ତଥାକଥିତ ବିକାଶ ପ୍ରକ୍ରିୟାରେ ହିମାଳୟ ବକ୍ଷ ଯଦି ଫମ୍ପା ଓ ଢିଲା ହୋଇ ଯୋଶୀମଠ ଭଳି ଏକ ଘନ ଜନବସତିକୁ ଉଦରସାତ୍‌ କରିଦିଏ ବା ଅତର୍କିତ ବନ୍ୟା ଓ ଭୂସ୍ଖଳନରେ କେଦାରନାଥ ବା ଧାରାଲି ଧ୍ବଂସସ୍ତୂପରେ ପରିଣତ ହୋଇଯାଏ, ତେବେ ବିସ୍ମୟର ବିଶେଷ କାରଣ ନ ଥାଏ। ତେଣୁ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଧାରାଲି ଭଳି ଘଟଣା ଅତର୍କିତ ଥିଲା ସିନା, ଅପ୍ରତ୍ୟାଶିତ ନ ଥିଲା!

Advertisment

ଗଲା ବୁଧବାର ସଂଧ୍ୟାରୁ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ଯେଉଁ କ୍ଷୁଦ୍ର ଭିଡିଓଟି ହୃଦୟ ବିଦାରକ କାରୁଣ୍ୟ ସୃଷ୍ଟି କରିଥିଲା, ତାହା ହେଉଛି ସେହି ଦିନ ଅପରାହ୍‌ଣରେ ହିମାଳୟ କ୍ରୋଡ଼ରେ ଗଢ଼ି ଉଠିଥିବା ଏକ ଗ୍ରାମ ତା’ର ବାସିନ୍ଦାମାନଙ୍କ ସହିତ ଉତ୍ତାଳ ବନ୍ୟାର ସ୍ରୋତରେ ଭାସି ଯାଉଥିବାର ଦୃଶ୍ୟ। ଏହି ସ୍ତମ୍ଭର ପାଠକ-ପାଠିକାମାନେ ଅବଶ୍ୟ ଅବଗତ ଥିବେ ଯେ ବାଦଲଫଟା ବର୍ଷା କାରଣରୁ ସୃଷ୍ଟ ଅପ୍ରତ୍ୟାଶିତ ଓ ଅତର୍କିତ ବନ୍ୟା ହେତୁ ଏଭଳି ଘଟିଥିଲା, ଯହିଁରେ ଉତ୍ତରକାଶୀ ଜିଲ୍ଲାର ଧାରାଲି ନାମକ ଗ୍ରାମଟି ଜଳ ଓ କର୍ଦ୍ଦମର ସ୍ତୂପ ତଳେ କବର ନେଲା। କିନ୍ତୁ, ଅନେକ ବିଶେଷଜ୍ଞଙ୍କ ମତରେ ଘଟଣାଟି ‘ଅତର୍କିତ’ ଥିଲା ସିନା, କିନ୍ତୁ ହୁଏତ ‘ଅପ୍ରତ୍ୟାଶିତ’ ନ ଥିଲା। କହିବା ଅନାବଶ୍ୟକ ଯେ ଦୁର୍ଘଟଣାଟି ଘଟିଯିବା ପରେ ସ୍ବାଭାବିକ ଭାବେ ଉଦ୍ଧାର କାର୍ଯ୍ୟ, ଶବ ଗଣନା, ରିଲିଫ ବଣ୍ଟନ, କ୍ଷତି ପୂରଣ ଇତ୍ୟାଦି ବିଷୟ ଗୁରୁତ୍ବ ଲାଭ କରିଛି, ଏ ସଂଦର୍ଭରେ ପ୍ରଣିଧାନଯୋଗ୍ୟ ପ୍ରଶ୍ନଟି ହେଲା ହିମାଳୟର ଅତ୍ୟନ୍ତ ସ୍ପର୍ଶକାତର, ସୂକ୍ଷ୍ମ ଓ ଭଙ୍ଗୁରଶୀଳ ପରିବେଶ ପରିସଂସ୍ଥାକୁ ବିପଦାପନ୍ନ କଲା ଭଳି କାର୍ଯ୍ୟମାନରୁ ବିରତ ରହିବା ଲାଗି ଅନେକ ବିବେକୀ ସ୍ବର ଦୀର୍ଘ କାଳ ଧରି ଚେତାଇ ଦେଇ ଆସୁଥିଲେ ହେଁ କାହିଁକି ସେ ସବୁ ରାଷ୍ଟ୍ର ଓ ନାଗରିକମାନଙ୍କ ଭାଗ୍ୟ ବିଧାତା ବୋଲି ମଣୁଥିବା କ୍ଷମତାଧାରୀମାନଙ୍କ କର୍ଣ୍ଣ କୁହରରେ ପ୍ରବେଶ କରି ନ ଥାଏ? ସୁତରାଂ, ଏଭଳି ଅପରିଣାମଦର୍ଶିତାର ଦଣ୍ଡ ସ୍ବରୂପ ହିମାଳୟ ତା’ର ଜରିମାନା ଅସୁଲ କରୁଛି!
ବୈଜ୍ଞାନିକ କାରଣ ଅନୁସାରେ ଉଷ୍ମ ବାୟୁ ପ୍ରବାହ କୌଣସି ପର୍ବତର କାନ୍ଥରେ ବାଧା ପାଇ ଊର୍ଦ୍ଧ୍ବଗାମୀ ହେବା ପରେ ଶୀତଳ ହୋଇ ବିପୁଳ ପରିମାଣର ଜଳ ଧାରଣ କରିଥିବା ଯେଉଁ ମେଘ ଖଣ୍ଡରେ ପରିଣତ ହୁଏ, ତାହା ଅଧିକ ଜଳର ଭାର ସମ୍ଭାଳି ନ ପାରି ନିଗାଡ଼ି ଦେଲେ ବାଦଲଫଟା ବର୍ଷାର ରୂପ ନିଏ; ସଂଜ୍ଞାନୁସାରେ ଏହା ହେଉଛି ଗୋଟିଏ ଘଣ୍ଟାରେ ଏକ ଅତ୍ୟନ୍ତ ସୀମିତ କ୍ଷେତ୍ରରେ ୧୦୦ ମିଲିମିଟର ବା ତହିଁରୁ ଅଧିକ ବୃଷ୍ଟିପାତ, ସାଧାରଣତଃ ଯାହା ଗୋଟିଏ ମାସର ଅବଧିରେ ହେବା କଥା! ସେହି ଦୃଷ୍ଟିରୁ ହିମାଳୟ ପାର୍ବତ୍ୟାଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୧୦୦୦ରୁ ୨୦୦୦ ମିଟର ଉଚ୍ଚତାରେ ଥିବା ସ୍ଥାନମାନ ‘ବାଦଲଫଟା ବୃଷ୍ଟି ପ୍ରବଣ’ ହୋଇଥାଏ (ରୁର୍କି ଆଇ.ଆଇ.ଟି.ର ଅନୁଧ୍ୟାନ) ଏବଂ ଉତ୍ତର କାଶୀ ହେଉଛି ସମୁଦ୍ର ପତ୍ତନ ଠାରୁ ୧୧୦୦ ମିଟର ଉଚ୍ଚତାରେ ଅବସ୍ଥିତ। ପାଣିପାଗ ବିଭାଗର ପରିସଂଖ୍ୟାନ ଅନୁସାରେ ୧୯୭୦ ମସିହାରୁ ୨୦୧୬ ମସିହା ମଧ୍ୟରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମାତ୍ର ୩୦ଟି ବାଦଲ ଫଟା ବର୍ଷା ହୋଇଥିବା ବେଳେ ସଂପ୍ରତି ସେ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଛି, ଯାହାର କାରଣ ଅବିସମ୍ବାଦିତ ଭାବେ ଜଳବାୟୁ ପରିବର୍ତ୍ତନ। ତେବେ, କଥା ହେଲା, ବାଦଲଫଟା ବର୍ଷା ହୁଏତ ଏଭଳି ଭୟାବହ ଭୂସ୍ଖଳନ ସୃଷ୍ଟି କରନ୍ତା ନାହିଁ, ଯଦି ଭିତ୍ତିଭୂମି ବିକାଶ ଓ ଖଣି ଖନନ ଭଳି କାର୍ଯ୍ୟ ଯୋଗୁଁ ନିର୍ବିଚାର ବୃକ୍ଷ ଛେଦନ ହୋଇ ନ ଥାଆନ୍ତା ଓ ସେହି କାରଣରୁ ମାଟି ଢିଲା ହୋଇ ଯାଇ ନ ଥାଆନ୍ତା! ୨୦୨୦ ମସିହାରେ ‘ଟାଇମ୍‌ସ ଅଫ ଇଣ୍ଡିଆ’ରେ ପ୍ରକାଶତ ଏକ ସମ୍ବାଦ ଅନୁସାରେ ଉତ୍ତରାଖଣ୍ଡରେ ୫୫,୦୦୦ ହେକ୍‌ଟର ଅଞ୍ଚଳ ଜଙ୍ଗଲ ଶୂନ୍ୟ ହୋଇଛି, ଯେଉଁ ଆୟତନ ସଂପ୍ରତି ଅର୍ଥାତ୍‌ ପାଞ୍ଚ ବର୍ଷର ସମୟ ବ୍ୟବଧାନରେ ବୃଦ୍ଧି ପାଇଥିବା ସୁନିଶ୍ଚିତ। ପ୍ରକାଶ ଥାଉ କି ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀକୁ ସଂଯୁକ୍ତ କରି ଉତ୍ତରାଖଣ୍ଡରେ ହୋଇଥିବା ଅତ୍ୟନ୍ତ ଉଚ୍ଚାଭିଳାଷୀ ‘ଚାର ଧାମ’ ପ୍ରକଳ୍ପରେ ରାଜପଥ ଓ ରେଳପଥ ନିର୍ମାଣ ସକାଶେ ଯେତିକି ବୃକ୍ଷ ଛେଦନ ଓ ପର୍ବତ ବକ୍ଷରେ ଟନେଲ୍‌ମାନର ଖନନ କରାଯାଇଛି, ତଦ୍ଦ୍ବାରା ପର୍ବତ କେବଳ ଦୁର୍ବଳ ହୋଇଛି! ଏବଂ ଏଭଳି ଭିତ୍ତିଭୂମିଗତ ବିକାଶ ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯେଉଁ ଅକଳ୍ପନୀୟ ବୃଦ୍ଧି ଘଟିଛି, ତା’ର ପ୍ରମାଣ ହେଲା ୨୦୨୩ ମସିହାରେ ତାହା ଥିଲା ୫୬ ଲକ୍ଷ। ଏବଂ ପର୍ଯ୍ୟଟନର ଚାହିଦା ପୂରଣ ଲାଗି ପର୍ବତ କ୍ରୋଡ଼ରେ ଗଢ଼ି ଉଠିଥିବା ଅସଂଖ୍ୟ ହୋଟେଲ, ବିପଣି ଓ ଅଟ୍ଟାଳିକାର ଭାର କ୍ରମେ ଅସହନୀୟ ହୋଇ ଉଠିଲାଣି। ଉଦାହରଣ ସ୍ବରୂପ ବ୍ରିଟିସମାନଙ୍କ ଦ୍ବାରା ଏକ ଶୈଳନିବାସ ରୂପେ ବିକଶିତ ହୋଇଥିବା ସିମଳାର ଜନ ଧାରଣ କ୍ଷମତା ତତ୍‌କାଳୀନ ଯୋଜନାନୁଯାୟୀ ଥିଲା ମାତ୍ର ୨୦ ହଜାର, ଯାହା ସଂପ୍ରତି ଅଢ଼େଇ ଲକ୍ଷ ବାସିନ୍ଦାଙ୍କ ଏକ ଜନାକୀର୍ଣ୍ଣ ସହର। ବିଶେଷଜ୍ଞମାନେ ସତର୍କ ବାଣୀ ଶୁଣାଇ ଥାଆନ୍ତି ଯେ ହିମାଳୟ ହେଉଛି ମୁଖ୍ୟତଃ ମାଟିରେ ଗଢ଼ା ଏକ ତରୁଣ ପର୍ବତ ଶୃଙ୍ଖଳା, ଯାହା ସୀମାହୀନ ମାନବୀୟ ଅବିମୃଶ୍ୟକାରିତାର ବୋଝ ବହନ କରିବାକୁ ଅକ୍ଷମ ହେଲାଣି!
କହିବା ଅନାବଶ୍ୟକ ଯେ ହିମବାହ, ପ୍ରାକୃତିକ ଜଳ ଉତ୍ସ ଏବଂ ଘନ ଅରଣ୍ୟ ଆବୃତ ହିମାଳୟ କ୍ଷେତ୍ର ହେଉଛି ଏକ ବିରଳ ପାରିବେଶିକ ପରିସଂସ୍ଥା, ଯାହା ବାଦଲ ଫଟା ବୃଷ୍ଟିପାତ, ବରଫ ଝଡ଼, ଭୂମିକଂପ, ଭୂସ୍ଖଳନ ଓ ଅତର୍କିତ ବନ୍ୟା ଭଳି ପ୍ରାକୃତିକ ବିପଦକୁ ମଧ୍ୟ ପ୍ରତ୍ୟକ୍ଷ କରିଥାଏ। ତେଣୁ ଏହି ଅଞ୍ଚଳ ସକାଶେ ‘ବିକାଶର ମଡେଲ’ ସ୍ବତନ୍ତ୍ର ହେବା ଉଚିତ ବୋଲି ଏହି କ୍ଷେତ୍ର ସହିତ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ ପରିବେଶବିତ୍‌ମାନେ ବହୁ ପୂର୍ବରୁ ଓ ବାରମ୍ବାର ସତର୍କ କରାଇବା ସହିତ ବିକଳ୍ପ ମାର୍ଗମାନ ଦେଖାଇ ଆସିଥିଲେ ହେଁ କ୍ଷମତାସୀନ ସରକାରଗୁଡ଼ିକ କର୍ଣ୍ଣପାତ କରି ନାହାନ୍ତି। ଏଠାରେ ସ୍ମରଣଯୋଗ୍ୟ କିଭଳି ଉତ୍ତରାଖଣ୍ଡ‌େର ଅବସ୍ଥିତ ଭାରତର ବୃହତ୍ତମ ନଦୀବନ୍ଧ ଯୋଜନା ତେହରି ପ୍ରକଳ୍ପକୁ ବିରୋଧ କରି ପ୍ରସିଦ୍ଧ ପରିବେଶ କର୍ମୀ ସୁନ୍ଦରଲାଲ ବହୁଗୁଣା(ଚିପ୍‌କୋ ଆନ୍ଦୋଳନର ସ୍ରଷ୍ଟା)ଙ୍କ ନେତୃତ୍ବରେ ୧୯୮୦ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଜନ ଆନ୍ଦୋଳନ ହୋଇଥିଲେ ହେଁ ୨୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ୍‌ କେନ୍ଦ୍ର ପରିଶେଷରେ ଗଢ଼ି ଉଠି ସରକାରଙ୍କ ଲାଗି ଆତ୍ମସନ୍ତୋଷର କାରଣ ହୋଇଥିଲା; କିନ୍ତୁ ବହୁଗୁଣାଙ୍କ ତର୍କ ଆଧାରରେ ତୀବ୍ର ଭୂମିକଂପ ପ୍ରବଣ ହିମାଳୟ କ୍ଷେତ୍ରରେ ଏଭଳି ଏକ ଅତି ବୃହଦାକାୟ ଜଳଭଣ୍ଡାର ନିର୍ମାଣ ନ କରି, ତା’ ବଦଳରେ ସେହି ରାଜ୍ୟରେ ଥିବା ପ୍ରାୟ ୧୦ ହଜାର କ୍ଷୁଦ୍ର ଓ ନାତିିକ୍ଷୁଦ୍ର ପାର୍ବତ୍ୟ ଝର ତଥା ପ୍ରାୟ ୧୬ ହଜାର ପ୍ରାକୃତିକ ନାଳରେ ପ୍ରବାହିତ ଜଳର ଉପଯୋଗ କରି, ବିନା ବୃକ୍ଷ ଛେଦନ, ବିସ୍ଥାପନ ଓ ଦୁର୍ନୀତିରେ, ୫୦ କିଲୋୱାଟ୍‌ରୁ ୩-୫ ମେଗାୱାଟ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ଜରିଆରେ ମୋଟ ୧ ଲକ୍ଷ ୩୫ ହଜାର ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନର ସମ୍ଭାବନା ସଂବଳିତ ପ୍ରସ୍ତାବକୁ ସ୍ବୀକାର କରାଯାଇ ନ ଥିଲା। ଏହାର କାରଣ ସ୍ପଷ୍ଟ; ବିକାଶକୁ ଦୃଶ୍ୟମାନ କରିବ ଅତିକାୟ ନିର୍ମାଣ ଏବଂ ତଦ୍ଦ୍ବାରା ଯନ୍ତ୍ରୀ, ରାଜନେତା ଓ ପୁଂଜିପତି ଠିକାଦାରଙ୍କ ତୁଷ୍ଟୀକରଣ ମଧ୍ୟ ସମ୍ଭବ। ପ୍ରକାଶ ଥାଉ କି ଉତ୍ତରାଖଣ୍ଡ ଭଳି ଏକ କ୍ଷୁଦ୍ର ପ୍ରଦେଶରେ ହିମାଳୟ କୋଳରେ ନିର୍ମିତ ବା ନିର୍ମାଣାଧୀନ ଅବସ୍ଥାରେ ଥିବା ଜଳ ବିଦ୍ୟୁତ୍ ପ୍ରକଳ୍ପର ସଂଖ୍ୟା ଶହେରୁ ଅଧିକ, ଯହିଁରୁ ଅନ୍ତତଃ ତିନିଟି ବୃହତ୍‌ ଏବଂ ପ୍ରତ୍ୟେକ ପ୍ରକଳ୍ପ ଅସୁମାରି ବୃକ୍ଷ ଛେଦନ ଓ ବିସ୍ଥାପନ ପ୍ରତ୍ୟକ୍ଷ କରିଛି। ସୁତରାଂ, ତଥାକଥିତ ବିକାଶ ପ୍ରକ୍ରିୟାରେ ହିମାଳୟ ବକ୍ଷ ଯଦି ଫମ୍ପା ଓ ଢିଲା ହୋଇ ଯୋଶୀମଠ ଭଳି ଏକ ଘନ ଜନବସତିକୁ ଉଦରସାତ୍‌ କରିଦିଏ ବା ଅତର୍କିତ ବନ୍ୟା ଓ ଭୂସ୍ଖଳନରେ କେଦାରନାଥ ବା ଧାରାଲି ଧ୍ବଂସସ୍ତୂପରେ ପରିଣତ ହୋଇଯାଏ, ତେବେ ବିସ୍ମୟର ବିଶେଷ କାରଣ ନ ଥାଏ। ତେଣୁ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଧାରାଲି ଭଳି ଘଟଣା ଅତର୍କିତ ଥିଲା ସିନା, ଅପ୍ରତ୍ୟାଶିତ ନ ଥିଲା!
ଏକ ବିଡ଼ମ୍ବନା ହେଲା ‘ବିକାଶ’ ଅର୍ଥରେ ପ୍ରଚଳିତ ମୁଖ୍ୟସ୍ରୋତୀୟ ଧାରଣା ଓ ବ୍ୟାଖ୍ୟାନ ଯେ ଇତିମଧ୍ୟରେ ଅନେକ ସମସ୍ୟା ଓ ସଂକଟକୁ ଜନ୍ମ ଦେଲାଣି, ତାହା ପୁରୋଧାମାନେ ହୃଦୟଙ୍ଗମ କରି ନ ଥାଆନ୍ତି। କହିବା ବାହୁଲ୍ୟ ଯେ ‘ମୁଖ୍ୟ ସ୍ରୋତ’ଟି ସର୍ବଦା ପ୍ରଭୁତ୍ବରୁ ପ୍ରବାହିତ ହୋଇଥାଏ; ଯେଉଁ କାରଣରୁ ତାହା ଅହମିକାଗ୍ରସ୍ତ ହୋଇ ବିକଳ୍ପ ସ୍ରୋତଗୁଡ଼ିକୁ ତାଚ୍ଛଲ୍ୟରେ ଖାରଜ କରିଦିଏ ଏବଂ ବିକଳ୍ପରେ ନିହିତ ଥିବା ପ୍ରଜ୍ଞାର ମୁକ୍ତାମାନ ଅବଲୀଳା କ୍ରମେ ହଜି ଯାଆନ୍ତି। ବିଜ୍ଞାନ, ଶିଳ୍ପ, ପ୍ରଯୁକ୍ତି, ରାଜନୀତି, କୂଟନୀତି, ବାଣିଜ୍ୟ, ଖାଦ୍ୟାଭ୍ୟାସ, ପରିଧାନ, ବ୍ୟାଖ୍ୟାନ ଏପରିକି ଭାବନା ପର୍ଯ୍ୟନ୍ତ ସର୍ବତ୍ର ଏହି ଧାରା ପରିଦୃଷ୍ଟ। କିନ୍ତୁ ହିମାଳୟର ବିଶେଷଜ୍ଞମାନେ ବହୁ ପୂର୍ବରୁ କହି ଆସୁଛନ୍ତି ଯେ ବିକଳ୍ପ ଚିନ୍ତନକୁ ଗୁରୁତ୍ବ ଦେବାର ସମୟ ଉପନୀତ ହୋଇ ସାରିଲାଣି। ମୁଖ୍ୟ ସ୍ରୋତୀୟ ଦୃଷ୍ଟିର ସମାନ୍ତରାଳ ରୂପେ ଉପସ୍ଥିତ ବିକଳ୍ପ ଦୃଷ୍ଟିକୁ ମଧ୍ୟ ଚିହ୍ନିବାକୁ ହେବ। ଉତ୍ତରାଖଣ୍ଡର ହିମାଳୟ-ପରିବେଶବିତ୍ ଅନୁପ ନୌଟିୟାଲଙ୍କ ମନ୍ତବ୍ୟ ଅନୁସାରେ ଅନେକ ପ୍ରଚଳିତ ସଂଜ୍ଞାର ବିକଳ୍ପ ମଧ୍ୟ ଖୋଜିବାକୁ ହେବ; ଯେମିତି ‘କ୍ଲାଇମେଟ ଚେଂଜ୍‌’ ବା ‘ଜଳବାୟୁ ପରିବର୍ତ୍ତନ’କୁ ଏଣିକି ‘କ୍ଲାଇମେଟ କ୍ରାଇସିସ’ ବା ‘ଜଳବାୟୁ ସଂକଟ’ ବୋଲି ପରିଭାଷିତ କରିବାକୁ ହେବ ଏବଂ ହିମାଳୟ କ୍ଷେତ୍ର ଲାଗି ‘ବିକାଶ’ ବା ‘ଡେଭଲପମେଣ୍ଟ’  ବଦଳରେ ‘ଏନରିଚମେଣ୍ଟ’ ବା ‘ସମୃଦ୍ଧି’ ଭଳି ଶବ୍ଦର ବ୍ୟବହାର କରିବାକୁ ହେବ।