ବିଡ଼ମ୍ବନା ହେଲା ସମସ୍ତ ଦୁର୍ନୀତିଗ୍ରସ୍ତ ମଧ୍ୟ ଦୁର୍ନାମ ଓ ଦଣ୍ଡର ଭୟରେ ନିଜକୁ ସଚ୍ଚୋଟ ରୂପେ ଦର୍ଶାଇବାକୁ ଉଦ୍ଗ୍ରୀବ ହୁଅନ୍ତି; େତଣୁ ବେନାମୀ ସଂପତ୍ତି ଠୁଳ କରନ୍ତି ଏବଂ ଭାବମୂର୍ତ୍ତିକୁ ଅତୁଟ ରଖିବାର ବୈକଲ୍ୟରେ ଭିଜିଲାନ୍ସ ଅଧିକାରୀ ଦଳଙ୍କ ଦୈବାତ୍ ଆବିର୍ଭାବ ଘଟିଲେ ଝରକା ଦେଇ ବିଡ଼ାବିଡ଼ା ନୋଟ ବାହାରକୁ ଫିଙ୍ଗି ଦିଅନ୍ତି(ଗଲା ମେ’ ମାସରେ ଜନୈକ ଚିଫ ଇଂଜିନିଅର), ଏଣେ ଘରେ ବଳି ଯାଇଥିବା ଟଙ୍କା ଗଣି ଗଣି ଟଙ୍କା ଗଣା ଯନ୍ତ୍ରଟି କ୍ଳାନ୍ତ ହୋଇପଡ଼େ! ସରକାରୀ ବାବୁମାନଙ୍କ ଦୁର୍ନୀତିଖୋରୀ ଲାଗି ଯେତେ ସବୁ କାରଣ ଦର୍ଶାଗଲେ ସୁଦ୍ଧା ମୂଳ କାରଣଟି ଯେ ଦୁର୍ବାର ଲୋଭ, ଏଥିରେ ସନ୍ଦେହ ନାହିଁ।
ସପ୍ତାହକ ତଳେ ଆମ ରାଜ୍ୟରେ ଘଟିଥିବା ଯେଉଁ ଏକ ଅରୁଚିକର ଘଟଣାର ଖବର ରାଜ୍ୟ ସୀମା ଅତିକ୍ରମ କରି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି, ତାହା ହେଲା ଜଣେ ତରୁଣ ପ୍ରାଶାସନିକ ଅଫିସର ଉତ୍କୋଚ ନେଉଥିବା ବେଳେ ଧରା ପଡ଼ିବା; ଯେଉଁ ଭଳି ଘଟଣା ସଂପ୍ରତି ଏକ ଦେହସୁହା ବ୍ୟାପାରରେ ପରିଣତ ହୋଇଥିଲେ ହେଁ ଆଲୋଡ଼ନ ସୃଷ୍ଟି ହେବାର କାରଣ ହେଲା, ସଂପୃକ୍ତ ଅଧିକାରୀ ଜଣକ ୨୦୧୯ ବ୍ୟାଚ୍ ‘ଓଡ଼ିଶା ସିଭିଲ ସର୍ଭିସେସ’ ପରୀକ୍ଷାର ଟପ୍ପର! କହିବାରେ ଦ୍ବିଧା ନାହିଁ ଯେ ଆମ ଦେଶର ପ୍ରାଶାସନିକ ସେବା ବିଚକ୍ଷଣମାନଙ୍କ ବିହାର ସ୍ଥଳ ହୋଇଥିଲେ ହେଁ ଉଦ୍ବେଗଜନକ ଭାବେ ଦୁର୍ନୀତିପୂର୍ଣ୍ଣ ବୋଲି ସଚରାଚର ଅପଖ୍ୟାତ, ଯହିଁରୁ ଓଡ଼ିଶା ମୁକ୍ତ ନୁହେଁ। କିନ୍ତୁ ଶଂସିତ ପ୍ରସଙ୍ଗଟି ଅଧିକ ଉଦ୍ବେଗ ସୃଷ୍ଟି କରିଥାଏ, କାରଣ ମଧ୍ୟ-ବୟସରେ ଦନ୍ଥଡ଼ା ପଡ଼ିଯାଉଥିବା ମୂଲ୍ୟବୋଧ ଅନ୍ତତଃ ତାରୁଣ୍ୟରେ ଶାଣିତ ଥାଏ ବୋଲି ଥିବା ଏକ ଧାରଣା ଏଭଳି ଘଟଣାରେ ଚୂର୍ଣ୍ଣ ହୋଇଯାଇଛି। ତା’ ସହିତ ଉଚ୍ଚ ସ୍ତରର େମଧା ଓ ସାଧନାର ମୂର୍ତ୍ତିମନ୍ତ ଅବତାରମାନେ ମଧ୍ୟ ଯେ ମାଟିର ପାଦ ଉପରେ ଛିଡ଼ା ହୋଇଥାଆନ୍ତି, ତାହା ଏଭଳି ଘଟଣାରେ ଅତ୍ୟନ୍ତ କରୁଣ ଭାବେ ଦିଶିଯାଏ।
ଜାତୀୟ ଗଣମାଧ୍ୟମରେ ଉପରୋକ୍ତ ଓଡ଼ିଆ ଅଧିକାରୀଙ୍କୁ ସେହି ୨୦୧୯ ବ୍ୟାଚ୍ର ‘ଆସାମ ରାଜ୍ୟ ପ୍ରାଶାସନିକ ସେବା’ର ଜଣେ ଯୁବ ମହିଳା ଅଧିକାରୀଙ୍କ ସହିତ ବନ୍ଦନୀଯୁକ୍ତ କରାଯାଇଛି, କାରଣ ତାଙ୍କ ଠାରୁ ମଧ୍ୟ ଅଧର୍ମ-ଅର୍ଜିତ ବିପୁଳ ବିତ୍ତର ସନ୍ଧାନ ମିଳିଛି। ଆମ ରାଜ୍ୟରେ ଗଲା କେଇ ବର୍ଷ ମଧ୍ୟରେ ଲିଙ୍ଗ ନିର୍ବିଶେଷରେ ଅନେକ ତରୁଣ ପ୍ରାଶାସନିକ ଅଧିକାରୀ ଦୁର୍ନୀତି ଅଭିଯୁକ୍ତ ହୋଇଛନ୍ତି; ଯେଉଁମାନେ ଛାତ୍ର ଜୀବନରେ ସେମାନଙ୍କ ଉତ୍କର୍ଷ ଓ ଅନ୍ୟାନ୍ୟ ସୁଗୁଣ ସକାଶେ ନିଶ୍ଚିତ ଭାବେ ପରିବାର ଓ ପରିଚିତଙ୍କ କ୍ଷେତ୍ରରେ ଆଦର୍ଶସ୍ଥାନୀୟ ତଥା ଦୃଷ୍ଟାନ୍ତମୂଳକ ହୋଇଥିବେ! ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ନିଯୁକ୍ତି ପାଉ ନ ପାଉଣୁ ସେମାନଙ୍କ ଏଭଳି ଦୃଢ଼ ମଞ୍ଜ ଅଚାନକ ଅନ୍ତଃସାରଶୂନ୍ୟ ହୋଇଯାଏ କାହିଁକି? ଏହାର ଅନେକ ଉତ୍ତର ଥିଲେ ହେଁ ଅତି କମ୍ରେ ଅନ୍ତତଃ ତିନିଟି ସିଧାସଳଖ ଦୃଷ୍ଟିଗୋଚର ହୋଇଯାଏ। ପ୍ରଥମଟି ହେଲା, ନାଗରିକ ଜୀବନରେ ସରକାରଙ୍କ ମାତ୍ରାତିରିକ୍ତ ଉପସ୍ଥିତି; ଯେଉଁ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନନ୍ଦିନ ଜୀବନରେ ସରକାର(ପ୍ରଶାସନ)ଙ୍କ ସହିତ ମୁହୁର୍ମୁହୁଃ ମୁହାଁମୁହିଁ ହେବାକୁ ପଡ଼ିଥାଏ, ନ୍ୟୟୋଚିତ ଅଧିକାର ପାଇବା ଲାଗି ମଧ୍ୟ ବିନତିରୁ ଆରମ୍ଭ ଉଦ୍ୟମ ପରିଶେଷରେ ସନ୍ଧିରେ ସମାପ୍ତ ହୋଇଥାଏ। ଦ୍ବିତୀୟଟି ହେଲା ନିଯୁକ୍ତି ସହିତ ସହସା ଠୁଳୀଭୂତ ହୋଇଯାଉଥିବା ଉଲଙ୍ଗ କ୍ଷମତା, ଯାହାର ସ୍ବାଭାବିକ ଶିକାର ହୋଇଯାଏ ସ୍ଥିର ବିଚାର, ସଂଯମ ଓ ପରିଷ୍କାର ଦୃଷ୍ଟି। ତୃତୀୟତଃ, ଦୁର୍ନୀତିର ସର୍ବବିଦ୍ୟମାନତା ଏହାକୁ ଏଭଳି ‘ଦେହସୁହା’ କରିଛି ଯେ ନୀତିହୀନ ଆଚରଣ ସାମାନ୍ୟ ବିବେକ-ଦଂଶନ କି ମର୍ମଦାହ ମଧ୍ୟ ସୃଷ୍ଟି କରି ନ ଥାଏ। ଏହା ମଧ୍ୟ ଏକ ଐତିହାସିକ ବାସ୍ତବତା ଯେ ଔପନିବେଶିକ ଶାସକଙ୍କ ଦ୍ବାରା ସର୍ଜିତ ଶାସନ ବ୍ୟବସ୍ଥାରୁ ଦୁର୍ନୀତିର ଗୁଣସୂତ୍ର ସେମାନଙ୍କ ଭାରତୀୟ ଦାୟାଦମାନଙ୍କ ନିକଟକୁ ଆନୁବଂଶିକ କ୍ରମରେ ଗଡ଼ି ଆସିଛି। ଚଳିତ ବର୍ଷ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ସୂଚନା କହିଥିଲା ଯେ ୨୦୧୪ ମସିହାରୁ ୨୦୨୫ ମସିହା ଫେବ୍ରୁଆରି ମାସ ମଧ୍ୟରେ ଆମ ରାଜ୍ୟରେ ଦୁର୍ନୀତି ଲାଗି ୩୬୨୩ଟି ଭିଜିଲାନସ କେସ୍ ଦାଖଲ ହୋଇଛି, ଯାହା ସଂଖ୍ୟା ଦୃଷ୍ଟିରୁ ସାଂଘାତିକ ନିଶ୍ଚୟ; କିନ୍ତୁ ସରକାରୀ ଦୁର୍ନୀତିର ଭୁକ୍ତଭୋଗୀ ପ୍ରତ୍ୟେକ ନାଗରିକ ସହମତ ହେବେ ଯେ ଏହି ସୂଚନା କେବଳ ଆଭାସଧର୍ମୀ; ଜଳରେ ଭାସମାନ ବରଫର ଉପରକୁ ଦିଶୁଥିବା ନଗଣ୍ୟ ଭାଗ!
କହିବା ବାହୁଲ୍ୟ ଯେ ଦୁର୍ନୀତି ଊଣାଅଧିକେ ପୃଥିବୀର ସର୍ବତ୍ର ଉପସ୍ଥିତ। କାର୍ଲ ମାର୍କ୍ସଙ୍କ ବନ୍ଧୁ ଫ୍ରେଡରିକ ଏଂଜେଲସ ତାଙ୍କ ପୁସ୍ତକ ‘ଦ ଅରିଜିନ ଅଫ ଫାମିଲି, ପ୍ରାଇଭେଟ ପ୍ରପର୍ଟି ଏଣ୍ଡ ଷ୍ଟେଟ୍’ରେ କହିଛନ୍ତି ଯେ ସଂପୂର୍ଣ୍ଣ ଗୋଷ୍ଠୀଗତ ଜୀବନ ଜିଉଥିବା ପ୍ରାଗୈତିହାସିକ ମାନବ ସମାଜରେ ନିଜ ଲାଗି କିଛି ଖାଦ୍ୟ ଲୁଚାଇ ରଖିଥିବା ମନୁଷ୍ୟଟି ହେଉଛି ବ୍ୟକ୍ତିଗତ ସଂପତ୍ତିକୁ ଗୁରୁତ୍ବ ଦେଉଥିବା ପୁଂଜିବାଦର ଆଦ୍ୟତମ ପ୍ରବର୍ତ୍ତକ ଏବଂ ତାହା ସହିତ ସେ ମଧ୍ୟ ଅନ୍ୟାୟୋଚିତ ଆହରଣର ପ୍ରଥମ ବୀଜ ବପନକାରୀ। ପ୍ରକାଶ ଥାଉ କି ସରକାରୀ ଦୁର୍ନୀତିର ପ୍ରାଚୀନତାର ପ୍ରମାଣ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର(ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀ)ରେ ମିଳେ, ଯହିଁରେ ଅମାତ୍ୟ(ଏବର ଅମଲା)ମାନଙ୍କ ଆଡ଼କୁ ଇଙ୍ଗିତ ରହିଛି। ଚାଣକ୍ୟ ନିଜେ ନିଶାର୍ଧରେ ସ୍ବଗୃହରେ ରାଜକାର୍ଯ୍ୟ ସଂପାଦନ କରୁଥିବା ସମୟରେ ରାଜାଙ୍କ ଦ୍ବାରା ପ୍ରଦତ୍ତ ତୈଳ ଭରା ଦୀପ ବ୍ୟବହାର କରୁଥିବା ବେଳେ ବ୍ୟକ୍ତିଗତ କାର୍ଯ୍ୟ ଲାଗି ନିଜ ଅର୍ଥରେ କ୍ରୟ କରିଥିବା ତୈଳରେ ଦୀପ ଜାଳି ନିଜ ଐକାନ୍ତିକ ସାଧୁତାର ଦୃଷ୍ଟାନ୍ତ ସ୍ଥାପନ କରିଥିଲେ। କିନ୍ତୁ, ବିଡ଼ମ୍ବନା ହେଲା ସମସ୍ତ ଦୁର୍ନୀତିଗ୍ରସ୍ତ ମଧ୍ୟ ଦୁର୍ନାମ ଓ ଦଣ୍ଡର ଭୟରେ ନିଜକୁ ସଚ୍ଚୋଟ ରୂପେ ଦର୍ଶାଇବାକୁ ଉଦ୍ଗ୍ରୀବ ହୁଅନ୍ତି; େତଣୁ ବେନାମୀ ସଂପତ୍ତି ଠୁଳ କରନ୍ତି ଏବଂ ଭାବମୂର୍ତ୍ତିକୁ ଅତୁଟ ରଖିବାର ବୈକଲ୍ୟରେ ଭିଜିଲାନ୍ସ ଅଧିକାରୀ ଦଳଙ୍କ ଦୈବାତ୍ ଆବିର୍ଭାବ ଘଟିଲେ ଝରକା ଦେଇ ବିଡ଼ାବିଡ଼ା ନୋଟ ବାହାରକୁ ଫିଙ୍ଗି ଦିଅନ୍ତି(ଗଲା ମେ’ ମାସରେ ଜନୈକ ଚିଫ ଇଂଜିନିଅର), ଏଣେ ଘରେ ବଳି ଯାଇଥିବା ଟଙ୍କା ଗଣି ଗଣି ଟଙ୍କା ଗଣା ଯନ୍ତ୍ରଟି କ୍ଳାନ୍ତ ହୋଇପଡ଼େ! ସରକାରୀ ବାବୁମାନଙ୍କ ଦୁର୍ନୀତିଖୋରୀ ଲାଗି ଯେତେ ସବୁ କାରଣ ଦର୍ଶାଗଲେ ସୁଦ୍ଧା ମୂଳ କାରଣଟି ଯେ ଦୁର୍ବାର ଲୋଭ, ଏଥିରେ ସନ୍ଦେହ ନାହିଁ। ତାହା ଯଦି କ୍ଷୁଧାର ଏକ ତଳହୀନ କୂପ ହୋଇ ନ ଥାଆନ୍ତା, ତେବେ ଜନୈକ ବାବୁ ୮୦ଟି ମୂଲ୍ୟବାନ ପ୍ଲଟ୍ର ମାଲିକ ହୋଇ ନ ଥାଅାନ୍ତେ!
ଏହି ସଂଦର୍ଭରେ ପ୍ରସିଦ୍ଧ ରୁଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ ଦ୍ବାରା ରଚିତ ସେହି ଅମର କ୍ଷୁଦ୍ର ଗଳ୍ପଟି ସ୍ବତଃ ସ୍ମରଣକୁ ଆସିଥାଏ, ଯାହାର ଶୀର୍ଷକ ‘ମଣିଷ ପାଇଁ କେତେ ଜମି ଲୋଡ଼ା!’। ଖୁବ୍ ସମ୍ଭବ ଏହି ସ୍ତମ୍ଭର ଅଧିକାଂଶ ପାଠକ-ପାଠିକା ଗଳ୍ପଟିକୁ ଜାଣିଥିବେ। କିନ୍ତୁ ପ୍ରସଙ୍ଗର ଆବଶ୍ୟକତା ଦୃଷ୍ଟିରୁ ସଂକ୍ଷେପରେ ଏହାର ଉଲ୍ଲେଖ ଆବଶ୍ୟକ। ଜଣେ ଜମି ଖରିଦଦାର ଯେଉଁ ଗ୍ରାମକୁ ଯାଏ, ସେଠାରେ ଜମି କିଣାବିକାର ସର୍ତ୍ତ ହେଲା ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ମଧ୍ୟରେ ଜଣେ ଚାଲି ଚାଲି ଯେତିକି ପରିମାଣର ଜମି ପରିକ୍ରମା କରିବ, ତାହା ବିନା ମୂଲ୍ୟରେ ତା’ର ହେବ। ତେବେ, ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଖରିଦଦାର ଯେମିତି ମୂଳ ସ୍ଥନକୁ ଫେରି ଆସେ, ନଚେତ୍ କାଣିଚାଏ ଜମି ମଧ୍ୟ ସେ ପାଇବ ନାହିଁ। କହିବା ବାହୁଲ୍ୟ ଖରିଦଦାର ଅବିଶ୍ରାନ୍ତ ଭାବେ ଚାଲିବା ଆରମ୍ଭ କରେ; ଯେଉଁଠି ସାମାନ୍ୟ ବିଶ୍ରାମ ବା ଭୋଜନ ବା ଆଖପାଖର ସୌନ୍ଦର୍ଯ୍ୟ ଅବଲୋକନ କେବଳ ସମୟର ଅପଚୟ। ସୂର୍ଯ୍ୟ ଚକ୍ରବାଳ ଉପରକୁ ଆସନ୍ତି ଏବଂ ସେତେବେଳକୁ ଅପରିମେୟ ଜମି ପରିକ୍ରମା କରି ସାରି ସେ ତରବର ହୋଇ ମୂଳ ସ୍ଥାନକୁ ଫେରିବାକୁ ଲାଗେ। କିନ୍ତୁ ଦିଶିଯାଏ ସୁନାର ଗହମ େକ୍ଷତର ଜମି ଚକଡ଼ାଏ! ଅବସନ୍ନ ହୋଇ ପଡ଼ିଥିବା ସତ୍ତ୍ବେ ସେହି ଜମିକୁ ଘେରି ଆସିବାର ଦୁର୍ଲଂଘ୍ୟ ଲୋଭ ତାକୁ ଗ୍ରାସିଯାଏ। ଏଣେ ସୂର୍ଯ୍ୟ ଅସ୍ତପ୍ରାୟ! ପ୍ରାଣ ବିକଳରେ ସେ ଦୌଡ଼େ ଏବଂ ଦେଖେ ମୂଳ ସ୍ଥାନରେ ଜମିର ବିକ୍ରେତା ଗାଁ ସର୍ଦ୍ଦାର ପେଟ ଚିପି ହସି ହସି ଗଡ଼ିଯାଉଛି। ସେ ସେଠାରେ ପହଞ୍ଚେ, କିନ୍ତୁ ଟଳିପଡ଼େ ଓ ତା’ର ପ୍ରାଣବାୟୁ ଉଡ଼ିଯାଏ। ଚାରି ହାତର ଜମି ଖୋଳି ତାକୁ କବର ଦିଆଗଲା ବେଳେ ଗଳ୍ପ ଭିତରୁ ଲେଖକଙ୍କ ପ୍ରହେଳିକାପୂର୍ଣ୍ଣ ଅନୁସନ୍ଧିତ୍ସା ଶୁଭୁଥାଏ ଯେ ସତରେ ମଣିଷ ଲାଗି କେତେ ଜମି ଲୋଡ଼ା! ଏହି ଗଳ୍ପର ମର୍ମକୁ ବୁଝାଇ କହିବା ନିଷ୍ପ୍ରୟୋଜନ; କିନ୍ତୁ ପ୍ରତୀକଗୁଡ଼ିକୁ ବୁଝିବାକୁ ହେବ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅବିଶ୍ରାନ୍ତ ଦୌଡ଼ ହେଉଛି ଜୀବନର ଯାତ୍ରା, ଯାହା ଲୋଭ ଦ୍ବାରା ପରିଚାଳିତ, ଯହିଁରେ ପଥପ୍ରାନ୍ତର ମନୋରମ ଦୃଶ୍ୟ ଦ୍ବାରା ହୃଦୟକୁ ଆହ୍ଲାଦରେ ଦ୍ରବୀଭୂତ କରିବାର ଅବକାଶ ନାହିଁ। ଏବଂ ପେଟ ଚିପି ଗହଗହ ହସୁଥିବା ସର୍ଦାର ହେଉଛି ନିୟତି ଓ ହସିବାର କାରଣ ମନୁଷ୍ୟର ନିର୍ବୋଧତା! ପ୍ରସିଦ୍ଧ ଐତିହାସିକ ଓ ଜନ-ବିଦ୍ବାନ ତଥା ‘ସାପିଏନ୍ସ’ ଭଳି ବହୁ ପଠିତ ପୁସ୍ତକର ଲେଖକ ୟୋଭାଲ ନୋହା ହାରାରି କହି ନାହାନ୍ତି କି ମନୁଷ୍ୟ ଜାତିର ଇତିହାସ ହେଉଛି ମନୁଷ୍ୟର ନିର୍ବୋଧତାର ଇତିହାସ, ଯହିଁରେ ସେ କେବଳ ନିଜର କ୍ଷତି ସାଧନ ହିଁ କରି ଆସିଛି!