ଇତିମଧ୍ୟରେ ଏକ ଶ୍ରମକୁଣ୍ଠ ମାନବ ଜାତି ତା’ର ଶାରୀରିକ ସାମର୍ଥ୍ୟକୁ ଅତ୍ୟନ୍ତ ଦୁର୍ବଳ କରି ସାରିଲାଣି, ଯହିଁରେ ତା’ର ଫୁସ୍ଫୁସ୍ ଓ ହୃତ୍ପିଣ୍ଡ ଭଳି ମହତ୍ତ୍ବପୂର୍ଣ୍ଣ ଅଙ୍ଗମାନ ମଧ୍ୟ ଅନ୍ତର୍ଭୁକ୍ତ। ଏବଂ ଶାରୀରିକ ଶକ୍ତିର ବିକଳ୍ପ ଭାବେ ଉଭା ହୋଇଥିବା ଯାନ୍ତ୍ରିକ ଶକ୍ତିର ବହୁଳ ଉପଯୋଗ ହେଉଛି ବାୟୁ ପ୍ରଦୂଷଣର ଏକମାତ୍ର କାରଣ, ଯାହାକୁ ଆମର ଦୁର୍ବଳ ଫୁସ୍ଫୁସ୍ମାନ ଅଗତ୍ୟା ସହନ କରିବାକୁ ବାଧ୍ୟ େହଉଛନ୍ତି!
ମାନବ ଜାତିକୁ ପ୍ରାଚୀନ ଭାରତର ମହାନତମ ଉପହାର ଭାବେ ସେହି ଗୂଢ଼ ଜ୍ଞାନକୁ ଗଣାଯିବ, ଯାହା ବୁଝାଇ େଦଇଥିଲା ଯେ ଶ୍ବାସକ୍ରିୟା ଜୀବନ ଧାରଣ ଲାଗି ଅନିବାର୍ଯ୍ୟ ହେବା ସହିତ ମନୁଷ୍ୟକୁ ନିରୋଗ ଓ ଦୀର୍ଘାୟୁ ରଖିବାରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ହିମାଳୟ କ୍ରୋଡ଼ରେ ବାସ କରୁଥିବା ଏଭଳି କିଛି ବିରଳ ଯୋଗୀଙ୍କ ଦୃଷ୍ଟାନ୍ତମାନ ଦିଆଯାଏ, ଯେଉଁମାନେ ଶ୍ବାସକ୍ରିୟାକୁ ଏଭଳି ନିୟନ୍ତ୍ରଣ କରିପାରନ୍ତି ଯେ ସେମାନଙ୍କ ଠାରେ ସାମୟିକ ଭାବେ ଜୀବନର ସମସ୍ତ ସଂକେତ ମଧ୍ୟ ହଜି ଯାଇଥାଏ; ବିଜ୍ଞାନ ଭିତ୍ତିକ ପରୀକ୍ଷାନିରୀକ୍ଷାରେ ସେମାନେ ଅପାତତଃ ମୃତ ବୋଲି ପ୍ରମାଣିତ ମଧ୍ୟ ହୁଅନ୍ତି। ଶରୀର ଦ୍ବାରା ସଂପାଦିତ ହେଉଥିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଥଚ ସଂପୂର୍ଣ୍ଣ ବିସ୍ମୃତ ଏହି କ୍ରିୟାଟିକୁ କେନ୍ଦ୍ର କରି ପ୍ରାଚୀନ ଭାରତରେ ‘ପ୍ରାଣାୟାମ’ ଭଳି ଯେଉଁ ଅଭ୍ୟାସ ପଦ୍ଧତିଟି ଗଢ଼ି ଉଠିଥିଲା, ତାହା କିଭଳି ମାନବକୁ ରୋଗମୁକ୍ତ ଓ ଦୀର୍ଘାୟୁ କରିଥାଏ, ତାହା ଚିକିତ୍ସା ବିଜ୍ଞାନ ଦ୍ବାରା ମୁକ୍ତ କଣ୍ଠରେ ସ୍ବୀକୃତ ମଧ୍ୟ; ଯାହାର ଏକ ବିରଳ ଉଦାହରଣ ହେଉଛନ୍ତି ଯୋଗୀ ତୈଲଙ୍ଗ ସ୍ବାମୀ ଯିଏ ଦୁଇ ଶହ ବର୍ଷରୁ ଅଧିକ କାଳ (୧୬୦୭-୧୮୮୭) ଜୀବିତ ଥିବା ବିଷୟ ବିଶ୍ବାସ କରାଯାଏ। ଏ ସଂଦର୍ଭରେ ଏତେ ଗୌର ଚନ୍ଦ୍ରିକାର ତାତ୍ପର୍ଯ୍ୟ ହେଲା, ଶ୍ବାସକ୍ରିୟାର ଅଭିନବ ପରିଚାଳନା ଓ ତଦ୍ଦ୍ବାରା ଫୁସ୍ଫୁସ୍କୁ ଅତ୍ୟନ୍ତ ସୁସ୍ଥ ଓ ସବଳ କରି ରଖି ପାରିବାର ପାରମ୍ପରିକ ଜ୍ଞାନ ପ୍ରାଚୀନ କାଳରୁ ଉପଲବ୍ଧ ଥିଲେ ହେଁ ଭାରତୀୟମାନେ ସଂପ୍ରତି ଅନ୍ୟତମ ସର୍ବାଧିକ ଦୁର୍ବଳ ଫୁସ୍ଫୁସ୍ଧାରୀ ଜାତି ଭାବେ ପରିଚିତ ହେବାରେ ଲାଗିଛନ୍ତି, ଯାହା ଏକ ବିଡ଼ମ୍ବନା। ‘କୋଭିଡ୍ ୧୯’ ପାନ୍ଡେମିକ୍ କାଳରେ ଏଭଳି ସ୍ଥିତିର ଆଭାସ ମିଳିଥିଲା। ସଂପ୍ରତି ଚୀନରୁ ଆସି ଭାରତୀୟମାନଙ୍କୁ ସଂକ୍ରମଣର ସୂତ୍ରରେ ଗୁନ୍ଥିବାକୁ ଆରମ୍ଭ କରିଥିବା ‘ଏଚ୍ଏମ୍ପିଭି’ (ହ୍ୟୁମାନ ମେଟା ନ୍ୟୁମୋନିକ ଭାଇରସ)କୁ ନେଇ ଚିକିତ୍ସା ବିଜ୍ଞାନୀମାନେ ଅଭୟର ସନ୍ଦେଶ ପ୍ରଦାନ କରୁଥିବା ବେଳେ ‘ଦୁର୍ବଳ ଫୁସ୍ଫୁସ୍’ କ୍ଷେତ୍ରରେ ଉଦ୍ବେଗ ମଧ୍ୟ ପ୍ରକାଶ କରୁଛନ୍ତି। ପ୍ରକାଶ ଥାଉ କି ଏହା ଲେଖା ହେବା ବେଳକୁ ଭାରତରେ ‘ଏଚ୍ଏମ୍ପିଭି’ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦ରେ।
ପ୍ରକାଶ ଥାଉ କି ୨୦୨୦ ମସିହାରେ ଦିଲ୍ଲୀସ୍ଥିତ ପ୍ରସିଦ୍ଧ ଗଙ୍ଗାରାମ ହସପିଟାଲର ସ୍ବନାମଧନ୍ୟ ଛାତି ଶଲ୍ୟ ଚିକିତ୍ସକ ଡାକ୍ତର ଅରବିନ୍ଦ କୁମାର ଏକ ପ୍ରଣିଧାନଯୋଗ୍ୟ ମନ୍ତବ୍ୟ ପ୍ରଦାନ କରିଥିଲେ ଯେ ସେ ଆଉ ‘ଗୋଲାପି ଫୁସ୍ଫୁସ୍’ ଦେଖିବାକୁ ପାଉ ନାହାନ୍ତି! ଡାକ୍ତର କୁମାର ଅସ୍ତ୍ରୋପଚାର କାଳରେ ବର୍ଷକୁ ହାରାହାରି ପ୍ରାୟ ୬୦୦ଟି ଫୁସ୍ଫୁସ୍ରେ ଶଲ୍ୟ ଚିକିତ୍ସା କରିଥାଆନ୍ତି ଏବଂ ତାଙ୍କ କହିବାନୁସାରେ ଅଷ୍ଟମ ଦଶକ ପର୍ଯ୍ୟନ୍ତ ଅଭ୍ୟାସଗତ ଧୂମପାୟୀମାନଙ୍କୁ ବାଦ ଦେଲେ ୯୦ ପ୍ରତିଶତ କ୍ଷେତ୍ରରେ ‘ଗୋଲାପି ଫୁସ୍ଫୁସ୍’ ଦେଖିବାକୁ ପାଉଥିଲେ, ଯାହା ଅନ୍ତତଃ ପକ୍ଷେ ସତେଜତାର ପ୍ରମାଣ ବହନ କରୁଥିଲା। କିନ୍ତୁ ବର୍ତ୍ତମାନ ଆଦୌ ଧୂମପାନ କରୁ ନ ଥିବା ବ୍ୟକ୍ତବିେଶଷ, ଏପରିକି ୧୪ରୁ ୧୬ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଧୂମପାୟୀମାନଙ୍କ ଠାରେ ଥିବା ଭଳି ବିବର୍ଣ୍ଣ ଫୁସ୍ଫୁସ୍ମାନ ପ୍ରତ୍ୟକ୍ଷ କରୁଛନ୍ତି। ଏହାର କାରଣ ଭାବେ ସେ ଉତ୍କଟ ବାୟୁ ପ୍ରଦୂଷଣ ଆଡ଼କୁ ଇଙ୍ଗିତ କରିଥିଲେ। ଅବଶ୍ୟ, ଏହା ହୋଇପାରେ ଯେ ଜଣେ ଦିଲ୍ଲୀବାସୀ ଡାକ୍ତର ଭାବେ ସେ ମୁଖ୍ୟତଃ ଉତ୍ତର ଭାରତୀୟମାନଙ୍କ ଚିକିତ୍ସାରେ ସଂଶ୍ଳିଷ୍ଟ ଥିବେ, ଯେଉଁ ଅଞ୍ଚଳ ଉତ୍କଟ ବାୟୁ ପ୍ରଦୂଷଣ ସକାଶେ ସମଗ୍ର ପୃଥିବୀରେ ଅପଖ୍ୟାତ। ତେବେ, ୨୦୨୪ ମସିହା, ଫେବ୍ରୁଆରି ମାସରେ ଭେଲୋର (ଆନ୍ଧ୍ରପ୍ରଦେଶ)ସ୍ଥିତ ପ୍ରସିଦ୍ଧ ଖ୍ରୀଷ୍ଟିଆନ ମେଡିକାଲ କଲେଜ ପକ୍ଷରୁ ପ୍ରକାଶିତ ଏକ ଅନୁଶୀଳନ ରିପୋର୍ଟରେ ଦୁର୍ବଳ ଫୁସ୍ଫୁସ୍ ସଂପର୍କରେ ଉଲ୍ଲେଖ କରାଯାଇଛି। ଯଦିଓ ମାତ୍ର ୨୦୯ ଜଣଙ୍କୁ ଘେନି ଏକ କ୍ଷୁଦ୍ର ନମୁନାରୁ ଆହୃତ ତଥ୍ୟ ଆଧାରରେ ଅନୁଶୀଳନ କରାଯାଇଥିଲା, ତହିଁରୁ ପ୍ରାପ୍ତ ନିଷ୍କର୍ଷକୁ ନଜରଅନ୍ଦାଜ କରାଯାଇ ନ ପାରେ! ସେହି ରିପୋର୍ଟ କହିଛି ଯେ କୋଭିଡ୍ ଦ୍ବାରା ଆକ୍ରାନ୍ତ ଏହି ନମୁନାରୁ ପ୍ରାୟ ୫୦% ଦୁର୍ବଳ ଫୁସ୍ଫୁସ୍ ସ୍ବାସ୍ଥ୍ୟକୁ ପ୍ରମାଣିତ କରି ସାମାନ୍ୟ କାର୍ଯ୍ୟରେ ଧଇଁସଇଁ ହୋଇଯାଉଛନ୍ତି। ଅପର ପକ୍ଷରେ ଇଟାଲୀରୁ ଉପଲବ୍ଧ ତଦନୁରୂପ ନମୁନାର ଫଳାଫଳ କହିଥାଏ ଯେ ଭାରତୀୟମାନଙ୍କ ତୁଳନାରେ ଅଧିକ ସଂଖ୍ୟକ ଇଟାଲୀୟ କୋଭିଡ ଦ୍ବାରା ଅପହୃତ ଫୁସ୍ଫୁସ୍ ସ୍ବାସ୍ଥ୍ୟକୁ ପୁନର୍ବାର ଫେରି ପାଇଲେଣି, ଏହାର କାରଣ ସେମାନେ ଅନୁସରଣ କରୁଥିବା ସ୍ବାସ୍ଥ୍ୟପ୍ରଦ ଜୀବନଶୈଳୀ।
ଯଦିଓ ବାୟୁ ପ୍ରଦୂଷଣ ଦ୍ବାରା ଫୁସ୍ଫୁସ୍ର ସ୍ବାସ୍ଥ୍ୟ ଆକ୍ରାନ୍ତ ହୋଇଥାଏ, ଏହା ସୁବିଦିତ ଯେ ଫୁସ୍ଫୁସ୍ କେବଳ ମାଂସପେଶୀ ଦ୍ବାରା ଗଠିତ ହୋଇଥିବାରୁ ଦୃଢ଼ ଓ ପରିପୁଷ୍ଟ ହେବା ଲାଗି ଏହା ବ୍ୟାୟାମ ମଧ୍ୟ ଲୋଡ଼ିଥାଏ। ଏହି ବ୍ୟାୟାମ ଗଭୀର ଶ୍ବାସକ୍ରିୟା ଦ୍ବାରା ହିଁ ସମ୍ଭବ। ସେମାନେ କହନ୍ତି ଯେ ସାଂପ୍ରତିକ ଭାରତୀୟମାନେ ଶ୍ରମ କୁଣ୍ଠ ହୋଇ ଶାରୀରିକ ଶ୍ରମଜନିତ ଘନଘନ ନିଃଶ୍ବାସ-ପ୍ରଶ୍ବାସର ଉପକାର ତ ଲାଭ କରି ପାରୁନାହାନ୍ତି, ଏଣେ ‘ପ୍ରାଣାୟାମ’ ଭଳି ପ୍ରଭାବଶାଳୀ ଶ୍ବାସକ୍ରିୟା ପଦ୍ଧତି ଠାରୁ ଦୂରେଇ ଯାଇ ଫୁସ୍ଫୁସ୍ ବ୍ୟାୟାମ ଲାଗି ସୁଯୋଗ ମଧ୍ୟ ସୃଷ୍ଟି କରି ପାରୁ ନାହାନ୍ତି। ସଂପ୍ରତି ଫୁସ୍ଫୁସ୍ଜନିତ ସଂକ୍ରମଣମାନ ମହାମାରୀର କାରଣ ହେଉଥିବା ବେଳେ ଭାରତୀୟମାନଙ୍କ ସକାଶେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି।
କହିବା ବାହୁଲ୍ୟ ଯେ ଶାରୀରିକ ଶ୍ରମର କ୍ଳେଶରୁ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିବାର ଉଦ୍ଦେଶ୍ୟ ହେତୁ ବିଜ୍ଞାନରୁ ପ୍ରଯୁକ୍ତି ଜନ୍ମ ନେଇଥିଲା, ଯାହା ଅବଲୀଳା କ୍ରମେ ଶିଳ୍ପ ବିପ୍ଳବ ସୃଷ୍ଟି କରିଥିଲା। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ବିଶ୍ବାସ କରନ୍ତି ଯେ ଆଳସ୍ୟ ଓ ବିଚକ୍ଷଣତାର ସମଷ୍ଟିରୁ ଅପୂର୍ବ ପ୍ରଯୁକ୍ତିମାନ ସମ୍ଭବ ହୋଇଥାଏ, କାରଣ କେବଳ ବିଚକ୍ଷଣ ଅଳସୁଆ ଲୋକେ ହିଁ ବିନା ବା ସ୍ବଳ୍ପ ଶ୍ରମରେ କାର୍ଯ୍ୟ ସିଦ୍ଧି କରିବାର ମାର୍ଗ ଅନ୍ବେଷଣ କରନ୍ତି ଓ ପାଆନ୍ତି। କହିବା ବାହୁଲ୍ୟ ଯେ ଏହି କ୍ରମରେ ଇତିମଧ୍ୟରେ ଏକ ଶ୍ରମକୁଣ୍ଠ ମାନବ ଜାତି ତା’ର ଶାରୀରିକ ସାମର୍ଥ୍ୟକୁ ଅତ୍ୟନ୍ତ ଦୁର୍ବଳ କରି ସାରିଲାଣି, ଯହିଁରେ ତା’ର ଫୁସ୍ଫୁସ୍ ଓ ହୃତ୍ପିଣ୍ଡ ଭଳି ମହତ୍ତ୍ବପୂର୍ଣ୍ଣ ଅଙ୍ଗମାନ ମଧ୍ୟ ଅନ୍ତର୍ଭୁକ୍ତ। ଏବଂ ଶାରୀରିକ ଶକ୍ତିର ବିକଳ୍ପ ଭାବେ ଉଭା ହୋଇଥିବା ଯାନ୍ତ୍ରିକ ଶକ୍ତିର ବହୁଳ ଉପଯୋଗ ହେଉଛି ବାୟୁ ପ୍ରଦୂଷଣର ଏକମାତ୍ର କାରଣ, ଯାହାକୁ ଆମର ଦୁର୍ବଳ ଫୁସ୍ଫୁସ୍ମାନ ଅଗତ୍ୟା ସହନ କରିବାକୁ ବାଧ୍ୟ େହଉଛନ୍ତି!
ଅନେକ ବିଶ୍ଳେଷକଙ୍କ ମତରେ ପ୍ରାଚୀନ ଚୀନା ଦାର୍ଶନିକ କନଫୁସିଅସ ହିଁ ଥିଲେ ବିଜ୍ଞାନ ଓ ପ୍ରଯୁକ୍ତିର ଆଦ୍ୟତମ ପୃଷ୍ଠପୋଷକ। ସୁତରାଂ, ତାଙ୍କୁ କେନ୍ଦ୍ର କରି ରହିଥିବା ଏକ କାହାଣୀ ଏଠାରେ ସ୍ମରଣକୁ ଆସିଥାଏ। ପ୍ରାଚୀନ ଚୀନର ଏକ ଗ୍ରାମରେ କାନ୍ଧରେ ଜୁଆଳି ଦେଇ ହଳ କରୁଥିବା ଅଜା ଓ ନାତି ଯୋଡ଼ିଙ୍କୁ ଯେତେବେଳେ କନଫୁସିଅସ ଜଣାଇ ଦେଇଥିଲେ ଯେ ଏଣିକି ଚାଷ ଲାଗି ମନୁଷ୍ୟ ବଦଳରେ ଜୁଆଳିରେ ଅଶ୍ବ ଯୋଚା ଯିବା ଆରମ୍ଭ ହେଲାଣି, ବୃଦ୍ଧ କୁଆଡ଼େ କହିଥିଲେ ‘ଧୀରେ କୁହ, କାରଣ ତୁମ କଥା ମୋ ନାତିର କାନରେ ପଡ଼ିଲେ ସେ ଘୋଡ଼ା ଆଣିବାକୁ ଜିଗର କରିବ। ତୁମେ ଯାହା କହିଲଣି ସେଥିରେ ମୋ ନାତିର ସ୍ବାସ୍ଥ୍ୟ ବିଗିଡ଼ିଯିବ, ଘୋଡ଼ାର େଦହ ଭଲ ରହିବ।’ କନଫୁସିଅସ ଏହାର କି ଉତ୍ତର ଦେଇଥିଲେ ତାହା ଅଜ୍ଞାତ। କିନ୍ତୁ ଏହି କଥାର ମର୍ମ ଅବୋଧ୍ୟ ହୋଇ ନ ଥାଏ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ଏହାର ଅର୍ଥ କ’ଣ ମାନବ ଜାତି ପ୍ରଯୁକ୍ତିଶୂନ୍ୟ ପ୍ରାଚୀନତା ମଧ୍ୟକୁ ପ୍ରବେଶ କରିଯିବା ଉଚିତ? ତାହା ଅସମ୍ଭବ! କିନ୍ତୁ, ଆମ ଆରାମପ୍ରଦ ଜୀବନରୁ କିଛି ସମୟ ତ ବ୍ୟାୟାମ ଓ ଶାରୀରିକ ଶ୍ରମରେ ବିନିଯୋଗ କରାଯାଇପାରିବ! ପ୍ରାଣାୟାମ ମାଧ୍ୟମରେ ନିଷ୍ପ୍ରାଣ ଶ୍ବାସକ୍ରିୟାକୁ ତ ଚଳଚଞ୍ଚଳ କରାଯାଇ ପାରିବ! କହିବା ବାହୁଲ୍ୟ ଯେ ଆମ ସମସ୍ତଙ୍କ ଲାଗି ଲୋଡ଼ା ଗୋଟିଏ ଯୋଡ଼ା ଶକ୍ତ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ଫୁସ୍ଫୁସ୍, ଯାହା ଗୋଲାପି ବର୍ଣ୍ଣର ହୋଇଥିଲେ ଆହୁରି ଉତ୍ତମ!