ବର୍ଷକ ତଳେ ମୁଦ୍ରାସ୍ଫୀତି ଉଚ୍ଚା ଥିବାରୁ ବର୍ତ୍ତମାନ ସେଥିରେ ବୃଦ୍ଧି ହାର ନୀଚା ପ୍ରତୀୟମାନ ହୋଇଛି, ଯାହାକୁ ପରିସଂଖ୍ୟାନ ଶାସ୍ତ୍ରରେ ‘ଉଚ୍ଚ ଭିତ୍ତି ପ୍ରଭାବ’ (‘ହାଇ ବେସ୍ ଇଫେକ୍ଟ’) ରୂପେ ଅଭିହିତ କରାଯାଇଥାଏ। ଚଳିତ ୨୦୨୫-୨୬ ବିତ୍ତ ବର୍ଷର ଶେଷ ଚଉଠ ସୁଦ୍ଧା ଏହି ଅନୁକୂଳ ପ୍ରଭାବରେ ଅନ୍ତ ଘଟି ତା’ ପରଠାରୁ ଖାଉଟି ମୁଦ୍ରାସ୍ଫୀତି ହାର ବାର୍ଷିକ ୪% ସୀମା ଅତିକ୍ରମ କରିବ ବୋଲି ରିଜର୍ଭ ବ୍ୟାଙ୍କ୍ ଏବେ ଆଶଙ୍କା ପ୍ରକାଶ କରିଛି।
ଗତ ବୁଧବାର ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣ କମିଟି (‘ଏମ୍ପିସି’) ଯେଉଁଭଳି ଏକ ଅସ୍ବାଭାବିକ ସମୟରେ ତା’ର ଦ୍ବିମାସିକ ବୈଠକ ସମାପ୍ତ କରି ସୁଧ ହାର ନିର୍ଣ୍ଣୟ ସମ୍ବନ୍ଧରେ ତା’ର ନିଷ୍ପତ୍ତି ଘୋଷଣା କରିଛି, ଅତୀତରେ କେବଳ ୧୯୯୭ର ଏସୀୟ ମୁଦ୍ରା ସଂକଟ କିମ୍ବା ୨୦୦୮ର ବିଶ୍ବ ବିତ୍ତୀୟ ସଂକଟ ସମୟରେ ସେଭଳି ଦେଖାଯାଇଥିଲା। ବର୍ତ୍ତମାନର ସଂକଟ ଅବଶ୍ୟ କାହାରିକୁ ଅଗୋଚର ନୁହେଁ- ଆମେରିକାର ଉଦ୍ଭ୍ରାନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଭାରତ ଉପରେ ଲଦି ଦିଆଯାଇଥିବା ବିଦ୍ବେଷମୂଳକ ଟାରିଫ୍ ବୋଝ। ଟ୍ରମ୍ପ ଧାର୍ଯ୍ୟ କରିଥିବା ତିନି ସପ୍ତାହ ସମୟ ସୀମା ଅତିକ୍ରାନ୍ତ ହେବା ପରେ ଏହି ଅତିରିକ୍ତ ଟାରିଫ୍ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହେବ। ଏଭଳି ଏକ ଅନିଶ୍ଚିତ ପରିସ୍ଥିତିରେ କୌଣସି ଆବେଗ ଦ୍ବାରା ପ୍ରଭାବିତ ନ ହୋଇ ଚିତ୍ର ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରି ସ୍ଥିତାବସ୍ଥା ବଜାୟ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ବିଶେଷଜ୍ଞମାନେ ଆଶା କରିଥାନ୍ତି। ରିଜର୍ଭ ବ୍ୟାଙ୍କ୍ର ‘ଏମ୍ପିସି’ ଏବେ ଠିକ୍ ତାହା ହିଁ କରିଛି। ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’କୁ ରିଜର୍ଭ ବ୍ୟାଙ୍କ୍ ୫.୫%ରେ ଅପରିବର୍ତ୍ତିତ ରଖିଛି।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସୁଧ ହାରରେ ଏଭଳି ସ୍ଥିତାବସ୍ଥା ବଜାୟ ରଖିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏକ ବ୍ୟତିକ୍ରମ ନୁହେଁ। ଭାରତ ମାତ୍ରାଧିକ ଭାବରେ ଟ୍ରମ୍ପଙ୍କର ଟାରିଫ୍ ମାଡ଼ର ସମ୍ମୁଖୀନ ହୋଇଥିଲେ ହେଁ ପୃଥିବୀର କୌଣସି ଦେଶ ଏଥିରୁ ସଂପୂର୍ଣ୍ଣ ଛାଡ଼ ପାଇନାହିଁ, ଏବଂ ଏହାର ପ୍ରଭାବରେ ଆମେରିକାରେ ମଧ୍ୟ ମୁଦ୍ରାସ୍ଫୀତି ଘଟିବା ଅବଶ୍ୟମ୍ଭାବୀ ବୋଲି ଆଶଙ୍କା କରାଯାଉଛି। ଏଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେଉଁଭଳି ନୀତି ଅବଲମ୍ବନ କରିଛି, ବ୍ରିଟେନ୍ରୁ ଇଉରୋପିଆନ୍ ୟୁନିଅନ୍, ଚୀନ୍ ଓ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ପର୍ଯ୍ୟନ୍ତ ସମସ୍ତେ ଏଭଳି ପରିସ୍ଥିତିରେ ସେଇଭଳି ସେମାନଙ୍କର ସୁଧ ହାରକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେବା ଦେଖାଯାଇଛି। ଏହି ସ୍ଥିର ନୀତିର ଅଂଶସ୍ବରୂପ ରିଜର୍ଭ ବ୍ୟାଙ୍କ୍ ତା’ର ‘ଷ୍ଟାନ୍ସ’ ବା ଆଭିମୁଖ୍ୟକୁ ମଧ୍ୟ ‘ନିରପେକ୍ଷ’ ବା ‘ନିଉଟ୍ରାଲ୍’ ରଖିବା ଘୋଷଣା କରିଛି।
ଅବଶ୍ୟ କେହି କେହି ଆଶା କରୁଥିଲେ ଯେ ଭାରତୀୟ ଅର୍ଥନୀତି ପ୍ରତି ଟ୍ରମ୍ପ ପହୁଞ୍ଚାଇଥିବା ବାଧାର ମୁକାବିଲା କରିବାରେ ଆମର ଶିଳ୍ପବାଣିଜ୍ୟ ଉଦ୍ୟୋଗୀମାନଙ୍କୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉଛି। କିନ୍ତୁ ଭୁଲିଯିବା ଉଚିତ ନୁହେଁ େଯ ଏଥିପୂର୍ବରୁ ଫେବ୍ରୁଆରି ୨୦୨୫ରୁ ବର୍ତ୍ତମାନ ମଧ୍ୟରେ ଲଗାତାର ‘ରେପୋ ରେଟ୍’ରେ ହ୍ରାସ ଘଟାଇଚାଲି ରିଜର୍ଭ ବ୍ୟାଙ୍କ୍ ସେଥିରେ ମୋଟ ଏକ ଅପ୍ରତ୍ୟାଶିତ ୧୦୦ ବେସିସ୍ ପଏଣ୍ଟ (୧%) ହ୍ରାସ ଘଟାଇ ସାରିଛି। ଏଥିପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ‘ରେପୋ ରେଟ୍’ରେ ହ୍ରାସ ଘଟାଇବାରୁ ନିବୃତ୍ତ ରହିଥିବାବେଳେ ନୂତନ ଗଭର୍ନର ସଞ୍ଜୟ ମାଲହୋତ୍ରା ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନକୁ ପ୍ରାଧାନ୍ୟ ଦେଇ ଲାଗ ଲାଗ ତିନିଟି ‘ଏମ୍ପିସି’ ବୈଠକରେ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ଦେଖାଯାଇଥିଲା। ତେଣୁ ଆଶା କରାଯାଉଥିଲା ଯେ ଗଭର୍ନର ମାଲହୋତ୍ରା ସେଇ ଧାରା ଅବ୍ୟାହତ ରଖି ଏଥର ମଧ୍ୟ ‘ରେପୋ ରେଟ୍’ରେ ଆଉ ଏକ ହ୍ରାସ ଘଟାଇବେ। ପୁଣି, ଯେହେତୁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ଏକ ବେଶ୍ ନୀଚା ସ୍ତରରେ ରହିଛି, ତାହା ଏଭଳି ସମ୍ଭାବନାକୁ ଆହୁରି ଦୃଢ଼ୀଭୂତ କରିଥିଲା।
କିନ୍ତୁ ସଞ୍ଜୟ ମାଲହୋତ୍ରା ଭଲ ରୂପେ ଜାଣନ୍ତି ଯେ ଅତୀତରେ ତାଙ୍କର ପୂର୍ବବର୍ତ୍ତୀ ଗଭର୍ନର ଯେଉଁ ସଂଯମ ଓ ବିଜ୍ଞତା ପ୍ରଦର୍ଶନ କରିଥିଲେ, ତାହାର ସୁଫଳ ଯୋଗୁଁ ହିଁ ସେ ଏ ପର୍ଯ୍ୟନ୍ତ ଏକ ଅଭିବୃଦ୍ଧି-ଅନୁକୂଳ ସୁଧ ନୀତି ଅବଲମ୍ବନ କରିଚାଲିଥିବା ସମ୍ଭବ ହୋଇଛି। ସେ ଏହା ମଧ୍ୟ ଅନୁଭବ କରୁଥିବେ ଯେ ତାଙ୍କର ସେଇ ଉତ୍ସାହରେ ମଧ୍ୟ ଏକ ସମୟରେ ଲଗାମ ଦେବା ଆବଶ୍ୟକ ଏବଂ ବର୍ତ୍ତମାନ ସେ ସମୟ ଉପସ୍ଥିତ।
ତା’ ଛଡ଼ା ଟ୍ରମ୍ପ ଟାରିଫ୍ ଭାରତୀୟ ଅର୍ଥନୀତି ସମ୍ମୁଖରେ ଏକ ପ୍ରତିବନ୍ଧକ ରୂପେ ଆବିର୍ଭୂତ ହୋଇଥିଲେ ହେଁ, ଅନ୍ୟ ଯେଉଁ ସମସ୍ତ ଅନୁକୂଳ କାରଣମାନଙ୍କ ଯୋଗୁଁ ଭାରତୀୟ ଅର୍ଥନୀତି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି, ସେ ସମସ୍ତ କାରଣମାନଙ୍କର ପ୍ରଭାବ ଏବେ ମଧ୍ୟ ବଳବତ୍ତର ରହିଛି। ସେଇଥିପାଇଁ ଖୋଦ୍ ‘ଏମ୍ପିସି’ ଚଳିତ ବିତ୍ତ ବର୍ଷ ପାଇଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାରକୁ ଏକ ସମ୍ମାନଜନକ ୬.୫%ରେ ଅପରିବର୍ତ୍ତିତ ରଖିଥିବାବେଳେ ଆସନ୍ତା ବିତ୍ତ ବର୍ଷରେ ସେଥିରେ ପୁଣି ବୃଦ୍ଧି ଘଟି ତାହା ୬.୬% ହେବାକୁ ଯାଉଛି ବୋଲି ପୂର୍ବାନୁମାନ ପ୍ରକାଶ କରିଛି! ଏହାର ଅର୍ଥ ହେଉଛି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ଲାଗି ରିଜର୍ଭ ବ୍ୟାଙ୍କ୍ ଉପରେ ପଡୁଥିବା ଚାପ ଏବେ କୋହଳ ହୋଇଯାଇଛି।
ଏହା ବ୍ୟତୀତ ଅନ୍ୟ ଦୁଇଟି କାରଣ ଯୋଗୁଁ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ସୁଧ ହାରରେ ହ୍ରାସ ଘଟାଇବା ଲାଗି ବିଶେଷ ଉଦ୍ଗ୍ରୀବ ହୋଇ ନ ଥିବ। ଗୋଟିଏ ହେଉଛି ଭବିଷ୍ୟତରେ ମୁଦ୍ରାସ୍ଫୀତିର ସମ୍ଭାବନା। ଏହା ସତ ଯେ ଜୁନ୍ରେ ଖାଉଟି ମୁଦ୍ରାସ୍ଫୀତି ହାର ଯେଉଁ ମାତ୍ର ୨.୧% ହୋଇଛି, ତାହା ହେଉଛି ଚମକପ୍ରଦ ଭାବରେ ବିଗତ ଛ’ ବର୍ଷରୁ ଅଧିକ କାଳ ମଧ୍ୟରେ ସର୍ବନିମ୍ନ। କିନ୍ତୁ ଏହି ଉଲ୍ଲାସ ସୃଷ୍ଟିକାରୀ ପରିସଂଖ୍ୟାନ ପଛରେ ଏକ ଅସୁବିଧାଜନକ ସତ୍ୟ ମଧ୍ୟ ଲୁଚି ରହିଥାଏ। ତାହା ହେଲା, ବାର୍ଷିକ ମୁଦ୍ରାସ୍ଫୀତି ହାର ଏବଂ ବର୍ଷକ ତଳର ମୁଦ୍ରାସ୍ଫୀତି ସହିତ ବର୍ତ୍ତମାନର ମୁଦ୍ରାସ୍ଫୀତିକୁ ତୁଳନା କରି ବର୍ତ୍ତମାନର ମୁଦ୍ରାସ୍ଫୀତି ହାର ନିରୂପଣ କରାଯାଇଛି। ଅଡୁଆ କଥାଟି ହେଲା, ବର୍ଷକ ତଳେ ମୁଦ୍ରାସ୍ଫୀତି ଉଚ୍ଚା ଥିବାରୁ ବର୍ତ୍ତମାନ ସେଥିରେ ବୃଦ୍ଧି ହାର ନୀଚା ପ୍ରତୀୟମାନ ହୋଇଛି, ଯାହାକୁ ପରିସଂଖ୍ୟାନ ଶାସ୍ତ୍ରରେ ‘ଉଚ୍ଚ ଭିତ୍ତି ପ୍ରଭାବ’ (‘ହାଇ ବେସ୍ ଇଫେକ୍ଟ’) ରୂପେ ଅଭିହିତ କରାଯାଇଥାଏ। ଚଳିତ ୨୦୨୫-୨୬ ବିତ୍ତ ବର୍ଷର ଶେଷ ଚଉଠ ସୁଦ୍ଧା ଏହି ଅନୁକୂଳ ପ୍ରଭାବରେ ଅନ୍ତ ଘଟି ତା’ ପରଠାରୁ ଖାଉଟି ମୁଦ୍ରାସ୍ଫୀତି ହାର ବାର୍ଷିକ ୪% ସୀମା ଅତିକ୍ରମ କରିବ ବୋଲି ରିଜର୍ଭ ବ୍ୟାଙ୍କ୍ ଏବେ ଆଶଙ୍କା ପ୍ରକାଶ କରିଛି।
ଅନ୍ୟ କେତେକ କାରଣ ମଧ୍ୟ ରିଜର୍ଭ ବ୍ୟାଙ୍କ୍ର ଏହି ଆଶଙ୍କାକୁ ଖୋରାକ ଯୋଗାଇଥାନ୍ତି। ଯେମିତି, ଖାଉଟି ମୁଦ୍ରାସ୍ଫୀତି ହିସାବରେ ଖାଦ୍ୟ ଓ ପାନୀୟ ଦ୍ରବ୍ୟମାନଙ୍କୁ ୪୦% ଗୁରୁତ୍ବ ପ୍ରଦାନ କରାଯାଇଥାଏ। ଏହି ଦ୍ରବ୍ୟମାନଙ୍କରେ ଦର ବୃଦ୍ଧି ଅତ୍ୟନ୍ତ ନୀଚା ହୋଇଥିବାରୁ, ଖାଉଟି ମୁଦ୍ରାସ୍ଫୀତି ଏଭଳି ନୀଚା ହୋଇଛି। କିନ୍ତୁ ଏହି ଦ୍ରବ୍ୟମାନଙ୍କର ଦର ଅତ୍ୟନ୍ତ ଅସ୍ଥିର ଶ୍ରେଣୀର ହୋଇଥିବାରୁ କେଉଁ ମୁହୂର୍ତ୍ତରେ ସେଥିରେ ବୃଦ୍ଧି ଘଟି ଖାଉଟି ମୁଦ୍ରାସ୍ଫୀତିକୁ ଉପରମୁହଁା କରିବ, ତାହା କହିହେବ ନାହିଁ। ଦ୍ବିତୀୟରେ ସରକାରଙ୍କର ଟିକସ ରିହାତି ଓ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ଅାଦି ପଦକ୍ଷେପମାନ ଯୋଗୁଁ ଦେଶରେ ସାମଗ୍ରିକ ଚାହିଦାରେ ଘଟିବାକୁ ଯାଉଥିବା ବୃଦ୍ଧି ପ୍ରଭାବରେ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିପାରେ। ଏଣୁ ବର୍ତ୍ତମାନ ସୁଧ ହାରରେ ଆଉ ହ୍ରାସ ଭବିଷ୍ୟତରେ ମୁଦ୍ରାସ୍ଫୀତିକୁ ଖୋରାକ ଯୋଗାନ୍ତା।
ଏମିତିରେ ସୁଧ ହାରରେ ଉଲ୍ଲେଖନୀୟ ହ୍ରାସ ଘଟିବା ପରେ ମଧ୍ୟ ବ୍ୟାଙ୍କ୍ମାନଙ୍କ ଦ୍ବାରା ପ୍ରଦତ୍ତ ଋଣ ପରିମାଣରେ ବୃଦ୍ଧି ଘଟିବା ଦେଖାଯାଇ ନାହିଁ। ଅର୍ଥାତ୍, ନିବେଶକମାନଙ୍କର ନିଷ୍ପତ୍ତି ଅନ୍ୟାନ୍ୟ ଅଣ-ସୁଧ କାରଣମାନ ଦ୍ବାରା ପ୍ରଭାବିତ ହେଉଛି। ଏ ସମସ୍ତ କାରଣମାନଙ୍କୁ ବିଚାରକୁ ନେଲେ ସ୍ବୀକାର କରିବାକୁ େହାଇଥାଏ ଯେ ବର୍ତ୍ତମାନ ‘ରେପୋ ରେଟ୍’ରେ ଆଉ ହ୍ରାସ ଘଟାଇବାରୁ ବିରତ ରହି ରିଜର୍ଭ ବ୍ୟାଙ୍କ୍ ଉଚିତ କାର୍ଯ୍ୟ କରିଛି।