ଏହି ମାସ ତୃତୀୟ ସପ୍ତାହରେ ଭାରତ ଗସ୍ତରେ ଆସୁଥିବା ଆମେରିକୀୟ ପ୍ରତିନିଧି ମଣ୍ଡଳ ସହିତ ଅର୍ଥପୂର୍ଣ୍ଣ ବାର୍ତ୍ତା ବିନିମୟ ମାଧ୍ୟମରେ ହୁଏତ ସ୍ଥିତିରେ କିଛି ସୁଧାର ଆସିପାରେ। ତେବେ, ଭାରତ କିଭଳି ଏହି ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛି, ତାହା କେବଳ ସମୟ କହିବ।

Advertisment

ଯଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଧମକ‌େର ରହିଥିବା ସମୟ କଣ୍ଟ ସତରେ ପୂରିଯାଏ, ତେବେ ଆଜି ଠାରୁ ହିଁ ବହୁ ଚର୍ଚ୍ଚିତ ଆମଦାନି ଶୁଳ୍‌କ ବା ‘ଟା‌ରିଫ’ ଯୁଦ୍ଧ ପ୍ରାରମ୍ଭ ହୋଇଯିବ, ଯହିଁରେ ଭାରତ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହେବା ପ୍ରାୟ ସୁନିଶ୍ଚିତ। ‘ଟ୍ରୁଥ ସୋସିଆଲ’ରେ ପ୍ରସାରିତ ଟ୍ରଂପଙ୍କ ବାର୍ତ୍ତାର ମର୍ମ ହେଲା ଯେସାକୁ ତେସା ଟାରିଫ ନୀତିରେ ଭାରତ ଉପରେ ତ ୨୫% ‘ଟାରିଫ୍‌’ କଷାଯିବ; କିନ୍ତୁ ତା’ ସହିତ ରୁଷିଅା ଠାରୁ ସାମରିକ ସରଂଜାମ ଓ ଖଣିଜ ତୈଳ କ୍ରୟ କରୁଥିବା ଦୋଷର ‘ପେନାଲ୍‌ଟି’ ବା ଜରିମାନା ସ୍ବରୂପ ଏବଂ ‘ବ୍ରିକ୍‌ସ’ର ସଦସ୍ୟ ହୋଇଥିବା କାରଣରୁ ଅତିରିକ୍ତ ଟିକସ ମଧ୍ୟ ଲଗାଯିବ। ପ୍ରକାଶ ଥାଉ କି ରପ୍ତାନି କ୍ଷେତ୍ରରେ ଭାରତର ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରଗୁଡ଼ିକ ଉପରେ ଅପେକ୍ଷାକୃତ କମ୍‌ ‘ଟାରିଫ’ ଲଗାଯାଇଥିବାରୁ ଆମେରିକା ବଜାରରେ ଭାରତୀୟ ଦ୍ରବ୍ୟର ମୂଲ୍ୟ ଅଧିକ ହୋଇ କ୍ରେତାଙ୍କ ନାପସନ୍ଦର କାରଣ ହେବ, ଯଦ୍ଦ୍ବାରା ଭାରତୀୟ ଉଦ୍ୟୋଗ ଓ ଅର୍ଥନୀତି ବିପୁଳ କ୍ଷତି ସହିବାକୁ ବାଧ୍ୟ ହେବେ। ଟ୍ରଂପଙ୍କ ଘୋଷଣାକୁ ଭାରତର ମେରୁଦଣ୍ଡ ଉପରେ ଏକ ପ୍ରହାର ବୋଲି ଅନେକତ୍ର ବିଚାର କରାଯାଉଥିବା ବେଳେ ଏହାର ପ୍ରଭାବ ଓ ପରିଣାମ କିଭଳି ହୋଇପାରେ, ସେ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ଭିଏତନାମ, ଇ‌ଣ୍ଡୋନେସିଆ, ଫିଲିପାଇନସ, ଜାପାନ, ୟୁ.କେ. ଓ ୟୁରୋପୀୟ ସଂଘ ଉପରେ ଆମେରିକୀ ‘ଯେସାକୁ ତେସା ଟାରିଫ’ର ପରିମାଣ ହେଉଛି ଯଥାକ୍ରମେ ୨୦%, ୧୯%, ୧୯%, ୧୫%, ୧୦% ଓ ୧୬ ପ୍ରତିଶତ। ଏହାର ଅର୍ଥ ଭାରତ ଉପ‌‌ରେ ଲାଗୁ ୨୫% ଟାରିଫ ହେତୁ ବୈଦ୍ୟୁତିକ ଉପକରଣ, ‌ମୋଟର ଗାଡ଼ି ଯନ୍ତ୍ରାଂଶ, ଇଲେକ୍‌ଟ୍ରୋନିକ୍‌ସ ସରଂଜାମ, ପୋଷାକପତ୍ର, କେତେକ କୃଷିଜ ଇତ୍ୟାଦିର ରପ୍ତାନି କ୍ଷେତ୍ରରେ ଭାରତ ପ୍ରତିଯୋଗିତା ଅକ୍ଷମ ହେବ। ପ୍ରକାଶ ଥାଉ କି ଭାରତରୁ ଆମେରିକାକୁ ହେଉଥିବା ମୋଟ ରପ୍ତାନି ମୂଲ୍ୟ ୮୮ ବିଲିଅନ ଡଲାର ହୋଇଥିବା ବେଳେ ଆମେରିକାରୁ ହେଉଥିବା ମୋଟ ଆମଦାନି ମୂଲ୍ୟ ହୋଇଥାଏ ୪୨ ବିଲିଅନ ଡଲାର; ଅର୍ଥାତ ୪୬ ବିଲିଅନ ଡଲାରର ନିଅଣ୍ଟିଆ ପରିସ୍ଥିତି! ଏଭଳି ଦୃଶ୍ୟପଟ ଲାଗି ଭାରତର ମାତ୍ରାଧିକ ଭାବେ ଉଚ୍ଚା ଆମଦାନି ଶୁଳ୍‌କ ଦାୟୀ ବୋଲି ଟ୍ରଂପ ଆପତ୍ତି କରି ଆସୁଛନ୍ତି ଏବଂ ଆମେରିକାର ନାମକୁ ମାତ୍ର ଟାରିଫର ସୁଯୋଗ ନେଇ ଭାରତ ସମେତ ସମସ୍ତ ଦେଶ ସେଠାକାର ବଜାରରେ କରୁଥିବା ବିପୁଳ ଲାଭକୁ ସେ ପ୍ରକାରାନ୍ତରେ ‘ଆମେରିକାର ଶୋଷଣ’ ରୂପେ ଦେଖି ଥାଆନ୍ତି, ଯାହା ତାଙ୍କ ସକାଶେ ଅସହ୍ୟ! ଅନେକ ବିଶେଷଜ୍ଞଙ୍କ ମତରେ ଆମେରିକାର ‘ଯେସାକୁ ତେସା ଟାରିଫ’ ନୀତିର ପ୍ରକୃତ ଅଭିସନ୍ଧି ହେଉଛି ଏକ ଅଭିନବ ଅଦୃଶ୍ୟ ଯୁଦ୍ଧ ମାଧ୍ୟମରେ ବିନା ରକ୍ତପାତରେ ସଂହାର ଲୀଳା ଚଳାଇ ପୃଥିବୀକୁ ନତମସ୍ତକ କରି ରଖିବା! ଏହାର ପ୍ରମାଣ ମିଳିଥାଏ ଟ୍ରଂପଙ୍କ ବାର୍ତ୍ତାରୁ, ଯହିଁରେ ‘ଅବୋଲକରା’ ରୁଷିଆ ପ୍ରତି ସପକ୍ଷବାଦୀ ଆଭିମୁଖ୍ୟ ପୋଷଣ କରିଥିବା ଭାରତକୁ ଦଣ୍ଡିତ କରିବାର ଉଦ୍ଦେଶ୍ୟ ପ୍ରାଂଜଳ। ତାଙ୍କ ସଦ୍ୟତମ ପୋଷ୍ଟଟି ଯାହା କହିଛି, ତାହାର ମର୍ମାର୍ଥ ହେଲା ଭାରତ ଓ ରୁଷିଆ ଭଳି ଦୁଇ ମୃତ ଅର୍ଥନୀତି ଧରାପରା ହୋଇ ବୁଡ଼ି ଗଲେ ବି ତାହା ତାଙ୍କ ଲାଗି ଚିନ୍ତାର କାରଣ ହେବ ନାହିଁ। ପ୍ରକାଶ ଥାଉ କି ୟୁକ୍ରେନ-ରୁଷିଆ ଯୁଦ୍ଧ ବିରତି ସଂଦର୍ଭରେ ଟ୍ରଂପଙ୍କ ଆଦେଶକୁ ପୁଟିନଙ୍କ ଅବମାନନା ତାଙ୍କୁ କ୍ଷୁବ୍‌ଧ କରିଛି। ସୁତରାଂ, ପ୍ରସଙ୍ଗଟି କିଭଳି ନିରୋଳା ବେପାରବଣିଜ ପରିସରକୁ ଅତିିକ୍ରମ କରି ରାଜନୈତିକ ଓ ରଣନୈତିକ ବଳୟରେ ପ୍ରବେଶ କରିଛି ତାହା ସୁସ୍ପଷ୍ଟ। ପ୍ରକାଶ ଥାଉ କି ଆମେରିକାର ଟାରିଫ ଆକ୍ରମଣ ବିରୋଧରେ କେବଳ ଚୀନ ଓ କାନାଡା ଦୃଢ଼ ସ୍ବର ଉ‌େତ୍ତାଳନ କରିଛନ୍ତି। ଭିଏତ୍‌ନାମ ଭଳି ରାଷ୍ଟ୍ର ଆମେରିକୀ ଦ୍ରବ୍ୟର ଆମଦାନିକୁ ଶୁଳ୍‌କ ଶୂନ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ। ଜାପାନ, ଯାହା ସେଠାକାର କୃଷକମାନଙ୍କ ସ୍ବା‌ର୍ଥକୁ ସର୍ବାଧିକ ଅଗ୍ରାଧିକାର ଦେଇଥାଏ, ଆମେରିକାରୁ ଚାଉଳ ଆ‌ମଦାନିରେ ୭୫% ବୃଦ୍ଧି ଘଟାଇବା ବିଷୟ ଘୋଷଣା କରି ସାରିଲାଣି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାକୁ ମାର୍ଗ ଅନ୍ବେଷଣ କରୁଛନ୍ତି। ଏଭଳି ଏକ ଅସମାନୁପାତିକ ସଂଘାତରେ ଭାରତ ସଂପ୍ରତି ନିଜକୁ ଏକ ଅସହାୟ ସ୍ଥିତିରେ ମଧ୍ୟ ପାଇଥାଏ! 
ଭାରତ ସକାଶେ ଉତ୍ପନ୍ନ ଦୁଇ ତତ୍କାଳ ସମସ୍ୟା ହେଲା ଆମେରିକାରେ ବିକ୍ରୟ ହୋଇ ପାରୁ ନ ଥିବା ଦ୍ରବ୍ୟ ଲାଗି ନୂତନ ବଜାର ସନ୍ଧାନ ଓ ଆମେରିକୀ ବହପର ଉଚିତ ଜବାବ ଦେବା ସକାଶେ ସାମର୍ଥ୍ୟର ଅଭାବ। ଉଦାହରଣ ସ୍ବରୂପ ‘ବ୍ରିକ୍‌ସ’ ମେଣ୍ଟ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକ ଉପରେ ଆମେରିକା ଦ୍ବାରା ଅତିରିକ୍ତ ଟାରିଫ ଲାଗୁ କରାଯିବାର ଧମକ ହୁଏତ ବ୍ରାଜିଲକୁ ବିଶେଷ ବ୍ୟତିବ୍ୟସ୍ତ କରି ନ ଥିବ, କାରଣ ତାହା ଆମେରିକାରେ ପ୍ରତ୍ୟାଖ୍ୟାତ ଦ୍ରବ୍ୟମାନ ଚୀନରେ ବିକ୍ରୟ କରିବାର ବାଟ ପାଇଯିବ, କିନ୍ତୁ ଚୀନ ସହିତ ତିକ୍ତତା ହେତୁ ତାହା ଭାରତ ଲାଗି ଏକ ଦୁରୂହ ବ୍ୟାପାର ହୋଇପାରେ। ସେହି ଭଳି ବିରଳ ମୃତ୍ତିକା ବା ବିଶେଷ ଗୁଣ ସଂପନ୍ନ ଚୁମ୍ବକ ଯୋଗାଣ କ୍ଷେତ୍ରରେ ଚୀନର ଏକକ ଆଧିପତ୍ୟ ତାକୁ ଅପରାଜେୟ ଭାବେ ଗଢ଼ି ତୋଳିଛି, କାରଣ ପୃଥିବୀକୁ ପରିଚାଳିତ କରୁଥିବା ସେମିକଣ୍ଡକ୍‌ଟର ଏବଂ ଉଚ୍ଚ ଦକ୍ଷତାସଂପନ୍ନ ‘ଚିପ୍‌’ଗୁଡ଼ିକର ପ୍ରସ୍ତୁତି ଲାଗି ସେ ସବୁ କଞ୍ଚାମାଲ ରୂପେ ଅତ୍ୟାବଶ୍ୟକ, ଯାହା ବିନା ‘ସିଲିକନ ଭେଲି’ ବା ‘ଟେସ୍‌ଲା’ର ପ୍ରାଣ ସ୍ପନ୍ଦନ ହୁଏତ କ୍ଷୀଣ ହୋଇଯାଇପାରେ। ଏହି କାରଣରୁ ଚୀନ ଉପରେ ଟ୍ରଂପଙ୍କ ଦ୍ବାରା ଘୋଷିତ ଏକ ଅଶ୍ରୁତପୂର୍ବ ୧୫୦% ଟାରିଫର ଜବାବରେ ଆମେରିକା ମଧ୍ୟ ଚୀନ ପକ୍ଷରୁ ସମତୁଲ ଟାରିଫର ଶରବ୍ୟ ହେଲା, ଯଦ୍ଦ୍ବାରା ଚୀନ ସହିତ ଆଲୋଚନା କରିବା ଲାଗି ଟ୍ରଂପ ଇଚ୍ଛୁକ ବୋଲି ଇଙ୍ଗିତ ପ୍ରଦାନ କରିଛନ୍ତି। ଭାରତ ସକାଶେ ତୃତୀୟ ସମସ୍ୟାଟି ହେଲା କୃଷିଜାତ ଓ ଦୁଗ୍‌ଧଜାତ ଦ୍ରବ୍ୟ କ୍ଷେତ୍ରରେ ଆମେରିକାର ପ୍ରବେଶ ଉଦ୍ୟମକୁ ରୋକିବା। କହିବା ବାହୁଲ୍ୟ, ଭାରତୀୟ କୃଷକ(ଜନସଂଖ୍ୟାର ପ୍ରାୟ ୫୦%)ମାନଙ୍କ ସ୍ବାର୍ଥକୁ ନିରାପତ୍ତା ଦେବା ଲାଗି ଭାରତ ପକ୍ଷରୁ ଏହି ଦୁଇଟି କ୍ଷେତ୍ରରେ ଅତ୍ୟନ୍ତ ଉଚ୍ଚ ଆମଦାନି ଶୁଳ୍‌କ ଲଗାଯାଇଥାଏ। ଏ କ୍ଷେତ୍ରରେ ଶୁଳ୍‌କ ହ୍ରାସର ଅର୍ଥ ଦେଶରେ ତୀବ୍ର ଜନ ବିରୋଧର ସୃଷ୍ଟି। କେବଳ ସେତିକି ନୁହେଁ, ଏଭଳି ଏକ ସ୍ଥିତିରେ ‘ପି.ଡି.ଏସ୍‌.’ ବ୍ୟବସ୍ଥାର ବିଲୟ ଘଟିବାର ସମ୍ଭାବନା ଥିବାରୁ ତାହା ଯେ ଶାସକ ଦଳ ସକାଶେ ଆତ୍ମଘାତୀ ହେବ, ତାହା କହିବା ବାହୁଲ୍ୟ ମାତ୍ର। ତେଣୁ ଏ କ୍ଷେତ୍ରରେ ଆମେରିକାର ପ୍ରବେଶ ଉଦ୍ୟମକୁ ରୋକିବା ଏକ ଅପ୍ରୀତିପ୍ରଦ ଆବଶ୍ୟକତା। କହିବା ବାହୁଲ୍ୟ ଯେ ଏଭଳି ସ୍ଥିତିରେ ଭାରତ ମଧ୍ୟ ତିଷ୍ଠି ରହିବାର ସଘନ ଉଦ୍ୟମ‌ରେ ବ୍ୟାପୃତ ହେଲାଣି। ଇତି ମଧ୍ୟରେ ଇଂଲାଣ୍ଡ ସହିତ ମୁକ୍ତ ବାଣିଜ୍ୟ ରାଜିନାମାରେ ସ୍ବାକ୍ଷର କରି ଦ୍ବି-ପାକ୍ଷିକ ବାଣିଜ୍ୟର ପରିସରକୁ ଅଧିକ ପ୍ରଶସ୍ତ କରିଛି। ଏହା ମଧ୍ୟ ସମ୍ଭବ ଯେ ଟ୍ରଂପଙ୍କ ‘ଦାଦାଗିରି’ର ପ୍ରତିକ୍ରିୟାରେ ବିଭିନ୍ନ ରାଷ୍ଟ୍ର ବାଣିଜ୍ୟ ମେଣ୍ଟମାନ ଗଢ଼ିବେ, ଯାହାର ସୁଫଳ ମଧ୍ୟ ଭାରତକୁ ମିଳିବ। ଏହି ମାସ ତୃତୀୟ ସପ୍ତାହରେ ଭାରତ ଗସ୍ତରେ ଆସୁଥିବା ଆମେରିକୀୟ ପ୍ରତିନିଧି ମଣ୍ଡଳ ସହିତ ଅର୍ଥପୂର୍ଣ୍ଣ ବାର୍ତ୍ତା ବିନିମୟ ମାଧ୍ୟମରେ ହୁଏତ ସ୍ଥିତିରେ କିଛି ସୁଧାର ଆସିପାରେ। ତେବେ, ଭାରତ କିଭଳି ଏହି ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛି, ତାହା କେବଳ ସମୟ କହିବ।
କହିବା ବାହୁଲ୍ୟ ଯେ ଟ୍ରଂପଙ୍କ କାରଣରୁ ଅନେକ ରାଷ୍ଟ୍ର ଦୋଦୁଲ୍ୟମାନ ସ୍ଥିତିରେ ନିଜକୁ ଆବିଷ୍କାର କରନ୍ତି ଏବଂ ଏହି କାରଣରୁ ଆର୍ଥିକ ବିକାଶ, ଆମଦାନି ରପ୍ତାନି, ଆନ୍ତର୍ଜାତିକ ବିନିମୟ ମାଧ୍ୟମ ଓ ମୁଦ୍ରା, ଅନ୍ତର୍ଜାତୀୟ ଅର୍ଥ ଲଗାଣକାରୀ ଅନୁଷ୍ଠାନ ଆଦି ସଂଦର୍ଭରେ ଆମେରିକୀୟ ପ୍ରଭାବ ବହିର୍ଭୂତ ବିକଳ୍ପ ଅନ୍ବେଷଣ ମନସ୍କ ହେଲେଣି। ଟ୍ରଂପଙ୍କ ଅପରିଣାମଦର୍ଶୀ କୂଟନୀତିର ଏହା ଏକ ମଙ୍ଗଳକାରୀ ଦିଗ। ଆମେରିକାର ସ୍ବାର୍ଥ ଚରିତାର୍ଥ କରିବାର ଆଳରେ ଶତ୍ରୁ-ମିତ୍ର ନିର୍ବିଶେଷରେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରଙ୍କୁ ନିଜ ଠାରୁ ଦୂରେଇ ଦେବା ଏବଂ ‘ପରମ ମିତ୍ର’ ବୋଲି ସଂବୋଧନ କରି ବେତ୍ରାଘାତ କରିବା ଭଳି ଅଭୂତପୂର୍ବ କୂଟନୀତିର ସ୍ରଷ୍ଟା ଟ୍ରଂପ ଏଥି ଲାଗି ମଧ୍ୟ କୃତଜ୍ଞତାର ପାତ୍ର ହେବେ ଯେ ତାଙ୍କ ଦ୍ବାରା ସୃଷ୍ଟ ଟାରିଫ ଭୂମିକଂପ ଅନେକ ରାଷ୍ଟ୍ରଙ୍କ ଆରାମପ୍ରଦ ତନ୍ଦ୍ରା ଭଙ୍ଗ କରିଛି।