ଭାରତରେ ବର୍ତ୍ତମାନ ସମସ୍ତ ଅନୁମୋଦନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଉତ୍ପାଦନକ୍ଷମ ହେଲେ ଆମ ଦେଶରେ ଦୈନିକ ୯୫ ନିୟୁତ ଚିପ୍ସ ଉତ୍ପାଦିତ ହୋଇପାରିବ। ଏହି ଧାରା ଅବ୍ୟାହତ ରହିଲେ ଭାରତରେ ୨୦୩୦ ସୁଦ୍ଧା ପୃଥିବୀର ୧ ଟ୍ରିଲିଅନ୍ ଡଲାର୍ ମୂଲ୍ୟର ମୋଟ ଚିପ୍ସ ଉତ୍ପାଦନର ପ୍ରାୟ ୧୦ ଶତାଂଶ ଉତ୍ପାଦିତ ହେବ ବୋଲି ଆଶା କରାଯାଉଛି।
ସେମିକଣ୍ଡକ୍ଟର ନିର୍ମାଣର ଅନନ୍ୟ ଦୁନିଆରେ ପ୍ରବେଶ ନିମିତ୍ତ ଭାରତର ସାହସିକ ଉଦ୍ୟମ ଶେଷରେ ବାସ୍ତବ ରୂପ ପରିଗ୍ରହଣ କରିବାର ଦୃଢ଼ ସୂଚନା ବର୍ତ୍ତମାନ ଉପଲବ୍ଧ ହେବାକୁ ଆରମ୍ଭ କଲାଣି ବୋଲି କୁହାଯାଇପାରେ। ଏକ ସମୟରେ ଦେଖା ଦେଇଥିବା ଏ କ୍ଷେତ୍ରରେ ପ୍ରାବିଧିକ ଅଗ୍ରଗତି, ନିବେଶ ବନ୍ୟା ଓ ନୀତିଗତ ଦିଗ ପରିବର୍ତ୍ତନ ଆଦି ଏହି ଆସନ୍ନ ବିପ୍ଳବର ସ୍ବାକ୍ଷର ବହନ କରିଥାନ୍ତି। ‘ଇଣ୍ଡିଆ ସେମିକଣ୍ଡକ୍ଟର ମିସନ୍’ (‘ଆଇଏସ୍ଏମ୍’)ର ପରବର୍ତ୍ତୀ ଅଧ୍ୟାୟକୁ ତ୍ବରାନ୍ବିତ କରିବା ନିମିତ୍ତ ସରକାର କରିଥିବା ଘୋଷଣା ଏ କ୍ଷେତ୍ରରେ ସକ୍ରିୟ ଥିବା ତଥା ପ୍ରବେଶ କରିବା ନିମିତ୍ତ ଆଗ୍ରହୀ ଥିବା ନିବେଶକମାନଙ୍କ ମନରେ ଭରସା ସୃଷ୍ଟି କରିଥାଏ ଯେ ଭାରତ ଚିପ୍ ନିର୍ମାଣ ପାଇଁ ପ୍ରକାଶ କରିଥିବା ଇଚ୍ଛା ଏକ ସାମୟିକ ଆବେଶ ମାତ୍ର ନୁହେଁ।
ଏଇ ସମୟରେ ‘ଇସ୍ରୋ’ ପ୍ରସ୍ତୁତ କରିଥିବା ‘ବିକ୍ରମ-୩୨’ ମାଇକ୍ରୋପ୍ରସେସର୍ ଭାରତରେ ନିର୍ମିତ ସର୍ବପ୍ରଥମ ସ୍ବଦେଶୀ ୩୨-ବିଟ୍ ମାଇକ୍ରୋପ୍ରସେସର୍ ରୂପେ ଆବିର୍ଭୂତ ହୋଇ ଭାରତୀୟ ଜ୍ଞାନକୌଶଳର ନୂତନ ସମ୍ଭାବନାର ଘୋଷଣା କରିଛି। ଏଥି ସଙ୍ଗେ ସଙ୍ଗେ ‘ଏନ୍ଆଇଟି’ ରାଉରକେଲା ଓ ‘ପିଏମ୍ଇସି’ ମଧ୍ୟରେ ଘୋଷିତ ହୋଇଥିବା ସହଯୋଗ ଭଳି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ବୃଦ୍ଧି ପାଇଚାଲିଥିବା ସହଯୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ନିମିତ୍ତ ଚିପ୍ମାନ ଡିଜାଇନ୍ କରିବାରେ ଭାରତ ସ୍ବାବଲମ୍ବୀ ହେବା ଦିଗରେ ଅଗ୍ରସର ହେବାକୁ ଆରମ୍ଭ କରିଛି। ରାଜ୍ୟମାନେ ମଧ୍ୟ ଏହି ଅତ୍ୟାଧୁନିକ ପ୍ରାବିଧିକ କ୍ଷେତ୍ରରେ ପ୍ରବେଶ ନିମିତ୍ତ ପ୍ରବଳ ଉତ୍ସାହ ପ୍ରଦର୍ଶନ କରିବା ଦେଖାଯାଉଛି। ଉଦାହରଣ ସ୍ବରୂପ ଓଡ଼ିଶା ସେମିକଣ୍ଡକ୍ଟର ଉତ୍ପାଦନ ନିମିତ୍ତ ପ୍ରାୟ ୨୬୫୫ କୋଟି ଟଙ୍କାର ‘ଏମ୍ଓୟୁ’ ସ୍ବାକ୍ଷର କରିଥିବା ବେଳେ ଆସାମ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟମାନେ ମଧ୍ୟ ଭିତ୍ତିଭୂମି ସହାୟତା ଓ ପ୍ରୋତ୍ସାହନ ପ୍ରଦାନ ଦ୍ବାରା ସେ ସମସ୍ତ ରାଜ୍ୟମାନଙ୍କରେ ଏହି ନୂତନ ଶିଳ୍ପର ପ୍ରତିଷ୍ଠା ତଥା ସଂପ୍ରସାରଣ ନିମିତ୍ତ ପଦକ୍ଷେପ ନେବା ଦେଖାଯାଇଛି।
ଏହି ପୃଷ୍ଠଭୂମିରେ ସପ୍ତାହକ ତଳେ ‘ସିଜି ସେମି’ ନାମକ ‘ମୁରୁଗାପା ଗ୍ରୁପ୍’ର ଏକ ଶାଖା ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ପ୍ରସ୍ତୁତ ସର୍ବପ୍ରଥମ ବ୍ୟାବସାୟିକ ଚିପ୍ ଯୋଗାଣ ଆରମ୍ଭ କରିବାକୁ ଯାଉଛି ବୋଲି ଯେଉଁ େଘାଷଣା କରିଛି, ତାହା ଭାରତର ସେମିକଣ୍ଡକ୍ଟର ଉଚ୍ଚାଶାକୁ ସାକାର କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦ୍ର କ୍ୟାବିନେଟ୍ ଦେଶରେ ଚାରିଟି ସେମିକଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ନିମିତ୍ତ ଅନୁମୋଦନ ପ୍ରଦାନ କରିବା ପରେ ପରେ ‘ସିଜି ସେମି’ କରିଥିବା ଏହି ଘୋଷଣା ନିଶ୍ଚିତ ରୂପେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଏ। ଏଥି ସହିତ ଭାରତରେ ବର୍ତ୍ତମାନ ଅନୁମୋଦନପ୍ରାପ୍ତ ଚିପ୍ ନିର୍ମାଣକାରୀ ପ୍ରକଳ୍ପ ସଂଖ୍ୟା ଦଶରେ ପହଞ୍ଚିଛି। ଏଥି ମଧ୍ୟରେ ତାଇୱାନ୍ର ‘ପାୱାର୍ ଚିପ୍ ସେମିକଣ୍ଡକ୍ଟର ମାନୁଫାକ୍ଚରିଙ୍ଗ କର୍ପୋରେସନ୍’ର ସହଭାଗିତାରେ ଭାରତର ଟାଟା ଗ୍ରୁପ୍ ପରିପକ୍ବ ଚିପ୍ ନିର୍ମାଣ ପାଇଁ ପ୍ରତିଷ୍ଠା କରିଥିବା ପ୍ରକଳ୍ପ ଅନ୍ତର୍ଭୁକ୍ତ।
ଉପରୋକ୍ତ ସଦ୍ୟତମ ଅନୁମୋଦନ ପରେ ଭାରତର ଛ’ଟି ରାଜ୍ୟରେ ପରିବ୍ୟାପ୍ତ ସେମିକଣ୍ଡକ୍ଟର ପ୍ରକଳ୍ପମାନଙ୍କରେ ହେବାକୁ ଯାଉଥିବା ମୋଟ ନିବେଶର ପରିମାଣ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ଯାଉଛି। ଏହା ଅବଶ୍ୟ ଏକ ବିଶାଳ ରାଶି ନୁହେଁ; କିନ୍ତୁ ବର୍ଷ ବର୍ଷ ଧରି ପ୍ରଦର୍ଶିତ ନିଷ୍କ୍ରିୟତା ପରେ ଏ କ୍ଷେତ୍ରରେ ଏହା ହେଉଛି ଯେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ, ଏଥିରେ କେହି ଦ୍ବିମତ ହେବେ ନାହିଁ। ଏହି ପରିପ୍ରେକ୍ଷୀରେ ‘ଆଇଏସ୍ଏମ୍’ର ଦ୍ବିତୀୟ ଅଧ୍ୟାୟକୁ ଅନୁମୋଦନ ପ୍ରଦାନ ଅବସରରେ ‘ସେମିକନ୍ ଇଣ୍ଡିଆ ୨୦୨୫’ରେ ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବଭାବସୁଲଭ ଚଟୁଳତା ପ୍ରୟୋଗ କରି ଯେଉଁ କହିଛନ୍ତି ଯେ ‘‘ଦେଶ ବର୍ତ୍ତମାନ କମ୍ ପେପର୍ ୱର୍କ ଓ ଅଧିକ ୱେଫର୍ ୱର୍କ ଆବଶ୍ୟକ କରୁଛି’’, ତାହା ଭାରତ ଏ ଦିଗରେ ଗ୍ରହଣ କରିଥିବା ଆଭିମୁଖ୍ୟକୁ ସଂପୂର୍ଣ୍ଣ ସ୍ପଷ୍ଟ କରିଥାଏ। କହିବା ଅନାବଶ୍ୟକ ଯେ ଭାରତକୁ ବର୍ତ୍ତମାନ ପଛ ଧାଡ଼ି ପରିତ୍ୟାଗ କରି ଏକ ସ୍ବୟଂସଂପୂର୍ଣ୍ଣ ସେମିକଣ୍ଡକ୍ଟର ରାଷ୍ଟ୍ରରେ ପରିଣତ ହେବା ପାଇଁ ଦ୍ରୁତ ଅଗ୍ରସର ହେବାକୁ ପଡ଼ିବ। କାରଣ ବର୍ତ୍ତମାନ ଯେଉଁ ଯୁଗ ଆରମ୍ଭ ହୋଇସାରିଲାଣି, ତାହା ହେଉଛି ଏଆଇ, କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ, ଅକ୍ଷୟ ଶକ୍ତି ଆଦିର ଯୁଗ। ଏ ସମସ୍ତ ଅତ୍ୟାଧୁନିକ ପ୍ରବିଧିର ମୂଳଭିତ୍ତି ହେଉଛି କ୍ଷୁଦ୍ର ସେମିକଣ୍ଡକ୍ଟର ବା ମାଇକ୍ରୋ ଚିପ୍ସ।
ଏ ପର୍ଯ୍ୟନ୍ତ ଏହି ସେମିକଣ୍ଡକ୍ଟରମାନଙ୍କର ଯୋଗାଣ ଶୃଙ୍ଖଳ ମୁଖ୍ୟତଃ ତାଇୱାନ୍, ଦକ୍ଷିଣ କୋରିଆ, ଚୀନ୍ ଓ ଆମେରିକା ନିୟନ୍ତ୍ରଣରେ ରହି ଆସିଥିଲା। କିନ୍ତୁ କୋଭିଡ୍-୧୯ ପାଣ୍ଡେମିକ୍ ଓ ତା’ ପରେ ପରେ ଆରମ୍ଭ ହୋଇଯାଇଥିବା ୟୁକ୍ରେନ୍ ଯୁଦ୍ଧ ଏହି ଯୋଗାଣ ଶୃଙ୍ଖଳ ପ୍ରତି ସୃଷ୍ଟି କରିଥିବା ଗୁରୁତର ବ୍ୟାଘାତ ପୃଥିବୀର ଅନ୍ୟ ଦେଶମାନଙ୍କୁ ହଠାତ୍ ନିଜର ଅସୁରକ୍ଷିତ ଅବସ୍ଥା ସମ୍ବନ୍ଧରେ ଏପରି ସଚେତନ କରାଇ ଦେଇଛି ଯେ, ସେମାନେ ସେମିକଣ୍ଡକ୍ଟରର ପାରମ୍ପରିକ ଯୋଗାଣର ସମ୍ଭାବ୍ୟ ବିକଳ୍ପ ସନ୍ଧାନରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଏହାକୁ ଆୟୁଧ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଉଦ୍ଭ୍ରାନ୍ତ ଆଚରଣ ଅନ୍ୟ ଦେଶମାନଙ୍କୁ ଏନେଇ ଆହୁରି ଅଧିକ ବିବ୍ରତ କରିଦେଇଛି। ସେମିକଣ୍ଡକ୍ଟରର ସ୍ଥାନୀୟ ଉତ୍ପାଦନ ନିମିତ୍ତ ଭାରତର ଉଦ୍ୟମ ତେଣୁ ଉଭୟ ଅର୍ଥନୈତିକ ଓ ନିରାପତ୍ତା ଦୃଷ୍ଟିରୁ ହେଉଛି ସଂପୂର୍ଣ୍ଣ ଯଥାର୍ଥ।
ଭାରତରେ ବର୍ତ୍ତମାନ ସମସ୍ତ ଅନୁମୋଦନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଉତ୍ପାଦନକ୍ଷମ ହେଲେ ଆମ ଦେଶରେ ଦୈନିକ ୯୫ ନିୟୁତ ଚିପ୍ସ ଉତ୍ପାଦିତ ହୋଇପାରିବ। ଏହି ଧାରା ଅବ୍ୟାହତ ରହିଲେ ଭାରତରେ ୨୦୩୦ ସୁଦ୍ଧା ପୃଥିବୀର ୧ ଟ୍ରିଲିଅନ୍ ଡଲାର୍ ମୂଲ୍ୟର ମୋଟ ଚିପ୍ସ ଉତ୍ପାଦନର ପ୍ରାୟ ୧୦ ଶତାଂଶ ଉତ୍ପାଦିତ ହେବ ବୋଲି ଆଶା କରାଯାଉଛି। ତେବେ ଭାରତ ଏହି ଲକ୍ଷ୍ୟ ହାସଲ କରିବା ନିମିତ୍ତ ବିଶାଳ ସଂଖ୍ୟକ କୁଶଳୀ କର୍ମୀମାନଙ୍କୁ ଆବଶ୍ୟକ କରିବ। ଏକ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଏଥିପାଇଁ ପ୍ରାୟ ୧୦ ଲକ୍ଷ ପର୍ଯ୍ୟନ୍ତ କୁଶଳୀ କର୍ମୀ ଆବଶ୍ୟକ ହେବେ। ଯଦିବା ‘ସ୍କିଲ୍ ଇଣ୍ଡିଆ ସେମିକଣ୍ଡକ୍ଟର ପ୍ରୋଗ୍ରାମ୍’ ମାଧ୍ୟମରେ ଏହି ଆବଶ୍ୟକତା ପୂରଣ ନିମିତ୍ତ ଉଦ୍ୟମ କରାଯାଉଛି, ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ମଧ୍ୟରେ ସହଯୋଗ ମାଧ୍ୟମରେ ଦ୍ରୁତତର ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରାଯିବା ଜରୁରି।
ମନେ ରଖିବା କଥା ଯେ ଭାରତ ଏ କ୍ଷେତ୍ରରେ ବହୁତ ବିଳମ୍ବରେ ପ୍ରବେଶ କରୁଛି। ତେଣୁ ଉପରୋକ୍ତ ଅଗ୍ରଣୀ ଦେଶମାନଙ୍କର ସମକକ୍ଷ ହେବାକୁ ହେଲେ ଆମକୁ ବହୁ ଅଧିକ ଉଦ୍ୟମ କରିବାକୁ ହେବ। ତେବେ ଏକ ଅଗ୍ରଣୀ ଡିଜିଟାଲ୍ ଦେଶ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଭାରତ ପାଇଁ ଏହା ଯେ ଅସାଧ୍ୟ ନୁହେଁ, ସେଥିରେ କୌଣସି ସନ୍ଦେହ ନାହିଁ।