ବର୍ତ୍ତମାନର ଅସ୍ଥିର ପୃଥିବୀରେ ଭାରତ ଏକ ଉଚ୍ଚ ଅଭିବୃଦ୍ଧି ହାର ଅବ୍ୟାହତ ରଖିପାରି ଯେଉଁ ବିରଳ ସମ୍ମାନ ଅର୍ଜନ କରିପାରିଛି, ଶିରୋନାମା ଖାଉଟି ମୁଦ୍ରାସ୍ଫୀତି ଉପରେ ବିଜୟ ହାସଲ ତାହାକୁ ଦ୍ବିଗୁଣିତ କରିଛି। ଉଭୟ ବିଜୟକୁ ଦୀର୍ଘସ୍ଥାୟୀ କରିବା ଆମର ଲକ୍ଷ୍ୟ ହେବା ଉଚିତ।

Advertisment

ଭାରତ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପଶ୍ଚିମ ସୀମାନ୍ତରେ ଗୋଟିଏ ଯୁଦ୍ଧରେ ହାସଲ କରିଥିବା ସଫଳତା ସହିତ ତାଳ ଦେଇ ଅନ୍ୟ ଯେଉଁ ଏକ ଯୁଦ୍ଧରେ ମଧ୍ୟ ବିଜୟ ହାସଲ କରିଥିବା ସୂଚନା ଏବେ ପ୍ରକାଶ ପାଇ ଆମକୁ ଆଶ୍ବସ୍ତ କରିଛି, ତାହା ହେଉଛି ଏକ ଅର୍ଥନୈତିକ ଯୁଦ୍ଧ। ନିର୍ଦ୍ଦିଷ୍ଟ ଭାବରେ କହିଲେ, ଏହା ହେଉଛି ମୁଦ୍ରାସ୍ଫୀତି ବିରୁଦ୍ଧରେ ଆମେ ଦୀର୍ଘ କାଳ ଧରି ଚଳାଇ ଆସିଥିବା ଯୁଦ୍ଧ। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଏପ୍ରିଲରେ ଖାଉଟି ମୁଦ୍ରାସ୍ଫୀତି ହାର ଏକ ସଂପୂର୍ଣ୍ଣ ନିରାପଦ ୩.୧୬ ଶତାଂଶ ହାରକୁ ଖସି ଆସିଥିଲା, ଯାହା ହେଉଛି ବିଗତ ୬୯ ମାସ ଅର୍ଥାତ୍ ପାଖାପାଖି ଛ’ ବର୍ଷ ମଧ୍ୟରେ ସର୍ବନିମ୍ନ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ, ଏଥିସହିତ ଲଗାତାର ତିନି ମାସ ଧରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୪ ଶତାଂଶ ତଳେ ରହିଛି।
ଏହା ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ଖାଉଟି ମୁଦ୍ରାସ୍ଫୀତିକୁ ଏହି ସ୍ତରରେ ସ୍ଥିର ରଖିବା ପାଇଁ ନୀତିଗତ ଭାବରେ ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ଲକ୍ଷ୍ୟ ସ୍ଥାପନ କରାଯାଇଛି, ଯେଉଁଥିରେ ସାମୟିକ ଭାବରେ ୨ ଶତାଂଶ ସୀମା ମଧ୍ୟରେ ହ୍ରାସ ବୃଦ୍ଧି ସହ୍ୟ କରାଯାଇପାରେ। ‘ରିଜର୍ଭ ବ୍ୟାଙ୍କ୍ ଆକ୍ଟ, ୧୯୩୪’ରେ ୨୦୧୬ରେ କରାଯାଇଥିବା ସଂଶୋଧନ ଅନୁସାରେ ରିଜର୍ଭ ବ୍ୟାଙ୍କ୍ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ପାଞ୍ଚ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ଏହି ଲକ୍ଷ୍ୟ ଅନୁସରଣ ପାଇଁ କୁହାଯାଇଥିଲା ଏବଂ ପରେ ଆଉ ପାଞ୍ଚ ବର୍ଷ ପାଇଁ ସେଇ ଅବଧିକୁ ସଂପ୍ରସାରିତ କରାଯାଇଥିଲା, ଯାହା ୨୦୨୬ରେ ସମାପ୍ତ ହେବାକୁ ଯାଉଛି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍‌କୁ ଯାହା ବିଶେଷ ଭାବରେ ଆଶ୍ବସ୍ତ କରୁଥିବ, ତାହା ହେଲା ଏବେ କରାଯାଉଥିବା ପୂର୍ବାନୁମାନ ଅନୁସାରେ ୨୦୨୫-୨୬ ବିତ୍ତ ବର୍ଷରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ସଂପୂର୍ଣ୍ଣ ନିର୍ଭୁଲ୍‌ ଭାବରେ ଲକ୍ଷ୍ୟ ଭେଦ କଲାଭଳି ଠିକ୍ ୪ ଶତାଂଶ ହେବାକୁ ଯାଉଛି ବୋଲି ବିଶ୍ବାସ କରାଯାଉଛି। ଏହି ବିତ୍ତ ବର୍ଷ‌ର ପ୍ରଥମ ତିନି ଚଉଠରେ ମୁଦ୍ରାସ୍ଫୀତି ହାର ୪ ଶତାଂଶ ତଳେ ରହିବ ବୋଲି ଆଶା କରାଯାଉଥିବାବେଳେ, ଶେଷ ଚଉଠରେ ତାହା ୪ ଶତାଂଶ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି।
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବ୍ୟତୀତ ରିଜର୍ଭ ବ୍ୟାଙ୍କ୍ ଉପରେ ଅନ୍ୟ ଯେଉଁ ଏକ ଗୁରୁଦାୟିତ୍ବ ନ୍ୟସ୍ତ କରାଯାଇଛି, ତାହା ହେଲା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ। ଯେହେତୁ ମୁଦ୍ରାସ୍ଫୀତି ବିରୁଦ୍ଧରେ ଦୀର୍ଘ ଯୁଦ୍ଧ (ଯେଉଁଥିରେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସ ବି‌ଚକ୍ଷଣ ନେତୃତ୍ବ ପ୍ରଦାନ କରିଆସିଥିଲେ) ପରେ ବର୍ତ୍ତମାନ ତାହାକୁ ଦମନ କରାଯାଇ ପାରିଛି, ଏଥର ରିଜର୍ଭ ବ୍ୟାଙ୍କ୍ ଅଭିବୃଦ୍ଧିକୁ ପ୍ରାଥମିକତା ପ୍ରଦାନ କରିବା ସମ୍ଭବ ହେବ। ଅବଶ୍ୟ ଏଥିପୂର୍ବରୁ ଅନୁଷ୍ଠିତ ଶେଷ ଦୁଇଟି ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ର ‘ମୁଦ୍ରା ନୀତି କମିଟି’ (‘ଏମ୍‌ପିସି’) ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ କିଛି କିଛି ହ୍ରାସ ଘଟାଇ ଏହାକୁ ଅଭିବୃଦ୍ଧି-ଅନୁକୂୂଳ କରିବା ପାଇଁ ଚେଷ୍ଟା କରିବା ଦେଖାଯାଇଛି। ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି ଯେ ଜୁନ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହାର ପରବର୍ତ୍ତୀ ବୈଠକରେ ‘ଏମ୍‌ପିସି’ ସେଇ ଧାରାକୁ ଅବ୍ୟାହତ ରଖି ତୃତୀୟ ଥର ପାଇଁ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ପାଇଁ ନିଷ୍ପତ୍ତି ନେବାର ଦୃଢ଼ ସମ୍ଭାବନା ରହିଛି।
ମୁଦ୍ରାସ୍ଫୀତିର ନରମ ଆଚରଣକୁ ଦୃଷ୍ଟିରେ ରଖି ଅନୁଶୀଳନକାରୀମାନେ ଆଶା କରୁଛନ୍ତି ଯେ ଚଳିତ ବିତ୍ତ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ ରେଟ୍‌’ରେ ମୋଟ ୭୫ ବେସିସ ପଏଣ୍ଟ ହ୍ରାସ ଘଟାଇବାକୁ ଯାଉଛି। ମନେ ରଖିବା କଥା ଯେ ପୂର୍ବ ବିତ୍ତ ବର୍ଷର ଶେଷ ଚଉଠରେ ‘ରେପୋ ରେଟ୍’ରେ ଘଟାଯାଇଥିବା ୨୫ ବେସିସ ପଏଣ୍ଟ ହ୍ରାସକୁ ମିଶାଇଲେ ସେବେଠାରୁ ଆରମ୍ଭ ହୋଇଥିବା ଏହି ହ୍ରାସ ଚକ୍ରରେ ଚଳିତ ବିତ୍ତ ବର୍ଷର ଶେଷ ସୁଦ୍ଧା ‘ରେପୋ ରେଟ୍’ରେ ମୋଟ ପୂରା ୧୦୦ ବେସିସ ପଏଣ୍ଟ (୧ ଶତାଂଶ) ହ୍ରାସ ଘଟିବାକୁ ଯାଉଛି। ଶିଳ୍ପବାଣିଜ୍ୟ ମହଲରେ ନିଶ୍ଚିତ ରୂପେ ଅଭିବୃଦ୍ଧି ପାଇଁ ଏହାକୁ ଏକ ବିଶେଷ ସହାୟତା ପ୍ରଦାନ ରୂପେ ବିଚାର କରାଯିବ।
ଏହି ଚିତ୍ର ନିଶ୍ଚିତ ରୂପେ ସନ୍ତୋଷଜନକ ହୋଇଥିଲେ ହେଁ, ଏହା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ ଶିରୋନାମା ମୁଦ୍ରାସ୍ଫୀତି ବେଳେବେଳେ ଯେତିକି ପ୍ରକାଶ କରିଥାଏ, ସେତିକି ଅସୁବିଧାଜନକ ସତ୍ୟ ମଧ୍ୟ ଲୁଚାଇ ଥିବାର ସମ୍ଭାବନା ଥାଏ। ଅତୀତରେ ଖାଦ୍ୟଦ୍ରବ୍ୟ ଦରଦାମରେ ତୀକ୍ଷ୍‌ଣ ବୃଦ୍ଧି ଯୋଗୁଁ ଶିରୋନାମା ଖାଉଟି ମୁଦ୍ରାସ୍ଫୀତିରେ ଯେଉଁ ଅସ୍ବାଭାବିକ ବୃଦ୍ଧି ଦେଖାଯାଇଥିଲା, ଏବେ ସେସବୁ ଦ୍ରବ୍ୟମାନଙ୍କର ଯୋଗାଣରେ ଉନ୍ନତି ଘଟିବା ଯୋଗୁଁ ସେମାନଙ୍କର ଦରଦାମରେ ହ୍ରାସ ଘଟି ଶିରୋନାମା ମୁଦ୍ରାସ୍ଫୀତିରେ ହ୍ରାସ ଘଟିଛି। କିନ୍ତୁ ଖାଦ୍ୟଦ୍ରବ୍ୟ, ଇନ୍ଧନ ଆଦିକୁ ବାଦ ଦେଇ ଯଦି କେବଳ ‘ମଞ୍ଜ ମୁଦ୍ରାସ୍ଫୀତି’ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖାଯାଇଥାଏ ଏପ୍ରିଲରେ ତାହା ଥିଲା ୪.୨ ଶତାଂଶ, ଯାହା ଚିନ୍ତାଜନକ ଭାବରେ ‌େହଉଛି ୨୦୨୩ ଅକ୍‌‌େଟାବର ପରଠାରୁ ସର୍ବୋଚ୍ଚ। ଯଦି ମଞ୍ଜ ମୁଦ୍ରାସ୍ଫୀତିର କେନ୍ଦ୍ରରେ ଥିବା ‘ସୁପର୍ ମଞ୍ଜ’ ମୁଦ୍ରାସ୍ଫୀତି (ଏଥିରୁ ଖାଦ୍ୟ, ପାନୀୟ, ଗାଡ଼ି ଇନ୍ଧନ ଓ ଘରଭଡ଼ାକୁ ବାଦ ଦିଆଯାଇଥାଏ)କୁ ବିଚାରକୁ ନିଆଯାଏ, ତେବେ ଏପ୍ରିଲରେ ତାହା ୪.୭ ଶତାଂଶ ହୋଇଥିବା ଜଣାପଡ଼େ, ଯାହା ଥିଲା ବିଗତ ୨୦ ମାସ ମଧ୍ୟରେ ସର୍ବୋଚ୍ଚ।
ଏହା ଯେଉଁ ଏକ ଅସୁବିଧାଜନକ ସମ୍ଭାବନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ତାହା ହେଲା ନିକଟ ଅତୀତରେ ଖାଦ୍ୟ ମୁଦ୍ରାସ୍ଫୀତି ଯେଉଁଭଳି ଉଚ୍ଚା ରହି ଆସିଥିଲା, ତାହା ନିଶ୍ଚିତ ରୂପେ ମଞ୍ଜ ମୁଦ୍ରାସ୍ଫୀତିକୁ ମଧ୍ୟ ପ୍ରଭାବିତ କରିଛି। ୨୦୨୩-୨୪ ଓ ୨୦୨୪-୨୫ରେ ଖାଦ୍ୟ ମୁଦ୍ରାସ୍ଫୀତି ଯଥାକ୍ରମେ ଉଚ୍ଚା ୭.୪୯ ଶତାଂଶ ଓ ୭.୨୯ ଶତାଂଶ ହୋଇଥିବାବେଳେ ମଞ୍ଜ ମୁଦ୍ରାସ୍ଫୀତି ସେଇ ସମୟରେ ଯଥାକ୍ରମେ ୪.୩୮ ଶତାଂଶ ଓ ୩.୫୫ ଶତାଂଶ ହୋଇଥିଲା ଏବଂ ‘ସୁପର୍ ମଞ୍ଜ’ ହାର ହୋଇଥିଲା ଯଥାକ୍ରମେ ୪.୭୫ ଶତାଂଶ ଓ ୩.୯୭ ଶତାଂଶ। ଉପରେ ପ୍ରଦର୍ଶିତ ହୋଇଥିବା ଭଳି ବର୍ତ୍ତମାନ ସେଇ ଚିତ୍ର ଓଲଟି ଯାଇଥିବା ଦେଖାଯାଏ। ଏହାର ଅର୍ଥ, ଖାଦ୍ୟ ମୁଦ୍ରାସ୍ଫୀତି ଯଦି ଲଗାତାର ଉଚ୍ଚା ରହିଚାଲେ, ତେବେ ସମୟକ୍ରମେ ତାହା ଚାପରେ ମଞ୍ଜ ମୁଦ୍ରାସ୍ଫୀତିରେ ମଧ୍ୟ ବୃଦ୍ଧି ଘଟେ ଏବଂ ବିପଦ ହେଲା ଏହା ଯେ ଖାଦ୍ୟ ମୁଦ୍ରାସ୍ଫୀତିରେ ହ୍ରାସ ଘଟିବା ପରେ ମଧ୍ୟ ମଞ୍ଜ ମୁଦ୍ରାସ୍ଫୀତି ହାର ସେଇ ଉଚ୍ଚ ସ୍ତରରେ ଅଟକି ରହିଯାଇଥାଏ। 
ଏହି ଦୃଷ୍ଟିରୁ ବିଚାର କଲେ ୨୦୨୩-୨୪ରେ ଉପସ୍ଥାପିତ ‘ଇକୋନମିକ୍ ସର୍ଭେ’ ରିପୋର୍ଟରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହିସାବରୁ ଖାଦ୍ୟଦ୍ରବ୍ୟକୁ ବାଦ ଦେବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ କାର୍ଯ୍ୟକାରୀ କରିଲେ କିପରି ବିପରୀତ ଫଳ ଫଳିପାରେ, ତାହା ଏଥିରୁ ସାବ୍ୟସ୍ତ ହୋଇଥାଏ। ବର୍ତ୍ତମାନର ଅସ୍ଥିର ପୃଥିବୀରେ ଭାରତ ଏକ ଉଚ୍ଚ ଅଭିବୃଦ୍ଧି ହାର ଅବ୍ୟାହତ ରଖିପାରି ଯେଉଁ ବିରଳ ସମ୍ମାନ ଅର୍ଜନ କରିପାରିଛି, ଶିରୋନାମା ଖାଉଟି ମୁଦ୍ରାସ୍ଫୀତି ଉପରେ ବିଜୟ ହାସଲ ତାହାକୁ ଦ୍ବିଗୁଣିତ କରିଛି। ଉଭୟ ବିଜୟକୁ ଦୀର୍ଘସ୍ଥାୟୀ କରିବା ଆମର ଲକ୍ଷ୍ୟ ହେବା ଉଚିତ।