କୌଣସି ଦ୍ରବ୍ୟର ‘ଉତ୍ପାଦନ’ କହିଲେ ଆଖି ଆଗରେ ଯେଉଁ ଚିତ୍ର ନାଚି ଯାଇଥାଏ, ଏ କ୍ଷେତ୍ରରେ ଉତ୍ପାଦନ ତା’ଠାରୁ ଅନେକ ଭିନ୍ନ ହୋଇଥାଏ। ଏଠାରେ ଅନ୍ତିମ ଉତ୍ପାଦନ ବସ୍ତୁତଃ ଅାଇଫୋନ୍ର ଯନ୍ତ୍ରାଂଶମାନ ଖଞ୍ଜା ହେବାରେ ସୀମିତ ଥାଏ। ଏବଂ ଏଥିମଧ୍ୟରୁ ଅଧିକାଂଶ ଯନ୍ତ୍ରାଂଶ ଏବଂ ବିଶେଷତଃ ସମସ୍ତ ଉଚ୍ଚ ମୂଲ୍ୟଯୁକ୍ତ ଯନ୍ତ୍ରାଂଶ ଅନ୍ୟାନ୍ୟ ଦେଶରୁ ଆମଦାନି ହୋଇଥାଏ। ଏଥିଯୋଗୁଁ ଆଇଫୋନ୍ର ବିକ୍ରୟ ମୂଲ୍ୟରେ ଏହି ଅନ୍ତିମ ଉତ୍ପାଦନ ବା ଖଞ୍ଜା ହେବାର ଅଂଶ ମାତ୍ର ପ୍ରାୟ ୨ ଶତାଂଶ ହୋଇଥାଏ ବୋଲି ଆକଳନ କରାଯାଇଛି। ଅତଏବ ‘ଆପ୍ଲ’ ବର୍ତ୍ତମାନ ଭାରତମୁହଁା ହେବା ଖବର ଏଠାରେ ଯେଉଁ ଉଲ୍ଲାସ ସୃଷ୍ଟି କରିଛି, ତାହାର ଯଥାର୍ଥତା ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହେବା ଦେଖାଯାଇଥାଏ।
ମନେ ହେଉଛି ପୃଥିବୀର ସର୍ବାଧିକ ଆଦୃତ ସ୍ମାର୍ଟ ଫୋନ୍ ‘ଆଇଫୋନ୍’ର ନିର୍ମାତା ଆମେରିକୀୟ କଂପାନି ‘ଆପ୍ଲ’ ଶେଷରେ ତା’ର ପ୍ରତିଷ୍ଠାତା ସ୍ବର୍ଗତ ଷ୍ଟିଭ୍ ଜବ୍ସଙ୍କର ପଦାଙ୍କ ଅନୁସରଣ କରି ଭାରତରେ ଆସି ଶାନ୍ତିରେ ଆଶ୍ରୟ ଗ୍ରହଣ କରିବାକୁ ଯାଉଛି। ଏହା ଜଣାଶୁଣା ଯେ ରହସ୍ୟ ପୁରୁଷ ବିଚକ୍ଷଣ ଜବ୍ସ ନିଜର ବିକ୍ଷୁବ୍ଧ ଚିତ୍ତକୁ ଶାନ୍ତ କରିବା ପାଇଁ ଭାରତକୁ ଆସି କିଛି କାଳ ବିତାଇ ଫେରିବା ପରେ ହିଁ ବର୍ତ୍ତମାନ କିଂବଦନ୍ତି ପାଲଟିଥିବା ‘ଆଇଫୋନ୍’ର ନିର୍ଦ୍ଦିଷ୍ଟ ରୂପରେଖ ସମ୍ବନ୍ଧରେ ଅନ୍ତର୍ଦୃଷ୍ଟି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଆଇଫୋନ୍ର ଉତ୍ପାଦନ ଖର୍ଚ୍ଚକୁ ଯଥାସମ୍ଭବ ନୀଚା ସ୍ତରରେ ରଖିବା ପାଇଁ ଅାପ୍ଲ ତା’ର ଏହି ବିଶ୍ବବିଜୟୀ ମୋବାଇଲ୍ ଫୋନ୍ର ନିର୍ମାଣ ସଂପୂର୍ଣ୍ଣ ରୂେପ ଚୀନ୍କୁ ସ୍ଥାନାନ୍ତରିତ କରିଦେଇଥିଲା। ଏବେ ସଦ୍ୟ ସମ୍ବାଦ ପ୍ରକାଶ ପାଇଛି ଯେ ଆମେରିକାକୁ ରପ୍ତାନି ହେବାକୁ ଉଦ୍ଦିଷ୍ଟ ସମସ୍ତ ଆଇଫୋନ୍ର ଉତ୍ପାଦନ ଚୀନ୍ରୁ ଭାରତକୁ ସ୍ଥାନାନ୍ତରିତ କରିବା ପାଇଁ ‘ଆପ୍ଲ’ ନିଷ୍ପତ୍ତି ନେଲାଣି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ରେ ସାରା ପୃଥିବୀରେ ଯେଉଁ ୨୩ କୋଟିରୁ ଅଧିକ ଆଇଫୋନ୍ ବିକ୍ରି ହୋଇଥିଲା, ସେଥିମଧ୍ୟରୁ ୨୮ ଶତାଂଶରୁ ଅଧିକ ବା ୬ କୋଟିରୁ ଅଧିକ ଫୋନ୍ ବିକ୍ରି ହୋଇଥିଲା କେବଳ ଆମେରିକାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ପ୍ରତି ଲାଗୁ କରିବାକୁ ଆରମ୍ଭ କରିଥିବା ସୁଉଚ୍ଚ ଆମଦାନି ଶୁଳ୍କ ବା ‘ଟାରିଫ୍’ ହାର ‘ଆପ୍ଲ’ର ଏହି ନିଷ୍ପତ୍ତି ପଛରେ ନିହିତ ଥିବା ତାତ୍କାଳିକ କାରଣ ହୋଇଥିଲେ ହେଁ, ବାସ୍ତବରେ ‘ଆପ୍ଲ’ ୨୦୧୭ ଠାରୁ ଭାରତ ଆଡ଼େ ମୁହଁାଇବା ଆରମ୍ଭ କଲାଣି। ମୋଦୀ ସରକାରଙ୍କର ‘ମେକ୍ ଇନ୍ ଇଣ୍ଡିଆ’ ନୀତି ଅନ୍ତର୍ଗତ ପ୍ରୋତ୍ସାହନମାନ ଦ୍ବାରା ଆକର୍ଷିତ ହୋଇ ‘ଆପ୍ଲ’ ସେଇ ବର୍ଷ ଏଠାରେ ଆଇଫୋନ୍ ଉତ୍ପାଦନ ଆରମ୍ଭ କଲା ପରେ ପରେ ୨୦୧୯ରେ କୋଭିଡ୍ ପାଣ୍ଡେମିକ୍ ଦ୍ବାରା ଆତଙ୍କିତ ହୋଇ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ‘ଆପ୍ଲ’ ଭାରତରେ ତା’ର ଆଇଫୋନ୍ ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟାଇବା ଆରମ୍ଭ କରିଥିଲା, ଯାହାର ଫଳସ୍ବରୂପ ବର୍ତ୍ତମାନ ମୋଟ ଆଇଫୋନ୍ ଉତ୍ପାଦନର ୨୦ ଶତାଂଶ ଭାରତରେ ଅନୁଷ୍ଠିତ ହେଉଛି।
ଆପ୍ଲ ଆରମ୍ଭରେ ଭାରତରେ କେବଳ ଆଇଫୋନ୍ର ପୁରୁଣା ମଡେଲ୍ମାନ ନିର୍ମାଣ କରୁଥିବାବେଳେ ପରବର୍ତ୍ତୀ ସମୟରେ ଏଠାରେ ତା’ର ସଦ୍ୟତମ ମଡେଲ୍ମାନ ନିର୍ମାଣ କରିବା ଆରମ୍ଭ କଲାଣି। ଏକ ଆକଳନ ଅନୁସାରେ ୨୦୨୪-୨୫ ବିତ୍ତ ବର୍ଷରେ ଭାରତରେ ମୋଟ ୨୨ ବିଲିଅନ୍ ଡଲାର୍ ମୂଲ୍ୟର ଆଇଫୋନ୍ ଖଞ୍ଜା ଯାଇଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୬୦ ଶତାଂଶ ଅଧିକ ହୋଇଥିଲା। ଯଦି ପ୍ରକାଶିତ ସୂଚନା ଅନୁସାରେ ‘ଆପ୍ଲ’ ଅାମେରିକା ପାଇଁ ଉଦ୍ଦିଷ୍ଟ ସମଗ୍ର ଆଇଫୋନ୍ ଉତ୍ପାଦନ ୨୦୨୬ ସୁଦ୍ଧା ଭାରତକୁ ସ୍ଥାନାନ୍ତରିତ କରିଦିଏ, ତେବେ ଭାରତରେ ଏହାର ଉତ୍ପାଦନକୁ ଦ୍ବିଗୁଣିତ କରିବାକୁ ହେବ।
କିନ୍ତୁ କୌଣସି ଦ୍ରବ୍ୟର ‘ଉତ୍ପାଦନ’ କହିଲେ ଆଖି ଆଗରେ ଯେଉଁ ଚିତ୍ର ନାଚି ଯାଇଥାଏ, ଏ କ୍ଷେତ୍ରରେ ଉତ୍ପାଦନ ତା’ଠାରୁ ଅନେକ ଭିନ୍ନ ହୋଇଥାଏ। ଏଠାରେ ଅନ୍ତିମ ଉତ୍ପାଦନ ବସ୍ତୁତଃ ଅାଇଫୋନ୍ର ଯନ୍ତ୍ରାଂଶମାନ ଖଞ୍ଜା ହେବାରେ ସୀମିତ ଥାଏ। ଏବଂ ଏଥିମଧ୍ୟରୁ ଅଧିକାଂଶ ଯନ୍ତ୍ରାଂଶ ଏବଂ ବିଶେଷତଃ ସମସ୍ତ ଉଚ୍ଚ ମୂଲ୍ୟଯୁକ୍ତ ଯନ୍ତ୍ରାଂଶ ଅନ୍ୟାନ୍ୟ ଦେଶରୁ ଆମଦାନି ହୋଇଥାଏ। ଏଥିଯୋଗୁଁ ଆଇଫୋନ୍ର ବିକ୍ରୟ ମୂଲ୍ୟରେ ଏହି ଅନ୍ତିମ ଉତ୍ପାଦନ ବା ଖଞ୍ଜା ହେବାର ଅଂଶ ମାତ୍ର ପ୍ରାୟ ୨ ଶତାଂଶ ହୋଇଥାଏ ବୋଲି ଆକଳନ କରାଯାଇଛି। ଅତଏବ ‘ଆପ୍ଲ’ ବର୍ତ୍ତମାନ ଭାରତମୁହଁା ହେବା ଖବର ଏଠାରେ ଯେଉଁ ଉଲ୍ଲାସ ସୃଷ୍ଟି କରିଛି, ତାହାର ଯଥାର୍ଥତା ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହେବା ଦେଖାଯାଇଥାଏ। ଏଭଳି ଶିଳ୍ପ ଉତ୍ପାଦନକୁ ଆଶ୍ରୟ କରି ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରି ଅନତିବିଳମ୍ବେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ନାହିଁ ବୋଲି ଅାଶଙ୍କା ପ୍ରକାଶ ପାଉଛି। ସେଇ ‘ଆପ୍ଲ’ର କାହାଣୀ ହିଁ ଏଭଳି ଆଶଙ୍କାକୁ ଦୂଢ଼ୀଭୂତ କରିଥାଏ। ଦୀର୍ଘ କାଳ ଧରି ‘ଆପ୍ଲ’ ପୃଥିବୀର ସର୍ବାଧିକ ମୂଲ୍ୟବାନ କଂପାନିର ଆସନ ଦଖଲ କରି ଆସିଥିଲେ ହେଁ, ଏହି କଂପାନି ନିଜେ ତାହାର ଫୋନ୍ ନିର୍ମାଣ ନ କରି ଏହାର ଦାୟିତ୍ବ ତାଇୱାନିଜ୍ କଂପାନି ‘ଫକ୍ସକନ୍’ ହାତରେ ନ୍ୟସ୍ତ କରିଛି। ‘ଆପ୍ଲ’ର ବିଶାଳ ଆୟର ଉତ୍ସ ତା’ହେଲେ କ’ଣ? ଉତ୍ସ ହେଉଛି ତା’ର ଡିଜାଇନ୍ କରିବା କ୍ଷମତା। ତେଣୁ ଏକ ଚିନ୍ତାଧାରା ଅନୁସାରେ ଭାରତ କେବଳ ନୀଚା ମୂଲ୍ୟଯୁକ୍ତ ଖଞ୍ଜାଳି ଭୂମିକାରେ ନିଜକୁ ଆବଦ୍ଧ ନ ରଖି ଡିଜାଇନ୍ ଭଳି ଉଚ୍ଚ ଜ୍ଞାନକୌଶଳଯୁକ୍ତ ବୌଦ୍ଧିକ ଇଲାକାରେ ପ୍ରବେଶ ଲାଗି ଉଦ୍ୟମ କରିବାକୁ ଅଗ୍ରାଧିକାର ପ୍ରଦାନ କରିବା ଆବଶ୍ୟକ।
ଏଭଳି ଯୁକ୍ତି ବଳିଷ୍ଠ ମନେ ହେଉଥିଲେ ହେଁ, ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ସାଂପ୍ରତିକ ବିଡ଼ମ୍ବନାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା। ଟ୍ରମ୍ପଙ୍କର ଟାରିଫ୍ ଯୁଦ୍ଧର ମୂଳ ଲକ୍ଷ୍ୟ ହେଉଛି ସେଇସବୁ ଉତ୍ପାଦନମାନଙ୍କୁ ଆମେରିକାକୁ ଫେରାଇ ଆଣିବା, ଯେଉଁଥିରେ ଉଚ୍ଚ ଶିକ୍ଷା କିମ୍ବା ଉଚ୍ଚ ଜ୍ଞାନକୌଶଳ ଆବଶ୍ୟକ ହୋଇ ନ ଥାଏ (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆଇଫୋନ୍ ଖଞ୍ଜିବା କାର୍ଯ୍ୟ ଆମେରିକାରେ ହିଁ ସଂଘଟିତ କରିବା ନିମିତ୍ତ ଟ୍ରମ୍ପ ‘ଆପ୍ଲ’କୁ ଆହ୍ବାନ ଦେଇଛନ୍ତି)। ବାସ୍ତବରେ ଏହା ହିଁ ହେଉଛି ଟ୍ରମ୍ପଙ୍କୁ ନିର୍ବାଚନ ଜିଣିବାରେ ସାହାଯ୍ୟ କରିଥିବା ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ (‘ଆମେରିକାକୁ ପୁଣି ମହାନ କରିବା’)ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହାର ଅର୍ଥ କେବଳ ଉଚ୍ଚ ଜ୍ଞାନକୌଶଳଭିତ୍ତିକ ଉତ୍ପାଦନ ଏକ ଦେଶର ସମସ୍ତ ନାଗରିକମାନଙ୍କୁ ନିଯୁକ୍ତି ଯୋଗାଇ ପାରିବ ନାହିଁ; ତେଣୁ ନୀଚା ଜ୍ଞାନକୌଶଳଯୁକ୍ତ ଖଞ୍ଜିବା କାର୍ଯ୍ୟର ମଧ୍ୟ ଆବଶ୍ୟକତା ରହିଛି।
ଆଇଫୋନ୍ ଖଞ୍ଜିବା କାର୍ଯ୍ୟ ଚୀନ୍ରୁ ଭାରତକୁ ସ୍ଥାନାନ୍ତରିତ କରିବା ପାଇଁ ‘ଆପ୍ଲ’ର ନିଷ୍ପତ୍ତି ଆମ ପାଇଁ ଏ ଦୃଷ୍ଟିରୁ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ଏହା ବ୍ୟତୀତ ଅନ୍ୟ ଏକ କାରଣ ଯୋଗୁଁ ମଧ୍ୟ ‘ଆପ୍ଲ’ର ଏହି ନିଷ୍ପତ୍ତି ଆମ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଖଞ୍ଜିବା ଭଳି ନୀଚା ଜ୍ଞାନକୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟରେ ଯେଉଁମାନେ ନିଯୁକ୍ତ ହୁଅନ୍ତି ସେମାନେ ମଧ୍ୟ ଅଭ୍ୟାସ, ପର୍ଯ୍ୟବେକ୍ଷଣ, ତାଲିମ ଓ କାରଖାନାର କର୍ମସଂସ୍କୃତିର ପ୍ରଭାବରେ କ୍ରମେ ଉଚ୍ଚତର ଦକ୍ଷତା ହାସଲ କରନ୍ତି, ଯେଉଁଭଳି ଚୀନ୍ରେ ଘଟିଛି। ମନେ ରଖିବା କଥା, ଭାରତରେ ଆଇଫୋନ୍ ଉତ୍ପାଦନ ଆରମ୍ଭ ହେବାର ଆଠ ବର୍ଷ ବିତି ଯାଇସାରିଥିଲେ ହେଁ ଏଠାରେ ଆଇଫୋନ୍ କାରଖାନାରେ ଶ୍ରମିକମାନଙ୍କର ଉତ୍ପାଦନଶୀଳତା ତଥାପି ନୀଚା ରହିଆସିଛି; ତ୍ରୁଟିଶୂନ୍ୟ ଫୋନ୍ ଖଞ୍ଜିବାରେ ସେମାନେ ଚୀନାମାନଙ୍କ ତୁଳନାରେ ପଛରେ ପଡ଼ି ରହିଛନ୍ତି।
‘ଆପ୍ଲ’ ବର୍ତ୍ତମାନ ଯଦି ଆଇଫୋନ୍ ଉତ୍ପାଦନର ଏକ ବିଶେଷ ଅଂଶ ଭାରତରେ ଅନୁଷ୍ଠିତ କରେ, ତେବେ ତା’କୁ ଏଠାରେ ଶ୍ରମ ଉତ୍ପାଦନଶୀଳତାରେ ବିଶେଷ ବୃଦ୍ଧି ଘଟାଇବା ନିମିତ୍ତ ଯତ୍ନଶୀଳ ହେବାକୁ ପଡ଼ିବ। ଏହା ଭାରତୀୟ ଶ୍ରମ ଶକ୍ତିକୁ ଯେ କେବଳ ଲାଭବାନ କରିବ, ତାହା ନୁହେଁ, ଭାରତକୁ କ୍ରମେ ସେଇଭଳି ଏକ କୁଶଳୀ ଉତ୍ପାଦନ ଶକ୍ତିରେ ପରିଣତ େହବାରେ ସହାୟକ ହେବ, ଯେଉଁଭଳି ଜାପାନ୍ ବା ଦକ୍ଷିଣକୋରିଆ ଆଦି ଦେଶମାନେ ହୋଇପାରିଛନ୍ତି। ଏଠାରେ ‘ଆପ୍ଲ’ ଅମଳରେ ବୃଦ୍ଧି ଭାରତ ପାଇଁ ତେଣୁ ବିଭିନ୍ନ କାରଣରୁ ବେଶ୍ ଲାଭଜନକ ହେବ।