ଜିତଶତ୍ରୁ ମହାନ୍ତି

Advertisment

କାଳ ସ୍ରୋତରେ ଅନୁପଯୁକ୍ତ ପ୍ରାଣୀ ଓ ଉଦ୍ଭିଦ ଜାତିର ଅପସାରଣ କରି ଉପଯୁକ୍ତ ଜାତିର ଅଭ୍ୟୁଦୟ ଓ ବିକାଶ ଘଟାଇ ପ୍ରକୃତି ଏହି ସୃଷ୍ଟିକୁ ସମ୍ଭବ କରିଛି। ବିବର୍ତ୍ତନବାଦର ତତ୍ତ୍ବ ଅନୁସାରେ ଏହାକୁ ‘ପ୍ରାକୃତିକ ଚୟନ’ ବୋଲି କୁହାଯାଏ। ଏହା ମାଧ୍ୟମରେ ଉଭୟ ଜୀବ ଓ ଉଦ୍ଭିଦ ଜଗତ ଏକ ସନ୍ତୁଳିତ ସ୍ଥିତିରେ ରହନ୍ତି। ଶିଳ୍ପ ବିପ୍ଳବର ପୂର୍ବ ସମୟ ପର୍ଯ୍ୟନ୍ତ ବା ପ୍ରାୟ ୧୯୦୦ ମସିହା ପର୍ଯ୍ୟନ୍ତ ବସ୍ତୁତଃ ଏକ ପ୍ରକୃତି ଇଚ୍ଛାଧୀନ ସ୍ଥିତି ରହିଥିଲା। କିନ୍ତୁ ଶିଳ୍ପାୟନ ଏବଂ ତଜ୍ଜନିତ ଉପଭୋଗବାଦୀ ଜୀବନ ଧାରାରେ ସ୍ଥିତି ବଦଳିବା ଆରମ୍ଭ ହେଲା। ଏଣିକି ମନୁଷ୍ୟ ଚାହିଁଲା ଯେ ପ୍ରକୃତି ମନୁଷ୍ୟର ଇଚ୍ଛାଧୀନ ହେଉ। ବିଂଶ ଶତାବ୍ଦୀର ସପ୍ତମ ଦଶକ ବେଳକୁ ଏହି କାରଣରୁ ବିପଦର ପଦପାତ ଶୁଣାଯିବା ଆରମ୍ଭ ହେଲା।
ରୁଷୀୟ ଭୂତତ୍ତ୍ବବିତ୍ ଆଲେକ୍‌ସି ପାଭଲୋଭ ପ୍ରଥମେ ଏ ନେଇ ଉଦ୍‌ବେଗ ପ୍ରକାଶ କଲେ। ୧୯୭୨ ମସିହାରେ କେତେକ ରାଷ୍ଟ୍ର ମୁଖ୍ୟ ସ୍ୱିଡେନର ରାଜଧାନୀ ଷ୍ଟକହୋମ ଠାରେ ମିଳିତ ହୋଇ ଏହି ବିପଦକୁ ଟାଳିବା ଦିଗରେ ସାମୂହିକ ପ୍ରୟାସ ସକାଶେ କେତେକ ପ୍ରସ୍ତାବ ଗ୍ରହଣ କଲେ। ତା’ ପରଠାରୁ ଆଜି ପର୍ଯ୍ୟନ୍ତ ୫୩ ବର୍ଷର ଅବଧି ମଧ୍ୟରେ ଅନେକ ଆଲୋଚନା ଓ ପ୍ରଚେଷ୍ଟା ହୋଇଛି। କିନ୍ତୁ ତା’ ସତ୍ତ୍ବେ ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହେବାରେ ଲାଗିଛି। ଏହି କାରଣରୁ ତିନିଟି ସଂକଟର ଉତ୍ପତ୍ତି ଚିନ୍ତାଜନକ ହୋଇଛି। ସେଗୁଡ଼ିକ ହେଲେ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ଜୈବ ବିବିଧତାରେ କ୍ଷୟ। 
ଜଳବାୟୁ ପରିବର୍ତ୍ତନର ପରିଣାମ ହେଉଛି ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ମାତ୍ରାଧିକ ଗ୍ରୀଷ୍ମ ଲହରି ଓ ହିମ ପାତ ଇତ୍ୟାଦି ଏବଂ ଏହା ଧନୀ ଓ ଦରିଦ୍ର ନିର୍ବିଶେଷରେ ସବୁ ରାଷ୍ଟ୍ରକୁ ଆକ୍ରା‌ନ୍ତ କରୁଛି। ଶୀତ ପ୍ରଧାନ ରାଷ୍ଟ୍ରଗୁଡ଼ିକରେ କେବେ ଶୁଣାଯାଇ ନ ଥିବା ଭଳି ଗ୍ରୀଷ୍ମ ପ୍ରବାହ ଘଟି ଅନେକ ଜୀବନ ହାନିର କାରଣ ହେଲାଣି। ବର୍ଷ ବର୍ଷ ଧରି ବର୍ଷା ଦେଖି ନ ଥିବା ଅନେକ ମରୁ ଅଞ୍ଚଳ ଏବେ ବନ୍ୟା ପ୍ଳାବିତ ହେଉଛନ୍ତି। ଏକ ଆକଳନ କହିଥାଏ ଯେ ଏହି କାରଣରୁ ବର୍ଷକୁ ପ୍ରାୟ ୨୧୫ କୋଟି ଲୋକ ଉଦବାସ୍ତୁ ହେଉଛନ୍ତି ଏବଂ ୨୦୩୦ ମସିହା ବେଳକୁ କେବଳ ମରୁଡ଼ି ଯୋଗୁଁ ପ୍ରାୟ ୭୦ କୋଟି ଲୋକ ବିପନ୍ନ ହେବେ। ୨୦୨୦ ମସିହାରେ ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ବାର୍ଷିକ କ୍ଷତିର ପରିମାଣ ଥିଲା ୧.୩ ଟ୍ରିଲିଅନ ଡଲାର, ଯାହା ୨୦୫୦ ମସିହାରେ ୨.୩ ଟ୍ରିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। 
ଏବେ ଆସିବା ପ୍ରଦୂଷଣ ସଂଦର୍ଭକୁ। କୁହାଯାଉଛି ଯେ ଏବେ ପ୍ରାୟ ୧୦୦ ପ୍ରକାର ରୋଗ ବିଭିନ୍ନ ପ୍ରକାରର ପ୍ରଦୂଷଣ କାରଣରୁ ହେଉଛି। ପ୍ରତି ବର୍ଷ ପୃଥିବୀର ପ୍ରାୟ ୭୦ ଲକ୍ଷ ଓ ଭାରତର ପ୍ରାୟ ୨୦ ଲକ୍ଷ ଲୋକ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଜଳ ପ୍ରଦୂଷଣ ହେତୁ ପ୍ରତି ବର୍ଷ ଆମ ଦେଶରେ ପ୍ରାୟ ୫ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତିି ଏବଂ ୪୦ କୋଟି ଲୋକ ରୋଗ ଗ୍ରସ୍ତ ହେଉଛନ୍ତି। ସାଧାରଣତଃ, ଜଳ ପ୍ରଦୂଷଣର ଶିକାର ହୁଅନ୍ତି ଦରିଦ୍ର ବର୍ଗର ଲୋକେ। ତେଣୁ ଏହାର ଚିକିତ୍ସାରେ ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତି ଆହୁର ଦୁର୍ବଳ ହୋଇଯାଏ। ଏକ ଆକଳନ ଅନୁସାରେ ପ୍ରଦୂଷଣ ହେତୁ ପୃଥିବୀ ସହୁଥିବା ଆର୍ଥିକ କ୍ଷତିର ପରିମାଣ ହେଉଛି ବାର୍ଷିକ ପ୍ରାୟ ୬.୪ ଟ୍ରିଲିଅନ ଡଲାର।
ଏବେ ଆସିବା ତୃତୀୟ ବିପଦ, ଅର୍ଥାତ୍‌ ଜୈବ ବିବିଧତାର କ୍ଷୟ ପ୍ରସଙ୍ଗକୁ। ଜଣା ପଡ଼ିଛି ଯେ ୧୯୦୦ ମସିହାରୁ ଏ ପର୍ଯ୍ୟନ୍ତ ଅତି କମ୍‌ରେ ଏକ-ପଞ୍ଚମାଂଶରୁ ଅଧିକ ଉଭୟ ଜୀବ ଓ ଉଦ୍ଭିଦ ଜାତିଙ୍କ ବିଲୁପ୍ତି ଘଟି ସାରିଲାଣି। ବର୍ତ୍ତମାନ ପ୍ରାୟ ୪୪,୦୦୦ ଜାତି ବିଲୁପ୍ତି ପଥରେ, ଯହିଁରୁ ସିଂହ ଭାଗ ହେଉଛନ୍ତି ବୃକ୍ଷଲତା। ଏହା କ୍ରମେ ଖାଦ୍ୟାଭାବକୁ ଉତ୍କଟ କରିବ ବୋଲି ବୈଜ୍ଞାନିକମାନେ ଭୟ କରୁଛନ୍ତି। ବର୍ତ୍ତମାନ ବର୍ଷକୁ ପ୍ରାୟ ୧୦ ନିୟୁତ ହେକ୍ଟର ପରିମିତ ଅଞ୍ଚଳର ଜଙ୍ଗଲ ନଷ୍ଟ ହେଉଛି। ଏହା ଫଳରେ ଜଙ୍ଗଲ ଉପରେ ନିର୍ଭରଶୀଳ ୧୦୦ କୋଟିରୁ ଅଧିକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଲାଣି। କେବଳ ସେତିକି ନୁହେଁ, ଏହା ସହିତ କ୍ଷୟ ପାଉଥିବା ଜଙ୍ଗଲ ‌ହେତୁ ଜୈବ ପରିସଂସ୍ଥା ମଧ୍ୟ ଉଦ୍‌ବେଗଜନକ ଭାବେ ଆକ୍ରାନ୍ତ ହେଉଛି। ଏ କଥାରେ ଦ୍ବିମତ ହେବାର ନାହିଁ ଯେ ଜୈବ ବିବିଧତା ପ୍ରକୃତିକୁ ପ୍ରାଣବନ୍ତ କରି ରଖେ। ଏହା ଅବକ୍ଷୟମୁଖୀ ହେବାର ଅର୍ଥ ହେଲା ପ୍ରକୃତି ଅସାଡ଼ ହେଇଯିବା। 
ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଚୁକ୍ତି (ୟୁ.ଏନ୍‌.ଏଫ୍‌.ସି.ସି.ସି.), ଜୈବ ବିବିଧତା ଚୁକ୍ତି (ୟୁ.ଏନ୍‌.ସି.ବି.ଡି.) ଓ ପରିବେଶ କେନ୍ଦ୍ରିକ କାର୍ଯ୍ୟକ୍ରମ (ୟୁ.ଏନ୍‌.ଇ.ପି.) ମାଧ୍ୟମରେ ଜଳବାୟୁ ବିଭୀଷିକା, ଅବକ୍ଷୟିଷ୍ଣୁ ଜୈବ ବିବିଧତା ଓ ପ୍ରଦୂଷଣର ମୁକାବିଲା ଲାଗି ଉଦ୍ୟମ କରାଯାଉଛି। କାର୍ବନ ଶୂନ୍ୟ ପରିବେଶଟିଏ ପାଇବା ଲାଗି ଦେଶଗୁଡ଼ିକ ପ୍ରୟାସଶୀଳ। କିନ୍ତୁ, ଏଥିରେ ଥିବା ଜଟିଳତାଟି ହେଲା, ବିକାଶ ବୋଇଲେ ଆମେ ଯାହା ବୁଝୁ ତାହା ହାସଲ କରିବାକୁ ହେଲେ ଏହି ତିନିଟି ବିପଦ ଉତ୍କଟ ହେବା ଅନିବାର୍ଯ୍ୟ। କିନ୍ତୁ ତା’ ବୋଲି ଦରିଦ୍ର ରାଷ୍ଟ୍ରଗୁଡ଼ିକୁ ବିକଶିତ ହେବାରୁ ବଞ୍ଚିତ ରଖାଯାଇ ନ ପାରେ! କାରଣ ତାହା ନ୍ୟାୟସଂଗତ ‌େହବ ନାହିଁ। ଧନୀ ରାଷ୍ଟ୍ରଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତିଗତ ଜ୍ଞାନ-କୌଶଳ ଦରିଦ୍ର ଓ ବିକାଶ ଉନ୍ମୁଖ ଦେଶଗୁଡ଼ିକୁ ଅର୍ପଣ କଲେ, ହୁଏତ ଦରିଦ୍ର ରାଷ୍ଟ୍ରଗୁଡ଼ିକ ବିକଶିତ ହେବା ପଥରେ ପୃଥିବୀ ଓ ପରିବେଶକୁ କମ୍‌ କ୍ଷତି ପହଞ୍ଚାଇବେ। କିନ୍ତୁ ବିଡ଼ମ୍ବନାଟି ହେଲା ଧନୀ ରାଷ୍ଟ୍ରଗୁଡ଼ିକ ଏଭଳି ଉଚ୍ଚ ମୂଲ୍ୟଯୁକ୍ତ ପ୍ରଯୁକ୍ତି ବା ଜ୍ଞାନ-କୌଶଳ ପରକୁ ହସ୍ତାନ୍ତର କରିବାକୁ ଅରାଜି। ତେଣୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଆଉ ଏକ ବିଡ଼ମ୍ବନା ହେଲା ଏହି ସବୁ ଘଟୁଥିବା ସତ୍ତ୍ବେ କେତେକ ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନ ଭଳି କଥାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏଭଳି ଧାରଣାର ପୃଷ୍ଠପୋଷକ। ଏହା ଠାରୁ ଅଧିକ ଦୁର୍ଭାଗ୍ୟଜନକ ଆଉ କିଛି ହୋଇ ନ ପାରେ। 
ଉପସଂହାରରେ କେବଳ ଏତିକି କୁହାଯିବା ଦରକାର ଯେ ମନୁଷ୍ୟ ଜାତି ଚେଇଁବା ଦରକାର। ଚେଇଁ ଶୋଇବାର ଅର୍ଥ ବିପଦର ଏହି ତିନିଟି ଶୂଳ ବା ତ୍ରିଶୂଳର ଆଘାତରେ ଲହୁଲୁହାଣ ହେବା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩