ହତାଶା ବ୍ୟଂଜକ ହେଲେ ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଆତଙ୍କବାଦ କବଳରୁ ସଂପୂର୍ଣ୍ଣ ଓ ସ୍ଥାୟୀ ମୁକ୍ତି କଦାପି ସମ୍ଭବପର ନୁହେଁ। ତେଣୁ ଅକାରଣ ଭଳି ଲାଗୁଥିବା କଠୋର ଯାଞ୍ଚ, ଅସ୍ବସ୍ତିକର ପ୍ରଶ୍ନ, ଅପ୍ରୀତିକର କଟକଣା, ଟେଲିଫୋନ ଟ୍ୟାପିଂ, ବ୍ୟକ୍ତିଗତ ଗୋପନୀୟତା ଅପହରଣକାରୀ ଆଇନ, ସାଧାରଣ ଜୀବନ ଭିତରକୁ ସରକାରଙ୍କ ଅନୁପ୍ରବେଶ ଭଳି ବିଷୟ ଜଣେ ନାଗରିକକୁ ଅତିଷ୍ଠ କରି ଦେଇପାରେ! କିନ୍ତୁ ସେହି ବୋଝକୁ ବହନ କରିବାକୁ ହେବ!
ଗଲା ୧୦ ତାରିଖ ଦିନ ଦିଲ୍ଲୀର ଲାଲକିଲ୍ଲା ନିକଟସ୍ଥ ମେଟ୍ରୋ ପାର୍କିଂ ସ୍ଥାନରେ ଘଟିଥିବା ବୋମା ବିସ୍ଫୋରଣ ସହିତ ଆତଙ୍କବାଦୀ ଷଡ୍ଯନ୍ତ୍ର ଓ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସହିତ ସଂପର୍କ ବିଷୟ କ୍ରମେ ସ୍ପଷ୍ଟ ହେବା ପରେ ଏଥିରୁ ଯେଉଁ ଶିକ୍ଷା, ସନ୍ଦେଶ ଓ ସଂକେତ ମିଳୁଛି, ତାହା ବିଶେଷ ପ୍ରଣିଧାନଯୋଗ୍ୟ ଏବଂ ଏକ ସମ୍ୟକ୍ ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ। ଏଠାରେ ଉଲ୍ଲେଖନୀୟ ହେଲା, ଏହାର ଖିଅ ଜାମ୍ମୁ ଓ କାଶ୍ମୀର ଉପତ୍ୟକାକୁ ଲମ୍ବିଛି ସିନା ଚରିତ୍ରଗତ ଭାବେ ଏହା କାଶ୍ମୀରୀ ବ୍ରାଣ୍ଡର ଆତଙ୍କବାଦୀ କାର୍ଯ୍ୟକଳାପ ଠାରୁ ଭିନ୍ନ ଏବଂ ଯେଉଁ କାରଣରୁ ଏହା ଅଧିକ ବିପଜ୍ଜନକ ହେବାର ଆଶଙ୍କା ବହନ କରିଥାଏ। ତା’ ସହିତ ଏହା ମଧ୍ୟ ଚେତାଇ ଦେଇଥାଏ ଯେ ଆତଙ୍କବାଦ ପରିପ୍ରେକ୍ଷୀରେ କିଛି ଅବଧିର ନିରବତାର ଅର୍ଥ ସ୍ଥାୟୀ ଶାନ୍ତି ନୁହେଁ, ଏହା ଏକ ମଧ୍ୟାନ୍ତର ଭଳି; ଅର୍ଥାତ୍ ପରବର୍ତ୍ତୀ ଦୃଶ୍ୟ ଅବଶ୍ୟ ଆସିବ, ଯେଉଁଥି ଲାଗି ପ୍ରସ୍ତୁତିରେ ସାମାନ୍ୟ ବିଚ୍ୟୁତି କ୍ଷମଣୀୟ ହେବ ନାହିଁ। ଏହା ବର୍ତ୍ତମାନ ସୁବିଦିତ ଯେ ଶ୍ରୀନଗରର ସହର ତଳି ଅଞ୍ଚଳର ନାଓଗାଓଁ ନାମକ ଗ୍ରାମର କାନ୍ଥ ଓ ପ୍ରାଚୀରରେ ଜୈସ-ଏ-ମହମ୍ମଦ ସମର୍ଥନରେ କେତେକ ପୋଷ୍ଟରର ଆବିର୍ଭାବ ଘଟିଲା ପରେ ସ୍ଥାନୀୟ ଏସ.ଏସ.ପି. ସନ୍ଦୀପ ଚକ୍ରବର୍ତ୍ତୀଙ୍କ ଦ୍ବାରା ତତ୍କ୍ଷଣାତ୍ ଆରମ୍ଭ ହୋଇଥିବା ସଘନ ଅନୁସନ୍ଧାନ ହେତୁ ଏକ ବୃହଦାକାୟ ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଯାଇଥିଲା। ଏହି ଅନୁସନ୍ଧାନ ଫଳରେ ଯେତିକି ପରିମାଣର ବିସ୍ଫୋରକ ଜବତ ହୋଇଛି ସେଥିରେ ଅନ୍ତତଃ ପକ୍ଷେ ୨୦୦ରୁ ଅଧିକ ଅତ୍ୟନ୍ତ ଶକ୍ତିଶାଳୀ ‘ଆଇ.ଇ.ଡି.’ ପ୍ରସ୍ତୁତ କରାଯାଇପାରନ୍ତା ଏବଂ ଯୋଜନା ମୁତାବକ ଦିଲ୍ଲୀରେ ‘୨୬/୧୧ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ’ ଭଳି ଏକ ଭୟାବହ ଆକ୍ରମଣ ଘଟା ଯାଇ ପାରିଥାଆନ୍ତା। ଏହି ଷଡ୍ଯନ୍ତ୍ରରେ ଏକ ଡାକ୍ତର ଦଳର ସଂପୃକ୍ତି ଏବଂ ଇଣ୍ଟରନେଟ୍ ଓ ମୋବାଇଲ ଆପ୍ ଆଦିର ବ୍ୟବହାରରେ ସେମାନଙ୍କ ଦକ୍ଷତା ଦୃଷ୍ଟିରୁ ଏହା ମଧ୍ୟ ହୃଦ୍ବୋଧ ହୋଇଥାଏ ଯେ ଏହି ଗୋଟିଏ ଛିଦ୍ରକୁ ଯଦି ନଜରଅନ୍ଦାଜ କରାଯାଇଥାଆନ୍ତା, ତେବେ ହୁଏତ ଅତ୍ୟନ୍ତ ଭୟାବହ ପରିଣାମକୁ ରୋକାଯାଇ ପାରି ନ ଥାଆନ୍ତା! କାଶ୍ମୀର-ଅଭିଜ୍ଞ ଅନେକ ବ୍ୟକ୍ତିଙ୍କ ମତରେ ଦୀର୍ଘ ଆତଙ୍କବାଦ ଅତୀତ କାରଣରୁ କାଶ୍ମୀର ଉପତ୍ୟକାରେ ଏଭଳି ପୋଷ୍ଟରକୁ ହାଲୁକା ଭାବେ ନିଆଯିବାରେ ହୁଏତ ବୈଚିତ୍ର୍ୟ ନ ଥାଏ। ସୁତରାଂ, ଆତଙ୍କବାଦର ପ୍ରତିଷେଧକ ଭାବେ ନିରନ୍ଧ୍ର ସଜାଗତା କିଭଳି ଅତ୍ୟନ୍ତ ଜରୁରି, ଏହା ତା’ର ଏକ ଦୃଷ୍ଟାନ୍ତ।
ଡାକ୍ତରମାନଙ୍କ ଏକ ଦଳର ଏଥିରେ ସଂପୃକ୍ତି ବିସ୍ମୟ ସୃଷ୍ଟି କରିଥିଲେ ହେଁ ଅନେକ ଉଦାହରଣରୁ ଏହା ପ୍ରମାଣିତ ଯେ ଉଚ୍ଚ ଶିକ୍ଷା କୌଣସିମତେ ଉଦାର ଦୃଷ୍ଟି ବା ମୌଳବାଦ ଦ୍ବାରା ପ୍ରଭାବିତ ନ ହେବାର ଗ୍ୟାରେଣ୍ଟି ହୋଇ ନ ଥାଏ। ଅଲ୍ କାଏଦାର ମୁଖ୍ୟ ଓସାମା ବିନ ଲାଡେନ ଥିଲା ଜଣେ ସୁପ୍ରଶିକ୍ଷିତ ଇଂଜିନିଅର ଏବଂ ତା’ର ଅନ୍ତେ ସଂଗଠନର ମଙ୍ଗ ଧରିଥିବା ଜୱାହିରି ଥିଲା କାଇରୋରେ ଶିକ୍ଷାପ୍ରାପ୍ତ ଜଣେ ଡାକ୍ତର। ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ରକୁ ଧ୍ବଂସ କରିଥିବା ଅାତଙ୍କବାଦୀ କାର୍ଯ୍ୟର ମୁଖ୍ୟ ସୂତ୍ରଧର ମହମ୍ମଦ ଅଟ୍ଟା ଥିଲା କାଇରୋରୁ ଶିକ୍ଷାପ୍ରାପ୍ତ ଜର୍ମାନିରେ ଉଚ୍ଚ ଶିକ୍ଷା ଲାଭ କରିଥିବା ଜଣେ ଇଂଜିନିଅର। ୨୦୦୨ ମସିହାରେ ୱାଲ ଷ୍ଟ୍ରିଟ ଜର୍ନାଲର ସାମ୍ବାଦିକ ଡାନିଏଲ ପର୍ଲକୁ ହତ୍ୟା କରିଥିବା ଆତଙ୍କବାଦୀ ଅହମ୍ମଦ ଓମାର ସୈଦ ଶେଖ ଥିଲା ଲଣ୍ଡନ ସ୍କୁଲ ଅଫ ଇକୋନେମାକିକ୍ସର ଛାତ୍ର। ଏଭଳି ଉଦାହରଣ ଅନେକ। ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିଥିବା ବିଶେଷଜ୍ଞମାନେ କହିଥାଆନ୍ତି ଯେ ଶିକ୍ଷିତ ଓ ସମାଜର ଉଚ୍ଚ ସୋପାନରେ ଆସୀନ ବ୍ୟକ୍ତିମାନଙ୍କୁ ଜେହାଦୀରେ ପରିଣତ କରିବା ସଂପ୍ରତି ଏକ କୌଶଳରେ ପରିଣତ ହେଲାଣି, ଯଦ୍ଦ୍ବାରା ଆତଙ୍କବାଦୀ ଚକ୍ରାନ୍ତ ସନ୍ଦେହାତୀତ ହୋଇ ସଫଳତା ଲାଭ କରିବାର ସମ୍ଭାବନା ଅଧିକ ରହିଥାଏ। କହିବା ବାହୁଲ୍ୟ, ଏଭଳି ଏକ ଘଟଣା ପରେ ଆତଙ୍କବାଦ ମୁକାବିଲା ନେଇ ଯୋଜନା ପ୍ରସ୍ତୁତିକୁ ନୂଆ ଦିଗ ମିଳିବ।
୨୦୧୭ ମସିହାରେ ଥାଇଲାଣ୍ଡ ଠାରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଓ ପାକିସ୍ତାନୀ ସମକକ୍ଷ ନାସେର ଖାଁ ଜାନଜୁଆଙ୍କ ମଧ୍ୟରେ ଏକ ଅେଘାଷିତ ଓ ଗୋପନ ସାକ୍ଷାତ ଅନୁଷ୍ଠିତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ବୀକାର କରିଥିଲା। ବିଭିନ୍ନ ସୂତ୍ରରୁ ଆଭାସ ମିଳିଥିଲା ଯେ କାଶ୍ମୀରର ଜେହାଦୀ କାର୍ଯ୍ୟକଳାପ ଯେମିତି କାଶ୍ମୀର ସୀମା ଅତିକ୍ରମ ନ କରେ, ତାହା ଆଲୋଚନାରେ ଗୁରୁତ୍ବ ଲାଭ କରିଥିଲା, ଯଦିଓ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇନାହିଁ। ତଥାପି ବସ୍ତୁତଃ ଦେଖିବାକୁ ମିଳିଛି ଯେ ୨୦୦୧ ମସିହାର ପାର୍ଲାମେଣ୍ଟ ଆକ୍ରମଣ ପର ଠାରୁ କାଶ୍ମୀର ସୀମା ବାହାରେ କାଶ୍ମୀରୀ ଜେହାଦୀମାନେ ଆତଙ୍କବାଦୀ ଆକ୍ରମଣ ଘଟାଇ ନାହାନ୍ତି। ସେହି ପରିପ୍ରେକ୍ଷୀରେ ଦିଲ୍ଲୀରେ ଏଭଳି ଏକ ଆକ୍ରମଣ ଭିଆଇବାର ଷଡ୍ଯନ୍ତ୍ର ଦ୍ବାରା ଚିନ୍ତା ଉତ୍ପନ୍ନ ହୋଇଥାଏ ଯେ ସାରା ଭାରତକୁ ଲହୁଲୁହାଣ କରିବାର ଉଦ୍ଦେଶ୍ୟ କାଶ୍ମୀର ଭୂମିରୁ ଶିରୋତ୍ତୋଳନ କରୁ ନାହିଁ ତ?
ଆତଙ୍କବାଦ ସଂଦର୍ଭରେ ବିଶିଷ୍ଟ ସୁରକ୍ଷା ବିଶେଷଜ୍ଞ ରଘୁ ରମଣ ଯେଉଁ ଦୁଇଟି ବିଷୟ ଉପରେ ଗୁରୁତ୍ବ ପ୍ରଦାନ କରନ୍ତି, ତାହା ଗୁରୁତ୍ବପୂର୍ଣ୍ଣ। ତହିଁରୁ ଗୋଟିଏ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଭଳି ଉଚ୍ଚାଟର ଅର୍ଥହୀନତାକୁ ପ୍ରାଂଜଳ କରେ। ତାଙ୍କ ମତରେ ଅତି ଗୋପନୀୟ ସୂତ୍ରରେ ପ୍ରତି ଦିନ ଭାରତକୁ ଏକ ଅତ୍ୟନ୍ତ ବିଶାଳ ପରିମାଣର ନକଲି ଦ୍ରବ୍ୟ(ଘଣ୍ଟା, ବ୍ୟାଗ, ଔଷଧ ଇତ୍ୟାଦି) ପ୍ରବେଶ କରୁଥିଲେ ହେଁ ତାହାକୁ ସାଧାରଣତଃ ଗୁରୁତର ଅପରାଧ ରୂପେ ଦେଖା ଯାଇ ନ ଥାଏ ଏବଂ ଏଭଳି କାରବାର ସହନୀୟ ମଧ୍ୟ ହୋଇଥାଏ। କିନ୍ତୁ ପାସୋରି ଗଲେ ହେବ ନାହିଁ ଯେ ସେହି ବେଆଇନ ଗୋପନ ପଥ ଓ ଗୁପ୍ତ ସୂତ୍ରଧରଙ୍କ ନେଟୱାର୍କ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଉଦ୍ଦିଷ୍ଟ ଦ୍ରବ୍ୟ, ଯେମିତିକି ବିସ୍ଫୋରକ ବା ବନ୍ଧୁକ ଇତ୍ୟାଦି ମଧ୍ୟ ଦେଶ ଭିତରକୁ ପ୍ରବେଶ କରିଥାଏ। ତେଣୁ ତାଙ୍କ ମତରେ କ୍ଷୁଦ୍ର ଠାରୁ ନେଇ ବୃହତ୍ ପର୍ଯ୍ୟନ୍ତ ସବୁ ଅପରାଧ ନେଇ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରା ନ ଗଲା ପର୍ଯ୍ୟନ୍ତ କେବଳ ଆତଙ୍କବାଦର ପଥରୋଧ କରିବା ସମ୍ଭବପର ହେବ ନାହିଁ। ଦ୍ବିତୀୟ କଥା ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ବାରା ସିଧାସଳଖ ଭାବେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଜନ ସମୁଦାୟର ଅଂଶ କ୍ଷୟକ୍ଷତିର ଶିକାର ହେଉଥିଲେ ହେଁ ପରୋକ୍ଷ ଭାବେ ଏହା ସମଗ୍ର ଦେଶକୁ ଊଣାଅଧିକେ ଶରବ୍ୟ କରିଥାଏ। ଉଦାହରଣ ସ୍ବରୂପ ଏକ ଆତଙ୍କବାଦୀ ଆକ୍ରମଣ ଘଟିଗଲା ପରେ ସମଗ୍ର ଦେଶରେ ସୁରକ୍ଷା ଯାଞ୍ଚ କଠୋର ହୁଏ, କଟକଣା ଲାଗେ, ବେରିକେଡ୍ମାନ ଗଢ଼ି ଉଠେ, ସପିଂ ମଲରେ ମଧ୍ୟ ଆପାଦମସ୍ତକ ତନଖି ହୁଏ; ଯାହା ଜରୁରୀ ସତ, କିନ୍ତୁ ଜୀବନଯାପନର ସ୍ବାଚ୍ଛନ୍ଦ୍ୟ ଅପହରଣ କରେ, ଅଯଥା ଭୟ ଓ ଗୁଜବକୁ ଜନ୍ମ ଦିଏ, ସାଂପ୍ରଦାୟିକ ବିଦ୍ବେଷ ଓ ଘୃଣା ଭରା ବ୍ୟାଖ୍ୟାନ ସୃଷ୍ଟି କରେ। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ସମଗ୍ର ଦେଶରେ ‘ରେଡ ଆଲର୍ଟ’ ଜାରି ହୋଇଛି। ରଘୁ ରମଣ କହିଥିବା ଭଳି ଆତଙ୍କବାଦୀ କାର୍ଯ୍ୟକଳାପରେ ନାଭି କେନ୍ଦ୍ରରେ ସୃଷ୍ଟ କଂପନ ଦୂରଗାମୀ ହୋଇଥାଏ।
ଆତଙ୍କବାଦକୁ ବୁଝାଇବାକୁ ଯାଇ ଆତଙ୍କବାଦୀଙ୍କ ମନସ୍ତତ୍ତ୍ବ ଉପରେ ଦୀର୍ଘ କାଳ ଗବେଷଣା କରି ଆସିଥିବା ଅନ୍ୟତମ ପ୍ରସିଦ୍ଧ ମନସ୍ତତ୍ତ୍ବବିତ୍ ମାର୍ଥା କ୍ରେନସ ‘ଏସ୍କେଲେଟର’ ବା ‘ଗତିଶୀଳ ପାହାଚ ଶୃୃଙ୍ଖଳା’ର ମେଟାଫର ବା ରୂପକଳ୍ପ ବ୍ୟବହାର କରନ୍ତି। ତାଙ୍କ ମତରେ ଆତଙ୍କବାଦୀ ସଂଗଠନରେ ଶୀର୍ଷ ପାହାଚର ପତନ ହେଲେ ପରବର୍ତ୍ତୀ ପାହାଚ ଆପଣା ଛାଏଁ ସେଠାରେ ଉପସ୍ଥିତ ହୁଏ। ତେଣୁ ଆତଙ୍କବାଦୀ ସଂଗଠନଗୁଡ଼ିକ କିଛି କାଳ ଲାଗି ନିଷ୍ପ୍ରାଣ ଭଳି ମନେ ହେଉଥିଲେ ସୁଦ୍ଧା ମୃତ୍ୟୁ ଲଭି ନ ଥାଆନ୍ତି ଓ ପୁଣି ମଥା ଟେକନ୍ତି। ତେଣୁ ହତାଶା ବ୍ୟଂଜକ ହେଲେ ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଆତଙ୍କବାଦ କବଳରୁ ସଂପୂର୍ଣ୍ଣ ଓ ସ୍ଥାୟୀ ମୁକ୍ତି କଦାପି ସମ୍ଭବପର ନୁହେଁ। ତେଣୁ ଅକାରଣ ଭଳି ଲାଗୁଥିବା କଠୋର ଯାଞ୍ଚ, ଅସ୍ବସ୍ତିକର ପ୍ରଶ୍ନ, ଅପ୍ରୀତିକର କଟକଣା, ଟେଲିଫୋନ ଟ୍ୟାପିଂ, ବ୍ୟକ୍ତିଗତ ଗୋପନୀୟତା ଅପହରଣକାରୀ ଆଇନ, ସାଧାରଣ ଜୀବନ ଭିତରକୁ ସରକାରଙ୍କ ଅନୁପ୍ରବେଶ ଭଳି ବିଷୟ ଜଣେ ନାଗରିକକୁ ଅତିଷ୍ଠ କରି ଦେଇପାରେ! କିନ୍ତୁ ସେହି ବୋଝକୁ ବହନ କରିବାକୁ ହେବ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)