‘ଆଇ-ଫୋନ୍’ର ଉତ୍ପାଦନ ସ୍ଥାନାନ୍ତରିତ ନ ହୋଇ ତାହାର ଆମଦାନି ଉପରେ ଯଦି ଟ୍ରମ୍ପଙ୍କ ଦ୍ବାରା ଘୋଷିତ ଟାରିଫ୍ ଲାଗୁ କରାଯାଏ ଏବଂ ତାହାକୁ ‘ଆପ୍‌ଲ’ ବହନ ନ କରି ‘ଆଇ-ଫୋନ୍’ ଗ୍ରାହକମାନଙ୍କ ଉପରକୁ ଠେଲିଦିଏ, ତେବେ ହିସାବ କରାଯାଇଛି ‌େଯ ସବୁଠାରୁ ଶସ୍ତା ‘ଆଇ-ଫୋନ୍’ର ଦାମ୍‌ରେ ପ୍ରାୟ ୫ ଶତାଂଶ ବୃଦ୍ଧି ଘଟିବାବେଳେ ସବୁଠାରୁ ଦାମିକା ‘ଆଇ-ଫୋନ୍’ର ମୂଲ୍ୟରେ ପ୍ରାୟ ୧୦ ଶତାଂଶ ବୃଦ୍ଧି ଘଟିବ। ଆମେରିକୀୟ ‘ଆଇ-ଫୋନ୍’ ଗ୍ରାହକମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ ପ୍ରୀତିପ୍ରଦ ନୁହେଁ।

Advertisment

ଷୋଡ଼ଶ-ସପ୍ତଦଶ ଶତାବ୍ଦୀରେ ବଜାରଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥାର ଆବିର୍ଭାବ ପୂର୍ବରୁ ଯେଉଁ ଦୁଇ ଅନୁଷ୍ଠାନ କିମ୍ବା ପ୍ରଥା ମାଧ୍ୟମରେ ମନୁଷ୍ୟ ସମାଜ ତା’ର ମୌଳିକ ଅର୍ଥନୈତିକ ସମସ୍ୟାମାନଙ୍କର ସମାଧାନ କରିଆସୁଥିଲା, ତାହା ହେଲା ପରମ୍ପରା (କଷ୍ଟମ୍) ଓ ନିର୍ଦ୍ଦେଶ (କମାଣ୍ଡ୍)। ଉଦାହରଣ ସ୍ବରୂପ ପାରମ୍ପରିକ କୌଳିକ ପ୍ରଥାକୁ ଅନୁସରଣ କରି ପିଢ଼ି ପରେ ପିଢ଼ି କୃଷକର ବଂଶଧରମାନେ କୃଷି ଉତ୍ପାଦନ କରୁଥିଲେ, ଜମିଦାରର ବଂଶଧରମାନେ ଭୂମି ମାଲିକ ହେଉଥିଲେ, କୁମ୍ଭକାରର ବଂଶଧରମାନେ ପାତ୍ର ନିର୍ମାଣ କରୁଥିଲେ... ଇତ୍ୟାଦି। ଏଭଳି ବ୍ୟବସ୍ଥାରେ ସାମାଜିକ ଗତିଶୀଳତା ସଂପୂର୍ଣ୍ଣ ରୂପେ ଅନୁପସ୍ଥିତ ଥିଲା; ଅର୍ଥାତ୍ ବ୍ୟକ୍ତିର ଜନ୍ମ ହିଁ ତା’ର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ନିର୍ଣ୍ଣୟ କରୁଥିଲା।
ଦ୍ବିତୀୟଟି ଥିଲା ନିର୍ଦ୍ଦେଶଭିତ୍ତିକ, ଯେଉଁଥିରେ ଶକ୍ତିଶାଳୀ ଶାସକଙ୍କ ନିର୍ଦ୍ଦେଶରେ ବ୍ୟକ୍ତିକୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ହେଉଥିଲା। ଉଦାହରଣ ସ୍ବରୂପ ପ୍ରାଚୀନ ମିଶରରୁ ଆରମ୍ଭ କରି ଆଧୁନିକ ସମୟର ସୋଭିଏତ୍ ୟୁନିଅନ୍ ପର୍ଯ୍ୟନ୍ତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦେଖାଯାଇଛି। ‘ଫାରୋ’ଙ୍କର କଠୋର ନିର୍ଦ୍ଦେଶରେ ଭୟଭୀତ ପ୍ରଜାମାନେ ବିନା ପାରିଶ୍ରମିକରେ ନିଜର ପ୍ରାଣପାତ କରି ମିଶରରେ ପୃଥିବୀର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ରୂପେ ବିବେଚିତ ପିରାମିଡ୍‌ମାନ ନିର୍ମାଣ କରିଥିଲେ। ୧୯୯୧ରେ ସୋଭିଏତ୍ ସଂଘ ଭୁଶୁଡ଼ି ପଡ଼ିବା ପୂର୍ବରୁ ସେଠାରେ ସାତ ଦଶନ୍ଧିରୁ ଅଧିକ କାଳ ଧରି ଏକ କେନ୍ଦ୍ରୀୟ ଯୋଜନା ସଂସ୍ଥାର ନିର୍ଦ୍ଦେଶରେ ଛୁଞ୍ଚିରୁ ଜାହାଜ ପର୍ଯ୍ୟନ୍ତ, ଟ୍ରାକ୍ଟରରୁ ଗହମ ପର୍ଯ୍ୟନ୍ତ ଉତ୍ପାଦିତ ହେଉଥିଲା।
ଏହି ଉଭୟ ବ୍ୟବସ୍ଥାର ଯାହା ଥିଲା ସାଧାରଣ ଚରିତ୍ର, ତାହା ହେଲା, ଉଭୟ ଥିଲେ ବଜାର ସୂତ୍ରର ପରିପନ୍ଥୀ। ଏଥିଯୋଗୁଁ ହିଁ ଏ ଉଭୟ ବ୍ୟବସ୍ଥା ଦୀର୍ଘସ୍ଥାୟୀ ହୋଇ ନ ପାରି ଭୁଶୁଡ଼ି ପଡ଼ିଲେ। ଏକ ବଜାର ଅର୍ଥନୀତି ଯେଉଁ ଦୁଇଟି ନିୟମ ଦ୍ବାରା ପରିଚାଳିତ ହୋଇ ସନ୍ତୁଳିତ ଭାବରେ କାର୍ଯ୍ୟ କରିଥାଏ, ତାହା ହେଲା- ଆତ୍ମସ୍ବାର୍ଥ ଓ ପ୍ରତିଯୋଗିତା। ଏହା ଅନୁସାରେ ଖାଉଟି ନିଜର ସର୍ବାଧିକ ସନ୍ତୋଷ ବିଧାନ ପାଇଁ ଚେଷ୍ଟା କରିଥାଏ, ଜଣେ ଶ୍ରମଜୀବୀ ସର୍ବାଧିକ ସମ୍ଭବ ପାରିଶ୍ରମିକ ପାଇବାକୁ ଚେଷ୍ଟା କରିଥାଏ, ଏକ ବ୍ୟବସାୟ ସର୍ବନିମ୍ନ ବ୍ୟୟରେ ନିଜର ଦ୍ରବ୍ୟ ଓ ସେବା ଉତ୍ପାଦନ କରି ସର୍ବାଧିକ ଲାଭ ଅର୍ଜନ କରିବାକୁ ଚେଷ୍ଟା କରିଥାଏ। ଏବଂ ପରସ୍ପର ସହିତ ଅବାଧ ପ୍ରତିଯୋଗିତାର ଉପସ୍ଥିତି ଯୋଗୁଁ କେହି କାହାରିକୁ ଶୋଷଣ କରିବା ସମ୍ଭବ ହୋଇ ନ ଥାଏ।
ଏହି ବଜାରଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା ହିଁ ଆଧୁନିକ ସମୟରେ ବିଭିନ୍ନ ଦେଶକୁ ଚମକପ୍ରଦ ସମୃଦ୍ଧି ଆଣିଦେଇଛି ଏବଂ ଏହାର ଅବାଧ ଅନୁସରଣ ଯେଉଁ ଦେଶକୁ ପୃଥିବୀର ସର୍ବାଧିକ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିଛି, ସେ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହା ତେଣୁ ଇତିହାସର ଏକ ବିଡ଼ମ୍ବନା ଭଳି ମନେ ହୁଏ ଯେ ସେଇ ଆମେରିକାରେ ବର୍ତ୍ତମାନ ଏଭଳି ଜଣେ ଶାସକଙ୍କର ଆବିର୍ଭାବ ଘଟିଛି ଯିଏ ପୁରା କାଳର ଜଣେ ‘ଫାରୋ’ କିମ୍ବା ଆଧୁନିକ କାଳର ଜଣେ ଷ୍ଟାଲିନ୍‌ଙ୍କ ପରି ଆଚରଣ ପ୍ରଦର୍ଶନ କରି ତାଙ୍କ ଦେଶକୁ ସେଇ ବିଫଳ କମାଣ୍ଡ୍ ଯୁଗକୁ ଫେରାଇ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହି ଶାସକ ଜଣକ ଅବଶ୍ୟ ହେଉଛନ୍ତି ଡୋନାଲ୍‌ଡ ଟ୍ରମ୍ପ ଏବଂ ତାଙ୍କର ଏହି ପଶ୍ଚାତ୍‌ମୁଖୀ ଉଦ୍ୟମର ଯାହା ହେଉଛି ପ୍ରକୃଷ୍ଟତମ ଉଦାହରଣ, ତାହା ହେଲା ପୃଥିବୀର ସର୍ବାଧିକ ଆଦୃତ ମୋବାଇଲ୍ ଫୋନ୍ ‘ଆଇ-ଫୋନ୍’ର ଉତ୍ପାଦନକୁ ଭାରତରୁ ସ୍ଥାନାନ୍ତରିତ କରି ତାହାକୁ ଆମେରିକାରେ ସଂଘଟିତ କରିବା ପାଇଁ ସେ ଏହାର ନିର୍ମାତା ‘ଆପ୍‌ଲ’ କଂପାନିର ମୁଖ୍ୟ ଟିମ୍ କୁକ୍‌ଙ୍କୁ ବାରମ୍ବାର ଦେଇ ଚାଲିଥିବା କମାଣ୍ଡ୍। ତାଙ୍କର ଏହି ଉଦ୍ୟମର ସଦ୍ୟତମ ଅଂଶସ୍ବରୂପ ଟ୍ରମ୍ପ ଧମକ ଦେଇଛନ୍ତି ଯେ ‘ଆପ୍‌ଲ’ ଯଦି ‘ଅାଇ-ଫୋନ୍’ ଉତ୍ପାଦନକୁ ଆମେରିକାକୁ ସ୍ଥାନାନ୍ତରିତ ନ କରେ ତେବେ ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତରେ ଖଞ୍ଜା ଯାଇଥିବା ‘ଆଇ-ଫୋନ୍’ମାନଙ୍କ ଉପରେ ସେ ୨୫ ଶତାଂଶ ହାରରେ ଆମଦାନି ଶୁଳ୍‌କ ବା ଟାରିଫ୍ ବସାଇବେ।
‘ଆପ୍‌ଲ’ ଟ୍ରମ୍ପଙ୍କର ଏହି ଧମକ ଯୋଗୁଁ ଡରିଯାଇ ଭାରତରେ ‘ଆଇ-ଫୋନ୍’ ଉତ୍ପାଦନ ବନ୍ଦ କରିଦେଇ ଆମେରିକାକୁ ଫେରିଯିବ କି ନାହିଁ, ତାହା ନେଇ ବର୍ତ୍ତମାନ କଳ୍ପନାଜଳ୍ପନା ଜୋର ଧରିଲାଣି। ତେବେ ‘ଆପ୍‌ଲ’ ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଳନ କରିବ କି ନାହିଁ, ତାହା ଉପରେ ବର୍ଣ୍ଣିତ ବଜାର ଅର୍ଥନୀତି ନିୟମ ଉପରେ ଟ୍ରମ୍ପଙ୍କର ଟାରିଫ୍ ଧମକର ସମ୍ଭାବ୍ୟ ପ୍ରଭାବ ଉପରେ ନିର୍ଭର କରେ। ‘ଆପ୍‌ଲ’ ତା’ର ‘ଆଇ-ଫୋନ୍’ ନିର୍ମାଣ ପାଇଁ ଭାରତ ପ୍ରତି ଆକର୍ଷିତ ହେବାର ବିଭିନ୍ନ କାରଣମାନଙ୍କ ମଧ୍ୟରୁ ଏକ ମୁଖ୍ୟ କାରଣ ହେଉଛି ଏଠାକାର ଅପେକ୍ଷାକୃତ ନୀଚା ଉତ୍ପାଦନ ବ୍ୟୟ। ଟ୍ରମ୍ପଙ୍କର ୨୫ ଶତାଂଶ ଟାରିଫ୍ ଯୋଗୁଁ ସେଥିରେ କିଭଳି ବୃଦ୍ଧି ଘଟିବ, ତାହା ହେଉଛି ଗୁରୁତ୍ବପୂର୍ଣ୍ଣ।
ବ୍ୟବସାୟ ସୂତ୍ରରୁ ଉପଲବ୍‌ଧ ସୂଚନା ଅନୁସାରେ ଭାରତରେ ଗୋଟିଏ ‘ଆଇ-ଫୋନ୍’ ଖଞ୍ଜା ହେବାର ହାରାହାରି ବ୍ୟୟ ହେଉଛି ପ୍ରାୟ ୩୦ ଡଲାର୍। ଏହା ଉପରେ ୨୫ ଶତାଂଶ ହାରରେ ଟାରିଫ୍ ଲାଗୁ ହେଲେ ଅାମେରିକା ଆମଦାନି କରୁଥିବା ‘ଆଇ-ଫୋନ୍’ ପାଇଁ ଖର୍ଚ୍ଚ ହେବ ମୋଟ ୩୭.୫ ଡଲାର୍। ଏହା ତୁଳନାରେ ଏଇ ‘ଆଇ-ଫୋନ୍’ ଯଦି ଆମେରିକାରେ ନିର୍ମିତ ହୁଏ, ତାହା ପାଇଁ ପ୍ରାୟ ୩୯୦ ଡଲାର୍ ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି। ଏହି ଖର୍ଚ୍ଚ ବୃଦ୍ଧିର ଯାହା ହେଉଛି ମୁଖ୍ୟ କାରଣ, ତାହା ହେଲା ଆମେରିକାରେ ପ୍ରଚଳିତ ଉଚ୍ଚତର ମଜୁରି ହାର, ଯାହା ଭାରତରେ ‘ଆପ୍‌ଲ’ ପ୍ରଦାନ କରୁଥିବା ପାରିଶ୍ରମିକ ହାରର ୧୨ ଗୁଣରୁ ଅଧିକ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଭାରତରେ ଅନ୍ତିମ ଖଞ୍ଜା ଯିବାରେ ‘ଆପ୍‌ଲ’ କରୁଥିବା ଖର୍ଚ୍ଚ ହେଉଛି ଏକ ‘ଆଇ-ଫୋନ୍’ର ମୋଟ ମୂଲ୍ୟର ଏକ କ୍ଷୁଦ୍ର ଅଂଶ ମାତ୍ର। ଉଦାହରଣ ସ୍ବରୂପ ଯେଉଁ ‘ଆଇ-ଫୋନ୍’ର ମୂଲ୍ୟ ୧,୦୦୦ ଡଲାର୍ ହୋଇଥାଏ, ସେଥିରେ ବ୍ରାଣ୍ଡ୍, ଡିଜାଇନ୍, ସଫ୍‌ଟୱେଆର୍ ବାବଦରେ ‘ଆପ୍‌ଲ’ର ଭାଗ ହୋଇଥାଏ ପ୍ରାୟ ୪୫୦ ଡଲାର୍। ତାଇୱାନ, ଦକ୍ଷିଣ କୋରିଆ, ଜାପାନ ଓ ଆମେରିକାର ଯେଉଁ କଂପାନିମାନେ ସେଇ ‘ଆଇ-ଫୋନ୍’ରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶମାନ ଯୋଗାଇଥାନ୍ତି, ସେମାନଙ୍କର ମିଳିତ ଭାଗ ହୋଇଥାଏ ପ୍ରାୟ ୪୦୦ ଡଲାର୍। ଭାରତରେ ଏହି ‘ଆଇ-ଫୋନ୍’ ଖଞ୍ଜା ହେବାର ଭାଗ ହେଉଛି ମାତ୍ର ତିନି ଶତାଂଶରୁ ମଧ୍ୟ କମ୍। କେବଳ ‘ଆଇ-ଫୋନ୍’ର ଏହି ଖଞ୍ଜା ହେବା କାର୍ଯ୍ୟକୁ ଆମେରିକାକୁ ସ୍ଥାନାନ୍ତରିତ କରିଦେଲେ ଅନାବଶ୍ୟକ ଭାବରେ ‘ଆଇ-ଫୋନ୍’ ମୂଲ୍ୟରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟିବା ସାର ହେବ।
ଅପରପକ୍ଷେ ‘ଆଇ-ଫୋନ୍’ର ଉତ୍ପାଦନ ସ୍ଥାନାନ୍ତରିତ ନ ହୋଇ ତାହାର ଆମଦାନି ଉପରେ ଯଦି ଟ୍ରମ୍ପଙ୍କ ଦ୍ବାରା ଘୋଷିତ ଟାରିଫ୍ ଲାଗୁ କରାଯାଏ ଏବଂ ତାହାକୁ ‘ଆପ୍‌ଲ’ ବହନ ନ କରି ‘ଆଇ-ଫୋନ୍’ ଗ୍ରାହକମାନଙ୍କ ଉପରକୁ ଠେଲିଦିଏ, ତେବେ ହିସାବ କରାଯାଇଛି ‌େଯ ସବୁଠାରୁ ଶସ୍ତା ‘ଆଇ-ଫୋନ୍’ର ଦାମ୍‌ରେ ପ୍ରାୟ ୫ ଶତାଂଶ ବୃଦ୍ଧି ଘଟିବାବେଳେ ସବୁଠାରୁ ଦାମିକା ‘ଆଇ-ଫୋନ୍’ର ମୂଲ୍ୟରେ ପ୍ରାୟ ୧୦ ଶତାଂଶ ବୃଦ୍ଧି ଘଟିବ। ଆମେରିକୀୟ ‘ଆଇ-ଫୋନ୍’ ଗ୍ରାହକମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ ପ୍ରୀତିପ୍ରଦ ନୁହେଁ।
କେ‌ବଳ ଏକ ଅପେକ୍ଷାକୃତ ନୀଚା ଉତ୍ପାଦନ ବ୍ୟୟ ‘ଆପ୍‌ଲ’ ପାଇଁ ଭାରତର ଏକମାତ୍ର ଆକର୍ଷଣ ନୁହେଁ। ବିଭିନ୍ନ କାରଣରୁ ଚୀନ୍‌ରୁ ‘ଆଇ-ଫୋନ୍’ ନିର୍ମାଣର ଏକ ବିଶେଷ ଅଂଶ ସ୍ଥାନାନ୍ତରିତ କରିବାକୁ ଚାହୁଁଥିବା ‘ଅାପ୍‌ଲ’ ପାଇଁ ଭାରତ ସଂପ୍ରତି ସର୍ବାଧିକ ଉପଯୁକ୍ତ ଗନ୍ତବ୍ୟ ସ୍ଥଳ ରୂପେ ଆବିର୍ଭୂତ ହୋଇଛି। ୨୦୨୦ରେ ଭାରତରେ ବିଧିବଦ୍ଧ ଭାବରେ ‘ଆପ୍‌ଲ’ ତା’ର ‘ଆଇ-ଫୋନ୍’ ଉତ୍ପାଦନ ଆରମ୍ଭ କରିବା ପରଠାରୁ ଇତିମଧ୍ୟରେ ଏଠାରେ ‘ଆଇ-ଫୋନ୍’ର ପୃଥିବୀରେ ମୋଟ ଉତ୍ପାଦନର ଏକ-ପଞ୍ଚମାଂଶ ସଂଘଟିତ ହେଲାଣି। ‘ଫକ୍‌ସକନ୍’ ଓ ‘ଟାଟା ଇଲେକ୍ଟ୍ରୋନିକ୍‌ସ’ ଏଠାରେ ‘ଆଇ-ଫୋନ୍’ ଉତ୍ପାଦନ ପାଇଁ ଠିକା କଂପାନି ରୂପେ କାର୍ଯ୍ୟ କରୁଛନ୍ତି। ଏହାକୁ କେନ୍ଦ୍ର କରି ବର୍ତ୍ତମାନ ଏଠାରେ ‘ଆଇ-ଫୋନ୍’ ଉତ୍ପାଦନ ନିମିତ୍ତ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମିମାନ ଗଢ଼ିଉଠିଲେଣି ଏବଂ ଉପଯୁକ୍ତ ଶ୍ରମ-ଶକ୍ତି ମଧ୍ୟ ସୃଷ୍ଟି ହେଲାଣି। ଏ ସବୁକୁ ପରିତ୍ୟାଗ କରି ‘ଆପ୍‌ଲ’ ଆମେରିକା ଦିଗରେ ମୁହଁାଇବା ବଜାର ଅର୍ଥନୀତିର ସମସ୍ତ ମୌଳିକ ନିୟମର ଉଲ୍ଲଂଘନ କରିବ, ଠିକ୍ ଯେମିତି ଟ୍ରମ୍ପଙ୍କର କମାଣ୍ଡ୍ କରିଥାଏ। ‘ଆପ୍‌ଲ’ ତେଣୁ ଟ୍ରମ୍ପଙ୍କର ସୀମିତ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଏହି ବଜାର ଅର୍ଥନୀତି-ବିରୋଧୀ ନିର୍ଦ୍ଦେଶ ପାଳନ କରିବା ସମ୍ଭାବନା କ୍ଷୀଣ ମନେ ହୁଏ।