ୟକୁ କବର ଦେଇଛି।
କୋହ୍ଲାପୁରୀ ଚପଲ ପ୍ରାଡା ପାଇଁ କେବଳ ଏକ ଭିନ୍ନ ସ୍ବାଦର ଡିଜାଇନ୍ ହୋଇଥିଲେ ହେଁ ଭାରତରେ ଏହା ହେଉଛି ଏକ ଜୀବନ୍ତ କଳାକୌଶଳ ଓ ଜୀବିକାର୍ଜନର ଆଧାର। ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ପ୍ରଥମେ ଏହାର ଆବିର୍ଭାବ ଘଟି ପିଢ଼ି ପରେ ପିଢ଼ି ଚର୍ମକାର ପରିବାରମାନ ଏହି ପରମ୍ପରାକୁ ବଜାୟ ରଖି ଚାଲିଛନ୍ତି। କୋହ୍ଲାପୁରୀ ଚପଲର ଏହି ସ୍ବାତନ୍ତ୍ର୍ୟକୁ ସ୍ବୀକୃତି ପ୍ରଦାନ ସ୍ବରୂପ ୨୦୧୯ରେ ଏହାକୁ ‘ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍’ (‘ଜିଆଇ’) ଟ୍ୟାଗ୍ ପ୍ରଦାନ କରାଯାଇଛି। ପ୍ରାଡା ଏଥିରେ ନିଜ ବ୍ରାଣ୍ଡ୍‌ର ମୋହର ଲଗାଇ ବସ୍ତୁତଃ କୋହ୍ଲାପୁରୀ ଚପଲକୁ ପ୍ରଦାନ କରାଯାଇଥିବା ସେଇ ସ୍ବତନ୍ତ୍ର ପରିଚୟକୁ ଅସ୍ବୀକାର କରିଛି। ପ୍ରାଡା ତା’ର ଗ୍ରାହକମାନଙ୍କ ପାଇଁ ଏହି ଚପଲର ଯେଉଁଭଳି ବର୍ଣ୍ଣନା କରିଛି ତାହାର ଏକ ନମୁନା ହେଲା- ‘‘ସୂକ୍ଷ୍ମ ସିଲେଇଯୁକ୍ତ ଚମଡ଼ା ସାଣ୍ଡାଲ୍’’। ଏଭଳି ବର୍ଣ୍ଣନା ସେଇ ଐତିହ୍ୟ-ପଦାର୍ଥ ପଛରେ ନିହିତ ଥିବା ତା’ର ସ୍ରଷ୍ଟାମାନଙ୍କ ପରିଚୟକୁ ଉଡ଼ାଇ ଦେବା ସହିତ ଭାରତ ସହିତ ଥିବା ତା’ର ସଂପର୍କକୁ ଜାଣିଶୁଣି ଲୁଚାଇ ଦେଇଥାଏ। କୋହ୍ଲାପୁରୀ ଚପଲ ପରିଣତ ହୋଇଯାଇଥାଏ ‘ପ୍ରାଡାପୁରୀ ସାଣ୍ଡାଲ୍’ରେ। ଏହାକୁ ଆକାଶଛୁଅଁା ଦାମରେ ବିକ୍ରି କରି ସେ କଂପାନି ଅର୍ଜନ କରୁଥିବା ମୋଟା ଅର୍ଥର ଗୋଟିଏ ଛଦାମ୍ ମଧ୍ୟ କୋହ୍ଲାପୁରର ଚର୍ମକାରମାନଙ୍କ ପକେଟକୁ ଆସେ ନାହିଁ।
ପ୍ରାଡାର ଏହି ଚୌର୍ଯ୍ୟ ବୃତ୍ତିକୁ କେହି କେହି କେବଳ ପ୍ରେରଣା ରୂପେ ପ୍ରଦର୍ଶିତ କରିପାରନ୍ତି: କୋହ୍ଲାପୁର ଚପଲର ଡିଜାଇନ୍‌ରୁ ପ୍ରେରଣା ଲାଭ କରି ପ୍ରାଡା ତା’ର ଏହି ସାଣ୍ଡାଲ୍ ନିର୍ମାଣ କରିଛି। ଏ ଦୃଷ୍ଟିରୁ ବିଚାର କଲେ ମଧ୍ୟ କୁହାଯିବ ପ୍ରାଡାର ଏହି କାର୍ଯ୍ୟ ହେଉଛି ପ୍ରକୃତରେ ସାଂସ୍କୃତିକ ଅପହରଣ। ଏହା ପ୍ରେରଣା ନୁହେଁ, କାରଣ ପ୍ରେରଣା ଦାବି କରିଥାଏ ସ୍ବୀକୃତି, ସମ୍ମାନ ଓ ପ୍ରତିଦାନ। ପାଶ୍ଚାତ୍ୟ ଫେସନ୍ କିପରି ଦକ୍ଷିଣ ବିଶ୍ବରୁ ରଙ୍ଗ ଠାରୁ ଆରମ୍ଭ କରି କାରୁକାର୍ଯ୍ୟ ପର୍ଯ୍ୟନ୍ତ ନକଲ କରି ତାହାକୁ ବ୍ୟାବସାୟିକ ସଫଳତାରେ ପରିଣତ କରିଥାଏ, କୋହ୍ଲାପୁରୀ ଚପଲ ହେଉଛି ତାହାର ଏକ ସଦ୍ୟତମ ଉଦାହରଣ। ଏଥିରେ ନିହିତ ଥିବା ଅନ୍ତର୍ନିହିତ ସନ୍ଦେଶ ହେଲା- କୌଣସି ଏକ ଦ୍ରବ୍ୟ ଏକ ବିଳାସପୂର୍ଣ୍ଣ ଫେସନ୍ ଦ୍ରବ୍ୟ ରୂପେ ବିବେଚିତ ହେବାକୁ ହେଲେ ତା’ ପାଇଁ ଏକ ପାଶ୍ଚାତ୍ୟ ବ୍ରାଣ୍ଡ୍‌ର ମୋହର ଦରକାର।
ଭାରତରେ ଏକ ନିତିଦିନିଆ ଚପଲ ରୂପେ ବ୍ୟବହୃତ କୋହ୍ଲାପୁରୀ ଚପଲ ବିଷୟରେ କୁହାଯାଇଥାଏ ଯେ ଏହି ଚପଲ ତା’ର ବ୍ୟବହାରକାରୀ ଠାରୁ କେବଳ ଏହାର ସାମାନ୍ୟ ଦାମ୍ ମାଗି ନ ଥାଏ, ଇୟେ ମଧ୍ୟ ତାଙ୍କଠାରୁ ସମୟ ମାଗିଥାଏ। ଏହାର ଅର୍ଥ ଆରମ୍ଭରେ ଏ‌ହି ଚପଲ ବ୍ୟବହାରକାରୀଙ୍କ ପାଇଁ ଆରାମଦାୟକ ହୋଇ ନ ଥାଏ; ଏହାକୁ ନିୟମିତ ବ୍ୟବହାର କରିଲେ ସମୟ କ୍ରମେ ଧୀରେ ଧୀରେ ତାହା ପାଦ ସହିତ ଖାପ ଖାଇ ପାଦକୁ ଆରାମ ଦେବା ଆରମ୍ଭ କରେ। ତତ୍‌କ୍ଷଣାତ୍ ଆନନ୍ଦରେ ବିଶ୍ବାସ କରୁଥିବା ପାଶ୍ଚାତ୍ୟ ଗ୍ରାହକମାନଙ୍କ ପାଇଁ ତେଣୁ କୋହ୍ଲାପୁରୀ ଚପଲ ଭଳି ବିଳମ୍ବିତ ଆନନ୍ଦ ପ୍ରଦାନକାରୀ ପଦାର୍ଥ କେବେହେଲେ ଏକ ମୂଲ୍ୟବାନ ବିଳାସ ଦ୍ରବ୍ୟ ରୂପେ ବିବେଚିତ ହୁଅନ୍ତା ନାହିଁ। କେବଳ ‘ପ୍ରାଡା’ ପରି ଏକ ପାଶ୍ଚାତ୍ୟ ମୋହର କୋହ୍ଲାପୁରୀ ଚପଲର ଏଭଳି ରୂପାନ୍ତର ଘଟାଇ ପରେ ବହୁଗୁଣ ମୂଲ୍ୟବୃଦ୍ଧି ଘଟାଇଛି। ଏହାକୁ ଅତୀତର ଔପନିବେଶିକ ଶୋଷଣର ଏକ ନୂତନ ସଂସ୍କରଣ‌ ବୋଲି କହିଲେ ଭୁଲ୍ ହେବ ନାହିଁ। ସେତେବେଳେ ଔପନିବେଶକ ଶାସକମାନେ ସେମାନଙ୍କର ଶାସିତ ଉପନିବେଶମାନଙ୍କରୁ କଞ୍ଚାମାଲ ଲୁଟ୍ କରୁଥିଲେ; ବର୍ତ୍ତମାନର ପାଶ୍ଚାତ୍ୟ କଂପାନିମାନେ କଞ୍ଚାମାଲ ସ୍ଥାନରେ ସାଂସ୍କୃତିକ ସମ୍ବଳ ଲୁଟ୍ କରୁଛନ୍ତି।
ଯଦି କେହି କହେ ଯେ ଫେସନ୍ କୌଣସି ସାଂସ୍କୃତିକ ସୀମାର ଆବଦ୍ଧ ହୋଇ ରହେନାହିଁ; ତେଣୁ ଏକ ଇଟାଲୀୟ କଂପାନି ତିଆରି କରୁଥିବା ସାଣ୍ଡାଲ୍‌ରେ ଭାରତର କୋହ୍ଲାପୁରୀ ଶୈଳୀ ପ୍ରସ୍ଫୁଟିତ ହେବାରେ କିଛି ବାଧା ନାହିଁ। ଯଦି ଏହି ଯୁକ୍ତିକୁ ଓଲଟାଇ ଦେଇ କୋହ୍ଲାପୁରର ଜୋତା ନିର୍ମାତାମାନେ ପ୍ରାଡାର ବ୍ରୋଗ୍ ଜୋତାର ଅବିକଳ ନକଲ କରନ୍ତି, ତେବେ କ’ଣ ହେବ? ପ୍ରାଡା ନିଶ୍ଚିତ ରୂପେ ତା’ର ଅପ୍ରମିତ ଆଇନଗତ ଶକ୍ତି ବ୍ୟବହାର କରି ଏହାର ଘୋର ବିରୋଧ କରନ୍ତା। ଆନ୍ତର୍ଜାତିକ ଅଦାଲତରେ ପ୍ରାଡା ସହିତ ଲଢ଼ିବା ପାଇଁ କୋହ୍ଲାପୁରର କାରିଗରମାନଙ୍କର ବଳ ନାହିଁ।
ଭାରତରେ ପ୍ରାୟ ସମସ୍ତ ହସ୍ତଶିଳ୍ପ କାରିଗରମାନେ ବର୍ତ୍ତମାନ ଏଇଭଳି ସଂକଟ ଦେଇ ଗତି କରୁଛନ୍ତି। କଚ୍ଛର ଏମ୍ରଏଡେରି କାରିଗରମାନଙ୍କ ଠାରୁ ଆରମ୍ଭ କରି ବନାରସୀ ବୁଣାକାରମାନଙ୍କ ପର୍ଯ୍ୟନ୍ତ ଅସହାୟ ଭାବରେ ଦେଖୁଛନ୍ତି ସେମାନଙ୍କର ବିନାନୁମତିରେ ସେମାନଙ୍କର ଡିଜାଇନ୍ ନକଲ କରାଯାଉଛି, ସେମାନଙ୍କର ବଜାରରେ ବାହ୍ୟ ଅନୁପ୍ରବେଶ ଘଟୁଛି, ସେମାନଙ୍କର ପିଲାମାନେ ତାଙ୍କର ପାରମ୍ପରିକ ବୃତ୍ତି ଅବଲମ୍ବନ କରି ଜୀବିକା ଅର୍ଜନ କରିବାରେ ବିଫଳ ହୋଇ ତାହାକୁ ପରିତ୍ୟାଗ କରି ସାଧାରଣ ଶ୍ରମିକ ଭାବରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି।
ଯେତେବେଳେ ପ୍ରାଡା ପରି ପ୍ରଖ୍ୟାତ ଆନ୍ତର୍ଜାତିକ ବ୍ରାଣ୍ଡ୍‌ମାନ ମଧ୍ୟ ଏହି ନକଲ ଅଭିଯାନରେ ସାମିଲ ହୋଇଯାନ୍ତି, ସେତେବେଳେ ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡ଼େ, ଯାହା ଏକ ମାନବୀୟ ଟ୍ରାଜେଡି ସୃଷ୍ଟି କରିବାର ସମ୍ଭାବନା ବହନ କରିଥାଏ। ପ୍ରାଡାର ଏହି କାର୍ଯ୍ୟକୁ ତେଣୁ ଏକ ସଇତାନୀ କାର୍ଯ୍ୟ କହିଲେ ଭୁଲ୍ ହେବ ନାହିଁ, ଏବଂ ଯେଉଁମାନେ ପ୍ରାଡା ବ୍ୟବହାର କରୁଛନ୍ତି, ସେମାନେ ତେଣୁ ମନେ ରଖିବା ଉଚିତ ଯେ ୱାଇସ୍‌ବର୍ଗର୍‌ କହିଥିବା ଭଳି ପ୍ରାଡା ହେଉଛି ସଇତାନ୍‌ର ପରିଧାନ।