ଅପେକ୍ଷାକୃତ କମ୍ ବା ବିନା ପରିଶ୍ରମରେ ଖାଦ୍ୟର ବ୍ୟବସ୍ଥା କରିପାରିବା ହିଁ ହେଉଛି ପ୍ରକୃତିର ବୁଦ୍ଧିମତ୍ତାକୁ ପରାସ୍ତ କରିବାର ଆଦ୍ୟ ମାନବୀୟ ପ୍ରବଣତା ମଧ୍ୟରୁ ଗୋଟିଏ। କିନ୍ତୁ, ଏବେ ହୃଦ୍ବୋଧ ହେଉଛି ଯେ ଏଭଳି ଊଲ୍ଲଂଘନ ସକାଶେ ମେଦ ବହୁଳତା ଭଳି ଦୁଃସ୍ଥିତି ଜରିଆରେ ଜରିମାନା ପଇଠ କରିବାକୁ ପଡୁଛି। କିନ୍ତୁ ବିଡ଼ମ୍ବନା ହେଲା ତଥାପି ମନୁଷ୍ୟ ସଜାଗ ହୋଇନାହିଁ; ବରଂ ଅନ୍ତଃସାରଶୂନ୍ୟ ସୁସ୍ବାଦୁ ଖାଦ୍ୟ କିଭଳି ସଂପୂର୍ଣ୍ଣ ଶୂନ୍ୟ ଶ୍ରମରେ ଖାଇବା ଥାଳିରେ ପହଞ୍ଚିଯିବ, ତହିଁରେ ସିଦ୍ଧହସ୍ତ ହୋଇଛି।
ଗଲା ଗୁରୁବାର ଦିନ ଜାତିସଂଘ ପକ୍ଷରୁ ପ୍ରକାଶତ ଏକ ରିପୋର୍ଟ ‘କାଳ ବିଭାଜିକା’ ତୁଲ୍ୟ ଦିଶିଥାଏ, ଯହିଁରୁ ଜଣା ପଡ଼ିଛି ଯେ ମାନବ ଜାତିର ଇତିହାସରେ ପ୍ରଥମ ଥର ଲାଗି ୫ ବର୍ଷରୁ ୧୯ ବର୍ଷ ବୟସ ବର୍ଗର ପିଲାମାନଙ୍କ ମଧ୍ୟରେ ଅତି-ପୃଥୁଳକାୟ(ଇଂରେଜୀରେ ‘ଓବିସ’)ମାନଙ୍କ ସଂଖ୍ୟା ଖାଦ୍ୟରୁ ବଞ୍ଚିତ କୁପୋଷଣର ଶିକାର ଶୀର୍ଣ୍ଣକାୟମାନଙ୍କୁ ଅତିକ୍ରମ କରି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆହାର ରିକ୍ତ ଦୁର୍ବଳମାନଙ୍କ ଭଳି ଅତି-ପୃଥୁଳକାୟମାନଙ୍କ ଠାରେ ମଧ୍ୟ କୁପୋଷଣ ବା ଅପପୁଷ୍ଟି ପରିଲକ୍ଷିତ ହେଉଥିବାରୁ ପାରଂପରିକ ଧାରଣାକୁ ଚୂର୍ଣ୍ଣ କରି ଅପପୁଷ୍ଟି-ପ୍ରହେଳିକାର ସୂତ୍ରପାତ ଘଟିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ପୃଥିବୀର ୧୯୦ଟି ଦେଶ ଉପରେ ଜାତିିସଂଘ(ୟୁନିସେଫ) ଦ୍ବାରା କରାଯାଇଥିବା ଏକ ସଘନ ଅନୁଧ୍ୟାନର ନିଷ୍କର୍ଷ ହେଲା ଉପର ଲିଖିତ ବୟସ ବର୍ଗରେ ଅନାହାର କ୍ଳିଷ୍ଟ ଅପପୁଷ୍ଟଙ୍କ ହାର ୨୦୦୦ ମସିହାରେ ୧୩%ରୁ ହ୍ରାସ ପାଇ ୨୦୨୨ ମସିହାରେ ୯.୨%ରେ ପହଞ୍ଚିଥିବା ବେଳେ ଅତି-ପୃଥୁଳକାୟଙ୍କ ସଂଖ୍ୟା ୩%ରୁ ବୃଦ୍ଧି ପାଇ ୯.୪% ହୋଇଛି। ସେହି ରିପୋର୍ଟ ଦର୍ଶାଇଛି ଯେ କେବଳ ଉପସାହାରୀୟ ଆଫ୍ରିକା ଓ ଦକ୍ଷିଣ ଏସିଆର କତିପୟ ରାଷ୍ଟ୍ରକୁ ବାଦ ଦେଲେ ଏହି ସ୍ଥିତି ପୃଥିବୀର ସର୍ବତ୍ର ପରିଦୃଷ୍ଟ ଏବଂ ଆକଳନ ଅନୁସାରେ ସଂପ୍ରତି ୧୮୮ ନିୟୁତ ଶିଶୁ ଓ ବାଳକ-ବାଳିକା ହେଉଛନ୍ତି ଅତି-ପୃଥୁଳକାୟ, ଯାହାର ଅର୍ଥ ପ୍ରତି ୧୦ ଜଣ ପିଲାଙ୍କ ମଧ୍ୟରୁ ଜଣେ। କହିବା ବାହୁଲ୍ୟ, ଏଭଳି ଏକ ସ୍ଥିତି ଭାରତ ସକାଶେ ଅଧିକ ଆହ୍ବାନ ସୃଷ୍ଟି କରିଥାଏ, କାରଣ ଭାରତରେ ଆହାର ଅଭାବ ଜନିତ କୁପୋଷଣରେ ହ୍ରାସ ଘଟିଥିଲେ ହେଁ ତାହା ଏ ଯାବତ୍ ଏକ ସମସ୍ୟା ରୂପେ ବିଦ୍ୟମାନ ଏବଂ ଏଣେ ଅତି-ପୃଥୁଳକାୟ ଶିଶୁଙ୍କ ହାରରେ ବୃଦ୍ଧି ଘଟି ସଂଖ୍ୟା ଦୃଷ୍ଟିରୁ ଚୀନ ପରେ ଆମ ଦେଶ ଦ୍ବିତୀୟ ସ୍ଥାନରେ ରହିଲାଣି। ଏଭଳି ସ୍ଥିତିରେ ଏହି ସଂକଟ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଅତି-ପୃଥୁଳକାୟ ପିଲାମାନଙ୍କ ଲାଗି ଅନେକ ଅକାଳ ବ୍ୟାଧିର ପ୍ରାଦୁର୍ଭାବ ଏବଂ ସେମାନଙ୍କ ଶରୀରାକୃତିକୁ ନେଇ ଅପମାନଜନକ ପରିହାସ ଓ ଲାଂଛନା କିଭଳି ଦୁର୍ବିଷହ ବେଦନାର କାରଣ ହୋଇଥାଏ, ତାହା ତ କହିବା ଅନାବଶ୍ୟକ; କିନ୍ତୁ ଉଦ୍ବେଗର ବିଷୟ ହେଲା ଏହା ଦ୍ବାରା ରାଷ୍ଟ୍ର ମଧ୍ୟ ବିପୁଳ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହୋଇଥାଏ। ସଂପ୍ରତି ଆମ ଦେଶରେ ଅତି-ମୋଟାପଣ ହେତୁ ହେଉଥିବା ମୃତ୍ୟୁ ସଂଖ୍ୟା ହେଉଛି ୨.୮ ନିୟୁତ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଉତ୍ତର ତାରୁଣ୍ୟ ଭିତରେ ହିଁ ଥାଆନ୍ତି। ତାରୁଣ୍ୟରୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃତ୍ପିଣ୍ଡ ଓ ବୃକ୍କ ସମ୍ବନ୍ଧୀୟ ରୋଗର ଶିକାର ହେଉଥିବା ଏଭଳି ଅତି-ପୃଥୁଳକାୟମାନଙ୍କ କର୍ମଦକ୍ଷତା ଓ ତଜ୍ଜନିତ ଉତ୍ପାଦନଶୀଳତାରେ ହ୍ରାସ ତଥା ସେମାନଙ୍କ ବ୍ୟାଧିର ଚିକିତ୍ସା ଜନିତ ଆର୍ଥିକ ବୋଝର ପରିମାଣ ୨୦୧୯ ମସିହାରେ ଥିଲା ୨୮.୯୫ ବିଲିଅନ (୧ ବିଲିଅନ ହେଉଛି ୧୦୦ କୋଟି) ଡଲାର, ଯାହା ୨୦୩୦ ମସିହା ବେଳକୁ ୮୧. ୫୩ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଥାଏ। ପ୍ରକାଶ ଥାଉ କି ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ପକ୍ଷରୁ, ୧୯୯୮ ମସିହାରୁ, ‘ଅତି-ପୃଥୁଳକାୟତା’ ବା ‘ଓବିସିଟି’କୁ ଏକ ଗୁରୁତର ବ୍ୟାଧି ପର୍ଯ୍ୟାୟଭୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟମ ଦଶକର ମଧ୍ୟ ଭାଗରୁ ଭାରତୀୟମାନଙ୍କ ମଧ୍ୟରେ ଅତି-ପୃଥୁଳକାୟଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଦେଖାଯାଇଥିଲା, ଯାହା ପ୍ରାୟତଃ ସହରକୈନ୍ଦ୍ରିକ ଥିଲା। ଅଥଚ, ନବମ ଦଶକର ଅନ୍ତିମ ଭାଗରୁ ଇତି ମଧ୍ୟରେ ତାହା ଗ୍ରାମାଞ୍ଚଳକୁ ମଧ୍ୟ ମାଡ଼ି ସାରିଛି। ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ର ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳ ମହିଳାମାନଙ୍କ ମଧ୍ୟରେ ଏହା ସଂପ୍ରତି ୧୮.୨%ରେ ପହଞ୍ଚିଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ତାହା ୧୪.୨% ହେଲାଣି। ଏହାର କାରଣ ମଧ୍ୟ କାହାକୁ ଅଛପା ନାହିଁ ଯେ ଉଦାରବାଦ ଓ ମୁକ୍ତ ଅର୍ଥନୀତିର ପରିବେଶରେ ଭାରତର ଗଳିକନ୍ଦିରେ ବିଦେଶୀ ବହୁଦେଶୀୟ କଂପାନିମାନଙ୍କ ଦ୍ବାରା ପ୍ରସ୍ତୁତ ‘ଚିପସ’ ଠାରୁ ଆରମ୍ଭ କରି ‘ବର୍ଗର’ ଓ ‘କୋଲା’ ପର୍ଯ୍ୟନ୍ତ ମାତ୍ରାଧିକ କ୍ୟାଲୋରିଯୁକ୍ତ ଅଥଚ ସାର ଓ ଜୀବନିକା ଶୂନ୍ୟ ଯାବତୀୟ ଖାଦ୍ୟ ଓ ମୃଦୁ ପାନୀୟ ଲୋଭନୀୟ ପ୍ୟାକେଟ ଓ ବୋତଲମାନରେ ଉପଲବ୍ଧ ଓ ଉଦରସାତ୍ ହେଉଛନ୍ତି। କେବଳ ସେତିକି ନୁହେଁ, ସଡ଼କ ଧାରର ଖାଦ୍ୟ ବିପଣିରୁ ଆରମ୍ଭ କରି ଭବ୍ୟ ହୋଟେଲ ଓ ଆରାମପ୍ରଦ ରେସ୍ତୋରାଁ, ଏପରିକି ସାଧାରଣ ଭୋଜିଭାତରେ ମଧ୍ୟ ଯେଉଁ ଏକମାତ୍ର ପାଚକୀୟ-ଆଦର୍ଶ ପରିଦୃଷ୍ଟ ହୋଇଥାଏ, ତାହା ହେଲା ସ୍ବାଦେନ୍ଦ୍ରିୟର ପରିତୃପ୍ତି, ଯେଉଁଥି ଲାଗି ଆବଶ୍ୟକ ଅତ୍ୟଧିକ ତେଲ ବା ଟ୍ରାନ୍ସ-ଫ୍ୟାଟ୍, ଚିନି ଓ ଲବଣ(ସୋଡିଅମ) ଇତ୍ୟାଦିର ଅସନ୍ତୁଳିତ ପ୍ରୟୋଗ। ଏହାର ଅର୍ଥ ଅତି-ପୃଥୁଳକାୟଙ୍କ ସୃଷ୍ଟି ସକାଶେ ପୃଷ୍ଠଭୂମି ସୁଦୃଢ଼ ଏବଂ ଅମୃତ ମଣୋହି ନାମରେ ନିରୋଳା ଜହର ଭୁଂଜନର ସ୍ବାଦିଷ୍ଠ ପ୍ରବଞ୍ଚନା ସର୍ବ ସ୍ବୀକୃତ।
କହିବା ବାହୁଲ୍ୟ, ଏ ଭଳି ସ୍ଥିତିରେ ସମୂଳ ପରିବର୍ତ୍ତନ ଆସିବା ଏକାନ୍ତ ଆବଶ୍ୟକ, ଯାହା ଉଭୟ ବ୍ୟକ୍ତିଗତ ସଚେତନତା ଓ ସରକାରୀ ନୀତି ନିର୍ଦ୍ଧାରଣ ମାଧ୍ୟମରେ ହିଁ ସମ୍ଭବ। ସରକାର ଏ ଦିଗରେ କେତେକ ପଦକ୍ଷେପ ନେବା ପ୍ରାରମ୍ଭ କଲେଣି; ଯେମିତି କି ‘ସି.ବି.ଏସ.ଇ.’ ଅଧୀନସ୍ଥ ବିଦ୍ୟାଳୟର କ୍ୟାଣ୍ଟିନରେ ଏଭଳି ଖାଦ୍ୟ ଦ୍ରବ୍ୟ ସଂପ୍ରତି ନିଷିଦ୍ଧ ବା ନୂତନ ଜି.ଏସ୍.ଟି. ଧାରାରେ ଅସ୍ବାସ୍ଥ୍ୟକର ପ୍ୟାକେଟ ଖାଦ୍ୟ ଓ ମୃଦୁ ପାନୀୟ ଇତ୍ୟାଦି ଉପରେ ଅତ୍ୟୁଚ୍ଚ ୪୦% ହାରରେ ଟିକସର ବ୍ୟବସ୍ଥା, ‘ନିତି’ ଆୟୋଗ ପକ୍ଷରୁ ଏଭଳି ଖାଦ୍ୟ ଦ୍ରବ୍ୟ ଉପରେ ୨୦ରୁ ୩୦% ହାରରେ ଅତିରିକ୍ତ ‘ହେଲ୍ଥ ଟ୍ୟାକ୍ସ’ ସକାଶେ ପ୍ରସ୍ତାବ ଅଥବା ଖାଇବା ତେଲରେ ‘ଟ୍ରାନ୍ସ ଫ୍ୟାଟ୍’ର ସ୍ତରକୁ ୨%ରେ ସୀମିତ ରଖିବା ଲାଗି ‘ନେସନାଲ ଇନ୍ଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରିସନ’ ବା ‘ଏନ.ଆଇ.ଏନ.’ ପକ୍ଷରୁ ସୁପାରିସ ଇତ୍ୟାଦି। ସେହିଭଳି ଖାଦ୍ୟ ଦ୍ରବ୍ୟର ପ୍ୟାକେଟ ଉପରେ ‘ଲାବେଲିଂ’କୁ ବାଧ୍ୟତାମୂଳକ କରାଯାଇଛି, ଯଦ୍ଦ୍ବାରା ତହିଁରେ ବ୍ୟବହୃତ ସମସ୍ତ ଉପାଦାନର ନାମ, ପରିମାଣ ଓ ତାହାର କ୍ୟାଲୋରି ମୂଲ୍ୟ ଭଳି ସୂଚନା ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲି ଏକ ଉଦାହରଣ ଭଳି ଦିଶିଥାଏ, ଯେଉଁଠି ଅତି-ପୃଥୁଳକାୟଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହାରକୁ ରୋକିବା ଲାଗି ୨୦୧୨ ମସିହାରେ ପ୍ୟାକେଟର ସମ୍ମୁଖ ଭାଗରେ ଏଭଳି ‘ଲାବେଲିଂ’କୁ ଅନିବାର୍ଯ୍ୟ କରାଗଲା, ଯାହା ସହଜରେ ଗ୍ରାହକର ଦୃଷ୍ଟିରେ ପଡ଼ିବା ସହିତ ଦେଖାଯାଇଛି େଯ ଦଶ ବର୍ଷ ମଧ୍ୟରେ ଶରୀର ଲାଗି କ୍ଷତିକାରକ ଖାଦ୍ୟ ଦ୍ରବ୍ୟ ବିକ୍ରୟରେ ୨୩% ସଂକୋଚନ ଘଟିଛି। ତେଣୁ ଏ ସଂଦର୍ଭରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଯେ ବ୍ୟକ୍ତିଗତ ସଚେତନତା ତାହା ବୁଝି ହୋଇଥାଏ, ଯାହା ଖାଦ୍ୟ ଚୟନ ଓ ଖାଦ୍ୟାଭ୍ୟାସରେ ଏକ ମୌଳିକ ପରିବର୍ତ୍ତନ ଘଟାଇ ଥାଏ। ଖାଦ୍ୟରେ ପୁଷ୍ଟିସାର-ଶ୍ବେତସାର-ସ୍ନେହସାରର ସନ୍ତୁଳିତ ସମ୍ମିଶ୍ରଣ, ତାଜା ଫଳ ଓ ପନିପରିବା ଓ ଦୁଗ୍ଧ ଇତ୍ୟାଦି ଗୁରୁତ୍ବ ପାଇବା ଆବଶ୍ୟକ; ‘ଡେଲିଭରି ବୟ’ମାନଙ୍କ ଦ୍ବାରା ଘରର ଦ୍ବାରଦେଶରେ ଉପସ୍ଥିତ ହେଉଥିବା ବ୍ୟଂଜନ ବା ଦୁଇ ମିନିଟ୍ରେ ଖାଇବା ଲାଗି ପ୍ରସ୍ତୁତ ହୋଇଯାଉଥିବା ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ସ୍ବଗୃହରେ ସଚେତନ ଭାବେ ସଯତ୍ନ ପ୍ରସ୍ତୁତ ଭୋଜନ ହିଁ କାମ୍ୟ ହେବା ଉଚିତ।
ପ୍ରକୃତିରେ ନିହିତ (ସ୍ରଷ୍ଟାଙ୍କ) ଅନବଦ୍ୟ ବୁଦ୍ଧିମତ୍ତାର ଗୋଟିଏ ଦୃଷ୍ଟାନ୍ତ ହେଲା ପ୍ରାଣୀମାନଙ୍କ ଲାଗି ଖାଦ୍ୟଦ୍ରବ୍ୟ ଆଦୌ ସହଜଲଭ୍ୟ ନ ହେବା। ପ୍ରକୃତ କୋଳରେ ସମସ୍ତ ପ୍ରାଣୀ ଖାଦ୍ୟ ପାଇବା ସକାଶେ ଦୀର୍ଘ ଅନ୍ବେଷଣ ଓ ସଂଘର୍ଷ କରନ୍ତି, ଯହିଁରେ ଶ୍ରମ ଜନିତ ଶକ୍ତି କ୍ଷୟ ଓ ଖାଦ୍ୟ ଦ୍ବାରା ତାହାର ଭରଣାର ଯେଉଁ ସୂକ୍ଷ୍ମ ହିସାବଟି ରହିଥାଏ, ତାହା ହିଁ ସେମାନଙ୍କୁ ସୁସ୍ଥତା ପ୍ରଦାନ କରିଥାଏ; ବନସ୍ତରେ ବିଚରଣ କରୁଥିବା ପ୍ରାଣୀମାନେ ଅତୁଲ୍ୟ ସ୍ବାସ୍ଥ୍ୟର ଅଧିକାରୀ ହୋଇ ନ ଥାଆନ୍ତି କି? ପ୍ରାେଗୖତିହାସିକ କାଳର ମାନବ ମଧ୍ୟ ଶିକାର ଓ ଫଳମୂଳ ସନ୍ଧାନରେ ସଘନ ପରିଶ୍ରମ କରୁଥିଲା। ସୁତରାଂ, ଅପେକ୍ଷାକୃତ କମ୍ ବା ବିନା ପରିଶ୍ରମରେ ଖାଦ୍ୟର ବ୍ୟବସ୍ଥା କରିପାରିବା ହିଁ ହେଉଛି ପ୍ରକୃତିର ବୁଦ୍ଧିମତ୍ତାକୁ ପରାସ୍ତ କରିବାର ଆଦ୍ୟ ମାନବୀୟ ପ୍ରବଣତା ମଧ୍ୟରୁ ଗୋଟିଏ। କିନ୍ତୁ, ଏବେ ହୃଦ୍ବୋଧ ହେଉଛି ଯେ ଏଭଳି ଊଲ୍ଲଂଘନ ସକାଶେ ମେଦ ବହୁଳତା ଭଳି ଦୁଃସ୍ଥିତି ଜରିଆରେ ଜରିମାନା ପଇଠ କରିବାକୁ ପଡୁଛି। କିନ୍ତୁ ବିଡ଼ମ୍ବନା ହେଲା ତଥାପି ମନୁଷ୍ୟ ସଜାଗ ହୋଇନାହିଁ; ବରଂ ଅନ୍ତଃସାରଶୂନ୍ୟ ସୁସ୍ବାଦୁ ଖାଦ୍ୟ କିଭଳି ସଂପୂର୍ଣ୍ଣ ଶୂନ୍ୟ ଶ୍ରମରେ ଖାଇବା ଥାଳିରେ ପହଞ୍ଚିଯିବ, ତହିଁରେ ସିଦ୍ଧହସ୍ତ ହୋଇଛି। ଏହାର ଦାରୁଣ ଅସଂଗତିଟି ହେଲା ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଓ ସଂପଦ ସୃଷ୍ଟିର ପ୍ରକ୍ରିୟାରେ ମାନବ ଜାତି ଖାଦ୍ୟାଭାବରୁ ମୁକ୍ତି ପାଇ ଖାଦ୍ୟର ପ୍ରାଚୁର୍ଯ୍ୟ ମଧ୍ୟକୁ ପ୍ରବେଶ କରିବାକୁ ଲାଗିଥିଲେ ହେଁ ଅପପୁଷ୍ଟମାନଙ୍କ ବିଶାଳ ବାହିନୀ ପୂର୍ବବତ୍ ତିଷ୍ଠି ରହିଛି।