ଅବାଧ ଅଭିବ୍ୟକ୍ତିଗତ ସ୍ବାଧୀନତା ସଂଦର୍ଭରେ ଆଦର୍ଶଗତ ସ୍ଥିତିଟି ହେଉଛି ଜଣେ ନିର୍ବିଚାରରେ ଯେ କୌଣସି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଲେ ମଧ୍ୟ ତାହାର ପ୍ରତିକ୍ରିୟା ଏକ ବାଚନିକ ଉତ୍ତରରେ ହିଁ ମିଳିବ। କିନ୍ତୁ ଏଭଳି ନାନ୍ଦନିକ ପରିକଳ୍ପନା ବାସ୍ତବତାରେ ସମ୍ଭବ ହୋଇ ନ ଥାଏ। ତେଣୁ, ଏହା ସ୍ବୀକାର୍ଯ୍ୟ ଯେ ଏଭଳି ସ୍ବାଧୀନତା ସହିତ କେତେକ ଦାୟିତ୍ବବୋଧ ମଧ୍ୟ ରହିଥାଏ, ଯାହା ବ୍ୟତିରେକ ନୈରାଜ୍ୟ ସୃଷ୍ଟିର ଆଶଙ୍କା ଅଧିକ।

Advertisment

ଗଲା ୨୩ ତାରିଖ ଦିନ ମୁମ୍ବାଇର ଖାରସ୍ଥିତ ‘ହାବିଟାଟ୍‌ ଷ୍ଟୁଡିଓ’ରେ ଦଳେ ଶିବ ସୈନିକ ପଶି ଯାଇ ଘଟାଇଥିବା ନିର୍ଦୟ ଭଙ୍ଗାରୁଜା ପରେ ଅଭିବ୍ୟକ୍ତିଗତ ସ୍ବାଧୀନତାର ପ୍ରକାର ଓ ପରିସର ସଂଦର୍ଭଟି ପୁନର୍ବାର ଚର୍ଚ୍ଚାର କେନ୍ଦ୍ରରେ ରହିଛି। ‘ପୁନର୍ବାର’ ବୋଲି କହିବାର ତାତ୍ପର୍ଯ୍ୟ ହେଲା କିଛି ଦିନ ତଳେ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦୀୟାଙ୍କ ମୁଖ ନିସୃତ କେତେକ ମନ୍ତବ୍ୟକୁ ଘେନି ତୁମୂଳ ବିବାଦ, ଥାନାରେ ଏଫ.ଆଇ.ଆର. ଦାଖଲ ଏବଂ ଗିରଫଦାରି ଇତ୍ୟାଦି ହୋଇଥିବାରୁ ଏହି ପ୍ରଶ୍ନ ଉଠିଥିଲା ଯେ ଭାରତୀୟ ନାଗରିକମାନଙ୍କ ସକାଶେ ଏକ ମୌଳିକ ଅଧିକାର ରୂପେ ସଂବିଧାନ ଦ୍ବାରା ସ୍ବୀକୃତ ଅଭିବ୍ୟକ୍ତିଗତ ସ୍ବାଧୀନତା କ’ଣ ସଂକୁଚିତ ହେବାରେ ଲାଗିଛି? ‘ହାବିଟାଟ ‌ଷ୍ଟୁଡିଓ’ ଘଟଣା ପଛରେ ନିହିତ କାରଣଟି ହେଲା ଏହା ଯେ ହାସ୍ୟ କଳାକାର କୁନାଳ କାମରାଙ୍କ ଦ୍ବାରା ପ୍ରସ୍ତୁତ ଏକ ସୋ’ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନାର ପ୍ରମୁଖ ଏକନାଥ ସିନ୍ଦେଙ୍କ ବିରୋଧରେ ଥିବା କେତେକ କଟାକ୍ଷ କିଛି ଶିବ ସୈନିକଙ୍କ ଲାଗି ଅସହନୀୟ ହୋଇ ଉଠିଥିଲା, ଯେଉଁମାନେ ଅଗତ୍ୟା ଏଭଳି ଉପଦ୍ରବ ସୃଷ୍ଟି କରିଥିଲେ। ତେବେ, କୁନାଳ କାମରା ପେସାଗତ ଭାବେ ଜଣେ ହାସ୍ୟ-ବ୍ୟଙ୍ଗ କଳାକାର ହୋଇଥିବାରୁ ଆଉ ଏକ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ କାଳକ୍ରମେ ଆମ ମଧ୍ୟରେ ହାସ୍ୟରସ ବୋଧଟି ଶୁଷ୍କ ହୋଇଯାଇ ଆମକୁ ଭାବ-ବନ୍ଧ୍ୟା କରି ଦେଲାଣି କି?, ଯାହା ତୀବ୍ର ଅସହିଷ୍ଣୁତାର ରୂପେ ନେଇଛି! ଏହି ଘଟଣାରେ ଜଣେ କ୍ଷମତାରୂଢ଼ ରାଜନେତା ଓ ତାଙ୍କ ସମର୍ଥକମାନଙ୍କ ସଂପୃକ୍ତି ଥିବାରୁ ଆଉ ଏକ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ କ୍ଷମତା ପ୍ରମତ୍ତ ଗୋଷ୍ଠୀଙ୍କ ଦ୍ବାରା ଏଭଳି ଆଇନ ଊଲ୍ଲଂଘନକାରୀ କାର୍ଯ୍ୟ ତତ୍କାଳ ଦଣ୍ଡନୀୟ ହେବା ଉଚିତ ନୁହେଁ କି?, କାରଣ ଉପଦ୍ରବକାରୀମା‌ନେ ନିଃସଂକୋଚରେ ଏବଂ ଦର୍ପର ସହିତ ଆପଣା କାର୍ଯ୍ୟକୁ ନେଇ ବହପ ଦେଖାଉଥିବା ବେ‌ଳେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। 
ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ସଂପ୍ରତି କ୍ଷମତାରୂଢ଼ ଅନେକ ରାଜନେତା ସେମାନଙ୍କ ପ୍ରତି ହେଉଥିବା କଟାକ୍ଷ ପ୍ରତି ତୀବ୍ର ପ୍ରତିକ୍ରିୟାଶୀଳ ହେଉଛନ୍ତି; ଯାହା ବାମବାଦୀ ଓ ଦକ୍ଷିଣବାଦୀ ଦଳ ନିର୍ବିଶେଷରେ ଘଟୁଛି ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍‌ଡୀଙ୍କ ଦେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପର୍ଯ୍ୟନ୍ତ ଏହା ପରିଦୃଷ୍ଟ; ଯହିଁରେ ବ୍ୟଙ୍ଗକାରମାନେ କାରାବାସ, ପୁଲିସ ଦ୍ବାରା ଯାତନା ଏବଂ ସମର୍ଥକମାନଙ୍କ ଦ୍ବାରା ଆକ୍ରମଣ ଭଳି ପ୍ରତିକ୍ରିୟାମାନର ଶିକାର ହେଉଛନ୍ତି। ସେହି ଦୃଷ୍ଟିରୁ ଏକନାଥ ସିନ୍ଦେଙ୍କ କ୍ଷେତ୍ରରେ ବିଶେଷ କୌଣସି ନୂତନତ୍ବ ନାହିଁ। ସେମିତି ଶିବ ସୈନିକମାନଙ୍କ ଦ୍ବାରା ହୋଇଥିବା ଉପଦ୍ରବକୁ କୌଣସି ଯୁକ୍ତି ବଳରେ ଯଥାର୍ଥ ବୋଲି କୁହା ନ ଗଲେ ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଦଳ ଗଠିତ ହେବା ପରଠାରୁ ଦଳର ପ୍ରମୁଖଙ୍କ ପ୍ରତି ସାମାନ୍ୟ ଅପମାନର ଉତ୍ତର ଉଗ୍ର ଶିବ ସୈନିକମାନେ ଏଭଳି ଉପଦ୍ରବ ମାଧ୍ୟମରେ ହିଁ ଦେଇ ଆସିଛନ୍ତି। ଅନେକଙ୍କ ମତରେ ଏହା ସେମାନଙ୍କ ଡିଏନ୍‌ଏରେ ବିଦ୍ୟମାନ। କିନ୍ତୁ ଶଂସିତ ଘଟଣାରେ ଚିନ୍ତାର ବିଷୟଟି ହେଲା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ଦ୍ବାରା ଏଭଳି କାର୍ଯ୍ୟର ସମର୍ଥନ। ଏହା ନିଃସର୍ତ୍ତ ଏବଂ ତୀବ୍ର ସମାଲୋଚନାଯୋଗ୍ୟ ହୋଇଥିଲେ ହେଁ ଏକ ମତ ପ୍ରକାଶ ପାଇଥାଏ ଯେ ସଂପ୍ରତି ଅସହିଷ୍ଣୁତାର ବାତାବରଣ (ପୃଥିବୀର ସର୍ବତ୍ର) କ୍ରମେ ଘନେଇ ଆସୁଥିବା ବେଳେ ଅଭିବ୍ୟକ୍ତିଗତ ସ୍ବାଧୀନତାର ସୀମା ଚିହ୍ନଟ ଉପରେ ଧ୍ୟାନ ଦିଆଯିବା ଉଚିତ।
ଏହା ଏକ କର୍କଶ ବାସ୍ତବତା ଯେ ଆମମାନଙ୍କ ମଧ୍ୟରେ ସହନଶୀଳତା ଏଭଳି ଦୁର୍ବଳ ହେବାରେ ଲାଗିଛି ଯେ ସାଧାରଣ ହାସ୍ୟ-ବ୍ୟଙ୍ଗ ମଧ୍ୟ ଅନେକ ସମୟରେ ତୀବ୍ର ରୋଷ ଓ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା କେବଳ ଏତିକିରୁ ସ୍ପଷ୍ଟ ହେବ ଯେ କେତେକ ଜାତି ବା ଗୋଷ୍ଠୀ ବା ଶ୍ରେଣୀକୁ ନେଇ ବହୁ କାଳ ଧରି ପ୍ରଚଳିତ ହୋଇ ଆସିଥିବା ଋଢ଼ି ଏବଂ ‘ଜୋକ୍‌’ଗୁଡ଼ିକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଥିବା କାରଣରୁ ଏବେ ଅଚଳ ହୋଇଗଲେଣି ବା ହେବାକୁ ବସିଲେଣି। କହିବା ବାହୁଲ୍ୟ, ଏଭଳି ଋଢ଼ି ବା ‌‘ଜୋକ୍‌’ (ଶିଖମାନଙ୍କୁ କେନ୍ଦ୍ର କରି ରହିଥିବା ଅକଳନ୍ତି ସର୍ଦ୍ଦ‌ାର ଜୋକ୍‌ସ ଭଳି) ଇତ୍ୟାଦି ସୃଷ୍ଟି ହେବା ପଛରେ ବ୍ୟଙ୍ଗକାରମାନଙ୍କ ଠାରେ ସେହି ସବୁ ଜାତି ବା ଗୋଷ୍ଠୀଗୁଡ଼ିକ ପ୍ରତି ଏକ ପ୍ରକାର ହେୟ ବୋଧ ରହିଥିବ, ଯାହା କିନ୍ତୁ କାଳ କ୍ରମେ ସେହି ସବୁ ଜାତି ବା ଗୋଷ୍ଠୀଗୁଡ଼ିକ ଦ୍ବାରା ଅସ୍ବୀକୃତ ଏବଂ ଅସହ୍ୟ ହେବାରୁ ସ୍ବାଭାବିକ ଭାବେ ତୀବ୍ର ପ୍ରତିକ୍ରିୟା ପରିଦୃଷ୍ଟ ହେଉଛି। ଅନେକଙ୍କ ମତରେ ବ୍ୟଙ୍ଗ ଓ ବିଦ୍ରୂପ ମଧ୍ୟରେ ରହିଥିବା ସୂକ୍ଷ୍ମ ରେଖାକୁ ଅତିକ୍ରମ କରି ଯାଉଥିବା ବ୍ୟଙ୍ଗକାରମାନେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ହୃଦୟଙ୍ଗମ କରି ନ ଥାଆନ୍ତି ଯେ ଏହାର ଶରବ୍ୟ ହେଉଥିବା ବ୍ୟକ୍ତି ଦହନର ଜ୍ବାଳା‌େର ଅତିଷ୍ଠ ହେଉଥାଏ। ସଂପୂର୍ଣ୍ଣ ଅବାଧ ବାକ୍‌ ସ୍ବାଧୀନତାରେ ବିଶ୍ବାସ କରୁଥିବା ପ୍ରସିଦ୍ଧ ଲେଖକ ସଲମାନ ରସଦିଙ୍କ ଏକ ଉକ୍ତି କହିଥିଲା ଯେ ଅନ୍ୟକୁ ଅପମାନ ଦେବାର ସ୍ବାଧୀନତା ନ ମିଳିଲେ ତାହା ବାସ୍ତବରେ ଅଭିବ୍ୟକ୍ତିର ସ୍ବାଧୀନତା ହୋଇ ନ ଥାଏ। କହିବା ବାହୁଲ୍ୟ, ତାଙ୍କ ଦ୍ବାରା ଲିଖିତ ‘ସାଟାନିକ ଭର୍ସେସ’ ପୁସ୍ତକ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଏଭଳି ଅପମାନ ଜର୍ଜର କରି ପକାଇଲା ଯେ ତା’ର ଅଭୂତପୂର୍ବ ପ୍ରତିକ୍ରିୟା ସ୍ବରୁପ ତାଙ୍କ ମୁଣ୍ଡ ଉପରେ ଫତୱା ଜାରି ଠାରୁ ନେଇ ଏକ ଜଘନ୍ୟ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ଅଭାବନୀୟ ଘଟଣା‌ଗୁଡ଼ିକୁ ଜନ୍ମ ଦେଲା। ତେଣୁ ଭୁଲି ଯିବା ଉଚିତ ନୁହେଁ ଯେ ଅଭିବ୍ୟକ୍ତିଗତ ଅବାଧ ସ୍ବାଧୀନତାକୁ ଉପଭୋଗ କରି ଅନ୍ୟକୁ ଅପମାନିତ କରିବାର ଉଦ୍ୟମରେ ହୁଏତ ଚିନ୍ତାତୀତ ଭାବେ ଅପ୍ରୀତିକର ପ୍ରତିକ୍ରିୟାକୁ ପ୍ରତ୍ୟକ୍ଷ କରିବାକୁ ପଡ଼ିପାରେ! ଅବାଧ ଅଭିବ୍ୟକ୍ତିଗତ ସ୍ବାଧୀନତା ସଂଦର୍ଭରେ ଆଦର୍ଶଗତ ସ୍ଥିତିଟି ହେଉଛି ଜଣେ ନିର୍ବିଚାରରେ ଯେ କୌଣସି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଲେ ମଧ୍ୟ ତାହାର ପ୍ରତିକ୍ରିୟା ଏକ ବାଚନିକ ଉତ୍ତରରେ ହିଁ ମିଳିବ। କିନ୍ତୁ ଏଭଳି ନାନ୍ଦନିକ ପରିକଳ୍ପନା ବାସ୍ତବତାରେ ସମ୍ଭବ ହୋଇ ନ ଥାଏ। ତେଣୁ, ଏହା ସ୍ବୀକାର୍ଯ୍ୟ ଯେ ଏଭଳି ସ୍ବାଧୀନତା ସହିତ କେତେକ ଦାୟିତ୍ବବୋଧ ମଧ୍ୟ ରହିଥାଏ, ଯାହା ବ୍ୟତିରେକ ନୈରାଜ୍ୟ ସୃଷ୍ଟିର ଆଶଙ୍କା ଅଧିକ। ଆଇନ ଦୃଷ୍ଟିରୁ ଏହି ଦାୟିତ୍ବବୋଧର ସ୍ବରୂପ ସ୍ପଷ୍ଟ ଯେ ଦେଶଦ୍ରୋହ ବା ଅରାଜକତାକୁ ପ୍ରୋତ୍ସାହନ ଦେଉଥିବା କୌଣସି ବକ୍ତବ୍ୟ ନାଗରିକର ଅଭିବ୍ୟକ୍ତିଗତ ମୌଳିକ ଅଧିକାରର ପର୍ଯ୍ୟାୟଭୁକ୍ତ ହେବ ନାହିଁ। କିନ୍ତୁ, ସାମାଜିକ ସ୍ତରରେ ଏହି ଦାୟିତ୍ବବୋଧ ଆପଣା ବିବେଚନାବୋଧ ଦ୍ବାରା ହୁଏତ ନିର୍ଣ୍ଣିତ ହୋଇପାରେ! ସମାଲୋଚନା ପ୍ରତି ଅସହିଷ୍ଣୁତାର ସାଂପ୍ରତିକ ବାତାବରଣରେ ଏହା ଅଧିକ ଆବଶ୍ୟକ।
ତେବେ, ଏହା ମଧ୍ୟ ଏକ ଅପ୍ରିୟ ବାସ୍ତବତା ଯେ ସହିଷ୍ଣୁତାର ଅଭାବ ହେତୁ ବ୍ୟଙ୍ଗକାରମାନେ କାରଣେ ଅକାରଣେ ଭୁଲ୍‌ ବୁଝାମଣା, ଆକ୍ରୋଶ, ଆକ୍ରମଣ ଆଦିର ଶିକାର ହେଉଛନ୍ତି। କିନ୍ତୁ ତାହା କେବଳ ସାଂପ୍ରତିକ ବ୍ୟଙ୍ଗକାରମାନଙ୍କ ଦୁର୍ଭାଗ୍ୟ ନୁହେଁ। ନିରୀହ ହାସ୍ୟରସ କିଭଳି ଏକ ଭୁଲ୍‌ ସମୟରେ ପ୍ରାଣଘାତୀ ପ୍ରତିକ୍ରିୟା‌ ସୃଷ୍ଟି କରିପାରେ, ତାହାର ଦୃଷ୍ଟାନ୍ତ ଅତି ପ୍ରାଚୀନ କାଳରେ ମଧ୍ୟ ମିଳିଥିଲା। ଖ୍ରୀଷ୍ଟପୂର୍ବ ୫୬୪ରେ ବିଶ୍ବବିଶ୍ରୁତ ‘ଫେବଲିଷ୍ଟ୍‌’ (ଜୀବଜନ୍ତୁଙ୍କୁ ନେଇ ଶିଶୁମାନଙ୍କ ସକାଶେ ନୀତିଶିକ୍ଷାଧର୍ମୀ ସୁଖପାଠ୍ୟ କଳ୍ପର ଲେଖକ) ଇଶପଙ୍କ ନିଧନ ଏହି କାରଣରୁ ହୋଇଥିଲା। କଥିତ ଅଛି ଯେ ପାର୍ନାସସ ପର୍ବତ ଉପରେ ଅବସ୍ଥିତ ଡେଲଫି ସହରକୁ ବୁଲି ଯାଇଥିବା ବେଳେ ସେଠାରେ କଳହରତ ଦଳେ ଲୋକଙ୍କୁ ସେଥିରୁ କ୍ଷାନ୍ତ କରି ସେମାନଙ୍କୁ ବୁଝାଇବା ସକାଶେ ଇଶପ ଯେଉଁ ମଜା ଗଳ୍ପଟିଏ ଶୁଣାଇଥିଲେ, ତାହାକୁ ଉଭୟ ପକ୍ଷ ସେମାନଙ୍କ ପ୍ରତି ବିଦ୍ରୂପ ବୋଲି ବିଚାର କରି ତାଙ୍କୁ ସେହି ପର୍ବତ ଉପରୁ ଠେଲି ହତ୍ୟା କରିଥିଲେ। କହିବା ବାହୁଲ୍ୟ ଯେ ପ୍ରତ୍ୟେକ ବ୍ୟଙ୍ଗକାର ହେଉଛନ୍ତି ଇଶପଙ୍କ ଜଣେ ଜଣେ ଉତ୍ତର ଦାୟାଦ, ଯେଉଁମାନେ ସେମାନଙ୍କ ଉତ୍ତମ ଉଦ୍ଦେଶ୍ୟ ସତ୍ତ୍ବେ ଯାତନା ଭୋଗି ପାରନ୍ତି!