‘ଜିଏସ୍ଟି’ରେ ହ୍ରାସ ଯୋଗୁଁ ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟିବାର ଫଳସ୍ବରୂପ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହେବ। ଏକ ଆକଳନ ଅନୁଯାୟୀ ଏହାର ପ୍ରଭାବରେ ଆଗାମୀ କେତୋଟି ମାସ ମଧ୍ୟରେ ଭାରତର ‘ଜିଡିପି’ର ଅଭିବୃଦ୍ଧି ହାରରେ ଅନ୍ୟୂନ ପ୍ରାୟ ଏକ ଶତାଂଶ ବୃଦ୍ଧି ଘଟିବାକୁ ଯାଉଛି। ଏହା ଟ୍ରମ୍ପ ଟାରିଫ୍ଜନିତ ଆଘାତକୁ ଭରଣା କରିବ।
ଏକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ କିମ୍ବା ଅର୍ଥନୈତିକ ଅବନତି ତ୍ବରାନ୍ବିତ କରିବାରେ ବଜାରର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦୃଢ଼ ଭାବରେ ବିଶ୍ବାସ କରୁଥିବା ପ୍ରସିଦ୍ଧ ଉଦାରବାଦୀ ଅଷ୍ଟ୍ରୀୟ ଅର୍ଥନୀତିଜ୍ଞ ଫ୍ରେଡେରିକ୍ ଅଗଷ୍ଟ ଭନ୍ ହାୟେକ୍ ୧୯୭୪ରେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଗ୍ରହଣ କରିବା ଅବସରରେ ବଜାରର ଏଇ ଗୁଣଗାନ କରିବାକୁ ଭୁଲି ନ ଥିଲେ। ‘ଦି ପ୍ରିଟେନ୍ସ ଅଫ୍ ନଲେଜ୍’ ଶୀର୍ଷକ ତାଙ୍କର ଏହି ଅଭିଭାଷଣରେ ହାୟେକ୍ କହିଥିଲେ: ‘‘ଦି ମାର୍କେଟ୍ ଗିଭେଥ୍, ଦି ମାର୍କେଟ୍ ଟେକେଥ୍ ଆୱେ; ବ୍ଲେସେଡ୍ ବି ଦି ନେମ୍ ଅଫ୍ ଦି ମାର୍କେଟ୍।’’ (‘‘ବଜାର ଦେଇଥାଏ, ବଜାର ନେଇ ଯାଇଥାଏ; ବଜାରର ନାମ ଧନ୍ୟ ହେଉ।’’)
ଏହି ମନ୍ତ୍ର ଜପ କଲା ପରି ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟ୍ନିକ୍ ଏବେ ଆମେରିକାର ବିଶାଳ ବଜାରର ଶକ୍ତି ପ୍ରଦର୍ଶନ ସ୍ବରୂପ ଭାରତକୁ ଉଦ୍ଦେଶ୍ୟ କରି କହିଛନ୍ତି ଯେ ଗ୍ରାହକ ହେଉଛି ସବୁବେଳେ ଠିକ୍; ତେଣୁ ପୃଥିବୀର ଏହି ବିଶାଳତମ ବଜାରରେ ପ୍ରବେଶ କରିବାକୁ ହେଲେ ଭାରତକୁ ଆମେରିକା ନିକଟରେ କ୍ଷମାପ୍ରାର୍ଥନା କରିବାକୁ ପଡ଼ିବ।
ଭାରତ କିନ୍ତୁ ଯେ କୌଣସି ଏକ ଦେଶ ନୁହେଁ; ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ, ଯେଉଁଠି ପାଖାପାଖି ୧୫୦ କୋଟି ଲୋକ ବାସ କରିଥାନ୍ତି; ଅର୍ଥାତ୍ ଲୁଟ୍ନିକ୍ଙ୍କ ଭାଷା ବ୍ୟବହାର କଲେ ୧୫୦ କୋଟି ସମ୍ଭାବ୍ୟ ଗ୍ରାହକ। ଆମେରିକାର ୩୪ କୋଟି ଲୋକସଂଖ୍ୟାର ଚାରି ଗୁଣରୁ ଅଧିକ। ତେବେ ଭାରତୀୟ ଗ୍ରାହକମାନଙ୍କ ଠାରୁ ଆମେରିକୀୟ ଗ୍ରାହକମାନଙ୍କର କ୍ରୟ ଶକ୍ତି ଅଧିକ ହୋଇଥିବାରୁ ଆମେରିକୀୟ ବଜାରର ଶକ୍ତି ଅଧିକ ହୋଇଥାଏ, ଯାହା ଟ୍ରମ୍ପ ବା ଲୁଟ୍ନିକ୍ ଆଦି ବ୍ୟକ୍ତିମାନଙ୍କୁ ଏଭଳି ବାହାସ୍ଫୋଟ ମାରିବାକୁ ସୁଯୋଗ ଦେଇଥାଏ।
ଏହି ତୁଳନାତ୍ମକ ଚିତ୍ରରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଏହି ବାଣିଜ୍ୟ ଯୁଦ୍ଧରେ ଭାରତ ଅନ୍ୟ ଦେଶମାନଙ୍କ ପରି ଅସହାୟ ନୁହେଁ; ଏହାର ମୁକାବିଲା କରିବା ପାଇଁ ଭାରତ ପାଖରେ ରହିଛି ଏକ ଅମୋଘ ଅସ୍ତ୍ର- ତା’ର ବିଶାଳ ଜନଶକ୍ତି। ନିଜ ଦେଶର ଏହି ୧୫୦ କୋଟି ସମ୍ଭାବ୍ୟ ଗ୍ରାହକମାନଙ୍କର କ୍ରୟ ଶକ୍ତିରେ ବୃଦ୍ଧି ସାଧନ କରି ସେମାନଙ୍କୁ ଯଦି ବାସ୍ତବ ଗ୍ରାହକରେ ପରିଣତ କରି ଦିଆଯାଇପାରେ, ତେବେ ଭାରତୀୟ ଉତ୍ପାଦନକାରୀମାନଙ୍କୁ ଆଉ ଆମେରିକାର ବଜାର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ନିଜ ଦେଶର ବଜାର ସେମାନଙ୍କ ପାଇଁ ଯଥେଷ୍ଟ ହେବ; ସେମାନଙ୍କ ପାଇଁ ଲୁଟ୍ନିକ୍ଙ୍କ ଦେଶର ଗ୍ରାହକମାନେ ନୁହନ୍ତି, ଭାରତୀୟ ଗ୍ରାହକମାନେ ହିଁ ହେବେ ସର୍ବଦା ଠିକ୍।
ଭାରତୀୟ ଗ୍ରାହକମାନଙ୍କର କ୍ରୟ ଶକ୍ତିରେ ବୃଦ୍ଧି ଘଟାଇବାର ଦୀର୍ଘକାଳୀନ ତଥା ନିଶ୍ଚିତ ଉପାୟ ହେଉଛି ଭାରତୀୟ ଅର୍ଥନୀତି ହାସଲ କରି ଚାଲିଥିବା ଦ୍ରୁତ ଅଭିବୃଦ୍ଧି ହାରକୁ ଦ୍ରୁତତର କରି ଏହାର ଆକାରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବା। କିନ୍ତୁ ଏହି ଦୀର୍ଘକାଳୀନ କୌଶଳ ବ୍ୟବହାର କରି ଉପସ୍ଥିତ ଟ୍ରମ୍ପସୃଷ୍ଟ ସଂକଟର ମୁକାବିଲା କରାଯାଇ ପାରିବ ନାହିଁ; ତାହା ଭୁରିଶ୍ରବା ପାଗ ଭିଡୁ ଭିଡୁ ଭାରତ ଯୁଦ୍ଧ ଶେଷ ହେବା ଭଳି ପରିଣତି ସୃଷ୍ଟି କରିବ। ସେଥିପାଇଁ ତତ୍କ୍ଷଣାତ ଫଳପ୍ରଦ ହେବା ଲାଗି ଆବଶ୍ୟକ ଏକ ତାତ୍କାଳିକ ଉପାୟ। ଏଭଳି ଏକ ଉପାୟ ହେଉଛି ବଜାରରେ ବିକ୍ରି ହେଉଥିବା ଦ୍ରବ୍ୟ ଓ ସେବା ଆଦି ଉପରେ ଲଦି ଦିଆଯାଇଥିବା ଟିକସର ବୋଝରେ ଯଦି ହ୍ରାସ ଘଟାଇ ଦିଆଯାଆନ୍ତା, ତେବେ ଗ୍ରାହକମାନେ ଅଧିକ ପରିମାଣରେ ସେ ସବୁ କ୍ରୟ କରନ୍ତେ, ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟି ଭାରତୀୟ ଉତ୍ପାଦକମାନଙ୍କ ପାଇଁ ଏକ ବର୍ଦ୍ଧିଷ୍ଣୁ ଘରୋଇ ବଜାର ସୃଷ୍ଟି କରନ୍ତା।
ସେପ୍ଟେମ୍ବର ୨୨ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ‘ଜିଏସ୍ଟି’ ସଂସ୍କାର ହେଉଛି ସରକାର ଗ୍ରହଣ କରିଥିବା ଏଇଭଳି ଏକ ତାତ୍କାଳିକ ପଦକ୍ଷେପ। ବର୍ତ୍ତମାନ ଯାହା ସୁବିଦିତ, ଅତିଶୀଘ୍ର ଆମର ‘ଜିଏସ୍ଟି’ ବ୍ୟବସ୍ଥାରେ ବସ୍ତୁତଃ ମାତ୍ର ଦୁଇଟି ଟିକସ ହାର ରହିବ- ୫% ଓ ୧୮%, ଏବଂ ମାତ୍ର ହାତଗଣତି କେତେଗୋଟି ତଥାକଥିତ ‘ପାପ ଦ୍ରବ୍ୟ’ ଓ ବିଳାସ ଦ୍ରବ୍ୟମାନଙ୍କ ଉପରେ ୪୦% ହାରରେ ଟିକସ ଲାଗୁ ହେବ। ଏହାଦ୍ବାରା ବହୁସଂଖ୍ୟକ ଦ୍ରବ୍ୟ ଓ ସେବାମାନଙ୍କର ଦରରେ ହ୍ରାସ ଘଟି ସେଗୁଡ଼ିକ ଗ୍ରାହକମାନଙ୍କର ପହୁଞ୍ଚ ଭିତରକୁ ଆସିବା ସଙ୍ଗେ ସଙ୍ଗେ ପ୍ରଶାସନିକ ପ୍ରକ୍ରିୟାରେ ଘଟିଥିବା ସଂସ୍କାର ଯୋଗୁଁ ନୂତନ ଟିକସଦାତାମାନଙ୍କର ପଞ୍ଜୀକରଣ ସହଜସାଧ୍ୟ ହେବା ସହିତ ବ୍ୟବସାୟମାନେ ପ୍ରାପ୍ୟ ଫେରସ୍ତ ପାଇବା ପ୍ରକ୍ରିୟା ଦ୍ରୁତତର ହେବ। ଏହାଦ୍ବାରା ‘ଜିଏସ୍ଟି’ କର୍ତ୍ତୃପକ୍ଷମାନଙ୍କ ପାଖରେ ବନ୍ଦ ହୋଇ ପଡ଼ିରହିଥିବା ଶିଳ୍ପ ବ୍ୟବସାୟମାନଙ୍କର ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’ (‘ଆଇଟିସି’) ରୂପକ କାର୍ଯ୍ୟରତ ପୁଞ୍ଜି (‘ୱର୍କିଙ୍ଗ କ୍ୟାପିଟାଲ’) ତୁରନ୍ତ ସେମାନଙ୍କ ହାତକୁ ଫେରି ଆସି ଉତ୍ପାଦନରେ ନିୟୋଜିତ ହେବ। ଦ୍ରବ୍ୟ ଓ ସେବା ଆଦି ଶସ୍ତା ହେବା ଯୋଗୁଁ ବଜାରରେ ସାମଗ୍ରିକ ଚାହିଦାରେ ଯେଉଁ ବୃଦ୍ଧି ଦେଖାଦେବ, ଉତ୍ପାଦନରେ ଏଭଳି ବୃଦ୍ଧି ଦ୍ବାରା ତାହାକୁ ମେଣ୍ଟା ଯାଇପାରିବ।
‘ଜିଏସ୍ଟି’ରେ ହ୍ରାସ ଯୋଗୁଁ ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟିବାର ଫଳସ୍ବରୂପ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହେବ। ଏକ ଆକଳନ ଅନୁଯାୟୀ ଏହାର ପ୍ରଭାବରେ ଆଗାମୀ କେତୋଟି ମାସ ମଧ୍ୟରେ ଭାରତର ‘ଜିଡିପି’ର ଅଭିବୃଦ୍ଧି ହାରରେ ଅନ୍ୟୂନ ପ୍ରାୟ ଏକ ଶତାଂଶ ବୃଦ୍ଧି ଘଟିବାକୁ ଯାଉଛି। ଏହା ଟ୍ରମ୍ପ ଟାରିଫ୍ଜନିତ ଆଘାତକୁ ଭରଣା କରିବ। ଅବଶ୍ୟ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ‘ଜିଏସ୍ଟି’ ହାରରେ ହ୍ରାସ ଘଟିବା ଯୋଗୁଁ ସରକାରଙ୍କର ଏ ସୂତ୍ରରୁ ସଂଗୃହୀତ ହେଉଥିବା ସମ୍ବଳ ପରିମାଣରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ଖୋଦ୍ ସରକାରୀ ସୂତ୍ରରୁ ପ୍ରକାଶିତ ସୂଚନା ଅନୁସାରେ ଏଥିଯୋଗୁଁ ସରକାର ବର୍ତ୍ତମାନ ପ୍ରାୟ ୪୮,୦୦୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ଯାଉଛନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ ଟିକସ ହାରରେ ହ୍ରାସ ଯୋଗୁଁ ଯଦି ସାମଗ୍ରିକ ଚାହିଦାରେ ବିଶେଷ ବୃଦ୍ଧି ଘଟେ ତେବେ ଟିକସ ଭିତ୍ତିରେ ସଂପ୍ରସାରଣ ଘଟି ରାଜସ୍ବ ସଂଗ୍ରହରେ ହ୍ରାସ ପରିବର୍ତ୍ତେ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ଏ ସଂପର୍କରେ ଯାହା ହେଉଛି ଏକାନ୍ତ ପ୍ରଣିଧାନଯୋଗ୍ୟ, ତାହା ହେଲା ୧୯୭୦ ଦଶକରେ ଅର୍ଥନୀତିଜ୍ଞ ଆର୍ଥର୍ ଲାଫର୍ ଆବିଷ୍କାର କରିଥିବା ଟିକସ ହାର ଓ ଟିକସ ସଂଗ୍ରହ ମଧ୍ୟରେ ଏକ ସଂପର୍କ, ଯାହାକୁ ତାଙ୍କ ନାମ ଅନୁସାରେ ନାମିତ ‘ଲାଫର୍ କର୍ଭ’ ନାମକ ଏକ ଗ୍ରାଫ୍ ମାଧ୍ୟମରେ ପ୍ରତିପାଦିତ କରାଯାଇଥାଏ- ଯାହାର ଆକୃତି ହେଉଛି ଏକ ଓଲଟ ଇଂରେଜୀ ଅକ୍ଷର ‘ୟୁ’ (∩) ପରି। ଏହା ଅନୁସାରେ ସରକାରଙ୍କର ଟିକସ ସଂଗ୍ରହ ପରିମାଣ ସର୍ବାଧିକ ହୋଇଥାଏ ଏକ ସର୍ବୋତ୍ତମ ଟିକସ ହାର ଲାଗୁ କରିବା ଦ୍ବାରା। ପ୍ରଚଳିତ ଟିକସ ହାର ଯଦି ଏହି ସର୍ବୋତ୍ତମ (‘ଅପ୍ଟିମାଲ୍’) ସ୍ତର ଠାରୁ ଉଚ୍ଚତର ହୋଇଥାଏ, ତେବେ ଏହି ଟିକସ ହାରରେ ହ୍ରାସ ଘଟାଇବା ଦ୍ବାରା ଟିକସ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଥାଏ। ଏହାର କାରଣ, ନୀଚା ଟିକସ ହାର ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧିକୁ ଉତ୍ସାହିତ କରି ଟିକସ ଭିତ୍ତିକୁ ସଂପ୍ରସାରିତ କରିଥାଏ, ଯାହା ଫଳରେ ନୀଚା ହାର ସତ୍ତ୍ବେ ଟିକସ ଆଦାୟ ପରିମାଣରେ ବୃଦ୍ଧି ଘଟିଥାଏ। ବର୍ତ୍ତମାନର ‘ଜିଏସ୍ଟି’ ସଂସ୍କାର ଏହି ‘ଲାଫର୍ କର୍ଭ’କୁ ଅନୁସରଣ କରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ବରାନ୍ବିତ କରି ଟ୍ରମ୍ପ ଟାରିଫ୍ର ମୁକାବିଲାରେ ଆମକୁ ସହାୟକ ହେବା ସଙ୍ଗେ ସଙ୍ଗେ ସରକାରଙ୍କର ରାଜସ୍ବ କ୍ଷତିକୁ ମଧ୍ୟ ଭରଣା କରିବ ବୋଲି ଆମର ଦୃଢ଼ ବିଶ୍ବାସ।