ଭାରତର ଏକ ଦଳିତ ପରିବାରରେ ଜନ୍ମ ନେଇଥିବା ବ୍ୟକ୍ତି ନିଜ ସାମର୍ଥ୍ୟ ବଳରେ ବିଘ୍ନ ଅତିକ୍ରମୀ ହୋଇ ଶୃଙ୍ଗାରୋହଣ କରିପାରେ, ତା’ର ଉଜ୍ଜ୍ବଳତମ ଦୃଷ୍ଟାନ୍ତ ଥିଲେ ଡକ୍ଟର ଆମ୍ବେଦକର, ଯାହାଙ୍କ ପଦାଙ୍କ ଅନୁସରଣ କରି ନ୍ୟାୟମୂର୍ତ୍ତି ଗୱଇ ଉଚ୍ଚତମ ଅଦାଲତର ଉଚ୍ଚତମ ପଦରେ ଆସୀନ ହୋଇଛନ୍ତି। ଏହାକୁ ଆମ୍ବେଦକରଙ୍କ ଏକ ସ୍ବପ୍ନ ପୂରଣ ରୂପେ ମଧ୍ୟ ଦେଖାଯାଇପାରେ।
ଗଲା ବୁଧବାର ଦିନ ନ୍ୟାୟମୂର୍ତ୍ତି ଭୂଷଣ ରାମକୃଷ୍ଣ ଗୱଇ ସର୍ବୋଚ୍ଚ ନ୍ୟାୟାଳୟର ବାଉନତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଏହି ପଦରେ ଆସୀନ ହୋଇଥିବା ଦଳିତ ବର୍ଗର ଦ୍ବିତୀୟ ବ୍ୟକ୍ତି ଏବଂ ପ୍ରଥମ ବୌଦ୍ଧ ଧର୍ମାବଲମ୍ବୀ। ଏହା ସହିତ ବିଦାୟୀ ମୁଖ୍ୟ ନ୍ୟାୟାଧୀଶ ସଂଜୀବ ଖାନ୍ନାଙ୍କ ପ୍ରାୟ ଛଅ ମାସର କାର୍ଯ୍ୟକାଳ ସମାପ୍ତ ହୋଇଛି, ଯାହା ସଂକ୍ଷିପ୍ତ ହୋଇଥିଲେ ହେଁ ଏକାଧିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା। ଉପରୋକ୍ତ ଦୁଇ ନ୍ୟାୟାଧୀଶଙ୍କ ମଧ୍ୟରେ ଯେଉଁ ସାଦୃଶ୍ୟଟି ବିଦ୍ୟମାନ, ତାହା ହେଲା ମୂଲ୍ୟବୋଧ ଦୃଷ୍ଟିରୁ ଉଭୟ ସମୃଦ୍ଧ ବୁନିଆଦିର ଉତ୍ତରାଧିକାରୀ, ଯେଉଁ କାରଣରୁ ସେମାନଙ୍କ ଠାରୁ ମଧ୍ୟ ଉଚ୍ଚ ପ୍ରତ୍ୟାଶା ରଖା ଯାଇଥାଏ। ଏହି ପରିପ୍ରେକ୍ଷୀରେ ଉଭୟ ବିଦାୟୀ ଓ ନୂତନ ମୁଖ୍ୟ ବିଚାରପତିଙ୍କ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ପ୍ରାୟ ସମସ୍ତେ ସ୍ବୀକାର କରିବେ ଯେ ବିଗତ କିଛି ବର୍ଷ ହେଲାଣି ବିଭିନ୍ନ କାରଣରୁ ଉଚ୍ଚ ଅଦାଲତର ବିଚାରପତିମାନଙ୍କ ନିରପେକ୍ଷତା ଓ ସାଧୁତା ପ୍ରତି ଲୋକ ଆସ୍ଥା କ୍ରମେ ଦୁର୍ବଳ ହୋଇଛି; ଯାହାର କାରଣ ଲିଙ୍ଗ, ସଂପ୍ରଦାୟ ଓ ରାଜନୈତିକ ଆନୁଗତ୍ୟ ଇତ୍ୟାଦି ଘେନି କେତେକ ବିଚାରପତିଙ୍କ ଦ୍ବାରା ପ୍ରଦତ୍ତ ପକ୍ଷପାତୀ ରାୟ; ଗଣମାଧ୍ୟମ, ଲୋକକ୍ଷେତ୍ର ଏପରିକି ରାଜନୈତିକ କ୍ଷମତା କେନ୍ଦ୍ର ସହିତ ନ୍ୟାୟମୂର୍ତ୍ତିମାନଙ୍କ ଅବାଂଛିତ ସାମୀପ୍ୟ; ଅବସର ପରେ ଉଚ୍ଚ ସାଂବିଧାନିକ ପଦ ଲାଭର ଲାଳସାରେ କେତେକ ବିଚାରପତିଙ୍କ ଦ୍ବାରା ଦାୟିତ୍ବର ଅପବ୍ୟବହାର; ବିଚାରପତିମାନଙ୍କ ସାଧୁତା ଏବଂ ସେହି କ୍ରମରେ ଜନୈକ ବିଚାରପତିଙ୍କ ବାସଭବନରୁ କେଇ କୋଟି ନଗଦ ଟଙ୍କାର ବସ୍ତାମାନ ଦୈବାତ୍ ଆବିଷ୍କାର ହେବା ଭଳି ଘଟଣା ଇତ୍ୟାଦି! ଏଭଳି ଏକ ଦୃଶ୍ୟପଟରେ ଭାରତୀୟ ନ୍ୟାୟ-ବ୍ୟବସ୍ଥା ସହୁଥିବା ଭାବମୂର୍ତ୍ତିଗତ କ୍ଷୟକ୍ଷତିର ଭରଣା କରିବା ଯେ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ଧ୍ୟେୟ ହୋଇଥିବ, ତାହା କହିବା ବାହୁଲ୍ୟ ମାତ୍ର! ଏବଂ ସେହି ଉଦ୍ୟମ ତାଙ୍କ ସ୍ବଳ୍ପ ଅବଧିର କାର୍ଯ୍ୟ କାଳରେ ପରିଦୃଷ୍ଟ ହୋଇଛି। ଦିଲ୍ଲୀ ଉଚ୍ଚ ଅଦାଲତର ବିଚାରପତି ଯଶୋବନ୍ତ ବର୍ମାଙ୍କ ବାସଭବନରୁ ଅର୍ଧ ଦଗ୍ଧ ନୋଟ୍ ବସ୍ତାମାନ ଆବିଷ୍କୃତ ହେବା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହିତ ଅନେକତ୍ର ସନ୍ଦେହ ପ୍ରକଟିତ ହୋଇଥିଲା ଯେ ସଖ୍ୟ ଭାବ ପୋଷଣ କରି ଅଭିଯୁକ୍ତ ବିଚାରପତିଙ୍କୁ ହୁଏତ ସୁରକ୍ଷା ପ୍ରଦାନ କରାଯିବାର ପ୍ରୟାସ କରାଯିବ! ଏଭଳି ସନ୍ଦେହ ମଧ୍ୟ ଦୃଢ଼ୀଭୂତ ହୋଇଥିଲା ଯେତେବେଳେ ଏହି ଘଟଣା ଘଟିବା ଦିନ ହିଁ ଯଶୋବନ୍ତ ବର୍ମାଙ୍କ ବଦଳି ଆଲହାବାଦ ଉଚ୍ଚ ନ୍ୟାୟାଳୟକୁ ହୋଇଯାଇଥିଲା! କିନ୍ତୁ, ମୁଖ୍ୟ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନା ଏଭଳି ଧାଣଣାକୁ ଚୂର୍ଣ୍ଣ କରି ଉଦ୍ଧାର କରାଯାଇଥିବା ନୋଟ ବସ୍ତାର ଫଟୋ, ଭିଡିଓ ସହିତ ଅନ୍ୟାନ୍ୟ ସମସ୍ତ ବିବରଣୀ ସୁପ୍ରିମ୍ କୋର୍ଟର ୱେବ୍ ପୃଷ୍ଠାରେ ସ୍ଥାନୀତ କରାଇ ଗୋପନୀୟତାର ସାମନ୍ୟତମ ସନ୍ଦେହକୁ ପ୍ରଶ୍ରୟ ଦେଇ ନ ଥିଲେ। କେବଳ ସେତିକି ନୁହେଁ, ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟି ମାଧ୍ୟମରେ ତୁରନ୍ତ ଅନୁସନ୍ଧାନର ଆଦେଶ ଦେଇଥିଲେ। ଇତିମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଜଷ୍ଟିସ ବର୍ମାଙ୍କୁ ପଦ ତ୍ୟାଗ କରିବାକୁ ତାଙ୍କ ଆଦେଶ ଅମାନ୍ୟ କରାଯିବା ପରିପ୍ରେକ୍ଷୀରେ ସେ ତାଙ୍କର ବହିଷ୍କାର ଲାଗି ସୁପାରିସ କରିବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସାରିଛନ୍ତି, ଯାହା ଭାରତୀୟ ନ୍ୟାୟ-ବ୍ୟବସ୍ଥାର ଇତିହାସରେ ପ୍ରଥମ ଦୃଷ୍ଟାନ୍ତ। କେବଳ ସେତିକି ନୁହେଁ, ବିଚାରପତିମାନଙ୍କ ସାଧୁତାକୁ ନେଇ ଲୋକ-ଆସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତାଙ୍କ ଆଗ୍ରହ ମୁତାବକ ଏହି ସ୍ବଳ୍ପ ସମୟ କାଳରେ ଉଚ୍ଚ ଅଦାଲତର ୨୪ ଜଣ ବିଚାରପତି ୱେବ୍ସାଇଟ୍େର ସେମାନଙ୍କ ସଂପତ୍ତିର ବିବରଣୀ ପ୍ରଦାନ କରି ସାରିଲେଣି। ପ୍ରକାଶ ଥାଉ କି ବିଚାରପତିମାନଙ୍କ ଦ୍ବାରା ସଂପତ୍ତିର ବିବରଣୀ ପ୍ରକାଶ୍ୟ କରିବା ସଂକ୍ରାନ୍ତ ନିୟମ ପୂର୍ବରୁ ଥିଲେ ହେଁ ତାହା ବସ୍ତୁତଃ ଅବଜ୍ଞାର ପାତ୍ର ହୋଇ ରହି ଆସିଥିଲା। ଉଚ୍ଚ ଅଦାଲତର ବିଚାରପତିମାନଙ୍କ ଉଚ୍ଚ ଭାବମୂର୍ତ୍ତି ପୁନଃସ୍ଥାପନ ଦିଗରେ ଜଷ୍ଟିସ ଖାନ୍ନାଙ୍କ ଉଦ୍ୟମ ୨୦୧୯ ମସିହାରୁ ପରିଦୃଷ୍ଟ, ଯାହାଙ୍କ ରାୟ ବଳରେ ମୁଖ୍ୟ ବିଚାରପତିଙ୍କ କଲେଜିଅମ ସୂଚନା ଅଧିକାର ପରିସରଭୁକ୍ତ ହୋଇଥିଲା। ସେହି ଦୃଷ୍ଟିରୁ ତାଙ୍କ କ୍ଷୁଦ୍ର କାର୍ଯ୍ୟକାଳ ସ୍ମରଣ ଯୋଗ୍ୟ ହୋଇ ରହିବ।
ଜଷ୍ଟିସ ସଂଜୀବ ଖାନ୍ନାଙ୍କ ବିଶେଷତ୍ବ ହେଲା ଏହା ଯେ ନ୍ୟାୟାଧୀଶ ଭାବେ ଯେଉଁଭଳି ଶୀଳତା, ଆତ୍ମ-ପ୍ରଚାର ବିମୁଖତା ଏବଂ ଲୋକକ୍ଷେତ୍ର ଠାରୁ ବିବେଚନାଯୋଗ୍ୟ ଦୂରତ୍ବ ଲୋଡ଼ା ଯାଇଥାଏ, ତାହା ସେ ନିଜ ଆଚରଣରେ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ବିଚାରପତି ଭାବେ ସେ ନୂତନ ‘ୱାକଫ୍’ ଆଇନ ବିରୋଧରେ ଆସିଥିବା ମାମଲାର ପରିଚାଳନା କରି କେତେକ ସୂକ୍ଷ୍ମ ପ୍ରଶ୍ନ ଆଧାରରେ ଆଇନ ପ୍ରବର୍ତ୍ତନ ଉପରେ ରହିତାଦେଶ ଲଗାଇଛନ୍ତି। ଏହା ପୂର୍ବରୁ ଜଣେ ବରିଷ୍ଠ ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି, ଯାହା ମଧ୍ୟରେ ଧାରା ୩୭୦ ବିଲୋପନର ଯଥାର୍ଥତା ବା ଇଲେକ୍ଟରାଲ ବଣ୍ଡ ଦୁର୍ନୀତି ସଂକ୍ରାନ୍ତ ମାମଲା ବିଶେଷ ଭାବେ ଦ୍ରଷ୍ଟବ୍ୟ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅବସର ପରେ ସେ କୌଣସି ସାଂବିଧାନିକ ପଦ ଗ୍ରହଣ କରିବେ ନାହିଁ। ଏହି ପରିପ୍ରେକ୍ଷୀରେ ତାଙ୍କ କକା ଜଷ୍ଟିସ ଏଚ. ଆର. ଖାନ୍ନା ସ୍ମରଣକୁ ଆସନ୍ତି, ଯାହାଙ୍କ ଅନମନୀୟ ଚାରିତ୍ରିକ ଏକାନ୍ତିକତାକୁ କୌଣସି ହାଲରେ ମଳିନ ନ କରିବା ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଏକମାତ୍ର ଧ୍ୟେୟ ହୋଇଥିବ! ଉଲ୍ଲେଖଯୋଗ୍ୟ ଯେ ୧୯୭୬-୭୭ ମସିହାର ‘ଇମର୍ଜେନସି’ କାଳରେ, ଯେତେବେଳେ ନ୍ୟାୟପାଳିକା ସମେତ ସବୁ ଗଣତାନ୍ତ୍ରିକ ଅନୁଷ୍ଠାନକୁ ନତଜାନୁ କରିବାର ସରକାରୀ ଉଦ୍ୟମ ପ୍ରାରମ୍ଭ ହୋଇ ଯାଇଥିଲା, ସେତିକି ବେଳେ ଜଷ୍ଟିସ ଏଚ. ଆର. ଖାନ୍ନା ଏକ ମାତ୍ର ଦୃପ୍ତ ଅବଜ୍ଞାକାରୀ ସ୍ବର ଭାବେ ଶୁଭିଥିଲେ। ଜବଲପୁର ଏ.ଡି.ଏମ. ବନାମ ଶିବ ପ୍ରକାଶ ଶୁକ୍ଳ ମାମଲାର ଶୁଣାଣି କରି ଏକ ପାଞ୍ଚଜଣିଆ ଖଣ୍ଡପୀଠର ଏକମାତ୍ର ବିଚାରପତି ଭାବେ ସେ ଜରୁରୀକାଳୀନ ପରିସ୍ଥିତିରେ ସରକାରଙ୍କ ଦ୍ବାରା ନାଗରିକର ମୌଳିକ ଅଧିକାରର ହନନକୁ ବେଆଇନ ବୋଲି ଦର୍ଶାଇଥିଲେ, ଯାହାର ପରିଣାମ ସ୍ବରୂପ ସରକାରୀ ଆକ୍ରୋଶ ସହ୍ୟ ମଧ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଜୀବ ଖାନ୍ନା ନିଜକୁ ସେହି ବୁନିଆଦର ପଥର ବୋଲି ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଇପାରେ।
ନୂତନ ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ ବି.ଆର. ଗୱଇ ମଧ୍ୟ ସେଭଳି ଏକ ଗରିମାପୂର୍ଣ୍ଣ ବୁନିଆଦର ଅଂଶ, ଯାହାର ପ୍ରଥମ ପଥର ରଖିଥିଲେ ବାବାସାହେବ ଡକ୍ଟର ଆମ୍ବେଦକର। ଭାରତର ଏକ ଦଳିତ ପରିବାରରେ ଜନ୍ମ ନେଇଥିବା ବ୍ୟକ୍ତି ନିଜ ସାମର୍ଥ୍ୟ ବଳରେ ବିଘ୍ନ ଅତିକ୍ରମୀ ହୋଇ ଶୃଙ୍ଗାରୋହଣ କରିପାରେ, ତା’ର ଉଜ୍ଜ୍ବଳତମ ଦୃଷ୍ଟାନ୍ତ ଥିଲେ ଡକ୍ଟର ଆମ୍ବେଦକର, ଯାହାଙ୍କ ପଦାଙ୍କ ଅନୁସରଣ କରି ନ୍ୟାୟମୂର୍ତ୍ତି ଗୱଇ ଉଚ୍ଚତମ ଅଦାଲତର ଉଚ୍ଚତମ ପଦରେ ଆସୀନ ହୋଇଛନ୍ତି। ଏହାକୁ ଆମ୍ବେଦକରଙ୍କ ଏକ ସ୍ବପ୍ନ ପୂରଣ ରୂପେ ମଧ୍ୟ ଦେଖାଯାଇପାରେ। ୨୦୧୯ ମସିହାରେ ରଂଜନ ଗଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିଅମ ଦ୍ବାରା ଜଷ୍ଟିସ ଗୱଇ ତିନି ଜଣ ବରିଷ୍ଠତର ବିଚାରପତିଙ୍କୁ ଅତିକ୍ରମ କରି ସର୍ବୋଚ୍ଚ ଅଦାଲତର ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ। ସେହି ସମୟରେ ଗଗୋଇ କହିଥିଲେ ଯେ ସର୍ବୋଚ୍ଚ ଅଦାଲତରେ ଦଳିତ ବର୍ଗର ପ୍ରତିନିଧିତ୍ବ ସକାଶେ ଏହା ଆବଶ୍ୟକ ଥିଲା। ସେହି ଦୃଷ୍ଟିରୁ ନୂତନ ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ଗ୍ରହଣ କରିବା ହେଉଛି ଗଗୋଇଙ୍କ ଉଦ୍ଦେଶ୍ୟର ଯଥାର୍ଥ ଉପସଂହାର। ବମ୍ବେ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଜଷ୍ଟିସ ଗୱଇ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନରେ ଅଂଶ ହୋଇଛନ୍ତି, ଯହିଁରେ ସାଧାରଣ ନାଗରିକର ସ୍ବାଧୀନତା ଓ ଅଧିକାର (ବିଶେଷ କରି ପଛୁଆ ବର୍ଗର) ପ୍ରସଙ୍ଗ ଅଗ୍ରାଧିକାର ଲାଭ କରିଛି। ପ୍ରକାଶ ଥାଉ କି ନାଗରିକର ସ୍ବାଧୀନତା ଓ ଅଧିକାର ନେଇ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀମାନେ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟ କାଳ ନେଇ ହତାଶା ବ୍ୟକ୍ତ କରନ୍ତି, କାରଣ ୟୁ.ଏ.ପି.ଏ. ବା ସି.ଏ.ଏ. ଭଳି ଆଇନଗୁଡ଼ିକୁ କେନ୍ଦ୍ର କରି ଥିବା ମାମଲାଗୁଡ଼ିକ ତାଙ୍କ ସମୟରେ କୌଣସି ଅଗ୍ରଗତି ଲାଭ କରି ପାରିନାହିଁ। ସେମାନେ ଜଷ୍ଟିସ ଗୱଇଙ୍କ ଠାରେ ଏ ନେଇ ଅଧିକ ଆଶା ସ୍ଥାପନ କରନ୍ତି।
ପ୍ରକାଶ ଥାଉ କି ଜଷ୍ଟିସ ଗୱଇଙ୍କ କାର୍ଯ୍ୟକାଳ ମଧ୍ୟ ମାତ୍ର ଛଅ ମାସର; ଅର୍ଥାତ୍ ୨୦୨୪ ନଭେମ୍ବରରୁ ୨୦୨୫ ନଭେମ୍ବର ମଧ୍ୟରେ ଭାରତର ସର୍ବୋଚ୍ଚ ଅଦାଲତ ଦୁଇ ଜଣ ମୁଖ୍ୟ ବିଚାରପତିଙ୍କୁ ଦେଖିବାର ସୁଯୋଗ ଲାଭ କରିବ। ଏହା ପରେ ଯଦି କ୍ରମ ଠିକଣା ଭାବେ ଜାରି ରହେ, ତେବେ ବି. ଭି. ନାଗରତ୍ନ ମାତ୍ର ୩୬ ଦିନ ସକାଶେ ମୁଖ୍ୟ ବିଚାରପତି ପଦାସୀନ ହୋଇ ପାରନ୍ତି। ଯଦି ତାହା ହୁଏ, ତେବେ ମଧ୍ୟ ଏକ ନୂଆ ଇତିହାସ ରଚିତ ହେବ, କାରଣ ସେ ହେବ ସର୍ବୋଚ୍ଚ ଅଦାଲତର ପ୍ରଥମ ମହିଳା ମୁଖ୍ୟ ବିଚାରପତି।