“କ୍ଷୁଦ୍ର ଯହିଁ ନିହିତ ତହିଁ ସମ୍ଭାବନା ବହୁ, ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ”– ସୁନାମଧନ୍ୟ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ଏହି ପଙ୍‌କ୍ତି ଆଜି ନୂଆ ଭାରତର ଉଦୀୟମାନ ପିଢ଼ି ପାଇଁ ଶତ ପ୍ରତିଶତ ପ୍ରଯୁଜ୍ୟ। ଏହି ନୂଆ ପିଢ଼ି ଆଜି ଦେଶ-କାଳ-ପାତ୍ରର ସୀମା ଭିତରେ ଆବଦ୍ଧ ନ ହୋଇ ନିଜର ସୃଜନୀଶକ୍ତି ଓ ଉଚ୍ଚାଭିଳାଷ ବଳରେ ନିତ୍ୟ ନୂତନ ଉଦାହରଣ ପ୍ରସ୍ତୁତ କରିବାରେ ମଗ୍ନ। ଏଥିଯୋଗୁଁ ବିକାଶ ଓ ପ୍ରଗତିର ପାରମ୍ପରିକ ଅବଧାରଣା ଦିନକୁ ଦିନ ଗୌଣ ହେବାରେ ଲାଗିଛି। ଅର୍ଥାତ୍, ନୂଆ ନୂଆ ଉଦ୍ୟୋଗ ପ୍ରତିଷ୍ଠା ଓ ଅଭିବୃଦ୍ଧି ହାସଲ ପାଇଁ ବଡ଼ ବଡ଼ ସହରାଞ୍ଚଳ ଯେ ଏକମାତ୍ର ବିକଳ୍ପ- ଏ ଧାରଣା ଏଣିକି ଭୁଲ୍‌ ପ୍ରମାଣିତ ହେବାରେ ଲାଗିଛି। ଦେଶର ମହାନଗରୀଗୁଡ଼ିକର ମନୋପଲିକୁ ଚ୍ୟାଲେଞ୍ଜ କରି ଅପେକ୍ଷାକୃତ ଛୋଟ ସହର ଓ ଗ୍ରାମାଞ୍ଚଳଗୁଡ଼ିକ ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛନ୍ତି।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଗ୍ରାମମୁଖୀ ଦୃଷ୍ଟିଭଙ୍ଗୀ ଓ ‘ଗାଁକୁ ଚାଲ’ ଡାକରା କୋଟି କୋଟି ଭାରତୀୟଙ୍କୁ ଦିନେ ଉଦ୍‌ବୁଦ୍ଧ କରିଥିଲା, ସ୍ୱାବଲମ୍ବୀ କରିଥିଲା ଏବଂ ଦେଶକୁ ସ୍ୱାଧୀନତାର ମହାର୍ଘ ଅବସର ବି ଆଣିଦେଇଥିଲା। ଏ ଭିତରେ ସ୍ୱାଧୀନତାକୁ ସାଢ଼େ ସାତ ଦଶନ୍ଧିରୁ ଅଧିକ କାଳ ବିତିସାରିଛି ଏବଂ ଆମ ଦେଶ ଏବେ ପୁଣି ଥରେ ଗାଁମୁହାଁ ହୋଇଛି। ସୁଖର କଥା, ଜାତୀୟତାର ଅନୁସନ୍ଧିତ୍ସା ଆଜି ଆମକୁ ସ୍ଥାନୀୟତା ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛି।
ଏଇ କିଛି ଦିନ ତଳେ ମୁଁ ତାମିଲନାଡୁର ତେନକାଶୀ ନାମକ ଏକ ଛୋଟିଆ ଅଥଚ ସୁନ୍ଦର ସହର ବୁଲି ଯାଇଥିଲି। ପଶ୍ଚିମଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଏହି ମନ୍ଦିରମାଳିନୀ ଜନବସତିର ସମ୍ବନ୍ଧ କାହିଁ କେଉଁ କାଳରୁ ରହିଆସିଛି ପବିତ୍ର କାଶୀ ଧାମ ସହିତ। କାଶୀ ବିଶ୍ୱନାଥ ମନ୍ଦିର ପରି ଏଠାରେ ବିଦ୍ୟମାନ କାଶୀ ବିଶ୍ୱନ୍ଧର ଶୈବାଳୟ। ତେବେ ତେନକାଶୀ ସହର ଯେଉଁପରି ଭାବରେ ନିଜର ଆଧ୍ୟାତ୍ମିକ ପରିଚୟକୁ ବଜାୟ ରଖି ନବସୃଜନ ଓ ପ୍ରଯୁକ୍ତିକୁ ଆପଣାଇ ପାରିଛି, ତାହା ହିଁ ମୋତେ ସବୁଠାରୁ ବେଶୀ ଅଭିଭୂତ କରିଥିଲା।
ତେନକାଶୀ ଅଧୀନସ୍ଥ ମଦଳମପରାଇ ଗ୍ରାମରେ ସ୍ଥାପିତ ଟେକ୍ ସଂସ୍ଥା ‘ଜୋହୋ’ ମୋ ଦୃଷ୍ଟିକୁ ଆସିଥିଲା। ଟେକ୍ ବା ପ୍ରଯୁକ୍ତିର ବିକେନ୍ଦ୍ରୀକରଣ ଦିଗରେ ‘ଜୋହୋ’ର ପ୍ରତିଷ୍ଠାତା ଶ୍ରୀଧର ବେମ୍ବୁଙ୍କ କାର୍ଯ୍ୟଶୈଳୀ ମୋତେ ବେଶ୍ ପ୍ରଭାବିତ କରିଥିଲା। ବିଖ୍ୟାତ-ଦିଲ୍ଲୀ ଅର୍ଥାତ୍ ମହାନଗରବାଦୀ ଚିନ୍ତାଧାରାରୁ ମୁକୁଳି ଅଖ୍ୟାତ ପଲ୍ଲୀର ଉତ୍‌ଥାନ ପାଇଁ ସମର୍ପିତ ଏହି ସଂସ୍ଥା ଦେଶର ଅଗଣିତ ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ। କେବଳ ଏହି ଗୋଟିଏ ସଂସ୍ଥା ଯୋଗୁଁ ତେନକାଶୀ ପରି ଏକ ସ୍ୱଳ୍ପ ପରିଚିତ ସହର ଆଗାମୀ ଦିନରେ ଦେଶର ଏକ ଈପ୍‌ସିତ ବ୍ୟାବସାୟିକ ପେଣ୍ଠରେ ପରିଣତ ହେବାକୁ ଯାଉଛି। ପ୍ରାଚୀନତା ସଙ୍ଗେ ନୂତନତ୍ୱର କିପରି ସମନ୍ୱୟ ରଖିହୁଏ, ତାହାର ଉଦାହରଣ ହେଉଛି ଏହି ସଂସ୍ଥା। ଆଧୁନିକ ଜୀବନର ଗତାନୁଗତିକତା ବା ସହରୀମନସ୍କତାରୁ ବାହାରି ବାସ୍ତବ ବିକାଶ ବା ପ୍ରଗତିର ଛବିକୁ ନୂଆ କରି ଆଙ୍କିବା ପାଇଁ ଏହା ଆମ ସଭିଁଙ୍କୁ ଯେମିତି ବାଧ୍ୟ କରୁଛି।
ତେନକାଶୀ ଉପକଣ୍ଠରେ ତରୁବଇ ସ୍ଥିତ ‘ଜୋହୋ’ର ନୂତନ କ୍ୟାମ୍ପସ ଯେ କେବଳ ଏକ ସ୍ମାର୍ଟ ଟେକ୍ ସଲ୍ୟୁସନ୍ ତା’ ନୁହେଁ, ଏହାର ପରିସରରେ ଥିବା ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ ଆଖପାଖ ଗାଁଗୁଡ଼ିକର ଯୁବକଯୁବତୀମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ, ପେଡ୍ ଇଣ୍ଟର୍ଣ୍ଣସିପ୍, ଟେକ୍ ପ୍ରଶିକ୍ଷଣ ସାଙ୍ଗକୁ ଅଧ୍ୟୟନ ବେଳେ ଉପାର୍ଜନର ସୁଯୋଗ ଆଣିଦେଇଛି।
ଏହିପରି ଆଉ ଏକ ଉଦାହରଣ ହେଉଛି ଗୋବିନ୍ଦପେରି ଗ୍ରାମରେ ଥିବା କଳଇବାଣୀ କଲବୀ ମୟମ୍ ଶିକ୍ଷାନୁଷ୍ଠାନ। ଆଖପାଖରେ ଥିବା ଗାଁଗୁଡ଼ିକର ଶିଶୁମାନଙ୍କୁ ଏଠାରେ ମାଗଣାରେ ଶିକ୍ଷାଦାନ କରାଯାଉଛି। ସବୁଠୁ ନିଆରା କଥାଟି ହେଲା, ଏଠାରେ ଅଧ୍ୟୟନ କରୁଥିବା ଶିଶୁମାନଙ୍କର ଖିଆପିଆ କଥା ସେମାନଙ୍କ ମାଆମାନେ ହିଁ ବୁଝୁଛନ୍ତି। ଏହି ମାଆମାନେ ଏଠାରେ ରେଷେଇବାସ ଓ ବାଡ଼ିବଗିଚା କାମରେ ନିୟୋଜିତ ରହି ଗୋଟିଏ କୁଟୁମ୍ବ ଭଳି ଚଳୁଛନ୍ତି। ସ୍କୁଲ ଭିତରେ ଏତାଦୃଶ ପାରିବାରିକ ଭାବବନ୍ଧନ ଶିଶୁମାନଙ୍କୁ ପଢ଼ିବା ଓ ବଢ଼ିବାରେ ବେଶ୍ ସହାୟକ ହେଉଛି।
‘ଜୋହୋ’ର ଆଉ ଏକ ଅବଦାନ ହେଉଛି ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ ‘କାରୁବୀ’ ଯାହା ସ୍ଥାନୀୟ ସମ୍ବଳର ଉପଯୋଗକୁ ଅଗ୍ରାଧିକାର ଦେଇ ଉଚ୍ଚମାନର ଇଣ୍ଡଷ୍ଟ୍ରିଆଲ ପାୱାର ଟୁଲ୍‌ସ ଉତ୍ପାଦନ କରୁଅଛି। ଦକ୍ଷ ସ୍ଥାନୀୟ ଯୁବା ହିଁ ଏହି ଉତ୍ପାଦନ କେନ୍ଦ୍ରର ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଏହି ଷ୍ଟାର୍ଟ-ଅପ୍ ଆଜି ଏକ ଗ୍ରାମାଞ୍ଚଳ ବିପ୍ଳବ ବା ରୁରାଲ୍ ରିଭୋଲ୍ୟୁସନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବିପ୍ଳବ ଦିନେ ନା ଦିନେ ଗ୍ରାମ୍ୟ ଜୀବନରୁ ଦାରିଦ୍ର୍ୟ ଓ ଦେଶାନ୍ତରଣର ମୂଳୋତ୍ପାଟନ କରିବ, ଏ ବିଶ୍ୱାସ ମୋର ରହିଛି।

Advertisment

ବେମ୍ବୁଙ୍କ ଅଭୀପ୍‌ସା ରାଷ୍ଟ୍ର-ନିର୍ମାଣର ପରିଧିକୁ ଅତିକ୍ରମ କରିସାରିଛି ଏବଂ ‘ଜୋହୋ’ ଏବେ ଆନ୍ତର୍ଜାତିକ ଆଇଟି ଜାଏଣ୍ଟଗୁଡ଼ିକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି। ତାଙ୍କରି ଉଦ୍ୟମରେ ଏହି ସଂସ୍ଥା ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବହୁରାଷ୍ଟ୍ରୀୟ କମ୍ପାନିରେ ପରିଣତ ହେବାକୁ ଯାଉଛି, ଯାହାର ଶାଖା ପ୍ରଶାଖା ସାରା ବିଶ୍ୱରେ ପରିବ୍ୟାପ୍ତ ହେଲେ ହେଁ ମୂଳ ସବୁବେଳେ ଭାରତ ମାଟିରେ ରହିଥିବ।

ବେଙ୍ଗାଲୁରୁ ଅବା ସାନ୍ ଫ୍ରାନ୍ସିସ୍କୋର କାଚ କାନ୍ଥ ଘେରା ସମ୍ଭ୍ରାନ୍ତ ଜୀବନ ଠାରୁ ଅନେକ ଦୂରରେ, ତେନକାଶୀର ଶାନ୍ତ ପରିବେଶ ଓ ସରଳ ନିରାଡ଼ମ୍ବର ଜୀବନଶୈଳୀ ଭିତରେ କିନ୍ତୁ ପଦ୍ମଶ୍ରୀ ଶ୍ରୀଧର ବେମ୍ବୁଙ୍କ ଦୂରଦୃଷ୍ଟି ମୋତେ ବେଶ୍ ଶାଣିତ ଓ ତୀକ୍ଷ୍‌ଣ ମନେ ହେଉଥିଲା। ସେ ଯେମିତି ପ୍ରମାଣ କରିଦେଇଛନ୍ତି ଯେ ବିଶ୍ୱ ସ୍ତରର ଇନୋଭେସନ ଗ୍ରାମୀଣ ଭାରତରେ ବି ସମ୍ଭବ ହୋଇପାରେ। କେବଳ ଗ୍ରାମାଞ୍ଚଳ ନୁହେଁ, ଟିଅର-୨ ଓ ଟିଅର-୩ ସହରର ଲୁକ୍କାୟିତ ପ୍ରତିଭା, ଯାହାଙ୍କୁ ମୁଖ୍ୟସ୍ରୋତର ଆଇଟି କମ୍ପାନିମାନେ ଅଣଦେଖା କରିଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଆଗକୁ ଆଣିବାର ଗୁରୁଦାୟିତ୍ୱ ମଧ୍ୟ ନେଇଛନ୍ତି ବେମ୍ବୁ ମହାଶୟ।
ବେମ୍ବୁଙ୍କର ଏହି ମିସନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ତଥା ବିକଶିତ ଭାରତର ଦୂରଦୃଷ୍ଟି ଉପରେ ଆଧାରିତ। ସ୍ୱଦେଶୀ ଜ୍ଞାନକୌଶଳ ଓ ନବସୃଜନକୁ ପ୍ରୋତ୍ସାହନ ସାଙ୍ଗକୁ ବିକାଶ ଓ ଅଭିବୃଦ୍ଧିର ବିକେନ୍ଦ୍ରୀକରଣ ହିଁ ମୋଦୀଙ୍କ ବିଚାର ଓ କାର୍ଯ୍ୟଶୈଳୀର ବିଶେଷତ୍ୱ। ଶ୍ରୀଧର ବେମ୍ବୁ ଗ୍ରାମାଞ୍ଚଳର ପ୍ରତିଭାକୁ ଲୋକଲୋଚନକୁ ଆଣି ତଥା ମହାନଗରୀର ପରିସୀମା ବାହାରେ ଜ୍ଞାନ-କେନ୍ଦ୍ର ବା ନଲେଜ ହବ୍ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଓ ପରିକଳ୍ପନାକୁ ବାସ୍ତବତାର ସ୍ପର୍ଶ ଦେଉଛନ୍ତି। ଆମ ଗାଁଗଣ୍ଡା ଏଣିକି ପ୍ରତିଭା ବିସର୍ଜନ ପାଇଁ ନୁହେଁ ବରଂ ପ୍ରତିଭାସମ୍ପନ୍ନତା ପାଇଁ ଚର୍ଚ୍ଚିତ ହେବେ, ଏ କଥାକୁ ସୁନିଶ୍ଚିତ କରିବାରେ ମଧ୍ୟ ସେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ବେମ୍ବୁଙ୍କ ଅଭୀପ୍‌ସା ରାଷ୍ଟ୍ର-ନିର୍ମାଣର ପରିଧିକୁ ଅତିକ୍ରମ କରିସାରିଛି ଏବଂ ‘ଜୋହୋ’ ଏବେ ଆନ୍ତର୍ଜାତିକ ଆଇଟି ଜାଏଣ୍ଟଗୁଡ଼ିକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି। ତାଙ୍କରି ଉଦ୍ୟମରେ ଏହି ସଂସ୍ଥା ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବହୁରାଷ୍ଟ୍ରୀୟ କମ୍ପାନିରେ ପରିଣତ ହେବାକୁ ଯାଉଛି, ଯାହାର ଶାଖା ପ୍ରଶାଖା ସାରା ବିଶ୍ୱରେ ପରିବ୍ୟାପ୍ତ ହେଲେ ହେଁ ମୂଳ ସବୁବେଳେ ଭାରତ ମାଟିରେ ରହିଥିବ।
ୟୁନିକର୍ଣ୍ଣ ଦୌଡ଼ରୁ ଦୂରରେ ରହି ‘ଜୋହୋ’ ଏକ ନୂଆ ଟ୍ରେଣ୍ଡ୍ ତିଆରି କରୁଛି, ଯାହାଦ୍ୱାରା ଏକ କ୍ରମବର୍ଦ୍ଧିଷ୍ଣୁ ରାଜସ୍ୱ ଆଧାରିତ ଅଭିବୃଦ୍ଧି, ଲକ୍ଷ ଲକ୍ଷ ଦେଶବାସୀଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରି ସବୁଦିନ ପାଇଁ ଦାରିଦ୍ର୍ୟର କଷାଘାତରୁ ମୁକ୍ତି ଦେଇପାରିବ। ଦେଖା-ସର୍ବସ୍ୱ ନୁହେଁ, ବରଂ ନିରନ୍ତର ରାଷ୍ଟ୍ରନିର୍ମାଣର ଏହା ଏକ ଅଭିନବ ସଂକଳ୍ପ ନୁହେଁ ତ ଆଉ କ’ଣ?
ସେଦିନ ତେନକାଶୀ ମାଟିରେ ଠିଆ ହୋଇ ମୁଁ ଭାବୁଥାଏ ତାମିଲ ଭାଷାର ମହାକବି ସୁବ୍ରମନ୍ୟ ଭାରତୀୟାରଙ୍କ ଦୂରଦୃଷ୍ଟି କଥା। ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଏହି ମହାମନୀଷୀ ଦେଖିପାରିଥିଲେ ଶିଳ୍ପ-ସମୃଦ୍ଧ ଗ୍ରାମୀଣ ଭାରତର ସ୍ୱପ୍ନ, ଯେଉଁଠି ଜ୍ଞାନ ଓ ଶ୍ରମ ବଳରେ ହିଁ ଗାଁଗୁଡ଼ିକ ମର୍ଯ୍ୟାଦାସମ୍ପନ୍ନ ହୋଇପାରିବେ। ଭାରତୀୟାରଙ୍କ ସ୍ୱପ୍ନର ଭାରତ ଆଜି ମୋଦୀଙ୍କ ଆତ୍ମନିର୍ଭର ଭାରତ ହୋଇ ଉଭା ହୋଇଛି। ସମୃଦ୍ଧ ଭାରତର ସାଉଁଟା କାହାଣୀ ପୁଣି ଥରେ ଲିପିବଦ୍ଧ ହେବା ଆରମ୍ଭ ହୋଇଛି।
ଏ ପରିପ୍ରେକ୍ଷୀରେ ‘ଜୋହୋ’ର ଗ୍ରାମାଞ୍ଚଳ ବିପ୍ଳବ ଭାରତୀୟାରଙ୍କ ସ୍ୱପ୍ନର ଏକ ବାସ୍ତବ ରୂପାୟନ ନିଶ୍ଚୟ। ଏକବିଂଶ ଶତାବ୍ଦୀକୁ ଭାରତୀୟ ଶତାବ୍ଦୀରେ ରୂପାନ୍ତରିତ କରିବାକୁ ହେଲେ ଆମକୁ ତେନକାଶୀ ଠାରୁ ଶିକ୍ଷାଲାଭ କରିବାକୁ ହେବ। ପ୍ରଯୁକ୍ତି-ସମ୍ପନ୍ନ ଗାଁ ହିଁ ଏହି ଲକ୍ଷ୍ୟର ପୁରୋଭାଗରେ ରହିବ।
ତେନକାଶୀ ପରି ଅନେକ କ୍ଷୁଦ୍ର ଅଥଚ ଅସୀମ ସମ୍ଭାବନାପୂର୍ଣ୍ଣ ଅଞ୍ଚଳ ଓଡ଼ିଶାରେ ମଧ୍ୟ ରହିଛି। କହିବା ବାହୁଲ୍ୟ ଯେ ପୂର୍ବୋଦୟର ସୁଫଳକୁ ପୁଞ୍ଜି କରି ଓଡ଼ିଶାରେ ଅଧୁନା ନ୍ୟୁ ଏଜ୍ ଇକୋନମି ବା ନବଯୁଗୀୟ ଅର୍ଥନୀତି ଗତିଶୀଳ ହେଉଅଛି। ଏଣୁ ମୋର ବିଶ୍ୱାସ, ପ୍ରଯୁକ୍ତି ବଳରେ ରାଜ୍ୟର ଛୋଟ ଛୋଟ ଗାଁ ଓ ସହରଗୁଡ଼ିକୁ ସଶକ୍ତ କରି ଆମେ ଓଡ଼ିଶାରେ ଏକ ନବ ବିପ୍ଳବର ବାର୍ତ୍ତାବହ ହୋଇପାରିବା।
(ମତାମତ ଲେଖକଙ୍କ ନିଜସ୍ବ)