ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୧୧ ପରିସଂଖ୍ୟାନ କହେ, ୨୦୦୫ରୁ ୨୦୧୦ ମଧ୍ୟରେ ଭାରତରେ ୨,୨୨,୪୪୬ ଜଣଙ୍କର ମୃତଦେହକୁ ଅପରିଚିତ ଅବସ୍ଥାରେ ତଦନ୍ତକାରୀ ସଂସ୍ଥାମାନଙ୍କ ଦ୍ବାରା ଦାହ କରାଯାଇଥିଲା ଅଥବା ‌େପାତି ଦିଆଯାଇଥିଲା। ୨୦୧୩ରୁ ୨୦୧୫ ଭିତରେ ଏହି ସଂଖ୍ୟା ଥିଲା ୧,୦୮,୬୨୮। ଅର୍ଥାତ୍ ୨୦୧୬ ପରିସଂଖ୍ୟାନ ଅନୁସାରେ ପ୍ରତି ବର୍ଷ ୩୬,୨୦୯ ବା ପ୍ରତିଦିନ ହାରାହାରି ୧୦୦ଟି ଅଚିହ୍ନା ମୃତଦେହ ଦେଶର ବିଭିନ୍ନ ରାଜ୍ୟରୁ ମିଳୁଛି। ବାସ୍ତବିକ ସଂଖ୍ୟା ଏହା ଠାରୁ ଅଧିକ, କାରଣ ଅପମୃତ୍ୟୁ ମାମଲା ରୁଜୁ ନହୋଇ ଗ୍ରାମାଞ୍ଚଳରେ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ସତ୍କାର ହେଉଥିବା ଶବର ହିସାବ କାହା ପାଖରେ ନାହିଁ। ପଞ୍ଜୀକୃତ ଅପମୃତ୍ୟୁ ମାମଲା ହିସାବରେ ବିଗତ ୨୨ ବର୍ଷ ମଧ୍ୟରେ ପ୍ରାୟ ୮,୦୦,୦୦୦ ମୃତଦେହ ଅପରିଚିତର ଆଖ୍ୟା ନେଇ କେଉଁଠି ନା କେଉଁଠି କବର ନେଇ ସାରିଲେଣି ଓ ସେମାନଙ୍କର ପରିଚୟ ମିଳିବାର କୌଣସି ସମ୍ଭାବନା ମଧ୍ୟ ନାହିଁ।
ଆମେରିକାରେ ପ୍ରତି ବର୍ଷ ୪,୪୦୦ଟି ଅଚିହ୍ନା ମୃତଦେହ ମିଳୁଥିବା ସ୍ଥଳେ ସେଥିମଧ୍ୟରୁ ହାରାହାରି ୧୦୦୦ଟି ଶବ ବର୍ଷ ଶେଷକୁ ଅଚିହ୍ନା ହୋଇ ରହିଯାଏ। ୨୦୨୧ରେ ସେଠାରେ ଅଚିହ୍ନା ଶବ ସଂଖ୍ୟା ଥିଲା ୮୯୨, ୨୦୨୦ରେ ୮୦୦ ଓ ୨୦୧୯ରେ ୬୮୩। ସେହିପରି ଇଂଲଣ୍ଡରେ ୨୦୧୯ରେ ମିଳିଥିବା ମୋଟ ୭୮ଟି ଶବରୁ ଅଚିହ୍ନା ହୋଇ ରହିଲା ମାତ୍ର ୧୮ଟି। ଗତ ୧୯୫୦ରୁ ଏବେ ଯାଏ ୧,୧୩୧ଟି ଏଭଳି ମାମଲାର ତଦନ୍ତ ଇଂଲଣ୍ଡର ମିସିଙ୍ଗ ପର୍ସନ୍‌ସ ୟୁନିଟ୍‌ ଦ୍ବାରା ଚାଲୁ ରହିଛି।

Advertisment

ସାଧାରଣତଃ ଭାରତରେ କୌଣସି ବ୍ୟକ୍ତିଙ୍କର ମୃତ ଦେହ ମିଳିଲେ ତଦନ୍ତକାରୀ ସଂସ୍ଥା ଭାବେ ରାଜ୍ୟ ପୁଲିସ ଏହାର ଦାୟିତ୍ବ ନିଅନ୍ତି। ହତ୍ୟା କିମ୍ବା‌ ଦୁର୍ଘଟଣାଜନିତ ମୃତ୍ୟୁକୁ ବାଦ୍ ଦେଲେ ଅସ୍ବାଭାବିକ ମୃତ୍ୟୁ ପାଇଁ ଭାରତୀୟ କାର୍ଯ୍ୟବିଧି ଆଇନ ଧାରା ୧୭୪ ଅନୁସାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର କାରଣ ବିଷୟରେ ଅନୁସନ୍ଧାନ ଅାରମ୍ଭ କରେ। ଅନୁସନ୍ଧାନର ପ୍ରଥମ ସୋପାନ ହେଲା ମୃତକଙ୍କର ପରିଚୟ। ଯଦି ମୃତକ ଅଚିହ୍ନା କିମ୍ବା ମୃତଦେହର କେହି ଦାବିଦାର ନଥାନ୍ତି ତେବେ ଏହା ଏକ ଅଚିହ୍ନା ମୃତଦେହ ବୋଲି ବିବେଚନା କରି କାର୍ଯ୍ୟ ଆରମ୍ଭ ହୁଏ। ବ୍ୟବଚ୍ଛେଦ ବେଳେ ଶବର ରକ୍ତ ଓ ଚୁଟିର ନମୁନା, ଦାନ୍ତ କିମ୍ବା ଜଂଘ ହାଡ଼ର ନମୁନା, ଆଙ୍ଗୁଠି ଛାପ ରଖାଯାଏ। ଶବଟିକୁ ୭୨ରୁ ୯୬ ଘଣ୍ଟା ଶବାଗାରରେ ରଖି ପରିଚୟ ପାଇବା ପାଇଁ ସମସ୍ତ ଚେଷ୍ଟା କରାଯାଏ। ବିଫଳ ହେଲେ ପାଖ ଶ୍ମଶାନରେ ଶବ ପୋତି ଦିଆଯାଏ। ଯଦି କେହି ଦାବିଦାର ଆସନ୍ତି, ରଖାଯାଇଥିବା ପୋଷାକ, ଫଟୋ, ଜିନିଷପତ୍ରରୁ ଚିହ୍ନିବାକୁ ଚେଷ୍ଟା କରାଯାଏ ଏବଂ ଆବଶ୍ୟକ ସ୍ଥଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବକୁ ଖୋଳି ବାହାର କରାଯାଇପାରେ। ବହୁତ ଦିନର ଗଳିତ ଶବ, କଙ୍କାଳ, ନବଜାତ ଶିଶୁ, ଭ୍ରୂଣ, ମୁଣ୍ଡ ନଥିବା, ପୋଡ଼ି ଯାଇଥିବା ଶବ କ୍ଷେତ୍ରରେ ପରିଚୟ ଖୋଜିବା ଆହୁରି କଷ୍ଟସାଧ୍ୟ। ବାହାନଗା ରେଳ ଦୁର୍ଘଟଣା ଆମର ଆଖି ଖୋଲି ଦେଇଛି। ଏବେ ବି ୩୯ଟି ମୃତ ଦେହ ଅପରିଚିତ ହୋଇ ରହିଛି। ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଭାରତର କୋଣ ଅନୁକୋଣରେ ଏହି ଦୁର୍ଘଟଣାର ଖବର ଥିଲେ ମଧ୍ୟ ଶବଗୁଡ଼ିକ ଅପରିଚିତ ରହିଛି କାହିଁକି?

ବିଜ୍ଞାନ ବଳରେ ଚନ୍ଦ୍ରରେ ପହଞ୍ଚି ପାରୁଥିବା ମଣିଷ ପାଖରେ ନିଶ୍ଚୟ ଏହାର ସମାଧାନର ରାସ୍ତା ଅଛି। ଏଥିରେ ଗୁଣସୂତ୍ର ବିଶ୍ଳେଷଣର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଏଥିରେ ମୃତକଙ୍କ ରକ୍ତ, ଚୁଟି, ହାଡ଼ ଓ ମାଂସ ନମୁନା ସହ ପିତାମାତାଙ୍କ ଠାରୁ ସଂଗୃହୀତ ନମୁନାର ବୈଜ୍ଞାନିକ ପଦ୍ଧତିରେ ଗୁଣସୂତ୍ର ବିଶ୍ଳେଷଣ କରି ମେଳକ କରାଯାଇଥାଏ। ପିତାମାତାଙ୍କ ଅନୁପସ୍ଥିତିରେ ପରିବାର ବର୍ଗଙ୍କ ଠାରୁ ମୃତକଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିମ୍ବା ପୂର୍ବରୁ ଚିକିତ୍ସା ସମୟ‌େର ଡାକ୍ତରଙ୍କ ଦ୍ବାରା ସଂଗୃହୀତ ଜୈବିକ ନମୁନାକୁ ନେଇ ଗୁଣସୂତ୍ରର ମେଳକ କରିବା ମଧ୍ୟ ସମ୍ଭବ। ଏହାଦ୍ବାରା ଗଳିତ, କଙ୍କାଳ ଓ ବହୁତ ପୁରୁଣା ଶବକୁ ଚିହ୍ନଟ କରିବାରେ ମଧ୍ୟ ସଫଳତା ମିଳି ପାରିବ। ଏଭଳି ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୨୦୦୪ରୁ ଇଣ୍ଟରପୋଲ୍ ଆନ୍ତର୍ଜାତିକ ସ୍ତରରେ ଏହି ଗୁଣସୂତ୍ର ମେଳକ ପଦ୍ଧତି ଆରମ୍ଭ କରି ୨୦୨୧ ଇଣ୍ଟରପୋଲ୍‌ର ମହାସଚିବ ୧୯୪ଟି ସଭ୍ୟ ରାଷ୍ଟ୍ରମାନଙ୍କୁ ନେଇ ‘ଆଇ-ଫାମିଲିଆ’ ନାମରେ ଡିଏନ୍‌ଏ ଡାଟାବେସ୍ ଆରମ୍ଭ କରିଛନ୍ତି। ଉଦ୍ଦେଶ୍ୟ ହେଲା, ପୃଥିବୀର ଯେଉଁଠାରେ ବି ଅଚିହ୍ନା ମୃତଦେହ ମିଳିଲେ ତାହାର ଗୁଣସୂତ୍ରକୁ ସଂଗ୍ରହ କରି ଡାଟାବେସ୍‌ରେ ସୁରକ୍ଷିତ ଭାବେ ରଖାଯିବ। କୌଣସି ପରିବାର ନିଜର ଜୈବିକ ନମୁନା ଦେଇ ଆବେଦନ କଲେ ମେଳକ ପାଇଁ ବ୍ୟବସ୍ଥା କରାଯିବ। ୮୯ଟି ଦେଶରେ ଗୁଣସୂତ୍ର ବିଶ୍ଳେଷଣ ପଦ୍ଧତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ୭୦ଟି ଦେଶରେ ଡିଏନ୍‌ଏ ଡାଟାବେସ୍‌ କାମ କରୁଛି। ଆମ ଭାରତରେ ୨୦୧୯ରେ ଡିଏନ୍‌ଏ ଟେକ୍‌ନୋଲୋଜି ରେଗୁଲେସନ୍‌ ବିଲ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆଇନରେ ପରିଣତ ହୋଇନାହିଁ। ଦିଲ୍ଲୀସ୍ଥିତ ଏମ୍‌ସ ଓ ଆଇସିଏମ୍‌ଆର୍‌ର ମିଳିତ ଉଦ୍ୟମରେ ୨୦୨୧ରୁ ଏହି ସମସ୍ୟାର ସମାଧାନ ପାଇଁ ଗୁଣସୂତ୍ର ବିଶ୍ଳେଷଣ କାର୍ଯ୍ୟକ୍ରମକୁ ପାଇଲଟ୍‌ ପ୍ରକଳ୍ପ ହିସାବରେ ନିଆଯାଇଛି ଓ ଏ ପର୍ଯ୍ୟନ୍ତ ୪୭୭ ନମୁନା ପରୀକ୍ଷଣ ପରେ ୪୨ଟି ମାମଲାରେ ସଫଳତା ମିଳିପାରିଛି। ଆଗକୁ ଏକ ୱେବ୍ ପୋର୍ଟାଲ୍ ପ୍ରସ୍ତୁତ କରାଯିବ ଓ ସେଥିରେ ସବୁ ତଥ୍ୟ ସଂରକ୍ଷଣ ରଖାଯିବ। ଏଥିରେ ମୃତକଙ୍କର ଫଟୋ, ଭିଡିଓ, ମିଳିଥିବା ବସ୍ତ୍ର, ଅଳଙ୍କାରମାନ ପ୍ରଦର୍ଶିତ ହେବ। ବର୍ତ୍ତମାନ ବିଭିନ୍ନ ରାଜ୍ୟ ତଥା ସହରାଞ୍ଚଳ ପୁଲିସ ନିଜ ନିଜର ୱେବ୍ ପୋର୍ଟାଲ୍‌ରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୃତକମାନଙ୍କ ବିଷୟରେ ତଥ୍ୟ ଦେଉଛନ୍ତି ସତ, କିନ୍ତୁ ଲୋକଙ୍କ ପାଇଁ ସବୁ ପୋର୍ଟାଲ୍‌ ଦେଖିବା ସହଜ ନୁହେଁ। ତେଣୁ ଏକ ଜାତୀୟ ସ୍ତରର ୱେବ୍ ପୋର୍ଟାଲ୍ ଅତ୍ୟାବଶ୍ୟକ ମନେ ହୋଇଥାଏ।

ନମୁନା ଟିପଚିହ୍ନର ବ୍ୟବହାର ମଧ୍ୟ ଏହି ସମସ୍ୟାର ସମାଧାନର ଆଉ ଏକ ଦିଗ। ଜନ୍ମର କିଛି ବର୍ଷ ମଧ୍ୟରେ ଯଦି ଭାରତରେ ଜନ୍ମିତ ସମସ୍ତ ନାଗରିକମାନଙ୍କର ଟିପଚିହ୍ନର ନମୁନାର ଡାଟାବେସ୍‌ ଜାତୀୟ ସ୍ତରରେ ପ୍ରସ୍ତୁତ କରାଯାଇପାରିବ ତାହାହେଲେ ମୃତଦେହ ଚିହ୍ନଟ ପ୍ରକ୍ରିୟା ସହଜ ହୋଇପାରିବ। ଅବଶ୍ୟ ଆଧାର ଯୋଜନା ଏହାର ପ୍ରଥମ ସୋପାନ, କିନ୍ତୁ ୮୯.୨ ପ୍ରତିଶତ ଭାରତୀୟଙ୍କର ଆଧାର କାର୍ଡ ଥିଲେ ମଧ୍ୟ ଏହି ଦିଗରେ ଆଧାର ଏବେ ଯାଏ ଫଳପ୍ରଦ ହୋଇପାରିନାହିଁ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୩ ଅନୁସାରେ ସମସ୍ତ ଜନ୍ମ ଓ ମୃତ୍ୟୁର ଡିଜିଟାଲ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିରେ ନିଖୋଜ ଲୋକମାନଙ୍କର ତଥ୍ୟ ଓ ଅପମୃତ୍ୟୁ ମାମଲାର ତଥ୍ୟ ମଧ୍ୟ ପଞ୍ଜୀକୃତ ହେଉଛି। ଦେଶର ସବୁ ଥାନା ମଧ୍ୟରେ ସମନ୍ବୟ ରଖି ମୃତକଙ୍କ ବିଷୟରେ ସମସ୍ତ ତଥ୍ୟ ଠିକ୍ ଭାବେ ପଞ୍ଜୀକରଣ କଲେ ଓ ନାଗରିକମାନଙ୍କ ଦ୍ବାରା ବ୍ୟବହାର ହୋଇପାରିଲେ କିଛି ଅପରିଚିତ ମଧ୍ୟ ପରିଚୟ ପାଇପାରିବେ।
କହିବା ବାହୁଲ୍ୟ, ଘରୁ ବାହାରକୁ ଗଲା ବେଳେ ସମସ୍ତେ ନିଜର ପରିଚୟପତ୍ର ଓ ସଂପର୍କୀୟମାନଙ୍କର ଫୋନ୍ ନମ୍ବର ଲେଖା ଥିବା କାଗଜ‌ ଖଣ୍ଡିଏ ପାଖରେ ରଖିଲେ ଏ ସବୁ ଜଟିଳ ପ୍ରକ୍ରିୟାକୁ କିଛିଟା ଏଡ଼ାଇ ଦିଆଯାଇପାରନ୍ତା।
ମୋ: ୯୪୩୭୨୦୨୮୧୨