କେବଳ ଲୋକପ୍ରିୟତା‌ ନୁହେଁ, ରାଜ୍ୟ ସ୍ତରରେ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଉଥିବା ଏଭଳି କେଉଁ ସ୍ବୀକୃତି ବା ପୁରସ୍କାର ବା ସମ୍ମାନ ନାହିଁ, ଯାହା ତାଙ୍କୁ ମିଳିନାହିଁ। କିନ୍ତୁ, ଉତ୍ତମ ସେହି ନିର୍ଦ୍ଦିଷ୍ଟ ସ୍ବୀକୃତିଟିକୁ ସର୍ବାଧିକ ଗୁରୁତ୍ବ ନେଉଥିଲେ, ଯାହା ‘ସ୍କ୍ରିନ୍‌’ ପତ୍ରିକାର ଚଳଚ୍ଚିତ୍ର ସମୀକ୍ଷା ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ତାଙ୍କ ଦ୍ବାରା ଅଭିନୀତ ଏକମାତ୍ର ଓ ଅତ୍ୟନ୍ତ ଅନାମଧେୟ ହିନ୍ଦୀ ସିନେମା ‘ନୟା ଜହର’ର ଏକ କ୍ଷୁଦ୍ର ସମୀକ୍ଷାରେ ସମୀକ୍ଷକ ଜଣକ ଧାଡ଼ିଏ ଲେଖିଥିଲେ ଯେ ଉତ୍ତମଙ୍କ ଅଭିନୟ ତାଙ୍କୁ ‘ଚକ୍ରା’ (୧୯୮୧) ସିନେମାରେ ନସିରୁଦ୍ଦିନ ଶାହଙ୍କୁ ମନେ ପକାଇ ଦେଇଥିଲା। ଉତ୍ତମଙ୍କ କେତେକ ବନ୍ଧୁ କହନ୍ତି ଯେ ଏହି ଧାଡ଼ିକ ତାଙ୍କ ଲାଗି ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ସେ ଅନେକ ବାର କହିଥିଲେ।

Advertisment

ଉତ୍ତମ ମହାନ୍ତିଙ୍କ ତିରୋଧାନ ସହିତ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ବିଷାଦଭରା ସ୍ବରରେ ସମସ୍ତେ କହୁଥିବାର ଶୁଣିବାକୁ ମିଳୁଛି। କିନ୍ତୁ ସତ କହିଲେ ସେହି ଯୁଗର ଅବସାନ କେବେଠାରୁ ଘଟି ସାରିଛି, କେବଳ ଯାହା ସେ ଯୁଗର ସର୍ବଶ୍ରେଷ୍ଠ ଓ ପ୍ରାୟ ଅନ୍ତିମ ପ୍ରତିନିଧି ଭାବେ ସେ ଜୀବିତ ଥିଲେ। ଅବଶ୍ୟ, ଏହା ସତ ଯେ ଯେଉଁ ଯୁଗ ବିଷୟରେ ଏଠାରେ କୁହାଯାଉଛି, ତହିଁ‌େର ଚମକ ସୃଷ୍ଟି କରିବା ଲାଗି ଆବିର୍ଭୂତ ହୋଇଥିଲେ ବା ଉପସ୍ଥିତ ଥିଲେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ଶ୍ରୀରାମ ପଣ୍ଡା, ଅଜିତ ଦାସ, ବିଜୟ ମହାନ୍ତି ଓ ମିହିର ଦାସ ଇତ୍ୟାଦିଙ୍କ ଭଳି ଅଭିନେତା; ପ୍ରଶାନ୍ତ ନନ୍ଦ ଓ ଶ୍ରୀରାମ ପଣ୍ଡା ମଧ୍ୟ ନାୟକ ଭାବେ ଅତ୍ୟନ୍ତ ଲୋକପ୍ରିୟ ତାରକାରେ ପରିଣତ ହୋଇଥିଲେ; କିନ୍ତୁ କଥା ହେଲା ଉତ୍ତମଙ୍କ ଭଳି ଏତେ ଦୀର୍ଘ କାଳ ଧରି ଅପାର ଜନାଦୃତି ଆଉ କାହା ଭାଗ୍ୟରେ ଜୁଟି ନ ଥିଲା। ବର୍ତ୍ତମାନ ଯେଉଁମାନେ ଷାଠିଏ ଉତ୍ତୀର୍ଣ୍ଣ ବା ଆଦ୍ୟ ସତୁରି ବର୍ଷ ବୟସରେ, ସେମାନେ ମନେ ପକାଇ ପାରନ୍ତି କିଭଳି ସେହି ଯୁଗରେ ନିରୁତା ଓଡ଼ିଆ କାହାଣୀକୁ ନେଇ ସିନେମାଟିଏ କରିବା ଲାଗି ସ୍ବପ୍ନ ବିଭୋର ପ୍ରଯୋଜକ-ନିର୍ଦ୍ଦେଶକମାନେ ହାତ‌େର ଅର୍ଥ ନ ଥିବା ସତ୍ତ୍ବେ ଆଗକୁ କୁଦି ପଡୁଥିଲେ, ସିନେମାଟି ଯଦି ସଫଳତାର ସହିତ ସମାପ୍ତ ହେଉଥିଲା, ତେବେ କିଭଳି ତାହା ମାସ ମାସ ଧରି ଭରପୂର ପ୍ରେକ୍ଷାଳୟରେ ଚାଲି ରହୁଥିଲା ଏବଂ ତାକୁ ଦେଖିବା ଲାଗି ଗାଡ଼ି ଭଡ଼ା କରି ଅନେକ ଦୂରରୁ ଦର୍ଶକମାନେ ସିନେମା ହଲ ପାଖରେ ରୁଣ୍ଡ ହେଉଥିଲେ; ବା କିଭଳି ସିନେମା ହଲର କୌଣସି ଜଣେ କର୍ମଚାରୀ ରିକ୍‌ସାରେ ବସି ମାଇକ୍‌ ଯୋଗେ ଆକର୍ଷଣୀୟ କଣ୍ଠରେ ସିନେମାଟିର ପ୍ରଚାର କରି ଚାଲିବାବେଳେ ରଙ୍ଗିନ କାଗଜର ‘ଲିଫଲେଟ୍‌’ମାନ ସଡ଼କ ଉପରେ ବିଞ୍ଚି ଦେଉଥିଲେ, ଯାହାକୁ ଗୋଟାଇବା ସହ ଆହୁରି ପାଇବା ପାଇଁ ରିକ୍‌ସା ପଛରେ ଊର୍ଦ୍ଧ୍ବ ଶ୍ବାସରେ ଦୌଡୁଥିଲେ ଦଳେ ଉଲ୍ଲସିତ ବାଳକ, ଯାହାକୁ କୁହାଯାଇପାରେ ଏବର ‘ବହ୍ବାଡ଼ମ୍ବରୀ ପ୍ରମୋସନ’ର ନିରୀହ ପୂର୍ବପୁରୁଷ। ଏହା ଷଷ୍ଠ-ସପ୍ତମ ଦଶକର କଥା, ଯେତେବେଳେ ଓଡ଼ିଆ-ପ୍ରାଣ ଚଳଚ୍ଚିତ୍ରଗୁଡ଼ିକ ଅପୂର୍ବ ରୋମାଞ୍ଚ ସୃଷ୍ଟି କରୁଥିଲେ। ସେହି ବେଳାରେ ହିଁ ଉତ୍ତମ ମହାନ୍ତିଙ୍କ ଆବିର୍ଭାବ ଘଟିଥିଲା, ଯିଏ କ୍ରମେ ପରିଣତ ହୋଇଥିଲେ ଉତ୍ତର ମେରୁର ସେହି ନକ୍ଷତ୍ରରେ, ଯାହା ପରବର୍ତ୍ତୀ ପିଢ଼ିର ଯାତ୍ରା ସକାଶେ ଦିଗ ଓ ପଥ ଦର୍ଶାଇଥିଲା। 
୧୯୭୭ ମସିହାରେ ‘ଅଭିମାନ’ ନାମକ ଏକ ସୁକୋମଳ ଓ ପ୍ରାଣବନ୍ତ କଳା-ଧଳା ସିନେମାର ନାୟକ ଭୂମିକାରେ ତରୁଣ ଉତ୍ତମ ମହାନ୍ତି ଦେଖାଦେଇଥିଲେ, ଯାହାଙ୍କୁ ଓଡ଼ିଆ ଦର୍ଶକମାନେ ତତ୍‌କ୍ଷଣାତ ପଡ଼ିଶା ଘରର ‘ଛୁଆ’ ଭଳି ସାଦରେ ଆପଣାଇ ନେଇଥିଲେ, ଏବଂ ସେହି ସ୍ନେହ ଦୁଇ ଦଶନ୍ଧିରୁ ଅଧିକ କାଳ ଅତୁଟ ରହି ତାଙ୍କୁ ୧୩୫ଟି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଓ ସାମର୍ଥ୍ୟ ଦେଇଥିଲା। ଅନେକ ଦୃଷ୍ଟିରୁ ‘ଅଭିମାନ’ ଥିଲା ଏକ ବ୍ୟତିକ୍ରମ ଚଳଚ୍ଚିତ୍ର; ଯହିଁରେ ସଂପୂର୍ଣ୍ଣ ନବାଗତ ଯୋଡ଼ି ନାୟକ ଓ ନାୟିକା (ରୀତା ଚାନ୍ଦ) ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଓଡ଼ିଆ ସିନେମାର ପ୍ରାଣକେନ୍ଦ୍ର କଟକ ଠାରୁ ଅନେକ ଦୂର‌େର ଅବସ୍ଥିତ କ୍ଷୁଦ୍ର ବାରିପଦା ସହରର ଗଣେଶ ଜିଉ ଥିଲେ ତା’ର ପ୍ରୟୋଜକ। ନିର୍ଦ୍ଦେଶକ ସାଧୁ ମେହେରଙ୍କ ଉଦ୍ୟମ ଥିଲା ସାଂସ୍କୃତିକ ଭାବେ ଚଳଚଞ୍ଚଳ ବାରିପଦା ସହରରୁ ପ୍ରତିଭାମାନଙ୍କୁ ଏଥିରେ ସ୍ଥାନ ଦେବେ। ‘ଅଭିମାନ’ରେ ଉତ୍ତମ ମହାନ୍ତିଙ୍କ ପ୍ରବେଶକୁ ନେଇ ମଧ୍ୟ କେତେକ କାହାଣୀ ଶୁଣିବାକୁ ମିଳିଥାଏ। କଥା ହେଲା, ‘ଅଭିମାନ’ର ଅଭିନେତା ଚୟନ ସକାଶେ ସାକ୍ଷାତ୍‌କାର ପାଇଁ ପ୍ରେରିତ ପତ୍ରଟି ଉତ୍ତମଙ୍କ ବାରିପଦା ବସାଘର ଠିକଣାରେ ଯାଇ ସୁଦ୍ଧା ତାଙ୍କୁ ପାଇ ନ ଥିଲା, କାରଣ ସେ ସେତେବେଳକୁ ପଞ୍ଜାବରେ ଉଚ୍ଚଶିକ୍ଷା ଲାଭ କରୁଥିଲେ। ତେବେ, କୌଣସି ସୂତ୍ରରୁ ଖବର ପାଇ ଝଡ଼ ଭଳି ଆସି ପହଞ୍ଚି ଯାଇଥିଲେ ଉତ୍ତମ ଏବଂ ତାଙ୍କୁ ନେବା ଲାଗି ଏକରକମ ବାଧ୍ୟ କରିଥିଲେ। ଅବଶ୍ୟ, ସାଧୁ ମେହେର ମଧ୍ୟ ଜାଣି ପାରିଥିଲେ ଯେ ସଂସ୍କୃତିବନ୍ତ ବାରିପଦାର ‘ଡି.ଏନ.ଏ.’ ଧାରଣ କରି କୈଶୋରରୁ ଅଭିନୟରେ ମାତିଥିବା ଏହି ସୌମ୍ୟଦର୍ଶନ ଜିଦିଆ ତରୁଣଟି ହେଉଛି ଏକ ଲମ୍ବା ରେସ୍‌ର ଘୋଡ଼ା, ଯେଉଁ ଧାରଣାଟି ପରେ ପ୍ରମାଣିତ ହେଲା ମଧ୍ୟ!
ଅଭିନୟ ପଟୁତାରେ ହୁଏତ ଉତ୍ତମଙ୍କ ସମକକ୍ଷ କିଛି ଅଭିନେତା‌ ସପ୍ତମ ଦଶକରୁ ନବମ ଦଶକ ପର୍ଯ୍ୟନ୍ତ କାଳଖଣ୍ଡରେ ଓଡ଼ିଆ ‌ସିନେମା କ୍ଷେତ୍ରରେ ଥିଲେ, କିନ୍ତୁ ଦର୍ଶକମାନଙ୍କୁ ଆକର୍ଷଣ କରିବାର ଚୁମ୍ବକୀୟତା ଦୃଷ୍ଟିରୁ ଅନ୍ୟମାନଙ୍କ ଠାରୁ ଉତ୍ତମ ଆଗରେ ରହିଥିଲେ। କହିବାରେ ଦ୍ବିଧା ନାହିଁ ଯେ ସେ ହିଁ ସର୍ବାଧିକ ସଂଖ୍ୟକ ହିଟ୍‌ ସିନେମା ଦେଇଛନ୍ତି। ଆଉ ଯେଉଁ ବିଷୟ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ, ତାହା ହେଲା ବିଭିନ୍ନ ଚରିତ୍ରକୁ ବିଶ୍ବସନୀୟ ଢଙ୍ଗରେ ରୂପ ଦେବା ଲାଗି ତାଙ୍କ ଠାରେ ନିହିତ ଥିବା ଦକ୍ଷତା; ‘ଦଣ୍ଡା ବାଳୁଙ୍ଗା’ କିଭଳି ଅବଲୀଳା କ୍ରମେ ‘ଭକ୍ତ ସାଲବେଗ’ ମଧ୍ୟ ହୋଇପାରେ, ଉତ୍ତମ ଥିଲେ ତା’ର ଏକ ଦୃଷ୍ଟାନ୍ତ। କେବଳ ଲୋକପ୍ରିୟତା‌ ନୁହେଁ, ରାଜ୍ୟ ସ୍ତରରେ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଉଥିବା ଏଭଳି କେଉଁ ସ୍ବୀକୃତି ବା ପୁରସ୍କାର ବା ସମ୍ମାନ ନାହିଁ, ଯାହା ତାଙ୍କୁ ମିଳିନାହିଁ। କିନ୍ତୁ, ଉତ୍ତମ ସେହି ନିର୍ଦ୍ଦିଷ୍ଟ ସ୍ବୀକୃତିଟିକୁ ସର୍ବାଧିକ ଗୁରୁତ୍ବ ନେଉଥିଲେ, ଯାହା ‘ସ୍କ୍ରିନ୍‌’ ପତ୍ରିକାର ଚଳଚ୍ଚିତ୍ର ସମୀକ୍ଷା ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ତାଙ୍କ ଦ୍ବାରା ଅଭିନୀତ ଏକମାତ୍ର ଓ ଅତ୍ୟନ୍ତ ଅନାମଧେୟ ହିନ୍ଦୀ ସିନେମା ‘ନୟା ଜହର’ର ଏକ କ୍ଷୁଦ୍ର ସମୀକ୍ଷାରେ ସମୀକ୍ଷକ ଜଣକ ଧାଡ଼ିଏ ଲେଖିଥିଲେ ଯେ ଉତ୍ତମଙ୍କ ଅଭିନୟ ତାଙ୍କୁ ‘ଚକ୍ରା’ (୧୯୮୧) ସିନେମାରେ ନସିରୁଦ୍ଦିନ ଶାହଙ୍କୁ ମନେ ପକାଇ ଦେଇଥିଲା। ଉତ୍ତମଙ୍କ କେତେକ ବନ୍ଧୁ କହନ୍ତି ଯେ ଏହି ଧାଡ଼ିକ ତାଙ୍କ ଲାଗି ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ସେ ଅନେକ ବାର କହିଥିଲେ। 
ଉତ୍ତମଙ୍କ ଅବର୍ତ୍ତମାନରେ ଆଜି ଯେଉଁମାନେ ତାଙ୍କୁ ମନେ ପକାଉଛନ୍ତି, ସେମାନେ ତାଙ୍କ ଅକୃତ୍ରିମ ସ୍ନେହ, ଖୋଲା ମନ, ତାରୁଣ୍ୟର ଉସ୍ତାଦୀ, ଅନନ୍ୟ ଓ ଅସରନ୍ତି ହାସ୍ୟରସବୋଧ ଓ ହୃଦୟବତ୍ତା ବିଷୟରେ କହୁଛନ୍ତି। ଅଭିନେତା ଶ୍ରୀତମ ଦାଶ ଏକ ଟେଲିଭିଜନ ସାକ୍ଷାତ୍‌କାରରେ କହିଛନ୍ତି କିଭଳି ପୁରୀ ବେଳାଭୂମିରେ ସେ ଉଠାଇଥିବା ଏକ ଫଟୋ ଖବରକାଗଜକୁ ଦେଇଥିବାରୁ ବଡ଼ଭାଇସୁଲଭ ସ୍ନେହବୋଳା ରାଗ ପ୍ରକାଶ କରି ଉତ୍ତମ କହିଥିଲେ, ‘ଏକ୍ଟରଟେ ହୋଇ କେଉଁ ଫଟୋ ମିଡିଆକୁ ଦିଆଯିବା କଥା, ତାହା ଜାଣିଲୁ ନାହିଁ!’ ଉତ୍ତମଙ୍କ କହିବାର ତାତ୍ପର୍ଯ୍ୟ ଥିଲା ଯେ ଅନେକ ସମୟରେ ବେଳାଭୂମିରେ ଉଠୁଥିବା ଫଟୋରେ ମୁହଁ କଳା ଦେଖାଯାଏ ଏବଂ ଜଣେ ଅଭିନେତା ଲାଗି ତା’ର ଚେହେରା ହେଉଛି ଏକ ବଡ଼ ପୁଂଜି। ଶ୍ରୀତମ କହନ୍ତି କିଭଳି ବେଶଭୂଷା ବ୍ୟାପାରରେ ଉତ୍ତମ ଥିଲେ ସଦା ସତର୍କ। ସେମିତି ଚିତ୍ରନାଟ୍ୟ ବା ସଂଳାପ ଲେଖକ ରଜନୀ ରଂଜନ କହିଛନ୍ତି ଯେ ଉତ୍ତମଙ୍କ ‘ବାୟୋ-ପିକ୍‌’ ତିଆରି କରିବା ନେଇ ସେ ଥରେ ଆଗ୍ରହ ପ୍ରକାଶ କରନ୍ତେ ଉତ୍ତମ କୁଆଡ଼େ ହସରେ ଉଡ଼ାଇଦେଇ କହିଥିଲେ, ‘ମୁଁ ଏମିତି କ’ଣ କରି ପକାଇଛି ଯେ!’ ତାଙ୍କର ଅନେକ ସତୀର୍ଥ ଏହା ମଧ୍ୟ କହନ୍ତି ଯେ ତାଙ୍କ ଶୋଣିତରେ ଅଭିନୟ ଏକ କଣିକା ଭଳି ଘୂରି ବୁଲୁଥିଲା, ଯହିଁରେ ଅର୍ଥ ରୋଜଗାର ବିଷୟ ଅନେକ ସମୟରେ ଗୌଣ ହୋଇଯାଉଥିଲା। ତାଙ୍କ ସହ କାର୍ଯ୍ୟ କରିଥିବା ଜୁନିଅର କଳାକାର, ସ୍ପଟ ବୟ ଓ ତଳିଆ କର୍ମୀମାନେ ଏହି ସୁପରଷ୍ଟାରଙ୍କ ବିଶାଳ ହୃଦୟର ଉଦାହରଣ ଦେଇ ତାଙ୍କୁ ମନେ ପକାନ୍ତି। 
ମୃତ୍ୟୁ ପରେ କ’ଣ ଆମକୁ ବଞ୍ଚାଇ ରଖେ? ସେମାନେ ବିଚ୍ଛରଣ କରିଥିବା ଆଲୋକ ଯାହା, ଆମେରିକୀୟ ଔପନ୍ୟାସିକା ଡୋନା ଟାର୍ଟଙ୍କ ଭାଷାରେ, ଆମ ସ୍ବପ୍ନରେ ବା ସ୍ମୃତିରେ ଆସି ସେମାନଙ୍କ ଦର୍ଶନ କରାଏ, ସେମାନଙ୍କୁ ଆମ ଭିତରେ ବଞ୍ଚାଇ ରଖେ। ଡୋନା ଟାର୍ଟ କହନ୍ତି, ‘ତା’ ନ ହେଲେ ଆମ ଭିତରେ ବଞ୍ଚି ରହିବା ଲାଗି ସେମାନଙ୍କ ଠାରେ ଆଉ କିଛି ଉପାୟ ହିଁ ନାହିଁ, ଠିକ୍‌ ଯେମିତି ମୃତ ନକ୍ଷତ୍ରଗୁଡ଼ିକ ଅନ୍ତରୀକ୍ଷରେ ସେମାନଙ୍କ ଅନୁପସ୍ଥିତି ସତ୍ତ୍ବେ ଏକଦା ବିଚ୍ଛୁରଣ କରିଥିବା ଆଲୋକ ସକାଶେ ଆମ ଆଖିରେ ଭାସ୍ବର ହୋଇ ରହନ୍ତି। କହିବା ବାହୁଲ୍ୟ, ଉତ୍ତମ ମହାନ୍ତି ଥିଲେ ସେହିଭଳି ଏକ ନକ୍ଷତ୍ର, ଯାହାଙ୍କ ଆଲୋକ ତାଙ୍କ ଅବର୍ତ୍ତମାନରେ ମଧ୍ୟ ଦୂରଗାମୀ ହୋଇ ତାଙ୍କୁ ଅନେକ କାଳ ଯାଏ ସ୍ମୃତିରେ ବଞ୍ଚାଇ ରଖିବ।