ହୃଦୟ ରଞ୍ଜନ ଶତପଥୀ

ନିକଟରେ ଖବରକାଗଜରେ ଏକ ଖବର ବାହାରିଥିଲା ଯେ ଭୁବନେଶ୍ବର ବିମାନ ବନ୍ଦରରେ ଧରାଯାଇଥିବା କିଲୋ କିଲୋ ସୁନା ଓ ଏହାର ଆମଦାନିରେ ଜଡ଼ିତ ସୁନା ବ୍ୟବସାୟ ଆଇନରେ ଥିବା ଗଳାବାଟର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଏହି ଗଳାବାଟଟି କ’ଣ ଓ ଏହା କେଉଁଠି ଥାଏ?
ନିର୍ଦ୍ଧାରିତ ନିୟମ ବା ଆଇନ ସମ୍ମତ କାର୍ଯ୍ୟକୁ ସାଧାରଣତଃ ଆଇନର ଶାସନ କୁହାଯାଏ। ଆଇନ ଦୃଷ୍ଟିରେ ଧନୀଗରିବ, ଉଚ୍ଚନୀଚ ସମସ୍ତେ ସମାନ। ତେଣୁ ନ୍ୟାୟାଳୟର ମୁଖ୍ୟ ପ୍ରତୀକ ଭାବେ ତରାଜୁ ଧରିଥିବା ମହିଳା ଜଣଙ୍କ ଆଖିରେ ଅନ୍ଧପୁଟୁଳି ଲାଗିଥାଏ। ଏହାର ଅର୍ଥ ନ୍ୟାୟାଳୟ ଦ୍ବାରା ପ୍ରଦତ୍ତ ନ୍ୟାୟ ସମସ୍ତଙ୍କ ପାଇଁ ସମାନ।
ଏକ ସାର୍ବଭୌମ ରାଷ୍ଟ୍ରରେ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଓ ରାଷ୍ଟ୍ରର ଦାୟିତ୍ବ ନିର୍ବାହ ପାଇଁ ସଂବିଧାନ ମାଧ୍ୟମରେ ନୀତିନିୟମ ନିର୍ଦ୍ଧାରିତ ହୋଇଥା‌ଏ। ଏହି ନିୟମ ପାଳନକୁ ବିଧିସମ୍ମତ ବା ଆଇନସମ୍ମତ ବୋଲି କୁହାଯାଏ। କିନ୍ତୁ ଆଇନକୁ ଉଲ୍ଲଂଘନ କରିବା ବା ଅମାନ୍ୟ କରିବା କାର୍ଯ୍ୟକୁ ବେଆଇନ, ଆଇନବିରୋଧୀ ବା ଦୁର୍ନୀତି ବୋଲି କୁହାଯାଏ। ତାକୁ ଇଂରେଜୀରେ ‘ସର୍ଟକଟ୍’ ବା ‘ଲୁପ୍‌ହୋଲ୍‌’ ବୋଲି କୁହାଯାଏ ଏବଂ ଓଡ଼ିଆରେ ତାକୁ ଗଳାବାଟ ମଧ୍ୟ କୁହାଯାଇଥାଏ।
ସବୁଠୁ ଆଶ୍ଚର୍ଯ୍ୟର କଥା, ଯେଉଁଠି ଆଇନ ଥାଏ ତା’ ପାଖେପାଖେ ଗଳାବାଟ ଥାଏ। ଯେଉଁମାନେ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଚେତନ, ସେମାନେ ସର୍ବଦା ଶୃଙ୍ଖଳିତ ଓ ଅନୁଶାସନପୂର୍ଣ୍ଣ ଜୀବନଯାପନ କରିବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଯେଉଁମା‌େନ ଅର୍ଥ ଓ କ୍ଷମତା ଲୋଭରେ ରାତାରାତି ବଡ଼ ହେବାର ସ୍ବପ୍ନ ଦେଖନ୍ତି, ସେମାନେ ସବୁବେଳେ ଗଳାବାଟ ଖୋଜୁଥାନ୍ତି, କାରଣ ଏହି ବାଟରେ ଗଲେ ସମସ୍ତ ନିୟମକାନୁନକୁ ଫାଙ୍କି ନିଜ ଲକ୍ଷ୍ୟ ସ୍ଥଳରେ ସେମାନେ ଖୁବ୍ ଶୀଘ୍ର ପହଞ୍ଚି ପାରନ୍ତି।
ଏଠାରେ କେତୋଟି ଉଦାହରଣ ଦିଆଯାଇପାରେ। ଦେଶ କିମ୍ବା ପ୍ରଦେଶ ଚଳେଇବା ପାଇଁ କାର୍ଯ୍ୟପାଳିକାର ବ୍ୟବସ୍ଥା ରହିଛି। କାର୍ଯ୍ୟପାଳିକାର ମୁଖ୍ୟ କାମ ହେଲା ବିଧିପାଳିକା ଦ୍ବାରା ପ୍ରଦତ୍ତ ସମସ୍ତ ନିୟମକୁ ନିରପେକ୍ଷ ଭାବେ କାର୍ଯ୍ୟକାରୀ କରିବା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟରତ ଅଧିକାରୀମାନେ ସବୁ ନିୟମର ଗୋଟିଏ ଗଳାବାଟ ରଖିଥାନ୍ତି ଯାହାକୁ ସେମାନେ ‘ଡିସ୍‌କ୍ରିଏସନ୍’ ବା ବିଶେଷ ଅଧିକାର ନାମରେ ନାମିତ କରି କେତେଜଣ ବିଶେଷ ବ୍ୟକ୍ତିଙ୍କ ହାତରେ ନ୍ୟସ୍ତ କରିଥାନ୍ତି। ତେଣୁ ଏହି ବିଶେଷ କ୍ଷମତା ବଳରେ କ୍ଷମତାପ୍ରାପ୍ତ ଅଧିକାରୀମା‌ନେ ସାଧାରଣ ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରିଥାନ୍ତି।
ସେହିପରି ନ୍ୟାୟପାଳିକାରେ ନ୍ୟାୟ ପାଇବା ପାଇଁ ତଳ କୋର୍ଟରୁ ଉପର କୋର୍ଟ ପର୍ଯ୍ୟନ୍ତ କାର୍ଯ୍ୟରତ ଅଧିବକ୍ତାମାନେ ଆଇନର ପୁଙ୍ଖାନୁପୁଙ୍ଖ ତର୍ଜମା କରି ଆ‌ଇନରେ ଥିବା ଗଳାବାଟକୁ ଚିହ୍ନଟ କରିଥାନ୍ତି ଏବଂ ଏହି ଗଳାବାଟର ସୁଯୋଗ ନେଇ ନ୍ୟାୟାଳୟରେ ନିଜର ମହକିଲଙ୍କ ପାଇଁ ମକଦ୍ଦମା ଲଢ଼ି ସଫଳ ହେବା ପାଇଁ ପ୍ରଚେଷ୍ଟା କରିଥାନ୍ତି। ନିଜର ଯୁକ୍ତିତର୍କ ବଳରେ ଏହି ଗଳାବାଟର ବ୍ୟବହାରରେ ଯିଏ ଯେତେ କୁଶଳୀ, ସିଏ ଅର୍ଥ ଓ କ୍ଷମତାର ପ୍ରାଚୁର୍ଯ୍ୟରେ ସେତେ ପ୍ରଭାବଶାଳୀ।
ଠିକ୍ ସେହିପରି ଆମ ଲୋକପ୍ରତିନିଧିମାନେ ଯେଉଁ ବିଧି ପ୍ରଣୟନ ପାଇଁ ନିର୍ବାଚିତ ହୁଅନ୍ତି, ସେମାନଙ୍କ ମଧ୍ୟରୁ ‌ଅନେକ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଗଳାବାଟର ଆଶ୍ରୟ ନିଅନ୍ତି। ନିର୍ବାଚନ ସମୟରେ କଳେ, ବଳେ, କୌଶଳେ କ୍ଷମତା ହାସଲ ପାଇଁ ସବୁ ପ୍ରକାର ବିଧିସମ୍ମତ ନିୟମକୁ ଉଲ୍ଲଂଘନ କରି ସେମାନେ ଗଳାବାଟର ସାହାଯ୍ୟ ନେଇଥାନ୍ତି।
ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତମାନେ ମଧ୍ୟ ଗଳାବାଟର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଉଦାହରଣ ସ୍ବରୂପ, ଆମ ଶ୍ରୀକ୍ଷେତ୍ରରେ ଜଗା ଦର୍ଶନ ପାଇଁ କେତେବେଳେ ଧାଡ଼ି ବ୍ୟବସ୍ଥା ତ ଆଉ କେତେବେଳେ ସାହାଣମେଲା ବ୍ୟବସ୍ଥା ରହିଛି। ଏହା ସତ୍ତ୍ବେ ପ୍ରଶାସନର ବଡ଼ବଡ଼ିଆ କିମ୍ବା ସେବାୟତମାନଙ୍କର ନିକଟ ସଂପର୍କୀୟମାନଙ୍କ ପାଇଁ ଗଳାବାଟର ବ୍ୟବସ୍ଥା ରହିଛି। ଯାହା ଫଳରେ ସେମାନେ ଧାଡ଼ିରେ ନ ରହି ଏହି ଗଳାବାଟରେ ଦିଅଁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
ଓଡ଼ିଶାର ରାଜଧାନୀରେ ଥିବା ‘ଲୋକସେବା ଭବନ’ର କଥା ଦେଖନ୍ତୁ। ଆଗରୁ ସେକ୍ରେଟାରିଏଟ୍ ବା ସଚିବାଳୟ ବୋଲି କୁହାଯାଉଥିବା ଏହି ଭବନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀ ପର୍ଯ୍ୟନ୍ତ ଏବଂ ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ଅନ୍ୟ ସଚିବ ପର୍ଯ୍ୟନ୍ତଙ୍କ କାର୍ଯ୍ୟାଳୟ ରହିଛି, ଯେଉଁଠାରୁ ସେମାନେ ସାରା ଓଡ଼ିଶାର ଶାସନ କାର୍ଯ୍ୟ ଚଳେଇ ଥାଆନ୍ତି। ଏହି ଭବନ ଭିତରେ ଓ ବାହାରେ ଅନେକ ସୁରକ୍ଷା ବଳୟ ରହିଛି ଏବଂ ଏହା ଭିତରକୁ ଯିବା ପାଇଁ ଅନେକ ନିୟମ ଓ କଟକଣା ରହିଛି। ଏସବୁ ସତ୍ତ୍ବେ ଏଠାରେ ଥିବା ବିଭିନ୍ନ ଗଳାବାଟ ଦେଇ ପ୍ରତିଦିନ ଶତାଧିକ ଲୋକ ଅନାୟାସରେ ଯିବାଆସିବା କରିଥାନ୍ତି।
ତେଣୁ ଏହି ଗଳାବାଟକୁ କ’ଣ ବନ୍ଦ କରାଯାଇପାରିବ ନାହିଁ? ଗଳାବାଟ ବନ୍ଦ କରିବା ଅର୍ଥ ଦୁର୍ନୀତିକୁ ବନ୍ଦ କରିବା, ଯାହା ଏତେ ସହଜ ନୁହେଁ। ଦୁର୍ନୀତି କରିବା ହେଉଛି ଏକ ରୁଗ୍‌ଣ ମାନସିକତା। ଯେତେଦିନ ପର୍ଯ୍ୟନ୍ତ ଏହି ମାନସିକତାକୁ ନିଜ ମନ ମଧ୍ୟରୁ ଦୂର କରାଯାଇ ନ ପାରିଛି, ସେତେଦିନ ପର୍ଯ୍ୟନ୍ତ ଏହି ଗଳାବାଟ ବା ଦୁର୍ନୀତି ଆମ ସମାଜରେ ରହିଥିବ ଏବଂ ଜଗା ଦର୍ଶନ ପାଇଁ ଗଳାବାଟ ମଧ୍ୟ ଖୋଲା ରହିଥିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୧୨୪୨୦୨