ଯେଉଁ କାରଣଟି ଏହି ଆଇନକୁ ସଂପୂର୍ଣ୍ଣ ବିଫଳ କରିଦେଇପାରେ, ତାହା ହେଲା ପ୍ରତୀୟମାନ ବାସ୍ତବତା ଦ୍ବାରା ଭୌଗୋଳିକ ସୀମାରେଖା ଅପାଂକ୍ତେୟ ହୋଇ ଯାଉଥିବାରୁ ଅନେକ ଗେମିଂ କଂପାନି ବିଦେଶ ଭୂମିରୁ ସେମାନଙ୍କ କାରବାର ଅନାୟାସରେ ସଂଚାଳନ କରିପାରିବେ, ଯେଉଁ କାରଣରୁ ଚୀନରେ ମଧ୍ୟ ଏକ ଦୃଢ଼ ଆଇନ ସତ୍ତ୍ବେ ନିଷେଧାଦେଶ ଫଳପ୍ରଦ ହୋଇ ପାରିନାହିଁ। ତା’ ଛଡ଼ା ଏଭଳି ନିଷେଧାଦେଶ ଏକ ବିଶାଳ ବେଆଇନ କଳାବଜାରକୁ ମଧ୍ୟ ଜନ୍ମ ଦେଇପାରେ।
ଗଲା ଗୁରୁବାର ଦିନ ସଂସଦରେ ବିରୋଧୀ ଦଳଙ୍କ କକ୍ଷ ତ୍ୟାଗ ଏବଂ ହୋହଲ୍ଲା ମଧ୍ୟରେ ‘ପ୍ରମୋସନ ଏଣ୍ଡ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ୍’ ଉଭୟ ଗୃହରେ ପାରିତ ହୋଇ ଅଚିରେ ଏକ ଆଇନରେ ପରିଣତ ହେବାକୁ ଯାଉଛି। ଏହା ଫଳରେ ଟଙ୍କାପଇସା ହାର-ଜିତକୁ ପ୍ରାଧାନ୍ୟ ଦେଇ ଖେଳା ଯାଉଥିବା ‘ଅନଲାଇନ ଗେମିଂ’ର ବ୍ୟବସ୍ଥା ଓ ବ୍ୟବସାୟ ସଂପୂର୍ଣ୍ଣ ରୂପେ ନିଷିଦ୍ଧ ହୋଇଯିବ। ଯଦିଓ, ଏଭଳି ଏକ ପଦକ୍ଷେପ ଦ୍ବାରା ସରକାର, କ୍ରୀଡ଼ାକ୍ଷେତ୍ର ଏବଂ ବିଜ୍ଞାପନ ବ୍ୟବସାୟ ଘୋର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ସହସା ଏକ ବଡ଼ ଧରଣର ନିଯୁକ୍ତିହୀନତା ମଧ୍ୟ ସୃଷ୍ଟି ହେବ, ତଥାପି ବୃହତ୍ତର ସାମାଜିକ ହିତ ଦୃଷ୍ଟିରୁ ଏହା ଯେ ସ୍ବାଗତଯୋଗ୍ୟ, ତାହା କହିବା ବାହୁଲ୍ୟ ମାତ୍ର। କିନ୍ତୁ ଏ କଥା ମଧ୍ୟ ସତ ଯେ ଏହି ପ୍ରାବଧାନଗୁଡ଼ିକ ଯେମିତି ସଫଳତାର ସହିତ କାର୍ଯ୍ୟକାରୀ ହୁଏ ଓ ଏଥି ଜନିତ କୌଣସି ଦୁଷ୍ପରିଣାମ ସୃଷ୍ଟି ନ ହୁଏ, ତାହା ସରକାରଙ୍କ ଲାଗି ଏକ ଆହ୍ବାନ ମଧ୍ୟ ସୃଷ୍ଟି କରିପାରେ!
ପ୍ରକାଶ ଥାଉ କି ଏହି ବିଲ୍ର ପ୍ରାବଧାନ ଅନୁସାରେ ଟଙ୍କା କାରବାର କରୁଥିବା ‘ରିଏଲ ମନି ଅନଲାଇନ ଗେମିଂ’ ଆପ୍ ଏବଂ ମଞ୍ଚ(ପ୍ଲାଟଫର୍ମ)ଗୁଡ଼ିକ ସଂପୂର୍ଣ୍ଣ ବେଆଇନ ହୋଇଯିବେ। ଅପର ପକ୍ଷରେ ଟଙ୍କା କାରବାରରୁ ମୁକ୍ତ ନିରୀହ ଅନଲାଇନ ଗେମ୍ ବା ଖେଳ ଏବଂ ‘ଇ-ସ୍ପୋର୍ଟସ’(ଡିଜିଟାଲ କ୍ରୀଡ଼ା)କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏହି ଆଇନର ଉଲ୍ଲଂଘନରେ ଦଣ୍ଡ ବିଧାନ ସ୍ବରୂପ ମୁଖ୍ୟ ସୂତ୍ରଧର ଅର୍ଥାତ୍ ଗେମିଂ କଂପାନିର ସ୍ବତ୍ତ୍ବାଧିକାରୀ ବା କର୍ମକର୍ତ୍ତାମାନଙ୍କ ଲାଗି ୩ ବର୍ଷର ଜେଲ ବା ଏକ କୋଟି ଟଙ୍କାର ଜରିମାନା ବା ଉଭୟର ବ୍ୟବସ୍ଥା ରହିଛି। ଏଭଳି ଗେମିଂର ବିଜ୍ଞାପନ ଓ ପୃଷ୍ଠପୋଷକତାରେ ସହାୟତା କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ସକାଶେ ୨ ବର୍ଷର ଜେଲ ଦଣ୍ଡ ବା ୫୦ ଲକ୍ଷ ଟଙ୍କାର ଜରିମାନା ଭଳି କଠୋର ଦଣ୍ଡର ପ୍ରାବଧାନ ରହିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏଭଳି ଗେମିଂରେ ମୋହଗ୍ରସ୍ତ ଅସଂଖ୍ୟ ଭାରତୀୟ ପରିବାର କପର୍ଦ୍ଦକ ଶୂନ୍ୟ ହେବାରେ ଲାଗିଛନ୍ତି ଏବଂ ହତାଶାେର ଆତ୍ମହତ୍ୟା ମଧ୍ୟ କରି ଦେଉଛନ୍ତି। ସ୍ଥିତି କିଭଳି ଗୁରୁତର, ତାହାର ଧାରଣା ‘ଟାଇମ୍ସ ଅଫ ଇଣ୍ଡିଆ’ରେ ପ୍ରକାଶିତ ଏକ ସମ୍ବାଦରୁ ମିଳିଥାଏ, ଯାହା ଅନୁସାରେ ୩୦ ଦିନ ମଧ୍ୟରେ ଏହି କାରଣରୁ ୩୧ଟି ଆତ୍ମହତ୍ୟା ଘଟଣା ଘଟିଛି। ଏହା ନିଃସନ୍ଦେହ ଯେ ଯେତେ ସରସ ଭାଷା ପ୍ରୟୋଗ କଲେ ମଧ୍ୟ ସିଧା ଅର୍ଥରେ ଏଭଳି ଗେମିଂ ହେଉଛି ସମସ୍ତଙ୍କ ପହଞ୍ଚରେ ଥିବା ଗୋଟିଏ ଗୋଟିଏ ‘କ୍ୟାସିନୋ’ ବା ଜୁଆ ଆଡ୍ଡା, ଯାହା ଭାରତରେ ବେଆଇନ। ଏକ ସରକାରୀ ପରିସଂଖ୍ୟାନ ଅନୁସାରେ ଗତ ବର୍ଷ ଏଭଳି ଅନଲାଇନ ଜୁଆ ଖେଳ ୫୯ କୋଟି ଭାରତୀୟଙ୍କ ଜରିଆରେ ୨୦ ହଜାର କୋଟି ଟଙ୍କାର କାରବାର ଦେଖିଥିଲା ଏବଂ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୧୯ ହଜାର କୋଟି ଟଙ୍କାର କାରବାର ହୋଇ ସାରିଲାଣି। ବିଶେଷଜ୍ଞମାନେ ଅନୁମାନ କରନ୍ତି ଯେ ୨୦୩୦ ମସିହା ସୁଦ୍ଧା ଏହି କାରବାର ୮୦ ହଜାର କୋଟିରେ ପହଞ୍ଚି ଥାଆନ୍ତା, ଯଦି ସରକାର ଏଭଳି ଏକ ଆଇନ ଆଣିବାର ଉଦ୍ୟମ କରି ନ ଥାଆନ୍ତେ! ଏଣେ, ଅନଲାଇନ ଗେମିଂ ପ୍ରତି ସୃଷ୍ଟ ଦୁର୍ବାର ଆକର୍ଷଣକୁ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ.ଓ.’ ପକ୍ଷରୁ ଏକ ନିଶା ଓ ବିକୃତି ବୋଲି ଦର୍ଶା ଗଲାଣି, ଯାହା ଉଭୟ ଶରୀର ଓ ମନ ପାଇଁ କ୍ଷତିକାରକ। ଏବଂ ଏହାର ବିପଜ୍ଜନକ ଦିଗଟି ହେଲା ଏହି ନିଶା ଅଗଣିତ ଭାରତୀୟଙ୍କ କୈଶୋରକୁ ନିଃଶେଷ କରିବାରେ ଲାଗିଛି; ପରିବାରର ଅଲକ୍ଷ୍ୟରେ ସମସ୍ତ ସଞ୍ଚିତ ରାଶି ଶୂନ୍ୟ ହୋଇ ଯାଉଛି, ନିଃସ୍ବତା ଓ ଆତ୍ମହତ୍ୟା ଭଳି ସ୍ଥିତି ଓ ଘଟଣାମାନ ଦ୍ବାରା ଭାରତୀୟ ସମାଜ ଦଗ୍ଧ ହେବାରେ ଲାଗିଛି। କେବଳ ସେତିକି ନୁହେଁ, କେତେକ ସନ୍ଦିଗ୍ଧ ଗେମିଂ କଂପାନି ମାଧ୍ୟମରେ ବିପୁଳ ଅର୍ଥ ଆତଙ୍କବାଦ ଓ ଅନ୍ତର୍ଘାତ କାର୍ଯ୍ୟକଳାପ ଲାଗି ପ୍ରବାହିତ ହେଉଥିବାରୁ ଏଭଳି ନିଷେଧାଦେଶ ଯଥାର୍ଥ ବୋଲି ମଧ୍ୟ ମନେ ହୋଇଥାଏ।
ତେବେ, ଏଭଳି ଏକ ପଦକ୍ଷେପ ଦ୍ବାରା ସରକାର ବାର୍ଷିକ ୨୦ ହଜାର କୋଟି ଟଙ୍କାର ଜି.ଏସ୍.ଟି. ହରାଇବେ ଏବଂ କ୍ରୀଡ଼ା କ୍ଷେତ୍ର ତା’ର ପୃଷ୍ଠପୋଷକତା ଓ ପ୍ରସାରଣ ଅଧିକାର ବିକ୍ରୟ ବାବଦକୁ ଲାଭ କରୁଥିବା ବିପୁଳ ଅର୍ଥ ହରାଇବ। ପ୍ରକାଶ ଥାଉ କି ସଂପ୍ରତି ଭାରତୀୟ କ୍ରିକେଟ୍ ଟୁର୍ନାମେଣ୍ଟଗୁଡ଼ିକ ମୁଖ୍ୟତଃ ଏଭଳି ‘ରିଏଲ ମନି ଗେମିଂ’ କଂପାନିଗୁଡ଼ିକ ଦ୍ବାରା ପ୍ରାୟୋଜିତ ହେଉଛନ୍ତି; ଉଦାହରଣ ସ୍ବରୂପ ଗଲା ‘ଆଇ.ପି.ଏଲ୍’ର ଦୁଇ ମୁଖ୍ୟ ପୃଷ୍ଠପୋଷକ ‘ଡ୍ରିମ ଇଲେଭେନ୍’ ଏବଂ ‘ମାଇ ଇଲେଭେନ ସର୍କଲ’ ପକ୍ଷରୁ ଯଥାକ୍ରମେ ୩୫୮ ଓ ୬୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି କଂପାନିଗୁଡ଼ିକ ଦ୍ବାରା ପ୍ରଦତ୍ତ ବିଜ୍ଞାପନ ବାବଦରୁ ଆଇପିଏଲ୍ ଲାଭ କରିଥାଏ ବର୍ଷକୁ ୧୦ ହଜାର କୋଟି ଟଙ୍କା। ସୁତରାଂ, ଏମାନଙ୍କ ଅନୁପସ୍ଥିତି ଭାରତୀୟ ବିଜ୍ଞାପନ ବ୍ୟବସାୟକୁ ଅଜସ୍ର କ୍ଷତି ପହଞ୍ଚାଇବ। କେବଳ ସେତିକି ନୁହେଁ, ଏହି ‘ରିଏଲ ମନି ଗେମିଂ’ କଂପାନିଗୁଡ଼ିକ ବିଦେଶୀ ପୁଂଜି ନିବେଶକୁ ଆକୃଷ୍ଟ କରିବା ସହିତ ଷ୍ଟକ ବଜାରରେ ପଂଜୀକୃତ ମଧ୍ୟ ହୋଇଛନ୍ତି। ସେହି କାରଣରୁ ଅନେକ ନିବେଶକାରୀ କ୍ଷତି ସହିବେ, କେତେକ ସର୍ବସ୍ବାନ୍ତ ହୋଇଯାଇପାରନ୍ତି ମଧ୍ୟ! ସଂପ୍ରତି ଏହି କଂପାନିଗୁଡ଼ିକରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତ ପ୍ରାୟ ୨ ଲକ୍ଷ ବ୍ୟକ୍ତି ରୋଜଗାର ହରାଇବା ମଧ୍ୟ ଏକ ସମସ୍ୟା ରୂପେ ଉଭା ହେବ। ଏଣେ, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପୂର୍ବରୁ ପ୍ରଦତ୍ତ ଏକ ରାୟ ମଧ୍ୟ ଏହି ଆଇନର ପ୍ରଚଳନରେ ବାଧା ସୃଷ୍ଟି କରିପାରେ, ଯହିଁରେ ଅଦାଲତ ଗେମିଂକୁ ‘ଦକ୍ଷତା-ପ୍ରଧାନ’ ଏବଂ ‘ଭାଗ୍ୟ-ସର୍ବସ୍ବ’(ଯେମିତି ଚେସ ଓ ଲୁଡ଼ୋ) ଦୃଷ୍ଟିକୋଣରୁ ବିଭାଜନ କରି ଦ୍ବିତୀୟ ପ୍ରକାର ଖେଳ ବା ଗେମିଂରେ ଟଙ୍କା କାରବାରକୁ ନିଷେଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅନେକ ‘ରିଏଲ ମନି ଗେମିଂ କଂପାନି’ଙ୍କ ଦାବି ଯେ ସେମାନେ ଦକ୍ଷତା-ପ୍ରଧାନ ଗେମିଂର ସଂଚାଳକ। ସୁତରାଂ, ଏ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତଙ୍କ ପୁନର୍ଭାଷ ମଧ୍ୟ ଜରୁରି ହେବ। କିନ୍ତୁ ଯେଉଁ କାରଣଟି ଏହି ଆଇନକୁ ସଂପୂର୍ଣ୍ଣ ବିଫଳ କରିଦେଇପାରେ, ତାହା ହେଲା ପ୍ରତୀୟମାନ ବାସ୍ତବତା ଦ୍ବାରା ଭୌଗୋଳିକ ସୀମାରେଖା ଅପାଂକ୍ତେୟ ହୋଇ ଯାଉଥିବାରୁ ଅନେକ ଗେମିଂ କଂପାନି ବିଦେଶ ଭୂମିରୁ ସେମାନଙ୍କ କାରବାର ଅନାୟାସରେ ସଂଚାଳନ କରିପାରିବେ, ଯେଉଁ କାରଣରୁ ଚୀନରେ ମଧ୍ୟ ଏକ ଦୃଢ଼ ଆଇନ ସତ୍ତ୍ବେ ନିଷେଧାଦେଶ ଫଳପ୍ରଦ ହୋଇ ପାରିନାହିଁ। ତା’ ଛଡ଼ା ଏଭଳି ନିଷେଧାଦେଶ ଏକ ବିଶାଳ ବେଆଇନ କଳାବଜାରକୁ ମଧ୍ୟ ଜନ୍ମ ଦେଇପାରେ। ଏହି ଦୃଷ୍ଟିରୁ ଉପରୋକ୍ତ ଆଇନର ସଫଳତା ପ୍ରଶ୍ନସଂକୁଳ ହୋଇ ଉଠିଛି!
ପ୍ରତ୍ୟହ ଆମ ଚତୁଃପାର୍ଶ୍ବରେ ଅନେକ ଛୋଟବଡ଼ ଘଟଣା ଉଦ୍ଦେଶ୍ୟହୀନ ଭାବେ ଘଟି ଚାଲିଥାଏ, ଯେମିତି ଆମ ସାମନାରେ ଏକ ସୁସ୍ବାଦୁ ପାଚିଲା ଆମ୍ବ ଦୈବାତ୍ ଗଛରୁ ଖସି ପଡ଼େ! ଯୁଗସ୍ରଷ୍ଟା ଲେଖକ ଆଇଜାକ ବାସେଭିସ ସିଙ୍ଗର ଏଭଳି ଘଟଣାକୁ ନିରନ୍ତର ଘଟି ଚାଲିଥିବା ଅଲୌକିକତା ବୋଲି କହନ୍ତି, ଯାହା ଉପରେ ଆମେ ହୁଏତ ଗୁରୁତ୍ବ ପ୍ରଦାନ କରି ନ ଥାଉ, କିନ୍ତୁ ତାହା ଅାମ ଅନ୍ତରସ୍ଥ ହୋଇ ଭାଗ୍ୟ ଉପରେ ବିଶ୍ବାସକୁ ଅତୁଟ ରଖେ। ଏଭଳି ବିଶ୍ବାସ ହିଁ ଜୁଆରେ ପ୍ରବୃତ୍ତ ହେବାର ଲାଗି ଉଚ୍ଚାଟ ସୃଷ୍ଟି କରିପାରେ। ସେହି ଉଚ୍ଚାଟକୁ ଉଜ୍ଜୀବିତ କରି ରଖିବା ଲାଗି ଜୁଆ ଖେଳାଉଥିବା ଲୋକେ ଚତୁରତାର ସହିତ ସାମାନ୍ୟ ଜିତାପଟର ସୁଯୋଗ ମଧ୍ୟ ଦିଅନ୍ତି; ତେଣିକି ଅକାତରେ ସର୍ବସ୍ବାନ୍ତ ହୋଇଯିବାର ଅବିମୃଶ୍ୟକାରିତା ଦ୍ବାରା କବଳିତ ହେବାକୁ ବିଳମ୍ବ ଲାଗେ ନାହିଁ। ଏବେ ଏ ସଂଦର୍ଭରେ ଏକ ଛୋଟ ଗଳ୍ପ। ଜଣେ ବ୍ୟକ୍ତି ଏକ କ୍ୟାସିନୋରେ ସବୁ ଟଙ୍କା ହରାଇବା ପରେ ମାତ୍ର ଦୁଇ ଶହ ଟଙ୍କା ଟ୍ୟାକ୍ସି ଭଡ଼ା ବାବଦକୁ ବଞ୍ଚାଇ ବାହାରକୁ ଆସି ଭାବନ୍ତି ଏଇ ଦୁଇ ଶହ ଟଙ୍କାକୁ ମଧ୍ୟ ବାଜିରେ ଲଗାଇ ଦିଏ, କିଏ ଜାଣେ ଭାଗ୍ୟ ବଦଳି ଯାଇପାରେ! ଏହା ଶୁଣି ସାଙ୍ଗରେ ଥିବା ପତ୍ନୀ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଭଦ୍ରଲୋକ ସେହି ଦୁଇ ଶହ ଟଙ୍କାରୁ ଦୁଇ ଘଣ୍ଟା ମଧ୍ୟରେ କୋଡ଼ିଏ ଲକ୍ଷ ଟଙ୍କା ଜିଣି ସାରିଯାଆନ୍ତି। ଘରକୁ ଫେରିବା ପୂର୍ବରୁ ସେତକ ଟଙ୍କା ବାଜିରେ ଲଗାଇ ଦୁଇ ଗୁଣ ଜିଣିବାର ଉଦ୍ୟମରେ ଅଗତ୍ୟା ସେ ସବୁ ଟଙ୍କା ହରାଇ ବସନ୍ତି। ବିରସ ମନରେ ଭଦ୍ରଲୋକ ପଦବ୍ରଜରେ ଘରେ ପହଞ୍ଚି ପତ୍ନୀଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାନ୍ତେ, ପତ୍ନୀ କହନ୍ତି, ଚିନ୍ତା କରନା, ତୁମେ ପ୍ରକୃତରେ ମାତ୍ର ଦୁଇଶହ ଟଙ୍କା ହାରିଛ। କିନ୍ତୁ ଥରେ ଭାବ ତ କୋଡ଼ିଏ ଲକ୍ଷ ଟଙ୍କା ଜିଣି ପାରିଥିଲ! କହିବା ବାହୁଲ୍ୟ ଏହା ପରେ ହାରିବା, ଜିତିବା ଓ ପୁଣି ହାରିବାର ଚକ୍ରର ଘୂର୍ଣ୍ଣନ ଜାରି ରହି ଭଦ୍ରଲୋକଙ୍କୁ କପର୍ଦ୍ଦକଶୂନ୍ୟ ଏବଂ ଅସହନୀୟ ଭାବେ ଋଣଗ୍ରସ୍ତ କରି ଦେଇଥିବ, ଆତ୍ମହତ୍ୟା କରିବାର ଚିନ୍ତା ମୁଣ୍ଡ ଟେକୁ ଥାଇପାରେ! ଏଭଳି ସ୍ଥିତିରେ ଏହି କୁଚକ୍ରରୁ ମୁକ୍ତି ଦେବା ଲାଗି ନୂଆ ଆଇନଟି ଉଦ୍ୟମ କରିବ। କିନ୍ତୁ ଭଦ୍ରଲୋକଙ୍କ ଚୈତନ୍ୟ ଉଦୟ ହେଲେ ତ?