ମୁଦ୍ରାସ୍ଫୀତି ଏଥର ଆୟତ୍ତ ହେବା ଭଳି ବୋଧ ହେଉଥିବାରୁ ଏକ ଆଶା ଉଙ୍କି ମାରିବାକୁ ଆରମ୍ଭ କଲାଣି ଯେ ରିଜର୍ଭ ବ୍ୟାଙ୍କ୍ ଏଥର ତା’ର ଦୀର୍ଘ ଦିନ ଧରି ଅନୁସୃତ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରିବା ପରିବର୍ତ୍ତେ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେବା ଆରମ୍ଭ କରିବ କି ଆଉ।

Advertisment

‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି (‘ଏମ୍‌ପିସି’)ର ସଦସ୍ୟମାନେ ବର୍ତ୍ତମାନ ଏକ ଗଭୀର ଆଶ୍ବସ୍ତିର ନିଃଶ୍ବାସ ତ୍ୟାଗ କରୁଥିବେ। ଗତ ମାସରେ ସେମାନେ ନିର୍ଣ୍ଣାୟକ ସୁଧ ହାର ‘ରେପୋ‌ ରେଟ୍‌’ରେ ହ୍ରାସ ଘଟାଇବାକୁ ନେଇଥିବା ନିଷ୍ପତ୍ତି ଦେଶରେ ମୁଦ୍ରାସ୍ଫୀତିକୁ କିପରି ଭାବରେ ପ୍ରଭାବିତ କରିବ, ସେ ନେଇ ସେମାନେ ଉତ୍କଣ୍ଠିତ ଅବସ୍ଥାରେ ଥିଲେ। ଏହା ଜଣାଶୁଣା ଯେ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ତାଙ୍କର ସର୍ବପ୍ରଧାନ ତଥା ପ୍ରଥମ ଦାୟିତ୍ବ ରୂ‌େପ ବିଚାର କରି ଦୀର୍ଘ କାଳ ଧରି ରେପୋ ରେଟ୍‌ରେ ହ୍ରାସ ଘଟାଇବା ପାଇଁ ତାଙ୍କ ଉପରେ ପଡୁଥିବା ସମସ୍ତ ଚାପକୁ ପ୍ରତିରୋଧ କରି ଆସିଥିଲେ। ତାଙ୍କର ଅବିଚଳିତ ଏକମାତ୍ର ଘୋଷିତ ଲକ୍ଷ୍ୟ ଥିଲା ଖାଉଟି ମୁଦ୍ରାସ୍ଫୀତି ହାରକୁ ନିର୍ଦ୍ଧାରିତ ୪ ଶତାଂଶ ସ୍ତର ମଧ୍ୟରେ ରଖିବା।
ଗତ ଡିସେମ୍ବରରେ ଶକ୍ତିକାନ୍ତ ତାଙ୍କର ଅନ୍ତିମ ‘ଏମ୍‌ପିସି’ ବୈଠକରେ ମଧ୍ୟ ଏହି ନୀତି ଅପରିବର୍ତ୍ତିତ ରଖିଥିଲେ। କିନ୍ତୁ ଏହାର ମାତ୍ର ଦୁଇ ମାସ ପରେ ତାଙ୍କ ପରବର୍ତ୍ତୀ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ୨୦୨୫ ଫେବ୍ରୁଆରିରେ ଅନୁଷ୍ଠିତ ବୈଠକରେ ‘ଏମ୍‌ପିସି’ ‘ରେପୋ ରେଟ୍‌’ରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟାଇବା ଘୋଷଣା କରିଥିଲା, ଯାହା ଥିଲା ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ସର୍ବପ୍ରଥମ ହ୍ରାସ (‘ରେପୋ ରେଟ୍’ ୬.୫ ଶତାଂଶରୁ ହ୍ରାସ ପାଇ ହୋଇଥିଲା ୬.୨୫ ଶତାଂଶ)। ଅର୍ଥନୀତିର ଅଭିବୃଦ୍ଧିକୁ ସହାୟକ ହେବା ଉଦ୍ଦେଶ୍ୟରେ ‘ଏମ୍‌ପିସି’ର ସଦସ୍ୟମାନେ ଏହି ନିଷ୍ପତ୍ତି ନେଇଥିଲେ ହେଁ, ଏହି ଅର୍ଥନୀତିଜ୍ଞମାନଙ୍କୁ ଏହା ଅଜଣା ନୁହେଁ ଯେ ନୀଚା ସୁଧ ହାର ଶେଷରେ ସାମଗ୍ରିକ ଚାହିଦାରେ ସଂପ୍ରସାରଣ ମାଧ୍ୟମରେ ଖାଉଟି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟାଇଥାଏ। ତେଣୁ ସେମାନଙ୍କର ଉପରୋକ୍ତ ଉତ୍କଣ୍ଠା।
୨୦୨୫ ଜାନୁଆରିରେ ଖାଉଟି ମୁଦ୍ରାସ୍ଫୀତି ହାର ଥିଲା ୪.୩ ଶତାଂଶ। ଏବେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଏହା ପର ମାସ ଫେବ୍ରୁଆରିରେ ମୁଦ୍ରାସ୍ଫୀତିରେ ବହୁ ପ୍ରତୀକ୍ଷିତ ସ୍ଖଳନ ଘଟି ତାହା ୪ ଶତାଂଶ ତଳେ ପହଞ୍ଚିଛି- ୩.୬ ଶତାଂଶ ହୋଇଛି। ଯେହେତୁ ସେମାନେ ‘ରେପୋ‌ ରେଟ୍’ରେ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେବା ବେଳକୁ ମୁଦ୍ରାସ୍ଫୀତି ହାର ୪ ଶତାଂଶ ତଳର ନିରାପଦ ସ୍ତରକୁ ଖସି ଆସିଥିଲା ବୋଲି ବର୍ତ୍ତମାନ ଜଣାପଡ଼ିଛି, ତେଣୁ ‘ଏମ୍‌ପିସି’ର ସଦସ୍ୟମାନେ ତଥା ସର୍ବୋପରି ଗଭର୍ନର ମାଲହୋତ୍ରା ବର୍ତ୍ତମାନ ଆଶ୍ବସ୍ତ ବୋଧ କରୁଥିବେ ଯେ ସେମାନଙ୍କର ନିଷ୍ପତ୍ତିର ପ୍ରଭାବରେ ଯଦି ବି ମୁଦ୍ରାସ୍ଫୀତିରେ କିଞ୍ଚିତ ବୃଦ୍ଧି ଘଟେ, ତାହା ତଥାପି ୪ ଶତାଂଶ ସୀମା ମଧ୍ୟରେ ଅବସ୍ଥାନ କରିବାର ଦୃଢ଼ ସମ୍ଭାବନା ରହିଛି। ଏଥିସହିତ ଏହା ମଧ୍ୟ ସୂଚନାଯୋଗ୍ୟ ଯେ ବିତ୍ତ ବର୍ଷର ଚଳିତ ଚଉଠରେ ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ଖାଉଟି ମୁଦ୍ରାସ୍ଫୀତି ହାର ୪ ଶତାଂଶ ସୀମା ତଳେ- ୩.୯ ଶତାଂଶ ହୋଇଛି। ଏହି ଧାରା ବଳବତ୍ତର ରହି ସମଗ୍ର ଚଉଠ ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ୪ ଶତାଂଶ ତଳେ ରହିବ ବୋଲି ଆଶା କରାଯାଉଛି।
ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତିରେ ହ୍ରାସର ପ୍ରଭାବରେ ବର୍ତ୍ତମାନ ମୁଦ୍ରାସ୍ଫୀତି ଚିତ୍ରରେ ଏହି ଉନ୍ନତି ଦେଖାଦେଇଛି। ଖାଦ୍ୟଦ୍ରବ୍ୟରେ ଦେଖାଯାଇଥିବା ୩.୭୫ ଶତାଂଶ ମୁଦ୍ରାସ୍ଫୀତି ହାର ହେଉଛି ମଇ ୨୦୨୩ ପରଠାରୁ ସର୍ବନିମ୍ନ। ଗତ ଅକ୍‌ଟୋବରରେ ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତି ହାର ଏକ ଉଚ୍ଚ ୧୦ ଶତାଂଶ ସ୍ତର ଅତିକ୍ରମ କରିବା ପରଠାରୁ ଏଥିରେ କ୍ରମଶଃ ଶିଥିଳତା ଦେଖାଦେଇ ବର୍ତ୍ତମାନ ଏହି ସହନୀୟ ସ୍ତରରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଏଥର ଆୟତ୍ତ ହେବା ଭଳି ବୋଧ ହେଉଥିବାରୁ ଏକ ଆଶା ଉଙ୍କି ମାରିବାକୁ ଆରମ୍ଭ କଲାଣି ଯେ ରିଜର୍ଭ ବ୍ୟାଙ୍କ୍ ଏଥର ତା’ର ଦୀର୍ଘ ଦିନ ଧରି ଅନୁସୃତ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରିବା ପରିବର୍ତ୍ତେ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେବା ଆରମ୍ଭ କରିବ କି ଆଉ।
ଏ ପର୍ଯ୍ୟନ୍ତ ପନିପରିବା ଦରରେ ଅତ୍ୟଧିକ ବୃଦ୍ଧି ଖାଦ୍ୟ ମୁଦ୍ରାସ୍ଫୀତିକୁ ଇନ୍ଧନ ଯୋଗାଇ ଆସିଥିବା ବେଳେ ଏବେ ବିଗତ ମାସମାନଙ୍କରେ ସେଥିରେ ସଂଶୋଧନ ଘଟିବା ପରିଲକ୍ଷିତ ହୋଇଛି। ଉଦାହରଣ ସ୍ବରୂପ ୨୦୨୪ ଅକ୍‌ଟୋବରରେ ପନିପରିବା ଦରରେ ଏକ ଆକାଶଛୁଅଁା ୪୨.୨୩ ଶତାଂଶ ହାରରେ ବୃଦ୍ଧି ଲକ୍ଷ୍ୟ କରାଯାଇଥିବା ବେଳେ ଫେବ୍ରୁଆରିରେ ତାହା ଋଣାତ୍ମକ (-)୧.୦୭ ହୋଇଛି। ଏହା ଅବଶ୍ୟ ହେଉଛି ଏକ ଋତୁକାଳୀନ ଘଟଣା; ବଜାରରେ ନୂତନ ଅମଳ ପହଞ୍ଚିବା ପରେ ଯୋଗାଣରେ ଉନ୍ନତି ଘଟିବା ଦ୍ବାରା ଦରଦାମ ନିମ୍ନମୁଖୀ ହୋଇଥାଏ। ତେବେ ପନିପରିବା ଦରରେ ସ୍ଖଳନ ଘଟିବା ସ‌େତ୍ତ୍ବ ଦୁଇଟି ବହୁଳ ବ୍ୟବହୃତ ପରିବା ଆମକୁ ଚିନ୍ତାମୁକ୍ତ କରି ନଥାନ୍ତି- ଆଳୁ ଓ ପିଆଜ। ରୋଷେଇ ଘରେ ସଦାବେଳେ ଆବଶ୍ୟକ ହେଉଥିବା ଏ ଦୁଇ ପରିବା ଦରରେ ଫେବ୍ରୁଆରିରେ ଦୁଇ ଅଙ୍କବିଶିଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ପିଆଜରେ ବାର୍ଷିକ ଦର ବୃଦ୍ଧି ହାର ୩୦.୪ ଶତାଂଶ ହୋଇଥିବାବେଳେ, ଆଳୁରେ ତାହା ହୋଇଥିଲା ୨୬.୪ ଶତାଂଶ। ଏହା ବ୍ୟତୀତ ରିଫାଇନ୍ ଖାଇବା ତେଲରେ ୨୨.୨ ଶତାଂଶ ହାରରେ ଦର ବୃଦ୍ଧି ଘଟିଥିବାବେଳେ ସୋରିଷ ତେଲରେ ଏହା ଥିଲା ୧୯.୫ ଶତାଂଶ। ପ୍ରମୁଖ ଖାଦ୍ୟଶସ୍ୟ ଗହମର ଦରରେ ଜାନୁଆରିରେ ବୃଦ୍ଧି ହାର ୮.୮୦ ଶତାଂଶ ହୋଇଥିବାବେଳେ ଫେବ୍ରୁଆରିରେ ସେଥିରେ ସାମାନ୍ୟ ବୃଦ୍ଧି ଘଟି ହୋଇଥିଲା ୯.୧୭ ଶତାଂଶ।
ଏଥିସତ୍ତ୍ବେ ଯେଉଁ ସମସ୍ତ କାରଣ ଯୋଗୁଁ ଗତ ବର୍ଷ କୃଷି ଉତ୍ପାଦନ ବ୍ୟାହତ ହୋଇଥିଲା, ଚଳିତ ବର୍ଷ ସେ ସବୁର ପୁନରାବୃତ୍ତି ଘଟିବାର ସମ୍ଭାବନା କ୍ଷୀଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ପୂର୍ବ ବର୍ଷ ତୁଳତାରେ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନରେ ପ୍ରାୟ ୮ ଶତାଂଶ ଓ ରବି ଶସ୍ୟ ଉତ୍ପାଦନରେ ୬ ଶତାଂଶ ବୃଦ୍ଧି ଘଟିବା ଆକଳନ କରାଯାଉଛି। ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ୨.୭ ଶତାଂଶ ହାରରେ ବୃଦ୍ଧି ଘଟିଥିବାବେଳେ ୨୦୨୪-୨୫ରେ ତାହା ୪.୬ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଆଗାମୀ ଦିନମାନଙ୍କରେ ଖାଦ୍ୟ ମୁଦ୍ରାସ୍ଫୀତି ଆତଙ୍କଜନକ ହେବାର ସମ୍ଭାବନା କ୍ଷୀଣ ବୋଲି ବିଶ୍ବାସ କରାଯାଉଛି। ୨୦୨୪ରେ ହାରାହାରି ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୪ ଶତାଂଶ ଥିବାବେଳେ ହାରାହାରି ଖାଉଟି ମୁଦ୍ରାସ୍ଫୀତି ହାର ଥିଲା ୫.୩ ଶତାଂଶ। ଆଗକୁ ଯଦି ଖାଦ୍ୟ ମୁଦ୍ରାସ୍ଫୀତି ଏହାଠାରୁ କମ୍ ହୁଏ, ତେବେ ତାହାର ପ୍ରଭାବରେ ଖାଉଟି ମୁଦ୍ରାସ୍ଫୀତିରେ ମଧ୍ୟ ହ୍ରାସ ଘଟି ତାହା ୪ ଶତାଂଶ କିମ୍ବା ତା’ଠାରୁ ସାମାନ୍ୟ କମ୍ ବେଶୀ ହୋଇପାରେ। ଖାଦ୍ୟଦ୍ରବ୍ୟ ଓ ଇନ୍ଧନକୁ ବାଦ୍‌ ଦେଇ ହିସାବ କରାଯାଉଥିବା ‘ମଞ୍ଜି ମୁଦ୍ରାସ୍ଫୀତି’ (‘କୋର୍ ଇନ୍‌ଫ୍ଲେସନ୍’) ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ଥିବା ଦେଖାଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଓ ଯୋଗାଯୋଗ କ୍ଷେତ୍ରମାନଙ୍କରେ ଦର ବୃଦ୍ଧି ମନ୍ଥର ହୋଇଛି।
ମୋଟ ଉପରେ ଦେଖିଲେ ଆସନ୍ତା ମାସରେ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ର ବୈଠକ ବସିବା ବେଳକୁ ମୁଦ୍ରାସ୍ଫୀତି ଆଉ ପୂର୍ବଭଳି ଏହାର ସଦସ୍ୟମାନଙ୍କର ଏକମାତ୍ର ଧ୍ୟେୟ ହୋଇ ରହି ନ ଥିବ। ସେମାନେ ତେଣୁ ଏଥର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ଆଶା କରାଯାଏ। ବିଶ୍ବ ଅର୍ଥନୀତିରେ ଦେଖାଦେଇଥିବା ଡୋନାଲ୍‌ଡ ଟ୍ରମ୍ପସୃଷ୍ଟ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ୍‌ର ସହାୟତା ଲୋଡ଼ା ହେବ। ଯୋଗକୁ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଦ୍ରାସ୍ଫୀତି ଏକ ସୁନାପିଲା ପରି ନମ୍ରତା ପ୍ରଦର୍ଶନ କରୁଥିବାରୁ, ଆଗାମୀ ବୈଠକରେ ‘ଏମ୍‌ପିସି’ ପୁଣି ଥରେ ସୁଧ ହାରରେ ହ୍ରାସ ଘଟାଇ ଏପରି ସହାୟତା ଯୋଗାଇବାର ଦୃଢ଼ ସମ୍ଭାବନା ଦେଖାଯାଉଛି।