ସମ୍ବାଦପତ୍ରକୁ ଯାହା ପ୍ରିୟପାତ୍ର କରିଥାଏ, ତାହା ହେଲା ପାଠକପାଠିକାଙ୍କ ସହିତ ତା’ର ‘ଜୈବିକ’ ସଂପର୍କ; ଛୁଇଁବା, ପଢ଼ିବା, ଚିହ୍ନିତ କରିବା, ନିଜ ଇଚ୍ଛାରେ କୌଣସି ବିଷୟକୁ ବାରମ୍ବାର ଫେରିବା ଓ କାଟି ସାଇତି ରଖିବା ଇତ୍ୟାଦିର ସୁଯୋଗ ସମ୍ବାଦପତ୍ର ହିଁ ତା’ର ପାଠକପାଠିକାଙ୍କୁ ଦେଇଥାଏ। କିନ୍ତୁ, ଯାହା ସମ୍ବାଦପତ୍ରରୁ ନ ମିଳି ସାମାଜିକ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରୁ ମିଳିଥାଏ, ତାହା ହେଲା ସେଗୁଡ଼ିକର ଅହୋରାତ୍ର ଉପଲବ୍ଧତା, ଯାହା ଅନେକଙ୍କ ମତରେ ସେ ସବୁର ମୁଖ୍ୟ ଆକର୍ଷଣ। କିନ୍ତୁ ସହଜଲଭ୍ୟତା ତୁଳନାରେ ପ୍ରତୀକ୍ଷା ପରେ ପ୍ରାପ୍ତ ହେବାର ସମ୍ଭାବନା କୌଣସି ଚିଜକୁ ଅଧିକ ପ୍ରେମାସ୍ପଦ କରି ନ ଥାଏ କି?
ଆଜି ‘ସମ୍ବାଦ’କୁ ଏକଚାଳିଶ ବର୍ଷ ପୂରି ବୟାଳିଶ ଚାଲିଲା। ଭାରତରେ ସମ୍ବାଦପତ୍ର(କେତେକ ଆଞ୍ଚଳିକ ଖବରକାଗଜ ମଧ୍ୟ)ଗୁଡ଼ିକର ବୟସ ଦୃଷ୍ଟିରୁ ବିଚାର କଲେ ରାଜ୍ୟରେ ସର୍ବାଧିକ ପ୍ରସାରିତ ଏବଂ ପଠିତ ଏହି ଖବରକାଗଜଟି ତା’ର ସୁଢ଼ଳ ତାରୁଣ୍ୟରେ ଉପନୀତ ବୋଲି କୁହାଯାଇପାରିବ। କିନ୍ତୁ, ବିଡ଼ମ୍ବନା ହେଲା ସଂପ୍ରତି ସୃଷ୍ଟ ଏକ ବ୍ୟାଖ୍ୟାନ ଯେ ମୁଦ୍ରିତ ଗଣମାଧ୍ୟମର ଅସ୍ତିତ୍ବ ସଂକଟଜନିତ ଦୁର୍ଦଶା ଅନତି ଦୂରରେ! ପାଶ୍ଚାତ୍ୟରେ କେତେକ ପ୍ରସିଦ୍ଧ ଦୀର୍ଘାୟୁ ପତ୍ରପତ୍ରିକା ଅପସୃତ ହୋଇଯିବା ବା ଅପସୃୟମାନ ସ୍ଥିତିକୁ ଚାଲି ଆସିବା ଏଭଳି ବ୍ୟାଖ୍ୟାନକୁ ଆଂଶିକ ଦୃଢ଼ତା ପ୍ରଦାନ କରୁଥିଲେ ହେଁ ଓଡ଼ିଶା ଭଳି ଏକ ରାଜ୍ୟରେ ଆଞ୍ଚଳିକ ସମ୍ବାଦପତ୍ର ଲାଗି ଏଭଳି ଆଶଙ୍କାର ଯଥାର୍ଥତା ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ହୋଇଥାଏ।
ଓଡ଼ିଆ ଖବରକାଗଜର ପ୍ରସାରଣ ସଂଖ୍ୟାରେ ବୃଦ୍ଧି ନ ଘଟି ସ୍ଥିର ରହିବା ବା ବରଂ ସଂକୁଚିତ ହେବାର ଲକ୍ଷଣ ପ୍ରଦର୍ଶନ କରୁଥିବା ସଂଦର୍ଭରେ ଆଲୋଚନା ବେଳେ ଯେଉଁ ଦୁଇଟି କାରଣକୁ ପ୍ରମୁଖ ଭାବେ ଦର୍ଶା ଯାଇଥାଏ: ତହିଁରୁ ପ୍ରଥମଟି ହେଲା ଓଡ଼ିଆ ଭାଷା ସହିତ ପରିଚିତ ହେଉ ନ ଥିବା ଏକ ବୃହତ୍ ତରୁଣ ପାଠକପାଠିକା ବର୍ଗ ଓଡ଼ିଆ ସମ୍ବାଦପତ୍ରର ଗ୍ରାହକ ପରିମଣ୍ଡଳକୁ ପ୍ରବେଶ କରୁନାହାନ୍ତି ଏବଂ ଦ୍ବିତୀୟଟି ହେଲା ଖବରମାନ ବୈଦ୍ୟୁତିକ ବେଗରେ ନିମିଷକ ମାତ୍ରେ ସାମାଜିକ ଗଣମାଧ୍ୟମରେ ଜୀବନ୍ତ ହୋଇ ଉଠୁଥିବାରୁ ସମ୍ବାଦପତ୍ରଗୁଡ଼ିକର ପ୍ରାସଙ୍ଗିକତା କ୍ରମେ ଅବକ୍ଷୟିଷ୍ଣୁ ହେବାରେ ଲାଗିଛି। କିନ୍ତୁ ପ୍ରଥମ କାରଣକୁ କାଟ କରିଥାଏ ଏହି ସାମାନ୍ୟ ତଥ୍ୟ ଯେ ଆମ ରାଜ୍ୟରେ ଓଡ଼ିଆ ମାଧ୍ୟମରେ ମେଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା(୨୦୨୪ ମସିହାରେ ୫ ଲକ୍ଷରୁ ଅଧିକ) ଇଂରେଜୀ ମାଧ୍ୟମରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଅନେକ ଅଧିକ, ଯେଉଁମାନଙ୍କ ଦ୍ବାରା ତ ଓଡ଼ିଆ ସମ୍ବାଦପତ୍ରର ଗ୍ରାହକ ସମ୍ବଳ ସମୃଦ୍ଧ ହୋଇ ପାରନ୍ତା! କିନ୍ତୁ ସେଭଳି ଘଟୁ ନାହିଁ। ତେଣୁ ଏକ ଧାରଣା ଜାତ ହେଉଛି ଯେ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଆକର୍ଷଣ ସେମାନଙ୍କୁ ହୁଏତ ଖବରକାଗଜ ଠାରୁ ଦୂରେଇ ନେଉଛି। ଅବଶ୍ୟ, ସାଂପ୍ରତିକ ସମୟର ଏହା ଏକ କର୍କଶ ବାସ୍ତବତା ଯେ ସାମାଜିକ ଗଣମାଧ୍ୟମରେ ନିବିଷ୍ଟ ଏହି ପିଢ଼ି ଠାରେ ପଠନ ସ୍ଫୃହାରେ ତୀବ୍ର ସଂକୋଚନ ଘଟିଛି ଏବଂ ଶିକ୍ଷିତ ତରୁଣ ବର୍ଗଙ୍କ ସକାଶେ ଯାହା ବି ପଠନୀୟ ହେଉଛି, ତାହା ପ୍ରାୟତଃ ପାଠ୍ୟକ୍ରମ, ପରୀକ୍ଷା ବା ପ୍ରବେଶିକା ପରୀକ୍ଷା କୈନ୍ଦ୍ରିକ ପୁସ୍ତକ; ପଠନରେ ବିଳାସ ଅତ୍ୟନ୍ତ ଦୁର୍ଲଭ। ତେବେ, ଏହି ସଂଦର୍ଭରେ ବିଭିନ୍ନ ଅନୁଶୀଳନର ନିଷ୍କର୍ଷ ମାଧ୍ୟମରେ ଅନେକ ସମାଜବିଜ୍ଞାନୀ ଏକମତ ହୁଅନ୍ତି ଯେ ବିଭିନ୍ନ ଜ୍ବଳନ୍ତ ଓ ବାସ୍ତବ ସମସ୍ୟା ପ୍ରତି ସାଂପ୍ରତିକ ପିଢ଼ି ଅଙ୍ଗୀକାରଶୂନ୍ୟ ଭାବେ ଉଦାସୀନ; ଉଦାହରଣ ସ୍ବରୂପ କୃଷକ ଆତ୍ମହତ୍ୟା ଭଳି ସମସ୍ୟା ଉପରେ ସାଂପ୍ରତିକ କଲେଜ ପଢୁଆ ଛାତ୍ରଛାତ୍ରୀମାନେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ ବୋଲି ଏକାଧିକ ଅନୁଧ୍ୟାନରୁ ପ୍ରମାଣିତ। ତେଣୁ ସେମାନଙ୍କ ମତରେ ବାସ୍ତବ ସମସ୍ୟା ପ୍ରତି ଏଭଳି ବିରାଗୀ ବର୍ଗକୁ ସମ୍ବାଦପତ୍ର ପଠନ ପ୍ରତି ଅନୁରାଗୀ କରିବାର ମାର୍ଗ ହେଲା ତହିଁରେ ଏବର ତରୁଣ ପ୍ରାଣକୁ ମଥିତ କଲା ଭଳି ଆଙ୍ଗିକ, ଆବେଗିକ ଓ ଆବେଦନଗତ ପରିବର୍ତ୍ତନ ଆଣିବାର ଉଦ୍ୟମ କରିବା; ଯାହାକୁ ହୁଏତ ବିବର୍ତ୍ତନର ଦାବି ବୋଲି କୁହାଯାଇପାରେ! ଏହା ସତ ଯେ ଡିଜିଟାଲ ସାକ୍ଷରତାରେ ଓଡ଼ିଶା ଏ ଯାବତ୍ ବିଶେଷ ଅଗ୍ରଗତି ଲାଭ କରି ନାହିଁ, ଯେଉଁ କାରଣରୁ ଡିଜିଟାଲ ଗଣମାଧ୍ୟମ ଦ୍ବାରା ସମ୍ବାଦପତ୍ର ବିସ୍ଥାପିତ ହେବାର ଭୟ ଅନ୍ତତଃ ନିକଟ ଭବିଷ୍ୟତ୍ରେ ନାହିଁ; ଏବଂ ଡିଜିଟାଲ ଗଣମାଧ୍ୟମରେ ନିରନ୍ତର ପ୍ରସାରିତ ହେଉଥିବା ମିଥ୍ୟା, ଗୁଜବ, ଅପପ୍ରଚାର ଓ ନିରର୍ଥକ ଚାପଲ୍ୟର ସ୍ରୋତ ତାକୁ କ୍ରମେ ଅଧିକରୁ ଅଧିକ ସନ୍ଦିଗ୍ଧ କରି ପକାଉଥିବାରୁ ଆଶା ଉଜ୍ଜ୍ବଳ ଯେ ଦୂର ଭବିଷ୍ୟତ୍ରେ ମଧ୍ୟ ମୁଦ୍ରିତ ଗଣମାଧ୍ୟମ ଲୋଡ଼ା ପଡ଼ିବ, ଯହିଁରେ ଲିଖିତ ଶବ୍ଦମାନ ପଥରରେ ଖୋଦିତ ଭଳି ଅକାଟ୍ୟ ପ୍ରତୀତ ହେବେ!
କହିବା ଅନାବଶ୍ୟକ ଯେ ପୃଥିବୀର ସର୍ବତ୍ର ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମ୍ବାଦମାନ ସଂପାଦନା, ଅନୁଶୀଳନ, ଆଲୋଚନା ଓ ସତ୍ୟତା-ଯାଞ୍ଚ ଭଳି ବିଶୁଦ୍ଧୀକରଣ ପ୍ରକ୍ରିୟା ମଧ୍ୟ ଦେଇ ଯାଉଥିବାରୁ ସେଗୁଡ଼ିକ ବିଶ୍ବସନୀୟ ବୋଲି ଦୃଢ଼ ଧାରଣା ରହିଛି। କେବଳ ସେତିକି ନୁହେଁ, ପ୍ରକାଶିତ ହେଲା ପରେ ଲେଖାଗୁଡ଼ିକ ବ୍ୟକ୍ତିଗତ ସଂଗ୍ରହ ଠାରୁ ଆରମ୍ଭ କରି ପାଠାଗାର ଏବଂ ଅଭିଲେଖାଗାର ପର୍ଯ୍ୟନ୍ତ ସ୍ଥାନରେ ସଂରକ୍ଷିତ ହୋଇ ରହି ଭବିଷ୍ୟତ୍ରେ ବାରମ୍ବାର ଉଦ୍ଧୃତି, ତର୍ଜମା, ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ପାତ୍ର ହୋଇ ରହନ୍ତି। ଏହି କାରଣରୁ ସମ୍ବାଦପତ୍ରଗୁଡ଼ିକ ଏକ ସ୍ବତନ୍ତ୍ର ଗାମ୍ଭୀର୍ଯ୍ୟର ଅଧିକାରୀ ମଧ୍ୟ ହୁଅନ୍ତି। ପୁଣି, ମୁଦ୍ରିତ ଗଣମାଧ୍ୟମ ପ୍ରାୟତଃ ପ୍ରତିଭାସଂପନ୍ନ ତରୁଣ ଲେଖକ ଏବଂ ସାମାଜିକ କର୍ତ୍ତବ୍ୟବୋଧ ପ୍ରତି ସଚେତନ ବ୍ୟକ୍ତିବିଶେଷଙ୍କୁ ତହିଁରେ କାର୍ଯ୍ୟ କରିବାକୁୁ ଆକୃଷ୍ଟ କରିଥାଏ, ଯେଉଁମାନେ ସମ୍ବାଦପତ୍ର ପୃଷ୍ଠାର ପ୍ରଚ୍ଛଦପଟରେ ରହି ଦାୟିତ୍ବ ନିର୍ବାହ କରନ୍ତି; ଇଲେକ୍ଟ୍ରୋନିକ ମିଡିଆରେ ଲବ୍ଧ ହେଉଥିବା ଚେହେରା-ଖ୍ୟାତି ପ୍ରତି ନିର୍ବିକାର ରହି ଅଦୃଶ୍ୟ ଗାଇଡ୍ ଭଳି ପାଠକପାଠିକାଙ୍କ ହାତ ଧରି ଶବ୍ଦର କୁହୁକ ଅରଣ୍ୟ ମଧ୍ୟରେ ବାଟ କଢ଼ାଇ ନିଅନ୍ତି। ପୃଥିବୀର ଅସଂଖ୍ୟ ଲବ୍ଧପ୍ରତିଷ୍ଠ ଲେଖକଲେଖିକା ସେମାନଙ୍କ ଲେଖକୀୟ କ୍ୟାରିଅର ଖବରକାଗଜର ସାମ୍ବାଦିକତାରୁ ହିଁ ପ୍ରାରମ୍ଭ କରିଛନ୍ତି। ଏହି କାରଣରୁ ପୃଥିବୀର ସବୁ ପ୍ରାନ୍ତରେ ଭାଷା ଜ୍ଞାନର ପରିମାର୍ଜନ ଓ ଲିଖନ ଶୈଳୀରେ ଉନ୍ନତି ବିଧାନ ସକାଶେ ଦୈନିକ ସମ୍ବାଦପତ୍ର ପାଠ କରିବାକୁ କିଶୋର ବା ତରୁଣମାନଙ୍କୁ ସେମାନଙ୍କ ଗାର୍ଜନମାନେ ପରାମର୍ଶ ଦେଇ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ପରିଚିତିର ସ୍ଫୃହା ନ ରଖି ସାମ୍ବାଦିକ ଭାବେ ଦାୟିତ୍ବ ସଂପାଦନ କରିବାର ଏହି ବିଶ୍ବ ପ୍ରସିଦ୍ଧ ଉଦାହରଣ ଦ୍ରଷ୍ଟବ୍ୟ। ୧୯୫୫ ମସିହାରେ କଲମ୍ବିଆର ଖବରକାଗଜ ‘ଏଲ ଏସ୍ପେକ୍ଟାଡୋର’ରେ ଦୁଇ ସପ୍ତାହ ଧରି ପ୍ରତ୍ୟେକ ଦିନ ଧାରାବାହିକ ଭାବେ ପ୍ରକାଶିତ ହୋଇଥିବା ଆଲେଖ୍ୟର ଶୀର୍ଷକ ଥିଲା ‘ଦ େଷ୍ଟାରି ଅପ୍ ଏ ସିପ୍ରେକ୍ଡ ମ୍ୟାନ’ ଅର୍ଥାତ୍ ‘ଝଡ଼ରେ ବିଧ୍ବସ୍ତ ଏକ ଜାହାଜ ନାବିକର କାହାଣୀ’; ଯହିଁରେ ବାହାରି ଥିଲା କିଭଳି ଲୁଇ ଆଲେକଜାଣ୍ଡ୍ରୋ ବେଲାସ୍କୋ ନାମକ ଜଣେ ନାବିକ, ତାଙ୍କ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଏକ ଭଙ୍ଗା କାଠ ପଟାକୁ ଆଶ୍ରା କରି ଅଥଳ କ୍ୟାରିବୀୟ ସାଗରରେ ଅସହାୟ ଭାବେ ଭାସି ରହି କ୍ଷୁଧା, ତୃଷା, ଅନିଦ୍ରା, ନିଃସଙ୍ଗତା ଓ ରକ୍ତ ପିପାସୁ ସାର୍କଙ୍କ ମଧ୍ୟରେ ଦୀର୍ଘ ଦଶ ଦିନ କାଟି କୌଣସିମତେ ବଞ୍ଚି ରହି କୂଳରେ ଲାଗିଥିଲେ। ତେବେ, ଆତ୍ମଜୀବନୀ ଶୈଳୀରେ ରଚିତ ଏହି ଅନବଦ୍ୟ ଗଦ୍ୟକୁ ବେଲାସ୍କୋଙ୍କ ସ୍ବଲିଖିତ ବୋଲି ଧରି ନେଇଥିବା ଅଗଣିତ ଚମତ୍କୃତ ପାଠକପାଠିକା ଅନେକ ବର୍ଷ ପରେ ସ୍ତବ୍ଧ ହୋଇଯାଇଥିଲେ, ଯେତେବେଳେ ତାହା ପୃଥିବୀ ପ୍ରସିଦ୍ଧ ଲେଖକ ଗାବ୍ରିଏଲ ଗାର୍ସିଆ ମାର୍କ୍ବେଜଙ୍କ ଏକ କୃତି ରୂପେ ପୁସ୍ତାକାରରେ ପ୍ରକାଶିତ ହୋଇଥିଲା; ଅର୍ଥାତ୍ ବାସ୍ତବରେ ତାହା ଥିଲା ବେଲାସ୍କୋଙ୍କ ସହିତ ସାକ୍ଷାତ୍କାର ପରେ ସେହି ଖବରକାଗଜେର ତରୁଣ ସାମ୍ବାଦିକ ଭାବେ କାର୍ଯ୍ୟରତ ଗାର୍ସିଆ ମାର୍କ୍ବେଜଙ୍କ ରଚନା। କହିବାର ତାତ୍ପର୍ଯ୍ୟ ହେଲା, ଅଭିରୁଚି, ଆଦର୍ଶ ଓ ମୂଲ୍ୟବୋଧ ଆଦି ଦ୍ବାରା ପରିଚାଳିତ ମୁଦ୍ରିତ ଗଣମାଧ୍ୟମର ସ୍ବାତନ୍ତ୍ରୢ ହୁଏତ ଅଲଂଘ୍ୟ!
ସମ୍ବାଦପତ୍ରକୁ ଯାହା ପ୍ରିୟପାତ୍ର କରିଥାଏ, ତାହା ହେଲା ପାଠକପାଠିକାଙ୍କ ସହିତ ତା’ର ‘ଜୈବିକ’ ସଂପର୍କ; ଛୁଇଁବା, ପଢ଼ିବା, ଚିହ୍ନିତ କରିବା, ନିଜ ଇଚ୍ଛାରେ କୌଣସି ବିଷୟକୁ ବାରମ୍ବାର ଫେରିବା ଓ କାଟି ସାଇତି ରଖିବା ଇତ୍ୟାଦିର ସୁଯୋଗ ସମ୍ବାଦପତ୍ର ହିଁ ତା’ର ପାଠକପାଠିକାଙ୍କୁ ଦେଇଥାଏ। କିନ୍ତୁ, ଯାହା ସମ୍ବାଦପତ୍ରରୁ ନ ମିଳି ସାମାଜିକ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରୁ ମିଳିଥାଏ, ତାହା ହେଲା ସେଗୁଡ଼ିକର ଅହୋରାତ୍ର ଉପଲବ୍ଧତା, ଯାହା ଅନେକଙ୍କ ମତରେ ସେ ସବୁର ମୁଖ୍ୟ ଆକର୍ଷଣ। କିନ୍ତୁ ସହଜଲଭ୍ୟତା ତୁଳନାରେ ପ୍ରତୀକ୍ଷା ପରେ ପ୍ରାପ୍ତ ହେବାର ସମ୍ଭାବନା କୌଣସି ଚିଜକୁ ଅଧିକ ପ୍ରେମାସ୍ପଦ କରି ନ ଥାଏ କି? ଦୁଇ ଦିନର ପୂଜା ଛୁଟି ହେତୁ ସକାଳର ସେହି ନିର୍ଦ୍ଦିଷ୍ଟ ବେଳାକୁ ଅଭ୍ୟାସଗତ ଭାବେ ପ୍ରତୀକ୍ଷା କରି ରହିଥିବା ‘ସମ୍ବାଦ’ର ଅଗଣିତ ପାଠକପାଠିକା ଗଲା ଗୁରୁବାର ଓ ଶୁକ୍ରବାର ଯେଉଁ ଶୂନ୍ୟତାର ଅନୁଭବ କରିଥିବେ, ତାହା ହିଁ ହେଉଛି ସେହି ଲୋଡ଼ିବା, ଯାହାର କୌଣସି ବିକଳ୍ପ ନ ଥାଏ!