ଟଙ୍କାର ଆଦର୍ଶ ବିନିମୟ ମୂଲ୍ୟ ନିର୍ଣ୍ଣୟ କରିବା ଏବଂ ତାହା ହାସଲ କରିବା ହେଉଛି ଏକ ଅତ୍ୟନ୍ତ ଜଟିଳ ପ୍ରଶ୍ନ ଯାହାର ସିଧାସଳଖ ଉତ୍ତର ମିଳିବା ସମ୍ଭବ ନୁହେଁ। ଏଣୁ ବର୍ତ୍ତମାନ ଯାହା ହେଉଛି ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ, ତାହା ହେଲା ରିଜର୍ଭ ବ୍ୟାଙ୍କ୍ ସୂତ୍ରରୁ ସରକାରଙ୍କୁ ଉପଲବ୍‌ଧ ହେବାକୁ ଯାଉଥିବା‌ ଏକ ବିଶାଳ ଅତିରିକ୍ତ ଆୟ। ଏହା ୨୦୨୫-୨୬ରେ ସରକାର ‌ରାଜକୋଷ ନିଅଣ୍ଟକୁ ‘ଜିଡିପି’ର ନିର୍ଦ୍ଧାରିତ ୪.୪ ଶତାଂଶ ଅନୁପାତ ମଧ୍ୟରେ ସୀମିତ ରଖିବାରେ ସହାୟକ ହୋଇ ଭାରତୀୟ ଅର୍ଥନୀତିରେ ଶୃଙ୍ଖଳା ରକ୍ଷା କରିବ।

Advertisment

ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି। ଏହି ହାତୀ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍, ଆଉ ଇଏ ଯେଉଁ ସୁନା କଳସ ଅଜାଡ଼ିଛି, ତାହାର ମୂଲ୍ୟ ହେଉଛି ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା। ସିଧାସଳଖ ଭାବରେ କହିଲେ ଏହି ପରିମାଣ ହେଉଛି ରିଜର୍ଭ ବ୍ୟାଙ୍କ୍ କେନ୍ଦ୍ର ସରକାରଙ୍କ ତହବିଲ୍‌କୁ ହସ୍ତାନ୍ତରିତ କରିବା ଘୋଷଣା କରିଥିବା ବାର୍ଷିକ ଲାଭାଂଶ ବା ଡିଭିଡେଣ୍ଡ୍। ତେବେ ଏହାକୁ ଡିଭିଡେଣ୍ଡ୍ ବୋଲି କୁହାଯାଉଥିଲେ ହେଁ, ବ୍ୟାବସାୟିକ ସଂସ୍ଥାମାନେ ଡିଭିଡେଣ୍ଡ୍ ପ୍ରଦାନ କରିଥାନ୍ତି ଓ ରିଜର୍ଭ ବ୍ୟାଙ୍କ୍ ଏକ ବ୍ୟାବସାୟିକ ସଂସ୍ଥା ହୋଇ ନ ଥିବାରୁ ଏହି ଶବ୍ଦ ବ୍ୟବହାର ଏଠାରେ ବେଖାପ ମନେ ହୋଇପାରେ। ବାସ୍ତବରେ ରିଜର୍ଭ ବ୍ୟାଙ୍କ୍ ସରକାରଙ୍କୁ ପ୍ରଦାନ କରିଥିବା ଏହି ରାଶି ହେଉଛି ରିଜର୍ଭ ବ୍ୟାଙ୍କ୍ ନିଜର ବ୍ୟୟ ଭରଣା କରିବା ପରେ ତା’ ନିକଟରେ ଉପଲବ୍‌ଧ ଉଦ୍‌ବୃତ୍ତ ଆୟ।
ବର୍ତ୍ତମାନ ନିର୍ମଳା ସୀତାରମଣଙ୍କ ପାଇଁ ଏହାଠାରୁ ବଳି ଉପଯୋଗୀ ଉପହାର ଆଉ କିଛି ନ ହୋଇପାରେ, କାରଣ ଏହି ବିଶାଳ ଅତିରିକ୍ତ ଆୟ ତାଙ୍କର କଠିନ ବଜେଟ୍ ପରିଚାଳନାକୁ ବେଶ୍ ସୁଗମ କରିବ। ଏବଂ ତାଙ୍କୁ ଯାହା ବିଶେଷ ରୂପେ ହୃଷ୍ଟ କରୁଥିବ, ତାହା ହେଲା, ସେ ଗତ ବର୍ଷ ରିଜର୍ଭ ବ୍ୟାଙ୍କ୍‌ ଠାରୁ ପାଇଥିବା ଡିଭିଡେଣ୍ଡ୍ ପରିମାଣ ଠାରୁ ଏହା ହେଉଛି ୨୭ ଶତାଂଶ ଅଧିକ। କେବଳ ସେତିକି ନୁହେଁ, ରିଜର୍ଭ ବ୍ୟାଙ୍କ୍‌ର ସେଣ୍ଟ୍ରାଲ୍ ବୋର୍ଡ ଅନୁମୋଦନ କରିଥିବା ସଂଶୋଧିତ ‘ଇକନୋମିକ୍ କ୍ୟାପିଟାଲ୍ ଫ୍ରେମ୍‌ୱର୍କ’ (‘ଇସିଏଫ୍’) ଅନୁସାରେ ବର୍ଦ୍ଧିତ ‘କଣ୍ଟିନ୍‌ଜେନ୍‌ସି ରିସ୍କ ବଫର୍’ (‘ସିଆର୍‌ବି’) ପାଇଁ ଆବଶ୍ୟକ ସମ୍ବଳ ବ୍ୟବସ୍ଥା କରିବା ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ସରକାରଙ୍କୁ ଏହି ବର୍ଦ୍ଧିତ ଡିଭିଡେଣ୍ଡ୍ ହସ୍ତାନ୍ତର କରିବାକୁ ସକ୍ଷମ ହୋଇଛି।
ଉଲ୍ଲେଖ ପ୍ରୟୋଜନ ଯେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ବିମଳ ଜାଲାନ୍‌ଙ୍କ ନେତୃତ୍ବରେ ପ୍ରାୟ ପାଞ୍ଚ ବର୍ଷ ତଳେ ଏକ ପ୍ୟାନେଲ୍ ‘ସିଆର୍‌ବି’କୁ ରିଜର୍ଭ ବ୍ୟାଙ୍କ୍‌ର ବାଲାନ୍‌ସ ସିଟ୍‌ର ୫.୫-୬.୫ ଶତାଂଶ ମଧ୍ୟରେ ସ୍ଥିର କରିଥିବାବେଳେ ଏବେ ରିଜର୍ଭ ବ୍ୟାଙ୍କ୍‌ର ସେଣ୍ଟ୍ରାଲ୍ ବୋର୍ଡ ତାହାକୁ ୪.୫-୭.୫ ଶତାଂଶକୁ ସଂପ୍ରସାରିତ କରିଛି। ସେଣ୍ଟ୍ରାଲ୍ ବୋର୍ଡର ଏହି ନିଷ୍ପତ୍ତି ନିଶ୍ଚିତ ରୂପେ ହେଉଛି ଏକ ବିଚାରବନ୍ତ ନିଷ୍ପତ୍ତି। କାରଣ ଅପ୍ରତ୍ୟାଶିତ ବିପଦ ଆପଦର ମୁକାବିଲା ଉଦ୍ଦେଶ୍ୟରେ ‘ସିଆର୍‌ବି’ର ପରିକଳ୍ପନା କରାଯାଇଛି। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ଭାରତୀୟ ଅର୍ଥନୀତି ଯେତେବେଳେ ଏକ ମାନ୍ଦା ଅବସ୍ଥା ଦେଇ ଗତି କରୁଥିଲା, ସେଇ ସମୟରେ ଅର୍ଥନୀତିକୁ ସହାୟତା ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ‘ସିଆର୍‌ବି’କୁ ତା’ର ନିମ୍ନ ସୀମା ୫ ଶତାଂଶରେ ରଖିଥିଲା। ୨୦୨୨-୨୩ରେ ରିଜର୍ଭ ବ୍ୟାଙ୍କ୍‌ ଏହାକୁ ଉନ୍ନୀତ କରି ୬ ଶତାଂଶ କରିଥିଲା ଏବଂ ୨୦୨୩-୨୪ରେ ଏଥିରେ ଆହୁରି ବୃଦ୍ଧି ଘଟାଇ ତାହାକୁ ୬.୫ ଶତାଂଶ କରିଥିଲା। ବର୍ତ୍ତମାନ ଦେଶ‌ର ସାମଗ୍ରିକ ଅର୍ଥନୈତିକ ପରିସ୍ଥିତି ଏବଂ ରିଜର୍ଭ ବ୍ୟାଙ୍କ୍‌ର ବାଲାନ୍‌ସ ସିଟ୍‌କୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣମାନଙ୍କୁ ବିଚାରକୁ ନେଇ ସେଣ୍ଟ୍ରାଲ୍ ବୋର୍ଡ ୨୦୨୪-୨୫ ପାଇଁ ‘ସିଆର୍‌ବି’କୁ ଏକ ଉଚ୍ଚତର ୭.୫ ଶତାଂଶରେ ରଖିବା ଉଚିତ ମନେ କରିଛି।
କେତେକ ଏହାକୁ ରିଜର୍ଭ ବ୍ୟାଙ୍କ୍‌ର ଏକ ଅତିରିକ୍ତ ରକ୍ଷଣଶୀଳ ଓ ହୁସିଆର ମନୋଭାବର ପରିପ୍ରକାଶ ରୂ‌େପ ବିଚାର କରିପାରନ୍ତି; କିନ୍ତୁ ବର୍ତ୍ତମାନର ଅସ୍ଥିର ପୃଥିବୀରେ ଏକ ଅର୍ଥନୀତି ଯେଉଁଭଳି ଅପ୍ରତ୍ୟାଶିତ ଧକ୍‌କାମାନଙ୍କର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଇଛି, ରିଜର୍ଭ ବ୍ୟାଙ୍କ୍ ଭାରତୀୟ ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ଯେତେ ଅଧିକ ସାବଧାନତା ଅବଲମ୍ବନ କଲେ ମଧ୍ୟ ତାହା ଯଥେଷ୍ଟ ନ ହୋଇପାରେ। ରିଜର୍ଭ ବ୍ୟାଙ୍କ୍ ତେଣୁ ସେ ଦୃଷ୍ଟିରୁ ଏକ ଉଚ୍ଚ ‘ସିଆର୍‌ବି’ ଅନୁପାତ ଅନୁସରଣ କରିବାକୁ ଏକ ଦାୟିତ୍ବବାନ ଆଚରଣ ରୂପେ ବିଚାର କରାଯାଇପାରେ। ଏହା ସମ୍ଭାବ୍ୟ ଆର୍ଥିକ ଓ ବିତ୍ତୀୟ ଅସ୍ଥିରତାଜନିତ ବିପଦ, ଋଣଜନିତ ବିପଦ ଓ ନିୟମିତ କାର୍ଯ୍ୟ ସଂପାଦନଜନିତ ବିପଦର ମୁକାବିଲା ପାଇଁ ଏକ ସୁରକ୍ଷା କବଚ ରୂପେ କାର୍ଯ୍ୟ କରିଥାଏ।
ବିଗତ କେତେ ମାସ ଧରି ଆନ୍ତର୍ଜାତିକ ମୁଦ୍ରା ବଜାର ଓ ବଣ୍ଡ୍ ବଜାରରେ ଯେଉଁଭଳି ଅସ୍ଥିରତା ଦେଖିବାକୁ ମିଳିଛି, ଆଗାମୀ ସମୟରେ ସେଥିରେ ବିଶେଷ ଉନ୍ନତି ଘଟିବାର ବିଶେଷ ସମ୍ଭାବନା ଦେଖାଯାଉ ନାହିଁ। ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେଉଁଭଳି ପ୍ରାୟ ଦୈନନ୍ଦିନ ଭିତ୍ତିରେ ତାଙ୍କର ଟାରିଫ୍ ଘୋଷଣାରେ ପରିବର୍ତ୍ତନ ଘଟାଇ ଚାଲିଛନ୍ତି, ତାହା ନିଶ୍ଚିତ ରୂପେ ନିକଟ ଭବିଷ୍ୟତରେ ଆନ୍ତର୍ଜାତିକ ଅର୍ଥନୀତିକୁ ଏଇଭଳି ଅସ୍ଥିର କରିଚାଲିବ। ଏଭଳି ଏକ ପରିସ୍ଥିତି ରିଜର୍ଭ ବ୍ୟାଙ୍କ୍ ଉପରେ ଯେଉଁ ଦୁଇଟି ଗୁରୁଦାୟିତ୍ବ ଲଦି ଦେଇଥାଏ, ତାହା ହେଲା ସୁଧ ହାର ଓ ଟଙ୍କାର ଅାନ୍ତର୍ଜାତିକ ବିନିମୟ ହାରକୁ ଏପରି ନିୟନ୍ତ୍ରଣ କରିବା, ଯେପରି ଅନ୍ୟ ଦେଶମାନଙ୍କ ସହିତ ପ୍ରତିଯୋଗିତା କରିବାରେ ସେମାନେ ଭାରତ ପାଇଁ ଅସୁବିଧା ସୃଷ୍ଟି ନ କରନ୍ତି।
ବାସ୍ତବରେ ରିଜର୍ଭ ବ୍ୟାଙ୍କ୍ ଏବେ ଯେଉଁ ବିପୁଳ ଆୟ ଅର୍ଜନ କରିଛି ତାହା ସେ ମୁଖ୍ୟତଃ ଟଙ୍କାର ବିନିମୟ ମୂଲ୍ୟକୁ ସୁରକ୍ଷିତ ରଖିବା ନିମିତ୍ତ କରିଥିବା ଡଲାର୍‌ ବିକ୍ରୟ ସୂତ୍ରରୁ ଅର୍ଜନ କରିଛି। ଯେହେତୁ ପୂର୍ବରୁ ନୀଚା ମୂଲ୍ୟରେ କ୍ରୟ କରାଯାଇଥିବା ଡଲାର୍‌କୁ ରିଜର୍ଭ ବ୍ୟାଙ୍କ୍ ତା’ଠାରୁ ଉଚ୍ଚତର ମୂଲ୍ୟରେ ବିକ୍ରୟ କଲା, ପ୍ରତି ଡଲାର୍ ପାଇଁ ସେ ପ୍ରାୟ ୬.୫ ଟଙ୍କା ଲେଖାଏଁ ଲାଭ କରିଛି। ରିଜର୍ଭ ବ୍ୟାଙ୍କ ଏହି ସୂତ୍ରରୁ ୨୦୨୪-୨୫ ବିତ୍ତ ବର୍ଷରେ ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା ଲାଭ କରିଥିବା ପ୍ରକାଶ ପାଇଛି, ଯାହା ହେଉଛି ଏହାର ପୂର୍ବ ବିତ୍ତ ବର୍ଷରେ ଅର୍ଜନ କରିଥିବା ୧.୨ ଲକ୍ଷ କୋଟି ଟଙ୍କା ଲାଭର ଦୁଇ ଗୁଣରୁ ଅଧିକ। ଏକ ଦ୍ରୁତ ହିସାବ ଅନୁସାରେ ସୀତାରମଣ ତାଙ୍କ ବଜେଟ୍‌ରେ ଏ ବାବଦରେ ‌େଯତିକି ଆୟ ଅର୍ଜନ କରିବେ ବୋଲି ଅନୁମାନ କରିଥିଲେ, ବର୍ତ୍ତମାନ ସେ ରିଜର୍ଭ ବ୍ୟାଙ୍କ୍ ଠାରୁ ତା’ ଅପେକ୍ଷା ୫୦,୦୦୦ କୋଟି ଟଙ୍କା ଅଧିକ ପାଇବାକୁ ଯାଉଛନ୍ତି। ଯଦି ସେ ବଜେଟ୍‌ରେ ଟିକସ ଓ ଅଣ-ଟିକସ ସୂତ୍ରରୁ ‌େଯତିକି ସମ୍ବଳ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ସ୍ଥାପନ କରିଛନ୍ତି, ତାହା ପୂରଣ ନ ହୁଏ, ତେବେ ରିଜର୍ଭ ବ୍ୟାଙ୍କ୍‌ର ଏହି ଅପ୍ରତ୍ୟାଶିତ ବଦାନ୍ୟତା ସେଇ ଶୂନ୍ୟସ୍ଥାନ ପୂରଣ କରିବାରେ ସହାୟକ ହେବ।
ତେବେ ରିଜର୍ଭ ବ୍ୟାଙ୍କ୍ ଯେଉଁ ସୂତ୍ରରୁ ଏହି ବିପୁଳ ଲାଭ ଅର୍ଜନ କରି ସରକାରଙ୍କ ତହବିଲ୍‌କୁ ପରିପୁଷ୍ଟ କରିଛି, ତାହା ସଂପୂର୍ଣ୍ଣ ରୂପେ ସମସ୍ୟାମୁକ୍ତ ନୁହେଁ। ଡଲାର୍ ସହିତ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନ ଘଟିବାକୁ ନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍ ନିଜ ପାଖରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରା ଭଣ୍ଡାରରୁ ପ୍ରାୟ ୪୧୫ ବିଲିଅନ୍ ଡଲାର୍ ବିକ୍ରୟ କରି ମୁଦ୍ରା ବଜାରରେ ଡଲାର୍‌ର ଯୋଗାଣ ଓ ଟଙ୍କାର ଚାହିଦାରେ ବୃଦ୍ଧି ଘଟାଇବା ସହିତ ସେଇ ପ୍ରକ୍ରିୟାରୁ ଏହି ବିପୁଳ ଲାଭ ଅର୍ଜନ କରିଛି। କିନ୍ତୁ ଏହାଦ୍ବାରା ଟଙ୍କାର ବିନିମୟ ମୂଲ୍ୟକୁ କୃତ୍ରିମ ଭାବରେ ଉଚ୍ଚା ରଖିବା ଦ୍ବାରା ଭାରତୀୟ ରପ୍ତାନି କ୍ଷତିଗ୍ରସ୍ତ ହୋଇପାରେ। କାରଣ ଟଙ୍କାର ବିନିମୟ ମୂଲ୍ୟ ଉଚ୍ଚା ହେଲେ ବିଦେଶ ବଜାରରେ ଭାରତ ରପ୍ତାନି କରୁଥିବା ଦ୍ରବ୍ୟ ଓ ସେବା ସବୁର ଡଲାର୍ ଆକାରରେ ଦର ଉଚ୍ଚା ହେବ, ଯାହା ଫଳରେ ସେଠାରେ ସେମାନେ ପ୍ରତିଯୋଗିତା କ୍ଷମତା ହରାଇ ବସିବେ।
ତେବେ ଟଙ୍କାର ଆଦର୍ଶ ବିନିମୟ ମୂଲ୍ୟ ନିର୍ଣ୍ଣୟ କରିବା ଏବଂ ତାହା ହାସଲ କରିବା ହେଉଛି ଏକ ଅତ୍ୟନ୍ତ ଜଟିଳ ପ୍ରଶ୍ନ ଯାହାର ସିଧାସଳଖ ଉତ୍ତର ମିଳିବା ସମ୍ଭବ ନୁହେଁ। ଏଣୁ ବର୍ତ୍ତମାନ ଯାହା ହେଉଛି ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ, ତାହା ହେଲା ରିଜର୍ଭ ବ୍ୟାଙ୍କ୍ ସୂତ୍ରରୁ ସରକାରଙ୍କୁ ଉପଲବ୍‌ଧ ହେବାକୁ ଯାଉଥିବା‌ ଏକ ବିଶାଳ ଅତିରିକ୍ତ ଆୟ। ଏହା ୨୦୨୫-୨୬ରେ ସରକାର ‌ରାଜକୋଷ ନିଅଣ୍ଟକୁ ‘ଜିଡିପି’ର ନିର୍ଦ୍ଧାରିତ ୪.୪ ଶତାଂଶ ଅନୁପାତ ମଧ୍ୟରେ ସୀମିତ ରଖିବାରେ ସହାୟକ ହୋଇ ଭାରତୀୟ ଅର୍ଥନୀତିରେ ଶୃଙ୍ଖଳା ରକ୍ଷା କରିବ।