ଜିମ୍ବାର୍ଡୋ ଏହାଦ୍ବାରା ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ମନୁଷ୍ୟର ମୌଳିକ ଚରିତ୍ର ଅନୁସାରେ େଯ କୌଣସି ଲୋକକୁ ଯଦି ଏକ ପଦ, ଏକ ୟୁନିଫର୍ମ ଓ ନିରଙ୍କୁଶ କ୍ଷମତା ପ୍ରଦାନ କରାଯାଏ, ତା’ର ଆଚରଣ ନାତ୍ସି କନ୍ସେଣ୍ଟ୍ରେସନ୍ କ୍ୟାମ୍ପର ନିର୍ମମ ଗାର୍ଡମାନଙ୍କ ଭଳି ହୋଇଯିବ। ଏହାକୁ ପ୍ରତିହତ କରିବାର ଏକମାତ୍ର ଉପାୟ ହେଉଛି କ୍ଷମତାରେ ଅଙ୍କୁଶ ଲଗାଇବା।
ବର୍ତ୍ତମାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଭୁବନେଶ୍ବରର ଭରତପୁର ଥାନାରେ ଜଣେ ସେନାବାହିନୀ ଅଫିସର୍ ଓ ତାଙ୍କ ବାନ୍ଧବୀ ସମ୍ମୁଖୀନ ହୋଇଥିବା ପୁଲିସ ଦ୍ବାରା ନିର୍ଯାତନାର ଅଭିଯୋଗ (‘ବିବିସି’ର ୱେବ୍ସାଇଟ୍ରେ ଏ ଘଟଣାର ଏକ ଲୋମହର୍ଷଣକାରୀ ବର୍ଣ୍ଣନା ପ୍ରସାରିତ ହୋଇଛି) ପଛରେ ନିହିତ ଥିବା କାରଣ ବୁଝିବା ପାଇଁ ବର୍ତ୍ତମାନ ଏକ ଉପଯୋଗୀ ଖିଅ ଜନସାଧାରଣଙ୍କ ସମ୍ମୁଖରେ ଉପଲବ୍ଧ ହୋଇଛି। ଏହି ଖିଅଟି ହେଉଛି ଗତ ଶୁକ୍ରବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ସେମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ବର୍ଣ୍ଣନା କରିଥିବା ଏକ ପୁଲିସ ଥାନାରେ ତାଙ୍କ ନିଜର ଏକ ଅପେକ୍ଷାକୃତ ତାଜା ଅନୁଭୂତି।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କର ଏହି ବର୍ଣ୍ଣନା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ରୂପେ ଆସୀନ ହେବାର ମାତ୍ର ପ୍ରାୟ ମାସକ ପୂର୍ବେ ସେ ପିଇବା ପାଣି ଅଭାବ ବିରୁଦ୍ଧରେ ଆନ୍ଦୋଳନର ଅଂଶ ସ୍ବରୂପ ଘଟିଥିବା ରାସ୍ତା ଅବରୋଧର ସମାଧାନ ନିମିତ୍ତ ସ୍ଥାନୀୟ ଥାନାରେ ପହଞ୍ଚିଥିଲେ। ସେତେବେଳେ ସେ ଜଣେ ବିଧାୟକ ଥିବା ସହିତ ଆସନ୍ନ ବିଧାନସଭା ନିର୍ବାଚନରେ ମଧ୍ୟ ଜଣେ ପ୍ରାର୍ଥୀ ଥିଲେ। ଥାନାବାବୁ ଜଣକ କିନ୍ତୁ ଏଥି ସତ୍ତ୍ବେ ଶ୍ରୀଯୁକ୍ତ ମାଝୀଙ୍କୁ ଥାନା ପରିସରରୁ ବାହାରି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିର୍ଦ୍ଦେଶ ପାଳନ ନ କଲେ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ। ଥାନାବାବୁଙ୍କର ଏତାଦୃଶ ଆଚରଣ ବିରୋଧରେ ପ୍ରତିବାଦ ସ୍ବରୂପ ବିଧାୟକ ଶ୍ରୀଯୁକ୍ତ ମାଝୀ ଥାନା ବାହାରେ ଧାରଣାରେ ବସିଥିଲେ। ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇ ସେନାବାହିନୀ ଅଫିସର୍ ଓ ତାଙ୍କର ବାନ୍ଧବୀ ପୁଲିସ ତରଫରୁ ଯେଉଁଭଳି ଆଚରଣର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି, ତାହା ଯେ ବିଧାୟକ ମାଝୀଙ୍କର ସେଇ ଅନୁଭୂତିର ଏକ ତୀବ୍ରତର ସଂସ୍କରଣ, ଏହା ଜଳଜଳ ହୋଇ ଦେଖାଯାଇଥାଏ।
ଏ ଉଭୟ ଘଟଣାରେ କାରଣର ଯେଉଁ ସମାନ ଖିଅଟି ସ୍ପଷ୍ଟ ହୋଇ ଦେଖାଯାଇଥାଏ, ତାହା ହେଉଛି ପୁଲିସର ଆଚରଣ ସଂସ୍କୃତି। ଦୀର୍ଘ ପ୍ରାୟ ଚଉଠ ଶତାବ୍ଦୀ ଧରି ପରିପୁଷ୍ଟ ହୋଇଥିବା ଏହି ସଂସ୍କୃତି ଶ୍ରୀଯୁକ୍ତ ମାଝୀଙ୍କର ମାତ୍ର ପ୍ରାୟ ତିନି ମାସର ଶାସନ କାଳରେ ବଦଳିଯିବା ସମ୍ଭବ ନୁହେଁ। ବିଧାୟକ ମାଝୀ ଯେଉଁ ସଂସ୍କୃତିର ଶିକାର ହୋଇଥିଲେ, ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ସେଇ ସଂସ୍କୃତିର ହିଁ ଶିକାର ହୋଇଛନ୍ତି। ଏହି ସଂସ୍କୃତିଟି କ’ଣ? ଏହି ସଂସ୍କୃତି ହେଲା କ୍ଷମତାର ପୋଷାକ ବା ୟୁନିଫର୍ମ ପରିଧାନ କଲେ ସଂପୃକ୍ତ ବ୍ୟକ୍ତି କ୍ଷମତାନ୍ଧ ହୋଇ ମାନବିକତା ହରାଇଥାନ୍ତି।
ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ଏହି ସମ୍ବାଦପତ୍ରରେ ପ୍ରକାଶିତ ‘ରୁଗ୍ଣ ମାନସିକତା’ ଶୀର୍ଷକ ରଚନାରେ ବର୍ଣ୍ଣିତ ସ୍ତମ୍ଭକାରଙ୍କର ଏକ ଅନୁଭୂତି ଏଠାରେ ଉଲ୍ଲେଖଯୋଗ୍ୟ। ସେଥିରେ ସେ ଅନେକ ବର୍ଷ ତଳେ କାଶୀପୁରର ବିବାଦୀୟ ଆଲୁମିନିଅମ୍ କାରଖାନା ସଂପର୍କରେ ରିପୋଟିଙ୍ଗ୍ କରିବାକୁ ତାଙ୍କର ଜଣେ ମହିଳା ସହକର୍ମୀଙ୍କ ସହିତ ଯାଇଥିବା ବେଳେ ସଂପୃକ୍ତ କଂପାନି ଦ୍ବାରା ନିୟୋଜିତ କେତେକ ଅସାମାଜିକ ଯୁବକମାନଙ୍କ ହାବୁଡ଼ରେ ପଡ଼ିଥିବା ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ସେ ଯୁବକମାନଙ୍କର ମୁକାବିଲା କରିବା ପୂର୍ବରୁ, ତାଙ୍କର ସେଇ ମହିଳା ସହକର୍ମୀଙ୍କର ପ୍ରଶ୍ନବାଣରେ ଘାଇଲା ହୋଇ ସେ ଅସାମାଜିକ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ଏଠାରେ ସ୍ତମ୍ଭକାରଙ୍କର ସେଇ ଅନୁଭୂତି ଉଲ୍ଲେଖ କରିବାର କାରଣ ହେଲା, ସେ ଓ ତାଙ୍କର ସେ ମହିଳା ସହକର୍ମୀ ସେଦିନ ଭାଗ୍ୟବାନ ଥିଲେ ଯେ ସେଠାରେ ସେମାନଙ୍କର ସେ ପ୍ରତିପକ୍ଷ ପୁଲିସର ୟୁନିଫର୍ମ ପିନ୍ଧି ନ ଥିଲେ ଏବଂ ସେମାନେ କୌଣସି ଔପଚାରିକ ବଳ ପ୍ରୟୋଗକାରୀ କ୍ଷମତାର ଅଧିକାରୀ ନ ଥିଲେ। ଅନ୍ୟ ଉପରେ ବଳ ପ୍ରୟୋଗ କରିବାର ଔପଚାରିକ କ୍ଷମତା ଉପଭୋଗ କରୁଥିବା ପ୍ରତିପକ୍ଷକୁ ଯେ ପ୍ରଶ୍ନବାଣରେ ଘାଇଲା କରିବା ସହଜ ନୁହେଁ, ତାହା ଭରତପୁର ଥାନା ଘଟଣାରେ ପ୍ରମାଣିତ ହୋଇଛି।
ଏଭଳି କ୍ଷମତା କିଭଳି ସାଧାରଣ ମନୁଷ୍ୟକୁ ରାକ୍ଷସରେ ପରିଣତ କରିଦେଇପାରେ, ତା’ର ଚରମ ଉଦାହରଣ ଦେଖିବାକୁ ମିଳିଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍ଲର୍ଙ୍କ ଦ୍ବାରା ସୃଷ୍ଟ ଇହୁଦୀମାନଙ୍କର ଗଣହତ୍ୟା ପାଇଁ ଉଦ୍ଦିଷ୍ଟ ନାତ୍ସି କନ୍ସେଣ୍ଟ୍ରେସନ୍ କ୍ୟାମ୍ପମାନଙ୍କରେ। ଏହି କ୍ୟାମ୍ପମାନଙ୍କରେ ମୃତ୍ୟୁକୁ ଅପେକ୍ଷା କରିଥିବା ବନ୍ଦୀମାନଙ୍କୁ ଜଗିବା ଦାୟିତ୍ବ ନ୍ୟସ୍ତ ଥିଲା ହିଟ୍ଲରଙ୍କର କୁଖ୍ୟାତ ‘ଏସ୍ଏସ୍’ ଗାର୍ଡମାନଙ୍କ ଉପରେ। କ୍ୟାମ୍ପ କର୍ତ୍ତୃପକ୍ଷ କିନ୍ତୁ ସେମାନଙ୍କର ଲୋକବଳ ଉପରେ ବୋଝ ହାଲୁକା କରିବା ପାଇଁ ଏକ ଚତୁର କୌଶଳ ଅବଲମ୍ବନ କରିଥିଲେ। ସେମାନେ ସେଇ ଇହୁଦୀ ବନ୍ଦୀମାନଙ୍କ ମଧ୍ୟରୁ କେତେକଙ୍କୁ ଚୟନ କରି ଅନ୍ୟ ବନ୍ଦୀମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ସେମାନଙ୍କୁ ପ୍ରଦାନ କଲେ। ଦେଖାଗଲା ଏହି ସ୍ବଜାତି ଜଗୁଆଳିମାନେ ବନ୍ଦୀମାନଙ୍କ ପ୍ରତି ଯେଉଁ ଆଚରଣ ପ୍ରଦର୍ଶନ କଲେ, ତାହା ନାତ୍ସି ଗାର୍ଡମାନେ ପ୍ରଦର୍ଶନ କରୁଥିବା ଆଚରଣ ଠାରୁ ବହୁଗୁଣ ଅଧିକ ନିଷ୍ଠୁର ଓ ବର୍ବର ଥିଲା। ସୂଚାଇବା ଅପ୍ରାସଙ୍ଗିକ ହେବ ନାହିଁ ଯେ ‘କାପୋ’ ନାମରେ ପରିଚିତ ଏହି ଇହୁଦୀ ଗାର୍ଡମାନେ ଉପଭୋଗ କରୁଥିବା ଏହି ବିଶେଷ କ୍ଷମତାର ପରିଚାୟକ ଥିଲା ସେମାନଙ୍କର ପୋଷାକରେ ଲାଗିଥିବା ଏକ ସବୁଜ ତ୍ରିଭୁଜର ଚିହ୍ନ- କ୍ଷମତାର ୟୁନିଫର୍ମ।
ନାତ୍ସି କନ୍ସେଣ୍ଟ୍ରାସନ୍ କ୍ୟାମ୍ପରେ ପରିଦୃଷ୍ଟି ଏହି ଅମାନୁଷିକ ବର୍ବରତା ବିଶ୍ବଯୁଦ୍ଧ ପରେ ମନସ୍ତତ୍ତ୍ବବିତ୍ମାନଙ୍କୁ ଏପରି ଆନ୍ଦୋଳିତ କରିଥିଲା ଯେ ସେମାନେ ମନୁଷ୍ୟ ଚରିତ୍ରର ଏହି ରହସ୍ୟମୟ ଦିଗ ଉପରେ ବିଭିନ୍ନ ପରୀକ୍ଷାନିରୀକ୍ଷା ଚଳାଇ ଏହି ରହସ୍ୟର ଉନ୍ମୋଚନ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଦେଖିବାକୁ ଚାହିଁଥିଲେ ଏକ ନିୟନ୍ତ୍ରିତ ପରିବେଶରେ ଜଣେ ସାଧାରଣ ବ୍ୟକ୍ତିକୁ ଯଦି ଏକ ପଦ, ଏକ ୟୁନିଫର୍ମ ଓ ଅବାଧ କ୍ଷମତା ପ୍ରଦାନ କରାଯାଏ, ତା’ର ଚରିତ୍ର ଓ ଆଚରଣରେ କିଭଳି ପରିବର୍ତ୍ତନ ଘଟିବ। ବୋଧହୁଏ ଏହିଭଳି ଏକ ସର୍ବାଧିକ ପ୍ରସିଦ୍ଧ ପରୀକ୍ଷା ଆୟୋଜିତ ହୋଇଥିଲା ୧୯୭୧ରେ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ମନୋବୈଜ୍ଞାନିକ ଫିଲିପ୍ ଜିମ୍ବାର୍ଡୋଙ୍କ ଦ୍ବାରା।
ଏହି ପରୀକ୍ଷାରେ ଜିମ୍ବାର୍ଡୋ ୭୫ ଜଣ ପ୍ରାପ୍ତବୟସ୍କ ପୁରୁଷଙ୍କୁ ଦୁଇଟି ଦଳରେ ବିଭକ୍ତ କରି ସେମାନଙ୍କୁ ଏକ ନକଲି ବନ୍ଦୀଶାଳା ଭଳି ପରିବେଶରେ ଅଟକାଇ ରଖିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ ନକଲି ଗାର୍ଡର ଭୂମିକା ପ୍ରଦାନ କରାଗଲା ଓ ବାକିମାନଙ୍କୁ ବନ୍ଦୀର ଭୂମିକା ପ୍ରଦାନ କରାଗଲା। ଏହି ପରୀକ୍ଷା ଦୁଇ ସପ୍ତାହ ଧରି ଚଳାଇବା ପାଇଁ ଜିମ୍ବାର୍ଡୋ ଯୋଜନା କରିଥିଲେ, କିନ୍ତୁ ମାତ୍ର ଛ’ଦିନ ପରେ ସେ ପରୀକ୍ଷା ବନ୍ଦ କରିବାକୁ ବାଧ୍ୟ ହେଲେ। ଏହାର କାରଣ, ତଥାକଥିତ ଗାର୍ଡମାନେ ତଥାକଥିତ ବନ୍ଦୀମାନଙ୍କ ପ୍ରତି ଏପରି ଅମାନୁଷିକ ଆଚରଣ ପ୍ରଦର୍ଶନ କରିବାକୁ ଆରମ୍ଭ କଲେ, ଯାହା କ୍ରମେ ବିପଜ୍ଜନକ ହୋଇ ଉଠିଲା। ଜିମ୍ବାର୍ଡୋ ଏହାଦ୍ବାରା ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ମନୁଷ୍ୟର ମୌଳିକ ଚରିତ୍ର ଅନୁସାରେ େଯ କୌଣସି ଲୋକକୁ ଯଦି ଏକ ପଦ, ଏକ ୟୁନିଫର୍ମ ଓ ନିରଙ୍କୁଶ କ୍ଷମତା ପ୍ରଦାନ କରାଯାଏ, ତା’ର ଆଚରଣ ନାତ୍ସି କନ୍ସେଣ୍ଟ୍ରେସନ୍ କ୍ୟାମ୍ପର ନିର୍ମମ ଗାର୍ଡମାନଙ୍କ ଭଳି ହୋଇଯିବ। ଏହାକୁ ପ୍ରତିହତ କରିବାର ଏକମାତ୍ର ଉପାୟ ହେଉଛି କ୍ଷମତାରେ ଅଙ୍କୁଶ ଲଗାଇବା। ଆଶା କରାଯାଏ ମୁଖ୍ୟମନ୍ତ୍ରୀ ନିଜ ଅନୁଭୂତିରୁ ଏହା ଶିକ୍ଷା କରିଥିବେ ଓ ଆଗାମୀ ଦିନରେ ତାହା କାର୍ଯ୍ୟକାରୀ କରିବେ।