‘ଡିପ୍ସିକ୍’ ହେଉଛି ଏକ ଇଂରେଜୀ ଅଭିବ୍ୟକ୍ତି, ଯାହାର ଓଡ଼ିଆ ମର୍ମାର୍ଥ ହୋଇପାରେ ‘ଗଭୀର ସନ୍ଧାନ’, ଯାହା ମଧ୍ୟ ଅତ୍ୟନ୍ତ ଗୂଢ଼ ଅର୍ଥ ବହନ କରିଥାଏ। ‘ପାଇବାକୁ ହେଲେ ବୁଡ଼ିବାକୁ ହୋଇଥାଏ’ ଭଳି ତତ୍ତ୍ବଟି ପ୍ରାଚ୍ୟର ପ୍ରଜ୍ଞା ଓ ଦର୍ଶନ ସକାଶେ କିଛି ନୂଆ କଥା ନୁହେଁ। ସଂପ୍ରତି ଚୀନ ଲାଭ କରିଥିବା ବିରଳ ଉପଲବ୍ଧି ହେଉଛି ତା’ର ଏକ ପ୍ରମାଣ। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ଏଭଳି ଦୃଶ୍ୟପଟରେ ଭାରତର ପଦଚିହ୍ନ କେଉଁଠି? କାରଣ ଭାରତ ମଧ୍ୟ ଏକ ଦ୍ରୁତବର୍ଦ୍ଧିଷ୍ଣୁ ରାଷ୍ଟ୍ର!
ସପ୍ତାହକ ତଳେ ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ (ଏ.ଆଇ.) ବଜାରରେ ଯେଉଁ ଅଚିନ୍ତନୀୟ ରକ୍ତପାତ ଘଟିଗଲା, ତହିଁରେ ଯୁକ୍ତରାଷ୍ଟ୍ର ଆମେରିକା ଯେ ସଂପୂର୍ଣ୍ଣ ଅପ୍ରସ୍ତୁତ ଓ ଅପ୍ରତିଭ ହୋଇପଡ଼ିଛି, ତାହା ନୁହେଁ; ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରେର ଚୀନ ଆଗରେ ମଥା ନତ ହୋଇ ଛିଡ଼ା ହେବା ଜନିତ ଅସହନୀୟ ଲାଂଛନା ମଧ୍ୟ ସହିବାକୁ ବାଧ୍ୟ ହୋଇଛି। କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ଅନେକ ପାଠକପାଠିକା ଅବଗତ ଥିବେ ଯେ ‘ଡିପ୍ସିକ୍’ ନାମକ ଏକ ଅତ୍ୟନ୍ତ ଶସ୍ତା ଅଥଚ ସୁଦକ୍ଷ ‘ଏ.ଆଇ. ମଡେଲ’ର ଆବିର୍ଭାବ ଘଟିବା ପରେ ଏ କ୍ଷେତ୍ରରେ ତାରକା ସମ ଉଜ୍ଜ୍ବଳ ଅତିକାୟ ଆମେରିକୀୟ ଟେକ୍ କଂପାନିମାନ, ଯେମିତିକି ‘ଓପନ୍ଏ.ଆଇ.’ କି ‘ଏନ୍ଭିଡିଆ’ ବା ‘ମେଟା’ ଅଥବା ‘ଗୁଗଲ’ ଇତ୍ୟାଦି କିଭଳି ସହସା ନିଷ୍ପ୍ରଭ ପଡ଼ିଛନ୍ତି ଏବଂ ସେମାନଙ୍କ ଚାହିଦା ଓ ବଜାର ମୂଲ୍ୟରେ କିଭଳି ତୀବ୍ର ସ୍ଖଳନ ଘଟି ହାହାକାର ସୃଷ୍ଟି କଲାଣି। ପ୍ରକାଶ ଥାଉ କି ଏହି କ୍ରମରେ ‘ଏନ୍ଭିଡିଆ’ ଭଳି ଏକ ଅତିକାୟ ଟେକ୍ ଦାନବ ମାତ୍ର ଗୋଟିଏ ଦିନରେ ହରାଇଛି ୫୯୦ ବିଲିଅନ୍ (୫୯,୦୦୦ କୋଟି) ଆମେରିକୀୟ ଡଲାର। ସୁତରାଂ, ଆମେରିକାକୁ କ୍ଷତବିକ୍ଷତ କରି ପକାଇଥିବା ଚୀନର ଏଭଳି ଗରିଲା ଆକ୍ରମଣ ପରିପ୍ରେକ୍ଷୀରେ କେଉଁ ଶିକ୍ଷା ଓ ସଂକେତ ଉପଲବ୍ଧ ହୋଇଥାଏ, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରେ।
ଆଜିକୁ ଦୁଇ ବର୍ଷ ତଳେ ଏକ ସାକ୍ଷାତ୍କାର ସଭାରେ ଉେଦ୍ୟାଗପତି ରାଜନ ଆନନ୍ଦନଙ୍କ ପ୍ରଶ୍ନ ଥିଲା ଯେ ଶହେ ନିୟୁତ ଡଲାର ନ ହେଲା ନାଇଁ, ଦଶ ନିୟୁତ ଡଲାର ବ୍ୟୟରେ ‘ସୁପର ସ୍ମାର୍ଟ’ ଭାରତୀୟ ଇଂଜିନିଅରମାନେ ଗୋଟିଏ ‘ଏ.ଆଇ. ମଡେଲ’ ବିକାଶ କରିପାରିବେ କି?, ଯାହାର ପ୍ରତିକ୍ରିୟାରେ ଅଗ୍ରଣୀ େଟକ୍ କଂପାନି ‘ଓପନ୍ଏ.ଆଇ.’ର ତରୁଣ ପ୍ରତିଷ୍ଠାତା ସାମ ଆଲ୍ଟମାନଙ୍କ ଅହମିକା ଭରା ଉତ୍ତର ଥିଲା ଯେ ‘ଅତ୍ୟୁଚ୍ଚ ବ୍ୟୟ କରିବାର ସାମର୍ଥ୍ୟ ନ ଥିଲେ ଏଭଳି କୌଣସି ଆଶା ନାହିଁ, ତେବେ ଭାରତ ଚେଷ୍ଟା କରିପାରେ!’ ଅବଶ୍ୟ ଏଥିରେ ଦ୍ବିରୁକ୍ତି ନାହିଁ ଯେ ମ୍ରିୟମାଣ କରି ପକାଉଥିବା ଭଳି ବ୍ୟୟ ହେଉଛି ‘ଏ.ଆଇ.’ ବିକାଶ କ୍ଷେତ୍ରର ଏକ ବାସ୍ତବତା, ଉଦାହରଣ ସ୍ବରୂପ ‘ମେଟା’ ଦ୍ବାରା ପ୍ରସ୍ତୁତ ‘ଲାମା’ ନାମଧାରୀ ‘ଏ.ଆଇ. ମଡେଲ’ର ବିକାଶରେ ଖର୍ଚ୍ଚ ହୋଇଥିଲା ୬୦ ନିୟୁତ ଆମେରିକୀୟ ଡଲାର। ତେବେ, ସାମ ଅଲ୍ଟମାନଙ୍କ ଉତ୍ତରର ଏକ ନିର୍ଦୟ ପାଲଟା ଜବାବ ଭଳି ବର୍ତ୍ତମାନ ଆବିର୍ଭୂତ ହୋଇଛି ‘ଡିପ୍ସିକ୍’, ଯାହା ସମ୍ଭବ ହୋଇଛି ମାତ୍ର ୬ ନିୟୁତ ଡଲାର ବ୍ୟୟରେ ଏବଂ ତାହା ଯେ କୌଣସି ଅତ୍ୟନ୍ତ ବ୍ୟୟବହୁଳ ଆମେରିକୀୟ ଏ.ଆଇ. ମଡେଲ ସହିତ ସମକକ୍ଷ। ସ୍ବାଭାବିକ ଭାବେ ବିପୁଳ ଅର୍ଥ ବ୍ୟୟ କରିଥିବା ହେତୁ ଆମେରିକୀୟ ଟେକ୍ କଂପାନିଗୁଡ଼ିକ ସେମାନଙ୍କ ଏ.ଆଇ. ମଡେଲଗୁଡ଼ିକର ବ୍ୟବହାର ସକାଶେ ଅର୍ଥ ନେଇଥାଆନ୍ତି, ଯାହା କର୍ପୋରେଟ୍ ଗ୍ରାହକଙ୍କ କ୍ଷେତ୍ରରେ ଅବିଶ୍ବସନୀୟ ଭାବେ ଉଚ୍ଚା ମଧ୍ୟ ହୋଇପାରେ! ସେହି ହିସାବରେ ‘ଡିପ୍ସିକ୍’ର ସ୍ବାତନ୍ତ୍ରୢ ହେଲା ଏହା ପ୍ରାୟ ମାଗଣାରେ ଉପଲବ୍ଧ, ଯେଉଁଥି ପାଇଁ ଗୁଗ୍ଲ ‘ପ୍ଲେ ଷ୍ଟୋର୍’ରେ ‘ଡିପ୍ସିକ୍’ର ଡାଉନଲୋଡ୍ ସଂଖ୍ୟା ଶିଖର ସ୍ପର୍ଶ କରିବା ସହିତ ଆମେରିକୀୟ ପ୍ରବିଧି ଦାନବଗୁଡ଼ିକୁ ସେତ ଯେମିତି ସଂପୂର୍ଣ୍ଣ ରିକ୍ତ କରି ପକାଇଛି!
ଏହା ସୁବିଦିତ ଯେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରତିଦ୍ବନ୍ଦ୍ବିତାରେ ଏକାଧିପତ୍ୟ ବଳବତ୍ତର ରଖିବା ସକାଶେ ଆମେରିକା ପକ୍ଷରୁ ସୁନିର୍ଦ୍ଦିଷ୍ଟ ଭାବେ ଚୀନ ଉପରେ ହିଁ ପ୍ରତିବନ୍ଧ ଲଗାଯାଇଥାଏ, ସୁତରାଂ ଏ.ଆଇ. ବିକାଶ ଲାଗି ଅତ୍ୟୁଚ୍ଚ ମାନର ଅତ୍ୟାଧୁନିକ ଚିପ୍ ତଥା ଆନୁଷଙ୍ଗିକ ସରଞ୍ଜାମ ଚୀନର ପହଞ୍ଚରେ ନ ଥିଲା। କିନ୍ତୁ ଅଦ୍ବିତୀୟ ବୁଦ୍ଧି ତଥା ଅଭିନବ କୌଶଳ ଅବଲମ୍ବନ କରି ଚୀନର ଇଂଜିନିଅରମାନେ ଯେଉଁ ପୁରୁଣା କାଳିଆ ‘ଚିପ୍’ ବ୍ୟବହାର କରି ଏଭଳି ଅଚିନ୍ତନୀୟ ସଫଳତା ଓ ସାମର୍ଥ୍ୟ ହାସଲ କରିଛନ୍ତି, ସେ ସବୁ ହୁଏତ ଆମେରିକା ଦୃଷ୍ଟିରେ କେବଳ ଡଷ୍ଟବିନ୍କୁ ହିଁ ଯାଆନ୍ତା! କେବଳ ସେତିକି ନୁହେଁ, ‘ଡିପ୍ସିକ୍’ ନିଜକୁ ‘ଓପନ୍ ସୋର୍ସ’ ବା ସଂପୂର୍ଣ୍ଣ ଖୋଲା ରଖିଛି, ଯଦ୍ଦ୍ବାରା ଅନ୍ୟ ପ୍ରଯୁକ୍ତି ବିଶେଷଜ୍ଞମାନେ ତହିଁରେ ଅଧିକ ବିକାଶ ସାଧନ କରିପାରିବେ। ଏଭଳି ଆଭିମୁଖ୍ୟ ମଧ୍ୟ ‘ଡିପ୍ସିକ୍’କୁ ଅଧିକ ଆକର୍ଷଣୀୟ କରିଛି। ସାଧାରଣତଃ, ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ଅନୁରକ୍ତ ରାଷ୍ଟ୍ରମାନଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ହେଲା ଏହା ଯେ କମ୍ୟୁନିଷ୍ଟ ଶାସିତ ଚୀନରେ ମୁକ୍ତ ବିଚାର ପ୍ରଶ୍ରୟ ପାଉ ନ ଥିବାରୁ ସେଠାରେ ବୈଜ୍ଞାନିକ ଓ ପ୍ରାବିଧିକ ଉଦ୍ଭାବନର ବାତାବରଣ ବସ୍ତୁତଃ ଅମ୍ଳଜାନଶୂନ୍ୟ ହୋଇଥାଏ; କିନ୍ତୁ ଇତିମଧ୍ୟରେ ଚୀନ କ୍ରମାଗତ ଭାବେ ଏଭଳି ଧାରଣାକୁ ନିରାଧାର ବୋଲି ସାବ୍ୟସ୍ତ କରିବାରେ ଲାଗିଛି। ସଂପ୍ରତି ୬୪ଟି ଅତ୍ୟାଧୁନିକ ପ୍ରଯୁକ୍ତି ମଧ୍ୟରୁ ୫୭ଟିରେ ଆମେରିକାକୁ ଚୀନ ଅତିକ୍ରମ କରି ସାରିଛି, ଯେଉଁ ଦୃଶ୍ୟପଟ ୨୦୦୩ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ କାଳ ଖଣ୍ଡରେ ଠିକ୍ ବିପରୀତ ଥିଲା, ଅର୍ଥାତ୍ ୬୪ଟି ପ୍ରଯୁକ୍ତିରୁ ୬୦ଟିରେ ଆମେରିକା ଥିଲା ପ୍ରଶ୍ନାତୀତ ଭାବେ ଅଗ୍ରଣୀ। ଏ କ୍ଷେତ୍ରରେ ଚୀନର ପାରଙ୍ଗମତା ନେଇ କେବଳ ଏଥିରୁ ଧାରଣା ଜନ୍ମିବ ଯେ ଆମେରିକା ନିକଟରେ ‘ସିକ୍ସଥ ଜେନେରେସନ’ ବା ‘ଷଷ୍ଠ ପିଢ଼ି’ର ଯୁଦ୍ଧ ବିମାନ ଅଛି ବୋଲି କେବଳ କର୍ଣ୍ଣଗୋଚର ହେଉଥିବା ବେଳେ ଗଲା ଡିସେମ୍ବର ମାସରେ ଚୀନ ପକ୍ଷରୁ ସ୍ବହସ୍ତ ନିର୍ମିତ ଅତ୍ୟାଧୁନିକ ‘ସିକ୍ସଥ ଜେନେରେସନ’ ଯୁଦ୍ଧ ବିମାନ ଆକାଶରେ ଉଡ଼ାଯାଇ ସମସ୍ତଙ୍କ ଦୃଷ୍ଟିଗୋଚର କରାଇ ଦିଆଯାଇଛି। ତେବେ ‘ଡିପ୍ସିକ୍’ର ପ୍ରହାର ସତେ ଯେମିତି ଯଥେଷ୍ଟ ନ ଥିଲା, ସେହି ଭଳି ଚୀନା କଂପାନି ‘ଆଲିବାବା’ ଓ ‘ମୁନସଟ୍ ଏ.ଆଇ.’ ପକ୍ଷରୁ ଉଭା ହେଲେଣି ଯଥାକ୍ରମେ ‘କ୍ବେଣ୍ଟ ୨.୫ ମାକ୍ସ’ ଏବଂ ‘କିନିକେ ୧.୫’, ଯେଉଁ ଦୁଇଟି ଏ ଯାବତ୍ ବିଦ୍ୟମାନ ସମସ୍ତ ଏ.ଆଇ. ମଡେଲଠାରୁ ଅଧିକ ଦକ୍ଷ ବୋଲି ମଧ୍ୟ ଦାବି କରାଯାଉଛି। କିନ୍ତୁ ବିଡ଼ମ୍ବନା ହେଲା ଏ ଆଘାତ ଯୁକ୍ତରାଷ୍ଟ୍ର ଆମେରିକାକୁ ବିନମ୍ର କରିବା ପରିବେର୍ତ୍ତ ତା’ର ଅହମିକାକୁ କ୍ଷୁଣ୍ଣ କରିଛି, ଯହିଁରେ ପରାଜୟ ସ୍ବୀକାର କରିବା କଷ୍ଟକର ହୋଇଥାଏ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ଏକ ସ୍ଥିତିକୁ ଆମେରିକା ସକାଶେ ‘ନିଦ୍ରା ଭଙ୍ଗ ଲାଗି ଡାକ’ ବୋଲି ଅଭିହିତ କରିଥିଲେ ମଧ୍ୟ ଟେକ୍ କଂପାନିଗୁଡ଼ିକ ‘ଡିପ୍ସିକ୍’ର ବିକାଶ ପଛରେ ଜାଲିଆତିର ସନ୍ଦେହ ପ୍ରକଟ କରୁଛନ୍ତି। ଅଷ୍ଟ୍ରେଲିଆ ଭଳି ଆମେରିକା ଅନୁଗାମୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକମାନଙ୍କୁ ‘ଡିପ୍ସିକ୍’ର ବ୍ୟବହାରରୁ ନିବୃତ୍ତ ରହିବା ସଂପର୍କରେ ସତର୍କ କରାଇ ଦେଇଛନ୍ତି; କାରଣ ସେମାନଙ୍କ ମତରେ ନାଗରିକମାନଙ୍କ ବ୍ୟକ୍ତିଗତ ‘ଡେଟା’ ହରଣଚାଳ କରିବା କୁଅାଡ଼େ ଚୀନର ଅନ୍ତିମ ଲକ୍ଷ୍ୟ ହୋଇଥାଏ! କିନ୍ତୁ ଏହା ସତ୍ତ୍ବେ ଚୀନର ଉପଲବ୍ଧିର ଔଜ୍ଜ୍ବଲ୍ୟ ନିଷ୍ପ୍ରଭ ହୋଇ ନ ଥାଏ।
‘ଡିପ୍ସିକ୍’ ହେଉଛି ଏକ ଇଂରେଜୀ ଅଭିବ୍ୟକ୍ତି, ଯାହାର ଓଡ଼ିଆ ମର୍ମାର୍ଥ ହୋଇପାରେ ‘ଗଭୀର ସନ୍ଧାନ’, ଯାହା ମଧ୍ୟ ଅତ୍ୟନ୍ତ ଗୂଢ଼ ଅର୍ଥ ବହନ କରିଥାଏ। ‘ପାଇବାକୁ ହେଲେ ବୁଡ଼ିବାକୁ ହୋଇଥାଏ’ ଭଳି ତତ୍ତ୍ବଟି ପ୍ରାଚ୍ୟର ପ୍ରଜ୍ଞା ଓ ଦର୍ଶନ ସକାଶେ କିଛି ନୂଆ କଥା ନୁହେଁ। ସଂପ୍ରତି ଚୀନ ଲାଭ କରିଥିବା ବିରଳ ଉପଲବ୍ଧି ହେଉଛି ତା’ର ଏକ ପ୍ରମାଣ। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ଏଭଳି ଦୃଶ୍ୟପଟରେ ଭାରତର ପଦଚିହ୍ନ କେଉଁଠି? କାରଣ ଭାରତ ମଧ୍ୟ ଏକ ଦ୍ରୁତବର୍ଦ୍ଧିଷ୍ଣୁ ରାଷ୍ଟ୍ର! ସୁତରାଂ, ‘ଏ.ଆଇ.’ ବିକାଶ ନେଇ ସାମ ଅଲ୍ଟମାନଙ୍କ କଟାକ୍ଷର ଉତ୍ତର ଭାରତୀୟ ‘ସୁପର ସ୍ମାର୍ଟ’ ଇଞ୍ଜିନିଅରମାନେ ଦେଇ ପାରି ନ ଥାଆନ୍ତେ କି?, ଯେମିତି ଦେଇଥିଲେ ୧୯୯୧ ମସିହାରେ! ସ୍ମରଣରେ ଅଛି କିଭଳି ୧୯୮୭ ମସିହାରେ ଅାମେରିକୀୟ ସୁପର କଂପ୍ୟୁଟର ‘କ୍ରେ ଏକ୍ସ-ଏମ୍ପି’ କ୍ରୟ କରିବା ସକାଶେ ଭାରତର ପ୍ରସ୍ତାବକୁ ଆମେରିକାର ନିର୍ଦ୍ଦୟ ପ୍ରତ୍ୟାଖ୍ୟାନ ପରେ ଭାରତରେ ସୃଷ୍ଟି ହୋଇଥିଲା ‘ଡିପାର୍ଟମେଣ୍ଟ ଅଫ ଆଡଭାନସ୍ଡ କଂପ୍ୟୁଟିଙ୍ଗ’ ବା ‘ସି-ଡାକ୍’, ଯାହା ୧୯୯୧ ମସିହାରେ ସ୍ବଦେଶୀ ସୁପର କଂପ୍ୟୁଟର ‘ପରମ ୮୦୦୦’ ସହିତ ସଗର୍ବ ଉଭା ହୋଇଥିଲା! ଗଭୀରତାକୁ ଯାଇ ସନ୍ଧାନ କରିବାର ସେ ଉତ୍ସାହ ସଂପ୍ରତି ଆମ ଦେଶରେ ମଉଳି ଯାଇଛି କି? ନା ଗଭୀର ସନ୍ଧାନର ଅର୍ଥ ବୋଲି ଆମେ ବୁଝି ନେଇଛେ ଯେ ତାହା ହେଉଛି ଅତୀତର ଉତ୍ଖନନ? ସତ କହିଲେ ପୃଥିବୀକୁ ଆମେ ପୂର୍ବପୁରୁଷମାନଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ଲାଭ କରି ନାହୁଁ; ଏହା ପ୍ରକୃତରେ ଭବିଷ୍ୟତ୍ ପିଢ଼ିର ସଂପତ୍ତି, ଯାହାକୁ ଆମେ ଧାର ସୂତ୍ରରେ ଆଣି ବ୍ୟବହାର କରୁଛେ ଯାହା। ସୁତରାଂ ଏହାକୁ ଅଧିକ ସମୃଦ୍ଧ କରିବା ହିଁ େହଉଛି ଆମ ଦାୟିତ୍ବ, ଯେଉଁଥି ଲାଗି ଅଜ୍ଞାତ ଭବିଷ୍ୟତ୍ ମଧ୍ୟକୁ ଲମ୍ଫ ପ୍ରଦାନ କରିବାକୁ ହେବ। କେବଳ ତଦ୍ଦ୍ବାରା ଆମେ ସାଂପ୍ରତିିକ ‘ଟେକ୍ ବିପ୍ଳବ’ର ଅଂଶ ହୋଇ ରହିପାରିବା। ତହିଁରେ ହିଁ ଆମର ପ୍ରକୃତ ସାମର୍ଥ୍ୟ ପ୍ରତିପାଦିତ ତ ହେବ, ଯାହା ମଧ୍ୟ ବାସ୍ତବରେ ହେବ ‘ଗଭୀରତାର ସନ୍ଧାନ’। ଏହା ନ ହେଲେ ଆମେ ଭବିଷ୍ୟତରେ ଅପ୍ରାସଙ୍ଗିକ ହୋଇଯିବା।