ସୌଭାଗ୍ୟବଶତଃ ବର୍ତ୍ତମାନର ଏହି ସଂକଟ ସମୟରେ ଦୀର୍ଘ ଦିନ ଧରି ଭାରତରେ ମୁଦ୍ରାସ୍ଫୀତି ସହନ ସୀମା ଉପରେ ରହିଆସିବା ପରେ ବର୍ତ୍ତମାନ ତାହା ଏକ ସହନୀୟ ସ୍ତରକୁ ଖସି ଆସିଛି। ୨୦୨୫-୨୬ ବିତ୍ତ ବର୍ଷରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ନିର୍ଦ୍ଧାରିତ ଆଦର୍ଶ ହାର ୪ ଶତାଂଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍‌ ଏବେ ସଦ୍ୟ ପୂର୍ବାନୁମାନ ପ୍ରକାଶ କରିଛି, ଯାହା ପୂର୍ବର ୪.୨ ଶତାଂଶ ପୂର୍ବାନୁମାନ ଠାରୁ ମଧ୍ୟ କମ୍।

Advertisment

ବୁଧବାର ଦିନ ସମାପ୍ତ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି’ (‘ଏମ୍‌ପିସି’)ର ଦ୍ବିମାସିକ ବୈଠକ ଦୁଇଟି ଗୁରୁତ୍ବପୂର୍ଣ୍ଣ କାରଣରୁ ଏକ ଗତାନୁଗତିକ ବୈଠକ ନ ଥିଲା। ପ୍ରଥମଟି ହେଲା ବର୍ତ୍ତମାନ ସାରା ପୃଥିବୀର ବିତ୍ତୀୟ ପରିସ୍ଥିତିକୁ ଘୋର ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିବା ଡୋନାଲ୍‌ଡ ଟ୍ରମ୍ପସୃଷ୍ଟ ବାଣିଜ୍ୟ ଯୁଦ୍ଧ। ଦ୍ବିତୀୟଟି ହେଲା ଏହି ଅସ୍ଥିର ସମୟରେ ଭାରତର ଏକ ନୂତନ ବିତ୍ତ ବର୍ଷରେ ପ୍ରବେଶ। ଏହା କହିଲେ ଭୁଲ୍ ହେବ ନାହିଁ ଯେ ପ୍ରଥମ କାରଣଟି ଯୋଗୁଁ ଏକ ଅଶୁଭ ସମୟରେ ଭାରତୀୟ ଅର୍ଥନୀତିର ନୂତନ ବିତ୍ତ ବର୍ଷ ଆରମ୍ଭ ହେଉଛି। ଆଗାମୀ ସମୟରେ ଏଥିଯୋଗୁଁ ଭାରତୀୟ ଅର୍ଥନୀତିର ଜଗୁଆଳି ତଥା ଦିଗ୍‌ଦର୍ଶକ ରିଜର୍ଭ ବ୍ୟାଙ୍କ୍ ତିନିଟି ଜରୁରୀ ଆହ୍ବାନର ସମ୍ମୁଖୀନ: ଅର୍ଥନୀତିରେ ଯଥେଷ୍ଟ ମୁଦ୍ରା ଯୋଗାଣ (ଲିକ୍ବିଡିଟି) ନିଶ୍ଚିତ କରିବା; ଏହାର ପରିଚଳନରେ ସହାୟକ ହେବା ଓ ଅସ୍ଥିରତାର ସମ୍ଭାବନାକୁ ପ୍ରତିହତ କରିବା।
ଏହି ପୃଷ୍ଠଭୂମିରେ ତେଣୁ ବୁଧବାର ଦିନ ରିଜର୍ଭ ବ୍ୟାଙ୍କ୍ ଗଭର୍ନର୍ ସଞ୍ଜୟ ମାଲହୋତ୍ରା ଦିଗ୍‌ଦର୍ଶକ ସୁଧ ହାର ‘ରେପୋ‌ ରେଟ୍’ରେ ୨୫ ବେସିସ୍ ପଏଣ୍ଟ (୦.୨୫ ଶତାଂଶ) ହ୍ରାସ ଘୋଷଣା କରିବା ସଂପୂର୍ଣ୍ଣ ସ୍ବାଭାବିକ ଓ ପ୍ରତ୍ୟାଶିତ ମନେ ହୋଇଥାଏ। ଏଥିପୂର୍ବରୁ ଫେବ୍ରୁଆରିରେ ଘଟିଥିବା ଅନୁରୂପ ହ୍ରାସକୁ ମିଶାଇଲେ ବର୍ତ୍ତମାନ ଏହା ମୋଟ ୫୦ ବେସିସ୍ ପଏଣ୍ଟ ହୋଇଛି। ଏଥିସହିତ ଗଭର୍ନର୍ ମାଲହୋତ୍ରା ରିଜର୍ଭ ବ୍ୟାଙ୍କ୍‌ର ଆଭିମୁଖ୍ୟ (‘ଷ୍ଟାନ୍‌ସ’) ନିରପେକ୍ଷ (‘ନିଉଟ୍ରାଲ୍’) ପରିବର୍ତ୍ତେ ‘ଉଦାର’ (‘ଆକୋମଡେଟିଭ୍’) ହେବ ବୋଲି ଯେଉଁ ସୂଚନା ଦେଇଛନ୍ତି, ସେଥିରୁ ଯେଉଁ ଧାରଣା ଜାତ ହୋଇଥାଏ, ତାହା ହେଲା, ଯଦି ଅର୍ଥନୀତି କୌଣସି ‌ଧକ୍‌କାର ସମ୍ମୁଖୀନ ନ ହୁଏ, ତେବେ ନିକଟ ଭବିଷ୍ୟତରେ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଯିବାର ଅବକାଶ ନାହିଁ; ତାହାକୁ କେବଳ ଅପରିବର୍ତ୍ତିତ ରଖାଯିବ କିମ୍ବା ସେଥିରେ ହ୍ରାସ ଘଟାଯିବ।
ଯେଉଁ ଋଣକର୍ତ୍ତମାନଙ୍କର ଋଣ ହେଉଛି ମୁକ୍ତ ବା ‘ଭାସମାନ’ (‘ଫ୍ଲୋଟିଙ୍ଗ୍’) ଶ୍ରେଣୀର, ସେମାନଙ୍କୁ ଏହି ୫୦ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ ନିଶ୍ଚିତ ରୂପେ ଉତ୍ସାହଜନକ ମନେ ହେବ। ‘ଷ୍ଟାନ୍‌ସ’ରେ ଉପରୋକ୍ତ ପରିବର୍ତ୍ତନ ମଧ୍ୟ ସେମାନଙ୍କୁ ଆଶ୍ବସ୍ତ କରିବ ଯେ ଯଦି ଅର୍ଥନୀତି କୌଣସି ଗୁରୁତର ସଂକଟର ସମ୍ମୁଖୀନ ନ ହୁଏ, ତା’ହେଲେ ଏବେ ସୁଧ ହାରରେ ଆଉ ବୃଦ୍ଧି ଘଟିବାର ସମ୍ଭାବନା ନାହିଁ; ବରଂ ହ୍ରାସ ଘଟିପାରେ। ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣ ପ୍ରଦାନକାରୀ ବ୍ୟାଙ୍କ୍‌ମାନେ ସେମାନଙ୍କର ବାହ୍ୟ ମାନକ (‘ଏକ୍ସଟର୍ନାଲ୍ ବେଞ୍ଚମାର୍କ’)ଭିତ୍ତିକ ସୁଧ ହାରକୁ ଅନ୍ତତଃ ତିନି ମାସରେ ଥରେ ସଜାଡ଼ିବା ଆବଶ୍ୟକ। ବର୍ତ୍ତମାନ ଋଣଦାତାମାନେ ଯେତେବେଳେ ଏହି ସଜାଡ଼ିବା ଆରମ୍ଭ କରିବେ, ମୁଖ୍ୟ ବାହ୍ୟ ମାନକ ‘ରେପୋ ରେଟ୍’ରେ ହ୍ରାସ ଯୋଗୁଁ ଋଣଗ୍ରହୀତାମାନଙ୍କର ସୁଧ ବୋଝ ଲାଘବ ହେବ। ସାଧାରଣତଃ କ୍ଷୁଦ୍ର ବ୍ୟବସାୟ ଓ ଖାଉଟି ଋଣମାନ ‘ବାହ୍ୟ ମାନକଭିତ୍ତିକ’ ହୋଇଥାଏ। କ୍ଷୁଦ୍ର ବ୍ୟବସାୟମାନଙ୍କ ପାଇଁ ବର୍ତ୍ତମାନ ଅପେକ୍ଷାକୃତ ଶସ୍ତାରେ ଋଣ ମାଧ୍ୟମରେ ବିନିଯୋଗ ପାଇଁ ସମ୍ବଳ ଉପଲବ୍‌ଧ ହେବ।
ଅବଶ୍ୟ ‘ରେପୋ ରେଟ୍’ରେ ହ୍ରାସ ଯୋଗୁଁ ବ୍ୟାଙ୍କ୍‌ମାନେ ଋଣକର୍ତ୍ତାମାନଙ୍କଠାରୁ ଆଦାୟ କରୁଥିବା ସୁଧ ହାରରେ ହ୍ରାସ ଘଟାଇବାକୁ ବାଧ୍ୟ ହେଲେ, ଜମାକର୍ତ୍ତାମାନଙ୍କୁ ଜମାରାଶି ଉପରେ ପ୍ରଦାନ କରାଯାଉଥିବା ସୁଧ ହାରରେ ହ୍ରାସ ଘଟାଇ ପାରନ୍ତି। କିନ୍ତୁ ସୂଚନାଯୋଗ୍ୟ ଯେ ଋଣ ଉପରେ ବ୍ୟାଙ୍କ୍‌ମାନେ ଆଦାୟ କରୁଥିବା ସୁଧ ହାର ବାହ୍ୟ ମାନକ ସହିତ ସଂଯୁକ୍ତ ହୋଇଥିବାବେଳେ, ଜମା ଉପରେ ପ୍ରଦାନ କରୁଥିବା ସୁଧ ହାର ସେଭଳି ସଂଯୁକ୍ତ ହୋଇ ନ ଥାଏ। ତେଣୁ ଜମା ଉପରେ ପ୍ରଦତ୍ତ ସୁଧ ହାରରେ ପରିବର୍ତ୍ତନ ସେପରି ତତ୍‌କ୍ଷଣାତ ଘଟି ନ ଥାଏ। ଏହା ବ୍ୟତୀତ ଋଣ ଉପରେ ସୁଧ ହାରରେ ପରିବର୍ତ୍ତନ ଉପସ୍ଥିତ ଋଣ ପ୍ରତି ଲାଗୁ ହେଉଥିବାବେଳେ, ଜମା ଉପରେ ପ୍ରଦାନ କରାଯାଉଥିବା ସୁଧ ହାରରେ ପରିବର୍ତ୍ତନ କେବଳ ନୂତନ ଜମା ପ୍ରତି ଲାଗୁ ହୋଇଥାଏ। ଏଣୁ ‘ରେପୋ ରେଟ୍’ରେ ବର୍ତ୍ତମାନ ଘଟିଥିବା ୨୫ ବେସିସ୍ ପଏଣ୍ଟ ହ୍ରାସ ଉଭୟ କ୍ଷୁଦ୍ର ବ୍ୟବସାୟ ଓ ଖାଉଟି ଋଣକର୍ତ୍ତମାନଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହା ଅର୍ଥନୀତିରେ ଋଣ ବୃଦ୍ଧିରେ ସହାୟକ ହୋଇ ନିବେଶକୁ ତ୍ବରାନ୍ବିତ କରିବ। ଏହା ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ।
କିନ୍ତୁ ବାହ୍ୟ ବାଧାବିଘ୍ନମାନ ଯୋଗୁଁ ଅର୍ଥନୀତିର ଅଭିବୃଦ୍ଧି ମନ୍ଥର ହେବାର ସମ୍ଭାବନା ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ୍ ଯେ ସଚେତନ ଅଛି, ଗଭର୍ନର୍ ମାଲହୋତ୍ରା ତାହା ସୂଚାଇବା ଆବଶ୍ୟକ ମନେ କରିଛନ୍ତି। ଏଥିପୂର୍ବରୁ ୨୦୨୫-୨୬ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୭ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ପୂର୍ବାନୁମାନ ପ୍ରକାଶ କରିଥିଲେ। ବର୍ତ୍ତମାନ ସେଇ ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ଏହା ୬.୫ ଶତାଂଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍ ପ୍ରକାଶ କରିଛି। ବିତ୍ତ ବର୍ଷର ଚାରିଟିଯାକ ଚଉଠରେ ଯେଉଁଭଳି ଅଭିବୃଦ୍ଧି ହାର ହାସଲ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍ ଅନୁମାନ କରୁଛି, ତାହା ହେଲା: ପ୍ରଥମ ଚଉଠ- ୬.୫ ଶତାଂଶ, ଦ୍ବିତୀୟ ଚଉଠ- ୬.୭ ଶତାଂଶ, ତୃତୀୟ ଚଉଠ- ୬.୬ ଶତାଂଶ ଓ ଚତୁର୍ଥ ଚଉଠ- ୬.୩ ଶତାଂଶ।
ମନେ ରଖିବା କଥା ଯେ ବାହ୍ୟ ବାଧାବିଘ୍ନ କବଳରୁ ଅର୍ଥନୀତିର ଅଭିବୃଦ୍ଧିକୁ ସୁରକ୍ଷିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉଦ୍ୟମ କରୁଥିଲେ ହେଁ, ଏହି କେନ୍ଦ୍ରୀୟ ବ୍ୟାଙ୍କ୍‌ର ପ୍ରଥମ ଦାୟିତ୍ବ ହେଉଛି ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା। ଅନେକ ସମୟରେ ଏହି ଦୁଇ ଲକ୍ଷ୍ୟ ପରସ୍ପର ବିରୋଧୀ ହୋଇଥାନ୍ତି: ଅଭିବୃଦ୍ଧିକୁ ସହାୟକ ହେବ ନିମିତ୍ତ ସୁଧ ହାରରେ ହ୍ରାସ ଘଟାଇଲେ ତାହା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟାଇଥାଏ ଏବଂ ମୁଦ୍ରାସ୍ଫୀତିରେ ଲଗାମ ଦେବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇଲେ ତାହା ଅଭିବୃଦ୍ଧିକୁ ବ୍ୟାହତ କରିଥାଏ। ସୌଭାଗ୍ୟବଶତଃ ବର୍ତ୍ତମାନର ଏହି ସଂକଟ ସମୟରେ ଦୀର୍ଘ ଦିନ ଧରି ଭାରତରେ ମୁଦ୍ରାସ୍ଫୀତି ସହନ ସୀମା ଉପରେ ରହିଆସିବା ପରେ ବର୍ତ୍ତମାନ ତାହା ଏକ ସହନୀୟ ସ୍ତରକୁ ଖସି ଆସିଛି। ୨୦୨୫-୨୬ ବିତ୍ତ ବର୍ଷରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ନିର୍ଦ୍ଧାରିତ ଆଦର୍ଶ ହାର ୪ ଶତାଂଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍‌ ଏବେ ସଦ୍ୟ ପୂର୍ବାନୁମାନ ପ୍ରକାଶ କରିଛି, ଯାହା ପୂର୍ବର ୪.୨ ଶତାଂଶ ପୂର୍ବାନୁମାନ ଠାରୁ ମଧ୍ୟ କମ୍। ବିତ୍ତ ବର୍ଷର ଚାରି ଚଉଠ ପାଇଁ ମୁଦ୍ରାସ୍ଫୀତିର ପୂର୍ବାନୁମାନ ହେଉଛି ଏହିପରି: ପ୍ରଥମ ଚଉଠ- ୩.୬ ଶତାଂଶ, ଦ୍ବିତୀୟ ଚଉଠ- ୩.୯ ଶତାଂଶ, ତୃତୀୟ ଚଉଠ- ୩.୮ ଶତାଂଶ, ଚତୁର୍ଥ ଚଉଠ- ୪.୪ ଶତାଂଶ।
ଏଠାରେ ଉଲ୍ଲେଖ ନ କରି ରହିହୁଏ ନାହିଁ ଯେ ମାଲହୋତ୍ରାଙ୍କ ପୂର୍ବବର୍ତ୍ତୀ ଗଭର୍ନର୍ ଶକ୍ତିକାନ୍ତ ଦାସ ତାଙ୍କର କାର୍ଯ୍ୟକାଳର ଅଧିକାଂଶ ସମୟ ମୁଦ୍ରାସ୍ଫୀତି ରାକ୍ଷସ ସହିତ ଏକାଗ୍ର ଚିତ୍ତରେ ଲଢ଼େଇ କରି କରି ଶେଷରେ ତାକୁ କାବୁ କରିବାରେ ଯେଉଁ ସଫଳତା ହାସଲ କରିଥିଲେ, ତାହା ଆଜି ରିଜର୍ଭ ବ୍ୟାଙ୍କ୍‌କୁ ବର୍ତ୍ତମାନର ଅଭିବୃଦ୍ଧି ବ୍ୟାହତକାରୀ ବିକ୍ଷୁବ୍‌ଧ ପରିସ୍ଥିତିର ମୁକାବିଲା କରିବା ପାଇଁ ପଦକ୍ଷେପ ନେବା ପାଇଁ ସମର୍ଥ କରିଛି। ଆଶା, ସୁଯୋଗର ସଦ୍‌ବ୍ୟବହାର କରି ରିଜର୍ଭ ବ୍ୟାଙ୍କ୍ ଏହି ନୂତନ ସଂଗ୍ରାମରେ ମଧ୍ୟ ସଫଳତା ହାସଲ କରିବ।