ଏକ ବିଦେଶୀ ପ୍ଲାଟ୍‌ଫର୍ମ ଯେତେବେଳେ ରାତାରାତି ତା’ର ଗୋପନୀୟତା ନୀତିରେ ପରିବର୍ତ୍ତନ ଘଟାଇଥାଏ କିମ୍ବା ଏକତରଫା ଭାବରେ କୌଣସି ଆକାଉଣ୍ଟ ବନ୍ଦ କରିଦିଏ, ଭାରତୀୟ ବ୍ୟବହାରକାରୀମାନଙ୍କ ପାଖରେ ତାହାର କୌଣସି ତୁରନ୍ତ ପ୍ରତିକାର ଉପାୟ ଉପଲବ୍‌ଧ ହୋଇ ନ ଥାଏ। ‘ଆରାଟ୍ଟାଇ’ କିନ୍ତୁ ଉଭୟ ଭାରତୀୟ ଆଇନ ଓ ଭାରତୀୟ ଉପଭୋକ୍ତାମାନଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବାରୁ ତା’ର ଆଚରଣ ଅଧିକ ଦାୟିତ୍ବସଂପନ୍ନ ହେବା ନିଶ୍ଚିତ।

Advertisment

ଡିଜିଟାଲ୍ ପ୍ରବିଧି ପ୍ରୟୋଗରେ ଭାରତ ପୃଥିବୀର ଏକ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠା ଲାଭ କରିଛି: ଆଧାରରୁ ଇଭିଏମ୍, ୟୁପିଆଇ ପର୍ଯ୍ୟନ୍ତ ହେଉଛନ୍ତି ଏହାର ପ୍ରମାଣମାନ। ଭାରତ ବିଦେଶୀ ଔପନିବେଶିକ ଶାସନ କବଳରୁ ମୁକୁଳିବାର ଇତି ମଧ୍ୟରେ ଏକ ଶତାବ୍ଦୀର ତିନି-ଚତୁର୍ଥାଂଶ ଗତ ହୋଇସାରିଲାଣି। ଭାରତ କିନ୍ତୁ ରାଜନୈତିକ ପରାଧୀନତାକୁ ବିଦାୟ ଜଣାଇ ସାରିଥିଲେ ହେଁ, ଏବଂ ଏଭଳି ଏକ ଡିଜିଟାଲ୍ ଶକ୍ତି ରୂପେ ଆବିର୍ଭୂତ ହୋଇଥିଲେ ହେଁ, ଆମ ଦେଶ ଏବେ ପ୍ରକୃତରେ ଏକ ଡିଜିଟାଲ୍ ଉପନିବେଶବାଦ ଦ୍ବାରା କବଳିତ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ, ଆମର ଡିଜିଟାଲ୍ ଦୁନିଆ ବର୍ତ୍ତମାନ କେତୋଟି ମାତ୍ର ହାତଗଣତି ପାଶ୍ଚାତ୍ୟ ଟେକ୍‌ନୋଲୋଜି କଂପାନିମାନଙ୍କର ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅବସ୍ଥାରେ ରହିଛି।
ଭାରତୀୟମାନେ କିପରି ପରସ୍ପର ମଧ୍ୟରେ ଯୋଗାଯୋଗ କରନ୍ତି, କିପରି ବ୍ୟବସାୟ କାରବାର କରନ୍ତି, କିପରି ଉପଭୋଗ କରନ୍ତି ଓ ଏପରିକି କିପରି ଚିନ୍ତା ମଧ୍ୟ କରନ୍ତି, ତାହା ସେମାନଙ୍କ ଗୋଚର ବା ଅଗୋଚରରେ ଏଇ କଂପାନିମାନେ - ଗୁଗ୍‌ଲ, ମେଟା, ଏକ୍ସ - ହିଁ ନିୟନ୍ତ୍ରଣ କରିଥାନ୍ତି। ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମମାନ ସେମାନଙ୍କର ରାଜନୈତିକ ବିତର୍କକୁ ବାଟ କଢ଼ାଇ ନେବାଠାରୁ ମେସେଜିଙ୍ଗ ଆପ୍‌ମାନ ସେମାନେ ସୃଷ୍ଟି କରୁଥିବା ବିଶାଳ ଡେଟାର ପାହାଡ଼ର ଖନନ କରିବା ପର୍ଯ୍ୟନ୍ତ ଭାରତୀୟମାନଙ୍କର ଡିଜିଟାଲ୍ ଜୀବନକୁ ନିଃଶବ୍ଦରେ ପୃଥିବୀର ଆରପଟେ ନିୟନ୍ତ୍ରଣ ରଜ୍ଜୁ ଧରି ରହିଥିବା ଆଲ୍‌ଗୋରିଦ୍‌ମମାନଙ୍କ ନିକଟରେ ବନ୍ଧା ପକାଇ ଦିଆଯାଇଛି।
ଏହି ଟେକ୍‌ନୋଲୋଜି କଂପାନିମାନେ ଭାରତୀୟ ଉପଭୋକ୍ତାମାନଙ୍କୁ ମାଗଣାରେ ସେମାନଙ୍କର ସେବା ଯୋଗାଉଥିବା ଭଳି ମନେ ହେଉଥିଲେ ହେଁ, ତାହା ବାସ୍ତବରେ ଏକ ଲାଭପ୍ରଦ ଅର୍ଥନୈତିକ ଶୋ‌ଷଣକୁ ଘୋଡ଼ାଇବା ପାଇଁ ଅନୁସୃତ ଏକ କୌଶଳ ମାତ୍ର- ଭାରତରୁ ସଂଗୃହୀତ ଡେଟା ବିଦେଶୀ ଲାଭ ଅର୍ଜନକୁ ପରିପୁଷ୍ଟ କରିଥାଏ ଏବଂ ବିଦେଶୀ ଏକଚାଟିଆ ବ୍ୟବସାୟର ଚାପାରେ ଶ୍ବାସରୁଦ୍ଧ ହୋଇ ଭାରତୀୟ ନବପ୍ରବର୍ତ୍ତନ (ଇନୋଭେସନ୍) ଉଧେଇ ପାରେ ନାହିଁ, ଯାହା ଫଳରେ ଆମେ ସ୍ଥାୟୀ ଭାବରେ ପରମୁଖା ପେକ୍ଷୀ ହୋଇ ରହିବାକୁ ବାଧ୍ୟ ହୋଇଥାଉ।
ଏହି ପରିପ୍ରେକ୍ଷୀରେ ଏବେ ଡିଜିଟାଲ୍ ଟେକ୍‌ନୋଲୋଜି କ୍ଷେତ୍ରରେ ବିଦେଶୀ ଆଧିପତ୍ୟକୁ ଆହ୍ବାନ ଦେବା ଭଳି ଏକ ସଂପୂର୍ଣ୍ଣ ସ୍ବଦେଶୀ ମେସେଜିଙ୍ଗ ପ୍ଲାଟ୍‌ଫର୍ମ ‘ଆରାଟ୍ଟାଇ’ (ଏହି ତାମିଲ ଶବ୍ଦର ଅର୍ଥ- ‘ଗପସପ’)ର ଆବିର୍ଭାବ କେବଳ ‘ହ୍ବାଟ୍‌ସଆପ୍’, ‘ଟେଲିଗ୍ରାମ୍’ କିମ୍ବା ‘ସିଗ୍‌ନାଲ୍’ ପରି ବିଦେଶୀ ମେସେଜିଙ୍ଗ ପ୍ଲାଟ୍‌ଫର୍ମମାନଙ୍କ‌ର ଏକ ନକଲ ନୁହେଁ, ଏହା ହେଉଛି ଡିଜିଟାଲ୍ ଉପନିବେଶବାଦ କବଳରୁ ଭାରତୀୟ ଡିଜିଟାଲ୍‌ ସାର୍ବଭୌମତ୍ବକୁ ଉଦ୍ଧାର କରିବା ଦିଗରେ ଏକ ବହୁ ଅପେକ୍ଷିତ ପ୍ରଥମ ପଦକ୍ଷେପ। ‘ଆରାଟ୍ଟାଇ’ ପ୍ରକୃତରେ ନିଃଶବ୍ଦରେ ଜନ୍ମଲାଭ କରିଥିଲା ପ୍ରାୟ ଚାରି ବର୍ଷ ତଳେ ୨୦୨୧ରେ, ଯଦିବା ଏ ପର୍ଯ୍ୟନ୍ତ ତାହା ଅଧିକାଂଶ ଭାରତୀୟମାନଙ୍କୁ ଅଗୋଚର ଥିଲା। ସେଇ ଚାରି ବର୍ଷର ତନ୍ଦ୍ରାରେ ଅବସାନ ଘଟି ଭାରତୀୟମାନେ ବର୍ତ୍ତମାନ ବହୁ ସଂଖ୍ୟାରେ ‘ଆରାଟ୍ଟାଇ’ ସମ୍ବନ୍ଧରେ ସଚେତନ ହେବାରେ ଓ ତାହାକୁ ବ୍ୟବହାର କରିବାକୁ ଆଗେଇ ଆସିବା ପଛରେ ଏକ ଅଭାବିତ ବିଡ଼ମ୍ବନା ଭଳି ଯାହାଙ୍କର ଅବଦାନ ନିହିତ ଅଛି, ସେ ଅବଶ୍ୟ ହେଉଛନ୍ତି ଜଣେ ପ୍ରମୁଖ ବିଦେଶୀ- ଆମେରିକାର ଭାରତବିରୋଧୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଟ୍ରମ୍ପ ଭାରତ ବିରୋଧରେ ଗ୍ରହଣ କରିଥିବା ଟାରିଫ୍ ଓ ଅନ୍ୟାନ୍ୟ ପଦକ୍ଷେପମାନଙ୍କୁ ପ୍ରତିହତ କରିବା ନିମିତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ସରକାର ଭାରତରେ ଆତ୍ମନିର୍ଭରତା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି, ‘ଆରାଟ୍ଟାଇ’ର ପୁନର୍ଜନ୍ମ ହେଉଛି ତାହାର ଏକ ଆଶୁ ସୁଫଳ।
‘ଆରାଟ୍ଟାଇ’ର ଜନ୍ମଦାତା ହେଉଛି ତାମିଲନାଡୁରେ ଅବସ୍ଥିତ ଭାରତୀୟ ଏଣ୍ଟର୍‌ପ୍ରାଇଜ୍ ସଫ୍‌ଟୱେୟାର୍ କଂପାନି ‘ଜୋହୋ କର୍ପୋରେସନ୍’। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ‘ଜୋହୋ’ର ବିଭିନ୍ନ କାର୍ଯ୍ୟସ୍ଥଳୀମାନ ପରିଦର୍ଶନରେ ଯାଇଥିବା ବେଳେ ସେ ‘ଆରାଟ୍ଟାଇ’ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ସେପ୍‌ଟେମ୍ବର ୨୪ ସନ୍ଧ୍ୟାରେ ମନ୍ତ୍ରୀ ପ୍ରଧାନ ‘ଏକ୍ସ’ରେ ‘ଆରାଟ୍ଟାଇ’ ସମ୍ବନ୍ଧରେ ସୂଚନା ଦେଇ ଏକ ପୋଷ୍ଟ କରିଦେଲେ, ଯାହା ଅବିଳମ୍ବେ ଏକ ନିୟୁତରୁ ଅଧିକ ସଂଖ୍ୟକ ଅନୁଗାମୀଙ୍କର ଦୃଷ୍ଟି ଆକର୍ଷଣ କଲା। ଏହା ବିଦ୍ୟୁତ୍ ବେଗରେ ଭାଇରାଲ୍ ହୋଇଯାଇ ମାତ୍ର ସପ୍ତାହକ ମଧ୍ୟରେ ପ୍ରାୟ ସାତ ନିୟୁତ ‘ଆରାଟ୍ଟାଇ’ ଡାଉନ୍‌ଲୋଡ୍ ଘଟିଲା ବୋଲି କଂପାନି ସୂତ୍ରରୁ ପ୍ରକାଶ ପାଇଛି। ଏହା ଅବଶ୍ୟ ସତ ଯେ ‘ଆରାଟ୍ଟାଇ’ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ‘ହ୍ବାଟ୍‌ସଆପ୍’ର ଭାରତରେ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ବର୍ତ୍ତମାନ ପ୍ରାୟ ୫୫୦ ନିୟୁତ, ଯାହା ହେଉଛି ପୃଥିବୀରେ ସର୍ବାଧିକ। ଏହି ବିଦେଶୀ ମେସେଜିଙ୍ଗ ଆପ୍‌ର ବ୍ୟବହାର ଭାରତୀୟମାନଙ୍କର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇସାରିଛି।
କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ‘ଆରାଟ୍ଟାଇ’ର ଉଦୟ ଆମ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ। ଆମେ ଡେଟା ସାର୍ବଭୌମତ୍ବ ହାସଲ ଦିଗରେ ଏହା ହେଉଛି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଯେତେବେଳେ ଭାରତୀୟ ବ୍ୟବହାରକାରୀମାନେ ସୃଷ୍ଟି କରୁଥିବା ଡେଟା ଦେଶ ଭିତରେ ହିଁ ପ୍ରକ୍ରିୟାକୃତ ହେବ ଓ ମହଜୁଦ ହୋଇ ରହିବ, ସେତେବେଳେ ତାହା ବିଦେଶୀ ଅନୁସନ୍ଧାନୀ ଦୃଷ୍ଟିରୁ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ବିଦେଶୀ କଂପାନିମାନେ ମଧ୍ୟ ତାହାକୁ ଅର୍ଥକରୀ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ। ‘ଆରାଟ୍ଟାଇ’ର ସର୍ଭରମାନ ଭାରତ ଭିତରେ ଅବସ୍ଥିତ ହୋଇଥିବାରୁ ତାହା ଭାରତୀୟ ଆଇନ ଦ୍ବାରା ନିୟନ୍ତ୍ରିତ ହେବେ, କୌଣସି ବିଦେଶୀ କଂପାନିର ନିଜର ଭରସାହୀନ ଗୋପନୀୟତା ନିୟମ ଦ୍ବାରା ନୁହେଁ।
ଡେଟାର ପ୍ରତ୍ୟେକ ବାଇଟ୍ ଅର୍ଥନୈତିକ ମୂଲ୍ୟ ବହନ କରିଥାଏ। ଯେତେବେଳେ କୋଟି କୋଟି ଭାରତୀୟ ବିଦେଶୀ ପ୍ଲାଟ୍‌ଫର୍ମ ବ୍ୟବହାର କରିଥାନ୍ତି, ସେଥିରୁ ଉପୁଜୁଥିବା ବିଜ୍ଞାପନ, ଆନାଲିଟିକ୍‌ସ ଓ ବ୍ୟବସାୟ ଜ୍ଞାନ ସଂପର୍କିତ ଲାଭ ସବୁ ବିଦେଶ ଅଭିମୁଖେ ପ୍ରବାହିତ ହୋଇଥାଏ। ‘ଆରାଟ୍ଟାଇ’ ପରି ପ୍ଲାଟ୍‌ଫର୍ମ ସେ ସମସ୍ତ ଧନ ଓ ଜ୍ଞାନକୁ ଦେଶ ଭିତରେ ହିଁ ସୁରକ୍ଷିତ ରଖିବାରେ ସହାୟକ ହେବ। ଭାରତ ହେଉଛି ଭାଷା ଓ ସଂସ୍କୃତି ଦୃଷ୍ଟିରୁ ପୃଥିବୀର ସର୍ବାଧିକ ବିବିଧତାପୂର୍ଣ୍ଣ ଦେଶ। ବିଦେଶୀ ଆପ୍‌ମାନ ମୁଖ୍ୟତଃ ଇଂରେଜୀ ଭାଷା ଓ ପାଶ୍ଚାତ୍ୟ ସଂସ୍କୃତି ଭିତ୍ତିକ ହୋଇଥାନ୍ତି। ସେମାନଙ୍କ ତୁଳନାରେ ‘ଆରାଟ୍ଟାଇ’ ଭାରତୀୟ ବିବିଧତା ସହିତ ଅଧିକ ତାଳମେଳ ରକ୍ଷା କରିବାର କ୍ଷମତା ବହନ କରିଥାଏ। ଏକ ବିଦେଶୀ ପ୍ଲାଟ୍‌ଫର୍ମ ଯେତେବେଳେ ରାତାରାତି ତା’ର ଗୋପନୀୟତା ନୀତିରେ ପରିବର୍ତ୍ତନ ଘଟାଇଥାଏ କିମ୍ବା ଏକତରଫା ଭାବରେ କୌଣସି ଆକାଉଣ୍ଟ ବନ୍ଦ କରିଦିଏ, ଭାରତୀୟ ବ୍ୟବହାରକାରୀମାନଙ୍କ ପାଖରେ ତାହାର କୌଣସି ତୁରନ୍ତ ପ୍ରତିକାର ଉପାୟ ଉପଲବ୍‌ଧ ହୋଇ ନ ଥାଏ। ‘ଆରାଟ୍ଟାଇ’ କିନ୍ତୁ ଉଭୟ ଭାରତୀୟ ଆଇନ ଓ ଭାରତୀୟ ଉପଭୋକ୍ତାମାନଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବାରୁ ତା’ର ଆଚରଣ ଅଧିକ ଦାୟିତ୍ବସଂପନ୍ନ ହେବା ନିଶ୍ଚିତ।
ଏଇ ସମସ୍ତ କାରଣରୁ ଆଶା କରାଯାଏ ଯେ ଭାରତୀୟମାନେ କ୍ରମେ ଅଧିକରୁ ଅଧିକ ସଂଖ୍ୟାରେ ‘ଆରାଟ୍ଟାଇ’ ବ୍ୟବହାର କରି ଡିଜିଟାଲ୍ ସାର୍ବଭୌମତା ହାସଲ କରିବା ଦିଗରେ ଆମର ଉଦ୍ୟମକୁ ଆଗେଇ ନେବେ। ଏହା ଅବଶ୍ୟ ରାତାରାତି ଘଟିବ ନାହିଁ; ପୁରାତନ ଅଭ୍ୟାସରେ ପରିବର୍ତ୍ତନ ସମୟସାପେକ୍ଷ ହୋଇଥାଏ। କିନ୍ତୁ ‘ଆରାଟ୍ଟାଇ’ର ନିର୍ମାତାମାନେ ଯଦି ଏହି ଅପ୍ରତ୍ୟାଶିତ ଅନୁକୂଳ ବାଆର ସଦୁପଯୋଗ କରି ସେମାନଙ୍କ ଆପ୍‌ରେ ନିରନ୍ତର ଉପଭୋକ୍ତା ଅନୁକୂଳ ଉନ୍ନତି ଘଟାଇ ଚାଲନ୍ତି, ତେବେ ଦିନେ ଭାରତରେ ‘ଆରାଟ୍ଟାଇ’ ‘ହ୍ବାଟ୍‌ସଆପ୍’ର ସ୍ଥାନ ଦଖଲ କରିନେବା ସଂପୂର୍ଣ୍ଣ ସମ୍ଭବ।