ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ର ଶାସନର ଏକ ବିଡ଼ମ୍ବନା ମଧ୍ୟ ଦୃଷ୍ଟିକୁ ଆସେ। ଗଣତନ୍ତ୍ରର ବ୍ୟବସ୍ଥାରେ ବିରୋଧ ପ୍ରଦର୍ଶନର ଅନେକ ପନ୍ଥା ଉନ୍ମୁକ୍ତ ଥିବାରୁ ରାଜନୈତିକ ନେତୃତ୍ବ ଆପଣା ସ୍ବାର୍ଥ ଓ ସ୍ବପ୍ନ ଚରିତାର୍ଥ କରିବା ଲାଗି ସେହି ସବୁ ପନ୍ଥା ମାଧ୍ୟମରେ ପ୍ରତିବାଦ ଓ ପ୍ରତିକ୍ରିୟାର ରୋଷକୁ ଖୁଚୁରା ମୁଦ୍ରାତୁଲ୍ୟ ଖର୍ଚ୍ଚ କରିଦିଏ। ଏଭଳି ସ୍ଥଳେ ସଂସ୍କାରକାମୀ ଜନ ଜାଗରଣର ସମ୍ଭାବନା ଦିଶେନାହିଁ; ଯେଉଁଥି ଲାଗି ପ୍ରକୃତରେ ଲୋଡ଼ା ସାମାଜିକ ନେତୃତ୍ବ, ଯାହାର ଉଦାହରଣ ରୂପେ ଅତୀତର ଜ୍ୟୋତିବା ଫୁଲେ ବା ପାର୍ବତୀ ଗିରିଙ୍କ ଠାରୁ ନେଇ ବର୍ତ୍ତମାନର ତୃଷା ସେଟ୍ଟୀଙ୍କ ପର୍ଯ୍ୟନ୍ତ ଆମ ସମକ୍ଷରେ ଦଣ୍ଡାୟମାନ। କିନ୍ତୁ ରାଜନୈତିକ ନେତୃତ୍ବର ଔଜ୍ଜ୍ବଲ୍ୟରେ ସେମାନେ ସ୍ତିମିତ! ତେଣୁ ସାଂପ୍ରତିକ ଘଟଣାର ଘନଘଟାରେ ପଚାରିବାକୁ ପଡୁଛି କାହାନ୍ତି ସେଭଳି ଧ୍ରୁବତାରା?
ରାଜ୍ୟର ପ୍ରାୟ ସମସ୍ତ ନାଗରିକଙ୍କୁ ଗଭୀର ଭାବେ ମର୍ମାହତ କରିଥିବା ଛାତ୍ରୀ ଆତ୍ମାହୁତି ଘଟଣାର ପ୍ରତିକ୍ରିୟା ସ୍ବରୂପ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ଧର୍ମଘଟ, ରାସ୍ତାରୋକ, ଓଡ଼ିଶା ବନ୍ଦ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ନିରବ ମହମବତି ଶୋଭାଯାତ୍ରା ଇତ୍ୟାଦି ଦୃଶ୍ୟମାନ ହେବା ପରେ ଘଟଣାଟି କ୍ରମେ ବିସ୍ମୃତ ହେବା ପଥରେ ଅଗ୍ରସର ହେଲାଣି, ଯାହା ଊଣା ଅଧିକେ ଏଭଳି ଘଟଣା ସଂଦର୍ଭରେ ଘଟିଥାଏ। ଏଭଳି ଏକ ହୃଦୟ ବିଦାରକ ଘଟଣାର ପୁନରାବୃତ୍ତି ଯେମିତି ନ ଘଟେ, ସେଥିଲାଗି ସରକାରଙ୍କ ଦ୍ବାରା ଏକ ନୂତନ ଓ କଠୋର ପଦକ୍ଷେପ ଭାବେ ‘ଶକ୍ତିଶ୍ରୀ’ ଭଳି କାର୍ଯ୍ୟାନୁଷ୍ଠାନମୂଳକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିବା ବିଷୟ ଗତକାଲିର ସମ୍ବାଦପତ୍ରଗୁଡ଼ିକର ପ୍ରଥମ ପୃଷ୍ଠାରେ ମଧ୍ୟ ପ୍ରକାଶିତ ହୋଇଛି। ଏହାର ଅର୍ଥ ହେଲା ଉଭୟ ବିରୋଧୀ ଓ ଶାସକ ଦଳ ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିଥିବା ଜନିତ ଅାଶ୍ବସ୍ତିରେ କାଳ ଅତିବାହିତ କରିବାରେ କୌଣସି ଅସୁବିଧା ନାହିଁ! କିନ୍ତୁ ପ୍ରଶ୍ନ ଉଠେ ଯେ ଏ ସବୁ ପ୍ରତିକ୍ରିୟା ଓ ପଦକ୍ଷେପ ଇତ୍ୟାଦି ବହୁଳ ବ୍ୟବହୃତ ଘଷରା ମୁଦ୍ରା ତୁଲ୍ୟ ଅଚଳ ଭଳି ମନେ ହୁଅନ୍ତି ନାହିଁ କି? ଏହାର କୌଣସି ଫଳପ୍ରଦ ପ୍ରଭାବ ପଡ଼ିବାର ସମ୍ଭାବନା ଥାଏ କି? ଏଭଳି ପ୍ରଶ୍ନର ଉତ୍ତର ଖୋଜାଯିବା ଆବଶ୍ୟକ।
ସ୍ବାଧୀନତୋତ୍ତର ଭାରତରେ ସଂଘଟିତ ଯେଉଁ ଦୁଇଟି ଜନ ଜାଗରଣର ପ୍ରଭାବରେ ଦେଶରେ କ୍ଷମତାସୀନ ସରକାରଙ୍କ ପତନ ଘଟିଥିଲା, ସେ ଦୁଇଟି ହେଲା ୧୯୭୪ ମସିହାରେ ଜୟପ୍ରକାଶଙ୍କ ନେତୃତ୍ବାଧୀନ ‘ସଂପୂର୍ଣ୍ଣ କ୍ରାନ୍ତି’ ଏବଂ ୨୦୧୧ ମସିହାର ଆନ୍ନା ହଜାରେଙ୍କ ଦ୍ବାରା ଆହୂତ ଦୁର୍ନୀତି ବିରୋଧୀ ଆନ୍ଦୋଳନ; ଯହିଁରେ ଉଭୟ ନେତା ସେମାନଙ୍କ ସାମାଜିକ ନେତୃତ୍ବ ସକାଶେ ସୁଖ୍ୟାତ। ଏହାର କାରଣ ସ୍ବାଧୀନତା ପରଠାରୁ ରାଜନୈତିକ ନେତୃତ୍ବ କ୍ଷମତା ରଙ୍କୁଣା ହୋଇ ବହୁରୂପୀ ଭଳି ବାରମ୍ବାର ରଙ୍ଗ ପରିବର୍ତ୍ତନ କରି ଆସିଛି ଏବଂ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କ ସ୍ଥିତି- ‘କ୍ଷମତାସୀନ’ ନା ‘କ୍ଷମତାଶୂନ୍ୟ’- ଅନୁସାରେ ପ୍ରାୟ ଅନୁରୂପ ଆଚରଣ ପ୍ରଦର୍ଶନ କରିଲାଗିଛନ୍ତି; ଉଦାହରଣ ସ୍ବରୂପ ଶଂସିତ ଘଟଣାରେ ବର୍ତ୍ତମାନ ‘କ୍ଷମତାଶୂନ୍ୟ’ କଂଗ୍ରେସ ଓ ବିଜେଡିର ଦାବିମାନ ୨୦୧୨ ମସିହାର ବେବିନା ହତ୍ୟାକାଣ୍ଡ ଘଟଣାରେ ସେ ସମୟର ‘କ୍ଷମତାଶୂନ୍ୟ’ ବିଜେପି ଦ୍ବାରା କରାଯାଇଥିବା ଦାବିର ପ୍ରତିଧ୍ବନି ଭଳି ଶୁଭିଥାଏ ଏବଂ ଅତୀତରେ ବିଭିନ୍ନ ସ୍ପର୍ଶକାତର ଘଟଣା ସଂଦର୍ଭରେ ତତ୍କାଳୀନ ‘କ୍ଷମତାସୀନ’ କଂଗ୍ରେସ ବା ବିଜେଡିର କାର୍ଯ୍ୟ ଓ ପ୍ରତିକ୍ରିୟାର ପୁନରାବୃତ୍ତି ସଂପ୍ରତି ‘କ୍ଷମତାସୀନ’ ବିଜେପି ଠାରେ ମଧ୍ୟ ପରିଦୃଷ୍ଟ ହୋଇଛି। କହିବାର ତାତ୍ପର୍ଯ୍ୟ ହେଲା, ରାଜନୈତିକ ନେତୃତ୍ବ କେବଳ ଚର୍ବିତଚର୍ବଣତା ଓ ଆନ୍ତରିକତାହୀନ ଉଚ୍ଚାଟ ସୃଷ୍ଟିରେ ବ୍ୟାପୃତ, ଯହିଁରେ ଯେ କୌଣସି ଗୁରୁତର ପ୍ରସଙ୍ଗ ଅବଲୀଳା କ୍ରମେ ଶାସକ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ କର୍ଦ୍ଦମ ନିକ୍ଷେପ ଓ ବ୍ୟକ୍ତିଗତ କୁତ୍ସା ଇତ୍ୟାଦିର ଘନଘଟା ମଧ୍ୟରେ ମହତ୍ତ୍ବ ହରାଏ। ଏହାର ଦୃଷ୍ଟାନ୍ତ ଅସୁମାରି। ସମ୍ଭବତଃ ଏହି କାରଣରୁ ଅନେକ ଦୃଢ଼ମନସ୍କ ଆନ୍ଦୋଳନ ପ୍ରାରମ୍ଭିକ ଭାବେ ସେମାନଙ୍କ ପରିସରରୁ ରାଜନୈତିକ ଦଳଗୁଡ଼ିକୁ ବହିର୍ଭୂତ କରି ରଖିବାର ଉଦ୍ୟମ କରନ୍ତି, ଯାହାର ଉଦାହରଣ ୨୦୨୦ ମସିହାର କୃଷକ ଆନ୍ଦୋଳନ ବା ୨୦୨୩ ମସିହାର ମହିଳା ମଲ୍ଲଯୋଦ୍ଧାମାନଙ୍କ ସମୂହ ପ୍ରତିବାଦ। ଅବଶ୍ୟ, ଏକ କର୍କଶ ବାସ୍ତବତା ହେଲା ରାଜନୀତୀକରଣର କୀଟର ପ୍ରବେଶ ଘଟାଇ ଅନେକ ଆନ୍ଦୋଳନକୁ ଘୁଣଖିଆ କରି ଦେବାର ଚକ୍ରାନ୍ତ ମଧ୍ୟ ହୁଏ ଏବଂ କେତେକ କ୍ଷେତ୍ରରେ ସଫଳତା ମିଳିଥାଏ ମଧ୍ୟ! ସୁତରାଂ, ରାଜନୈତିକ ନେତୃତ୍ବ ଦ୍ବାରା ଏକ ସଫଳ ଆନ୍ଦୋଳନର ସୃଷ୍ଟି ଓ ତଜ୍ଜନିତ କୌଣସି ସଂସ୍କାରମୂଳକ ପରିବର୍ତ୍ତନର ସମ୍ଭାବନା କଦାଚିତ୍ ସମ୍ଭବ ନୁହେଁ। କିନ୍ତୁ ବିଡ଼ମ୍ବନାଟି ହେଲା, ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ନାରୀ ସଶକ୍ତୀକରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସଂସ୍କାରକାମୀ ଗତିବିଧିରେ ନିମଗ୍ନ ସାମାଜିକ ନେତୃତ୍ବ ପ୍ରାୟତଃ ସୀମାନ୍ତରିତ ଓ ଦୃଷ୍ଟି ଅନ୍ତରାଳରେ ଏବଂ ନେତୃତ୍ବର କିରୀଟ ସ୍ବଳ୍ପ ଓ ସଂକୀର୍ଣ୍ଣ ଦୃଷ୍ଟିଧାରୀ କ୍ଷମତା ରାଜନୀତି ଦ୍ବାରା ଅପହୃତ!
ହତଭାଗ୍ୟ ସୌମ୍ୟାଶ୍ରୀଙ୍କ ଘଟଣାରେ ଦେଖିବାକୁ ମିଳିଛି ଯେ ସେ ଭୋଗିଥିବା କଷଣ ଓ ଅବିଚାର ସଂପର୍କରେ ସେ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀ ଓ କର୍ତ୍ତାମାନଙ୍କୁ ଅବଗତ କରାଇଥିଲେ ହେଁ ତାଙ୍କ ବ୍ୟଥା ସେମାନଙ୍କ ଦୃଷ୍ଟି ବା ଶ୍ରୁତିଗୋଚର ହୋଇ ନ ଥିଲା। ଏହାର ଏକମାତ୍ର କାରଣ ସଂବେଦନଶୂନ୍ୟତା। ଅବଶ୍ୟ, କେହି କେହି ଯୁକ୍ତି ରଖି ପାରନ୍ତି ଯେ ପ୍ରତ୍ୟହ ଶହ ଶହ ଅପରିଚିତଙ୍କ ଭିନ୍ନ ଭିନ୍ନ ସମସ୍ୟାର ସଂସ୍ପର୍ଶରେ ଆସୁଥିବା ଅଧିକାରୀମାନଙ୍କ ପକ୍ଷରୁ ସର୍ବଦା ଓ ସମସ୍ତଙ୍କ ଲାଗି ସଂବେଦନା ଆଶା କରିବା ଅବାସ୍ତବ! କିନ୍ତୁ, କଥା ହେଲା, କୌଣସି ବ୍ୟକ୍ତିଙ୍କ ପ୍ରତି ନ ହେଉ ପଛକେ, ଅନ୍ତତଃ ନିଜ କାର୍ଯ୍ୟ ବା ଦାୟିତ୍ବ ପ୍ରତି ତ ସେମାନେ ସଂବେଦନଶୀଳ ହେବେ, ଯଦ୍ଦ୍ବାରା ସମସ୍ୟା ଜର୍ଜର ଲୋକେ ଆପଣା ଛାଏଁ ଉପକୃତ ହୋଇ ପାରନ୍ତେ! ସୌମ୍ୟାଶ୍ରୀଙ୍କ ମୌଖିକ ଓ ଲିଖିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବା ଭଳି ସର୍ବନିମ୍ନ କର୍ତ୍ତବ୍ୟ ଯଦି କ୍ଷମତାଧାରୀମାନେ ସଂପାଦନ କରିଥାଆନ୍ତେ, ତେବେ ସୌମ୍ୟାଶ୍ରୀ ଆଜି ଜୀବିତ ଥାଆନ୍ତେ! ସେହି ଦୃଷ୍ଟିରୁ ଏକ ବାସ୍ତବତା ହେଲା, କର୍ତ୍ତବ୍ୟ ପ୍ରତି ସଂବେଦନଶୀଳତା ସୃଷ୍ଟି ନ ହେଲେ ‘ଶକ୍ତିଶ୍ରୀ’ ଭଳି ପଦକ୍ଷେପ ମଧ୍ୟ ନିରର୍ଥକ ହୋଇଯିବ, ଯେମିତି ଅନେକ ନିୟମକାନୁନ ବସ୍ତୁତଃ ଥାଇ ନ ଥିବା ଭଳି ହୋଇ ରହିଛନ୍ତି।
ଏହି ଆଲୋଚନା କାଳରେ ତରୁଣ ସାମାଜିକ ନେତ୍ରୀ ତୃଷା ସେଟ୍ଟୀ ସ୍ବତଃ ସ୍ମରଣକୁ ଆସନ୍ତି, ଯିଏ ଲିଙ୍ଗୀୟ ବିଦ୍ବେଷ ଓ ନାରୀ ନିର୍ଯାତନା କ୍ଷେତ୍ରରେ ପଥୀକୃତ ଭାବେ କାର୍ଯ୍ୟରତ। ଏକ ସାକ୍ଷାତକାର ଅବସରରେ ସେ ଏକ ଦୃଷ୍ଟାନ୍ତ ଦେଇ କହିଥିଲେ, କିଭଳି ଜଣେ ଚାରି ବର୍ଷ ବୟସ୍କା ଝିଅ ସହିତ ୨୦୧୬ ମସିହାରେ ହୋଇଥିବା ଜଘନ୍ୟ ବଳାତ୍କାର ଘଟଣାରେ ଦୋଷୀକୁ ଦଣ୍ଡ ଦିଆଇବା ଲାଗି ତାଙ୍କୁ ଲାଗି ଯାଇଥିଲା ଦୀର୍ଘ ତିନି ବର୍ଷ, ଅର୍ଥାତ୍ ଏକ ହଜାରରୁ ଅଧିକ ଦିନ ପ୍ରତ୍ୟହ ଡାକ୍ତରଖାନା, ପୁଲିସ ଷ୍ଟେସନ ଓ ପ୍ରାଶାସନିକ କର୍ମଚାରୀଙ୍କୁ ମୁହଁ ଦେଖାଇବା, ପ୍ରତ୍ୟେକ ସ୍ତରରେ ଦୃଢ଼ମୂଳ ହୋଇ ରହିଥିବା ସଂବେଦନଶୂନ୍ୟତାକୁ ସାମନା କରି କାର୍ଯ୍ୟାନୁଷ୍ଠାନ ସକାଶେ ନିରନ୍ତର ଅନୁରୋଧ, ପ୍ରାର୍ଥନା ଏପରିକି ଚିତ୍କାର କରିବା ଏବଂ ତା’ ସହିତ ଧମକଚମକ, ଗାଳିଗୁଲଜ ଓ ଆକ୍ରମଣର ଭୟରେ କାଳାତିପାତ କରିବା। ଏହାର ଅର୍ଥ ସ୍ପଷ୍ଟ ଯେ କୌଣସି ପୀଡ଼ିତଙ୍କ ଜୀବନରେ ହେଉ ବା ସମାଜରେ; ପରିବର୍ତ୍ତନ ଆଣିବା ସକାଶେ ଲୋଡ଼ା ନିରନ୍ତର ଓ ଦୀର୍ଘକାଳୀନ ନିଷ୍ଠାପର ଉଦ୍ୟମ, ଯାହା କୌଣସି ରାଜନୈତିକ ନେତୃତ୍ବ ଠାରୁ ଆଶା କରିବା ବୃଥା ଏବଂ ତାଙ୍କ ଭାଷାରେ ରାଜନୈତିକ ନେତୃତ୍ବ ହେଉଛି ସେହି ‘ପୁନଃ ନବୀକରଣକ୍ଷମ ଶକ୍ତିଉତ୍ସ’ ବା ‘ରିନିଉଏବଲ ଏନର୍ଜି ସୋର୍ସ’, ଯାହାର ପ୍ରବାହ ଚୌକି ହରାଇବା ବା ପାଇବା ଉପରେ ନିର୍ଭର କରିଥାଏ!
ଗଲା ଶନିବାର ଦିନ ବଳଙ୍ଗା ଠାରେ ଏକ ନାବାଳିକାକୁ ପୋଡ଼ି ଦିଆଯାଇଥିବା ଘଟଣାକୁ ନେଇ ରାଜନୀତି ପୁନର୍ବାର ଉଚ୍ଚାଟ ମୁଖର ହେଲାଣି। କିନ୍ତୁ ଏଭଳି କଳରବର ସ୍ଥାୟିତ୍ବ ଯେ ସଂକ୍ଷିପ୍ତ ଓ ଫଳପ୍ରଦତା ଯେ ଶୂନ୍ୟପ୍ରାୟ, ତାହା ମଧ୍ୟ ଅନୁମାନଯୋଗ୍ୟ। ଏଭଳି ଚର୍ଚ୍ଚା ବେଳେ ସ୍ମରଣକୁ ଆସେ ୨୦୧୦ ମସିହାର ସେହି ଡିସେମ୍ବର ୧୭ ତାରିଖ, ଯେଉଁ ଦିନ ଟ୍ୟୁନିସିଆରେ ଜଣେ ଫଳ ବିକ୍ରେତାଙ୍କ ଫଳ ବୋଝେଇ ଠେଲାଟିକୁ ପୁଲିସ ବିନାକାରଣରେ ଜବତ କରି ନେବାରୁ ମ୍ରିୟମାଣ ଫଳ ଦୋକାନୀ ମହମ୍ମଦ ବୋଆଜିଜି ସଡ଼କରେ ଆତ୍ମାହୁତି ଦେଲେ। ସେହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ସେଠାକାର ନିପୀଡ଼କ ଏକଛତ୍ରବାଦୀ ଶାସନ ବିରୋଧରେ ଯେଉଁ ସ୍ବତଃସ୍ଫୂର୍ତ୍ତ ଜନ ଜାଗରଣ ସୃଷ୍ଟି କଲା, ତାହା ଯୁଗାନ୍ତକାରୀ ‘ଆରବ ବସନ୍ତ’ ନାମରେ ଖ୍ୟାତ। ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ର ଶାସନର ଏକ ବିଡ଼ମ୍ବନା ମଧ୍ୟ ଦୃଷ୍ଟିକୁ ଆସେ। ଗଣତନ୍ତ୍ରର ବ୍ୟବସ୍ଥାରେ ବିରୋଧ ପ୍ରଦର୍ଶନର ଅନେକ ପନ୍ଥା ଉନ୍ମୁକ୍ତ ଥିବାରୁ ରାଜନୈତିକ ନେତୃତ୍ବ ଆପଣା ସ୍ବାର୍ଥ ଓ ସ୍ବପ୍ନ ଚରିତାର୍ଥ କରିବା ଲାଗି ସେହି ସବୁ ପନ୍ଥା ମାଧ୍ୟମରେ ପ୍ରତିବାଦ ଓ ପ୍ରତିକ୍ରିୟାର ରୋଷକୁ ଖୁଚୁରା ମୁଦ୍ରାତୁଲ୍ୟ ଖର୍ଚ୍ଚ କରିଦିଏ। ଏଭଳି ସ୍ଥଳେ ସଂସ୍କାରକାମୀ ଜନ ଜାଗରଣର ସମ୍ଭାବନା ଦିଶେନାହିଁ; ଯେଉଁଥି ଲାଗି ପ୍ରକୃତରେ ଲୋଡ଼ା ସାମାଜିକ ନେତୃତ୍ବ, ଯାହାର ଉଦାହରଣ ରୂପେ ଅତୀତର ଜ୍ୟୋତିବା ଫୁଲେ ବା ପାର୍ବତୀ ଗିରିଙ୍କ ଠାରୁ ନେଇ ବର୍ତ୍ତମାନର ତୃଷା ସେଟ୍ଟୀଙ୍କ ପର୍ଯ୍ୟନ୍ତ ଆମ ସମକ୍ଷରେ ଦଣ୍ଡାୟମାନ। କିନ୍ତୁ ରାଜନୈତିକ ନେତୃତ୍ବର ଔଜ୍ଜ୍ବଲ୍ୟରେ ସେମାନେ ସ୍ତିମିତ! ତେଣୁ ସାଂପ୍ରତିକ ଘଟଣାର ଘନଘଟାରେ ପଚାରିବାକୁ ପଡୁଛି କାହାନ୍ତି ସେଭଳି ଧ୍ରୁବତାରା?