ବିକଶିତ ଦେଶମାନଙ୍କର ସଂଗଠନ ‘ଓଇସିଡି’ ଅନୁସାରେ ଆନ୍ତର୍ଜାତିକ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ନାତକ ସ୍ତରୀୟ ଶିକ୍ଷା ଲାଭ ନିମିତ୍ତ ଆମେରିକାରେ ଆବଶ୍ୟକ ହେଉଥିବା ବାର୍ଷିକ ହାରାହାରି ପଢ଼ା ଖର୍ଚ୍ଚର ପରିମାଣ ହେଉଛି ପ୍ରାୟ ୩୦,୦୦୦ ଡଲାର୍; ଏହା ବାଦ୍ ସେମାନଙ୍କୁ ରହିବା, ଖାଇବା ଇତ୍ୟାଦି ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ବ୍ରିଟେନ୍ରେ ଏହା ହୋଇଥାଏ ୧୫,୦୦୦ରୁ ୨୫,୦୦୦ ପାଉଣ୍ଡ୍ ପର୍ଯ୍ୟନ୍ତ। ସେ ତୁଳନାରେ ଭାରତରେ ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନମାନଙ୍କରେ ବାର୍ଷିକ ପଢ଼ା ଖର୍ଚ୍ଚର ପରିମାଣ ହୋଇଥାଏ ମାତ୍ର ୨,୦୦୦ରୁ ୩,୫୦୦ ଡଲାର୍ ମଧ୍ୟରେ। ଭାରତରେ ରହିବା ଖାଇବା ଖର୍ଚ୍ଚ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ନଗଣ୍ୟ ହୋଇଥାଏ କହିଲେ ଚଳେ।
ସପ୍ତାହକ ତଳେ ପ୍ରକାଶିତ ପୃଥିବୀର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କର ମର୍ଯ୍ୟାଦା ତାଲିକା, ‘କ୍ୟୁଏସ୍ ୱର୍ଲଡ ୟୁନିଭର୍ସିଟି ରୢାଙ୍କିଙ୍ଗ୍ସ’ ଭାରତ ପାଇଁ ସୁସମ୍ବାଦ ବହନ କରିବା ଦେଖାଯାଇଛି। ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୫୦ ଶତାଂଶ ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କୁ ପ୍ରଦତ୍ତ ରୢାଙ୍କରେ ଉନ୍ନତି ଘଟିଛି। ବର୍ତ୍ତମାନ ଭାରତର ୫୪ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ସେଇ ସମ୍ମାନଜନକ ‘କ୍ୟୁଏସ୍’ ତାଲିକାରେ ସ୍ଥାନ ପାଇବାକୁ ଯୋଗ୍ୟ ବିେବଚିତ ହୋଇଛନ୍ତି। ଏହି ସଂଖ୍ୟା ଅନୁସାରେ ଭାରତ ବର୍ତ୍ତମାନ ପୃଥିବୀରେ ଚତୁର୍ଥ ସ୍ଥାନ ହାସଲ କରିଛି- ୧୯୨ଟି ଏଭଳି ଶିକ୍ଷାନୁଷ୍ଠାନ ଥିବା ଆମେରିକା ଅଛି ପ୍ରଥମ ସ୍ଥାନରେ, ୯୦ଟି ଶିକ୍ଷାନୁଷ୍ଠାନ ଥିବା ବ୍ରିଟେନ୍ ଅଛି ଦ୍ବିତୀୟ ସ୍ଥାନରେ ଓ ୭୨ଟି ଶିକ୍ଷାନୁଷ୍ଠାନ ଥିବା ଚୀନ୍ ଅଛି ତୃତୀୟ ସ୍ଥାନରେ।
ଏଥର ଭାରତର ୮ଟି ବିଶ୍ବବିଦ୍ୟାଳୟ ନୂତନ କରି ଏହି ତାଲିକାରେ ପ୍ରବେଶ କରିଛନ୍ତି, ଯାହା ମଧ୍ୟ ହେଉଛି ଏକ ଉଲ୍ଲେଖନୀୟ ଉପଲବ୍ଧି। କାରଣ, ଅନ୍ୟ କୌଣସି ଦେଶର ଏତେ ସଂଖ୍ୟକ ବିଶ୍ବବିଦ୍ୟାଳୟ ଏଥର ନୂତନ ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି। ଏହା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏହି ଆଠଟି ନବାଗତମାନଙ୍କ ମଧ୍ୟରୁ ସାତଟି ହେଉଛନ୍ତି ଘରୋଇ ବିଶ୍ବବିଦ୍ୟାଳୟ। ଏଥିରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ନିକଟ ଅତୀତରେ ଭାରତରେ ଘରୋଇ ବିଶ୍ବବିଦ୍ୟାଳୟମାନେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାରେ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କୁ ବହୁ ପଛରେ ପକାଇ ଦେଇଥିବା ଦେଖାଯାଇଛି। ଉଦାହରଣ ସ୍ବରୂପ ୨୦୧୧-୧୨ରୁ ୨୦୨୧-୨୨ ଦଶ ବର୍ଷ ମଧ୍ୟରେ ଭାରତରେ ଘରୋଇ ବିଶ୍ବବିଦ୍ୟାଳୟମାନଙ୍କରେ ଭର୍ତ୍ତି ହୋଇଥିବା ଛାତ୍ର ସଂଖ୍ୟାରେ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ଘଟିଥିବାବେଳେ (୫୦୦ ଶତାଂଶ), ସରକାରୀ ବିଶ୍ବବିଦ୍ୟାଳୟମାନଙ୍କରେ ସେଇ ବୃଦ୍ଧି ମାତ୍ର ୨୦-୨୫ ଶତାଂଶ ମଧ୍ୟରେ ସୀମିତ ରହିଥିଲା। ସ୍ବାଭାବିକ ଭାବରେ ତେଣୁ ‘କ୍ୟୁଏସ୍’ ତାଲିକାରେ ଏହାହିଁ ପ୍ରତିଫଳିତ ହୋଇଛି।
ଭାରତର କେତେକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନମାନ ମଧ୍ୟ ଏହି ମର୍ଯ୍ୟାଦା ତାଲିକାରେ ଯେଉଁଭଳି ଆରୋହଣ କରିବାରେ ସଫଳ ହୋଇଛନ୍ତି, ତାହା ପ୍ରଭାବଶାଳୀ ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ତାଲିକାରେ ସର୍ବାଗ୍ରେ ଥିବା ‘ଦିଲ୍ଲୀ ଆଇଆଇଟି’କୁ ଏଥର ତାଲିକାରେ ୧୨୩ତମ ସ୍ଥାନ ପ୍ରଦାନ କରାଯାଇଛି; ଗତ ବର୍ଷ ଏହାକୁ ମିଳିଥିଲା ୧୫୦ତମ ସ୍ଥାନ ଓ ତା’ ପୂର୍ବ ବର୍ଷ ଏହାର ସ୍ଥାନ ଥିଲା ୧୯୭ତମ। ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କ ମଧ୍ୟରେ ଏହା ପଛକୁ ଦ୍ବିତୀୟ ସ୍ଥାନରେ ଅଛି ‘ବମ୍ବେ ଆଇଆଇଟି’ ଓ ତୃତୀୟ ସ୍ଥାନରେ ଅଛି ‘ମାଡ୍ରାସ ଆଇଆଇଟି’। ‘ଖଡ଼ଗପୁର ଆଇଆଇଟି’ ଚତୁର୍ଥ ସ୍ଥାନରେ ଥିବାବେଳେ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ’ ରହିଛି ପଞ୍ଚମ ସ୍ଥାନରେ।
ତେବେ ଚିରାଚରିତ ଭାବରେ ତାଲିକାର ସର୍ବୋଚ୍ଚ ସ୍ଥାନଗୁଡ଼ିକ ଦଖଲ କରି ରହିଛନ୍ତି ଆମେରିକାର ବିଶ୍ବବିଦ୍ୟାଳୟମାନ। ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ରମାଗତ ଭାବରେ ଚତୁର୍ଦ୍ଦଶ ଥର ପାଇଁ ତାଲିକାର ଶୀର୍ଷ ସ୍ଥାନ ମଣ୍ଡନ କରିଛି। ତାଲିକାରେ ଆମେରିକା ତା’ର ନେତୃସ୍ଥାନ ବଜାୟ ରଖି ଚାଲିଥିଲେ ମଧ୍ୟ ଜର୍ମାନୀ ଓ ଚୀନ୍ ସେମାନଙ୍କର ପ୍ରଦର୍ଶନରେ ଚମକପ୍ରଦ ଉନ୍ନତି ହାସଲ କରିବାରେ ଲାଗିଛନ୍ତି। ବିଶେଷ କରି ଚୀନ୍ର ବିଶ୍ବବିଦ୍ୟାଳୟମାନଙ୍କର ବିଜ୍ଞାନ ଗବେଷଣା କ୍ଷେତ୍ରରେ ଅବଦାନ ବର୍ତ୍ତମାନ ବିଶ୍ବବ୍ୟାପୀ ସ୍ବୀକୃତି ଲାଭ କରିବା ପରିଲକ୍ଷିତ ହେଉଛି। ଏହା କେବଳ ଏହି ତାଲିକାରେ ପ୍ରତିଫଳିତ ହେଉଛି, ତାହା ନୁହେଁ, ଇଲେକ୍ଟ୍ରିକ୍ ଗାଡ଼ି (‘ଇଭି’)ରୁ ଆରମ୍ଭ କରି ରୋବୋଟିକ୍ସ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (‘ଏଆଇ’) ପର୍ଯ୍ୟନ୍ତ କ୍ଷେତ୍ରରେ ଚୀନ୍ ହାସଲ କରି ଚାଲିଥିବା ଦ୍ରୁତ ଅଗ୍ରଗତି ଓ ବ୍ୟାବସାୟିକ ସଫଳତାରେ ମଧ୍ୟ ଏହି ବିଶ୍ବବିଦ୍ୟାଳୟମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଭାରତ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଯେଉଁ ଲକ୍ଷ୍ୟ ରଖିଛି, ତାହା ହାସଲ କରିବାକୁ ହେଲେ ଆମକୁ ମଧ୍ୟ ସେଇ ପଥ ଅନୁସରଣ କରିବାକୁ ହେବ। ବର୍ତ୍ତମାନ ‘କ୍ୟୁଏସ୍’ ତାଲିକାରେ ଆମର ବିଶ୍ବବିଦ୍ୟାଳୟମାନଙ୍କର ମର୍ଯ୍ୟାଦା ବୃଦ୍ଧି ହେଉଛି ସେ ଦିଗରେ ଏକ ନିଶ୍ଚିତ ପଦକ୍ଷେପ।
ଆମ ବିଶ୍ବବିଦ୍ୟାଳୟମାନଙ୍କର ଏହି ପ୍ରଶଂସନୀୟ ଉପଲବ୍ଧି ଭାରତ ପାଇଁ ଆଉ ଏକ ଆକର୍ଷଣୀୟ ସମ୍ଭାବନା ମଧ୍ୟ ସୃଷ୍ଟି କରିଛି। ଭାରତ ବର୍ତ୍ତମାନ ଚାହିଁଲେ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଉଚ୍ଚଶିକ୍ଷା ସନ୍ଧାନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଦର୍ଶ ଗନ୍ତବ୍ୟ ସ୍ଥଳୀରେ ପରିଣତ ହୋଇଯାଇ ପାରିବ। ଏଇ ସମସ୍ତ ଦେଶର ଏଭଳି ଶିକ୍ଷାର୍ଥୀମାନେ ଏ ପର୍ଯ୍ୟନ୍ତ ବିଦେଶରେ ଗୁଣାତ୍ମକ ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ ଆମେରିକା, ବ୍ରିଟେନ୍, ଅନ୍ୟ କେତେକ ଇଉରୋପୀୟ ଦେଶ ଓ ଅେଷ୍ଟ୍ରଲିଆ ଦିଗରେ ଯାତ୍ରା କରିବା ଦେଖାଯାଉଥିଲା। ବର୍ତ୍ତମାନ କିନ୍ତୁ ଦ୍ରୁତ ପରିବର୍ତ୍ତନଶୀଳ ଆନ୍ତର୍ଜାତିକ ରାଜନୈତିକ, କୂଟନୈତିକ, ସାମରିକ ଓ ଅର୍ଥନୈତିକ ପରିସ୍ଥିତିରେ ସେମାନଙ୍କର ସେଇ ଗତିପଥରେ ପରିବର୍ତ୍ତନ ଘଟିବା ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ଆମେରିକାରେ ଟ୍ରମ୍ପଙ୍କର ଉତ୍ପାତ, ସେ ଦେଶକୁ ବହିରାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦସଂକୁଳ କରି ଦେଇଥିବାବେଳେ, ପ୍ରାୟ ସମଗ୍ର ପାଶ୍ଚାତ୍ୟ ଜଗତରେ ବର୍ତ୍ତମାନ ବହିରାଗତମାନଙ୍କ ପ୍ରତି ଦେଖାଯାଉଥିବା ବିଦ୍ବେଷ ଏହି ଶିକ୍ଷାର୍ଥୀମାନଙ୍କୁ ସେଠାକୁ ଯିବା ପାଇଁ ଭୟଭୀତ କରିଲାଣି।
ସେ ଦେଶମାନଙ୍କରେ ଉଚ୍ଚଶିକ୍ଷା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ, ଯାହା ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଅସହ୍ୟ ହୋଇଥିଲେ ମଧ୍ୟ ସେମାନେ ଉଚ୍ଚମାନର ଶିକ୍ଷା ଲାଭ ଆଶାରେ କୌଣସି ମତେ ଏହି ବୋଝ ବହନ କରିବାକୁ ଚେଷ୍ଟା କରିଥାନ୍ତି। ଭାରତ ଯଦି ସେଇଭଳି ଉତ୍ତମ ମାନର ଶିକ୍ଷାଦାନ କରୁଛି ବୋଲି ସେମାନଙ୍କର ହୃଦ୍ବୋଧ ହୁଏ, ତେବେ ସେମାନେ ଭାରତ ଦିଗରେ ମୁହଁାଇବାର ଯଥେଷ୍ଟ କାରଣ ରହିଛି। ଏକ ଉଦାହରଣ ସ୍ବରୂପ ସେମାନଙ୍କୁ ବହନ କରିବାକୁ ପଡୁଥିବା ବ୍ୟୟକୁ ତୁଳନା କରାଯାଉ। ବିକଶିତ ଦେଶମାନଙ୍କର ସଂଗଠନ ‘ଓଇସିଡି’ ଅନୁସାରେ ଆନ୍ତର୍ଜାତିକ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ନାତକ ସ୍ତରୀୟ ଶିକ୍ଷା ଲାଭ ନିମିତ୍ତ ଆମେରିକାରେ ଆବଶ୍ୟକ ହେଉଥିବା ବାର୍ଷିକ ହାରାହାରି ପଢ଼ା ଖର୍ଚ୍ଚର ପରିମାଣ ହେଉଛି ପ୍ରାୟ ୩୦,୦୦୦ ଡଲାର୍; ଏହା ବାଦ୍ ସେମାନଙ୍କୁ ରହିବା, ଖାଇବା ଇତ୍ୟାଦି ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ବ୍ରିଟେନ୍ରେ ଏହା ହୋଇଥାଏ ୧୫,୦୦୦ରୁ ୨୫,୦୦୦ ପାଉଣ୍ଡ୍ ପର୍ଯ୍ୟନ୍ତ। ସେ ତୁଳନାରେ ଭାରତରେ ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନମାନଙ୍କରେ ବାର୍ଷିକ ପଢ଼ା ଖର୍ଚ୍ଚର ପରିମାଣ ହୋଇଥାଏ ମାତ୍ର ୨,୦୦୦ରୁ ୩,୫୦୦ ଡଲାର୍ ମଧ୍ୟରେ। ଭାରତରେ ରହିବା ଖାଇବା ଖର୍ଚ୍ଚ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ନଗଣ୍ୟ ହୋଇଥାଏ କହିଲେ ଚଳେ। ପୃଥିବୀର ଉପରୋକ୍ତ ବିକାଶଶୀଳ ଦେଶମାନଙ୍କର ବା ଅନ୍ୟ ଭାଷାରେ କହିଲେ ଦକ୍ଷିଣ ବିଶ୍ବର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ତୁଳନାତ୍ମକ ଚିତ୍ର ଏକ ବିଶେଷ ଆକର୍ଷଣରେ ପରିଣତ ହେବ, ଯଦି ସେମାନେ ଏଠାରେ ସେମାନଙ୍କର ମନଲାଖି ଶିକ୍ଷା ଲାଭ କରିପାରିବେ।
ଭାରତର ବିବିଧତାଭରା ସାଂସ୍କୃତିକ ପରିବେଶ ମଧ୍ୟ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ପାଶ୍ଚାତ୍ୟ ଜାତିଆଣ ସଂସ୍କୃତି ଠାରୁ ଅଧିକ ଅନୁକୂଳ ସାବ୍ୟସ୍ତ ହେବ। ଅନେକ ଭାରତୀୟ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ଆନ୍ତର୍ଜାତିକ ଗବେଷଣା ସହଭାଗିତାରେ ଅଂଶୀଦାର ଅଛନ୍ତି, ଯାହା ଏହି ଛାତ୍ରଛାତ୍ରୀମାନଙ୍କୁ ଏଠାକୁ ଆସିବା ପାଇଁ ଉତ୍ସାହିତ କରିବ। ସରକାର ଯଦି ସୁଯୋଗର ସଦ୍ବ୍ୟବହାର କରି ଭାରତକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଆନ୍ତର୍ଜାତିକ କେନ୍ଦ୍ରରେ ପରିଣତ କରିବାକୁ ଆବଶ୍ୟକ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପମାନ ନେବେ, ତେବେ ଭାରତ ପ୍ରକୃତରେ ଅବିଳମ୍ବେ ଏକ ବିଶ୍ବଗୁରୁରେ ପରିଣତ ହୋଇପାରିବ।