କୌଣସି କୁଚକ୍ରୀ ଉପାୟରେ ଯଦି ଜଣେ ସୁଦ୍ଧା ନାଗରିକ ଠାରୁ ତା’ର ଭୋଟ ଦେବାର ଅଧିକାର ଛିନ୍ନ କରି ନିଆଯାଏ, ‌େତବେ ତା’ ଠାରୁ ଅଧିକ ଗର୍ହିତ ଆଉ କ’ଣ ବା ହୋଇପାରେ? କାରଣ ସେହି ଗୋଟିଏ ଅଧିକାର ଭାରତର ଦରିଦ୍ର ନାଗରିକମାନଙ୍କୁ ନୃପତି କରି ରଖିପାରେ(ଶାସନ କ୍ଷମତା ବଦଳାଇ) ଏବଂ ଯାହା ବ୍ୟତିରେକ ସେମାନେ ଏକାବେଳକେ ସଂପୂର୍ଣ୍ଣ ନିଃସ୍ବ ହୋଇଯାଆନ୍ତି। ଆମ ରାଜନୈତିକ ଦଳ ଓ ସାଂବିଧାନିକ ଅନୁଷ୍ଠାନଗୁଡ଼ିକ ଏହି ସାମନ୍ୟ କଥାକୁ ଧ୍ୟାନରେ ରଖିବା ଉଚିତ; ତା’ ନ ହେଲେ ଭାରତର ଗଣତନ୍ତ୍ର ନିଃସ୍ବ ନାଗରିକଙ୍କ ଉତ୍ତପ୍ତ ଦୀର୍ଘଶ୍ବାସରେ ଦଗ୍‌ଧୀଭୂତ ହେବା ସାର ହେବ।

Advertisment

ଆମ ରାଜନୈତିକ କ୍ରୀଡ଼ାଙ୍ଗନରେ ସଂପ୍ରତି ‌େଯଉଁ ପିଲା କଳି ତୁଲ୍ୟ ଦୃଶ୍ୟଟିଏ ଦେଖିବାକୁ ମିଳିଛି, ତହିଁରେ ସଂପୃକ୍ତ ଅଛନ୍ତି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ବିରୋଧୀ ଦଳର ନେତା‌ ରାହୁଳ ଗାନ୍ଧୀ। ଏହା ସୁବିଦିତ ଯେ ରାହୁଳ ଗାନ୍ଧୀଙ୍କ କଣ୍ଠ ନିସୃତ ‘ଭୋଟ ଚୋରି’ର କୁହାଟ ସିଧାସଳଖ ନିର୍ବାଚନ କମିସନ ଆଡ଼କୁ ଇଙ୍ଗିତ କରିଥାଏ, କାରଣ ତାଙ୍କ ଧାରଣାରେ ନିର୍ବାଚନ କମିସନଙ୍କ ପ୍ରତ୍ୟକ୍ଷ ସହାୟତାରେ ଭୋଟର ତାଲିକାରେ ବିଭିନ୍ନ ପ୍ରକାର ହେରଫେର କରାଯାଇ କେତେକ ନିର୍ବାଚନରେ ବିଜେପିକୁ ଜିତାଇ ଦିଆଯାଇଛି। ଏଭଳି ସ୍ଥିତିରେ ଆକ୍ଷେପଟିକୁ ସହ୍ୟ କରି ନ ପାରି ମୁଖ୍ୟ ନିର୍ବାଚନ କମିସନର ରାହୁଳ ଗାନ୍ଧୀଙ୍କ ଠାରୁ ନିଃସର୍ତ୍ତ କ୍ଷମା ଭିକ୍ଷା ଦାବି କରିବା ସହିତ ଏ ପ୍ରକାର ଅଭିଯୋଗ ପରିପ୍ରେକ୍ଷୀରେ ଏକ ସତ୍ୟପାଠ(ସପ୍ତାହକ ମଧ୍ୟରେ) ଦାଖଲ କରନ୍ତୁ ବୋଲି ଅଡ଼ି ବସିଛନ୍ତି। ତେବେ, ମୁଖ୍ୟ ନିର୍ବାଚନ କମିସନରଙ୍କ ଏଭଳି ଏକ ପ୍ରତିକ୍ରିୟାର ଔଚିତ୍ୟ ଏବଂ ତହିଁରେ ନିହିତ ଆବେଗ ବିଷୟକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଗଣତନ୍ତ୍ର କିଭଳି ତୀବ୍ର ଧ୍ରୁବୀକରଣ, ଅସହିଷ୍ଣୁତା, ଅବାଂଛିତ ପ୍ରତିକ୍ରିୟାଶୀଳତା ଏପରିକି ପ୍ରତିଶୋଧ ପରାୟଣତାର ପ୍ରତ୍ୟକ୍ଷ କଲାଣି ତଥା ଏହି ପ୍ରକରଣରେ ଗଣତନ୍ତ୍ରର ଏକ ଶକ୍ତିକେନ୍ଦ୍ର ରୂପେ ବିଦ୍ୟମାନ ଥିବା ନିର୍ବାଚନ କମିସନ ନାଗରିକମାନଙ୍କ ଦ୍ବାରା କ୍ରମ ବିଶ୍ବାସହାନିର ଶରବ୍ୟ ହେଲାଣି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 
ମହାରାଷ୍ଟ୍ରରେ, ଗତ ୨୦୨୪ ମସିହାର ଲୋକସଭା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଥିବା ‘ଇନ୍‌ଡି’ ମେଣ୍ଟ, ତାର ମାତ୍ର ଛଅ ମାସ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପ୍ରାୟ ନିଶ୍ଚିହ୍ନ ହୋଇଯିବା ପରିପ୍ରେକ୍ଷୀରେ ରାହୁଳ ଗାନ୍ଧୀ ସ୍ଥିର ନିଶ୍ଚିତ ଯେ ନିର୍ବାଚନ କମିସନଙ୍କ ଦ୍ବାରା କରାଯାଇଥିବା ଭୋଟର ତାଲିକା ହେରଫେର ହେଉଛି ଏଥି ସକାଶେ ଅନ୍ୟତମ ପ୍ରମୁଖ କାରଣ। ଗଲା ୭ ତାରିଖ‌େର, ଏକ ସାମ୍ବାଦିକ ସମ୍ମିଳନୀରେ ସୁବିସ୍ତୃତ ‘ପାୱାର ପଏଣ୍ଟ୍‌’ ବର୍ଣ୍ଣନା ମାଧ୍ୟମରେ ରାହୁଳ ଗାନ୍ଧୀ କର୍ଣ୍ଣାଟକର ଗୋଟିଏ ଆସନକୁ ‘କେସ୍ ଷ୍ଟଡି’ ଭାବେ ନେଇ ପ୍ରମାଣ କରିଥିଲେ କିଭଳି ନକଲି, ମୃତ ଓ ଅସ୍ତିତ୍ବହୀନ ଭୋଟରମାନେ ନିର୍ବାଚନରେ ଅଂଶ ଗ୍ରହଣ କରି ସେଠାରେ ବିଜେପିର ବିଜୟକୁ ସମ୍ଭବ କରିଥିଲେ! ତାଙ୍କର ବଦ୍ଧମୂଳ ଧାରଣା ଯେ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ଘଟିଛି, ଯେଉଁ ଦୁରଭିସନ୍ଧିପୂର୍ଣ୍ଣ ପ୍ରକରଣରେ ନିର୍ବାଚନ କମିସନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଅଛି। ଏଣେ, ବିହାରରେ ଅତି ତରବରିଆ ଭାବେ ‘ସ୍ପେସାଲ ଇନ୍‌ଟେନସିଭ ରିଭିଜନ’(ସ୍ବତନ୍ତ୍ର ସଘନ ସଂଶୋଧନ) ବା ‘ଏସ.ଆଇ.ଆ‌ର.’ ମାଧ୍ୟମରେ ପୁରୁଣା ଭୋଟର ତାଲିକାରେ ସଂଶୋଧନ କରାଯାଇ ୬୫ ଲକ୍ଷ ଭୋଟରଙ୍କୁ ତହିଁରୁ ବହିଷ୍କାର କରି ଦିଆଯିବା ଏବଂ ସେଠାରେ ଆଉ ମାତ୍ର ଦୁଇ ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ‘ଏସ.ଆଇ.ଆ‌ର.’ରେ ଏକ ଅତ୍ୟନ୍ତ ଅସ୍ବଚ୍ଛ ଏବଂ ସନ୍ଦେହାଚ୍ଛନ୍ନ ପଦ୍ଧତି ଅବଲମ୍ବନ କରାଯିବା ଓ ତା’ର ପ୍ରତିବାଦରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଠାରୁ ସାହାଯ୍ୟ ଲୋଡ଼ାଯିବା ଭଳି ଘଟଣାମାନ ନିର୍ବାଚନ କମିସନଙ୍କ ଉଦ୍ଦେଶ୍ୟକୁ ଅଧିକ ସନ୍ଦିଗ୍‌ଧ କରି ପକାଇଛି, ଯାହା ବିରୋଧୀ ପକ୍ଷର ଦୃଷ୍ଟିରେ ‘ଭୋଟ ଚୋରି’ର ଆଉ ଏକ ଚତୁର ସଂସ୍କରଣ। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ସନ୍ଦେହର ଧୂମ ପଟଳ ଦ୍ବାରା ଆଚ୍ଛନ୍ନ ଏକ ପରିବେଶରେ ନିର୍ବାଚନ କମିସନଙ୍କ ସକାଶେ କ’ଣ କରଣୀୟ ହେବା ଉଚିତ? ପରିପକ୍ବ ବିଚାର କହିଥାଏ ଯେ ଅଭିଯୋଗରେ ଥିବା ତ୍ରୁଟିଗୁଡ଼ିକୁ ଅନୁଧ୍ୟାନ କରି ସେ ସବୁର ପରିମାର୍ଜନା ସକାଶେ ଉଦ୍ୟମ। କିନ୍ତୁ ସି.ଇ.ସି. ଜ୍ଞାନେଶ କୁମାର ସମ୍ଭବତଃ ଏହାକୁ ଏକ ବ୍ୟକ୍ତିଗତ ଅପମାନ ବୋଲି ବିଚାର କରି ରାହୁଳ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି, ଯାହା ବିଜେପି ଦଳ ଲାଗି ମଧ୍ୟ ଉଲ୍ଲାସର କାରଣ ହୋଇଥିବ! କିନ୍ତୁ ସି.ଇ.ସି. ହୁଏତ ପାସୋରି ଯାଇଛନ୍ତି ଯେ ରାହୁଳଙ୍କୁ ଠିକଣା ଜବାବ ଦେବା ସକାଶେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ସୂତ୍ରରୁ ଠୁଳ କରିଥିବା ସୂଚନା ଆଧାରରେ ପ୍ରମାଣ କରିଛନ୍ତି ଯେ କଂଗ୍ରେସ ଜିଣିଥିବା ସ୍ଥାନରେ ମଧ୍ୟ ଭୋଟର ତାଲିକା ବିଭିନ୍ନ ପ୍ରକାର ତ୍ରୁଟିର ଶିକାର, ଯାହାକୁ ସେ ମଧ୍ୟ କଂଗ୍ରେସ ଦ୍ବାରା ‘ଭୋଟ ଚୋରି’ ବୋଲି ଆଖ୍ୟା ଦେଇଛନ୍ତି। ସୁତରାଂ, ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ଉଭୟ ପକ୍ଷଙ୍କ ଦ୍ବାରା ପ୍ରମାଣିତ, ଯାହା ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଲୋଡ଼ିଥାଏ। କିନ୍ତୁ ସେହି କଥାକୁ ନଜରଅନ୍ଦାଜ କରି, ‘ଭୋଟ ଚୋରି’ର ଦୁଇ ଅଭିଯୋଗକାରୀଙ୍କ ମଧ୍ୟରୁ କେବଳ ଜଣଙ୍କ ଉପରେ ସି.ଇ.ସି. ନିଜ ରୋଷ ବର୍ଷଣ କରିବା ତାଙ୍କ ନିଷ୍ପକ୍ଷତାକୁ ପ୍ରଶ୍ନାକୁଳ ମଧ୍ୟ କରିଥାଏ! 
‘ନିର୍ବାଚନ କମିସନ’ ଓ ବିଜେପି ମଧ୍ୟରେ ଏକ ମେଣ୍ଟ ରହିଛି ବୋଲି ରାହୁଳ ଗାନ୍ଧୀ ପୂର୍ବରୁ ଓ ବାରମ୍ବାର କହି ଆସିଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ଦଳ ନିର୍ବିଶେଷ‌େର ବିରୋଧୀ ପକ୍ଷ ଦ୍ବାରା ନିର୍ବାଚନ କମିସନଙ୍କ କାର୍ଯ୍ୟ ସନ୍ଦିଗ୍‌ଧ ହୋଇ ଆସିଛି। ୧୯୭୧ ମସିହାର ନିର୍ବାଚନ‌େର ଦକ୍ଷିଣ ଦିଲ୍ଲୀ ଆସନରେ ପରାଜିତ ଜନସଂଘ ଦଳର ପ୍ରାର୍ଥୀ ବଳରାଜ ମାଧୋକ ନିର୍ବାଚନ କମିସନଙ୍କ ଭୂମିକାକୁ ସନ୍ଦେହ କରି ଅଦାଲତର ଆଶ୍ରୟ ନେଇଥିଲେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ତତ୍‌କାଳୀନ ମୁଖ୍ୟ ନିର୍ବାଚନ କମିସନର ଲଙ୍ଗଡ଼ୋଙ୍କ ପ୍ରତି ଆକ୍ଷେପ ଗଣମାଧ୍ୟମରେ ଆଲୋଚିତ ହେଉଥିଲା। ତେବେ, ବର୍ତ୍ତମାନ ସେହି ସନ୍ଦେହ ଅଧିକ ଦୃଢ଼ ହୋଇଛି; କାରଣ ବିଜେପି ସରକାର ଅମଳରେ ଗୃହୀତ ହୋଇଥିବା ‘ମୁଖ୍ୟ ନିର୍ବାଚନ କମିସନର’ଙ୍କ ନିଯୁକ୍ତି ପଦ୍ଧତିରେ ପ୍ରଧାନମନ୍ତ୍ରୀଙ୍କ ଜଣେ ପ୍ରିୟପାତ୍ର ସେହି ପଦରେ ନିଯୁକ୍ତି ପାଇବା ଏବଂ ସେଥି ଲାଗି ପ୍ରଧାନମନ୍ତ୍ରୀଙ୍କ ଠାରେ ଅନୁଗୃହୀତ ହୋଇ ରହିବା ଅନିବାର୍ଯ୍ୟ ହୋଇଥାଏ। ଏଭଳି ସ୍ଥଳେ ସି.ଇ.ସି.ଙ୍କ କେତେକ କାର୍ଯ୍ୟକଳାପ ଓ ନିଷ୍ପତ୍ତି ଅବଲୀଳା କ୍ରମେ ଏହି ସନ୍ଦେହକୁ ଅଧିକ ଦୃଢ଼ କରିଛି ଯାହା! ଉଦାହରଣ ସ୍ବରୂପ ୨୦୨୦ ମସିହାର ଦିଲ୍ଲୀ ନିର୍ବାଚନ କାଳରେ ଅନୁରାଗ ଠାକୁରଙ୍କ ଦ୍ବାରା ପ୍ରଦତ୍ତ ତୀବ୍ର ଘୃଣା ବ୍ୟଂଜକ ସ୍ଲୋଗାନ ‘ଗୋଲି ମାରୋ ସାଲୋଁ କୋ’ ସିଇସିଙ୍କୁ ସ୍ପର୍ଶ କରି ନଥିବା ବେଳେ ରାହୁଳ ଗାନ୍ଧୀଙ୍କୁ ଅନେକ ଥର ତାଙ୍କ ନିର୍ବାଚନୀ ମନ୍ତବ୍ୟ ସକାଶେ ନିର୍ବାଚନ କମିସନଙ୍କ ଠାରୁ ଚେତାବନୀ ଓ ଭର୍ତ୍ସନା ଶୁଣିବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ ନିକଟରେ ‘ଦ ହିନ୍ଦୁ’ରେ ପ୍ରକାଶିତ ‘ଲୋକନୀତି-ସିଏସଡିଏସ’ ଦ୍ବାରା ହୋଇଥିବା ଏକ କ୍ଷୁଦ୍ର ନମୁନା ସର୍ଭେ ପ୍ରଣିଧାନଯୋଗ୍ୟ, ଯହିଁରୁ ସୂଚନା ମିଳିଥାଏ ଯେ ୨୦୧୯ରୁ ୨୦୨୫ ମସିହା ମଧ୍ୟରେ ନିର୍ବାଚନ କମିସନଙ୍କ ନିଷ୍ପକ୍ଷତା ଉପରୁ ଆସ୍ଥା ହରାଇଥିବା ଲୋକଙ୍କ ସଂଖ୍ୟାରେ ହାରାହାରି ୧୬% ବୃଦ୍ଧି ଘଟିଛି। ଯଦିଓ ନିର୍ବାଚନ କମିସନଙ୍କ ଉପରେ ଆସ୍ଥା ସ୍ଥାପନ କରିଥିବା ନାଗରିକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ତଥାପି ଅଧିକ ରହିଛି, ଏହା ଭାରତର ଗଣତନ୍ତ୍ର ସକାଶେ ଏକ ସତର୍କ ଘଣ୍ଟି ତୁଲ୍ୟ ହେବା ଉଚିତ। ଏଣେ, ଗଲା ବୁଧବାର ଦିନ ବିହାରରେ ଏକ ନିର୍ବାଚନ ସଭାରେ ରାହୁଳ ଗାନ୍ଧୀଙ୍କ ଭାଷଣରେ ଅର୍ବାଚୀନସୁଲଭ ଅପରିପକ୍ବତା ପରିଦୃଷ୍ଟ ହୋଇଛି, ଯହିଁରେ ସେ ସି.ଇ.ସି.ଙ୍କ ଉଦ୍ଦେଶ୍ୟରେ ଧମକ ଦେଇଛନ୍ତି ଯେ କ୍ଷମତାକୁ ଆସିଲେ ସି.ଇ.ସି.ଙ୍କୁ ଦେଖିନେବେ! କ୍ଷମତା ରଙ୍କୁଣା ରାଜନୀତିର ଏହା ହେଉଛି ବିଡ଼ମ୍ବନା; ରାହୁଳ ଗାନ୍ଧୀ ଯେଉଁ ପ୍ରତିଶୋଧାତ୍ମକ ରାଜନୀତିର ଶିକାର ବୋଲି ଚିତ୍କାର କରନ୍ତି, ସେ ନିଜେ ସେହି ଆଭିମୁଖ୍ୟ ପୋଷଣ କରନ୍ତି! ବ୍ୟବସ୍ଥାର ସୁଧାର ବା ପରିବର୍ତ୍ତନ ବିଷୟ ଉଠେ ନାହିଁ, ଗଣତନ୍ତ୍ରର ଦୃଢ଼ୀକରଣ ଚିନ୍ତା ରାଜନେତାମାନଙ୍କୁ ଉଦ୍‌ବେଳିତ କରେ ନାହିଁ; ପ୍ରତିଶୋଧପରାୟଣ ରାଜନୀତିର ଚକ୍ର କେବଳ ଘୂରି ଚାଲିଥାଏ ଯାହା!
ଯେଉଁ ବିହାରରେ ଏକ ଅସ୍ବଚ୍ଛ ଓ ସନ୍ଦିଗ୍‌ଧ ‘ଏସ.ଆଇ.ଆର.’ ମାଧ୍ୟମରେ ୬୫ ଲକ୍ଷ ଲୋକଙ୍କୁ ଭୋଟର ତାଲିକାରୁ ଛିନ୍ନ କରି ଦିଆଯାଇଛି, ସେହି ବିହାର ହେଉଛି ଭାରତର ସର୍ବାଧିକ ରୁଗ୍‌ଣ ରାଜ୍ୟ; ସ୍ବାଧୀନତାର ୭୮ ବର୍ଷ ପରେ ସୁଦ୍ଧା ସେଠି ସାକ୍ଷରତା ହାର ମାତ୍ର ୬୧.୮%, ବିପିଏଲଙ୍କ ହାର ଜନସଂଖ୍ୟାର ୫୨%, କାମଧନ୍ଦା ତଲାସ‌େର ରାଜ୍ୟ ବାହାରକୁ ଚାଲିଯାଉଥିବା ଶ୍ରମିକଙ୍କ ହାର ହେଉଛି ଜନସଂଖ୍ୟାର ୭.୨ ପ୍ରତିଶତ। ଏଭଳି ସ୍ଥଳେ କୌଣସି କୁଚକ୍ରୀ ଉପାୟରେ ଯଦି ଜଣେ ସୁଦ୍ଧା ନାଗରିକ ଠାରୁ ତା’ର ଭୋଟ ଦେବାର ଅଧିକାର ଛିନ୍ନ କରି ନିଆଯାଏ, ‌େତବେ ତା’ ଠାରୁ ଅଧିକ ଗର୍ହିତ ଆଉ କ’ଣ ବା ହୋଇପାରେ? କାରଣ ସେହି ଗୋଟିଏ ଅଧିକାର ଭାରତର ଦରିଦ୍ର ନାଗରିକମାନଙ୍କୁ ନୃପତି କରି ରଖିପାରେ(ଶାସନ କ୍ଷମତା ବଦଳାଇ) ଏବଂ ଯାହା ବ୍ୟତିରେକ ସେମାନେ ଏକାବେଳକେ ସଂପୂର୍ଣ୍ଣ ନିଃସ୍ବ ହୋଇଯାଆନ୍ତି। ଆମ ରାଜନୈତିକ ଦଳ ଓ ସାଂବିଧାନିକ ଅନୁଷ୍ଠାନଗୁଡ଼ିକ ଏହି ସାମନ୍ୟ କଥାକୁ ଧ୍ୟାନରେ ରଖିବା ଉଚିତ; ତା’ ନ ହେଲେ ଭାରତର ଗଣତନ୍ତ୍ର ନିଃସ୍ବ ନାଗରିକଙ୍କ ଉତ୍ତପ୍ତ ଦୀର୍ଘଶ୍ବାସରେ ଦଗ୍‌ଧୀଭୂତ ହେବା ସାର ହେବ।