ଭାରତ ଯେଉଁ ସମୟରେ ଆନ୍ତର୍ଜାତିକ ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ହୋଇ ସ୍ବଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାରର ପ୍ରସାର ଘଟାଇବା ନିମିତ୍ତ ବଦ୍ଧପରିକର ହୋଇଛି, ସେତେବେଳେ ପ୍ରଦୂଷଣହୀନ ଆଣବିକ ଶକ୍ତି ଉତ୍ପାଦନରେ ‘ହୋଲ୍‌ଟେକ୍’ର ସହାୟତା ଭାରତ ପାଇଁ ବେଶ୍ ସମୟୋପଯୋଗୀ ସାବ୍ୟସ୍ତ ହେବ। ‘ହୋଲ୍‌ଟେକ୍’ ବିକାଶ କରିଥିବା ‘ଏସ୍ଏମ୍ଆର୍-୩୦୦’ ରିଆକ୍ଟର୍ ହେଉଛି ‘ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଏନର୍ଜି’ ଅନୁମୋଦନ କରିଥିବା ସାତଟି ଉନ୍ନତ ରିଆକ୍ଟର୍ ଡିଜାଇନ୍‌ମାନଙ୍କ ମଧ୍ୟରୁ ଅନ୍ୟତମ।

Advertisment

ଯେଉଁ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର ଆଖିବୁଜା ଟାରିଫ୍ ଆକ୍ରମଣର କିପରି ନିରାପଦ ମୁକାବିଲା କରାଯିବ, ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଭଳି ଭାରତ ମଧ୍ୟ ତା’ର ଥଳକୂଳ ପାଉନାହିଁ, ସେଇ ସମୟରେ ସମସ୍ତଙ୍କୁ ଚକିତ କରିଦେଇ ଆମେରିକା ଭିନ୍ନ ଏକ କ୍ଷେତ୍ରରେ ଏପରି ଏକ ନିଷ୍ପତ୍ତି ଗ୍ରହଣ କରିଛି, ଯାହାକୁ ଭାରତ ପ୍ରତି ତା’ର ସୌହାର୍ଦ୍ଦ୍ୟପୂର୍ଣ୍ଣ ମନୋଭାବର ଏକ ଶକ୍ତିଶାଳୀ ନିଦର୍ଶନ ରୂପେ ବିଚାର କରାଯାଇପାରେ। ଆଜିକୁ ୧୮ ବର୍ଷ ତଳେ ଏଇଭଳି ଏକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରି ଦୁଇ ଦେଶ ମଧ୍ୟରେ ଯେଉଁ ଯୁଗାନ୍ତକାରୀ ବେସାମରିକ ଆଣବିକ ଚୁକ୍ତି (‘ଇଣ୍ଡୋ-ୟୁଏସ୍ ସିଭିଲ୍ ନ୍ୟୁକ୍ଲିଆର୍ ଆଗ୍ରିମେଣ୍ଟ’) ସ୍ବାକ୍ଷରିତ ହୋଇଥିଲା, ତାହା ଅନୁସାରେ ଏବେ ଆମେରିକା ସରକାର ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ଭାରତରେ ଆଣବିକ ରିଆକ୍ଟର୍ ଡିଜାଇନ୍ ଓ ନିର୍ମାଣ କରିବା ପାଇଁ ଏକ ଆମେରିକୀୟ କଂପାନିକୁ ଅନୁମତି ପ୍ରଦାନ କରିଛନ୍ତି।
ଆମେରିକା ସରକାରର ‘ଡିପାର୍ଟମେଣ୍ଟ ଅଫ୍ ଏନର୍ଜି’ (‘ଡିଓଇ’) ମାର୍ଚ୍ଚ ୨୬ରେ ଏହି ନିଷ୍ପତ୍ତି ଗ୍ରହଣ କରି ଭାରତକୁ କ୍ଷୁଦ୍ର ଆକରର ମଡ୍ୟୁଲାର୍ ରିଆକ୍ଟର୍ (‘ଏସ୍ଏମ୍ଆର୍’) ନିର୍ମାଣ ଟେକ୍‌ନୋଲୋଜି ହସ୍ତାନ୍ତର କରିବା ନିମିତ୍ତ ‘ହୋଲ୍‌ଟେକ୍ ଇଣ୍ଟର୍‌ନେସନାଲ୍’ ନାମକ ଏକ ଆମେରିକୀୟ କଂପାନିକୁ ଅନୁମତି ପ୍ରଦାନ କରିଛି। ଏହି ଅନୁମତି ବଳରେ କ୍ରିସ୍ ପି ସିଂହ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ଦ୍ବାରା ପ୍ରତିଷ୍ଠିତ ‘ହୋଲ୍‌ଟେକ୍’ ତିନିଗୋଟି ଭାରତୀୟ କଂପାନି –ନିଜର ଶାଖା ‘ହୋଲ୍‌ଟେକ୍ ଏସିଆ’, ‘ଟାଟା କନ୍‌ସଲ୍‌ଟିଙ୍ଗ୍ ଇଞ୍ଜିନିଅର୍ସ’ ଓ ଲାର୍ସେନ୍ ଆଣ୍ଡ୍ ଟୁବ୍ରୋ’–ଙ୍କୁ ୩୦ ମେଗାୱାଟ୍‌ରୁ ୩୦୦ ମେଗାୱାଟ୍ ପର୍ଯ୍ୟନ୍ତ କ୍ଷମତାସଂପନ୍ନ ଆଣବିକ ରିଆକ୍ଟର୍ ନିର୍ମାଣ ଜ୍ଞାନକୌଶଳ ହସ୍ତାନ୍ତର କରିପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ହୋଲ୍‌ଟେକ୍’ ମଧ୍ୟ ଏଥିସହିତ ତିନିଗୋଟି ରାଷ୍ଟ୍ରାୟତ୍ତ ସଂସ୍ଥା –‘ନିଉକ୍ଲିଆର୍ ପାୱାର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ’, ‘ନେସନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍’ ଓ ‘ଆଟମିକ୍ ଏନର୍ଜି ରିଭିଉ ବୋର୍ଡ’–ଙ୍କୁ ଏହି ଅନୁମୋଦିତ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ନିମିତ୍ତ ଆବେଦନ କରିଥିଲା; କିନ୍ତୁ ଭାରତ ସରକାର ଆଣବିକ ପ୍ରସାର ନ ଘଟିବା (‘ନନ୍‌ପ୍ରୋଲିଫରେସନ୍’) ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ ନ କରିବାରୁ ଏହା ସମ୍ଭବ ହେଲା ନାହିଁ।
ତେବେ ଭାରତ ସରକାର ମାର୍ଚ୍ଚ ୩ରେ ପ୍ରଦାନ କରିଥିବା ଅନ୍ୟ ଏକ ପ୍ରତିଶ୍ରୁତି ଯୋଗୁଁ ଆମେରିକା ବର୍ତ୍ତମାନ ‘ହୋଲ୍‌ଟେକ୍’କୁ ଏହି ଅନୁମୋଦନ ପ୍ରଦାନ କରିବା ସମ୍ଭବ ହୋଇଛି। ଏହା ଅନୁସାରେ ଯେଉଁ ଘରୋଇ କଂପାନିମାନେ ‘ହୋଲ୍‌ଟେକ୍’ ଠାରୁ ଏହି ଜ୍ଞାନକୌଶଳ ପାଇବେ, ସେମାନେ ତାହାକୁ ‘ଇଣ୍ଟର୍‌ନେସନାଲ୍ ଆଟମିକ୍ ଏନର୍ଜି ଏଜେନ୍‌ସି’ର ତତ୍ତ୍ବାବଧାନରେ କେବଳ ଶାନ୍ତିପୂର୍ଣ୍ଣ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ। ‘ହୋଲ୍‌ଟେକ୍’ ଟେକ୍‌ନୋଲୋଜି ହସ୍ତାନ୍ତର ସମ୍ବନ୍ଧରେ ପ୍ରତି ତିନି ମାସରେ ଥରେ ‘ଡିଓଇ’କୁ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇବ।
ଆମେରିକା ସରକାରଙ୍କର ଏହି ନିଷ୍ପତ୍ତି ଭାରତରେ ଆଣବିକ ଉପକରଣ ଡିଜାଇନ୍ କରିବା କିମ୍ବା ନିର୍ମାଣ କରିବା ପଥରେ ଆମେରିକୀୟ କଂପାନିମାନେ ସମ୍ମୁଖୀନ ହୋଇ ଆସୁଥିବା ପ୍ରତିବନ୍ଧକ ଦୂର କରିଛି। ଅବଶ୍ୟ ଆମେରିକା ସରକାରଙ୍କର ଏହି ଅନୁମୋଦନ କେତେଗୁଡ଼ିଏ ନିରାପତ୍ତା ସର୍ତ୍ତ ଉପରେ ଆଧାରିତ। ଉଦାହରଣ ସ୍ବରୂପ ଉପରୋକ୍ତ ତିନି ଘରୋଇ କଂପାନିମାନଙ୍କ ମଧ୍ୟରୁ କେହିହେଲେ କୌଣସି ରାଷ୍ଟ୍ରାୟତ୍ତ ଆଣବିକ ସଂସ୍ଥା ସହିତ କୌଣସି ମିଳିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବ ନାହିଁ। ଏହା ବ୍ୟତୀତ, ଆମେରିକା ସରକାରଙ୍କର ପୂର୍ବାନୁମତି ବିନା କୌଣସି ଭାରତୀୟ କିମ୍ବା ବିଦେଶୀ ତୃତୀୟ ପକ୍ଷ ସହିତ ଜ୍ଞାନକୌଶଳ ବଣ୍ଟନ କରାଯାଇ ପାରିବ ନାହିଁ।
ଆଣବିକ ଶକ୍ତି ବଜାରରେ ‘ଏସ୍ଏମ୍ଆର୍’ ପ୍ରତି ଚାହିଦା ବୃଦ୍ଧି ପାଉଥିବା ଯୋଗୁଁ ଏହି ଜ୍ଞାନକୌଶଳ ହସ୍ତାନ୍ତର ଭାରତକୁ ସେଇ ବଜାରରେ ଏକ ଶକ୍ତିଶାଳୀ ଅଂଶଗ୍ରହଣକାରୀରେ ପରିଣତ ହେବାରେ ସହାୟକ ହେବ। ଏପର୍ଯ୍ୟନ୍ତ ଭାରୀଜଳ ରିଆକ୍ଟର୍ ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଆସିଥିବା ଭାରତ ଏଥର ଆନ୍ତର୍ଜାତିକ ଧାରାରେ ସାମିଲ ହୋଇ ‘ଏସ୍ଏମ୍ଆର୍’କୁ ଆପଣେଇବା ସମ୍ଭବ ହେବ। ‘ହୋଲ୍‌ଟେକ୍’ ମଧ୍ୟ ଆବଶ୍ୟକ ହେଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ନିର୍ଦ୍ଦିଷ୍ଟ ଭାବରେ ଆଣବିକ ଶକ୍ତି କ୍ଷେତ୍ରରେ ବିକାଶ ଉଦ୍ୟମରେ ସାମିଲ ହେବା ପାଇଁ ଗୁଜରାଟରେ ଅବସ୍ଥିତ ତା’ର ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ କରି ଅଧିକ ନିଯୁକ୍ତି ସୃଷ୍ଟି କରିବା ନିମିତ୍ତ ନିଜର ଆଗ୍ରହ ପ୍ରକାଶ କରିଛି।
କିନ୍ତୁ ଆମେରିକା ସରକାରଙ୍କ ଏଇ ଗୋଟିଏ ପଦକ୍ଷେପ ଦ୍ବାରା ଉଭୟ ଦେଶ ମଧ୍ୟରେ ଆଣବିକ ସହଯୋଗ ପଥରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଗଲା ବୋଲି ଭାବିବା ଭୁଲ୍ ହେବ। ଏହି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ପାଇଁ ଭାରତକୁ ତଥାପି ଆଇନଗତ ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେମିତି, ‘ସିଭିଲ୍ ଲାଏବିଲିଟି ଫର୍ ନିଉକ୍ଲିଆର୍ ଡାମେଜ୍ ଆକ୍ଟ, ୨୦୧୦’ (‘ସିଏଲ୍ଏନ୍‌ଡିଏ’), ଯାହା ଅନୁସାରେ ଦୁର୍ଘଟଣାଜନିତ କ୍ଷୟକ୍ଷତି ପାଇଁ ରିଆକ୍ଟର୍ ନିର୍ମାତାମାନଙ୍କୁ ଦାୟୀ କରାଯାଇ ସେମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯିବା ପାଇଁ ନିୟମ କରାଯାଇଛି। ଏହା ବିଦେଶୀ ନିବେଶକମାନଙ୍କୁ ଛାନିଆ କରି ସେମାନଙ୍କୁ ଭାରତୀୟ ଆଣବିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁଛି। ସେହିପରି, ଘରୋଇ କଂପାନିମାନେ ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ନିମିତ୍ତ ବର୍ତ୍ତମାନ ଦେଶରେ ବଳବତ୍ତର ଥିବା ‘ଆଟମିକ୍ ଏନର୍ଜି ଆକ୍ଟ’ରେ ସଂଶୋଧନ ଆବଶ୍ୟକ। ଭାରତ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।
ଭାରତ ଯେଉଁ ସମୟରେ ଆନ୍ତର୍ଜାତିକ ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ହୋଇ ସ୍ବଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାରର ପ୍ରସାର ଘଟାଇବା ନିମିତ୍ତ ବଦ୍ଧପରିକର ହୋଇଛି, ସେତେବେଳେ ପ୍ରଦୂଷଣହୀନ ଆଣବିକ ଶକ୍ତି ଉତ୍ପାଦନରେ ‘ହୋଲ୍‌ଟେକ୍’ର ସହାୟତା ଭାରତ ପାଇଁ ବେଶ୍ ସମୟୋପଯୋଗୀ ସାବ୍ୟସ୍ତ ହେବ। ‘ହୋଲ୍‌ଟେକ୍’ ବିକାଶ କରିଥିବା ‘ଏସ୍ଏମ୍ଆର୍-୩୦୦’ ରିଆକ୍ଟର୍ ହେଉଛି ‘ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଏନର୍ଜି’ ଅନୁମୋଦନ କରିଥିବା ସାତଟି ଉନ୍ନତ ରିଆକ୍ଟର୍ ଡିଜାଇନ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ବ୍ରିଟେନ୍ ଓ କାନାଡାରେ ଏହାର ବ୍ୟବହାର ଆରମ୍ଭ କରାଯିବା ନିମିତ୍ତ ଆବଶ୍ୟକ ପ୍ରାଥମିକ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଲାଣି ବୋଲି ସୂଚନା ପ୍ରକାଶ ପାଇଛି।
ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ତେଣୁ ଏହି ନୂତନ ଆଣବିକ ବିପ୍ଳବକୁ ଅାଗେଇ ନେବା ପାଇଁ ଭାରତ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରିବା ନିମିତ୍ତ ଉପରୋକ୍ତ ଆଇନମାନଙ୍କରେ ତୁରନ୍ତ ସଂଶୋଧନ କରିବାକୁ ପଦକ୍ଷେପ ନେବା ଆବଶ୍ୟକ। ବିଶେଷ କରି ଉପରୋକ୍ତ ‘ସିଏଲ୍‌ଏନ୍‌ଡିଏ’ର ଉପଧାରା ୧୭(ବି)ରେ ସଂଶୋଧନ କରା ନ ଯିବା ଯାଏ, ‘ଜିଇ-ହିଟାଚି’, ‘ୱେଷ୍ଟିଙ୍ଗ୍ ହାଉସ୍’ ଓ ଫ୍ରାନ୍‌ସର ‘ଆରେଭା’ ଭଳି ପୃଥିବୀର ପ୍ରମୁଖ ଆଣବିକ ଭେଣ୍ଡର୍‌ମାନେ ଭାରତର ଆଣବିକ କ୍ଷେତ୍ରରେ ନିବେଶ କରିବା ପାଇଁ ଆଗେଇ ଆସିବା ସମ୍ଭାବନା କ୍ଷୀଣ। ଆମେରିକା ପ୍ରଦର୍ଶନ କରିଥିବା ଏହି ବିରଳ ବନ୍ଧୁତ୍ବରୁ ସର୍ବାଧିକ ସମ୍ଭବ ଲାଭ ଉଠାଇବା ପାଇଁ ଭାରତ ସରକାର ତୁରନ୍ତ ଅନାବଶ୍ୟକ ଆଇନଗତ ପ୍ରତିବନ୍ଧକମାନ ହଟାଇବାକୁ ଆଗେଇ ଆସିବା ଆଶା କରାଯାଏ।