ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ଅର୍ଥାତ୍ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ବୋଲି ଦିନରାତି ଘୋଷଣା କରାଯିବାରେ ଲାଗିଛି। ବିଶେଷଜ୍ଞମାନେ ଅନୁମାନ କରିୁଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ଅନ୍ତତଃ ଗୋଟିଏ ଦଶନ୍ଧି ପାଇଁ ଲଗାତର ଅନ୍ୟୂନ ବାର୍ଷିକ ୮ ଶତାଂଶ ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେବ।

Advertisment

୧୯୯୧ରେ ଯେତେବେଳେ ସୋଭିଏତ୍ ସଂଘର ବିଧିବଦ୍ଧ ବିଲୟ ଘଟି ରୁଷିଆର ପୁନଃ ଆବିର୍ଭାବ ଘଟିଲା, ସେତେବେଳେ ସେ ଦେଶର ସରକାରୀ ଅଧିକାରୀମାନଙ୍କୁ ଯେଉଁ ଏକ ଚିନ୍ତା ବିଶେଷ ଭାବରେ ବିବ୍ରତ କରିଥିଲା, ତାହା ହେଲା, ଦେଶର ଅର୍ଥନୀତିକୁ ଚଳାଇବା ପାଇଁ ଆବଶ୍ୟକ ନିଷ୍ପତ୍ତିମାନ ନେବ କିଏ? ଏହାର କାରଣ ହେଲା ସୋଭିଏତ୍ ସଂଘର କମ୍ୟୁନିଷ୍ଟ ବ୍ୟବସ୍ଥାରେ ଦେଶର ଅର୍ଥନୀତି ଥିଲା ସଂପୂର୍ଣ୍ଣ ରୂପେ ସରକାରଙ୍କ ନିୟନ୍ତ୍ରଣରେ; ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦ୍ରବ୍ୟର ଉତ୍ପାଦନ ନିୟନ୍ତ୍ରିତ ହେଉଥିଲା। କମ୍ୟୁନିଷ୍ଟ ଶାସନ ସ୍ଥାନରେ ବଜାରଭିତ୍ତିକ ପୁଞ୍ଜିବାଦ ବ୍ୟବସ୍ଥା ପ୍ରତିଷ୍ଠିତ ହେଲେ ସରକାରୀ ନିୟନ୍ତ୍ରଣର ଆବର୍ତ୍ତମାନରେ ଏ ସମସ୍ତ ଅର୍ଥନୈତିକ ନିଷ୍ପତ୍ତି କିଏ ନେବ, ତାହା ସେ ସମୟର ସରକାରୀ ଅଧିକାରୀମାନେ ବୁଝିପାରୁ ନ ଥିଲେ। ଏହାର ଏକ ଉଦାହରଣ ସ୍ବରୂପ ଜଣେ ଗବେଷକ ଉଲ୍ଲେଖ କରିଛନ୍ତି ଯେ ଥରେ ଜଣେ ରୁଷୀୟ ଅଧିକାରୀ ଜଣେ ବ୍ରିଟିଶ୍ ଅର୍ଥନୀତିଜ୍ଞଙ୍କ ସହିତ ଯୋଗାଯୋଗ କରି ଏହାର ଉତ୍ତର ପାଇବା ପାଇଁ ଚେଷ୍ଟା କରି ତାଙ୍କୁ ପଚାରିଲେ: ‘‘ଲଣ୍ଡନର ଅଧିବାସୀମାନଙ୍କୁ ପାଉଁରୁଟି ଯୋଗାଇବା ଦାୟିତ୍ବ କିଏ ନିର୍ବାହ କରିଥାଏ?’’
ଏକ ନିର୍ଦ୍ଦେଶଭିତ୍ତିକ ଅର୍ଥନୀତିର ଅଂଶ ହୋଇଥିବା ସେଇ ଅଧିକାରୀମାନେ ବିଶ୍ବାସ କରିପାରୁ ନ ଥିଲେ ଯେ କାହାରି ନିର୍ଦ୍ଦେଶ ବିନା ବଜାର ଆପଣାଛାଏଁ ଲୋକମାନଙ୍କର ଆବଶ୍ୟକତା ପୂରଣ ନିମିତ୍ତ ଯଥେଷ୍ଟ ପରିମାଣରେ ପାଉଁରୁଟି ଯୋଗାଇ ଦେଇଥାଏ। ସେମାନେ ଏହି ରହସ୍ୟ ଭେଦ କରିବା ପାଇଁ କୌଣସି ଅର୍ଥନୀତିଜ୍ଞ ସହାୟତା ନ ଲୋଡ଼ି ଯଦି ଜଣେ ସାମ୍ବାଦିକଙ୍କ ଦ୍ବାରା ରଚିତ ଏକ ସରଳ ପୁସ୍ତକର ସାହାଯ୍ୟ ନେଇଥାନ୍ତେ, ତେବେ ସହଜରେ ତାଙ୍କର ପ୍ରଶ୍ନର ଉତ୍ତର ପାଇଯାଇଥାନ୍ତେ। ସେ ପ୍ରଖ୍ୟାତ ସାମ୍ବାଦିକ ହେଉଛନ୍ତି ହେନ୍‌ରି ହାଜ୍‌ଲିଟ୍ ଓ ୧୯୪୬ରେ ପ୍ରକାଶିତ ତାଙ୍କ ଲିଖିତ ସେଇ ପ୍ରସିଦ୍ଧ ପୁସ୍ତକର ନାମ ହେଉଛି ‘ଇକୋନମିକ୍‌ସ ଇନ୍ ୱାନ୍ ଲେସନ୍’ (‘ଗୋଟିଏ ପାଠରେ ଅର୍ଥଶାସ୍ତ୍ର’)। ସେଥିରେ ହାଜ୍‌ଲିଟ୍ ପ୍ରଦର୍ଶିତ କରିଛନ୍ତି କାହିଁକି ବଜାର ବ୍ୟବସ୍ଥା ଅର୍ଥନୈତିକ ଅଭିବୃଦ୍ଧିକୁ ପରିପୁଷ୍ଟ କରିଥାଏ ଏବଂ କାହିଁକି କମ୍ୟୁନିଷ୍ଟ ଅର୍ଥନୀତି ତୁଳନାରେ ବଜାରଭିତ୍ତିିକ ପୁଞ୍ଜିବାଦୀ ଅର୍ଥନୀତିମାନ ଉଚ୍ଚତର ଜୀବନଧାରଣର ମାନ ହାସଲ କରିବାରେ ସଫଳ ହୋଇଛନ୍ତି।
ତେବେ ହାଜ୍‌ଲିଟ୍ ଅଙ୍କନ କରିଥିବା ଚିତ୍ର ଯେ ସଂପୂର୍ଣ୍ଣ ଚିତ୍ର ନୁହେଁ, ସାତ ଦଶନ୍ଧି ପରେ ତାହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି କ୍ବିନ୍‌ସଲାଣ୍ଡ୍ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ଜନ୍ କ୍ବିଗିନ୍ ତାଙ୍କର ୨୦୧୯ରେ ପ୍ରକାଶିତ ପୁସ୍ତକ ‘ଇକୋନମିକ୍‌ସ ଇନ୍ ଟୁ ଲେସନ୍‌ସ’ (‘ଦୁଇଟି ପାଠରେ ଅର୍ଥଶାସ୍ତ୍ର’)ରେ। ହାଜ୍‌ଲିଟ୍‌ଙ୍କ ଅସଂପୂର୍ଣ୍ଣ ଚିତ୍ରକୁ ସଂପୂର୍ଣ୍ଣ କରୁଥିବା କ୍ବିଗିନ୍‌ଙ୍କ ଦ୍ବାରା ଉପସ୍ଥାପିତ ଦ୍ବିତୀୟ ପାଠଟି ହେଲା- ଅନେକ ସମୟରେ ବଜାର ମଧ୍ୟ ବିଫଳ ହୋଇପାରେ, ଯାହା ଫଳରେ ପ୍ରଦୂଷଣରୁ ଆରମ୍ଭ କରି ବେକାରି ଓ ଶୋଷଣକାରୀ ଏକଚାଟିଆ କାରବାର ପର୍ଯ୍ୟନ୍ତ ସୃଷ୍ଟି ହୋଇପାରେ। କ୍ବିଗିନ୍ ଏଥିରେ ସ୍ବୀକାର କରିଛନ୍ତି ଯେ ମୁକ୍ତ ବଜାର ଅର୍ଥନୀତି ନିୟୁତ ନିୟୁତ ଲୋକମାନଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବାରେ ସଫଳ ହୋଇଛି, କିନ୍ତୁ ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ ବଜାରର ବିଫଳତା ପ୍ରତିହତ କରିବା ପାଇଁ ତାହାକୁ ନିୟନ୍ତ୍ରଣ କରାଯିବା ମଧ୍ୟ ନିତାନ୍ତ ଆବଶ୍ୟକ। ସୋଭିଏତ୍ ରୁଷିଆ ଭଳି ଏହି ନିୟନ୍ତ୍ରଣ ଶତପ୍ରତିଶତ ନ ହେଲେ ମଧ୍ୟ ବଜାରକୁ ଅବାଧ ଭାବରେ କାର୍ଯ୍ୟ କରିବାକୁ ନ ଦେଇ ତାକୁ ଲଗାମ ଦିଆଯିବା ଆବଶ୍ୟକ ବୋଲି କ୍ବିଗିନ୍ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସ୍ବାଧୀନତା ଲାଭ କରିବା ପରେ ସୋଭିଏତ୍ ଉଦାହରଣ ଦ୍ବାରା ଉତ୍ସାହିତ ହୋଇ ଏଠାରେ ଏକ ଆଂଶିକ ସମାଜବାଦୀ ବ୍ୟବସ୍ଥା ଅନୁସରଣ କରିଚାଲିଥିଲା, ଯେଉଁଥିରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ସଂପୂର୍ଣ୍ଣ ରୂପେ ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣାଧୀନ ହୋଇଥିବାବେଳେ ଘରୋଇ କ୍ଷେତ୍ର ବିଭିନ୍ନ ନିୟମକାନୁନ ଦ୍ବାରା ନିୟନ୍ତ୍ରିତ ହୋଇଚାଲିଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ବର୍ଷ ସୋଭିଏତ୍ ସଂଘର ବିଲୟ ଘଟିଲା, ସେଇ ୧୯୯୧ରେ ହିଁ ଭାରତ ସୋଭିଏତ୍ ମଡେଲ୍‌କୁ ବିଦାୟ ଜଣାଇ ଏଠାରେ ଉଦାରୀକରଣକୁ ଆଲିଙ୍ଗନ କଲା। ଏହାର ଅଂଶସ୍ବରୂପ ସେ ପର୍ଯ୍ୟନ୍ତ ଅର୍ଥନୀତିକୁ ପଘାରେ ଭିଡ଼ି କରି ବାନ୍ଧି ରଖିଥିବା ଲାଇସେନ୍‌ସ ପରମିଟ୍ ରାଜର ଉଚ୍ଛେଦ ଘଟାଯାଇଥିଲା।
କିନ୍ତୁ ଏଥିସତ୍ତ୍ବେ କ୍ବିଗିନ୍‌ଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କଲାଭଳି ବଜାରକୁ ଅବାଟରେ ଯିବାକୁ ନ ଦେବା ଉଦ୍ଦେଶ୍ୟରେ ତାକୁ ଏଠାରେ ବିଭିନ୍ନ ନିୟମକାନୁନରେ ଛନ୍ଦି ଦିଆଯାଇଛି। ଏ ସମସ୍ତ ନିୟମକାନୁନ ଅନୁପାଳନର ପୁନଃପୌନିକ ବୋଝ ଶିଳ୍ପବାଣିଜ୍ୟ ଅନୁଷ୍ଠାନମାନଙ୍କ ପାଇଁ ‌ଅନେକ ସମୟରେ ଅସହନୀୟ ହୋଇପଡୁଥିବାବେଳେ, ଅର୍ଥନୀତିର ଅଭିବୃଦ୍ଧି ପଥରେ ପ୍ରତିବନ୍ଧକ ପରି କାର୍ଯ୍ୟ କରୁଛି। ଭାରତ ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ୍ ଏବେ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ନିମିତ୍ତ ଯେଉଁ ପଦକ୍ଷେପମାନ ଗ୍ରହଣ କରାଯିବା ନିମିତ୍ତ ପ୍ରସ୍ତାବ ଦେଇଛନ୍ତି, ସେଥିରେ ଏହି ପ୍ରତିବନ୍ଧକ ହଟାଇବା ନିମିତ୍ତ ଆହ୍ବାନ ହେଉଛି ପ୍ରମୁଖ। 
ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ଅର୍ଥାତ୍ ୨୦୪୭ ବେଳକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ବୋଲି ଦିନରାତି ଘୋଷଣା କରାଯିବାରେ ଲାଗିଛି। ବିଶେଷଜ୍ଞମାନେ ଅନୁମାନ କରିୁଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ଅନ୍ତତଃ ଗୋଟିଏ ଦଶନ୍ଧି ପାଇଁ ଲଗାତର ଅନ୍ୟୂନ ବାର୍ଷିକ ୮ ଶତାଂଶ ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଗତ ବିତ୍ତ ବର୍ଷରେ ଆମ ଅର୍ଥନୀତି ଏ ଦୃଷ୍ଟିରୁ ଏକ ସନ୍ତୋଷଜନକ ୮.୨ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିଥିବାବେଳେ ‘ଏନ୍ଏସ୍ଓ’ ଆକଳନ ଅନୁସାରେ ଚଳିତ ବିତ୍ତ ବର୍ଷରେ ତାହା ୬.୪ ଶତାଂଶ ହେବାକୁ ଯାଉଛି ଓ ଅନନ୍ତ ନାଗେଶ୍ବରନ୍ ୨୦୨୫-୨୬ରେ ତାହା ୬.୩ ଶତାଂଶରୁ ୬.୮ ଶତାଂଶ ମଧ୍ୟରେ ସୀମିତ ରହିବ ବୋଲି ଦର୍ଶାଇଛନ୍ତି। ଏହି ଅଭିବୃଦ୍ଧି ହାର ପୃଥିବୀର ଅନ୍ୟ ଦେଶମାନଙ୍କ ତୁଳନାରେ ସନ୍ତୋଷଜନକ ମନେ ହେଉଥିଲେ ହେଁ ଭାରତକୁ ଏକ ଉଚ୍ଚ ଆୟଯୁକ୍ତ ସମୃଦ୍ଧ ଦେଶରେ ପରିଣତ କରିବା ପାଇଁ ଏହା ଯଥେଷ୍ଟ ନୁହେଁ।
ଏହି ପରିପ୍ରେକ୍ଷୀରେ ନିୟନ୍ତ୍ରଣ ହଟାଇ ଶିଳ୍ପବାଣିଜ୍ୟ ଅନୁଷ୍ଠାନମାନଙ୍କ ପାଇଁ ନିୟମ ଅନୁପାଳନ ବୋଝ ହାଲୁକା କରି ସେମାନଙ୍କୁ ଦ୍ରୁତ ଅଭିବୃଦ୍ଧି ହାସଲରେ ସହାୟକ ହେବା ନିମିତ୍ତ ଅନନ୍ତ ନାଗେଶ୍ବରନ୍ ଓ ତାଙ୍କ ଗବେଷକ ଗୋଷ୍ଠୀ ଆହ୍ବାନ ଦେଇଛନ୍ତି। ସେମାନେ ଏଥିରେ କୌଣସି ଛଳନାର ଆଶ୍ରୟ ନ ନେଇ ସିଧାସଳଖ ଭାବରେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି: ‘‘ବାଟରୁ ହଟିଯାଅ।’’ ଅନ୍ତତଃ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହେବା ଯ‌ାଏ ଭାରତ ହାଜ୍‌ଲିଟ୍‌ଙ୍କ ପାଠକୁ ଅନୁସରଣ କରୁ; ବିକଶିତ ହୋଇସାରିବା ପରେ ଆମେ କ୍ବିଗିନ୍‌ଙ୍କ ଦ୍ବିତୀୟ ପାଠକୁ ଅନୁସରଣ କରିବା ଅଧିକ ଯଥାର୍ଥ ହେବ।