ଅଧିକ ମହତ୍ତ୍ବ ଦିଆଗଲେ ପନ୍ନୁନ୍ ନିଜକୁ ଏକ ତାରକା ମଣିପାରେ, କିନ୍ତୁ ପ୍ରକୃତରେ ସେ ଏକ ଉଲ୍କା ମାତ୍ର, ଯାହା ନିମିଷକ ଲାଗି ଆଲୋକ ଦେଖାଇ ଅବଲୀଳା କ୍ରମେ ଭସ୍ମୀଭୂତ ହୋଇଯିବା ନିଧାର୍ଯ୍ୟ!
ଗତ କାଲି ଠାରୁ ଭୁବେନଶ୍ବରରେ ଆରମ୍ଭ ହୋଇଥିବା ପୁଲିସ ମହାନିର୍ଦ୍ଦେଶକମାନଙ୍କ ତିନିଦିନିଆ ଜାତୀୟ ସମ୍ମିଳନୀ (ଡି.ଜି.ପି କନ୍ଫରେନ୍ସ) ଏବଂ ତହିଁରେ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଯୋଗଦାନ ରାଜଧାନୀ ସହରରେ ଏକ ଉଦ୍ଦୀପନାମୂଳକ ବାତାବରଣ ସୃଷ୍ଟି କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଦ୍ବାରା ଜାରି ଏକ ଭିଡିଓରେ ସରକାର ଓ ପୁଲିସ ମୁଖ୍ୟମାନଙ୍କ ପ୍ରତି ବିଷୋଦ୍ଗାର, ଅପବାଦ ରଟନା ଏବଂ କାର୍ଯ୍ୟକ୍ରମେର ବିଘ୍ନ ସୃଷ୍ଟି ଲାଗି ଉଚ୍ଚାଟ ଭରା ଆହ୍ବାନ ଏକ ଅସ୍ବସ୍ତିକର ଶିହରଣ ମଧ୍ୟ ସଂଚାର କରିଛି। କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକାର ଦ୍ବୈତ ନାଗରିକତ୍ବ ଧାରଣ କରିଥିବା ପନ୍ନୁନ୍କୁ ସେ ଭୂମିଷ୍ଠ ହୋଇଥିବା ରାଷ୍ଟ୍ର ଭାରତ ପକ୍ଷରୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇ ସାରିଥିଲେ ହେଁ କେଉଁ କାରଣରୁ ଉଭୟ କାନାଡା ଓ ଆମେରିକା ତାକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି, ତାହା ଅନେକଙ୍କ ଲାଗି ଦୁର୍ବୋଧ୍ୟ ହୋଇଥାଏ! ପ୍ରଶ୍ନ ଉଠେ ଯେ ଏହାର ଅର୍ଥ କ’ଣ ପନ୍ନୁନ୍ ଜଣେ ସି.ଆଇ.ଏ. ଏଜେଣ୍ଟ ଏବଂ ସେହି ଦୃଷ୍ଟିରୁ ଆମେରିକୀୟ ‘ଡିପ୍ ଷ୍ଟେଟ୍’(ଦୃଷ୍ଟି ଅନ୍ତରାଳରେ ବିଦ୍ୟମାନ ସଂଗୋପିତ ବ୍ୟବସ୍ଥା) ଲାଗି ଗୋଟିଏ ସଂପଦ? ନା ଭାରତରୁ ବିଚ୍ଛିନ୍ନ ଏକ ସ୍ବାଧୀନ ଖଲିସ୍ତାନ ରାଷ୍ଟ୍ର ଲାଗି ଉଚ୍ଚାଟିତ ପନ୍ନୁନ୍ ହେଉଛି ଉଭୟ କାନାଡା ଓ ଆମେରିକାର ବିଚାରରେ ‘ମାନବ ଅଧିକାର’ର ପ୍ରବକ୍ତା ତଥା ଜଣେ ସ୍ବାଧୀନତା ସଂଗ୍ରାମୀ? ନା ଭାରତ ଭଳି ଏକ ବିଦେଶୀ ରାଷ୍ଟ୍ରର ଶିକାର ହେବାକୁ ବସିଥିବା ସେ ଜଣେ କାନାଡା-ଆମେରିକୀୟ ନାଗରିକ, ଯାହାକୁ ସୁରକ୍ଷା ପ୍ରଦାନ କରିବା ସେମାନଙ୍କ କର୍ତ୍ତବ୍ୟ? ନା ଅନେକ ପର୍ଯ୍ୟବେକ୍ଷକ କହୁଥିବା ଭଳି ଏହା ହେଉଛି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ସେମାନଙ୍କ ଅନନୁକରଣୀୟ ଔଦାର୍ଯ୍ୟକୁ ନେଇ ସୃଷ୍ଟ ବ୍ୟାଖ୍ୟାନର ଏକ ନିଦର୍ଶନ? ନା ପନ୍ନୁନ୍ ନିରଙ୍କୁଶ ରହିପାରିବା ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅହଂକାରକୁ ଆହାର ଯୋଗାଇଥାଏ?
ଏହା ନିଃସନ୍ଦେହ ଯେ ଆମେରିକାରେ ବସବାସ କରୁଥିବା ଓ ଇତି ମଧ୍ୟରେ ପ୍ରଭାବଶାଳୀ ହୋଇ ସାରିଥିବା ଅସଂଖ୍ୟ ପ୍ରବାସୀ ଭାରତୀୟଙ୍କୁ ପନ୍ନୁନ୍ର ଏଭଳି ଜନ୍ମଭୂମି ବିରୋଧୀ କାର୍ଯ୍ୟକଳାପ ଅତ୍ୟନ୍ତ ବ୍ୟଥିତ ଓ ରୁଷ୍ଟ କରୁଥିବ। ପୁଣି ଭାରତ ହେଉଛି ଆମେରିକା ସକାଶେ ଅତ୍ୟନ୍ତ ଆବଶ୍ୟକ ଓ ମହତ୍ତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ। ତେଣୁ ପ୍ରଶ୍ନ ଉଠିଥାଏ ଯେ ଆମେରିକା ସରକାର ପନ୍ନୁନ୍ର ଏଭଳି ଭାରତ ବିରୋଧୀ ଧମକଚମକ ଓ ଆତଙ୍କ ସୃଷ୍ଟିକାରୀ ଉଚ୍ଚାଟକୁ ବରଦାସ୍ତ କରୁଛନ୍ତି କିପରି ବା କାହିଁକି? ତେଣୁ ସନ୍ଦେହ ହୋଇଥାଏ ଯେ ସମ୍ଭବତଃ ପନ୍ନୁନ୍ ହେଉଛି ଜଣେ ସି.ଆଇ.ଏ. ଏଜେଣ୍ଟ! ଏ ସଂଦର୍ଭରେ ଆଉ କେହି କେହି କହନ୍ତି ଯେ ଉଦାରଚେତା ଆମେରିକାରେ ‘ମାନବ ଅଧିକାର’ ଓ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଅତ୍ୟନ୍ତ ଗୁରୁତ୍ବ ପାଉଥିବାରୁ ସେହି ଦେଶରେ ତାକୁ ଆଳ ବା ଅସ୍ତ୍ର ରୂପେ ବ୍ୟବହାର କରାଯିବା ସହଜ, ଯାହାର ସୁଯୋଗ ନେଇଛି ପନ୍ନୁନ୍ ଏବଂ ଆମେରିକା ତା’ର ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା ଲାଗି ଅଗତ୍ୟା ନିରବ ରହୁଛି। କିନ୍ତୁ ଅନେକ କହନ୍ତି ଯେ ଆମେରିକା ଏ କ୍ଷେତ୍ରରେ ନିରୁପାୟ; କାରଣ ଭାରତରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ସକାଶେ ଉତ୍ତେଜନାପୂର୍ଣ୍ଣ ଓ ଧମକଭରା ବକ୍ତବ୍ୟମାନ ପ୍ରଦାନ କରୁଥିଲେ ହେଁ ସେ ବସ୍ତୁତଃ ଆମେରିକାର ଆଇନ ଭଙ୍ଗ କରି ନ ଥାଏ, ଯାହା ତାକୁ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରି ରଖିଛି। ଏଭଳି କାହିଁକି ତାହା ବୁଝିବାକୁ ହେଲେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ ୧୯୬୯ ମସିହାର ‘ବ୍ରାଣ୍ଡନ୍ବର୍ଗ ପ୍ରିନ୍ସିପ୍ଲ’ ସମ୍ବନ୍ଧରେ ଜାଣିବାକୁ ହେବ, ଯାହାକୁ ‘ପ୍ରଥମ ସଂଶୋଧନ’ ବୋଲି ମଧ୍ୟ କୁହାଯାଇଥାଏ। ପ୍ରକାଶ ଥାଉ କି ୧୯୬୯ ମସିହାରେ ଆମେରିକାର ଓହାଇଓ ସହରରେ ଶ୍ବେତାଙ୍ଗ ଉଗ୍ରବାଦୀ ସଂଗଠନ ‘କ୍ଲୁ କ୍ଲାକ୍ସ କ୍ଲାନ୍’ର ଜଣେ ନେତା ବ୍ରାଣ୍ଡନବର୍ଗଙ୍କ ଦ୍ବାରା ପ୍ରଦତ୍ତ ଏକ ଚରମ ବର୍ଣ୍ଣ-ବୈଷମ୍ୟବାଦୀ ଭାଷଣ ଟେଲିଭିଜନରେ ପ୍ରସାରିତ ହେବା ପରେ ଉତ୍ତେଜନା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଦଶ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ ହସ୍ତକ୍ଷେପ କରି ଆଇନକୁ ଅଧିକ ପ୍ରାଂଜଳ କରିଥିଲେ ଯଦ୍ଦ୍ବାରା ଅଭିବ୍ୟକ୍ତିର ସ୍ବାଧୀନତାର କ୍ଷେତ୍ର ଆହୁରି ପ୍ରଶସ୍ତ ହୋଇଥିଲା ଏବଂ ସେହି ସୂତ୍ରରେ ଅନ୍ୟକୁ ଅପମାନିତ କରିବାର ବା ଗାଳି ଦେବାର ଆଇନଗତ ଅଧିକାର ମଧ୍ୟ ସୁବିସ୍ତୃତ ହୋଇଥିଲା। ଏହି ସଂଶୋଧନ ଅନୁସାରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ଉତ୍ତେଜନା ଓ ଅରାଜକତା ସୃଷ୍ଟିକାରୀ ବକ୍ତବ୍ୟ ପ୍ରଦାନ ନ କଲା ଯାଏ ତାହା ଦଣ୍ଡନୀୟ ବା କାର୍ଯ୍ୟାନୁଷ୍ଠାନଯୋଗ୍ୟ ହେବନାହିଁ। ସୁତରାଂ, ଜଣେ ସୁଚତୁର ପନ୍ନୁନ୍ ପେସାଦାର ଆଇନଜୀବୀ ଭାବେ ନିର୍ଦ୍ଦିଷ୍ଟ ଶବ୍ଦମାନ ପ୍ରୟୋଗ କରି ଏହି ଆଇନରୁ ସୁରକ୍ଷିତ ରହିବାର ମାର୍ଗ ମଧ୍ୟ ବାହାର କରିଛି, ଯାହା ସାଧାରଣ ଦୃଷ୍ଟିରେ ହୁଏତ ପଡ଼ି ନ ପାରେ!
ଉଲ୍ଲେଖଯୋଗ୍ୟ ଯେ ପନ୍ନୁନ୍ର ବକ୍ତବ୍ୟରେ ହିଂସାର ସ୍ପଷ୍ଟ ଇଙ୍ଗିତ ଥିଲେ େହଁ ନିଦ୍ଦିଷ୍ଟ ଭାବେ ହିଂସା ଆଚରଣ କରିବା ସକାଶେ କୁହାଯାଇ ନ ଥାଏ। ଉଦାହରଣ ସ୍ବରୂପ ତାକୁ ହତ୍ୟା କରାଯାଇଥିବାର ଉଦ୍ୟମ ପ୍ରଘଟ ହେବା ପର ଦିନ ସେ ଧମକ ଦେଇଥିଲା ଯେ ଏଣିକି ସେ ଏଭଳି କାର୍ଯ୍ୟ କରିବ, ଯାହା ଭାରତୀୟ ସଂସଦ ଭବନର ମୂଳଦୁଆକୁ ଦୋହଲାଇ ଦେବ (ଇଂରେଜୀରେ ‘ସେକ୍ ଦ ଫାଉଣ୍ଡେସନ୍ ଅଫ୍ ପାର୍ଲାମେଣ୍ଟ’), ଯାହା ଅହିଂସ ଆନ୍ଦୋଳନ ବା ବିରୋଧ ଦ୍ବାରା ମଧ୍ୟ ସମ୍ଭବ! ସେହିଭଳି ଭୁବନେଶ୍ବରରେ ଚାଲିଥିବା ଡି.ଜି.ପି. ସମ୍ମିଳନୀରେ ବ୍ୟାଘାତ (‘ଟୁ ଡିସରପ୍ଟ’) ସୃଷ୍ଟି ଲାଗି ତା’ର ଡାକରାରେ ନିର୍ଦ୍ଦିଷ୍ଟ ଭାବେ ହିଂସା ସୃଷ୍ଟି ଲାଗି କୁହାଯାଇ ନାହିଁ। ସେହିଭଳି କାନାଡାର ବ୍ରାଂପଟନରେ ପ୍ରଦର୍ଶିତ ହୋର୍ଡିଂ ଓ ପୋଷ୍ଟରରେ ଭାରତର ଗଣତନ୍ତ୍ରକୁ ଦଳିମକଚି ଚୂର୍ଣ୍ଣ କରିଦେବା ଲାଗି (ଟୁ କ୍ରସ୍) ଆହ୍ବାନ ରହିଛି, କିନ୍ତୁ ତଳେ ଅତ୍ୟନ୍ତ କ୍ଷୁଦ୍ର ଅକ୍ଷରରେ ଧାଡ଼ିଏ ଲେଖା ଅଛି ଯେ ‘ବୁଲେଟ୍ ଜରିଆରେ ନୁହେଁ, ବାଲଟ୍ ଜରିଆରେ’! ତେଣୁ ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଏଭଳି ଚାତୁର୍ଯ୍ୟ ତାକୁ ଆମେରିକାରେ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ରଖି ଭାରତ ବିରୋଧୀ ଧମକଚମକକୁ ଅବ୍ୟାହତ ରଖିବାରେ ସହାୟକ ହେବ। ତେଣୁ ପନ୍ନୁନ୍ ମୁଣ୍ଡବ୍ୟଥା ଯେ ଜାରି ରହିବ ଏଥିରେ ସନ୍ଦେହ ନାହିଁ।
ଇତିମଧ୍ୟରେ ପନ୍ନୁନ୍ ପାଞ୍ଚଟି ଧମକ ଭରା ଭିଡିଓ ଜାରି କରି ସାରିଲାଣି, ଯାହା ଭାରତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାଶୀଳ ଓ ମୁଖର କରିଛି ସିନା, ଭାରତରେ ବସବାସ କରୁଥିବା ଶିଖ ସଂପ୍ରଦାୟ ମଧ୍ୟରେ ଏହା କୌଣସି ଉଦ୍ବେଳନ ସୃଷ୍ଟି କରି ପାରିନାହିଁ। ତେଣୁ, କ୍ରମେ ହୃଦ୍ବୋଧ ହେଲାଣି ଯେ ସେଭଳି ଧମକମାନ ଅନ୍ତଃସାରଶୂନ୍ୟ। ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ ଯେ ଭାରତରେ ବାସ କରୁଥିବା ଶିଖମାନେ କଦାଚିତ ଖଲିସ୍ତାନ ଚାହାନ୍ତି ନାହିଁ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଭାରତରେ ପନ୍ନୁନ୍ ଏଭଳି ଜନାଧାରଶୂନ୍ୟ ଯେ ଏଠାରେ ପଞ୍ଚାୟତ ନିର୍ବାଚନଟିଏ ଜିଣିବା ମଧ୍ୟ ତା’ ପକ୍ଷରେ ଅସମ୍ଭବ। କାନାଡାରେ ତା’ର ପ୍ରଭାବ ଏଥି ଲାଗି ବୃଦ୍ଧି ପାଇଛି ଯେ ସେଠାକାର ଜଷ୍ଟିନ ଟ୍ରୁଡୋ ସରକାର ନିଜ ରାଜନୈତିକ ଅସ୍ତିତ୍ବ ଲାଗି ପ୍ରବାସୀ ଶିଖମାନଙ୍କ ସମର୍ଥନ ଚାହେ, ଯେଉଁମାନେ ଖଲିସ୍ତାନ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ। କିନ୍ତୁ ଭାରତରେ ଖଲିସ୍ତାନ ଆନ୍ଦୋଳନର ବୀଜ (ପୁଣି ଥରେ) ଏ ଯାବତ୍ ବପନ ହୋଇ ପାରିନାହିଁ। ଏଭଳି ସ୍ଥଳେ ଆମ ଦାୟିତ୍ବ ହେବ ଦେଶପ୍ରେମୀ ଓ ବନ୍ଧୁ-ବତ୍ସଳ ଶିଖ ସଂପ୍ରଦାୟକୁ ଅତ୍ୟନ୍ତ ଆପଣାର କରି ସେମାନଙ୍କ ମନରେ ସାମାନ୍ୟତମ ବିଚ୍ଛିନ୍ନତାବୋଧ ସୃଷ୍ଟି କରିବାର ସୁଯୋଗ ନ ଦେବା। ଏଭଳି ସ୍ଥଳେ ଆଉ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ପନ୍ନୁନ୍ର ଧମକଚମକ ପରିପ୍ରେକ୍ଷୀରେ ସତର୍କତା ଅବଲମ୍ବନ କରିବା ସହିତ ତାକୁ ନେଇ ଅଧିକ ଆଲୋଚନା ନ କରିବା, ଯଦ୍ଦ୍ବାରା କ୍ରମେ ସେ ଅପ୍ରାସଙ୍ଗିକ ହୋଇ ପଡ଼ିବ। ଅଧିକ ମହତ୍ତ୍ବ ଦିଆଗଲେ ପନ୍ନୁନ୍ ନିଜକୁ ଏକ ତାରକା ମଣିପାରେ, କିନ୍ତୁ ପ୍ରକୃତରେ ସେ ଏକ ଉଲ୍କା ମାତ୍ର, ଯାହା ନିମିଷକ ଲାଗି ଆଲୋକ ଦେଖାଇ ଅବଲୀଳା କ୍ରମେ ଭସ୍ମୀଭୂତ ହୋଇଯିବା ନିଧାର୍ଯ୍ୟ!