ପାକିସ୍ତାନ ସରକାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ତତ୍କାଳୀନ ଆମେରିକୀୟ ବିଦେଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନ ପ୍ରାଜ୍ଞ ସୁଲଭ ଉପଦେଶ ଦେଇ କହି ପାରନ୍ତି ଯେ ଅଗଣାରେ ସର୍ପ ପୋଷିଲେ ତାହା ଅବଲୀଳା କ୍ରମେ ତୁମକୁ ଦଂଶନ କରିବ, କିନ୍ତୁ ଆମେରିକାରେ ଆଶ୍ରୟ ଓ ପ୍ରଶ୍ରୟ ପାଇଥିବା ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ (ଗୁର ପଟୱନ୍ତ ପନୁନ ଭଳି) ଦେଖି ସେ ବା ତାଙ୍କ ସମଧର୍ମାମାନେ ନ ଦେଖିଲା ଭଳି ରହନ୍ତି। ଏହା ହେଉଛି ପାଶ୍ଚାତ୍ୟ ଦେଶଗୁଡ଼ିକର ବିଶୁଦ୍ଧ କପଟାଚାର। ଏହି କାରଣରୁ ଗୋଟିଏ ଦେଶରେ ନିର୍ମୂଳ ହୋଇ ସାରିଥିବା ଆତଙ୍କବାଦ ନିଶ୍ଚିହ୍ନ ନ ହୋଇ ଅନ୍ୟ ଦେଶର ପାଣି ପବନରେ ପଲ୍ଲବିତ ହୋଇ ଏକ ଅମରୀ ବିଷ ବୃକ୍ଷରେ ପରିଣତ ହୁଏ।
ଗଲା ଗୁରୁବାର ଦିନ ଲଣ୍ଡନ ସହରର ‘ଚାଟମ ହାଉସ୍’ରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାହାରୁଥିବା ବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଗାଡ଼ିକୁ ଦଳେ ଖଲିସ୍ତାନୀ ସମର୍ଥକ ଘେରି ଯାଇ ହୋହଲ୍ଲା କରିବା ଏବଂ ଜଣେ କେହି ତାଙ୍କ ସମ୍ମୁଖରେ ଭାରତର ଜାତୀୟ ପତାକାକୁ ଚିରି ଦେବା ଭଳି ଘଟଣା ଚିନ୍ତା ଓ ଦୁଃଖ ମିଶ୍ରିତ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ। ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ସ୍ପଷ୍ଟ ହୋଇଥାଏ ଯେ ସେଠାରେ ରୁଣ୍ଡ ହୋଇ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଉପଦ୍ରବକାରୀମାନଙ୍କ ମଧ୍ୟରୁ ଜଣେ ପାଦରେ ଦୌଡ଼ି ସଡ଼କ ଅତିକ୍ରମ କରି ମନ୍ତ୍ରୀ ମହୋଦୟଙ୍କ କାର ନିକଟରେ ପହଞ୍ଚି ପାରିଥିଲା ଏବଂ ଭାରତର ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲା। ସେ ଲାଭ କରିଥିବା ସମୟ ଏବଂ ସୁଯୋଗ ପରିପ୍ରେକ୍ଷୀରେ ବିଚାର କଲେ ଯେ କେହି ଅନୁମାନ କରିପାରିବ ଯେ ମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବନ୍ଦୋବସ୍ତରେ ମହଜୁଦ ଥିବା ବ୍ରିଟିସ ପୁଲିସ କର୍ମଚାରୀଙ୍କ ପ୍ରତିକ୍ରିୟା କିଭଳି ମନ୍ଥର ହୋଇଥିବ! ସ୍ବାଭାବିକ ଭାବେ ଶଂସିତ ଘଟଣା େନଇ ଭାରତ ସରକାରଙ୍କ ପକ୍ଷରୁ ତୀବ୍ର ଆପତ୍ତି ପ୍ରକାଶ କରାଯାଇଛି; କାରଣ ବିଦେଶାଗତ ମନ୍ତ୍ରୀସ୍ତରୀୟ ଅତିଥିଙ୍କ ସକାଶେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଛିଦ୍ରଶୂନ୍ୟ ହେବା ଅବଧାରିତ। ତେବେ ଏଭଳି ଘଟିଲା କାହିଁକି? ସୁରକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି କ’ଣ କେବଳ ନିରୀହ ଆଳସ୍ୟର ପରିଣାମ ନା ଏହା ପଛରେ ରହିଛି ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ଦ୍ବାରା ପରିଚାଳିତ ମନୋବୃତ୍ତି? ଏହାକୁ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ଏକ ବାସ୍ତବତା ଯେ ନବମ ଦଶକର ମଧ୍ୟ ଭାଗରୁ ଭାରତରେ ଖଲିସ୍ତାନୀ ଆତଙ୍କବାଦ ନିର୍ମୂଳ ହୋଇ ସାରିଛି; କିନ୍ତୁ ବିଡ଼ମ୍ବନାଟି ହେଲା କେତେକ ସମୃଦ୍ଧ ପାଶ୍ଚାତ୍ୟ ଦେଶରେ ତାହା ଜଳନ୍ତା ଅଙ୍ଗାର ସମ ଜଳି ରହିଛି। ଏହା ସୁବିଦିତ କିଭଳି କାନାଡା, ୟୁ.କେ., ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ଖଲିସ୍ତାନ ସମର୍ଥକମାେନ ଅତ୍ୟନ୍ତ ସକ୍ରିୟ, ଏବଂ ଅନେକ ସମୟରେ ପ୍ରବଳ ହୋଇ ଉଠନ୍ତି। ପ୍ରକାଶ ଥାଉ କି ଏମାନେ ସମସ୍ତେ ଏକଦା ଭାଗ୍ୟର ସନ୍ଧାନରେ ଦେଶାନ୍ତରୀ ହୋଇ ଭାରତରୁ ଯାଇ ସେ ସବୁ ଦେଶରେ ବସବାସ କରିବା ଆରମ୍ଭ କରିଥିଲେ ଏବଂ ଅବଲୀଳା କ୍ରମେ ସେଠାରେ ବିତ୍ତଶାଳୀ, ପ୍ରଭାବଶାଳୀ ଏବଂ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମଧ୍ୟ ହୋଇପାରିଛନ୍ତି। କିନ୍ତୁ ଅବସୋସ, ସେମାନଙ୍କ ମଧ୍ୟରୁ ଶିଖ ସଂପ୍ରଦାୟଭୁକ୍ତ ଅନେକ ପ୍ରବାସୀ ସେମାନଙ୍କ ପ୍ରଭାବକୁ ଖଲିସ୍ତାନ ଦାବିକୁ ପରିପୁଷ୍ଟ କରିବାରେ ବ୍ୟବହାର କରି ଚାଲିଛନ୍ତି। ଉଦାହରଣ ସ୍ବରୂପ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାର କ୍ଷମତାସୀନ ହୋଇ ରହିବା ଲାଗି ଯେଉଁ ଅବଲମ୍ବନ ଉପରେ ଅସହାୟ ଭାବେ ନିର୍ଭରଶୀଳ ହୋଇଥିଲା, ସେହି ଏନ୍.ଡି.ପି. ହେଉଛି ଉଗ୍ର ଖଲିସ୍ତାନ ସମର୍ଥକଙ୍କ ଏକ ରାଜନୈତିକ ଦଳ। ଏହି କାରଣରୁ ଟ୍ରୁଡୋଙ୍କ ଶାସନ କାଳରେ କାନାଡା ଭୂମି ଭାରତ ବିରୋଧୀ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କ ନିର୍ଭୟ ଚାରଣ ଭୂମିେର ପରିଣତ ହୋଇଥିଲା ଏବଂ ଏହି କାରଣରୁ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଏଭଳି ତୀବ୍ର ହୋଇଛି ଯେ ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସଂପର୍କ ପ୍ରାୟ ଛିନ୍ନ ହୋଇଯାଇଛି। ଖଲିସ୍ତାନୀ ସମର୍ଥକମାନଙ୍କ ସହିତ ଟ୍ରୁଡୋଙ୍କ ସଂପର୍କ କିଭଳି ପ୍ରଗାଢ଼, ତାହା କେବଳ ଏତିକିରୁ ସ୍ପଷ୍ଟ ହେବ ଯେ ଖଲିସ୍ତାନ ସମର୍ଥକମାନେ ଶ୍ରଦ୍ଧାରେ ତାଙ୍କୁ ସମ୍ବୋଧନ କରନ୍ତି ‘ଜାଠେଦାର ଟ୍ରୁଡୋ’। ପ୍ରକାଶ ଥାଉ କି ସେ ସବୁ ଦେଶରେ ଅବସ୍ଥିିତ ଅନେକ ଗୁରୁଦ୍ବାର ଏହି ପ୍ରଭାବଶାଳୀମାନଙ୍କ ଅର୍ଥରେ ପରିପୁଷ୍ଟ ଏବଂ ସେମାନଙ୍କ ପ୍ରଭାବାଧୀନ। ଏଭଳି ସ୍ଥଳେ ‘ଡଙ୍କି ଯାତ୍ରା’ରେ ପଞ୍ଜାବରୁ ଯାଇ ସେ ସବୁ ଦେଶରେ ଅନଧିକାର ପ୍ରବେଶ କରିଥିବା ଅଳ୍ପ ଶିିକ୍ଷିତ ଏବଂ ନିମ୍ନ-ବିତ୍ତ ଶିଖ ତରୁଣମାନଙ୍କୁ ଏହି ଗୁରୁଦ୍ବାରଗୁଡ଼ିକ ଅର୍ଥ, ଆଶ୍ରୟ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେଇ କ୍ରମେ ଖଲିସ୍ତାନ ସମର୍ଥକରେ ପରିଣତ କରନ୍ତି ମଧ୍ୟ! ଏଭଳି କାର୍ଯ୍ୟ ପ୍ରକାଶ୍ୟରେ ହେଉଥିଲେ ହେଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅତି ଉଦାରବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଦ୍ବାହି ଦେଇ ସେ ସବୁକୁ ଅଭିବ୍ୟକ୍ତିଗତ ସ୍ବାଧୀନତା ବା ମୁକ୍ତି ସଂଗ୍ରାମର ଉଦ୍ୟମ ବୋଲି ଅଭିହିତ କରନ୍ତି। ଏଭଳି ଏକ ବାତାବରଣରେ ଜଣେ ବିକ୍ଷୋଭକାରୀ ଏସ୍. ଜୟଶଙ୍କରଙ୍କ ସହିତ ବିପଜ୍ଜନକ ଭାବେ ନିକଟବର୍ତ୍ତୀ ହେବା ଏବଂ ତାକୁ ବାଧା ଦେବାରେ ପୁଲିସ କର୍ମଚାରୀଙ୍କ ମନ୍ଥରତାର କାରଣକୁ ଦେଖି ହୋଇଥାଏ।
ଏହି ଘଟଣା ଘଟିଛି ଇଂଲାଣ୍ଡରେ। ତେଣୁ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରାଯାଇ ପାରେ କି ଅଷ୍ଟମ ଓ ନବମ ଦଶକରେ ଭାରତ ପ୍ରତ୍ୟକ୍ଷ କରିଥିବା ଅକଳ୍ପନୀୟ ଭାବେ ଭୟାବହ ଖଲିସ୍ତାନୀ ଆତଙ୍କବାଦର ବୀଜ ପଡ଼ିଥିଲା ଇଂଲାଣ୍ଡ ମାଟିରେ, ସପ୍ତମ ଦଶକରେ। ଏହି ବୀଜ ପୋତିଥିଲେ ଜଗଜ୍ଜିତ ସିଂହ ଚୌହାନ, ଯିଏ ଷଷ୍ଠ ଦଶକରେ ପଞ୍ଜାବ ରାଜନୀତିରେ ଅଂଶ ଗ୍ରହଣ କରି ଉପ-ବାଚସ୍ପତି ଓ ଅର୍ଥ ମନ୍ତ୍ରୀ ମଧ୍ୟ ହୋଇଥିଲେ। ତେବେ, ସପ୍ତମ ଦଶକର ପ୍ରାରମ୍ଭରେ ସେ ଇଂଲାଣ୍ଡ ଚାଲିଯିବା ସହିତ ସେଠାରୁ ଖଲିସ୍ତାନ ଆନ୍ଦୋଳନର ସୂତ୍ରପାତ ଘଟାଇଥିଲେ। ପ୍ରକାଶ ଥାଉ କି ୧୯୭୧ ମସିହା ଯୁଦ୍ଧରେ ଭାରତ ଦ୍ବାରା ଶୋଚନୀୟ ଭାବେ ପରାଜିତ ପାକିସ୍ତାନ ପ୍ରତିଶୋଧ ନେବା ଲାଗି ସୁଯୋଗ ସନ୍ଧାନ କରୁଥିବା ବେଳେ ଚୌହାନଙ୍କୁ ଠାବ କରିଥିଲା। ଘଟଣା କ୍ରମେ ଜଗଜ୍ଜିତ ସିଂହ ଚୌହାନ ପାକିସ୍ତାନ ଯାଇ ଜେନେରାଲ ୟାହ୍ୟା ଖାଁଙ୍କୁ ସାକ୍ଷାତ କରିଥିଲେ ଏବଂ କୁଖ୍ୟାତ ପାକିସ୍ତାନୀ ସାମରିକ ଗୁଇନ୍ଦା ସଂସ୍ଥା ‘ଆଇ.ଏସ୍.ଆଇ.’ ସହିତ ସଂପୃକ୍ତ ହୋଇଥିଲେ। ସେଠାରେ ହିଁ ସ୍ବାଧୀନ ଖଲିସ୍ତାନ ଦାବିରେ ସଶସ୍ତ୍ର ଆନ୍ଦୋଳନ ଆରମ୍ଭ କରାଯିବା ନେଇ ଷଡ୍ଯନ୍ତ୍ରର ମୂଳଦୁଆ ପଡ଼ିଥିଲା। ଏହା ପରେ ଚୌହାନ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଗସ୍ତ କରିଥିଲେ ଏବଂ ଆମେରିକା, ଇଂଲାଣ୍ଡ ଓ ପାକିସ୍ତାନର ପ୍ରଚ୍ଛନ୍ନ ସହାୟତାରେ ବିଦେଶରୁ ଭାରତକୁ ଖଲିସ୍ତାନ ଆତଙ୍କବାଦର ରପ୍ତାନି ହୋଇଥିଲା। କାନାଡା ବା ଇଂଲାଣ୍ଡରେ ଖଲିସ୍ତାନୀ ଉଗ୍ରବାଦୀମାନଙ୍କୁ ମିଳୁଥିବା ପ୍ରଶ୍ରୟ ନେଇ ଯେଉଁମାନେ ବିସ୍ମୟ ପ୍ରକାଶ କରନ୍ତି, ସେମାନେ ଏହା ଜାଣି ହୁଏତ ତଟସ୍ଥ ହେବେ ଯେ ୧୯୭୧ ମସିହା ଅକ୍ଟୋବର ମାସ ୧୩ ତାରିଖରେ ‘ୱାସିଂଟନ ପୋଷ୍ଟ’ରେ ଏକ ପୂରା ପୃଷ୍ଠାର ବିଜ୍ଞାପନରେ ଖଲିସ୍ତାନ ଆନ୍ଦୋଳନ ସକାଶେ ଆହ୍ବାନ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଖଲିସ୍ତାନ ଦାବିରେ ହୋଇଥିବା ପ୍ରାୟ ଦେଢ଼ ଦଶନ୍ଧିର ଆତଙ୍କବାଦରେ ୬ ହଜାରରୁ ଅଧିକ ସାଧାରଣ ନାଗରିକ ଓ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆମ ଦେଶ ହରାଇଛି। ତେବେ, ନବମ ଦଶକର ମଧ୍ୟ ଭାଗ ବେଳକୁ ଏହି ଆନ୍ଦୋଳନ ସ୍ଥାନୀୟ ଜନସମର୍ଥନ ହରାଇ ସାରିଥିଲା ଏବଂ ସେହି ସମୟରେ ଅତ୍ୟନ୍ତ ଟାଣୁଆ ପୁଲିସ ଅଧିକାରୀ କେ.ପି.ଏସ୍. ଗିଲଙ୍କ ନେତୃତ୍ବରେ ପଞ୍ଜାବ ପୁଲିସ ଏହି ଆତଙ୍କରାଜର ପରିସମାପ୍ତି ଘଟାଇଥିଲେ। ପ୍ରକାଶ ଥାଉ କି ତାଙ୍କ ଉଦ୍ଦେଶ୍ୟ ସାଧନରେ ବିଫଳ ହୋଇଥିବା ଜଗଜ୍ଜିତ ସିଂହ ଚୌହାନ ଜୀବନର ସାୟାହ୍ନରେ ଏକାକୀ ଏକ ବଖୁରିକିଆ ଘରେ ଦାରିଦ୍ର୍ୟରେ ବିତାଇଥିଲେ, ଯାହା ତାଙ୍କୁ ଇଂଲାଣ୍ଡ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିଲା। ଅନ୍ତିମ କାଳରେ ସେ ହୃଦୟଙ୍ଗମ କରିଥିଲେ ଯେ ସଶସ୍ତ୍ର ଓ ହିଂସ୍ର ଆନ୍ଦୋଳନ ଦ୍ବାରା ଖଲିସ୍ତାନ ସ୍ବପ୍ନ ଚରିତାର୍ଥ କରିବା ଏକ ଅସମ୍ଭବ ବ୍ୟାପାର, ଯେଉଁ କଥା ସେ ଶେଖର ଗୁପ୍ତାଙ୍କୁ ପ୍ରଦାନ କରିଥିବା ଏକ ସାକ୍ଷାତକାରରେ କହିଥିଲେ, ଯାହା ‘ଇଣ୍ଡିଅା ଟୁେଡ’ରେ ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଅଭିଜ୍ଞ ଉଗ୍ରବାଦୀଙ୍କ ସତ୍ୟ ଉପଲବ୍ଧିରୁ ତରୁଣ ଖଲିସ୍ତାନ ସମର୍ଥକମାନେ ଚେତି ନାହାନ୍ତି।
ସୁତରାଂ, ଖଲିସ୍ତାନ ଆତଙ୍କବାଦର କାହାଣୀରେ ଯେଉଁ ଅସଂଗତି ଏବଂ ବିକୃତ ସତ୍ୟଟି ଦୃଶ୍ୟମାନ ହୋଇଥାଏ, ତାହା ହେଲା ଅତି ଉଦାରବାଦ ଆଳରେ ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକ ସଂକୀର୍ଣ୍ଣ ଉଗ୍ରବାଦକୁ ପ୍ରଶ୍ରୟ ଦିଅନ୍ତି। ପାକିସ୍ତାନ ସରକାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ତତ୍କାଳୀନ ଆମେରିକୀୟ ବିଦେଶ ମନ୍ତ୍ରୀ ହିଲାରି କ୍ଲିଣ୍ଟନ ପ୍ରାଜ୍ଞ ସୁଲଭ ଉପଦେଶ ଦେଇ କହି ପାରନ୍ତି ଯେ ଅଗଣାରେ ସର୍ପ ପୋଷିଲେ ତାହା ଅବଲୀଳା କ୍ରମେ ତୁମକୁ ଦଂଶନ କରିବ, କିନ୍ତୁ ଆମେରିକାରେ ଆଶ୍ରୟ ଓ ପ୍ରଶ୍ରୟ ପାଇଥିବା ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ (ଗୁର ପଟୱନ୍ତ ପନୁନ ଭଳି) ଦେଖି ସେ ବା ତାଙ୍କ ସମଧର୍ମାମାନେ ନ ଦେଖିଲା ଭଳି ରହନ୍ତି। ଏହା ହେଉଛି ପାଶ୍ଚାତ୍ୟ ଦେଶଗୁଡ଼ିକର ବିଶୁଦ୍ଧ କପଟାଚାର। ଏହି କାରଣରୁ ଗୋଟିଏ ଦେଶରେ ନିର୍ମୂଳ ହୋଇ ସାରିଥିବା ଆତଙ୍କବାଦ ନିଶ୍ଚିହ୍ନ ନ ହୋଇ ଅନ୍ୟ ଦେଶର ପାଣି ପବନରେ ପଲ୍ଲବିତ ହୋଇ ଏକ ଅମରୀ ବିଷ ବୃକ୍ଷରେ ପରିଣତ ହୁଏ। ଏବଂ ବିଡ଼ମ୍ବନାଟି ହେଲା, ଆତଙ୍କବାଦକୁ ଉର୍ବର ଭୂମି ଓ ପରିବେଶ ଯୋଗାଉଥିବା ଦେଶଗୁଡ଼ିକ ମଧ୍ୟଯୁଗୀୟ ଇସଲାମୀ ରାଷ୍ଟ୍ର ହୋଇ ପାରନ୍ତି ବା ସମୃଦ୍ଧ ବିଚାରବନ୍ତ ପାଶ୍ଚାତ୍ୟ ଗଣତନ୍ତ୍ର ବି ହୋଇ ପାରନ୍ତି!