ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କମେଡି ସୋ’ ବା ‘ପଡକାଷ୍ଟ’ ଆଦିରେ ସ୍ଥାନ ପାଉଥିବା ବିଷୟବସ୍ତୁ ଏବଂ ତାହାର ସଂଚାଳକମାନଙ୍କ ସକାଶେ ସରକାରଙ୍କ ପକ୍ଷରୁ ‘ଆଚରଣ ବିଧି’ ପ୍ରସ୍ତୁତ କରାଯିବା ଉପରେ ମାନ୍ୟବର ଅଦାଲତ ଗୁରୁତ୍ବ ଆରୋପ କରିଛନ୍ତି। କିନ୍ତୁ ସମାଲୋଚକମାନେ ଏହାକୁ ସନ୍ଦେହଭରା ଦୃଷ୍ଟିରେ ଦେଖନ୍ତି। ସେମାନଙ୍କ ଆଶଙ୍କା ଯେ ଏଭଳି ନିୟନ୍ତ୍ରଣ କ୍ଷମତା ପ୍ରକାରାନ୍ତରେ ସରକାରଙ୍କୁ ସ୍ବେଚ୍ଛାଚାରୀ ଓ ସ୍ଥଳ ବିଶେଷରେ ପକ୍ଷପାତୀ ମଧ୍ୟ କରିବ।
ଗଲା ୨୫ ତାରିଖ ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟ ପରେ ପୁନର୍ବାର ‘କଥା କହିବାର ସ୍ବାଧୀନତା’କୁ କେନ୍ଦ୍ର କରି ଲୋକକ୍ଷେତ୍ର ତର୍କ ମୁଖର ହୋଇ ଉଠିଛି। ପ୍ରକାଶ ଥାଉ କି ଏକ ମାମଲାର ବିଚାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟରେ ସ୍ପଷ୍ଟ କରାଯାଇଛି ଯେ ‘କମର୍ସିଆଲ ସ୍ପିଚ୍’ ବା ‘ଅର୍ଥକରୀ କଥନ’ କ୍ଷେତ୍ରରେ ସଂବିଧାନର ଧାରା ‘୧୯-କ’ରେ ପ୍ରତିଶ୍ରୁତ ‘ଅଭିବ୍ୟକ୍ତିର ଅଧିକାର’ର ସୁବିସ୍ତୃତ ପରିସରର ଲାଭ ମିଳିବ ନାହିଁ। ଉଲ୍ଲେଖ ରହୁ କି ଯେଉଁ କଥା ବା ବଚନିକାକୁ ମାଧ୍ୟମ କରି ଅର୍ଥ ଉପାର୍ଜନ ବା ବ୍ୟବସାୟ କରାଯାଇଥାଏ, ତାହା ‘ଅର୍ଥକରୀ କଥନ’ ପର୍ଯ୍ୟାୟଭୁକ୍ତ। ଶଂସିତ ମାମଲାରେ ସାମାଜିକ ଗଣମାଧ୍ୟମର ସୁପରିଚିତ ପ୍ରଭାବ-ବିସ୍ତାରକାରୀ ବା ‘ଇନଫ୍ଲୁଏନସର’ ସମୟ ରାଇନାଙ୍କ ସମେତ ଚାରିଜଣ ହାସ୍ୟ-ବ୍ୟଙ୍ଗ କଳାକାର ସଂଶ୍ଳିଷ୍ଟ, ଯେଉଁମାନେ ‘ଇଣ୍ଡିଆ ହାଜ ଗଟ୍ ଲାଟେଣ୍ଟ’ ନାମକ ଏକ ସୋ’ରେ ଭିନ୍ନକ୍ଷମ ଏବଂ ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତଙ୍କ ସଂପର୍କରେ ଦେଇଥିବା କତିପୟ ମନ୍ତବ୍ୟ ଅନେକଙ୍କୁ କ୍ଷୁଣ୍ଣ କରିଥିଲା, ଯେଉଁମାନେ ଏ ନେଇ ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଭିବ୍ୟକ୍ତିର ଅଧିକାରର ସରହଦକୁ ନେଇ ଅନ୍ତହୀନ ତର୍କ-ବିତର୍କ ଓ ବାଦାନୁବାଦ ଏକ ଅଛିଣ୍ଡା ଗଣିତରେ ପରିଣତ ହୋଇଥିଲେ ହେଁ ଯୌକ୍ତିକତା, ଯାଥାର୍ଥ୍ୟ, ସ୍ପର୍ଶକାତରତା ଓ ମାଧୁର୍ଯ୍ୟ ଦୃଷ୍ଟିକୋଣରୁ ଏଭଳି ସ୍ବାଧୀନତା ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ସଂବିଧାନର ଯେଉଁ ଧାରାର ପ୍ରଥମ ପରିଚ୍ଛଦ ଭାରତୀୟ ନାଗରିକମାନଙ୍କୁ ‘ଅଭିବ୍ୟକ୍ତିର ଅଧିକାର’ ପ୍ରଦାନ କରିଥାଏ, ତା’ର ପରବର୍ତ୍ତୀ ପରିଚ୍ଛଦ ସତର୍କ କରାଇ ଦେଇଥାଏ ଯେ ଏହା ସଂପୂର୍ଣ୍ଣ ଅବାଧ ନୁହେଁ; ଅର୍ଥାତ୍ ଭାବ ବ୍ୟକ୍ତ କଲା ବେଳେ ଦାୟିତ୍ବସଂପନ୍ନ ହେବା ମଧ୍ୟ ଆବଶ୍ୟକ। ବାକ୍ ସ୍ବାଧୀନତା ସଂଦର୍ଭରେ ଅନେକଙ୍କ ମତ ହେଲା ଏହା ଯେ ଗାଳିଗୁଲଜ ବେଳେ ଅନେକ ସମୟରେ ଅତ୍ୟନ୍ତ କଟୁ, ଅଶ୍ରାବ୍ୟ ଓ ମର୍ମଭେଦ କଲା ଭଳି ବଛାବଛା ଶବ୍ଦଗୁଡ଼ିକର ପ୍ରୟୋଗ କରାଯାଉଥିଲେ ହେଁ ଯେଉଁ ଭାବାବେଗରୁ ତାହା ଉତ୍ପନ୍ନ ହୋଇଥାଏ, ତାହା ସମଗ୍ର ପ୍ରକରଣକୁ ହୁଏତ ଏକ ସ୍ବାଭାବିକତା ପ୍ରଦାନ କରିଥାଏ; କିନ୍ତୁ ହାସ୍ୟ ରସ ସୃଷ୍ଟି ଲାଗି ଅପମାନଜନକ ଶବ୍ଦର ବ୍ୟବହାର ଏକ ବିକୃତ ରୁଚିର ପ୍ରମାଣ, ଯହିଁରେ ଗଭୀର ମର୍ମଦାହର ଶିକାର ହେଉଥିବା ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବା ସଂପ୍ରଦାୟ ଆଉ ଏକ ବର୍ଗ ସକାଶେ ଉପଭୋଗ୍ୟ କଞ୍ଚାମାଲରେ ପରିଣତ ହୁଅନ୍ତି। ଏହି ମତଧାରୀମାନେ କହନ୍ତି ଯେ ହାସ୍ୟରସ ସୃଷ୍ଟିକାରୀମାନେ ଏ ସଂଦର୍ଭରେ ଯେତେ ନିରୀହତା ପ୍ରଦର୍ଶନ କଲେ ସୁଦ୍ଧା ସେମାନଙ୍କ ଚକ୍ରାନ୍ତଟି ସ୍ପଷ୍ଟ ହୁଏ, ଯେତେବେଳେ ଦେଖିବାକୁ ମିଳେ ଯେ ସାଧାରଣତଃ ଦୁର୍ବଳ ବ୍ୟକ୍ତି ଓ ବର୍ଗ ଯେମିତି କି ତଥାକଥିତ ନିମ୍ନ ଜାତି ଓ ମହିଳାମାନେ ଏହାର ଶରବ୍ୟ ହୋଇଥାଆନ୍ତି। ଆବହମାନ କାଳରୁ ପ୍ରଚଳିତ ଢଗଢମାଳି, ରୁଢ଼ି ଓ ଲୋକକଥା ଆଦିରେ କୌଣସି ବଳଶାଳୀ ଉପହସିତ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ ବା ଅତ୍ୟନ୍ତ ବିରଳ, କାରଣ ଏଭଳି ସ୍ଥଳେ ଅବାଧ ବଚନିକା ସୃଷ୍ଟିର ସାହସ ପ୍ରାୟତଃ ଦିଶି ନ ଥାଏ। ଅବଶ୍ୟ, ସଂପ୍ରତି ଏହି ବର୍ଗ ମଧ୍ୟରୁ ଅନେକ ସଚେତ ଓ ସଶକ୍ତ ହୋଇ ଆଉ ଉପହସିତ ହେବାକୁ ସ୍ବୀକାର କରୁ ନ ଥିବାରୁ ଅନେକ ଢଗଢମାଳିର ବାକ୍ୟାଂଶରେ ପରିବର୍ତ୍ତନ ମଧ୍ୟ ଆସିଲାଣି। ତେବେ ସେ ଯାହା ହେଉ, ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ସଂଦର୍ଭରେ ସଂବିଧାନର ଧାରା ୨୧କୁ ଧାରା ୧୯ ତୁଳନାରେ ଅଧିକ ଉଚ୍ଚାସନ ପ୍ରଦାନ କରିଛନ୍ତି, ଯେଉଁ ଧାରାରେ ଜଣେ ନାଗରିକ ସମ୍ମାନ ବା ମର୍ଯ୍ୟାଦାର ସହିତ କାଳାତିପାତ କରିବାର ମୌଳିକ ଅଧିକାର ଗୁରୁତ୍ବ ଲାଭ କରିଥାଏ। ସୁତରାଂ, ଦାୟିତ୍ବଶୀଳ ବକ୍ତବ୍ୟ ପ୍ରଦାନ ପକ୍ଷପାତୀ ଏହି ବର୍ଗ ସୁପ୍ରିମ କୋର୍ଟଙ୍କ ପର୍ଯ୍ୟବେକ୍ଷଣକୁ ସ୍ବାଗତ କରନ୍ତି।
କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବିତର୍କର ଅଛିଣ୍ଡା ଗଣିତର ସୃଷ୍ଟିକାରୀମାନେ ପ୍ରଶ୍ନ କରିଥାଆନ୍ତି ଯେ କୌଣସି ଏକ ଲଘୁ ମନ୍ତବ୍ୟକୁ ନେଇ ସହନଶୀଳତା ଏବଂ ସ୍ପର୍ଶକାତରତା ପ୍ରଦର୍ଶନ ବ୍ୟକ୍ତି ବା ଗୋଷ୍ଠୀ ଆଧାରରେ ଭିନ୍ନ ଭିନ୍ନ ହୋଇଥିବାରୁ ଅପମାନ ସୃଷ୍ଟିକୁ ମାପିବା ଲାଗି କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ବା ଫର୍ମୁଲା ନାହିଁ। ତେଣୁ ସେମାନେ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ କଟକଣାକୁ ଯଥାର୍ଥ ବୋଲି ସ୍ବୀକାର କରି ନ ଥାଆନ୍ତି। ଏହି ତର୍କର ପକ୍ଷଧରମାନେ କହନ୍ତି ଯେ କୌଣସି ବ୍ୟକ୍ତି ବା ଗୋଷ୍ଠୀଙ୍କ ପ୍ରତି ଏକ ନିର୍ଦ୍ଦିଷ୍ଟ ପ୍ରକାର ଆକ୍ଷେପ କେବଳ ନିରୋଳା ହାସ୍ୟ ରସ ସୃଷ୍ଟି ଲାଗି ଉଦ୍ଦିଷ୍ଟ ହୋଇଥାଏ; ଯହିଁରେ ଆକ୍ଷେପର ଶିକାର ବ୍ୟକ୍ତି ବା ଗୋଷ୍ଠୀଙ୍କ ପ୍ରତି ସମ୍ୟକ୍ ଅବଜ୍ଞା ଭାବ ନ ଥାଇପାରେ। ଏହି ସଂଦର୍ଭରେ ଏକ ଉଦାହରଣ ଦେଇ ସେମାନେ କହିଥାଆନ୍ତି ଯେ ବାସ୍ତବ ମଞ୍ଚ ହେଉ ବା ସାମାଜିକ ଗଣମାଧ୍ୟମର ମଞ୍ଚ ହେଉ ଅଥବା ପ୍ରାପ୍ତ ବୟସ୍କଙ୍କ ଗୁଲିଖଟି ହେଉ; ସର୍ବତ୍ର ମହିଳାମାନେ ବିଶେଷ କରି ‘ପତ୍ନୀ’ ବର୍ଗଟି ବିଦ୍ରୂପ ଓ ଉପହାସର ଶିକାର ହୁଅନ୍ତି। କିନ୍ତୁ ତା’ର ଅର୍ଥ କଦାଚିତ୍ ଏହା ନୁହେଁ ଯେ ସେମାନେ ମହିଳାମାନଙ୍କ ପ୍ରତି ଅସମ୍ମାନପୂର୍ଣ୍ଣ ଦୃଷ୍ଟିକୋଣ ବହନ କରନ୍ତି, ଯେମିତି ପ୍ରଖ୍ୟାତ ହାସ୍ୟରସ କଳାକାର ରାଜୁ ଶ୍ରୀବାସ୍ତବ ଏକଦା କହିଥିଲେ ଯେ ମହିଳାମାନଙ୍କ ବିଶାଳ ହୃଦୟବତ୍ତା ଯୋଗୁଁ ସେମାନଙ୍କୁ ଅନ୍ନ ମିଳୁଛି। ଏଠାରେ ପ୍ରକାଶ ଥାଉ କି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ସମୟ ରାଇନାଙ୍କ ଦ୍ବାରା ଉପସ୍ଥାପିତ ସତ୍ୟପାଠରେ କୁହାଯାଇଛି ଯେ ସେ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଏବଂ ବିଭିନ୍ନ ମାନବ କଳ୍ୟାଣମୂଳକ କାର୍ଯ୍ୟରେ ସମୟ ଓ ଅର୍ଥ ବ୍ୟୟ କରନ୍ତି। ଭିନ୍ନକ୍ଷମମାନଙ୍କ ସକାଶେ କାର୍ଯ୍ୟରତ ଅନେକ ଅନୁଷ୍ଠାନକୁ ମଧ୍ୟ ସେ ସହାୟତା ପ୍ରଦାନ କରିଥାଆନ୍ତି। ଏବଂ ଶଂସିତ ବିବାଦୀୟ ମନ୍ତବ୍ୟ ସଂଦର୍ଭରେ ତାଙ୍କ ଯୁକ୍ତି କହିଥାଏ ଯେ କାର୍ଯ୍ୟକ୍ରମର ଫର୍ମାଟ ଏବଂ କାର୍ଯ୍ୟକ୍ରମ ସମୟରେ ଉତ୍ପନ୍ନ ତାତ୍କାଳିକ ସ୍ଥିତିରେ ସେ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ। ସେହି ଦୃଷ୍ଟିରୁ ‘ଅର୍ଥକରୀ କଥନ’ ପ୍ରସଙ୍ଗରେ ବାକ୍-ସ୍ବାଧୀନତା ନେଇ ସରହଦ ନିର୍ଦ୍ଧାରଣ କରିବାର ଉଦ୍ୟମକୁ ନାପସନ୍ଦ କରୁଥିବା ଏହି ବର୍ଗ କହନ୍ତି ଯେ ଏଭଳି ସୀମାରେଖା ପ୍ରାୟତଃ ଅସ୍ପଷ୍ଟ ଏବଂ ଅନିର୍ଦ୍ଦିଷ୍ଟ ହୋଇଥାଏ। ସେହି କାରଣରୁ ଭବିଷ୍ୟତ୍େର ଅଦାଲତରେ ଏଭଳି ବିବାଦର ଭିଡ଼ ବୃଦ୍ଧି ପାଇବ। ପ୍ରକାଶ ଥାଉ କି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କମେଡି ସୋ’ ବା ‘ପଡକାଷ୍ଟ’ ଆଦିରେ ସ୍ଥାନ ପାଉଥିବା ବିଷୟବସ୍ତୁ ଏବଂ ତାହାର ସଂଚାଳକମାନଙ୍କ ସକାଶେ ସରକାରଙ୍କ ପକ୍ଷରୁ ‘ଆଚରଣ ବିଧି’ ପ୍ରସ୍ତୁତ କରାଯିବା ଉପରେ ମାନ୍ୟବର ଅଦାଲତ ଗୁରୁତ୍ବ ଆରୋପ କରିଛନ୍ତି। କିନ୍ତୁ ସମାଲୋଚକମାନେ ଏହାକୁ ସନ୍ଦେହଭରା ଦୃଷ୍ଟିରେ ଦେଖନ୍ତି। ସେମାନଙ୍କ ଆଶଙ୍କା ଯେ ଏଭଳି ନିୟନ୍ତ୍ରଣ କ୍ଷମତା ପ୍ରକାରାନ୍ତରେ ସରକାରଙ୍କୁ ସ୍ବେଚ୍ଛାଚାରୀ ଓ ସ୍ଥଳ ବିଶେଷରେ ପକ୍ଷପାତୀ ମଧ୍ୟ କରିବ।
ପ୍ରଖ୍ୟାତ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତିଙ୍କ ଅତ୍ୟନ୍ତ ଲୋକପ୍ରିୟ ଗୀତର ଅଂଶକୁ ଅନୁସରଣ କରି ମୁଖ ନିସୃତ ବାଣୀକୁ ଯଦି ଆମେମାନେ ‘କଥା ତ ପବନ, ମିଶିଗଲା ପବନରେ’ ବୋଲି ହାଲୁକା ଭାବେ ବିଚାର କରିବା, ତେବେ ହୁଏତ ଆମେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସଙ୍କୁ ଶୁଣି ପାରିନାହେଁ, ଯିଏ କହିଥିଲେ, ‘କଥା ମଣିଷର ମର୍ମସ୍ଥଳକୁ ଏମିତି ବିନ୍ଧି ଦିଏ ଯେ ତା’ର ଜ୍ବଳନ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିଯାଇଥାଏ।’ ମହାଭାରତରେ ଏକ ଦୃଷ୍ଟାନ୍ତ ବିଦ୍ୟମାନ। ପାଣ୍ଡବମାନଙ୍କ ଲାଗି ଇନ୍ଦ୍ରପ୍ରସ୍ଥରେ ନିର୍ମିତ ଭବ୍ୟ ଭବନର ଚାକଚକ୍ୟରେ ତଟସ୍ଥ ଦୁର୍ଯ୍ୟୋଧନ ଯେତେବେଳେ ଚାଲୁ ଚାଲୁ ଅକସ୍ମାତ୍ ଏକ ଜଳ କୁଣ୍ଡରେ ନିପତିତ ହୋଇଯାଏ, ସେତିକି ବେଳେ ଦ୍ରୌପଦୀଙ୍କ ହସ ଓ ବିଦ୍ରୂପର ତିନିଟି ଶବ୍ଦ ବିଶିଷ୍ଟ ଗୋଟିଏ ବାକ୍ୟ ଦୁେର୍ଯ୍ୟାଧନର ବୁକୁରେ ତୀବ୍ର ଜ୍ବଳନ ସୃଷ୍ଟି କରି ମହାଭାରତ ଯୁଦ୍ଧର ବୀଜ କାରଣ ହୋଇଯାଏ। ଦ୍ରୌପଦୀଙ୍କ ଉକ୍ତିଟି ଥିଲା ‘ଅନ୍ଧର ପୁତ୍ର ଅନ୍ଧ’। ଏହି ପରିପ୍ରେକ୍ଷୀରେ ସମୟ ରାଇନାଙ୍କ ପକ୍ଷଧରମାନେ ହୁଏତ କହିପାରନ୍ତି ଯେ ମାନୀ ଦୁର୍ଯ୍ୟୋଧନ ପରିବର୍ତ୍ତେ ଯଦି ଜଣେ କେହି ଶିଷ୍ଟ ବ୍ୟକ୍ତି ଏଭଳି ପରିହାସର ପାତ୍ର ହୋଇଥାଆନ୍ତା, ତେବେ ଏଭଳି ଏକ ବଂଶକ୍ଷୟୀ ଯୁଦ୍ଧଟିଏ ହୋଇ ନ ଥାଆନ୍ତା। କିନ୍ତୁ ପ୍ରଶ୍ନ ହେଲା ବିଦ୍ରୂପର ଶରବ୍ୟ ବ୍ୟକ୍ତି ବା ଗୋଷ୍ଠୀ କେଉଁ ସ୍ବାଭାବର ତାହା ନିର୍ଣ୍ଣିତ ହେବ କେମିତି? ଏହି ଅନିଶ୍ଚିତତା କାରଣରୁ ତ ‘ସ୍ବାଦାନୁସାରେ ଲୁଣ’ ଭଳି ପରାମର୍ଶଟିଏ ବିଶେଷ ଗୁରୁତ୍ବ ଲାଭ କରେ। ଏକ ସ୍ବାଦିଷ୍ଠ ବ୍ୟଂଜନରେ ସବୁ ଉପାଦାନର ଏକ ନିର୍ଦ୍ଦିଷ୍ଟ ଭାଗମାପ ଥିବା ବେଳେ ଲୁଣ ଲାଗି ସେଭଳି ନ ଥାଏ ଏବଂ ସ୍ବାଦ ଅନୁସାରେ ଲୁଣ ପକାଇବାର ସ୍ବାଧୀନତା ପାଚକମାନଙ୍କୁ ମିଳିଥାଏ। କହିବା ବାହୁଲ୍ୟ, ଲୁଣର ଅଂଶ ଉପରେ ହିଁ ବ୍ୟଂଜନର ସ୍ବାଦ ନିର୍ଭର କରିଥାଏ। କହିବାର ମର୍ମ ହେଲା, ‘ସ୍ବାଦାନୁସାରେ ଲବଣ’ ପ୍ରୟୋଗରେ ଯେଉଁ ଅଲିଖିତ ଆତ୍ମ-ନିୟନ୍ତ୍ରଣର ଇଙ୍ଗିତ ନିହିତ ଥାଏ, ତାହା ଯେ କୌଣସି ବଚନିକା ପ୍ରସ୍ତୁତି କାଳରେ ବିଦ୍ରୂପର ମିଶ୍ରଣ ବେଳେ ରହିବା ଆବଶ୍ୟକ। କାରଣ ତାହା ହିଁ ସୁସ୍ବାଦର ଆଧାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)