ବିଶ୍ବାସ ହୋଇ ନ ଥାଏ ଯେ ଏଭଳି ସ୍ଥିତି ଉପୁଜିଛି ଏକ ସାଧାରଣ ସମୟରେ, ଯେତେବେଳେ ଯୁଦ୍ଧ ବା କୌଣସି ଆପତ୍‌କାଳୀନ ସ୍ଥିତି ନାହିଁ, ପୁଣି ତାହା ଘଟୁଛି ମୁକ୍ତ ବିଚାରକୁ ସର୍ବାଧିକ ମହତ୍ତ୍ବ ଦେଉଥିବା ରାଷ୍ଟ୍ର ଆମେରିକାରେ, କୌଣସି ପଶ୍ଚାତ୍‌ମୁଖୀ ମଧ୍ୟଯୁଗୀୟ ବିଚାର ସଂପନ୍ନ ତାଲିବାନୀ ରାଷ୍ଟ୍ରରେ ନୁହେଁ!

Advertisment

ଦୁଇ ଦିନ ତଳୁ ଯେଉଁ ଉଦ୍‌ବେଗ ମିଶ୍ରିତ ନୂତନ ଭୟ ଦ୍ବାରା ଆମେରିକାରେ ଉଚ୍ଚ ଶିକ୍ଷା ଲାଭ କରୁଥିବା ପ୍ରାୟ ୧୨ ଲକ୍ଷ ସରିକି ଭାରତୀୟ ଛାତ୍ରଛା‌ତ୍ରୀ ଜଡ଼ସଡ଼ ହୋଇଛନ୍ତି, ତାହା ହେଲା ‘ଓ.ପି.ଟି.’ ଭଳି ଏକ ବ୍ୟବସ୍ଥାକୁ ରଦ୍ଦ କରିବା ସକାଶେ ଏକ ବିଲ୍‌ ଆଗତ କରିବାର ଉଦ୍ୟମ। ପ୍ରକାଶ ଥାଉ କି ‘ଓ.ପି.ଟି.’ବା ‘ଅପସନାଲ ପ୍ରାକ୍‌ଟିକାଲ ଟ୍ରେନିଂ’ ଭଳି ଏକ ବ୍ୟବସ୍ଥା ଆମେରିକାରେ ବେଶ୍‌ ପୁରୁଣା, ଯହିଁରେ ସେଠାରେ ଉଚ୍ଚ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟା ଆଧାରରେ ସାମୟିକ ପ୍ରଶିକ୍ଷଣ ଲାଭର ସୁଯୋଗ ପାଇ ସ୍ବଳ୍ପ ଅର୍ଥ ଓ ଅଭିଜ୍ଞତା ଆହରଣ କରନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ନିୟମିତ ବୃତ୍ତିଟିଏ ଲାଭ କରିବାରେ ସେମାନଙ୍କୁ ସହାୟକ ହୋଇଥାଏ। ତେବେ, ପ୍ରକୃତ ଅର୍ଥରେ ପ୍ରଶିକ୍ଷଣ ଲାଭ କରିବା ବା ନ କରିବା ଛାତ୍ରଛାତ୍ରୀମାନଙ୍କ ସକାଶେ ପସନ୍ଦମୂଳଳ ବା ‘ଅପ୍‌ସନାଲ’ ହୋଇଥିବାରୁ, ଯାହା ଅଧିକ ମହତ୍ତ୍ବପୂର୍ଣ୍ଣ, ତାହା ହେଲା ଜଣେ ବିଦେଶୀ ଛାତ୍ର ବା ଛାତ୍ରୀ ଆମେରିକାରେ ଏକ ନିୟମିତ ବୃତ୍ତି ଲାଭ କରିବା ସକାଶେ କିଛି ସମୟର ବାତାୟନ ପାଇଯାଏ, ଯାହା ସାଧାରଣ ସ୍ନ‌ାତକଙ୍କ କ୍ଷେତ୍ରରେ ବର୍ଷଟିଏ ହେଉଥିବା ବେଳେ ‘ଷ୍ଟେମ୍‌’ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିଅରିଂ ଓ ଗଣିତ) ବିଷୟକ ସ୍ନାତକମାନଙ୍କ ସକାଶେ ଅତିରିକ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ସୁତରାଂ, ‘ଓ.ପି.ଟି.’ ବ୍ୟବସ୍ଥାର ଉଚ୍ଛେଦ ହେଲେ ଶିକ୍ଷା ସମାପ୍ତ ହେବା ମାତ୍ର‌କେ ଛାତ୍ରଛାତ୍ରୀମାନେ ଆମେରିକାରେ ରହଣିର ଅଧିକାର ହରାଇବେ, ନିଯୁକ୍ତି ଅନ୍ବେଷଣ କରିବା ଦୂରେ ଥାଉ। ଏଣେ, ଆମେରିକାରେ ନିଯୁକ୍ତି ଲାଭ ନ କଲେ ସେଠାରେ ପାଇଥିବା ଉଚ୍ଚ ଶିକ୍ଷା ମଧ୍ୟ ମୂଳ ଅଭିଳାଷ ସାଧନ କରି ନ ପାରି ଅଚଳ ମୁଦ୍ରା ତୁଲ୍ୟ ହୋଇଯାଇପାରେ। ଏଭଳି ଏକ ଜଟିଳ ସ୍ଥିତିରେ ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ପ୍ରାୟ ସମସ୍ତଙ୍କୁ ଜଣା ଯେ ଆମେରିକାର କୌଣସି କଲେଜ ବା ୟୁନିଭର୍ସିଟିରେ ଦୁଇରୁ ତିନି ବର୍ଷର ପାଠ୍ୟକ୍ରମ ସମାପ୍ତ କରିବାରେ ପ୍ରତି ଛାତ୍ର ବା ଛା‌ତ୍ରୀ ପିଛା ଖର୍ଚ୍ଚ ହୋଇଥାଏ ହାରାହାରି ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କା, ଯାହା ପ୍ରାୟତଃ ହୋଇଥାଏ ବ୍ୟାଙ୍କ ଦ୍ବାରା ପ୍ରଦତ୍ତ ଶିକ୍ଷା ଋଣ। ଭାରତୀୟ ମଧ୍ୟବିତ୍ତୀୟ ପରିବାରର ସ୍ବପ୍ନକୁ ସାକାର କରୁଥିବା ଏଭଳି ଋଣ ପରିଶୋଧର ଦାୟିତ୍ବ ସ୍ବାଭାବିକ ଭାବେ ସେହି ଛାତ୍ରଟି ଉପରେ ନ୍ୟସ୍ତ ଥାଏ, ଯିଏ ଆମେରିକାରେ ବା କୌଣସି ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରରେ ଚାକିରିଟିଏ ନ କଲେ ଋଣ ଶୁଝିବା ତା’ ପକ୍ଷରେ ଆଦୌ ସମ୍ଭବ ନୁହେଁ। ସୁତରାଂ, ସେଠାରେ ବୃତ୍ତିଟିଏ ଲାଭ କରିବା ଶିକ୍ଷା ଲାଭ କରିବା ତୁଳନାରେ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇଯାଏ। ସେହି ଦୃଷ୍ଟିରୁ ‘ଓ.ପି.ଟି.’ ବ୍ୟବସ୍ଥା ଅକାମି ହୋଇ ଆମେରିକାରେ ଚାକିରିଟିଏ ପାଇବା ଯଦି ଦୁଃସାଧ୍ୟ ହୁଏ, ତେବେ ଆମେରିକାରେ ଶିକ୍ଷା ଲାଭ କରିବା ପ୍ରତି ଆଗ୍ରହ ମଧ୍ୟ ଶୂନ୍ୟପ୍ରାୟ ହୋଇଯିବ। ପ୍ରକାଶ ଥାଉ କି ଆମେରିକାରେ ବିଦେଶାଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ (ଚୀନ ଦ୍ବିତୀୟ), ଯାହା ୨୦୨୪-୨୫ ମସିହାରେ ଥିଲା ପ୍ରାୟ ସାଢ଼େ ତିନି ଲକ୍ଷ। ସଂପ୍ରତି ପ୍ରାୟ ୧୨ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଆମେରିକାରେ ଅଧ୍ୟୟନରତ, ଯଦ୍ଦ୍ବାରା ବାର୍ଷିକ ପ୍ରାୟ ୧୦ ବିଲିଅନ ଡଲାର ବ୍ୟବସାୟ ହୋଇଥାଏ, ଯାହାର ହିତାଧିକାରୀ ହୋଇଥାଆନ୍ତି ଶିକ୍ଷାନୁଷ୍ଠାନ, ଘର ମାଲିକ(ଭଡ଼ା ଦେଇ), ଦୋକାନ ବଜାର ଏବଂ ଗମନାଗମନରେ ନିୟୋଜିତ ଗାଡ଼ିଘୋଡ଼ା ଠାରୁ ନେଇ ବିମାନ ପର୍ଯ୍ୟନ୍ତ। ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଆମେରିକାର ଶିକ୍ଷାନୁଷ୍ଠାନଗୁଡ଼ିକ ଆମେରିକୀୟ ଛାତ୍ରଛାତ୍ରୀଙ୍କ ତୁଳନ‌ାରେ ବିଦେଶାଗତ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରନ୍ତି। କେବଳ ସେତିକି ନୁହେଁ, ‘ଓ.ପି.ଟି.’ ବ୍ୟବସ୍ଥାରେ ଅସ୍ଥାୟୀ ନିଯୁକ୍ତି ଦେଇ ହେଉ ବା ନିୟମିତ ନିଯୁକ୍ତି ଜରିଆରେ ହେଉ; ଆମେରିକୀୟ କଂପାନିଗୁଡ଼ିକ ଅପେକ୍ଷାକୃତ ସ୍ବଳ୍ପ ପାରିଶ୍ରମିକରେ ଅଧିକ ଦକ୍ଷ ଓ ପ୍ରତିଭାବାନ ଭାରତୀୟ ତରୁଣ ବର୍ଗଙ୍କୁ ପାଇ ବିପୁଳ ଲାଭ ମଧ୍ୟ କରିଥାଆନ୍ତି। ସେହି ଦୃଷ୍ଟିରୁ ଏହା ମଧ୍ୟ ଏକ ବାସ୍ତବତା ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଆମେରିକା ପ୍ରତି ଆକର୍ଷଣ ହରାଇ‌େଲ, ତାହା ଆମେରିକା ଲାଗି ଆର୍ଥିକ କ୍ଷତି ଘଟାଇବ। ପରିସଂଖ୍ୟାନ ଅନୁସାରେ ଗଲା ଆଠ ମାସ ମଧ୍ୟରେ ଆମେରିକାମୁହାଁ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ପ୍ରାୟ ୨୮% ହ୍ରାସ ଘଟିଲାଣି, ଯେଉଁ ସଂଖ୍ୟା ପ୍ରାୟ ୧ ଲକ୍ଷ। ଏହା ପ୍ରକାରାନ୍ତରେ ଜର୍ମାନି, ଇଂଲାଣ୍ଡ, ଫ୍ରାନ୍‌ସ, ନିଉଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶ ସକାଶେ ଲାଭ ପ୍ରଦାୟକ ହେଉଛି। କେବଳ ଜର୍ମାନିରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୬୮% ବୃଦ୍ଧି ଘଟିଛି। ସେ ସବୁ ଦେଶରେ ଶିକ୍ଷା ସଂକ୍ରାନ୍ତ ବ୍ୟୟ ଆମେରିକାଠାରୁ କମ୍‌ ଏବଂ ଉଚ୍ଚ ବେତନଯୁକ୍ତ ନିଯୁକ୍ତି ଲାଗି ସେ ସବୁ ଦେଶର ପରିବେଶ ସାଂପ୍ରତିକ ଆମେରିକା ତୁଳନାରେ ଅଧିକ ଅନୁକୂଳ। କିନ୍ତୁ ଟ୍ରଂପଙ୍କ କଳ୍ପିତ ଆମେରିକା ଲାଗି ଟ୍ରଂପଙ୍କ ପୂର୍ବାଗ୍ରହ-ମିଶ୍ରିତ ଧାରଣାର ଅନୁଗାମୀମାନେ ଏଭଳି ସ୍ଥିତିକୁ ଭ୍ରୂକ୍ଷେପ କରି ନ ଥାଆନ୍ତି, ଯାହା ଏକ ବିଡ଼ମ୍ବନା ମଧ୍ୟ।
ଏଥିରେ ସନ୍ଦେହ ନାହିଁ ଯେ ଆମେରିକାର ଅଭୂତପୂର୍ବ ସମୃଦ୍ଧିର ପୃଷ୍ଠଭୂମିରେ ବିଦ୍ୟମାନ ଅଛି ପିଢ଼ି ପରେ ପିଢ଼ି ବହିରାଗତମାନଙ୍କ ଅବଦାନ। ବିଶାଳ ସଂଖ୍ୟକ ଦକ୍ଷ ଓ ପ୍ରତିଭାବାନ ବିଦେଶାଗତ ଯୁବବର୍ଗ ଆମେରିକାର ମାନବ ସମ୍ବଳର ଅଂଶ ହୋଇ ତାକୁ ତାରୁଣ୍ୟରେ ରଖିବା ସହିତ ଅଧିକ ଉତ୍ପାଦନଶୀଳ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାପାନ ବା ଦକ୍ଷିଣ କୋରିଆ ଭଳି ବିକଶିତ ଦେଶର ଉତ୍ପାଦନଶୀଳତା କ୍ରମେ ସଂକୁଚିତ ହୋଇ ଚାଲିଥିବାର ଏକ ବଡ଼ କାରଣ ହେଉଛି, ବହିରାଗତ ଦକ୍ଷତା ଓ ପ୍ରତିଭା ଠାରୁ ସେ ଦେଶ ଦ୍ବୟ ନିଜକୁ ନିବୁଜ ରଖିବା। ଏହି କାରଣରୁ ସେ ଦେଶ ଦ୍ବୟରେ ଉତ୍ପାଦନଶୀଳ ମାନବ ସମ୍ବଳର ହାରାହାରି ବୟସ ପ୍ରୌଢ଼ତ୍ବ ନିକଟବର୍ତ୍ତୀ ହେଲାଣି। କିନ୍ତୁ ଟ୍ରଂପ ବା ତାଙ୍କ ସହିତ ଏକମତ ହେଉଥିବା ଗୋଟିଏ ବର୍ଗର ଧାରଣା ଯେ ପ୍ରବାସୀମାନଙ୍କ ଦ୍ବାରା ଆମେରିକୀୟମାନଙ୍କ ନିଯୁକ୍ତି ଅପହୃତ ହେବାରେ ଲାଗିଛି ଏବଂ ତହିଁରେ ଭାରତୀୟମାନେ ହିଁ ପ୍ରମୁଖ ଭାବେ ଦାୟୀ। କିନ୍ତୁ ଯାହା ସେମାନେ ପାସୋରି ଯାଆନ୍ତି, ତାହା ହେଲା ଆମେରିକୀୟ ଉଦ୍ୟୋଗ ସୁଲଭ ମୂଲ୍ୟରେ ସୁଦକ୍ଷ, ସୁପ୍ରଶିକ୍ଷିତ ଓ ପ୍ରତିଭାସଂପନ୍ନ ମାନବସମ୍ବଳ କେବଳ ପ୍ରବାସୀମାନଙ୍କ ସ୍ରୋତରୁ ଲାଭ କରିଥାଏ, ଯେଉଁମାନଙ୍କ ଅଭାବ ଘଟିଲେ ସେହି ଶୂନ୍ୟ ସ୍ଥାନ ଆମେରିକୀୟମାନେ ପୂରଣ କରିବା ଅସମ୍ଭବ।
ପ୍ରକାଶ ଥାଉ କି ଇତିମଧ୍ୟରେ ଆମେରିକୀୟ କଲେଜ ବା ୟୁନିଭର୍ସିଟିରୁ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବହିଷ୍କାର (ଡିପୋର୍ଟ) କରାଯାଇସାରିଲାଣି, ଯାହା ମଧ୍ୟରେ ଷ୍ଟାନଫୋର୍ଡ, କର୍ନେଲ, ଏମ.ଆଇ.ଟି. ଭଳି ଅତି ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନର ଅଦ୍ବିତୀୟ ମେଧାବୀମାନେ ମଧ୍ୟ ଅନ୍ତର୍ଭୁକ୍ତ। ସେମାନଙ୍କ ଦୋଷ ଭିତରେ ପାଲେଷ୍ଟାଇନ ସପକ୍ଷରେ ଆନ୍ଦୋଳନରେ ଅଂଶଗ୍ରହଣ କରିବାରୁ ଆରମ୍ଭ କରି ଭୁଲ୍‌ ସ୍ଥାନରେ ଗାଡ଼ି ପାର୍କିଂ କରି ‘ଟିକେଟ୍‌’ (ଅଭିଯୋଗ ପତ୍ର) ପାଇବା ପର୍ଯ୍ୟନ୍ତ ନିହାତି ମାମୁଲି ନିୟମ ବହିର୍ଭୂତ କାର୍ଯ୍ୟକୁ ମଧ୍ୟ ଗଣତି କରାଯାଇଛି। ପୁଣି, ଯାହା ଅଧିକ ମାରାତ୍ମକ, ତାହା ହେଲା, ସେମାନେ ଦେଶରୁ ବହିଷ୍କୃତ ହୋଇ ସାରିଥିବା ଭଳି ଘଟଣା କେତେକ ସ୍ଥଳରେ ସେମାନେ ପଢୁଥିବା ଶିକ୍ଷାନୁଷ୍ଠାନର ଅଗୋଚରରେ ମଧ୍ୟ ଘଟିଛି। ଏଭଳି ସ୍ଥଳେ ଶିକ୍ଷାନୁଷ୍ଠାନଗୁଡ଼ିକ ନିରୁପାୟ ହୋଇ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ଅନୁରୋଧମୂଳକ ପରାମର୍ଶମାନ ଦେଉଛନ୍ତି, ତାହା ହେଲା ଭିସା ଓ ପାସପୋର୍ଟ ଇତ୍ୟାଦି ସାଙ୍ଗରେ ରଖିବା, ଆମେରିକା ବାହାରକୁ ନ ଯିବା, କୌଣସି ନିୟମ ବହିର୍ଭୂତ କାର୍ଯ୍ୟ ଆଦୌ ନ କରିବା, ସାମାଜିକ ଗଣମାଧ୍ୟମରେ ଆମେରିକା ପ୍ରତିକୂଳ ମତ ବା ମନ୍ତବ୍ୟ ଆଦୌ ନ ଦେବା ଇତ୍ୟାଦି। ଏହି କାରଣରୁ ସେଠାରେ ରହୁଥିବା ଅନେକ ଭାରତୀୟ ଛାତ୍ରଛାତ୍ରୀ ଗ୍ରୀଷ୍ମକାଳୀନ ଅବକାଶରେ ସ୍ବଦେଶ ଯାତ୍ରାର ଯୋଜନା ରଦ୍ଦ କଲେଣି। ବିଶ୍ବାସ ହୋଇ ନ ଥାଏ ଯେ ଏଭଳି ସ୍ଥିତି ଉପୁଜିଛି ଏକ ସାଧାରଣ ସମୟରେ, ଯେତେବେଳେ ଯୁଦ୍ଧ ବା କୌଣସି ଆପତ୍‌କାଳୀନ ସ୍ଥିତି ନାହିଁ, ପୁଣି ତାହା ଘଟୁଛି ମୁକ୍ତ ବିଚାରକୁ ସର୍ବାଧିକ ମହତ୍ତ୍ବ ଦେଉଥିବା ରାଷ୍ଟ୍ର ଆମେରିକାରେ, କୌଣସି ପଶ୍ଚାତ୍‌ମୁଖୀ ମଧ୍ୟଯୁଗୀୟ ବିଚାର ସଂପନ୍ନ ତାଲିବାନୀ ରାଷ୍ଟ୍ରରେ ନୁହେଁ! ଏହା ହିଁ ବିଡ଼ମ୍ବନା।