ଭାରତ ଭଳି ଏକ ରାଷ୍ଟ୍ର ଯାହାର ଅନ୍ୟତମ ପ୍ରମୁଖ ରପ୍ତାନିଯୋଗ୍ୟ ସାମଗ୍ରୀ ହେଉଛି କୃଷିଜାତ ଦ୍ରବ୍ୟ, ଏହା ଦ୍ବାରା ଅତ୍ୟନ୍ତ ଜଟିଳ ଆହ୍ବାନର ସମ୍ମୁଖୀନ ହେବ; କାରଣ ଗୋଟିଏ ପକ୍ଷରେ ଆମେରିକା ଦ୍ବାରା ‘ଟାରିଫ’ ବୃଦ୍ଧି କରାଗଲେ ରପ୍ତାନି ହେଉଥିବା ଭାରତୀୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ଘଟିବ ଓ ସେଗୁଡ଼ିକ ଆମେରିକା ବଜାରରେ ପ୍ରତିଦ୍ବନ୍ଦ୍ବିତାକ୍ଷମ ହୋଇ ପାରିବେ ନାହିଁ, ଅନ୍ୟ ପକ୍ଷରେ ଆମେରିକାକୁ ତୁଷ୍ଟ କରିବା ଲାଗି ଭାରତ ତା’ର ‘ଆମଦାନି ଶୁଳ୍‌କ’ ହ୍ରାସ କଲେ ଆମେରିକୀୟ କୃଷିଜ ଭାରତରେ ଶସ୍ତା ହୋଇ ଭାରତୀୟ କୃଷକମାନଙ୍କ ଲାଗି ବିପଦର କାରଣ ହେବ। ‌େତଣୁ ଏହା ଖଣ୍ଡା ଧାର ଉପରେ ଚାଲିବା ଭଳି କଥା।

Advertisment

ଅନେକ ଉତ୍କଣ୍ଠା, ସଂଶୟ, ଅନୁମାନ ଏପରିକି ସାମାନ୍ୟ ଆଶଙ୍କା ସୃଷ୍ଟି କରିଥିବା ମୋଦୀ-ଟ୍ରମ୍ପ ସାକ୍ଷାତ ଇତିମଧ୍ୟରେ ସଂପନ୍ନ ହୋଇଯାଇଛି ଏବଂ ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀଙ୍କ ଏହି ଗସ୍ତକୁ ଅତ୍ୟନ୍ତ ସଫଳ ବୋଲି ସର୍ବତ୍ର ବର୍ଣ୍ଣନା କରାଯାଉଛି। ଅବଶ୍ୟ, ବିରୋଧୀ ଦଳ ପକ୍ଷରୁ ଶ୍ରୁତିଗୋଚର ହେଉଥିବା କେତେକ ମନ୍ତବ୍ୟର ସାରାଂଶ ହେଲା ଏହା ଯେ ଆମେରିକା ଓ ଭାରତ ମଧ୍ୟରେ ସଂପାଦିତ ଦ୍ବି-ପାକ୍ଷିକ ବୁଝାମଣା ସଂଦର୍ଭରେ କେତେକ ବିନ୍ଦୁରେ ଭାରତ ଅପ୍ରତିଭ ହୋଇଛି, ଯେମିତି ‘ଟାରିଫ’ ଲଗାଣ କ୍ଷେତ୍ରରେ। କିନ୍ତୁ, ଏ ସାକ୍ଷାତର ପ୍ରେକ୍ଷାପଟ ଉପରେ ସମ୍ୟକ୍‌ ଦୃଷ୍ଟିପାତ କଲେ ହୃଦ୍‌ବୋଧ ହୋଇଥାଏ ଯେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସକାଶେ ଏକ ପରୀକ୍ଷା ତୁଲ୍ୟ ଥିଲା, ଯହିଁରେ ସେ ପ୍ରଭାବଶାଳୀ ଢଙ୍ଗରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି।
ପାସୋରିଗଲେ ହେବ ନାହିଁ ଯେ ଏକ ସଂଶୟ ବିଜଡ଼ିତ ଓ ଅସ୍ବସ୍ତିକର ବାତାବରଣରେ ଏହି ଗସ୍ତର ପ୍ରାରମ୍ଭ ହୋଇଥିଲା; କାରଣ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ଆମନ୍ତ୍ରିତ କତିପୟ ରାଷ୍ଟ୍ର ମୁଖ୍ୟଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ସ୍ଥାନ ନ ପାଇବା ଓ ଯାତ୍ରାରମ୍ଭର ଠିକ୍‌ ଅବ୍ୟବହିତ ପୂର୍ବରୁ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଅପମାନଜନକ ଢଙ୍ଗରେ ଆମେରିକାରୁ ବିତାଡ଼ିତ କରାଯିବା ଭଳି ପ୍ରସଙ୍ଗ ହେତୁ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମାଲୋଚନା ଓ ବିଦ୍ରୂପ ମୁଖର ହୋଇ ଉଠିଥିଲେ, କାରଣ ସେମାନଙ୍କ ମତରେ ‘ମୋଦୀ- ଟ୍ରମ୍ପ ମିତ୍ରତା’ ହେଉଛି ବିଜେପି ଦ୍ବାରା ସୃଷ୍ଟ ଓ ସଂଚାରିତ ବୃଥା ବଡ଼ିମାଯୁକ୍ତ ବ୍ୟର୍ଥ ବ୍ୟାଖ୍ୟାନ। ସେମାନେ କହିଥିଲେ ଟ୍ରମ୍ପ ଯଦି ମୋଦୀଙ୍କ ମିତ୍ର ହୋଇଥାଆନ୍ତେ ତେବେ ଅବୈଧ ପ୍ରବାସୀ ଭାରତୀୟମାନେ ନିମ୍ନତମ ସମ୍ମାନର ସହିତ ଭାରତ ପ୍ରତ୍ୟାବର୍ତ୍ତନ କରିଥାଆନ୍ତେ। ତେଣେ ଆମେରିକାରେ ‘ମେକ୍ ଆମେରିକା ଗ୍ରେଟ୍‌ ଏଗେନ୍‌’ (ଆମେରିକାକୁ ପୁନର୍ବାର ମହାନ କର) ବା ବା ‘ମାଗା’ ଜିଦ୍‌ରେ ଅଟଳ ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ବାରା ପ୍ରଦତ୍ତ ଆକ୍ରମଣାତ୍ମକ ବକ୍ତବ୍ୟମାନ ମିତ୍ର ଓ ବିରୋଧୀ ନିର୍ବିଶେଷରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅସହଜ ହୃତ୍‌କଂପ ମଧ୍ୟ ସୃଷ୍ଟି କରିବାରେ ଲାଗିଛି, କାରଣ ଟ୍ରମ୍ପଙ୍କ ଧାରଣା ଯେ ପୃଥିବୀର ରାଷ୍ଟ୍ରଗୁଡ଼ିକ ଏବଂ କେତେକ ବିଶ୍ବସ୍ତରୀୟ ଅନୁଷ୍ଠାନ ନିଜ ନିଜ ସ୍ବାର୍ଥ ଓ ଅଭିସନ୍ଧି ଚରିତାର୍ଥ କରିବା ଲାଗି ବିତ୍ତଶାଳୀ ଆମେରିକାକୁ ଦୁଧିଅାଳୀ ଗାଈ ଭଳି ଦାହନ କରିବାରେ ବ୍ୟାପୃତ। ସୁତରାଂ, ଆମେରିକାରେ ରାଜନୈତିକ ବାତାବରଣରେ ନକାରାତ୍ମକତାର କଣିକାମାନ ଖେଳି ବୁଲୁଥିଲେ। ତା’ ସହିତ ଏହା ମଧ୍ୟ ସୁବିଦିତ ଯେ ଡୋନାଲ୍‌ଡ ଟ୍ରମ୍ପ ହେଉଛନ୍ତି ଜଣେ ବଦ୍‌ ମେଜାଜୀ ଓ ଅନ୍ଦାଜ-ଅଯୋଗ୍ୟ ବ୍ୟକ୍ତି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ଦ୍ବାରା କିଭଳି ସମ୍ବର୍ଦ୍ଧିତ ହେବେ, ତାହା ଉତ୍କଣ୍ଠା ଏପରିକି ଉଦ୍‌ବେଗର କାରଣ ମଧ୍ୟ ହୋଇଥିଲା। ଅଥଚ, ଆମେରିକା ଭୂମିରେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ କାଳୀନ ଅତ୍ୟନ୍ତ ଅନ୍ତରଙ୍ଗ ଓ ନିଘଞ୍ଚ କରମର୍ଦ୍ଦନ, ନିବିଡ଼ ଆଶ୍ଳେଷ ଏବଂ ଟ୍ରମ୍ପଙ୍କ ମୁଖ ନିସୃତ ଏକ ବାକ୍ୟର ଗୁଞ୍ଜନ ଯେ ‘ୱି ମିସ୍‌ଡ ୟୁ ଏ ଲଟ୍‌’ ବା ‘ଆପଣଙ୍କୁ ବହୁତ ମନେ ପକାଉଥିଲୁ’ ସୂଚାଇ ଥାଏ ଯେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ରାଜନୈତିକ-ରଣନୈତିକ ଔପଚାରିକତାକୁ ଅତିକ୍ରମ କରି ବ୍ୟକ୍ତିଗତ ସ୍ତରକୁ ମଧ୍ୟ ସ୍ପର୍ଶ କରିଛି। ପ୍ରକାଶ ଥାଉ କି ଏହି ରାଷ୍ଟ୍ର ମୁଖ୍ୟ ଦ୍ବୟ ଦୀର୍ଘ ଚାରି ଘଣ୍ଟା କାଳ ସଘନ ଆଲୋଚନା କରିବା ପରେ ୩୬ଟି ବିନ୍ଦୁ ସମ୍ବଳିତ ‘ମିଳିତ ବକ୍ତବ୍ୟ’ ଜାରି କରିଥିଲେ ଏବଂ ଏକ ମନୋଜ୍ଞ ପରିବେଶରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରମାନ ଦେଇଥିଲେ। ଏହି ଗସ୍ତ ସଂପର୍କରେ ମତ ଦେଇ ‘ଭାରତ-ଆମେରିକା ସମ୍ବନ୍ଧ’ ସଂଦର୍ଭରେ ବିଶାରଦ ଆସଲି ଟେଲିସ ଏହାକୁ ‘ମୋଦୀଙ୍କ କିମିଆ’ ବୋଲି ଆଖ୍ୟାୟିତ କରିବା ସହିତ କହିଛନ୍ତି ଯେ ଟ୍ରମ୍ପଙ୍କ ଭଳି ଜଣେ ଅଖାଡୁଆ ବ୍ୟକ୍ତିଙ୍କୁ କିଭଳି ପ୍ରଭାବିତ କରି ହେବ ତା’ର ଏକ ‘ଶ୍ରେଣୀ କକ୍ଷ ଶିକ୍ଷା’ର ଦୃଷ୍ଟାନ୍ତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଗସ୍ତକୁ ପ୍ରଧାନମନ୍ତ୍ରୀ ମୋଦୀ କିଭଳି ପ୍ରଭାବିତ କରିଛନ୍ତି, ତା’ର ପ୍ରମାଣ ମିଳେ ଜଣେ ସାମ୍ବାଦିକଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନରେ ଟ୍ରମ୍ପ ପ୍ରଦାନ କରିଥିବା ଉତ୍ତରରୁ, ଯହିଁରେ ଟ୍ରମ୍ପ ସ୍ବୀକାର କରିଥିଲେ ଯେ ମୋଦୀ ତାଙ୍କ ତୁଳନାରେ ଅଧିକ ଦକ୍ଷ ଓ କଠୋର ବୁଝାମଣାକାରୀ; ସେହି ଦକ୍ଷତା ପ୍ରତିପାଦନରେ ସେ ମୋଦୀଙ୍କ ସମକ୍ଷରେ ଛିଡ଼ା ମଧ୍ୟ ହୋଇପାରିବେ ନାହିଁ। 
ଏବେ ମୋଦୀ-ଟ୍ରମ୍ପ ସାକ୍ଷାତାଲୋଚନା ଉପରେ ଏକ ବିହଙ୍ଗାବଲୋକନ କରାଯାଉ। ଏହି ଆଲୋଚନାରେ ‘ଟାରିଫ୍‌’ ପ୍ରସଙ୍ଗ ସର୍ବାଧିକ ଗୁରୁତ୍ବ ପାଇଥିଲା, ‘ଟାରିଫ୍‌’ ଅର୍ଥାତ୍‌ ‘ଆମଦାନି ଶୁଳ୍‌କ’। ଟ୍ରମ୍ପଙ୍କ ଧାରଣା ଯେ ଅଧିକାଂଶ ରାଷ୍ଟ୍ର ଉଚ୍ଚା ‘ଆମଦାନି ଶୁଳ୍‌କ’ ବା ‘ଟାରିଫ୍‌’ ଲଗାଉଥିବାରୁ ସେମାନଙ୍କ ଦେଶରେ ଆମେରିକା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଅଧିକ ହୋଇ ପ୍ରତିଦ୍ବନ୍ଦ୍ବିତାସାପେକ୍ଷ ହୋଇ ପାରୁନାହିଁ; ଯେତେବେଳେ କି ଆମେରିକାର ନୀଚା ‘ଟାରିଫ’ ହେତୁ ବିଦେଶୀ ଦ୍ରବ୍ୟ ଆମେରିକୀୟ ବଜାରରେ ଅଧିକ କ୍ରୟ ଯୋଗ୍ୟ ହୋଇ ପାରୁଛନ୍ତି। ସୁତରାଂ, ଟ୍ରମ୍ପ ଚାହାନ୍ତି ଯେ ବିଭିନ୍ନ ଦେଶରେ ପ୍ରଚଳିତ ‘ଟାରିଫ୍‌’କୁ ଧ୍ୟାନରେ ରଖି ‌ସେହି ଅନୁସାରେ ସେହି ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ ଲାଗି ଆମେରିକାରେ ‘ଆମଦାନି ଶୁଳ୍‌କ’ ବା ‘ଟାରିଫ’ ଲାଗୁ କରିବେ। ଆମେରିକା ଏକ ଆମଦାନି ନିର୍ଭର ବିଶାଳ ବଜାର ହୋଇଥିବାରୁ ‘ଟାରିଫ୍‌’ ବୃଦ୍ଧି ଦ୍ବାରା ଅନେକ ରାଷ୍ଟ୍ର ଅତ୍ୟନ୍ତ ପ୍ରତିକୂଳ ଭାବେ ଆ‌କ୍ରାନ୍ତ ହେବେ, ଯେଉଁ କାରଣରୁ ଆମେରିକାକୁ ସନ୍ତୁଷ୍ଟ କରିବା ଲାଗି ସେମାନେ ନିଜ ନିଜ ଦେଶରେ ଆମେରିକା ଉତ୍ପାଦିତ ଦ୍ରବ୍ୟ ଲାଗି ‘ଆମଦାନି ଶୁଳ୍‌କ’ରେ ହ୍ରାସ ଘଟାଇବାକୁ ବାଧ୍ୟ ହେବେ। ଭାରତ ଭଳି ଏକ ରାଷ୍ଟ୍ର ଯାହାର ଅନ୍ୟତମ ପ୍ରମୁଖ ରପ୍ତାନିଯୋଗ୍ୟ ସାମଗ୍ରୀ ହେଉଛି କୃଷିଜାତ ଦ୍ରବ୍ୟ, ଏହା ଦ୍ବାରା ଅତ୍ୟନ୍ତ ଜଟିଳ ଆହ୍ବାନର ସମ୍ମୁଖୀନ ହେବ; କାରଣ ଗୋଟିଏ ପକ୍ଷରେ ଆମେରିକା ଦ୍ବାରା ‘ଟାରିଫ’ ବୃଦ୍ଧି କରାଗଲେ ରପ୍ତାନି ହେଉଥିବା ଭାରତୀୟ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ଘଟିବ ଓ ସେଗୁଡ଼ିକ ଆମେରିକା ବଜାରରେ ପ୍ରତିଦ୍ବନ୍ଦ୍ବିତାକ୍ଷମ ହୋଇ ପାରିବେ ନାହିଁ, ଅନ୍ୟ ପକ୍ଷରେ ଆମେରିକାକୁ ତୁଷ୍ଟ କରିବା ଲାଗି ଭାରତ ତା’ର ‘ଆମଦାନି ଶୁଳ୍‌କ’ ହ୍ରାସ କଲେ ଆମେରିକୀୟ କୃଷିଜ ଭାରତରେ ଶସ୍ତା ହୋଇ ଭାରତୀୟ କୃଷକମାନଙ୍କ ଲାଗି ବିପଦର କାରଣ ହେବ। ‌େତଣୁ ଏହା ଖଣ୍ଡା ଧାର ଉପରେ ଚାଲିବା ଭଳି କଥା। ଅବଶ୍ୟ ‘ଟାରିଫ୍‌’ ସଂଦର୍ଭରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସହିତ ଆଲୋଚନା ସକାଶେ ନିଷ୍ପତ୍ତି ନିଆଯାଇଛି, କାରଣ ଆମେରିକା ଭାରତକୁ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ରୂପେ ଦେଖିଥାଏ। ତେବେ ଆସନ୍ତା ଏପ୍ରିଲ ମାସରେ ଆମେରିକାର ନୂଆ ‘ଟାରିଫ୍‌’ ପ୍ରଚଳିତ ହେବା ପରେ ଯାଇ ସ୍ଥିତି ଅଧିକ ପରିଷ୍କାର ହେବ। 
ପ୍ରକାଶ ଥାଉ କି ‘ଟାରିଫ୍‌’ ଥିଲା ଏକ ସ୍ପର୍ଶକାତର ବିବାଦୀୟ ବିଷୟ। ତା’ ବାଦେ ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ସହଯୋଗର ଚିତ୍ର ଦୃଶ୍ୟମାନ ହୋଇଛି, ଯେମିତି କି ସାମରିକ ଓ ଆଣବିକ କ୍ଷେତ୍ରରେ ପ୍ରଯୁକ୍ତି ବିନିମୟ ଓ ମିଳିତ ସୂତ୍ରରେ ଉଦ୍ୟୋଗ ସ୍ଥାପନ, ଯହିଁରେ ଭାରତରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର(ଟ୍ୟାଙ୍କ ବିଧ୍ବଂସୀ ‘ଜାଭେଲିନ’ ମିସାଇଲ୍‌ ଓ ଯୁଦ୍ଧ ବାହନ ‘ଷ୍ଟ୍ରାଇକର୍‌’) ଓ ଆଣବିକ ରିଆକ୍ଟର ଆଦିର ନିର୍ମାଣ କରାଯିବ; ଆତଙ୍କବାଦ ବିରୋଧୀ ଅଭିଯାନରେ ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣରେ ଜଡ଼ିତ ତୋହବୁର ରାଣାର ତୁରନ୍ତ ପ୍ରତ୍ୟର୍ପଣ ଏବଂ ଆମେରିକା ଭୂମିରେ ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି; ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନ ‘ଏଫ-୩୫’ ଖର୍ଦ୍ଦି କରିବା ସକାଶେ ଭାରତକୁ ପ୍ରସ୍ତାବ ଇତ୍ୟାଦି ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଏଆଇ’ରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଔଷଧୀୟ ଉପାଦାନର ଉତ୍ପାଦନରୁ ଆରମ୍ଭ କରି ମିଳିତ ସମରାଭ୍ୟାସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରକୁ ଦ୍ବି-ପାକ୍ଷିକ ସହଯୋଗର ପ୍ରତିଶ୍ରୁତି ସଂପ୍ରସାରିତ ହୋଇଛି, ଯାହାର ଲାଭପ୍ରଦ ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଅନୁମାନ କରାଯାଇଥାଏ।
ଏହି ସାକ୍ଷାତକାଳୀନ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଯେଉଁ ଏକ ବକ୍ତବ୍ୟରେ ଟ୍ରମ୍ପ ପ୍ରଶଂସାସୂଚକ ହସ ସହିତ ମୁଣ୍ଡ ନାଡ଼ି ଆପଣା ସମର୍ଥନ ଜ୍ଞାପନ କରିଥିଲେ, ତାହା ଥିଲା ଏହି ଭଳି: ଆମେରିକାର ‘ମାଗା’ ଅନୁସରଣରେ ମୁଁ କହିବି ‘‌େମକ୍‌ ଇଣ୍ଡିଆ ଗ୍ରେଟ୍‌ ଏଗେନ୍‌’ ବା ‘ମିଗା’। ଏବଂ ଭାରତ ଓ ଆମେରିକା ଯେତେବେଳେ ମିଳିତ ଭାବେ କାର୍ଯ୍ୟ କରିବେ, ଅର୍ଥାତ୍‌ ‘ମାଗା’ ଯୁକ୍ତ ‘ମିଗା’, ତହିଁରୁ ସୃଷ୍ଟି ହେବ ‘ମେଗା’ ପାର୍ଟନରସିପ ଫର ପ୍ରସ୍‌ପରିଟି ( ବୃହତ୍‌ ସମୃଦ୍ଧି ଦିଗରେ ଭାଗୀଦାରି)। ଅଧିକାଂଶ ପର୍ଯ୍ୟବେକ୍ଷକ କହନ୍ତି ଯେ ଏହି ପାଳିରେ ଟ୍ରମ୍ପଙ୍କ ଅଧୀନସ୍ଥ ଆମେରିକା ମାଂସପେଶୀ ସଂଚାଳନରେ ଅଧିକ ପ୍ରବୃତ୍ତ ହେବା ସୁନିଶ୍ଚିତ। ତେଣୁ ଅନେକ ରାଷ୍ଟ୍ର ସ୍ବାଭାବିକ ଭାବେ ଶଙ୍କା ବିଜଡ଼ିତ ହୋଇ ଉଠିଛନ୍ତି। ସେତିକି ବେଳେ ଆମେରିକାରେ ଟ୍ରମ୍ପଙ୍କ ଉପରେ ମୋଦୀଙ୍କ ଦ୍ବାରା ସୃଷ୍ଟ ପ୍ରଭାବ ଏକ ‘ମେଗା’ ଉପଲବ୍‌ଧି।