ବିମାନର ‘ଟେକ ଅଫ’ ଠାରୁ ଭୂପତିତ ହେବା ପର୍ଯ୍ୟନ୍ତ ମୋଟ ଅବଧି ଥିଲା ମାତ୍ର ୫୯ ‌େସକେଣ୍ଡ; ଅଥଚ ତାହା ନିଶ୍ଚିତ ଭାବେ ପାଇଲଟ ସୁମିତ ସବରୱାଲଙ୍କ ଜୀବନରେ ସଂପୂର୍ଣ୍ଣ ଅସହାୟତାର ଦୀର୍ଘତମ କାଳ ଖଣ୍ଡରେ ପରିଣତ ହୋଇଥିବ, ଯେଉଁ କାରଣରୁ ତାଙ୍କର ସେହି ଅନ୍ତିମ ‘ମେ ଡେ’ ଡାକରାର ତରଙ୍ଗ ଏ.ଟି.ସି. (‘ଏୟା‌ର ଟ୍ରାଫିକ କଂଟ୍ରୋଲ’) ଠାରେ ପହଞ୍ଚିଥିବ! ପାଇଲଟମାନଙ୍କ ପ୍ରଶିକ୍ଷଣ ଓ ଉଚ୍ଚ ଦାୟିତ୍ବବୋଧ ତାଙ୍କୁ ଏଭଳି ଭାବେ ପ୍ରସ୍ତୁତ କରିଥାଏ ଯେ କୌଣସି ଜନବସତିରେ ବିମାନଟି ଖସି ପଡ଼ିବାର ଆଶଙ୍କା ଉପୁଜିଲେ ସେମାନେ ପାରୁପର୍ଯ୍ୟନ୍ତ ତାହାକୁ ଦୂର ସ୍ଥାନକୁ ବାହି ନେବା ସହିତ ଶେଷ ପର୍ଯ୍ୟନ୍ତ ନିରାପଦରେ ଅବତରଣ କରାଇବାର ଉଦ୍ୟମ କରନ୍ତି, ଯାହାର କେତେକ ଦୃଷ୍ଟାନ୍ତ ମଧ୍ୟ ରହିଛି। ସେହି ଦୃଷ୍ଟିରୁ ସୁମିତ ସବରୱାଲଙ୍କ ବିମାନଟି ଏକ ଜନାକୀର୍ଣ୍ଣ ଅଞ୍ଚଳରେ ଅଗତ୍ୟା ଖସି ପଡୁଥିବାର ଅନିବାର୍ଯ୍ୟତା ତାଙ୍କୁ ଅଧିକ ଅସହାୟ କରିଦେଇଥିବ!

Advertisment

ଗଲା ଗୁରୁବାର ଦିନ ଗୁଜରାଟର ଅହମଦାବାଦା‌ରେ ଘଟି ଯାଇଥିବା ଅତ୍ୟନ୍ତ ଦାରୁଣ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଏକାଧାରରେ ସ୍ତବ୍‌ଧ ଏବଂ ଶୋକ ପ୍ଳାବିତ କରି ଦେଇଛି। ଉଡ଼ାଣ ଭରିବାର ମାତ୍ର ୩୧ ସେକେଣ୍ଡ ମଧ୍ୟରେ ତାହା ଗୁଜରାଟର ପ୍ରସିଦ୍ଧ ବି.ଜେ. ମେଡିକାଲ କଲେଜର ହଷ୍ଟେଲ ଉପରେ ଖସି ପଡ଼ିଥିଲା, ଯହିଁରେ ବିମାନରେ ଯାତ୍ରା କରୁଥିବା ୨୪୧ ଜଣଙ୍କ ସହିତ କଲେଜର ଛାତ୍ର ଏବଂ କର୍ମଚାରୀ ଇତ୍ୟାଦିଙ୍କୁ ମିଶାଇ ତିନି ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି(ଏହା ଲେଖା ହେବା ବେଳକୁ), କେବଳ ବିଶ୍ବାସ କୁମାର ରମେଶ ନାମଧାରୀ ଜଣେ ମାତ୍ର ଯାତ୍ରୀଙ୍କୁ ଛାଡ଼ି, ଯିଏ ଅଗ୍ନି ପିଣ୍ଡୁଳାରେ ପରିଣତ ହେବାର ପୂର୍ବବର୍ତ୍ତୀ ବିମାନର ଅନ୍ତିମତମ କ୍ଷଣରେ ଏକ ଜୀବନ ରକ୍ଷାକାରୀ ଲମ୍ଫ ପ୍ରଦାନ କରିବାରେ ସଫଳ ହୋଇଥି‌େଲ। କହିବା ଅନାବଶ୍ୟକ ଯେ ଦୁର୍ଘଟଣା ସ୍ଥଳଟି ସହରାଞ୍ଚଳ ମଧ୍ୟରେ ହୋଇଥିବାରୁ ବିମାନର ଭଗ୍ନାବଶେଷ ମଧ୍ୟରୁ ଦୁଇଟି ଯାକ ‘ବ୍ଲାକ୍‌ ବକ୍‌ସ’ ଓ ‘ଫ୍ଲାଇଟ୍‌ ଡାଟା ରେକର୍ଡର’କୁ ଶୀଘ୍ର ଉଦ୍ଧାର କରାଯିବା ସମ୍ଭବ ଏବଂ ‘ବ୍ଲାକ୍‌ ବକ୍‌ସ’ରେ ସଂଗୃହୀତ ସୂଚନାରାଜିକୁ ପଢ଼ିବାର ପ୍ରଯୁକ୍ତି ସଂପ୍ରତି ଭାରତରେ ଉପଲବ୍‌ଧ ଥିବାରୁ ଏହା ପଛରେ ଥିବା କାରଣମାନ ଶୀଘ୍ର ଆବିଷ୍କୃତ ହେବେ! କିନ୍ତୁ, ସେ ପର୍ଯ୍ୟନ୍ତ ଯାହା ସମସ୍ତ ବ୍ୟୋମଯାନ ଚଳାଚଳ ବିଶେଷଜ୍ଞଙ୍କ ଲାଗି ଦୁର୍ବୋଧ୍ୟ ହୋଇରହିବ, ତାହା ହେଲା ଏକ ଉଜ୍ଜ୍ବଳ ଦ୍ବିପହରେ ଗୋଟିଏ ସୁସ୍ଥ ଅତିକାୟ ବିହଙ୍ଗ ସମ ମେଘମୁକ୍ତ ନୀଳ ଆକାଶ ବକ୍ଷକୁ ଉଠୁଥିବା ବିମାନଟି ସହସା ଭୂପତିତ ହେଲା କାହିଁକି? ଏଭଳି ସ୍ଥଳେ ଏ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ହତଭାଗ୍ୟ ବିମାନଟି ଆକାଶମାର୍ଗୀ ହେବା ପରବର୍ତ୍ତୀ ସମୟର ଭିଡିଓଟିଏ ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ସର୍ବତ୍ର ଉପଲବ୍‌ଧ। ତେଣୁ, ବିଶେଷଜ୍ଞମାନେ ତାହାକୁ ନିବିଷ୍ଟ ଭାବେ ଅନୁଧ୍ୟାନ କରି କେତେକ ସମ୍ଭାବ୍ୟ କାରଣ ବିଷୟରେ ଅନୁମାନ କରନ୍ତି; ଯେମିତି ଏକ ବିରଳତମ ଆଶଙ୍କା ହେଲା ଦୁଇଟି ଯାକ ଇଂଜିନ ଗୋଟିଏ ସମୟରେ ଅଚଳ ହୋଇଯିବା। ବିମାନର ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଇଂଜିନ କୌଣସି କାରଣରୁ ଅକାମି ହୋଇଗଲେ ବିକଳ୍ପ ସ୍ବରୂପ ଦ୍ବିତୀୟଟି କାର୍ଯ୍ୟକ୍ଷମ ହୋଇଉଠେ ଏବଂ ଏଭଳି ଘଟଣାମାନ କଦବା କେମିତି ଘଟୁଥିଲେ ହେଁ ଅଭିଜ୍ଞ ପାଇଲଟମାନେ ତହିଁରେ ବିଚଳିତ ହୋଇ ନ ଥାଆନ୍ତି। କିନ୍ତୁ ଏକା ସାଙ୍ଗରେ ଦୁଇଟି ଯାକ ଇଂଜିନ କାର୍ଯ୍ୟକ୍ଷମ ନ ହେବା ଭଳି ଦୃଶ୍ୟପଟ କୁଆଡ଼େ ଶହେ କୋଟିରେ ଗୋଟିଏ ବୋଲି ସେମାନେ କହନ୍ତି। କଥା ହେଲା, ମାଧ୍ୟାକର୍ଷଣ ଶକ୍ତିର ବିପରୀତରେ ଯାଇ ପ୍ରାରମ୍ଭିକ ଉଡ଼ାଣ ଭରିବାର ସେହି କେଇ ସେକେଣ୍ଡ ହେଉଛି ଯେ ‌େକୗଣସି ବିମାନ ସକାଶେ ସର୍ବାଧିକ ସ୍ପର୍ଶକାତର ମୁହୂର୍ତ୍ତ, ଯେଉଁ ସମୟରେ ତାହା ସର୍ବାଧିକ ଶକ୍ତି ଲୋଡ଼ିଥାଏ। ବିଶେଷଜ୍ଞମାନଙ୍କ ଆଶଙ୍କା ଯେ ସେହି ସମୟରେ ଇଂଜିନକୁ ଯେଉଁ ଧକ୍‌କା ବା ‘ଥ୍ରଷ୍ଟ୍‌’ ଆବଶ୍ୟକ ହୋଇଥାଏ, ତାହା ହୁଏତ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିଳି ନ ଥିବ ଏବଂ ଇଂଜିନ ଦ୍ବୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରି ନ ଥି‌େବ। ଭିଡିଓର ଅନୁଶୀଳନ କରି କେତେକ ବିଶେଷଜ୍ଞ କହିଥାଆନ୍ତି ଯେ ‘ଟେକ ଅଫ’ ବା ଉଡ଼ାଣ ଭରିବା ସମୟରେ ବିମାନର ଡେଣାରେ ଥିବା ‘ଫ୍ଲାପ୍‌’ମାନ ଯେଉଁ ଭଳି ସ୍ଥିତିରେ ରହିବା କଥା, ସେଭଳି ନ ଥିଲେ, ଯଦ୍ଦ୍ବାରା ବିମାନଟି ନିର୍ଦ୍ଦିଷ୍ଟ ସମୟରେ ଉଦ୍ଦିଷ୍ଟ ଉଚ୍ଚତା ପାଇବାରେ ଅସମର୍ଥ ହୋଇଥିବ। ତେବେ ସେମାନେ ଏହା ମଧ୍ୟ କହନ୍ତି ‌ଯେ ଅତ୍ୟା‌ଧୁନିକ ବିମାନରେ ସନ୍ନିହିତ ଦୃଢ଼ ସୁରକ୍ଷା ବ୍ୟବସ୍ଥା ପରିପ୍ରେକ୍ଷୀରେ ଏଭଳି ତ୍ରୁଟି ପାଇଲଟଙ୍କ ଦୃଷ୍ଟି ଆକର୍ଷଣ କରିବା ସୁନିଶ୍ଚିତ! ସୁତରାଂ, ଏଭଳି ସ୍ଥଳେ ଯେଉଁ ସମ୍ଭାବନା ଉପସ୍ଥିତ ହୁଏ, ତାହା ହେଲା ବୋଧ ହୁଏ ପାଇଲଟ ଜଣକ ‘ସ୍ବୟଂକ୍ରିୟ’ ସୁରକ୍ଷା ବ୍ୟବସ୍ଥାରୁ ମିଳୁଥିବା ସତର୍କ ସଂକେତକୁ ଅତିକ୍ରମ କରି ଉଡ଼ାଣ ଭରିବାର ଉଦ୍ୟମ କରିଥିବେ! ତୃତୀୟ କାରଣ ଭାବେ ଦର୍ଶାଯାଇଥାଏ ‘ଲ୍ୟାଣ୍ଡିଂ ଗିଅର’କୁ ହୁଏତ ‘ଟେକ ଅଫ’ ପରେ ପରେ ଯଥା ସ୍ଥାନକୁ ଫେରାଇ ନିଆ ଯାଇ ନ ଥିବ, ଯାହା ବିମାନକୁ ଆବଶ୍ୟକ ଉଚ୍ଚ‌ତ‌ା ଦେବାରେ ପ୍ରତିବନ୍ଧକ ସୃଷ୍ଟି କରିଥିବ। କିନ୍ତୁ, ସେଭଳି ସ୍ଥଳେ ମଧ୍ୟ ବିମାନଟି ସେହି ତ୍ରୁଟିକୁ ଦର୍ଶାଇ ସତର୍କ ସଂକେତ ଦେଇଥିବ! ଏହାକୁ ମଧ୍ୟ କ’ଣ ପାଇଲଟ ଜଣକ ନଜରଅନ୍ଦାଜ କରିଗଲେ? ଏହାର ଅର୍ଥ କ’ଣ ଦୁର୍ଘଟଣାଟି ପାଇଳଟଙ୍କ ତ୍ରୁଟି ହେତୁ ଘଟିଥିବ? ପ୍ରକାଶ ଥାଉ କି ବିମାନର ମୁଖ୍ୟ ପାଇଲଟ ସୁମିତ ସବରୱାଲ ଜଣେ ଅଭିଜ୍ଞ ଚାଳକ, ଯିଏ ‘ବୋ‌ଇଂ ୭୮୭ ଡ୍ରିମ୍‌ଲାଇନର’ ବିମାନ ଚାଳନା କରିବାର ୮୦୦୦ରୁ ଅଧିକ ଘଣ୍ଟାର ଅନୁଭୂତି ହାସଲ କରିଥିଲେ ଏବଂ ଏକ ଅମଳିନ ପ୍ରଦର୍ଶନର ଅଧିକାରୀ ମଧ୍ୟ ଥିଲେ। ତେଣୁ ତାଙ୍କ ତ୍ରୁଟି ଆଡ଼କୁ ସହସା ଇଙ୍ଗିତ କରିବା ମଧ୍ୟ ଅପରିପକ୍ବତା ହେବ। ଏହା ମଧ୍ୟ ହୋଇପାରେ ଯେ ବିମାନରେ ପରିଲକ୍ଷିତ ତ୍ରୁଟିକୁ ଉଜାଗର କରିବା ସକାଶେ ଥିବା ସ୍ବୟଂକ୍ରିୟ ସୁରକ୍ଷା ବ୍ୟବସ୍ଥାଟି କୌଣସି କାରଣରୁ କାର୍ଯ୍ୟ କରି ନ ଥିବ! କାରଣ ମନୁଷ୍ୟର ସମସ୍ତ ବୁଦ୍ଧି, ଅନୁମାନ ଓ ଆକଳନକୁ ପରାହତ କଲା ଭଳି ଦୁର୍ବୋଧ୍ୟ ‘ଏକ୍‌ସ ଫାକ୍‌ଟର’ଟିଏ ମଧ୍ୟ ଲୁଚି ରହିଥାଏ, ଯାହା କାରଣ-ପରିଣାମର ତତ୍ତ୍ବକୁ ମୂଲ୍ୟହୀନ କରି ଦେଇପାରେ!
ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସ୍ବତ୍ତ୍ବାଧିକାରୀ ଟାଟା କଂପାନି ପକ୍ଷରୁ ପ୍ରଦର୍ଶିତ ଆଭିମୁଖ୍ୟରେ ସଂବେଦନଶୀଳତା ଓ ପେସାଦାରିର ଉତ୍ତମ ମିଶ୍ରଣ ଦୃଷ୍ଟିଗୋଚର ହୋଇଛି; ଯହିଁରେ ପ୍ରତି ମୃତ ଯାତ୍ରୀଙ୍କ ସକାଶେ ଏକ କୋଟି ଟଙ୍କାର କ୍ଷତିପୂରଣ ସହିତ କ୍ଷତିଗ୍ରସ୍ତ ମେଡିକାଲ କଲେଜର ମାଗଣା ପୁନର୍ନିର୍ମାଣର ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ। କିନ୍ତୁ ବିମାନ ଯାତ୍ରୀଙ୍କ ବ୍ୟତୀତ ଆଉ ଯେଉଁମାନେ ମୃତାହତ ହୋଇଛନ୍ତି, ସେମାନଙ୍କ ସକାଶେ ମଧ୍ୟ ତତ୍ତୁଲ୍ୟ କ୍ଷତିପୂରଣର ଆବଶ୍ୟକତା ରହିଛି। କହିବା ବାହୁଲ୍ୟ ଯେ ବୋଇଂ କଂପାନି ସକାଶେ ଏହା ଏକ ଦାରୁଣ ଧକ୍‌କା, କାରଣ ‘ବୋଇଂ ୭୮୭ ଡ୍ରିମ୍‌ଲାଇନର’କୁ ‘ଅତୁଳନୀୟ’ ବୋଲି କଂପାନି ଦ୍ବାରା ବିଜ୍ଞପିତ କରାଯାଇଥାଏ। ଏହା ମଧ୍ୟ ହେଉଛି ଏହି ସିରିଜ ଅନ୍ତର୍ଗତ କୌଣସି ବିମାନ ଭୋଗିଥିବା ପ୍ରଥମ ସର୍ବବୃହତ୍‌ ଦୁର୍ଘଟଣା, ଯଦିଓ ‘ଡ୍ରିମ୍‌ଲାଇନର’ ବିମାନମାନ ବିିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟିମାନ ଦେଖାଇଛନ୍ତି ଅଥଚ ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟାଇ ନାହାନ୍ତି। ପ୍ରକାଶ ଥାଉ କି ବୋଇଂ ୭୮୭ ଅନ୍ୟାନ୍ୟ ବିମାନ ତୁଳନାରେ ୨୫% କମ୍‌ ଇନ୍ଧନ ଲୋଡ଼ିଥାଏ ଏବଂ ବିନା ମଧ୍ୟବର୍ତ୍ତୀ ରହଣିରେ ଏକା ଥରକେ ଦଶ ଘଣ୍ଟାରୁ ଅଧିକ କାଳ ଯାତ୍ରା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ। ଏହାର ଆଦୃତିର ଏହା ହେଉଛି ଏକ ବିଶେଷ କାରଣ। ସଂପ୍ରତି ସାରା ପୃଥିବୀରେ ୧୧୭୫ଟି ‘ବୋଇଂ ୭୮୭’ ଆକାଶଚରୀ ହୋଇ ଅଛନ୍ତି ଓ ପ୍ରତିଦିନ ୨୦୦୫ଟି ଯାତ୍ରା ସଂପନ୍ନ କରୁଛନ୍ତି। ଏହି ବିମାନଗୁଡ଼ିକ ସମୁଦାୟ ୫୦୦ ନିୟୁତ ‘ଫ୍ଲାଇଟ୍‌’ ବା ‘ବିମାନ ଯାତ୍ରା’ ଅନୁଭୂତି ହାସଲ କରିସାରିଲେଣି। କିନ୍ତୁ ବିଡ଼ମ୍ବନାଟି ହେଲା ଏହାର ନିର୍ମାଣ ବେଳେ ଯାତ୍ରୀ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆ ଯାଉ ନ ଥିବା ନେଇ ଅଭିଯୋଗ ଏହାର ଭରସାଯୋଗ୍ୟତାକୁ ମଧ୍ୟ କ୍ଷୁଣ୍ଣ କରିଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ତ୍ରୁଟିକୁ ଉଜାଗର କରିଥିବା ବୋଇଂର ପୂର୍ବତନ କର୍ମଚାରୀ ଜନ ବାର୍ନେଟ ଏବଂ ସାମ ସାଲେମର ଅବଲୀଳା କ୍ରମେ କଂପାନିରୁ ବହିଷ୍କୃତ ହେବା ଓ ସେମାନଙ୍କ ମଧ୍ୟରୁ ସାଲେମରଙ୍କ ରହସ୍ୟଜନକ ମୃତ୍ୟୁ ଭଳି ଘଟଣା ମଧ୍ୟ ବୋଇଂର ପ୍ରତିଷ୍ଠାକୁ ଦୁର୍ବଳ କରିଛି। କେବଳ ସେତିକି ନୁହେଁ, ଏକ ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀମାନଙ୍କ ଦ୍ବାରା କରାଯାଇଥିବା ଅଦାଲତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୋଇଂ ପକ୍ଷରୁ ପ୍ରାୟ ୧ ବିଲିଅନ ଡଲାର କ୍ଷତି ଭରଣା ମଧ୍ୟ ପ୍ରଦାନ କରାଯାଇଛି। ସେହି ଦୃଷ୍ଟିରୁ ସଦ୍ୟ ଘଟିଥିବା ଦୁର୍ଘଟଣା ପରେ ବୋଇଂ ଅନେକ ଅପ୍ରୀତିକର ପ୍ରଶ୍ନର ସମ୍ମୁଖୀନ ହେବ; ପୁରୁଣା ସନ୍ଦେହ ଓ ବିବାଦମାନ ପୁଣି କବର ତଳୁ ମୁଣ୍ଡ ଟେକିବେ, ଯାହା କଂପାନି ସକାଶେ ଏକ ବିଷମ ପରୀକ୍ଷା ଭାବେ ଉଭା ହୋଇପାରେ!
ବିମାନର ‘ଟେକ ଅଫ’ ଠାରୁ ଭୂପତିତ ହେବା ପର୍ଯ୍ୟନ୍ତ ମୋଟ ଅବଧି ଥିଲା ମାତ୍ର ୫୯ ‌େସକେଣ୍ଡ; ଅଥଚ ତାହା ନିଶ୍ଚିତ ଭାବେ ପାଇଲଟ ସୁମିତ ସବରୱାଲଙ୍କ ଜୀବନରେ ସଂପୂର୍ଣ୍ଣ ଅସହାୟତାର ଦୀର୍ଘତମ କାଳ ଖଣ୍ଡରେ ପରିଣତ ହୋଇଥିବ, ଯେଉଁ କାରଣରୁ ତାଙ୍କର ସେହି ଅନ୍ତିମ ‘ମେ ଡେ’ ଡାକରାର ତରଙ୍ଗ ଏ.ଟି.ସି. (‘ଏୟା‌ର ଟ୍ରାଫିକ କଂଟ୍ରୋଲ’) ଠାରେ ପହଞ୍ଚିଥିବ! ପାଇଲଟମାନଙ୍କ ପ୍ରଶିକ୍ଷଣ ଓ ଉଚ୍ଚ ଦାୟିତ୍ବବୋଧ ତାଙ୍କୁ ଏଭଳି ଭାବେ ପ୍ରସ୍ତୁତ କରିଥାଏ ଯେ କୌଣସି ଜନବସତିରେ ବିମାନଟି ଖସି ପଡ଼ିବାର ଆଶଙ୍କା ଉପୁଜିଲେ ସେମାନେ ପାରୁପର୍ଯ୍ୟନ୍ତ ତାହାକୁ ଦୂର ସ୍ଥାନକୁ ବାହି ନେବା ସହିତ ଶେଷ ପର୍ଯ୍ୟନ୍ତ ନିରାପଦରେ ଅବତରଣ କରାଇବାର ଉଦ୍ୟମ କରନ୍ତି, ଯାହାର କେତେକ ଦୃଷ୍ଟାନ୍ତ ମଧ୍ୟ ରହିଛି। ସେହି ଦୃଷ୍ଟିରୁ ସୁମିତ ସବରୱାଲଙ୍କ ବିମାନଟି ଏକ ଜନାକୀର୍ଣ୍ଣ ଅଞ୍ଚଳରେ ଅଗତ୍ୟା ଖସି ପଡୁଥିବାର ଅନିବାର୍ଯ୍ୟତା ତାଙ୍କୁ ଅଧିକ ଅସହାୟ କରିଦେଇଥିବ! କିନ୍ତୁ ଅତ୍ୟନ୍ତ ଅତର୍କିତ ଭାବେ ଘଟିଯାଇଥିବା ଏଭଳି ହୃଦୟ ବିଦାରକ ଓ ବିରଳ ଦୁର୍ଘଟଣାରେ କେବଳ ନିୟତିର କ୍ରୂର ଚେହେରା ହିଁ ଦିଶିଥାଏ; ମନୁଷ୍ୟର ଭୂମିକା ଅନ୍ତର୍ହିତ ହୋଇଯାଏ।