ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟ ଜଗତ ଓ ଚୀନ୍ ପାକିସ୍ତାନର ଆତଙ୍କବାଦୀ ଚରିତ୍ର ସତ୍ତ୍ବେ ତାକୁ ଏକ ଦାସ ଦେଶ ରୂପେ ବ୍ୟବହାର କରି ସମର୍ଥନ ପ୍ରଦାନ କରି ଚାଲିଥିବାରୁ ‘ଆଇଏମ୍ଏଫ୍’ ପାକିସ୍ତାନକୁ ସହାୟତା ପ୍ରଦାନ ବନ୍ଦ କରିବାର କୌଣସି ସମ୍ଭାବନା ନାହିଁ କହିଲେ ଚଳେ। ଅତଏବ ତାହାକୁ ଏକ ଅସୁବିଧାଜନକ ସତ୍ୟ ରୂପେ ଗ୍ରହଣ କରି ପାକିସ୍ତାନ ତରଫରୁ ଇସଲାମୀୟ ଆତଙ୍କବାଦର ମୁକାବିଲା ନିମିତ୍ତ ଭାରତକୁ ନିରନ୍ତର ସଜାଗ ରହିବାକୁ ପଡ଼ିବ।

Advertisment

ଦ୍ବିତୀୟ ବିଶ୍ବଯୁଦ୍ଧର ଅନ୍ତିମ ଅବସାନ ଘଟିବାର ପୂର୍ବ ବର୍ଷ, ୧୯୪୪ରେ ଆମେରିକାର ନିଉ ହାମ୍ପସାୟାର୍ ରାଜ୍ୟରେ ଅବସ୍ଥିତ ବ୍ରେଟନ୍ ଉଡ୍‌ସ ଠାରେ ଜର୍ମାନୀ ନେତୃତ୍ବାଧୀନ ଅକ୍ଷ ଶକ୍ତି ମେଣ୍ଟ ସହିତ ସଂଗ୍ରାମରେ ବ୍ୟାପୃତ ଥିବା ମିତ୍ର ଶକ୍ତି ମେଣ୍ଟର ସମସ୍ତ ୪୪ଟି ସଦସ୍ୟ ଦେଶର ପ୍ରତିନିଧିମାନେ ଏକ ସମ୍ମିଳନୀରେ ଏକତ୍ରିତ ହୋଇଥିଲେ। ଏହା ମୂଳରୁ ଏକ ବିଚିତ୍ର ପ୍ରକାର ସମ୍ମିଳନୀ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ମହାନ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍‌ସ ବ୍ରିଟେନ୍‌ର ପ୍ରତିନିଧିତ୍ବ କରୁଥିବାବେଳେ ଆମେରିକାର ପ୍ରତିନିଧିତ୍ବ କରୁଥିବା ଆମେରିକା ସରକାରଙ୍କର ଟ୍ରେଜେରି ଡିପାର୍ଟମେଣ୍ଟର ଅର୍ଥନୀତିଜ୍ଞ ହ୍ୟାରୀ ଡେକ୍ସଟର୍ ହ୍ବାଇଟ୍ ବାସ୍ତବରେ ଥିଲେ ରୁଷିଆର ଜଣେ ଗୁପ୍ତଚର ବୋଲି ପରବର୍ତ୍ତୀ ସମୟରେ ଗୁଜବ ଶୁଣିବାକୁ ମିଳିଥିଲା ଓ ସତ୍ୟ ସାବ୍ୟସ୍ତ ହୋଇଥିଲା ମଧ୍ୟ। ଏଥି‌ସତ୍ତ୍ବେ ଏହି ସମ୍ମିଳନୀର ସଦସ୍ୟମାନେ ଏକ ସହମତିରେ ପହଞ୍ଚି ପାରିଥିଲେ ଯେ ଯଦି ଏକାନ୍ତବାଦର ଅନ୍ତ ଘଟି ପୃଥିବୀରେ ‌ବାଣିଜ୍ୟ ଓ ପୁଞ୍ଜିର ଅବାଧ ପ୍ରବାହ ନିଶ୍ଚିତ କରାଯାଇ ପାରିବ, ତାହା ଯୁଦ୍ଧ ସୃଷ୍ଟିକାରୀ ଅସ୍ଥିରତା ଦୂର କରି ଏକ ସମୃଦ୍ଧ ପୃଥିବୀର ଆବିର୍ଭାବରେ ସହାୟକ ହେବ।
ଏହି ଚିନ୍ତାଧାରା ଅନୁସରଣ କରି ଯେଉଁ ଦୁଇଟି ଆନ୍ତର୍ଜାତିକ ବିତ୍ତୀୟ ଅନୁଷ୍ଠାନର ଜନ୍ମ ଘଟିଲା, ସେଥିରୁ ଗୋଟିଏ ହେଲା ‘ୱର୍ଲଡ୍ ବ୍ୟାଙ୍କ୍’ ଓ ଅନ୍ୟଟି ହେଲା ‘ଇଣ୍ଟର୍‌ନେସନାଲ୍ ମନିଟାରି ଫଣ୍ଡ୍’ (‘ଆଇଏମ୍ଏଫ୍’)। ଏମାନଙ୍କୁ ସେଥିପାଇଁ ‘ବ୍ରେଟନ୍ ଉଡ୍‌ସ ଭଗିନୀ ଦ୍ବୟ’ ରୂପେ ସମ୍ବୋଧନ କରାଯାଇଥାଏ। ୱର୍ଲଡ୍ ବ୍ୟାଙ୍କ୍ ସମ୍ମୁଖରେ ଯେଉଁ ଲକ୍ଷ୍ୟ ସ୍ଥାପନ କରାଯାଇଛି, ତାହା ହେଲା ଗରିବ ଦେଶମାନଙ୍କରେ ଜୀବନ ଧାରଣର ମାନରେ ଉନ୍ନତି ସାଧନ; ‘ଆଇଏମ୍ଏଫ୍’ ସମ୍ମୁଖରେ ସ୍ଥାପିତ ଲକ୍ଷ୍ୟ ହେଉଛି ଦେଶମାନଙ୍କୁ ବିତ୍ତୀୟ ସଂକଟ ଏଡ଼ାଇବାରେ ସହାୟକ ହେବା।
ଏହା ବର୍ତ୍ତମାନ ତେଣୁ ଏକ କ୍ରୂର ବିଡ଼ମ୍ବନା ପରି ପ୍ରତୀୟମାନ ହୋଇଥାଏ ଯେ ଅର୍ଥନୈତିକ ପ୍ରଗତି ହାସଲ ମାଧ୍ୟମରେ ଯୁଦ୍ଧକୁ ବିତାଡ଼ିତ କରିବା ପାଇଁ ସୃଷ୍ଟି ହୋଇଥିବା ଏହି ଭଗିନୀ ଦ୍ବୟ ବିଗତ ବର୍ଷମାନଙ୍କରେ ଏପରି ଏକ ଦେଶର ଅର୍ଥନୈତିକ ସୁରକ୍ଷା କବଚ ରୂପେ କାର୍ଯ୍ୟ କରିଚାଲିଛନ୍ତି, ଯେଉଁ ଦେଶ ପୃଥିବୀ‌େର ଇସଲାମୀୟ ଆତଙ୍କବାଦର ମୁଖ୍ୟ ତାଲିମ କେନ୍ଦ୍ର ଓ ଆଶ୍ରୟସ୍ଥଳୀ ରୂପେ କାର୍ଯ୍ୟ କରି ପୃଥିବୀ ସାରା ଅବିଚାରିତ ହିଂସା ଓ ରକ୍ତପାତର ସୁଅ ଛୁଟାଇ ଚାଲିଛି। ସେ ଦେଶ ଅବଶ୍ୟ ହେଉଛି ପାକିସ୍ତାନ।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ନଦୀର ଜଳ ବଣ୍ଟନ ସଂପର୍କିତ ଯେଉଁ ଚୁକ୍ତିକୁ ଏବେ ବାତିଲ କରିଦେଇଛି, ତାହାର ମୁଖ୍ୟ ଉଦ୍ୟୋକ୍ତା ଥିଲା ୱର୍ଲଡ୍ ବ୍ୟାଙ୍କ୍। କିନ୍ତୁ ପାକିସ୍ତାନକୁ ନିୟମିତ ଭାବରେ ସମ୍ବଳ ଯୋଗାଇ ବାରମ୍ବାର ବିତ୍ତୀୟ ସଂକଟରୁ ଉଦ୍ଧାର କରି ଯେଉଁ ଭଗିନୀ ଜଣକ ତାକୁ ଆତଙ୍କବାଦ ଚଳାଇବାକୁ ସମର୍ଥ କରିଆସିଛି, ସେ ହେଉଛି ‘ଆଇଏମ୍ଏଫ୍’। ଏହାର ପ୍ରମାଣ ସ୍ବରୂପ ଗତ ୩୫ ବର୍ଷ ମଧ୍ୟରେ ‘ଆଇଏମ୍ଏଫ୍’ ୨୮ ଥର ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ଋଣ ପ୍ରଦାନ କରିଥିବାବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ଚାରି ଥର ଏଭଳି ସାହାଯ୍ୟର ହାତ ବଢ଼ାଇଛି। ନିକଟ ଅତୀତରେ ୨୦୧୯ରେ ‘ଆଇଏମ୍ଏଫ୍’ ଏହି ଦେଶ ପାଇଁ ୬ ବିଲିଅନ୍ ଡଲାର୍‌ର ଏକ ଉଦ୍ଧାରକାରୀ ଋଣ ଅନୁମୋଦନ କରିଥିଲା, ଯେତେବେଳେ ସେ ଦେଶ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣରେ ସହାୟତା କରୁଥିବା କାରଣରୁ ‘ଫାଇନାନ୍‌ସିଆଲ୍ ଆକ୍‌ସନ୍ ଟାସ୍କ ଫୋର୍ସ’ (‘ଏଫ୍ଏଟିଏଫ୍’)ର ‘‌େଗ୍ର ଲିଷ୍ଟ’ ବା ‘ଧୂସର ତାଲିକା’ରେ ଅନ୍ତର୍ଭୁକ୍ତ ହୋଇଥିଲା।
ଭାରତ ପାଇଁ ଯାହା ନିର୍ଦ୍ଦିଷ୍ଟ ଭାବରେ ବେଦନାଦାୟକ ଥିଲା, ତାହା ହେଲା, ପାକିସ୍ତାନ ପାଳିତ ‘ଜୈସ ଏ ମହମ୍ମଦ’ ଜେହାଦୀ ସଂଗଠନର ଆତଙ୍କବାଦୀମାନଙ୍କ ଆକ୍ରମଣରେ ପୁଲ୍‌ୱାମା ଠାରେ ୪୦ ଜଣ ଭାରତୀୟ ନିରାପତ୍ତାରକ୍ଷୀମାନଙ୍କର ମୃତ୍ୟୁ ଘଟିବାର ମାତ୍ର କେଇ ମାସ ପରେ ‘ଆଇଏମ୍ଏଫ୍’ ତାକୁ ଏହି ବିତ୍ତୀୟ ସହାୟତା ଯୋଗାଇ ଦେଇଥିଲା। ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନସ୍ଥିତ ଇସଲାମୀୟ ଆତଙ୍କବାଦ କେନ୍ଦ୍ରମାନଙ୍କୁ ଧ୍ବଂସ କରିବାକୁ ଅଭିଯାନ ଚଳାଇଥିବାବେଳେ, ‘ଆଇଏମ୍ଏଫ୍’ ପାକିସ୍ତାନର ଅର୍ଥନୈତିକ ଦୁରବସ୍ଥା ଦୂର କରିବା ପାଇଁ ଉଦ୍ଦିଷ୍ଟ ୭ ବିଲିଅନ୍ ଡଲାର୍ ‘ଏକ୍ସଟେଣ୍ଡେଡ୍ ଫଣ୍ଡ୍ ଫାସିଲିଟି’ (‘ଇଏଫ୍ଏଫ୍’)ର ଅଂଶସ୍ବରୂପ ୧ ବିଲିଅନ୍ ଡଲାର୍ ପାକିସ୍ତାନକୁ ତୁରନ୍ତ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।
ପାକିସ୍ତାନକୁ ଏହି ସହାୟତା ପ୍ରଦାନ ନିମିତ୍ତ ଅନୁଷ୍ଠିତ ମତଦାନରୁ ଭାରତ ନିଜର ପ୍ରତିବାଦ ପ୍ରକାଶ ସ୍ବରୂପ ଔପଚାରିକ ଭାବରେ ଓହରି ଯାଇଥିଲା। ଭାରତ ନିଜର ବିରୋଧ ପ୍ରକାଶ ନିମିତ୍ତ ତିନିଗୋଟି ଯୁକ୍ତି ଉପସ୍ଥାପିତ କରିଥିଲା। ପ୍ରଥମ, ଅତୀତରେ ପାକିସ୍ତାନକୁ ପ୍ରଦାନ କରାଯାଇଥିବା ଏଭଳି ସହାୟତାରୁ କୌଣସି ସୁଫଳ ମିଳି ନ ଥିବା ସ‌େତ୍ତ୍ବ ପୁଣି ତାକୁ ସାହାଯ୍ୟ କରାଯିବାର ଯଥାର୍ଥତା କ’ଣ ବୋଲି ଭାରତ ପ୍ରଶ୍ନ କରିଥିଲା। ‘ଅାଇଏମ୍ଏଫ୍’ ଠାରୁ ବାରମ୍ବାର ଏଭଳି ସହାୟତା ମିଳି ଯାଉଥିବାରୁ ପାକିସ୍ତାନ ନିଜର ଅର୍ଥନୀତିକୁ ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉନାହିଁ ବୋଲି ଭାରତ ଯୁକ୍ତି ଉପସ୍ଥାପନ କରିଥିଲା। ‘ଆଇଏମ୍ଏଫ୍’ର ସହାୟତା ଯେ ଉଦ୍ଦିଷ୍ଟ ଫଳ ପ୍ରସବ କରୁନାହିଁ, ପାକିସ୍ତାନ ବାରମ୍ବାର ସାହାଯ୍ୟ ଭିକ୍ଷା କରି ‘ଆଇଏମ୍ଏଫ୍’ର ଦ୍ବାରସ୍ଥ ହେବା ହେଉଛି ତାହାର ପ୍ରମାଣ। ଏପରି ସ୍ଥଳେ ‘ଆଇଏମ୍ଏଫ୍’ କାହିଁକି ପାକିସ୍ତାନକୁ ସହାୟତା ଯୋଗାଇ ଚାଲିଛି ବୋଲି ଭାରତ ପ୍ରଶ୍ନ କରିଛି। ଦ୍ବିତୀୟରେ ପାକିସ୍ତାନର ଅର୍ଥନୀତି ଉପରେ ସେ ଦେଶର ସେନାବାହିନୀର ଲୌହ କବ୍‌ଜା ପ୍ରତି ଭାରତ ‘ଆଇଏମ୍ଏଫ୍’ର ଦୃଷ୍ଟି ଆକର୍ଷଣ କରିଥିଲା। ଜାତିସଂଘ ସମେତ ଅନ୍ୟାନ୍ୟ ଥିଙ୍କ୍ ଟ୍ୟାଙ୍କ୍‌ମାନଙ୍କର ରିପୋର୍ଟ ଏହାର ସତ୍ୟତା ସାବ୍ୟସ୍ତ କରିଥାଏ। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଅର୍ଥନୈତିକ ସହାୟତା ପ୍ରଦାନର ଅର୍ଥ ହେଉଛି ସେ ଦେଶ ଉପରେ ସେନାବାହିନୀର ନିୟନ୍ତ୍ରଣକୁ ଆହୁରି ମଜଭୁତ କରିବା ଏବଂ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠାର ସମ୍ଭାବନାକୁ ପ୍ରତିହତ କରିବା। ତୃତୀୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯୁକ୍ତି ହେଲା ପାକିସ୍ତାନ ‘ଆଇଏମ୍ଏଫ୍’ ଠାରୁ ପାଉଥିବା ଅାର୍ଥିକ ସହାୟତାକୁ ତା’ର ସେନାବାହିନୀର ଶକ୍ତି ବୃଦ୍ଧି ଓ ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନରେ ଦୁରୁପଯୋଗ କରିଆସିଛି।
ତେବେ ଭାରତର ଏହି ତୀବ୍ର ବିରୋଧ ସତ୍ତ୍ବେ ‘ଆଇଏମ୍ଏଫ୍’ ପାକିସ୍ତାନକୁ ସହାୟତା ପ୍ରଦାନ କରିବାର କାରଣ ହେଲା ‘ଆଇଏମ୍ଏଫ୍’ର ସଦସ୍ୟ ଦେଶମାନେ ଉପଭୋଗ କରୁଥିବା ମତଦାନ ଅଧିକାରରେ ରହିଥିବା ଅସମାନତା। ସେଠାରେ ବିକଶିତ ଦେଶମାନେ ମାତ୍ରାଧିକ ମତଦାନ ଅଧିକାର ପାଇଥିବାବେଳେ ବିକାଶଶୀଳ ଦେଶମାନଙ୍କୁ ଅପେକ୍ଷାକୃତ କମ୍ ମତଦାନ ଅଧିକାର ପ୍ରଦାନ କରାଯାଇଛି। ଉଦାହରଣ ସ୍ବରୂପ ବିଶ୍ବ ‘ଜିଡିପି’ରେ ବିକାଶଶୀଳ ଦେଶମାନଙ୍କର ଅଂଶ ୬୦ ଶତାଂଶ ହୋଇଥିବାବେଳେ ସେମାନଙ୍କ ଅକ୍ତିଆରରେ ରହିଛି ‘ଆଇଏମ୍ଏଫ୍’ ଠାରେ ମତଦାନ ଅଧିକାରର ମାତ୍ର ୪୦ ଶତାଂଶ। ‘ଆଇଏମ୍ଏଫ୍’ ଏଥିରେ ପରିବର୍ତ୍ତନ ଘଟାଇ ସନ୍ତୁଳନ ରକ୍ଷା କରିବାକୁ ଚାହିଁଲେ ତାହା ଅନୁମୋଦନ ଲାଭ କରିବା ନିମିତ୍ତ ୮୫ ଶତାଂଶ ସଂଖ୍ୟାଗରିଷ୍ଠ ସମର୍ଥନ ଆବଶ୍ୟକ। କିନ୍ତୁ କେବଳ ଆମେରିକା ହାତରେ ୧୭.୪୫ ଶତାଂଶ ମତଦାନ ଅଧିକାର ରହିଥିବାରୁ ଏହା ତାକୁ ଏକ ଭିଟୋ କ୍ଷମତା ପ୍ରଦାନ କରିଥାଏ ବୋଲି କହିଲେ ଭୁଲ୍ ହେବ ନାହିଁ। ଭାରତର ମତଦାନ ଅଧିକାର ହେଉଛି ମାତ୍ର ୨.୭୬ ଶତାଂଶ।
ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟ ଜଗତ ଓ ଚୀନ୍ ପାକିସ୍ତାନର ଆତଙ୍କବାଦୀ ଚରିତ୍ର ସତ୍ତ୍ବେ ତାକୁ ଏକ ଦାସ ଦେଶ ରୂପେ ବ୍ୟବହାର କରି ସମର୍ଥନ ପ୍ରଦାନ କରି ଚାଲିଥିବାରୁ ‘ଆଇଏମ୍ଏଫ୍’ ପାକିସ୍ତାନକୁ ସହାୟତା ପ୍ରଦାନ ବନ୍ଦ କରିବାର କୌଣସି ସମ୍ଭାବନା ନାହିଁ କହିଲେ ଚଳେ। ଅତଏବ ତାହାକୁ ଏକ ଅସୁବିଧାଜନକ ସତ୍ୟ ରୂପେ ଗ୍ରହଣ କରି ପାକିସ୍ତାନ ତରଫରୁ ଇସଲାମୀୟ ଆତଙ୍କବାଦର ମୁକାବିଲା ନିମିତ୍ତ ଭାରତକୁ ନିରନ୍ତର ସଜାଗ ରହିବାକୁ ପଡ଼ିବ।