ପ୍ରାୟ ତିନି ଦଶନ୍ଧି ହେବ ଦେଶରେ ଭ୍ରୂଣ-ଲିଙ୍ଗ ନିରୂପଣ ନିଷିଦ୍ଧ ହୋଇ ସାରିଥିବା ବେଳେ, ଦିଲ୍ଲୀର ସ୍ବଚ୍ଛଳ ବର୍ଗର ସନ୍ତାନ ଆଶାୟୀମାନେ ଥାଇଲାଣ୍ଡ୍କୁ ଯାଇ ସେଠାରେ ଫର୍ଟିଲିଟି କ୍ଲିନିକ୍ମାନଙ୍କରେ ସଫଳ ଭାବରେ ପୁତ୍ର ଭ୍ରୂଣ ସଞ୍ଚାର ପ୍ରକ୍ରିୟା ସମାପ୍ତ କରି ଫେରି ଆସୁଛନ୍ତି। ତା’ ଛଡ଼ା ଦିଲ୍ଲୀର ନିମ୍ନ ଆୟ ବର୍ଗମାନଙ୍କ ମଧ୍ୟରେ ବି ଜନ୍ମକାଳୀନ ଲିଙ୍ଗାନୁପାତ ଯେଉଁଭଳି ନୀଚା ହେବା ଦେଖାଯାଉଛି, ସେଥିରୁ ଏକ ଦୃଢ଼ ସନ୍ଦେହ ଜାତ ହୋଇଥାଏ ଯେ ଆଇନର ଆଢୁଆଳରେ ଭ୍ରୂଣ-ଲିଙ୍ଗ ଚିହ୍ନଟ ବ୍ୟବସାୟ ରୀତିମତ ଚାଲିବାରେ ଲାଗିଛି।
ଆରିଷ୍ଟୋଟ୍ଲ ତାଙ୍କର ପ୍ରସିଦ୍ଧ ନୀତିଶାସ୍ତ୍ର ରଚନା ‘ନିକୋମାକିଆନ୍ ଏଥିକ୍ସ’ରେ ଲେଖିଥିବା ଏକ ସୁପରିଚିତ ଆପ୍ତବାକ୍ୟର ଇଂରେଜୀ ଅନୁବାଦ ହେଉଛି: ‘‘ୱାନ୍ ସ୍ବାଲୋ ଡଜ୍ ନଟ୍ ମେକ୍ ଏ ସମର୍’’। ଶୀତପ୍ରଧାନ ଦେଶମାନଙ୍କରେ ସମସ୍ତେ ବ୍ୟାକୁଳ ଭାବରେ ଅପେକ୍ଷା କରୁଥିବା ଗ୍ରୀଷ୍ମ ଋତୁର ଆବିର୍ଭାବ ଘଟିବା ସଙ୍ଗେ ସଙ୍ଗେ ଆକାଶରେ ପ୍ରବାସୀ ପକ୍ଷୀ ‘ସ୍ବାଲୋ’ (‘ବତାସିଆ’)ମାନଙ୍କର ଆବିର୍ଭାବ ଘଟିଥାଏ। ଏଣୁ ଆକାଶରେ ସ୍ବାଲୋମାନେ ଦୃଷ୍ଟିଗୋଚର ହେଲେ ତାହା ଗ୍ରୀଷ୍ମର ଆଗମନର ଘୋଷଣା ରୂପେ ବିବେଚିତ ହୋଇଥାଏ। କିନ୍ତୁ ଆରିଷ୍ଟୋଟ୍ଲ ଚେତାଇ ଦେଇଛନ୍ତି ଯେ ଆକାଶରେ ଗୋଟିଏ ମାତ୍ର ସ୍ବାଲୋର ଆବିର୍ଭାବ ଘଟିବା ଦେଖି କେହି ଗ୍ରୀଷ୍ମ ଋତୁ ଆସିଗଲା ବୋଲି ଭ୍ରମରେ ପଡ଼ିବା ଉଚିତ ନୁହେଁ।
ବାସ୍ତବ ଜୀବନରେ ବିଭିନ୍ନ ପ୍ରସଙ୍ଗରେ ଆରିଷ୍ଟୋଟ୍ଲଙ୍କର ଏହି ଚେତାବନୀ ପ୍ରଯୁଜ୍ୟ ହେବା ଦେଖାଯାଇଥାଏ। ସେଥିମଧ୍ୟରୁ ଗୋଟିଏ ପ୍ରମୁଖ ହେଉଛି ଲିଙ୍ଗଗତ ବାଛବିଚାର ସଂପର୍କିତ। ସିଧାସଳଖ କହିଲେ କୌଣସି ଏକ ସମାଜରେ ଯଦି ଜଣେ ମହିଳା ସର୍ବୋଚ୍ଚ ଶାସନ କ୍ଷମତାର ଅଧିକାରିଣୀ ହେବା ଦେଖାଯାଏ, ତାହା ଦେଖି କେହି ବିଶ୍ବାସ କରିଯିବା ଉଚିତ ନୁହେଁ ଯେ ସେ ସମାଜରୁ ନାରୀମାନେ ସମ୍ମୁଖୀନ ହେଉଥିବା ଲିଙ୍ଗ-ବିଦ୍ବେଷ ସଂପୂର୍ଣ୍ଣ ରୂପେ ଦୂରୀଭୂତ ହୋଇଯାଇଛି। ଇତିହାସ ସାରା ଏହାର ଉଦାହରଣମାନ (ଇନ୍ଦିରା ଗାନ୍ଧୀଙ୍କ ଠାରୁ ବେନଜୀର ଭୁଟ୍ଟୋ କିମ୍ବା ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ) ଭରି ହୋଇ ରହିଥିଲେ ହେଁ ଭାରତର ରାଜଧାନୀ ଅବସ୍ଥିତ ଥିବା ଦିଲ୍ଲୀ ରାଜ୍ୟରେ ଏହା ଯେଉଁଭଳି ପ୍ରଭାବଶାଳୀ ଭାବରେ ପରିଦୃଷ୍ଟ ହୋଇଛି, ଖୋଦ୍ ଆରିଷ୍ଟୋଟ୍ଲ ମଧ୍ୟ ତାହା କଳ୍ପନା କରିପାରି ନ ଥିବେ। କାରଣ ୧୯୯୨ରେ ଦିଲ୍ଲୀ ଏକ ରାଜ୍ୟର ମାନ୍ୟତା ଲାଭ କରିବା ପରଠାରୁ ବର୍ତ୍ତମାନ ମଧ୍ୟରେ ଦିଲ୍ଲୀର ଆକାଶରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ କି ତିନିଟି ନୁହେଁ... ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂରା ଚାରି ଚାରିଟି ମହିଳା ମୁଖ୍ୟମନ୍ତ୍ରୀ ରୂପକ ସ୍ବାଲୋମାନଙ୍କର ଆବିର୍ଭାବ ଘଟିଥିଲେ ମଧ୍ୟ, ଏବେ ସଦ୍ୟ ପ୍ରକାଶିତ ଏକ ସରକାରୀ ରିପୋର୍ଟ ଅନୁସାରେ ସେଠାରେ ଏପରି ଏକ ଲିଙ୍ଗ-ବିଦ୍ବେଷର ପ୍ରାଦୁର୍ଭାବ ବୃଦ୍ଧି ପାଇଚାଲିଥିବା ଜଣାପଡ଼ିଛି, ଯାହାକୁ ଏକ ଅନ୍ତିମ ଶ୍ରେଣୀର ବିଦ୍ବେଷ ରୂପେ ବିଚାର କରାଯାଇଥାଏ। ଏହି ବିଦ୍ବେଷଣ ଶିକାର ହୋଇଥିବା ନାରୀମାନଙ୍କୁ ‘‘ମୂଳୁ ମାରିଲେ ଯିବ ସରି’’ ନୀତି ଅବଲମ୍ବନ କରି ପୁରୁଷପ୍ରଧାନ ସମାଜରେ ସେମାନଙ୍କୁ ମୂଳରୁ ଜନ୍ମଲାଭ କରିବାକୁ ହିଁ ଦିଆଯାଇ ନ ଥାଏ। ଏହି ବିଦ୍ବେଷଣ ପରିଣାମ ସ୍ବରୂପ ସଂପୃକ୍ତ ସମାଜରେ ଜନସଂଖ୍ୟାର ଜନ୍ମକାଳୀନ ଲିଙ୍ଗ ଅନୁପାତରେ ଅସ୍ବାଭାବିକ ହ୍ରାସ ଘଟିବା ଦେଖାଯାଇଥାଏ।
ଏବେ ଦିଲ୍ଲୀ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ଜନ୍ମ-ମୃତ୍ୟୁ ସଂପର୍କିତ ବାର୍ଷିକ ରିପୋର୍ଟ ଅନୁସାରେ ସେଠାରେ କ୍ରମାଗତ ଭାବରେ ଚତୁର୍ଥ ବର୍ଷ ପାଇଁ ଜନ୍ମକାଳୀନ ଲିଙ୍ଗ ଅନୁପାତରେ ହ୍ରାସ ଘଟି ଚାଲିଥିବା ଦେଖାଯାଇଛି। ଭାରତରେ ପ୍ରତି ଏକ ହଜାର ପୁରୁଷଙ୍କ ପିଛା ମହିଳାମାନଙ୍କ ସଂଖ୍ୟାଭିତ୍ତିରେ ଲିଙ୍ଗାନୁପାତ ନିର୍ଣ୍ଣୟ କରାଯାଇଥାଏ। ଜନସଂଖ୍ୟା ବିଶେଷଜ୍ଞମାନଙ୍କ ଅନୁସାରେ ଏକ ଲିଙ୍ଗ-ବିଦ୍ବେଷହୀନ ସମାଜରେ ଯେଉଁ ପ୍ରାକୃତିକ ଜନ୍ମକାଳୀନ ଲିଙ୍ଗାନୁପାତ ବିରାଜମାନ କରିଥାଏ, ତାହା ହେଉଛି ୯୫୨। ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୪ରେ ଦିଲ୍ଲୀରେ ଲିଙ୍ଗାନୁପାତ ଥିଲା ୯୨୦, ଯାହା ୨୦୨୦ରେ ଥିଲା ୯୩୩। ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଏକଦା ଦିଲ୍ଲୀରେ ଜନ୍ମକାଳୀନ ଲିଙ୍ଗାନୁପାତରେ ଯେଉଁଭଳି ଉନ୍ନତି ପରିଲକ୍ଷିତ ହେଉଥିଲା ତାହା ଲିଙ୍ଗ-ସାମ୍ୟ ଦୃଷ୍ଟିରୁ ବେଶ୍ ସନ୍ତୋଷଜନକ ମନେ ହେଉଥିଲା। ଉଦାହରଣ ସ୍ବରୂପ ୨୦୧୨ରେ ସେଠାରେ ଏହି ଲିଙ୍ଗାନୁପାତ ମାତ୍ର ୮୮୬ ଥିବାବେଳେ ୨୦୨୦ ବେଳକୁ ସେଥିରେ ବୃଦ୍ଧି ଘଟି ତାହା ୯୩୩ରେ ପହଞ୍ଚି ଥିଲା। କୋଭିଡ୍ ପାଣ୍ଡେମିକ୍ ପରେ କିନ୍ତୁ ସେଥିରେ ପୁଣି ହ୍ରାସ ଘଟିବାକୁ ଆରମ୍ଭ କରି ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏକ ଚିନ୍ତାଧାରା ଅନୁସାରେ କୋଭିଡ୍ ଆଘାତରେ ପରିବାରର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯିବା ପରେ କନ୍ୟା ସନ୍ତାନକୁ ଏକ ବୋଝ ରୂପେ ବିଚାର କରିବାର ମାନସିକତାରେ ବୃଦ୍ଧି ଘଟିବା ଦେଖାଗଲା। ଏହା କିନ୍ତୁ ଏକ ବିଡ଼ମ୍ବନା ଯେ ଦିଲ୍ଲୀ ପରି ଏକ ସ୍ବଚ୍ଛଳ ଓ ଶିକ୍ଷିତ ରାଜ୍ୟର ଅଧିବାସୀମାନେ ଏଭଳି ଏକ ଭାବନାକୁ ମନରେ ସ୍ଥାନ ଦେଇଥାନ୍ତି ବୋଲି ବିଶ୍ବାସ କରାଯାଉଛି।
ତେବେ କେବଳ କୋଭିଡ୍ ପାଣ୍ଡେମିକ୍ ନୁହେଁ, ଦିଲ୍ଲୀରେ ପରିଲକ୍ଷିତ ପୁତ୍ର-ପସନ୍ଦ ମାନସିକତା ଅନ୍ୟାନ୍ୟ ଅନେକ କାରଣମାନଙ୍କର ମିଳିତ ପ୍ରଭାବରେ ରୂପ ପରିଗ୍ରହଣ କରିଥିବାର ଦୃଢ଼ ସମ୍ଭାବନା ରହିଛି। ଏଭଳି ଏକ ନିର୍ଣ୍ଣାୟକ କାରଣ ହୋଇ ପାରିଥାଏ ଉଭୟ ଭାରତରେ ତଥା ନିର୍ଦ୍ଦିଷ୍ଟ ଭାବରେ ଦିଲ୍ଲୀରେ ପରିଦୃଷ୍ଟ ହୋଇଥିବା ‘ମୋଟ ପ୍ରଜନନ ହାର’ (‘ଟୋଟାଲ୍ ଫର୍ଟିଲିଟି ରେଟ୍’- ‘ଟିଏଫ୍ଆର୍’)ରେ ତୀକ୍ଷ୍ଣ ସ୍ଖଳନ। ଜନସଂଖ୍ୟା ଶାସ୍ତ୍ର ଅନୁସାରେ କୌଣସି ଏକ ସମାଜର ଜନସଂଖ୍ୟାର ଅାକାର ସ୍ଥିର ରହିବାକୁ ହେଲେ, ସେଠାରେ ନାରୀମାନଙ୍କର ହାରାହାରି ପ୍ରଜନନ ହାର ମୁଣ୍ଡପିଛା ୨.୧ଟି ସନ୍ତାନ ହେବା ଆବଶ୍ୟକ, ଯାହାକୁ ‘ପ୍ରତିସ୍ଥାପନ ହାର’ (‘ରିପ୍ଲେସ୍ମେଣ୍ଟ ରେଟ୍’) ରୂପେ ଅଭିହିତ କରାଯାଇଥାଏ। ଏକ ସମୟରେ ଉଚ୍ଚା ‘ଟିଏଫ୍ଆର୍’ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ବର୍ତ୍ତମାନ ସେଥିରେ ହ୍ରାସ ଘଟି ତାହା ‘ପ୍ରତିସ୍ଥାପନ ହାର’ ତଳକୁ ଚାଲିଯାଇ ଏକ ଅଲଗା ମୁଣ୍ଡବିନ୍ଧା ସୃଷ୍ଟି କରିବା ଆରମ୍ଭ କଲାଣି। ୨୦୨୩ରେ ସାରା ଦେଶ ପାଇଁ ‘ଟିଏଫ୍ଆର୍’ ୧.୯ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ତାହା ଏକ ଅତ୍ୟନ୍ତ ନୀଚା ୧.୨ ଛୁଇଁଥିବା ଦେଖାଯାଇଥିଲା।
ବିଭିନ୍ନ ଅର୍ଥନୈତିକ, ପାରିବାରିକ ଓ ସାମାଜିକ କାରଣମାନଙ୍କ ଯୋଗୁଁ ପିତାମାତାମାନେ କେବଳ ଗୋଟିଏ କିମ୍ବା କଁା ଭଁା ଦୁଇଟି ସନ୍ତାନ ଜନ୍ମ କରିବାରୁ ‘ଟିଏଫ୍ଆର୍’ରେ ଏପରି ସ୍ଖଳନ ଘଟିଛି। ଏଥିରୁ କିନ୍ତୁ ଏକ ଶକ୍ତିଶାଳୀ ଲିଙ୍ଗ-ବିଦ୍ବେଷ ଜନ୍ମଲାଭ କରିଛି। କାରଣ, ପିତାମାତାମାନେ ଯେତେବେଳେ ମାତ୍ର ଗୋଟିଏ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଉଛନ୍ତି, ସେତେବେଳେ ସେମାନେ ଚାହୁଁଛନ୍ତି ସେ ସନ୍ତାନଟି ଏକ ପୁତ୍ର ସନ୍ତାନ ହେଉ। ଏମିତିରେ ପୁରୁଷ ଅଧ୍ୟୁଷିତ ଭାରତୀୟ ସମାଜରେ ପୁତ୍ର ମୋହ ଯେଉଁ ଯୁଗ ଯୁଗ ଧରି ଚେର ବିସ୍ତାର କରି ରହିଛି, ନୀଚା ‘ଟିଏଫ୍ଆର୍’ ବର୍ତ୍ତମାନ ତାହାକୁ ବହୁଗୁଣିତ କରିବା ଦେଖାଯାଉଛି।
ଶିକ୍ଷା ଓ ଆୟରେ ଅଗ୍ରଗତି ଏହି ଲିଙ୍ଗ-ବିଦ୍ବେଷରେ ହ୍ରାସ ଘଟାଇବା ପରିବର୍ତ୍ତେ ଏକ ନିଷ୍ଠୁର ବିଡ଼ମ୍ବନା ସଦୃଶ ସେଥିରେ ବୃଦ୍ଧି ଘଟିବାରେ ସହାୟକ ହେବା ପରିଲକ୍ଷିତ ହେଉଛି। ଉଦାହରଣ ସ୍ବରୂପ ପ୍ରାୟ ତିନି ଦଶନ୍ଧି ହେବ ଦେଶରେ ଭ୍ରୂଣ-ଲିଙ୍ଗ ନିରୂପଣ ନିଷିଦ୍ଧ ହୋଇ ସାରିଥିବା ବେଳେ, ଦିଲ୍ଲୀର ସ୍ବଚ୍ଛଳ ବର୍ଗର ସନ୍ତାନ ଆଶାୟୀମାନେ ଥାଇଲାଣ୍ଡ୍କୁ ଯାଇ ସେଠାରେ ଫର୍ଟିଲିଟି କ୍ଲିନିକ୍ମାନଙ୍କରେ ସଫଳ ଭାବରେ ପୁତ୍ର ଭ୍ରୂଣ ସଞ୍ଚାର ପ୍ରକ୍ରିୟା ସମାପ୍ତ କରି ଫେରି ଆସୁଛନ୍ତି। ତା’ ଛଡ଼ା ଦିଲ୍ଲୀର ନିମ୍ନ ଆୟ ବର୍ଗମାନଙ୍କ ମଧ୍ୟରେ ବି ଜନ୍ମକାଳୀନ ଲିଙ୍ଗାନୁପାତ ଯେଉଁଭଳି ନୀଚା ହେବା ଦେଖାଯାଉଛି, ସେଥିରୁ ଏକ ଦୃଢ଼ ସନ୍ଦେହ ଜାତ ହୋଇଥାଏ ଯେ ଆଇନର ଆଢୁଆଳରେ ଭ୍ରୂଣ-ଲିଙ୍ଗ ଚିହ୍ନଟ ବ୍ୟବସାୟ ରୀତିମତ ଚାଲିବାରେ ଲାଗିଛି। ଏ ସମ୍ବନ୍ଧରେ ସଚେତନ ହୋଇ ଦିଲ୍ଲୀ ରାଜ୍ୟ ସରକାର ୨୨ ସେପ୍ଟେମ୍ବରରେ ଏକ ନିର୍ଦ୍ଦେଶ ଜାରି କରିବା ଦେଖାଯାଇଛି, ଯାହା ଅନୁସାରେ ଚିକିତ୍ସା ପାଇଁ ଆବଶ୍ୟକ ଏ ସଂପର୍କିତ ସମସ୍ତ ପରୀକ୍ଷା ବାଧ୍ୟତାମୂଳକ ଭାବରେ କେବଳ ଦିଲ୍ଲୀର ପରିସୀମା ମଧ୍ୟରେ ଅବସ୍ଥିତ ପଞ୍ଜିକୃତ ଅନୁମୋଦନପ୍ରାପ୍ତ ଜେନେଟିକ୍ ଲାବରେଟରିମାନଙ୍କରେ ସଂପାଦିତ ହେବ।
କିନ୍ତୁ ଏଥିସହିତ ଏହା ମଧ୍ୟ ହୃଦୟଙ୍ଗମ କରିବା କଥା ଯେ ୧୯୯୪ ଠାରୁ ଏ ସଂପର୍କିତ ଆଇନ (‘ପିଏନ୍ଡିଟି ଆକ୍ଟ’) କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଯେଉଁ ମାନସିକତାର ବଶବର୍ତ୍ତୀ ହୋଇ ଭାବୀ ପିତାମାତାମାନେ ଏଥିରେ ଗଳାବାଟ ଖୋଜିବାରେ ସେମାନଙ୍କର ସମସ୍ତ ଶକ୍ତି ଓ ସମୟ ନିୟୋଜିତ କରିବାରେ ଲାଗିଛନ୍ତି, ସେଥିରେ ପରିବର୍ତ୍ତନ ଆଣିବା ନିମିତ୍ତ ‘ବେଟି ବଚାଓ, ବେଟି ପଢ଼ାଓ’ ଆନ୍ଦୋଳନ ଠାରୁ ଆହୁରି ଅଧିକ ଶକ୍ତିଶାଳୀ ଏକ ସାମାଜିକ ଆନ୍ଦୋଳନ ଆରମ୍ଭ ହେବା ଆବଶ୍ୟକ, ଯାହା ଆମ ରାଜନେତାମାନଙ୍କର ଏକ ମୁଖ୍ୟ ଦାୟିତ୍ବ ହେବା ଜରୁରି। କେବଳ ସେମାନଙ୍କ ମଧ୍ୟରୁ କେତେଜଣ ନାରୀନେତ୍ରୀ ବତାସିଆ ହୋଇ ଆକାଶରେ ଦେଖାଦେବା ଯଥେଷ୍ଟ ନୁହେଁ।