ପ୍ରଶାନ୍ତ ନନ୍ଦ

Advertisment

୧୯୭୫ ଓ ୧୯୭୬ ମସିହା, ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୋଟେ ଅଭୁଲା ବର୍ଷ। ମୋ ନିଜର ଚଳଚ୍ଚିତ୍ର ‘ମମତା’ର ସଫଳତା ମତେ ଚାକିରି ଛାଡ଼ିବାକୁ ପ୍ରାୟତଃ ବାଧ୍ୟ କରିଦେଇଥିଲା। ମୁଁ ସଂପୂର୍ଣ୍ଣ ଭାବରେ ୩୦ ଜୁନ୍ ୧୯୭୫ରେ ଚାକିରି ଛାଡ଼ି କଟକ ଘରକୁ ଫେରିଆସିଲି। ଓଡ଼ିଆର ପ୍ରଥମ ରଙ୍ଗିନ୍‌ କଥାଚିତ୍ର ‘‘ଗପ ହେଲେ ବି ସତ’’ ସେଇ ମସିହାରେ ରିଲିଜ ହେଇଥାଏ ଏବଂ ଚହଳ ସୃଷ୍ଟି କରିଥାଏ। ତେଣୁ ମୁଁ ମୋ ‘ଶେଷ ଶ୍ରାବଣ’କୁ ରଙ୍ଗିନ୍ କରିବାର ପ୍ରଚେଷ୍ଟାର ଥାଏ। ‘ଯାଯାବର’ ଚଳଚ୍ଚିତ୍ର ପରେ ଶ୍ରୀରାମ ପଣ୍ଡା ମଧ୍ୟ ନାୟକ ହିସାବରେ ଯୋଡ଼ି ହୋଇଯାଇଥାଏ। ଶରତ ପୂଝାରୀ, ଅକ୍ଷୟ ମହାନ୍ତି (କାଶ୍ୟପ), ଉମା ମିଶ୍ର, ବ୍ରଜେନ୍ଦ୍ର ଗିରିଙ୍କ ସମୟ ସରି ସରି ଆସୁଥାଏ। ଓଡ଼ିଆ ଚଳଚ୍ଚିତ୍ରର ସେତେବେଳେ ଆଉ ନୂଆ ପିଢ଼ିର ନାୟକ ଦରକାର ହେଉଥିଲା। ମୁଁ ମୋର ବ୍ୟକ୍ତିଗତ କାମରେ ସେତେବେଳେ ବାରିପଦା ଯାଇଥାଏ। ମୁଁ ଯୋଉ ହୋଟେଲରେ ଥିଲି, ସାଧୁ ମେହେର ତାଙ୍କର ପ୍ରଥମ ‘କଳା-ଧଳା’ ଚଳଚ୍ଚିତ୍ର ‘ଅଭିମାନ’ ସଂପର୍କିତ କାମ ନେଇ ବାରିପଦାର ସେଇ ହୋଟେଲରେ ଥିଲେ।
ଦୁହେଁ ବହୁତ ଅନ୍ତରଙ୍ଗ କଥାବାର୍ତ୍ତା ହେଲୁ। କୌତୂହଳବଶତଃ ମୁଁ ତାଙ୍କୁ ପଚାରିଲି, ‘‘ତୁମ ଚଳଚ୍ଚିତ୍ରରେ ନାୟକ କିଏ?’’ ଅଳ୍ପ ହସି ସେ କହିଲେ, ‘‘ତାଙ୍କ ନଁା କୁନିଆ’’। ମୁଁ ଚମକିଗଲି। ଚମକିଗଲି ଏଇଥିପାଇଁ ଯେ ମୋର ଡାକ ନଁା ବି ‘କୁନି’। ମୋ ଡାକ ନଁା ସେ କେମିତି ଜାଣିଲେ? ଟିକେ ପରେ ସେ କହିଲେ, ସେ ଏଇଠିକାର, ବାରିପଦାର ଯୁବକ। ବହୁତ ନାଟକ ସେ କରିଛି। ମୁଁ ନାୟକଟିକୁ ଦେଖିବାର ଅାଗ୍ରହ ପ୍ରକାଶ କଲି। ସେ କହିଲେ, ‘‘ମୁଁ ତାକୁ କହିଦେଇଛି, ସାଙ୍ଗ ହୋଇ ଖାଇବାକୁ। ତୁମକୁ ମଧ୍ୟ ନିମନ୍ତ୍ରଣ ରହିଲା। ମୁଁ ଶୁଣିଛି ବାରିପଦାର ମୁଢ଼ି-ମାଂସ ବହୁତ ସୁସ୍ବାଦୁ। ଆଜି ମଧ୍ୟାହ୍ନ ଭୋଜନକୁ ତୁମକୁ ନିମନ୍ତ୍ରଣ।’’
ମୁଢ଼ି-ମାଂସ ସାଙ୍ଗରେ ମୋର ପ୍ରଥମ ପରିଚୟ ହେଲା, ଆଉ ‘କୁନିଆ’ (ଉତ୍ତମ) ସାଙ୍ଗେ ବି। ଚଞ୍ଚଳ ଆଖି ଭିତରେ ତା’ର ନିଷ୍ଠା ଆଉ ନମ୍ରତା ଦୁହେଁ ବସବାସ କରୁଥାଆନ୍ତି। ବାସ୍, ସେଇ ଥିଲା ଉତ୍ତମ ସାଙ୍ଗରେ ମୋର ପ୍ରଥମ ଦେଖା। ‘ଅଭିମାନ’ ଚଳଚ୍ଚିତ୍ର ସୁପର୍‌ହିଟ୍ ହେଲା ଆଉ ତା’ ସାଙ୍ଗରେ ଓଡ଼ିଆ ଚଳଚ୍ଚିତ୍ରର ନାୟକ ସଂକଟର ପୂର୍ଣ୍ଣଚ୍ଛେଦ ବି ପଡ଼ିଗଲା। ତା’ ପରେ ପରେ ବିଜୟ ମହାନ୍ତି, ଅଜିତ ଦାସ (ଏନ୍‌ଏସ୍‌ଡି ତାଲିମପ୍ରାପ୍ତ) ମଧ୍ୟ ଯୋଡ଼ି ହେଇଥିଲେ। ସବୁ ନାୟକଙ୍କ ଭିତରୁ ମତେ ଛାଡ଼ିଦେଲେ, ଶ୍ରୀରାମ ଆଉ ଉତ୍ତମ ଆମେ ତିନିଜଣ ଚଳଚ୍ଚିତ୍ର ଉପରେ ନିର୍ଭର କରି ବଞ୍ଚିବାକୁ ଶ୍ରେୟ ମଣିନେଲୁ। ଆମେ ତିନିହେଁ ରୋଜଗାରର ଆଉ ଅନ୍ୟ ପନ୍ଥା ଆଡ଼େ ଧ୍ୟାନ ବି ଦେଲୁନାହିଁ। ଗୋଟାଏ ପୁରୁଣା ଢଗ ଆମ ତିନିଜଣଙ୍କୁ ଏକାଠି ବାନ୍ଧି ଦେଇଥିଲା-
‘‘ତୁ ତ ମୁତୁରି, ମୁଁ ତ ମୁତୁରି, ହେଁସ କାହି ପାଇଁ ଧୋଇବା?
ଆ’ଲୋ ମୁତୁରି ସାଙ୍ଗସୁଙ୍ଗା ହେଇ ଶୋଇବା।’’
ଏଇ ଆଶା ଆଉ ପ୍ରତ୍ୟାଶା ପରବର୍ତ୍ତୀ କାଳରେ ଓଡ଼ିଆ ଚଳଚ୍ଚିତ୍ରକୁ ସମୃଦ୍ଧ କଲା ଏବଂ ହଜି ଯାଉଥିବା, ଦର୍ଶକ ହେୟଜ୍ଞାନ କରୁଥିବା ଓଡ଼ିଆ ଚଳଚ୍ଚିତ୍ରର ‘ସୁବର୍ଣ୍ଣ ଯୁଗ’ ଆଣିଦେଲା।
ମୁଁ ଆଶ୍ଚର୍ଯ୍ୟ ହେଉଥାଏ ଉତ୍ତମର କାର୍ଯ୍ୟକଳାପ ଦେଖି। କମେଡିଆ ପିଲା ଇୟେ? ଏତେଗୁଡ଼ାଏ ଚଳଚ୍ଚିତ୍ର ଏକ ସାଙ୍ଗରେ କାହିଁକି କରୁଛି? ବାଛି ବାଛି କରୁନି କାହିଁକି? ଖାଇବା ଠିକ୍ ନାହିଁ, ଶୋଇବା ଠିକ୍ ନାହିଁ- ପାଗଳ ପରି କରିଚାଲିଚି କାମ। କୋଉ ପ୍ରଯୋଜକ ପାରିଶ୍ରମିକ ଯଦି ହେଲା ଠିକ୍ ଅଛି, କିଏ ଯଦି ନ ଦେଲା, ସେ ବିଷୟରେ ଆଲୋଚନା ନାହିଁ କି ରାଗରୁଷା ମଧ୍ୟ ନାହିଁ। ଏସବୁ ଭିତରେ ସେ ତା’ର ଅଜାଣତରେ ଓଡ଼ିଆ ଦର୍ଶକଙ୍କ ଛାତି ଭିତରକୁ ଧସେଇ ପଶି ଯାଉଥିଲା।
ଜଗନ୍ନାଥ ସବୁ ଦେଖନ୍ତି, ସବୁ ଜାଣନ୍ତି, ଆଉ ଦେଲାବେଳେ ପୂରା ଅଣ୍ଟି ଭିତରେ ଅଜାଡ଼ି ଦିଅନ୍ତି। ସେମିତି ‘କୁନିଆ’ ଅଣ୍ଟିରେ ଭୁଜା ଭରିବା ପରି ଭରିଦେଲେ ପ୍ରଭୁ। ତାକୁ ଯେମିତି ଏକ ମହାନ କଳାକାର ସାଧୁ ମେହେର ଆବିଷ୍କାର କରିଥିଲେ, ଠିକ୍ ସେମିତି ଆଉ ଗୋଟିଏ ଝିଅକୁ ଆବିଷ୍କାର କରିଥିଲେ ଅସାଧାରଣ ଅପୂର୍ବ ଓଡ଼ିଶାର ନାୟକ ନିର୍ଦ୍ଦେଶକ ସ୍ବର୍ଗତ ଶରତ ପୂଝାରୀ।
ଜଗନ୍ନାଥ ମୁରୁକି ମୁରୁକି ହସୁଥିଲେ ଏ ସବୁ ଦେଖି ଏବଂ କାଳକ୍ରମେ ‘କୁନିଆ’ ଉତ୍ତମ ହେଇଗଲା, ଟିକି ଅପରାଜିତା ହେଇଗଲା। ସମସ୍ତଙ୍କୁ ଚମକାଇ ଉତ୍ତମ ଆଉ ଅପରାଜିତା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇ ଗୋଟିଏ ପଣ କଲେ, ‘‘ଆମେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ନିଜକୁ ସପର୍ମଣ କରିବା।’’
ସେ ଦିନରୁ ଆଜି ଭିତରେ ଗୁଡ଼ାଏ ବର୍ଷ ବିତିଗଲାଣି। ବୟସ ସମସ୍ତଙ୍କ ମୁହଁରେ ଲକ୍ଷଣ ସୃଷ୍ଟି କଲାଣି ସତ, ହେଲେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆହୁରି କିଛି କରିବାର ଉଦ୍ଦାମତାରେ ଟିକିଏ ହେଲେ ବି ବିଚ୍ୟୁତି ଘଟିନି।
ସତ୍ୟନଗର ମଶାଣିର ନିଅଁା ଉତ୍ତମର ଶରୀରକୁ ପୋଡ଼ି ଦେଲାବେଳେ ଉପସ୍ଥିତ ବହୁ ପ୍ରେମୀଙ୍କର ମିଳିତ ଶବ୍ଦ ‘ଉତ୍ତମ ଭାଇ, ଅମର ରହେ’ ଭିତରେ, ‘କୁନିଆ’ର ପୁଅ ବାବୁସାନ ମୁଖାଗ୍ନିର ନିଅଁାହୁଳା ଧରି ଯେମିତି କହୁଥିଲା, ବ୍ୟସ୍ତ ହୁଅନି ଓଡ଼ିଶାର ପ୍ରିୟ ଦର୍ଶକଗଣ। ମୋ ବାପାଙ୍କ ପ୍ରତି ଥିବା ତୁମର ସବୁ ସ୍ନେହକୁ ମୁଁ ସାଉଣ୍ଟି ନେଇ ଜୀବନ ସାରା ଚେଷ୍ଟା କରିବି ଆପଣମାନଙ୍କୁ ବୁଝେଇବା ପାଇଁ ଏଇଆ ଯେ- ଉତ୍ତମ ମହାନ୍ତିଙ୍କୁ ମୁଁ ହଜେଇ ଦେବିନି। ମୁଁ ମୋ ଅଭିନୟ ମାଧ୍ୟମରେ ମୋର ବାପା ଆଉ ମାଆଙ୍କର ସ୍ବପ୍ନ ପୂରଣ କରିବି। ସେଇଥିରେ ଉତ୍ତମ ମହାନ୍ତି ଅମର ରହିବେ। 
ଅଭିନେତା ଓ ପୂର୍ବତନ ସାଂସଦ
(ଉତ୍ତମ ମହାନ୍ତିଙ୍କ ଦଶାହ ଅବସରରେ)