ଝିଅମାନେ ଯଦି ରାତିରେ ଘରୁ ପଦାକୁ ଗୋଡ଼ କାଢ଼ିବା ବିପଜ୍ଜନକ, ତେବେ ରାଷ୍ଟ୍ର କାହିଁକି ଅଛି; ସରକାର କାହିଁକି ଅଛି? ଏଠାରେ ପୁଣି ଥରେ ମହାତ୍ମା ଗାନ୍ଧୀଙ୍କର ସେଇ ମନ୍ତବ୍ୟ ମନେ ପକାଇ ଦିଆଯାଇପାରେ, ଯାହା ଅନୁସାରେ ଏକ ଦେଶ ସେତିକି ବେଳେ ସ୍ବାଧୀନ ହୋଇଛି ବୋଲି କୁହାଯିବ, ଯେତେବେଳେ ସେଠାରେ ଏକାକିନୀ ନାରୀଟିଏ ସଂପୂର୍ଣ୍ଣ ଭାବେ ନିରାପଦରେ ରାତିରେ ରାସ୍ତାରେ ଯାଇଆସି ପାରିବ। କେବଳ ଜଣେ ନାରୀ ପ୍ରଥମ ଥର ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଗଲେ ତାହା ସ୍ବାଧୀନତାର ପରିଚାୟକ ନୁହେଁ।
ଅକ୍ଟୋବର ୧୨ ଦିନ ଦିଲ୍ଲୀରେ ଏକ ଐତିହାସିକ ଘଟଣା ଘଟିବା ଦେଖାଯାଇଥିଲା। ସେଦିନ ସେଠାରେ ଅବସ୍ଥିତ ଆଫଗାନିସ୍ତାନର ଦୂତାବାସରେ ସେ ଦେଶର ବୈଦେଶିକ ମନ୍ତ୍ରୀ ମୌଲବୀ ଅମିର ଖାନ୍ ମୁତ୍ତାକି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। ଏହା ଥିଲା ମାତ୍ର ଦୁଇ ଦିନ ତଫାତ୍ରେ ମୁତ୍ତାକି ସମ୍ବୋଧନ କରିଥିବା ଦ୍ବିତୀୟ ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଯେଉଁ ସଂପୂର୍ଣ୍ଣ ଅଭାବିତ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ହେଲା ଏଥିରେ ପୁରୁଷ ସାମ୍ବାଦିକମାନଙ୍କ ସହିତ ମହିଳା ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ। କେବଳ ତାହା ନୁହେଁ, ସେଠାରେ ଉପସ୍ଥିତ ଥିବା ସେଇ ମହିଳା ସାମ୍ବାଦିକମାନଙ୍କ ମଧ୍ୟରୁ କେବଳ ଦୁଇ ଜଣଙ୍କୁ ବାଦ୍ ଦେଲେ, ଅନ୍ୟ କେହିହେଲେ ସେମାନଙ୍କର ମସ୍ତକକୁ ହିଜାବ୍ କିମ୍ବା ସ୍କାର୍ଫ ଦ୍ବାରା ଆବୃତ କରି ନ ଥିଲେ, ବୁର୍ଖାରେ ଆପାଦ ମସ୍ତକ ଘୋଡ଼ାଇବା ଦୂରର କଥା।
ଏହା ସଂପୂର୍ଣ୍ଣ ଅଭାବିତ ଥିଲା, କାରଣ ମୁତ୍ତାକି ହେଉଛନ୍ତି ଆଫଗାନିସ୍ତାନରେ ଶାସନ କ୍ଷମତାରେ ଥିବା ଚରମ ରକ୍ଷଣଶୀଳ ଇସଲାମୀୟ ଗୋଷ୍ଠୀ ତାଲିବାନର ଜଣେ ସଦସ୍ୟ, ଯେଉଁମାନେ ମହିଳାମାନଙ୍କ ସ୍ଥାନ ପର୍ଦ୍ଦା ଆଢୁଆଳରେ ବୋଲି ଦୃଢ଼ ଭାବରେ ବିଶ୍ବାସ କରନ୍ତି। ଏହି ଚିନ୍ତାଧାରା ଅନୁସରଣ କରି ସେମାନେ ସେ ଦେଶରେ ସ୍କୁଲ କଲେଜମାନଙ୍କରେ ବାଳିକାମାନଙ୍କର ପ୍ରବେଶ ନିଷିଦ୍ଧ କରି ଦେବାକୁ ପଛାଇ ନାହାନ୍ତି। ସେଦିନ ସେଇ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ମୁତ୍ତାକିଙ୍କୁ କେବଳ ଏହି ମୁକୁଳା-ମସ୍ତକ ମହିଳାମାନଙ୍କର ଏକ ସର୍ବସାଧାରଣ ସ୍ଥଳୀରେ ପୁରୁଷମାନଙ୍କ ସହିତ ମିଳିତ ଉପସ୍ଥିତି ରୂପକ ଅତ୍ୟନ୍ତ ବେଦନାଦାୟକ ନିଷିଦ୍ଧ ଦୃଶ୍ୟ ଦେଖିବାକୁ ପଡ଼ି ନ ଥିଲା, ତାଙ୍କୁ ମଧ୍ୟ ଅନୁରୂପ ଭାବରେ ଅସ୍ବସ୍ତିକର ପ୍ରଶ୍ନମାନଙ୍କର ଉତ୍ତର ଦେବାକୁ ପଡ଼ିଥିଲା। ସମ୍ମିଳନୀର ଆଗଧାଡ଼ିରେ ମୁତ୍ତାକିଙ୍କ ସହିତ ମୁହଁାମୁହିଁ ଅବସ୍ଥାରେ ବସିଥିବା ମହିଳା ସାମ୍ବାଦିକମାନେ ଆଫଗାନିସ୍ତାନରେ ବାଳିକାମାନଙ୍କର ଶିକ୍ଷା ଲାଭ କରିବାର ଅଧିକାର ସମ୍ବନ୍ଧରେ ତାଙ୍କୁ ସିଧାସଳଖ ପଚାରି ଅପ୍ରସ୍ତୁତ କରି ଦେଇଥିଲେ। ଚାରି ବର୍ଷ ଧରି ତାଲିବାନ ଦ୍ବିତୀୟ ଥର ପାଇଁ ଅାଫଗାନିସ୍ତାନରେ କ୍ଷମତା ଦଖଲ କରି ରହିଥିଲେ ହେଁ, ସେମାନଙ୍କୁ କେବେହେଲେ ଏଭଳି ଅସୁବିଧାଜନକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ି ନ ଥିଲା।
ଏହି ଦ୍ବିତୀୟ ସାମ୍ବାଦିକ ସମ୍ମିଳନୀ ମୁତ୍ତାକିଙ୍କର ଦୁଇ ଦିନ ତଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ବାସ୍ତବରେ ମୁତ୍ତାକି ମାତ୍ର ଦୁଇ ଦିନ ବ୍ୟବଧାନରେ ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରିବାର କାରଣ ଥିଲା ଅକ୍ଟୋବର ୧୦ରେ ଅନୁଷ୍ଠିତ େହାଇଥିବା ଏହି ପ୍ରଥମ ସାମ୍ବାଦିକ ସମ୍ମିଳନୀ। ସେଇ ସମ୍ମିଳନୀରେ ଯେଉଁ ସାମ୍ବାଦିକମାନେ ଉପସ୍ଥିତ ଥିଲେ, ସେମାନେ ସମସ୍ତେ ଥିଲେ ପୁରୁଷ। ସେଠାରେ କେବଳ ପୁରୁଷ ସାମ୍ବାଦିକମାନଙ୍କର ଉପସ୍ଥିତି କୌଣସି ସଂଯୋଗବଶତଃ ଘଟି ନ ଥିଲା; ମୁତ୍ତାକି ତାଲିବାନର ତୀବ୍ର ଲିଙ୍ଗ-ବିଦ୍ବେଷ ନୀତିକୁ ଅନୁସରଣ କରି ହିଁ ସେଠାକୁ କେବଳ ପୁରୁଷ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରିଥିବାରୁ ସେଠାରେ ଏପରି ଏକ ଦୃଶ୍ୟ ସୃଷ୍ଟି ହୋଇଥିଲା। ଏହା ପରେ ସ୍ବାଭାବିକ ଭାବରେ ଏହା ବିରୁଦ୍ଧରେ ଭାରତରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ବାଧୀନତା ପରଠାରୁ ଭାରତ ସରକାର ଅନୁସରଣ କରି ଆସିଥିବା ନୀତି ହେଉଛି ଭାରତୀୟ ସମାଜରୁ ସମସ୍ତ ପ୍ରକାର ଲିଙ୍ଗଗତ ବାଛବିଚାର ଦୂର କରିବା, ଯାହା ନାରୀମାନଙ୍କ ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ କରିଥାଏ। ଏକ ଅପେକ୍ଷାକୃତ ତାଜା ଉଦାହରଣ ସ୍ବରୂପ ନାରୀଶିକ୍ଷା ବାବଦରେ ତାଲିବାନୀ ନୀତିର ଠିକ୍ ବିପରୀତ ଆଭିମୁଖ୍ୟ ବହନ କରୁଥିବା ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଏକ ଅଭିଯାନର ନାମ ହେଉଛି ‘ବେଟି ବଚାଓ, ବେଟି ପଢ଼ାଓ’।
ଏହି ପରିପ୍ରେକ୍ଷୀରେ ନାରୀମାନଙ୍କର ସଂପୂର୍ଣ୍ଣ ଦମନରେ ବିଶ୍ବାସ କରୁଥିବା ତାଲିବାନ ପରି ଏକ ଚରମ ଇସଲାମୀୟ ମୌଳବାଦୀ ସରକାରର ପ୍ରତିନିଧିଙ୍କୁ ଭାରତ ସରକାର ଆମନ୍ତ୍ରଣ କରିବା ବିରୋଧରେ ଯେଉଁ ଜନମତ ଦାନା ବାନ୍ଧିବାକୁ ଆରମ୍ଭ କରିଥିଲା, ଏହି ନାରୀ ବିବର୍ଜିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ ଯୋଗୁଁ ତାହା ତୀବ୍ରତର ହୋଇଗଲା। ଆମକୁ ଏହା ସ୍ବୀକାର କରିବାକୁ ହେବ ଯେ ତାଲିବାନର ଅତ୍ୟନ୍ତ କଠୋର ନାରୀ ବିରୋଧୀ ଆଭିମୁଖ୍ୟ ସତ୍ତ୍ବେ ଭାରତରେ ସେ ସମ୍ମୁଖୀନ ହୋଇଥିବା ଏଭଳି ଜନମତ ମୁତ୍ତାକିଙ୍କୁ ତାଙ୍କର ଆଚରଣରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଥିଲା, ଯାହା ଫଳରେ ସେ ନିଜର ଭୁଲ୍ ସୁଧାରିବା ନିମିତ୍ତ ଉପରୋକ୍ତ ଦ୍ବିତୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। ଅନ୍ତତଃ ସେ ଭାରତରେ ଥିବାବେଳେ ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ସମ୍ମାନ ପ୍ରଦର୍ଶନ କରିବା ନିମିତ୍ତ ଏହି ଦ୍ବିତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ମୁତ୍ତାକି ମହିଳା ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରିଥିଲେ।
ମୌଲବୀ ମୁତ୍ତାକିଙ୍କର ଏହି ସ୍ବାଗତଯୋଗ୍ୟ ଆଚରଣ ଦେଖି ମନେହୁଏ ଯେ ନାରୀମାନଙ୍କ ପ୍ରତି ଏହି ତାଲିବାନ ନେତା ପ୍ରଦର୍ଶନ କରିଥିବା ଆଭିମୁଖ୍ୟ ପଶ୍ଚିମବଙ୍ଗର ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେ ରାଜ୍ୟରେ ନାରୀମାନଙ୍କ ପ୍ରତି ପ୍ରଦର୍ଶନ କରି ଚାଲିଥିବା ଆଭିମୁଖ୍ୟ ଠାରୁ ବହୁ ଅଧିକ ନ୍ୟାୟୋଚିତ ଓ ନିରପେକ୍ଷ ହୋଇଛି। ମମତା ବାନାର୍ଜୀ ୨୦୧୧ରେ ସେ ରାଜ୍ୟରେ କ୍ଷମତା ଦଖଲ କରିବାର ଠିକ୍ ପର ବର୍ଷ ୨୦୧୨ରେ ପାର୍କଷ୍ଟ୍ରୀଟ୍ରେ ଦୁଇଟି ସନ୍ତାନଙ୍କ ଜନନୀ (ସ୍ବର୍ଗୀୟା) ସୁଜେଟ୍ ଜୋର୍ଡାନ୍ଙ୍କର ଗଣଧର୍ଷଣ ଠାରୁ ଆରମ୍ଭ କରି ବର୍ତ୍ତମାନର ଦୁର୍ଗାପୁର ଠାରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କର ଗଣଧର୍ଷଣ ପର୍ଯ୍ୟନ୍ତରେ ଜନମତକୁ ଭ୍ରୂକ୍ଷେପ ନ କରି ମମତା ବାନାର୍ଜୀ ତାଙ୍କର ତୁଷ୍ଟୀକରଣ ରାଜନୀତିର ଅଂଶସ୍ବରୂପ ସର୍ବଦା ଏଥିପାଇଁ ଧର୍ଷିତାଙ୍କୁ ଦୋଷ ଦେଇ ଆସିଛନ୍ତି। ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଦୁର୍ଗାପୁର ଘଟଣା ପରେ ପ୍ରତିକ୍ରିୟା ପ୍ରକାଶ କରି ମମତା ଧର୍ଷିତା ଛାତ୍ରୀଙ୍କ ମୁଣ୍ଡରେ ଅଠା ବୋଳିଦେଇ କହିଛନ୍ତି ‘‘ଝିଅମାନେ ରାତିରେ ବାହାରକୁ ଆସିବା ଉଚିତ ନୁହେଁ।’’
ଏହାଠାରୁ ଅଧିକ ତାଲିବାନୀ ମାନସିକତା ଆଉ କ’ଣ ହୋଇପାରେ? ଝିଅମାନେ ଯଦି ରାତିରେ ଘରୁ ପଦାକୁ ଗୋଡ଼ କାଢ଼ିବା ବିପଜ୍ଜନକ, ତେବେ ରାଷ୍ଟ୍ର କାହିଁକି ଅଛି; ସରକାର କାହିଁକି ଅଛି? ଏଠାରେ ପୁଣି ଥରେ ମହାତ୍ମା ଗାନ୍ଧୀଙ୍କର ସେଇ ମନ୍ତବ୍ୟ ମନେ ପକାଇ ଦିଆଯାଇପାରେ, ଯାହା ଅନୁସାରେ ଏକ ଦେଶ ସେତିକି ବେଳେ ସ୍ବାଧୀନ ହୋଇଛି ବୋଲି କୁହାଯିବ, ଯେତେବେଳେ ସେଠାରେ ଏକାକିନୀ ନାରୀଟିଏ ସଂପୂର୍ଣ୍ଣ ଭାବେ ନିରାପଦରେ ରାତିରେ ରାସ୍ତାରେ ଯାଇଆସି ପାରିବ। କେବଳ ଜଣେ ନାରୀ ପ୍ରଥମ ଥର ପାଇଁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଗଲେ ତାହା ସ୍ବାଧୀନତାର ପରିଚାୟକ ନୁହେଁ।
ବିବର୍ତ୍ତନ ମନସ୍ତତ୍ତ୍ବବିତ୍ମାନେ ପୀଡ଼ିତାଙ୍କ ମୁଣ୍ଡରେ ଏଭଳି ଦୋଷ ଲଦିବା ଉଦ୍ୟମକୁ ‘ଭିକ୍ଟିମ୍ ବ୍ଲେମିଙ୍ଗ୍’ ରୂପେ ଆଖ୍ୟାୟିତ କରିଥାନ୍ତି। କୁଆଡ଼େ ବୃହତ୍ତର ସମାଜକୁ ନିର୍ଦ୍ଦୋଷ ପ୍ରତିପାଦିତ କରି ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବିବର୍ତ୍ତନ ତତ୍ତ୍ବ ମନୁଷ୍ୟ ଠାରେ ଏଭଳି ‘ଭିକ୍ଟିମ୍ ବ୍ଲେମିଙ୍ଗ୍’ ପ୍ରବୃତ୍ତି ଖଞ୍ଜି ଦେଇଛି। କିନ୍ତୁ ଏକ ସଭ୍ୟ ସମାଜ ଯେମିତି ବିବର୍ତ୍ତନ ନିର୍ଦ୍ଦେଶିତ ‘ଜୋର୍ ଯାର, ମୁଲକ ତାର’ ନୀତିକୁ ବର୍ଜନ କରିଥାଏ, ଠିକ୍ ସେଇଭଳି ‘ଭିକ୍ଟିମ୍ ବ୍ଲେମିଙ୍ଗ୍’ ପ୍ରବୃତ୍ତିକୁ ମଧ୍ୟ ପରିହାର କରିବା ଉଚିତ। ତାଲିବାନୀ ମମତା ଏହା ହୃଦୟଙ୍ଗମ କରିବା ଜରୁରି।