‘ଟ୍ରଂପ ଜଣେ ମିଥ୍ୟାବାଦୀ’ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କଣ୍ଠରେ କହନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଭୟର ଚିହ୍ନ ବୋଲି ଇଙ୍ଗିତ ମଧ୍ୟ କରାଯାଇଛି। କିନ୍ତୁ ଶଂସିତ ସଂଦର୍ଭରେ ବିଶିଷ୍ଟ ଓ ବରିଷ୍ଠ ଭାରତୀୟ ଡିପ୍ଲୋମାଟ ମୋହନ କୁମାରଙ୍କ ମତ କହିଥାଏ ଯେ ସର୍ବଦା ବାକ୍ ଚାତୁରୀ ନୁହେଁ, ବରଂ ସ୍ଥାନ, କାଳ ଓ ପାତ୍ର ବିଚାରରେ ଆବଶ୍ୟକତା ବେଳେ ନିରବ ରହିବା ହିଁ ହେଉଛି ସଫଳ କୂଟନୀତିର ମୂଳମନ୍ତ୍ର।
ଗଲା ଶନିବାର ଦିନ ତାଙ୍କ ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହିତ ସାକ୍ଷାତ୍କାର ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଭାରତ ସଂପର୍କିତ ମନ୍ତବ୍ୟ ପୁନର୍ବାର ଆଲୋଡ଼ନ ସୃଷ୍ଟି କରିଛି; ଯହିଁରେ ସେ ପୂର୍ବର ରୁକ୍ଷ ଓ ଅଯାଚିତ ଭାରତ-ଭର୍ତ୍ସନା ପରିହାର କରି ଅପେକ୍ଷାକୃତ ଶାନ୍ତ କଣ୍ଠରେ ଆମେରିକା ଓ ଭାରତ ମଧ୍ୟରେ ସଂପର୍କ କିଭଳି ସର୍ବଦା ସ୍ବତନ୍ତ୍ର ଏବଂ ସେହି କାରଣରୁ ଚିନ୍ତାରୁ ଊର୍ଦ୍ଧ୍ବରେ ତାହା ବର୍ଣ୍ଣନା କରିଛନ୍ତି। ଏହା ନିଃସନ୍ଦେହ ଯେ ଚୀନରେ ସଦ୍ୟ ସମାପ୍ତ ହୋଇଥିବା ‘ସାଂଘାଇ କୋଅପରେସନ ଅର୍ଗାନାଇଜେସନ’ ବା ‘ଏସ.ସି.ଓ’ ଶିଖର ସମ୍ମିଳନୀରେ ଚୀନ, ରୁୁଷିଆ ଓ ଭାରତର ଶାସନ ମୁଖ୍ୟଙ୍କ ମଧ୍ୟରେ ସରସ ମିଳନର ଫଟୋଚିତ୍ର ଓ ଭିଡିଓମାନ ପ୍ରସାରିତ ହେବା ଏବଂ ପାରଂପରିକ ଶତ୍ରୁ ରାଷ୍ଟ୍ର ଚୀନ ଠାରେ ମଧ୍ୟ ଭାରତ ସକାଶେ ସହଯୋଗର ଦିଗନ୍ତଟିଏ ସହସା ଉନ୍ମୋଚିତ ହୋଇ ଉଠିବା ଆମେରିକା ଲାଗି ଅସ୍ବାଦୁକର ହୋଇଥିବ। ତେଣୁ, ଏହି ପରିପ୍ରେକ୍ଷୀରେ ଟ୍ରଂପଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟରେ ନିରାଶା, ବିଦ୍ବେଷ ଓ କଟାକ୍ଷ ଭରି ରହିଥିଲା। ମାତ୍ର, ତା’ ପରେ ଚବିଶ ଘଣ୍ଟା ନ ପୂରୁଣୁ ତାଙ୍କ ସ୍ବରରେ ସହସା ଏଭଳି ଏକ ପରିବର୍ତ୍ତନ ଅଧିକାଂଶଙ୍କ ସକାଶେ ଅବୋଧ୍ୟ ଓ ରହସ୍ୟାବୃତ ହୋଇଛି। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଟ୍ରଂପ ମହାଶୟ େଯ ଅତ୍ୟନ୍ତ ଅସ୍ଥିର ଚିତ୍ତ, ଚଞ୍ଚଳମନା ଓ ମୁଖର ପ୍ରକୃତିର; ଏ କଥା ସୁବିଦିତ ହୋଇଥିବାରୁ ତାଙ୍କର ‘ଓଲଟ ଆଭିମୁଖ୍ୟ’ ଉପରେ କୌଣସି ମତ ରଖିବାକୁ ଅନେକ ବିଶେଷଜ୍ଞ କୁଣ୍ଠିତ ମଧ୍ୟ ହୁଅନ୍ତି, କାରଣ ସେମାନଙ୍କ ମନ୍ତବ୍ୟମାନ ସମାପ୍ତ ହେଉ ନ ହେଉଣୁ ଟ୍ରଂପଙ୍କ ଠାରୁ ହୁଏତ ପୂର୍ବ ଭଳି ଭାରତ ବିରୋଧୀ ବାକ୍ୟ-ବାଣର ବର୍ଷା ହୋଇ ସେମାନଙ୍କ ଅନୁଶୀଳନ ଓ ଅନୁମାନକୁ ଅଚିରେ ଅସାର କରି ଦେଇପାରେ! ତଥାପି ସେହିଭଳି କିଛି ମତାନୁସାରେ ଟ୍ରଂପ ସାମାନ୍ୟ ନମନୀୟ ଦିଶିବାର ଗୋଟିଏ କାରଣ ସମ୍ଭବତଃ ଏହା ଯେ ବିଲ୍ କ୍ଲିଣ୍ଟନଙ୍କ ଠାରୁ ଆରମ୍ଭ କରି ଜର୍ଜ ବୁସ, ବାରାକ ଓବାମା ଇତ୍ୟାଦି ଏବଂ ଜୋ ବାଇଡେନଙ୍କ(ଏପରିକି ତାଙ୍କ ପ୍ରଥମ ପାଳି) ମଧ୍ୟ ଦେଇ ଧାରାବାହିକ ଉଦ୍ୟମରେ ଏ ଯାବତ୍ ଦୃଢ଼ୀଭୂତ ହୋଇ ଆସିଥିବା ସହଯୋଗ ଓ ସଦ୍ଦିଚ୍ଛା ସଂବଳିତ ଦ୍ବି-ରାଷ୍ଟ୍ରୀୟ ସଂପର୍କ ଯେ ଅତୁଟ ରହିବା ନିତାନ୍ତ ଜରୁରି, ତାହା ତାଙ୍କର ହୃଦ୍ବୋଧ ହୋଇଥିବ; କାରଣ ଆମେରିକୀୟ ଗଣମାଧ୍ୟମର ଏକ ବୃହଦାଂଶ(ଅନେକ ପାଶ୍ଚାତ୍ୟ ଗଣମାଧ୍ୟମ ମଧ୍ୟ) ତଥା ଅନେକ ଜନ-ବିଦ୍ବାନମାନ ସେମାନଙ୍କ ତୁମୂଳ ଆଲୋଚନା ମାଧ୍ୟମରେ ବାରମ୍ବାର ଏ ସଂଦର୍ଭରେ ଚେତାଇ ଦେଇ ଆସୁଛନ୍ତି। ଏକ ବାସ୍ତବତା ହେଲା, ଯେତେ ପ୍ରଭୁତ୍ବବାଦୀ ହୋଇଥିଲେ ମଧ୍ୟ କୌଣସି ଗଣତନ୍ତ୍ରରେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ବ୍ୟବସ୍ଥାର ପ୍ରଭାବକୁ ସମ୍ୟକ୍ ଭାବେ ଅତିକ୍ରମ କରିଯିବା କୌଣସି ଶାସନ ମୁଖ୍ୟ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଅନେକ ଜନ-ବିଦ୍ବାନଙ୍କ ମତରେ ଚୀନର କ୍ରମ ବର୍ଦ୍ଧିଷ୍ଣୁ ପ୍ରଭାବ ଓ ଆସ୍ପର୍ଦ୍ଧାକୁ ପ୍ରତିହତ କରିବା ଲାଗି ଏକ ଦୃଢ଼ ଅର୍ଥନୀତି ସଂପନ୍ନ ଗଣତନ୍ତ୍ର ହିଁ ହେଉଛି ଭାରତର ସେହି ଶକ୍ତି, ଯାହା ଆମେରିକା ଲାଗି ଭାରତ ସହିତ ସୁସଂପର୍କକୁ ଅତ୍ୟାବଶ୍ୟକ କରିଥାଏ। ସେହି ଦୃଷ୍ଟିରୁ ‘ଏସ.ସି.ଓ.’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ ଆମେରିକାକୁ ବିବ୍ରତ କରିଥିବା ସୁନିଶ୍ଚିତ। ଏହି ପର୍ଯ୍ୟବେକ୍ଷକଗଣ କହନ୍ତି ଯେ ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘାତକୁ ଅଗତ୍ୟା ରୋକି ଦେଇ ପାରିଛନ୍ତି ବୋଲି ଟ୍ରଂପଙ୍କ ଘନଘନ ଦାବିକୁ ଭାରତ ପକ୍ଷରୁ ଅଗ୍ରାହ୍ୟ କରାଯିବା ଫଳରେ ତାଙ୍କ ଆହତ ଅହମିକା ଅବଲୀଳା କ୍ରେମ ଭାରତ ବିରୋଧୀ ଟାରିଫ ଯୁଦ୍ଧକୁ ବ୍ୟକ୍ତିଗତ ଆକ୍ରୋଶର ଶରବ୍ୟ କରିଥିଲା। କିନ୍ତୁ ସଂପ୍ରତି ସେ ହୁଏତ ଅନୁଭବ କଲେଣି ଯେ ପ୍ରକାରାନ୍ତରେ ତାହା ଆମେରିକା ଲାଗି ଅହିତକର ହେବ। ଇତିମଧ୍ୟରେ ପରିସଂଖ୍ୟାନମାନ ସୂଚେଇଲେଣି ଯେ ‘ଯେସାକୁ ତେସା ଟାରିଫ’ ପ୍ରବର୍ତ୍ତିତ ହେବାର ସ୍ବଳ୍ପ ସମୟ ମଧ୍ୟରେ ଆମେରିକାରେ ପ୍ରାୟ ସବୁ କ୍ଷେତ୍ରରେ ମୁଦ୍ରାସ୍ଫୀତି ଦୃଶ୍ୟମାନ ହେଲାଣି; ଜୋତା ଦରରେ ୪୦% ଏବଂ ପୋଷାକପତ୍ର ମୂଲ୍ୟରେ ୩୮% ବୃଦ୍ଧି ଘଟିଲାଣି; ଆମେରିକୀୟମାନେ ମୁଣ୍ଡ ପିଛା ୨୪୦୦ ଡଲାର ଏବଂ ଅାମେରିକାର ଅର୍ଥନୀତି ସାମଗ୍ରିକ ଭାବେ ୧୧୫ ବିଲିଅନ ଡଲାର କ୍ଷତି ସହିବାର ଦ୍ବାର ଦେଶରେ ଛିଡ଼ା ହୋଇଛନ୍ତି। ଏଭଳି ସ୍ଥଳେ ଟ୍ରଂପୀୟ ଆଟୋପ ଦ୍ରବୀଭୂତ ହେବାର ସୂଚନା ଦେଖାଇବା ସ୍ବାଭାବିକ ବୋଲି ମତ ପ୍ରକାଶ ପାଇଥାଏ।
ଏହା ସୁବିଦିତ ଯେ ଟ୍ରଂପ ଓ ତାଙ୍କ ସତୀର୍ଥମାନଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟର ଝଞ୍ଜାବାତରେ ‘ଭାରତ ଏକ ମୃତ ଅର୍ଥନୀତି’, ‘ଭାରତର ପ୍ରଧାନମନ୍ତ୍ରୀ ଜଣେ ଯୁଦ୍ଧଖୋର’, ‘ୟୁକ୍ରେନୀୟ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ରକ୍ତରେ ଭାରତର ହସ୍ତ ରଂଜିତ’, ‘ରୁଷିଆ-ୟୁକ୍ରେନ ଯୁଦ୍ଧଟି ବାସ୍ତବରେ ମୋଦୀଙ୍କ ଯୁଦ୍ଧ’, ‘ଭାରତ ଆସି ଆମେରିକା ନିକଟରେ କ୍ଷମା ପ୍ରାର୍ଥନା କରିବ’ ଭଳି ଅତ୍ୟନ୍ତ କଟୁ, ଅପମାନଜନକ ଏପରିକି ବ୍ୟକ୍ତିଗତ ଆକ୍ଷେପମାନ ଶ୍ରୁତିଗୋଚର ହୋଇଛି। ଏଭଳି ସ୍ଥଳେ ଟ୍ରଂପଙ୍କ ଦର୍ପ ଚୂର୍ଣ୍ଣ କଲା ଭଳି ପାଲଟା ଉତ୍ତର ପ୍ରଧାନମନ୍ତ୍ରୀ ଦିଅନ୍ତୁ ବୋଲି ବ୍ୟାପକ ଓ ବହୁଳ ମତ ମଧ୍ୟ ପ୍ରକାଶ ପାଇଛି। ‘ଟ୍ରଂପ ଜଣେ ମିଥ୍ୟାବାଦୀ’ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କଣ୍ଠରେ କହନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଭୟର ଚିହ୍ନ ବୋଲି ଇଙ୍ଗିତ ମଧ୍ୟ କରାଯାଇଛି। କିନ୍ତୁ ଶଂସିତ ସଂଦର୍ଭରେ ବିଶିଷ୍ଟ ଓ ବରିଷ୍ଠ ଭାରତୀୟ ଡିପ୍ଲୋମାଟ ମୋହନ କୁମାରଙ୍କ ମତ କହିଥାଏ ଯେ ସର୍ବଦା ବାକ୍ ଚାତୁରୀ ନୁହେଁ, ବରଂ ସ୍ଥାନ, କାଳ ଓ ପାତ୍ର ବିଚାରରେ ଆବଶ୍ୟକତା ବେଳେ ନିରବ ରହିବା ହିଁ ହେଉଛି ସଫଳ କୂଟନୀତିର ମୂଳମନ୍ତ୍ର। କାରଣ, କ୍ଷମତା ପ୍ରମତ୍ତ ଓ ଆଟୋପ ପରିଚାଳିତ ବିବେକହୀନତାକୁ ପାଲଟା ଜବାବ ଦେବାର ଅର୍ଥ ଆରୋପ-ପ୍ରତ୍ୟାରୋପର ଘୂର୍ଣ୍ଣିଝଡ଼ ସୃଷ୍ଟି କରିବା, ଯହିଁରେ ବାସ୍ତବ ପ୍ରସଙ୍ଗଟି ଅଚିରେ ନିରୁଦ୍ଦିଷ୍ଟ ହୋଇ ଯାଇଥାଏ। ବରଂ, ବାଚାଳ ସୁଲଭ ଉଚ୍ଚାଟ ସମକ୍ଷରେ ନିରବ ଗାମ୍ଭୀର୍ଯ୍ୟ ପ୍ରତିପକ୍ଷକୁ ଅବଲୀଳା କ୍ରମେ କ୍ଳାନ୍ତ ଓ ଅସହାୟ ମଧ୍ୟ କରି ଦେଇପାରେ। ଟ୍ରଂପଙ୍କ କ୍ଷେତ୍ରରେ ସେଭଳି କିଛି ଘଟିଲା କି? ଉଲ୍ଲେଖଯୋଗ୍ୟ ଯେ ଏହି ସଂଦର୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆମେରିକା ବା ଟ୍ରଂପ ବିରୋଧୀ ଗୋଟିଏ ହେଲେ କଟୁ ମନ୍ତବ୍ୟ ଶୁଣିବାକୁ ମିଳିନାହିଁ; କାରଣ ଆମେରିକା ସହିତ ଭାରତର ସଂପର୍କ ‘ସ୍ବତନ୍ତ୍ର’ ବୋଲି ସେ ପ୍ରଥମରୁ ଅବଗତ, ଅଥଚ ଏବେ ଟ୍ରଂପଙ୍କ ତନ୍ଦ୍ରାଭଙ୍ଗ ଘଟିଛି!
ତେବେ, ଏହି ଆଲୋଚନାର ଅନ୍ତରେ ଏହା ମଧ୍ୟ ସ୍ମରଣରେ ରହିବା ଉଚିତ ଯେ ଟ୍ରଂପଙ୍କୁ ନେଇ କୌଣସି ପୂର୍ବାନୁମାନ ବା ଧାରଣାକୁ ଚୂଡ଼ାନ୍ତ ବୋଲି ଧରି ନେବା ହେଉଛି ଏକ ଅବିମୃଶ୍ୟକାରିତା। ସେ ହେଉଛନ୍ତି ବୀରବଲଙ୍କ ସେହି ଅବୁଝା ଓ ଅଝଟ ଶିଶୁ ସନ୍ତାନ ତୁଲ୍ୟ, ଯାହାକୁ ସମ୍ଭାଳିବା ଲାଗି ବୀରବଲ ରାଜ କାର୍ଯ୍ୟରେ ଅବହେଳା କରିବାକୁ ବାଧ୍ୟ ହେଉଥିଲେ ଏବଂ ‘ଛୁଆଟିଏକୁ ସମ୍ଭାଳି ପାରୁ ନାହଁ’ ବୋଲି ମୃଦୁ ଭର୍ତ୍ସନା କରିଥିବା ସମ୍ରାଟ ଆକବରଙ୍କ ଅକଲ ମଧ୍ୟ ଗୁଡୁମ୍ ହୋଇଯାଇଥିଲା, ଯେତେବେଳେ ଛୁଆଟି ଅଝଟ ହୋଇ କାନ୍ଦି ଗଡ଼ିଥିଲା ଯେ ସେ ଖେଳିବା ଲାଗି ଗୋଟିଏ ହାତୀକୁ କାଳି ଦୁଆତରେ ପୂରାଇ ତାକୁ ଦିଆଯାଉ। ଏବେ ପୃଥିବୀ ସମକ୍ଷରେ ଟ୍ରଂପ ରୂପରେ ସେହିଭଳି ଗୋଟିଏ ଅବୁଝା ଅଝଟ ବୟୋବୃଦ୍ଧ-ବାଳୁତର ଆବିର୍ଭାବ ଘଟିଛି, ଯାହାକୁ ସମ୍ଭାଳିବା କଷ୍ଟକର ଏବଂ ଯାହାର ପରବର୍ତ୍ତୀ ଉପଦ୍ରବ ନେଇ ପୂର୍ବାନୁମାନ କରିବା ଆହୁରି ଦୁଷ୍କର!