ଭାରତର ପାରମ୍ପରିକ ମଟରଗାଡ଼ି ନିର୍ମାତାମାନେ ଏଠାରେ ‘ଇଭି’ ନିର୍ମାଣ ଆରମ୍ଭ କରିଦେଲେଣି ଓ ‘ମର୍ସିଡିସ୍ ବେଞ୍ଜ’, ‘ବିଏମ୍ଡବ୍ଲ୍ୟୁ’ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତିକ କାର୍ ନିର୍ମାତାମାନେ ମଧ୍ୟ ‘ଇଭି’ ଆସେଂବ୍ଲି କରିବା ଆରମ୍ଭ କରିଦେଲେଣି। ପ୍ରତିଦ୍ବନ୍ଦ୍ବୀମାନଙ୍କର ଆବିର୍ଭାବ ଯୋଗୁଁ ଏବେ ‘ଟେସ୍ଲା’ର ବିକ୍ରୟ ଓ ଲାଭ ଅର୍ଜନରେ ଦେଖାଦେଇଥିବା ଶିଥିଳତା ପରିପ୍ରେକ୍ଷୀରେ ଭାରତରେ ଉତ୍ପାଦନ ଆରମ୍ଭ କରି ଭାରତୀୟ ବଜାରରେ ପ୍ରବେଶ କରିବା ସୁଯୋଗ ହାତଛଡ଼ା କରିବା ଏଲନ୍ ମସ୍କଙ୍କ ପାଇଁ ଘୋର ମୂର୍ଖତା ହେବ।
ପୃଥିବୀରେ ଅଗ୍ରଣୀ ଇଲେକ୍ଟ୍ରିକ୍ ମଟର ଗାଡ଼ି (‘ଇଭି’) ‘ଟେସ୍ଲା’ର ନିର୍ମାତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଘନିଷ୍ଠତମ ମିତ୍ର ଏଲନ୍ ମସ୍କ ଏବେ ଭାରତରେ ତାଙ୍କ ଗାଡ଼ିର ପ୍ରବେଶ ସମ୍ବନ୍ଧରେ ଦେଇଥିବା ଇସାରା ଉଭୟ ଭାରତରେ ଓ ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟିକାରୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ମସ୍କଙ୍କ କଂପାନି ଦେଇଥିବା ଯେଉଁ ଇସାରା ଏଠାରେ ଜୋରସୋର କଳ୍ପନାଜଳ୍ପନା ଆରମ୍ଭ କରିଦେଇଛି, ତାହା ହେଲା ସେମାନେ ମୁମ୍ବାଇ ଓ ଦିଲ୍ଲୀରେ ନିଯୁକ୍ତି ଆହ୍ବାନ କରି ପ୍ରସାର କରିଥିବା ବିଜ୍ଞପ୍ତି। ଏହା ଭାରତ ବଜାରରେ ‘ଟେସ୍ଲା’ କାର୍ ବିକ୍ରି କରିବା ପାଇଁ ମସ୍କଙ୍କର ଅାଗ୍ରହ ସମ୍ବନ୍ଧରେ ସୁରାକ ଦେଉଥିବାବେଳେ ଭାରତରେ ସେ ତାଙ୍କର ଏହି ଗାଡ଼ି ନିର୍ମାଣ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି କି ନାହିଁ, ସେ ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ବହନ କରି ନ ଥାଏ। ଇତିମଧ୍ୟରେ ଆମେରିକାରେ ‘ଫକ୍ସ ନିଉଜ୍’ ଟେଲିଭିଜନ୍ ଚାନେଲ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସମ୍ଭାବନା ସଂପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ପ୍ରସଙ୍ଗଟିକୁ ଆହୁରି ରହସ୍ୟମୟ କରି ତୋଳିଛି।
ଭାରତ ‘ଇଭି’ ଆମଦାନି ଉପରେ ଯେଉଁ ୧୦୦ ପ୍ରତିଶତ ହାରରେ ଆମଦାନି ଶୁଳ୍କ (ଟାରିଫ୍) ଲାଗୁ କରିଥାଏ, ଏଲନ୍ ମସ୍କ ଦୀର୍ଘ ଦିନ ଧରି ତାହାର ତୀବ୍ର ସମାଲୋଚନା କରି ଆସିଛନ୍ତି। ଭାରତ ସରକାର ଟାଟା ମୋଟର୍ସ ଓ ମହୀନ୍ଦ୍ରା ପରି ସ୍ଥାନୀୟ ‘ଇଭି’ ନିର୍ମାତାମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏଭଳି ଉଚ୍ଚ ଆମଦାନି ଶୁଳ୍କ ପ୍ରୟୋଗ ନୀତି ଅବଲମ୍ବନ କରିଥାନ୍ତି। ଏହି ଅବରୋଧ ନୀତି ଯୋଗୁଁ ପୃଥିବୀର ତୃତୀୟ ବୃହତ୍ତମ ହୋଇଥିବା ଭାରତୀୟ ବଜାରରେ ତାଙ୍କର କାର୍ ବିକ୍ରି କରିବା ତାଙ୍କ ସହଯୋଗୀ ମସ୍କଙ୍କ ପାଇଁ ଅସମ୍ଭବ ହୋଇଛି ବୋଲି ଟ୍ରମ୍ପ ତାଙ୍କର ଏହି ସାକ୍ଷାତ୍କାରରେ ଅଭିଯୋଗ କରିଛନ୍ତି। ଗତ ବର୍ଷ ମାର୍ଚ୍ଚରେ ଭାରତ ସରକାର ଏଲନ୍ ମସ୍କଙ୍କ ଭଳି ‘ଇଭି’ ନିର୍ମାତାମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ଉଭୟ ପକ୍ଷଙ୍କୁ ଅନୁକୂଳ ହେବାଭଳି ଏକ ବାଟ ବାହାର କରିଥିଲେ। ସରକାରଙ୍କର ନୂତନ ‘ଇଭି’ ନୀତି ରୂପକ ଏହି ବାଟ ଅନୁସାରେ ଯେଉଁ ‘ଇଭି’ ନିର୍ମାତା ଭାରତରେ ଏକ କାରଖାନା ପ୍ରତିଷ୍ଠା କରିବାରେ ଅନ୍ୟୂନ ୫୦୦ ନିୟୁତ ଡଲାର୍ ପୁଞ୍ଜି ନିବେଶ କରିବେ, ତାଙ୍କ ପ୍ରତି ମାତ୍ର ୧୫ ପ୍ରତିଶତ ହାରରେ ଆମଦାନି ଶୁଳ୍କ ଲାଗୁ ହେବ।
ଟ୍ରମ୍ପ ତାଙ୍କର ଉପରୋକ୍ତ ସାକ୍ଷାତ୍କାରରେ କହିଛନ୍ତି ଯେ ମସ୍କ ଯଦି ଏହି ସୁଯୋଗର ସଦ୍ବ୍ୟବହାର କରି ଭାରତରେ ତାଙ୍କର କାରଖାନା ପ୍ରତିଷ୍ଠା କରନ୍ତି, ତେବେ ‘‘ଠିକ୍ ଅଛି’’, କିନ୍ତୁ ‘‘ତାହା ଆମ ପ୍ରତି ଅନ୍ୟାୟ ହେବ।’’ ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଏହି ମନ୍ତବ୍ୟ ପ୍ରଦାନ କରିବା ସମୟରେ ତାଙ୍କ ସହିତ ମସ୍କ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଟ୍ରମ୍ପଙ୍କର ଏଭଳି ଆଭିମୁଖ୍ୟ କାହାରିକୁ ଅଛପା ନ ଥିଲେ ହେଁ ମସ୍କଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଟ୍ରମ୍ପ ତାଙ୍କର ଏହି ମନୋଭାବର ପୁନରାବୃତ୍ତି କରିବାର ଉଦ୍ଦେଶ୍ୟ ହୋଇପାରେ ଅନ୍ତରଙ୍ଗ ବନ୍ଧୁ ମସ୍କଙ୍କ ପାଇଁ ଏକ ମୁସ୍କିଲ୍ ଧର୍ମସଂକଟ ସୃଷ୍ଟି କରିବା। ବ୍ୟାବସାୟିକ ସ୍ବାର୍ଥ ଏଲନ୍ ମସ୍କଙ୍କୁ ଭାରତରେ କାରଖାନା ପ୍ରତିଷ୍ଠା କରି ଭାରତ ସରକାରଙ୍କ ନୀତିରୁ ଲାଭ ଉଠାଇବାକୁ ପ୍ରଲୋଭିତ କରିପାରେ; କିନ୍ତୁ ରାଜନୈତିକ ସ୍ବାର୍ଥ ମସ୍କଙ୍କୁ ଏହାଦ୍ବାରା ତାଙ୍କର ଅସ୍ଥିରଚିତ୍ତ, ବିପଜ୍ଜନକ ମିତ୍ର ଟ୍ରମ୍ପଙ୍କୁ କ୍ଷୁବ୍ଧ କରିବାର ବିପଦ ସମ୍ବନ୍ଧରେ ସତର୍କ କରିଥାଇପାରେ।
ଏହି ଧର୍ମସଂକଟରୁ ମୁକୁଳିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ନିକଟରେ କରିଥିବା ଅନ୍ୟ ଏକ ଘୋଷଣା ଏଲନ୍ ମସ୍କଙ୍କ ପାଇଁ ସହାୟକ ହୋଇପାରେ। ତାହା ହେଲା- ପାରସ୍ପରିକ ଶୁଳ୍କ ବା ‘ରେସିପ୍ରୋକାଲ୍ ଟାରିଫ୍’ ବସାଇବା ପାଇଁ ଟ୍ରମ୍ପ ଦେଇଚାଲିଥିବା ଧମକ। ଏହା ଅନୁସାରେ ଏକ ଦେଶ ଆମେରିକାରୁ କରୁଥିବା ଆମଦାନି ଉପରେ ଯେଉଁ ହାରରେ ଶୁଳ୍କ ଲାଗୁ କରିଥାଏ, ଆମେରିକା ମଧ୍ୟ ସେ ଦେଶରୁ କରୁଥିବା ଆମଦାନି ଉପରେ ସେଇ ହାରରେ ଶୁଳ୍କ ଲାଗୁ କରିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ବର୍ତ୍ତମାନ ଭାରତ ୪୦,୦୦୦ ଡଲାର୍ରୁ ଅଧିକ ମୂଲ୍ୟର ‘ଇଭି’ ଉପରେ ୧୦୦ ପ୍ରତିଶତ ହାରରେ ଆମଦାନି ଶୁଳ୍କ ଲାଗୁ କରୁଥିବାବେଳେ ଏହି ସୀମାଠାରୁ କମ୍ ମୂଲ୍ୟର ‘ଇଭି’ ଉପରେ ୭୦ ଶତାଂଶ ହାରରେ ଆମଦାନି ଶୁଳ୍କ ଲାଗୁ କରୁଛି। ଏଲନ୍ ମସ୍କ ହୁଏତ ଚିନ୍ତା କରୁଥାଇପାରନ୍ତି ଯେ ‘ରେସିପ୍ରୋକଲ୍ ଟାରିଫ୍’ ଲାଗୁ ହେବା ଭୟରେ ଭାରତ ଅନତିବିଳମ୍ବେ ଏହି ଉଚ୍ଚ ଆମଦାନି ଶୁଳ୍କ ହାରରେ ହ୍ରାସ ଘଟାଇବାକୁ ଯାଉଛି। ତେଣୁ େସ ଟ୍ରମ୍ପ ଚାହୁଁଥିବା ଭଳି ଭାରତରେ କାରଖାନା ସ୍ଥାପନ ନ କରି ଏହି ସମ୍ଭାବ୍ୟ ଅପେକ୍ଷାକୃତ ନୀଚା ଶୁଳ୍କର ସୁଯୋଗ ନେଇ ଆମେରିକାରେ ନିର୍ମିତ ଗାଡ଼ିମାନ ଭାରତକୁ ରପ୍ତାନି କରି ପ୍ରତିଯୋଗିତାକ୍ଷମ ମୂଲ୍ୟରେ ଭାରତୀୟ ବଜାରରେ ବିକ୍ରି କରିପାରିବେ।
କିନ୍ତୁ ଭାରତ ଏଲନ୍ ମସ୍କଙ୍କର ଏହି ଚାଲ୍ ନିକଟରେ ହାର ମାନିବା ଉଚିତ ହେବ ନାହିଁ। ଏହା ଅବଶ୍ୟ ସତ ଯେ ‘ଟେସ୍ଲା’ ହେଉଛି ‘ଇଭି’ମାନଙ୍କ ମଧ୍ୟରେ ସର୍ବାଧିକ ଆକର୍ଷଣୀୟ ଓ ମର୍ଯ୍ୟାଦାଜନକ ବ୍ରାଣ୍ଡ୍। ଏଭଳି ବ୍ରାଣ୍ଡ୍ ଭାରତରେ ପ୍ରବେଶ କଲେ ସଂପୃକ୍ତ କ୍ଷେତ୍ରରେ ଏକ ନୂତନ ଲାଭଜନକ ପରିବେଶ ସୃଷ୍ଟି ହୋଇଥାଏ, ଯାହା ଏଠାରେ ‘ଆପ୍ଲ’ର ‘ଆଇଫୋନ୍’ ଉତ୍ପାଦନ ଆରମ୍ଭ ହେବା ପରେ ଅନୁଭୂତ ହେଉଛି। କିନ୍ତୁ ‘ଇଭି’ ନିର୍ମାତାମାନଙ୍କୁ ଭାରତକୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଯେଉଁ ଉପରୋକ୍ତ ନୀତି ପ୍ରଣୟନ କରିଛନ୍ତି, ତାହା ହେଉଛି ସଂପୂର୍ଣ୍ଣ ରୂପେ ସ୍ବଚ୍ଛ ଓ ନ୍ୟାୟୋଚିତ। ଯେଉଁ ଆନ୍ତର୍ଜାତିକ ‘ଇଭି’ ନିର୍ମାତା ଭାରତରେ କାରଖାନା ପ୍ରତିଷ୍ଠା କରିବା ନିମିତ୍ତ ଆଗେଇ ଆସିବେ, ତାଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ପ୍ରଦାନ ପାଇଁ ଏଥିରେ ସୁଚିନ୍ତିତ ବ୍ୟବସ୍ଥା କରାଯାଇଛି। ଯେଉଁ ‘ଇଭି’ ନିର୍ମାତା ଏହାର ସୁଯୋଗ ନେଇ ଏଠାରେ ପ୍ରବେଶ କରିବେ, ସେମାନେ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ମଟରଗାଡ଼ି ବଜାରମାନଙ୍କ ମଧ୍ୟରେ ପ୍ରାୟ ସର୍ବାଗ୍ରେ ଥିବା ବଜାରରେ ସଅଳ ଆସ୍ଥାନ ଜମାଇବାର ସୌଭାଗ୍ୟ ଲାଭ କରିବେ। ଯଦି ‘ଟେସ୍ଲା’ ଏଠାରେ କାରଖାନା ସ୍ଥାପନ କରିବାକୁ ଉଚିତ ମନେ କରେ ତ ଭଲ କଥା, ନଚେତ ତା’ର ଯେଉଁ ପ୍ରତିଦ୍ବନ୍ଦ୍ବୀମାନେ ଏଠାରେ ପ୍ରବେଶ କରିବେ, ସେମାନଙ୍କ ସହଯୋଗରେ ଭାରତ ତା’ର ‘ଇଭି’ ଭବିଷ୍ୟତ ରୂପାୟନ କରିବା ଦିଗରେ ଅଗ୍ରସର ହୋଇ ଚାଲିବ।
ବ୍ୟାବସାୟିକ ଦୃଷ୍ଟିକୋଣରୁ ଭାରତରେ ତା’ର ଗାଡ଼ି ନିର୍ମାଣ କରିବା ‘ଟେସ୍ଲା’ ପାଇଁ ଅତ୍ୟନ୍ତ ବୁଦ୍ଧିମାନର କାର୍ଯ୍ୟ େହବ। ଏହାଦ୍ବାରା ସେ କଂପାନି ତା’ର ଗାଡ଼ିମାନଙ୍କୁ ବଜାରରେ ପ୍ରତିଯୋଗିତାମୂଳକ ମୂଲ୍ୟରେ ବିକ୍ରୟ କରିପାରିବ ଓ ବର୍ଦ୍ଧିଷ୍ଣୁ ଚାହିଦା ପୂରଣ କରିବା ପାଇଁ ତା’ର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟାଇ ଚାଲିବ। ଅପରପକ୍ଷେ ଭାରତ ସରକାର ଯଦି ବି ଟ୍ରମ୍ପଙ୍କ ଚାପରେ ଆମଦାନି ଶୁଳ୍କରେ ହ୍ରାସ ଘଟାନ୍ତି, ତେବେ ମଧ୍ୟ ଅଧିକାଂଶ ଭାରତୀୟ ଗ୍ରାହକମାନଙ୍କ ପାଇଁ ଆମେରିକାରୁ ଆମଦାନି ହେଇ ଆସୁଥିବା ‘ଟେସ୍ଲା’ କାର୍ମାନ ଦୁର୍ମୂଲ୍ୟ ସାବ୍ୟସ୍ତ ହୋଇଚାଲିବେ। ମନେ ରଖିବା କଥା ଭାରତର ପାରମ୍ପରିକ ମଟରଗାଡ଼ି ନିର୍ମାତାମାନେ ଏଠାରେ ‘ଇଭି’ ନିର୍ମାଣ ଆରମ୍ଭ କରିଦେଲେଣି ଓ ‘ମର୍ସିଡିସ୍ ବେଞ୍ଜ’, ‘ବିଏମ୍ଡବ୍ଲ୍ୟୁ’ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତିକ କାର୍ ନିର୍ମାତାମାନେ ମଧ୍ୟ ‘ଇଭି’ ଆସେଂବ୍ଲି କରିବା ଆରମ୍ଭ କରିଦେଲେଣି। ପ୍ରତିଦ୍ବନ୍ଦ୍ବୀମାନଙ୍କର ଆବିର୍ଭାବ ଯୋଗୁଁ ଏବେ ‘ଟେସ୍ଲା’ର ବିକ୍ରୟ ଓ ଲାଭ ଅର୍ଜନରେ ଦେଖାଦେଇଥିବା ଶିଥିଳତା ପରିପ୍ରେକ୍ଷୀରେ ଭାରତରେ ଉତ୍ପାଦନ ଆରମ୍ଭ କରି ଭାରତୀୟ ବଜାରରେ ପ୍ରବେଶ କରିବା ସୁଯୋଗ ହାତଛଡ଼ା କରିବା ଏଲନ୍ ମସ୍କଙ୍କ ପାଇଁ ଘୋର ମୂର୍ଖତା ହେବ।