ଖାଦ୍ୟଦ୍ରବ୍ୟ ଦର ଯଦି ନିୟନ୍ତ୍ରଣ ମଧ୍ୟରେ ରହେ, ତେବେ ୨୦୨୫-୨୬ ବିତ୍ତ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଭଳି ନୀଚା ରହିଚାଲିବ ବୋଲି ଅନୁମାନ କରାଯାଉଛି। ସୌଭାଗ୍ୟକୁ ଇସ୍ରାଏଲ-ଇରାନ ଯୁଦ୍ଧ ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏ ପର୍ଯ୍ୟନ୍ତ ଶାନ୍ତ ରହିଛି। ତେଣୁ ମୁଦ୍ରାସ୍ଫୀତି ଉପରେ ତାହା ଚାପ ପକାଇବ ନାହିଁ।

Advertisment

ସାମ୍ୟବାଦର ଅନ୍ୟତମ ପ୍ରବର୍ତ୍ତକ ତଥା ପୁଞ୍ଜିବାଦର ଚରମ ଶତ୍ରୁ ଲେନିନ୍ ପୁଞ୍ଜିବାଦୀ ଅର୍ଥନୀତିର ଧ୍ବଂସ ସାଧନ ପାଇଁ ଯାହାକୁ ସର୍ବାଧିକ ଫଳପ୍ରଦ ଉପାୟ ରୂପେ ବିବେଚନା କରୁଥିଲେ, ତାହା କୌଣସି ରକ୍ତାକ୍ତ ବିପ୍ଳବ ନ ଥିଲା। ତାହା ଥିଲା- ମୁଦ୍ରାସ୍ଫୀତି। ଏହାର ପ୍ରମାଣ ସ୍ବରୂପ ପୁଞ୍ଜିବାଦର ବଇଦ ରୂପେ ଜଣାଶୁଣା ମହାନ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍‌ସ ତାଙ୍କର ଅନ୍ୟତମ ପ୍ରସିଦ୍ଧ ରଚନା, ‘ଦି ଇକୋନମିକ୍ କନ୍‌ସିକ୍ବେନ୍‌ସେସ୍ ଅଫ୍ ଦି ପିସ୍’ (‘ଶାନ୍ତିର ଅର୍ଥନୈତିକ ପରିଣାମ’)ରେ ଏ ସମ୍ବନ୍ଧରେ ଯାହା କହିଥିଲେ, ତା’ର କିୟଦଂଶ ନିମ୍ନରେ ଉଦ୍ଧାର କରାଯାଇଛି।
‘‘ଲେନିନ୍ କହିବା ଶୁଣାଯାଇଛି ଯେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଧ୍ବଂସ କରିବାର ସର୍ବୋତ୍ତମ ଉପାୟ ହେଉଛି ତା’ର ମୁଦ୍ରାକୁ ଦୁର୍ବଳ କରିଦେବା। ଏକ ଅବିରତ ମୁଦ୍ରାସ୍ଫୀତି ପ୍ରକ୍ରିୟା ମାଧ୍ୟମରେ ସରକାର ଚୁପ୍‌ଚାପ୍ ସମସ୍ତଙ୍କ ଅଗୋଚରରେ ନାଗରିକମାନଙ୍କର ସଂପଦର ଏକ ବିଶେଷ ଅଂଶ ହଡ଼ପ କରି ନେଇଥାଏ।... ଲେନିନ୍ ଠିକ୍ କହିଥିଲେ। ସମାଜର ମୂଳଦୁଆକୁ ଓଲଟପାଲଟ କରିଦେବା ପାଇଁ ଏହାର ମୁଦ୍ରାକୁ ଦୁର୍ବଳ କରିବା ଠାରୁ ଆଉ ଅଧିକ ସୂକ୍ଷ୍ମ ଓ ନିଶ୍ଚିତ ଉପାୟ କିଛି ନାହିଁ। ଏହି ପ୍ରକ୍ରିୟା ଅର୍ଥନୈତିକ ନିୟମର ସମସ୍ତ ଲୁକ୍‌କାୟିତ ଶକ୍ତିକୁ ଧ୍ବଂସାତ୍ମକ କାର୍ଯ୍ୟରେ ନିୟୋଜିତ କରିଥାଏ ଏବଂ କୋଟିକରେ ଗୋଟିଏ ଲୋକ ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇ ନ ଥାଏ।’’ ସେଇଥିପାଇଁ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ମୁଦ୍ରାସ୍ଫୀତିକୁ ଏକ ଲୁକ୍‌କାୟିତ ଟିକସ ରୂପେ ବର୍ଣ୍ଣନା କରିଥାନ୍ତି।
ଭାରତର ଅର୍ଥ ବ୍ୟବସ୍ଥା ହେଉଛି ଏକ ଉଦାର ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା। ନିକଟ ଅତୀତରେ ଏହି ବ୍ୟବସ୍ଥାର କର୍ଣ୍ଣଧାରମାନେ ଭାରତୀୟ ଅର୍ଥନୀତିକୁ ଏହି ଲେନିନୀୟ ବିପଦରୁ ସୁରକ୍ଷିତ ରଖିବା ନିମିତ୍ତ ସବୁମନ୍ତେ ଉଦ୍ୟମ କରି ଆସିଛନ୍ତି। ବିଗତ ମାସମାନଙ୍କରେ ସେମାନଙ୍କର ଏହି ଉଦ୍ୟମ (ଯେମିତି ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କର ମୁଦ୍ରାସ୍ଫୀତି ସହିତ ଅନବରତ ଯୁଦ୍ଧ)ର ସୁଫଳ ମିଳିବାକୁ ଆରମ୍ଭ କରିଥିବାବେଳେ, ଏବେ ସଦ୍ୟ ପ୍ରକାଶିତ ମୁଦ୍ରାସ୍ଫୀତି ପରିସଂଖ୍ୟାନ ଦେଖିଲେ ମନେ ହୁଏ ଯେ ଆମେ ଶେଷରେ ସେଇ ଲେନିନ୍‌ବର୍ଣ୍ଣିତ ନିଃଶବ୍ଦ ଶତ୍ରୁକୁ ସଂପୂର୍ଣ୍ଣ ପଦାନତ କରିବାରେ ସଫଳ ହୋଇଛୁ।
ଏହା ଅନୁସାରେ ଜୁନ୍ ମାସରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ହୋଇଛି ୨.୧୦ ଶତାଂଶ। ଏହା ଯେ କେବଳ ଭାରତରେ ଅନୁସୃତ ୪ ଶତାଂଶ ଆଦର୍ଶ ଖାଉଟି ମୁଦ୍ରାସ୍ଫୀତି ହାର ଠାରୁ ବେଶ୍ ତଳେ ରହିଛି, ତାହା ନୁହେଁ, ଏହା ମଧ୍ୟ ହେଉଛି ବିଗତ ଛ’ ବର୍ଷ ମଧ୍ୟରେ ଦେଶରେ ଦେଖାଯାଇଥିବା ସର୍ବନିମ୍ନ ଖାଉଟି ମୁଦ୍ରାସ୍ଫୀତି ହାର। ସେତିକି ନୁହେଁ, ଏଥି ସହିତ ଦୀର୍ଘ ୧୯ ମାସ ପରେ ପାଇକାରୀ ମୁଦ୍ରାସ୍ଫୀତି ଋଣାତ୍ମକ  ହେବା ଦେଖାଯାଇଛି। ପାଇକାରୀ ବଜାରରେ ଦରଦାମ‌ର ଗତିକୁ ପ୍ରତିଫଳିତ କରୁଥିବା ସୂଚକ (‘ଡବ୍ଲ୍ୟୁପିଆଇ’) ମଇ ମାସରେ ୦.୩୯ ଶତାଂଶ ହୋଇଥିବାବେଳେ, ଜୁନ୍ ମାସ ପାଇଁ ତାହା ହୋଇଛି (-)୦.୧୩ ଶତାଂଶ। ଉଲ୍ଲେଖନୀୟ ଭାବରେ ବର୍ଷକ ତଳେ ଜୁନ୍ ୨୦୨୪ରେ ଏଇ ପାଇକାରୀ ମୁଦ୍ରାସ୍ଫୀତି ସୂଚକର ମୂଲ୍ୟ ଥିଲା ୩.୪୩ ଶତାଂଶ। ମଇ ମାସରେ ଖାଉଟି ମୁଦ୍ରାସ୍ଫୀତି ସୂଚକ (‘ସିପିଆଇ’)ର ମୂଲ୍ୟ ଥିଲା ୨.୮୨ ଶତାଂଶ। ବର୍ଷକ ତଳେ ଜୁନ୍ ୨୦୨୪ରେ ଏହା ଥିଲା ୫.୦୮ ଶତାଂଶ। ଏଥର ଲଗାତାର ପଞ୍ଚମ ମାସ ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ୍ ଅନୁସରଣ କରୁଥିବା ମଧ୍ୟବର୍ତ୍ତୀକାଳୀନ ନିଶାଣ ୪ ଶତାଂଶ ଠାରୁ କମ୍ ହୋଇଛି। ଯାହା ମଧ୍ୟ ଆହୁରି ସନ୍ତୋଷଜନକ, ତାହା ହେଲା, କ୍ରମାଗତ ଦ୍ବିତୀୟ ମାସ ପାଇଁ ଜୁନ୍‌ରେ ଖାଉଟି ମୁଦ୍ରାସ୍ଫୀତି ହାର ୩ ଶତାଂଶ ତଳେ ରହିଛି।
ସୂଚନା ଅନାବଶ୍ୟକ ଯେ ମୁଦ୍ରାସ୍ଫୀତି ହାର ବଜାରରେ ଦରଦାମର ହ୍ରାସବୃଦ୍ଧିକୁ ସୂଚାଇଥାଏ। ଏହା ଧନାତ୍ମକ ହୋଇଥିଲେ ତାହା ଦରଦାମରେ ବୃଦ୍ଧି ସୂଚାଇଥିବାବେଳେ, ଏହା ଯଦି ଋଣାତ୍ମକ ହୋଇଥାଏ, ତାହା ଦରଦାମରେ ହ୍ରାସ ସୂଚାଇଥାଏ, ଯାହା ଅବସ୍ଫୀତି ନାମରେ ପରିଚିତ। ରିଜର୍ଭ ବ୍ୟାଙ୍କ୍ ତା’ର ଦିଗ୍‌ଦର୍ଶକ ସୁଧ ହାର ‘ରେପୋ ରେଟ୍’ ନିର୍ଣ୍ଣୟ କରିବାବେଳେ ମୁଦ୍ରାସ୍ଫୀତିର ସ୍ତର ଓ ଗତିବିଧିକୁ ବିଚାରକୁ ନେଇଥାଏ। ମୁଦ୍ରାସ୍ଫୀତି ହାର ଯଦି ଉଚ୍ଚା ଥାଏ, ତାହାର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ଉଚ୍ଚା ରଖିବାକୁ ବାଧ୍ୟ ହୋଇଥାଏ, କିମ୍ବା ଅନ୍ୟ ଭାଷାରେ ସୁଧ ହାରରେ ହ୍ରାସ ଘଟାଇବାକୁ କୁଣ୍ଠିତ ହୋଇଥାଏ। ମୁଦ୍ରାସ୍ଫୀତିରେ ବର୍ତ୍ତମାନ ଯେଉଁ ନିୟମିତ ହ୍ରାସ ଘଟି ଚାଲିଛି ଏବଂ ତାହା ଯେଉଁଭଳି ଏକ ନୀଚା ସ୍ତର ସ୍ପର୍ଶ କଲାଣି, ସେଥିରୁ ମନେ ହେଉଛି ତାହା ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (‘ଏମ୍‌ପିସି’)କୁ ଆସନ୍ତା ମାସର ବୈଠକରେ ପୁଣି ଥରେ ‘ରେପୋ ରେଟ୍’ରେ ହ୍ରାସ ଘଟାଇବାକୁ ପ୍ରବୃତ୍ତ କରିବ।
ମୁଦ୍ରାସ୍ଫୀତିର ଏହି ହ୍ରାସମାନ ଧାରା ସହିତ ତାଳ ଦେଇ ରିଜର୍ଭ ବ୍ୟାଙ୍କ୍ ଫେବ୍ରୁଆରିରୁ ଇତିମଧ୍ୟରେ ‘ରେପୋ ରେଟ୍’ରେ ପୂରା ୧୦୦ ବେସିସ୍ ପଏଣ୍ଟ (୧ ଶତାଂଶ) ହ୍ରାସ ଘଟାଇ ସାରିଲାଣି, ଯେଉଁଥିରେ ଜୁନ୍‌ରେ ଘଟାଯାଇଥିବା ଏକ ଆଶାତୀତ ୫୦ ବେସିସ୍ ପଏଣ୍ଟ (୦.୫ ଶତାଂଶ) ହ୍ରାସ ଅନ୍ତର୍ଭୁକ୍ତ। ରେପୋ ରେଟ୍‌ରେ ଏହା ଏକ ଉଲ୍ଲେଖନୀୟ ହ୍ରାସ ହୋଇଥିଲେ ହେଁ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ଆଉ ଏକ ସୀମିତ ହ୍ରାସ (ହୁଏତ ୨୫ ବେସିସ୍ ପଏଣ୍ଟ) ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ଆନ୍ତର୍ଜାତିକ ଅର୍ଥନୈତିକ ପରିସ୍ଥିତିରେ ଯେଉଁଭଳି ଅସ୍ଥିରତା ସୃଷ୍ଟି କରିଛି, ତାହାର ପ୍ରଭାବରୁ ଭାରତୀୟ ଅର୍ଥନୀତିକୁ ସୁରକ୍ଷିତ ରଖି ତାହାର ଅଭିବୃଦ୍ଧିକୁ ଅବ୍ୟାହତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଏହି ପ୍ରୋତ୍ସାହନ ପ୍ରଦାନ କରିପାରେ।
ମୁଦ୍ରାସ୍ଫୀତିରେ ବର୍ତ୍ତମାନ ଯେଉଁ ହ୍ରାସ ଦେଖାଦେଇଛି, ତାହା ମୁଖ୍ୟତଃ ଖାଦ୍ୟଦ୍ରବ୍ୟ ଦରଦାମରେ ଘଟିଥିବା ହ୍ରାସ ଯୋଗୁଁ ସମ୍ଭବ ହୋଇଛି। ଫେବ୍ରୁଆରି ୨୦୧୯ ପରଠାରୁ ଏବେ ପ୍ରଥମ ଥର ପାଇଁ ଖାଉଟି ଖାଦ୍ୟଦ୍ରବ୍ୟମାନଙ୍କର ଦାମରେ ଅବସ୍ଫୀତି ଘଟିବା ଦେଖାଯାଇଛି। ପରିବାପତ୍ର, ଡାଲି ଓ ମସଲା ଦାମରେ ଘଟିଥିବା ତୀକ୍ଷ୍‌ଣ ହ୍ରାସର ପ୍ରଭାବରେ ଗତ ବର୍ଷ ତୁଳନାରେ ଜୁନ୍‌ରେ ଖାଦ୍ୟଦ୍ରବ୍ୟ ଦାମରେ ୧.୧ ଶତାଂଶ ହ୍ରାସ ଘଟିବା ସମ୍ଭବ ହୋଇଛି। ଉଦାହରଣ ସ୍ବରୂପ ବର୍ଷକ ମଧ୍ୟରେ ପରିବାପତ୍ର ଦରରେ ୧୯ ଶତାଂଶ ହ୍ରାସ ଘଟିଥିବାବେଳେ ଡାଲି ଦରରେ ୧୧.୮ ଶତାଂଶ ହ୍ରାସ ଘଟିଛି। ଖାଦ୍ୟଶସ୍ୟ ଦରରେ ଘଟିଥିବା ବୃଦ୍ଧି ୩.୭ ଶତାଂଶରେ ସୀମିତ ରହିଛି, ଯାହା ହେଉଛି ବିଗତ ୪୧ ମାସ ମଧ୍ୟରେ ସର୍ବନିମ୍ନ।
ଖରିଫ ଋତୁରେ ବୁଣାବୁଣିରେ ଘଟିଥିବା ସନ୍ତୋଷଜନକ ଅଗ୍ରଗତି ଆଗାମୀ ସମୟରେ ମଧ୍ୟ ଖାଦ୍ୟଦ୍ରବ୍ୟ ମୂଲ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବାର ଦୃଢ଼ ସମ୍ଭାବନା ବହନ କରୁଛି। ଅନୁକୂଳ ମୌସୁମୀ ପ୍ରବାହ ଏହି ସମ୍ଭାବନାକୁ ଆହୁରି ଦୃଢ଼ୀଭୂତ କରୁଛି। ଖାଦ୍ୟଦ୍ରବ୍ୟ ଦର ଯଦି ନିୟନ୍ତ୍ରଣ ମଧ୍ୟରେ ରହେ, ତେବେ ୨୦୨୫-୨୬ ବିତ୍ତ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ଭଳି ନୀଚା ରହିଚାଲିବ ବୋଲି ଅନୁମାନ କରାଯାଉଛି। ସୌଭାଗ୍ୟକୁ ଇସ୍ରାଏଲ-ଇରାନ ଯୁଦ୍ଧ ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏ ପର୍ଯ୍ୟନ୍ତ ଶାନ୍ତ ରହିଛି। ତେଣୁ ମୁଦ୍ରାସ୍ଫୀତି ଉପରେ ତାହା ଚାପ ପକାଇବ ନାହିଁ।
ଏ ସମସ୍ତ କାରଣ ଯୋଗୁଁ ଯଦି ଖାଉଟିମାନଙ୍କର ମୁଦ୍ରାସ୍ଫୀତି ପ୍ରତ୍ୟାଶା ନିମ୍ନଗାମୀ ହୁଏ, ତେବେ ସେମାନେ ବଜାରରେ ଅଧିକ ଖର୍ଚ୍ଚ କରିବା ପାଇଁ ଉତ୍ସାହିତ ହେବେ, ଯାହା ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇବ। ଏହା ଘରୋଇ ନିବେଶକମାନଙ୍କୁ ଅଧିକ ପୁଞ୍ଜି ନିବେଶ କରି ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟାଇବାକୁ ପ୍ରବୃତ୍ତ କରିବ। ଉତ୍ପାଦନରେ ବୃଦ୍ଧି ଘଟିଲେ ମୁଦ୍ରାସ୍ଫୀତି ନୀଚା ହେବ। ଅନ୍ୟ ଭାଷାରେ କହିଲେ ବର୍ତ୍ତମାନର ନୀଚା ମୁଦ୍ରାସ୍ଫୀତି ଭାରତୀୟ ଅର୍ଥନୀତି ପାଇଁ ଏକ ପୁଣ୍ୟଚକ୍ର ସୃ‌ଷ୍ଟି କରିବାକୁ ଯାଉଛି ବୋଲି ଆଶା କରାଯାଇପାରେ।