ସୁପ୍ରିମ୍ କୋର୍ଟଙ୍କର ଏକ ଅନୁରୂପ ନିର୍ଦ୍ଦେଶାବଳୀ, ‘ବିଶାଖା ଗାଇଡ୍‌ଲାଇନ୍‌ସ’ ଅନୁସାରେ ପ୍ରତ୍ୟେକ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଅଭିଯୋଗ ଶୁଣାଣି ନିମିତ୍ତ ‘ଇଣ୍ଟର୍ନାଲ୍ କମ୍ପ୍ଲେଣ୍ଟ୍‌ସ କମିଟି’ (‘ଆଇସିସି’) ଗଠନ ନିମିତ୍ତ ବ୍ୟବସ୍ଥା ରହିଥିବା ବେଳେ ବାସ୍ତବରେ ଅନେକ ଅନୁଷ୍ଠାନରେ ତାହା ଅନୁପସ୍ଥିତ ଥିବା ଦେଖାଯାଇଥାଏ। ତେଣୁ ଛାତ୍ର ଆତ୍ମହତ୍ୟା ପ୍ରତିରୋଧ ନିମିତ୍ତ ସୁପ୍ରିମ୍ କୋର୍ଟଙ୍କର ନିର୍ଦ୍ଦେଶ ପାଳନ ନିଶ୍ଚିତ କରିବା ପାଇଁ ଏଭଳି ସମ୍ଭାବନା ପ୍ରତି ସତର୍କ ରହିବାକୁ ପଡ଼ିବ।

Advertisment

ଗତ ଶୁକ୍ରବାର ସୁପ୍ରିମ୍ କୋର୍ଟ ଏପରି ଏକ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ସରକାରଙ୍କ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି, ଯାହା ନିକଟ ଅତୀତରେ ସମଗ୍ର ଭାରତୀୟ ସମାଜ ପାଇଁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଆହ୍ବାନ ରୂପେ ଆବିର୍ଭୂତ ହୋଇଛି। ସମସ୍ୟାଟି ହେଉଛି ଦେଶରେ ନିୟମିତ ଭାବରେ ବୃଦ୍ଧି ପାଇଚାଲିଥିବା ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ ସେଣ୍ଟରମାନଙ୍କରେ ଛାତ୍ର ଆତ୍ମହତ୍ୟା ଘଟଣାମାନ। ନେସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (‘ଏନ୍‌ସିଆର୍‌ବି’) ଦ୍ବାରା ପ୍ରଦତ୍ତ ପରିସଂଖ୍ୟାନ ଏହି ସମସ୍ୟାର ଗମ୍ଭୀରତା ହୃଦୟଙ୍ଗମ କରିବାରେ ସହାୟକ ହୋଇଥାଏ। ଏହା ଅନୁସାରେ ବିଗତ ଦଶ ବର୍ଷ ମଧ୍ୟରେ ଦେଶରେ ଛାତ୍ର ଆତ୍ମହତ୍ୟା ସଂଖ୍ୟା ଦ୍ବିଗୁଣିତ ହୋଇ କେବଳ ୨୦୨୨ରେ ଏହି ସଂଖ୍ୟା ୧୩,୦୦୦ ଅତିକ୍ରମ କରିଥିଲା, ଅର୍ଥାତ୍ ହାରାହାରି ଦିନକୁ ୩୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଯେ ଏହି ସଂଖ୍ୟା ନିଶ୍ଚିତ ରୂପେ ଆହୁରି ବୃଦ୍ଧି ପାଇଚାଲିଥିବ, ତାହା ଗଣମାଧ୍ୟମରେ ନିୟମିତ ଭାବରେ ପ୍ରକାଶ ପାଉଥିବା ଏଭଳି ଘଟଣାମାନଙ୍କ ସମ୍ବନ୍ଧରେ ସୂଚନାରୁ ସ୍ପଷ୍ଟ ହୋଇଥାଏ।
ଭାରତର ଯୁବ ଜନସଂଖ୍ୟାକୁ ଦେଶର ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ବା ‘ଜନଶକ୍ତି ଲାଭ’ ରୂପେ ପ୍ରଦର୍ଶିତ କରି ଆମେ ଗର୍ବ କରୁଥିବାବେଳେ ଆମର ଏହି ଲାଭର ଉତ୍ସ ଯୁବ ଛାତ୍ରଛାତ୍ରୀମାନଙ୍କର ଆତ୍ମହତ୍ୟା କେବଳ ଏକ ବ୍ୟକ୍ତିଗତ କିମ୍ବା ପାରିବାରିକ ଟ୍ରାଜେଡି ନୁହେଁ, ଏହା ଆମର ଏକ ସାମଗ୍ରିକ ନୈତିକ ବିଫଳତା ରୂପେ ସମଗ୍ର ସମାଜକୁ କାଠଗଡ଼ାରେ ଛିଡ଼ା କରାଇଥାଏ। ଆମେ ଆମର ଯୁବ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ସଂପଦ, ‘ଜିଡିପି’ର ଉତ୍ପାଦନକାରୀ, ବିଶ୍ବ ବିଜ୍ଞାନ ଓ ପ୍ରବିଧି ପରିସରରେ ଜାତୀୟ ଟେକ ରକ୍ଷାକାରୀ ରୂପେ ଦେଖିଆସିଛୁ ଓ ସେଥିପାଇଁ ଗର୍ଭ କରିଆସିଛୁ। କିନ୍ତୁ ସେମାନଙ୍କର ଏହି ଜାତୀୟ ଅବଦାନର ଗଣିତ କଷିବାବେଳେ ଆମେ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଶିକ୍ଷାର ଅସଲ ଉଦ୍ଦେଶ୍ୟ ସଂପୂର୍ଣ୍ଣ ରୂପେ ପାସୋରି ଯାଇଥିବା ଭଳି ମନେ ହୋଇଥାଏ: ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଜୀବନକୁ ପରିପୁଷ୍ଟ କରିବା, ମୃତ୍ୟୁକୁ ଆହ୍ବାନ ଦେବା ନୁହେଁ। ଯେତେବେଳେ କୋମଳମତି ଛାତ୍ରଛାତ୍ରୀମାନେ ପିତାମାତାଙ୍କର ଉଚ୍ଚାଶା, ଆନୁଷ୍ଠାନିକ କଠୋରତା ଏବଂ ସାମାଜିକ ଉଦାସୀନତାର ପ୍ରବଳ ଚାପ ସମ୍ଭାଳି ନ ପାରି ଜୀବନକୁ ବୁଝିବା ପୂର୍ବରୁ ନିଜ ହାତରେ ତାହାକୁ ନିର୍ବାପିତ କରିଦିଅନ୍ତି, ସେତେବେଳେ ଏହା ସେମାନଙ୍କର ବିଫଳତା ନୁହେଁ, ଏହା ହେଉଛି ସମଗ୍ର ସମାଜର, ଆମର ଏକ ଲଜ୍ଜାଜନକ ବିଫଳତା।
କୁହାଯାଇଥାଏ, ପ୍ରତ୍ୟେକ ବିପ୍ଳବ ତା’ର ନିଜର ପିଲାମାନଙ୍କୁ ଭକ୍ଷଣ କରିଥାଏ; ଏଠାରେ କିନ୍ତୁ ଆମେ ଏପରି ଏକ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିଛୁ, ଯିଏ ଚମକପ୍ରଦ ସଫଳତା ହାସଲ ପଛରେ ଧାଇଁବା ନାମରେ ନିଜର ପିଲାମାନଙ୍କୁ ଗିଳି ପକାଇବାରେ ଲାଗିଛି। ସତେ ଯେମିତି ସମଗ୍ର ଭାରତୀୟ ସମାଜ ପ୍ରଖ୍ୟାତ ଫରାସୀ ଦାର୍ଶନିକ ଆଲ୍‌ବର୍ଟ କାମୁଙ୍କର ସେଇ ପ୍ରସିଦ୍ଧ ନୈରାଶ୍ୟବାଦୀ ଘୋଷଣା ଦ୍ବାରା ଅନୁପ୍ରାଣିତ ହୋଇଯାଇଛି: ‘‘[ସଂସାରରେ] ଗୋଟିଏ ମାତ୍ର ପ୍ରକୃତରେ ଗୁରୁତ୍ବପୂର୍ଣ୍ଣ ଦାର୍ଶନିକ ସମସ୍ୟା ରହିଛି, ଏବଂ ତାହା ହେଉଛି ଆତ୍ମହତ୍ୟା।’’ ଛାତ୍ରଟିର ପରିବାର, ତା’ର ଶିକ୍ଷାନୁଷ୍ଠାନ, ପରୀକ୍ଷାରେ ତାକୁ ମିଳୁଥିବା ରୢାଙ୍କ, ସୋସିଆଲ୍ ମିଡିଆ ପୋଷ୍ଟସବୁ, ସାଙ୍ଗସାଥୀ- ସମସ୍ତେ ନିଜର ଅଜାଣତରେ ତା’ର ମସ୍ତିଷ୍କରେ ଏହି କାମୁସୁଲଭ ଦର୍ଶନ ଭର୍ତ୍ତି କରି ଦେଇଥାନ୍ତି। ସେମାନେ ତାକୁ ନିରନ୍ତର କହିଚାଲିଥାନ୍ତି: ତୁ ସଫଳ ହେଲେ ହିଁ ଆମେ ତତେ ଭଲପାଇବୁ, ବିଫଳ ହେଲେ ତୋର ମୁହଁ ଚାହିଁବୁ ନାହିଁ।
ଏପରି ଏକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାଲାଭ କରିବାର ମାନେ କ’ଣ, ଯେଉଁଥିରେ ବିଫଳତା ପାଇଁ, ଉଦ୍‌ବେଗ ପାଇଁ, ବିଶ୍ରାମ ପାଇଁ, ଆତ୍ମ-ଆବିଷ୍କାର ପାଇଁ ଜାଗା ନ ଥାଏ? ଇଏ କି ପ୍ରକାର ପାଠପଢ଼ା, ଯେଉଁଥିରେ ପିଲାମାନଙ୍କୁ କୁହାଯାଇଥାଏ ଯେ କେବଳ ଆଇଆଇଟି, ନିଟ୍, କିମ୍ବା ୟୁପିଏସ୍‌ସି ପରୀକ୍ଷାରେ ସଫଳତା ଉପରେ ସେମାନଙ୍କର ମୂଲ୍ୟ ନିର୍ଭର କରିଥାଏ ଏବଂ ବିଫଳତା, ଅନିଶ୍ଚିତତା, ପ୍ରତ୍ୟାଖ୍ୟାନ, କିମ୍ବା ପ୍ରତ୍ୟାଶାର ଭାରୀ ବୋଝ ସହିତ ମୁକାବିଲା କରିବା ପାଇଁ ସେମାନଙ୍କୁ କୌଣସି ଉପାୟ ଶିଖାଯାଇ ନ ଥାଏ? ଆମେ ଏମିତି ଏକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିଛୁ, ଯେଉଁଥିରେ ପ୍ରତ‌ିଯୋଗିତାକୁ ପୂଜା କରାଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କର କୋମଳ ଶରୀରରୁ ଆତ୍ମାକୁ ଏହି ପ୍ରତିଯୋଗିତାର ଚାପ ପ୍ରୟୋଗ ଦ୍ବାରା ବହିଷ୍କାର କରି ଦିଆଯାଇଥାଏ। ପ୍ରତିଯୋଗିତାର ଏହି ରାଜତ୍ବରେ ଆନନ୍ଦ ଏକ ଅପରାଧରେ ପରିଣତ ହୋଇଥାଏ।
ଯେଉଁ ପିଲାମାନେ ଏଥିରେ ଖାପ ଖାଇପାରନ୍ତି ନାହିଁ, ସେମାନଙ୍କ ମଧ୍ୟରୁ କେତେକ ଆତ୍ମହତ୍ୟାର ମାର୍ଗ ବାଛି ନିଅନ୍ତି। ସେମାନଙ୍କ ଠାରେ ସମାଜ ‘ମିସ୍‌ଫିଟ୍’ ମୋହର ଲଗାଇ ଦେଇଥାଏ। କିନ୍ତୁ ପ୍ରସିଦ୍ଧ ଦାର୍ଶନିକ ତଥା ଶିକ୍ଷାବିତ୍ ଜିଡ୍‌ଡୁ କୃଷ୍ଣମୂର୍ତ୍ତି କହିଥିବା ଭଳି: ‘‘ଏକ ଗୁରୁତର ଭାବେ ରୁଗ୍‌ଣ ସମାଜ ସହିତ ଭଲ ଭାବରେ ଖାପ ଖାଇବା କେବେହେଲେ ସ୍ବାସ୍ଥ୍ୟର ପରିମାପକ ନୁହେଁ।’’
ସୁପ୍ରିମ୍ କୋର୍ଟ ବର୍ତ୍ତମାନ ଏହି ସମସ୍ୟାର ଗୁରୁତ୍ବ ହୃଦୟଙ୍ଗମ କରି ଛାତ୍ର ଆତ୍ମହତ୍ୟା ପ୍ରତିରୋଧ କରିବାକୁ ଏକ ଚେଷ୍ଟା ସ୍ବରୂପ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହାର ଅଂଶସ୍ବରୂପ ୧୦୦ କିମ୍ବା ତଦୂର୍ଦ୍ଧ୍ବ ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଅନ୍ତତଃ ଜଣେ ଯୋଗ୍ୟ ମନସ୍ତାତ୍ତ୍ବିକ ଉପଦେଷ୍ଟା ନିଯୁକ୍ତ କରିବାକୁ ହେବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏକ ଶହରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନମାନ ମାନସିକ ସ୍ବାସ୍ଥ୍ୟ ଅନୁଷ୍ଠାନମାନଙ୍କ ସହିତ ସଂପର୍କ ସ୍ଥାପନ କରିବା ପାଇଁ ଅଦାଲତ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଉତ୍ତମ ମାନସିକ ସ୍ବାସ୍ଥ୍ୟ ନିଶ୍ଚିତ କରିବା ନିମିତ୍ତ ଶିକ୍ଷାନୁଷ୍ଠାନମାନେ ପାଠ୍ୟକ୍ରମେତର କାର୍ଯ୍ୟକଳାପ (‘ଏକ୍‌ସଟ୍ରା କରିକ୍ୟୁଲାର୍ ଆକ୍‌ଟିଭିଟିଜ୍’)ମାନଙ୍କୁ ପ୍ରୋତ୍ସାହିତ କରିବା, ଛାତ୍ରଛାତ୍ରୀମାନଙ୍କୁ ସର୍ବସମ୍ମୁଖରେ ଲଜ୍ଜିତ ନ କରିବା, ଏବଂ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ତାଲିମ ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଏହା ବାଦ୍ ଅନ୍ୟାନ୍ୟ ନିର୍ଦ୍ଦେଶମାନ ମଧ୍ୟ ପ୍ରଦାନ କରିଛନ୍ତି। ଏ ବାବଦରେ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ, ସର୍ବୋଚ୍ଚ ଅଦାଲତଙ୍କର ଏହି ନିର୍ଦ୍ଦେଶାବଳୀ ଆଇନର ମର୍ଯ୍ୟାଦା ଲାଭ କରି କାର୍ଯ୍ୟ କରିବ ଏବଂ ସରକାରମାନେ ଏହାକୁ ବାଧ୍ୟତାମୂଳକ ଭାବରେ କାର୍ଯ୍ୟକାରୀ କରିବେ। ସେତିକି ନୁହେଁ, ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରି, ସେ ସମ୍ବନ୍ଧରେ ସରକାର ସୁପ୍ରିମ୍ କୋର୍ଟଙ୍କୁ ମଧ୍ୟ ଅବଗତ କରିବେ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମ୍ କୋର୍ଟଙ୍କର ଏକ ଅନୁରୂପ ନିର୍ଦ୍ଦେଶାବଳୀ, ‘ବିଶାଖା ଗାଇଡ୍‌ଲାଇନ୍‌ସ’ ଅନୁସାରେ ପ୍ରତ୍ୟେକ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଅଭିଯୋଗ ଶୁଣାଣି ନିମିତ୍ତ ‘ଇଣ୍ଟର୍ନାଲ୍ କମ୍ପ୍ଲେଣ୍ଟ୍‌ସ କମିଟି’ (‘ଆଇସିସି’) ଗଠନ ନିମିତ୍ତ ବ୍ୟବସ୍ଥା ରହିଥିବା ବେଳେ ବାସ୍ତବରେ ଅନେକ ଅନୁଷ୍ଠାନରେ ତାହା ଅନୁପସ୍ଥିତ ଥିବା ଦେଖାଯାଇଥାଏ। ତେଣୁ ଛାତ୍ର ଆତ୍ମହତ୍ୟା ପ୍ରତିରୋଧ ନିମିତ୍ତ ସୁପ୍ରିମ୍ କୋର୍ଟଙ୍କର ନିର୍ଦ୍ଦେଶ ପାଳନ ନିଶ୍ଚିତ କରିବା ପାଇଁ ଏଭଳି ସମ୍ଭାବନା ପ୍ରତି ସତର୍କ ରହିବାକୁ ପଡ଼ିବ।
ପ୍ରତିଯୋଗିତା ଚାପ ବ୍ୟତୀତ ଅନ୍ୟ କେତେକ କାରଣରୁ ମଧ୍ୟ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ପାଇଁ ପ୍ରବୃତ୍ତ ହେବା ଦେଖାଯାଇଥାଏ। ଏଭଳି କେତେକ କାରଣ ହେଲେ- ଆର୍ଥିକ ଅଭାବ, ପ୍ରେମରେ ବିଫଳତା, ରୢାଗିଙ୍ଗ୍, ବିଭିନ୍ନ ପ୍ରକାର ବିଦ୍ବେଷର ଶିକାର ହେବା, ଇତ୍ୟାଦି। ତେବେ ମନସ୍ତାତ୍ତ୍ବିକ ଉପଦେଷ୍ଟାମାନେ ଏଭଳି ସମସ୍ୟାର ମୁକାବିଲା କରିବାରେ ମଧ୍ୟ ସହାୟକ ହେବେ। ତେଣୁ ଆଶା କରାଯାଉଛି ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଯଦି କଡ଼ାକଡ଼ି କାର୍ଯ୍ୟକାରୀ ହୁଏ, ତା’ ଦ୍ବାରା କେତେକ ଅମୂଲ୍ୟ ଜୀବନ ରକ୍ଷା ପାଇ ଯାଇପାରିବ। କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନିମିତ୍ତ ଆମର ଶିକ୍ଷା ବ୍ୟବସ୍ଥା ଓ ସମାଜରେ ଏକ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି।