ଏକ ପ୍ରତିଯୋଗିତାଭିତ୍ତିକ ବଜାର କେବଳ ଗ୍ରାହକମାନଙ୍କର ଚାହିଦା ପୂରଣ କରି ନ ଥାଏ, ତାହା ମଧ୍ୟ ଗ୍ରାହକମାନଙ୍କ ପାଇଁ ନୂତନ ଚାହିଦା ସୃଷ୍ଟି କରିଥାଏ। ଏକ ଉଦାହରଣ ସ୍ବରୂପ ଗୋଟିଏ ପିଢ଼ି ତଳେ ଆମ ଦେଶରେ କେହି ଇନ୍‌ଷ୍ଟାଣ୍ଟ୍ ନୁଡ୍‌ଲ୍‌ସର ନଁା ଶୁଣି ନ ଥିଲେ; ବର୍ତ୍ତମାନ ତାହା ପ୍ରାୟ ପ୍ରତ୍ୟେକ ପରିବାରରେ ଏକ ପରିଚିତ ଆହାରରେ ପରିଣତ ହୋଇଗଲାଣି। ସେହିପରି ବଜାର ଯଦି ଆମର ତାଜା ପରିବା ଖାଇବା ଅଭ୍ୟାସରେ ପରିବର୍ତ୍ତନ ଘଟାଇ ପ୍ରକ୍ରିୟାକୃତ ପରିବା ବ୍ୟବହାର କରିବାରେ ଅଭ୍ୟସ୍ତ କରିଦିଅନ୍ତା (ଯେମିତି ପିଆଜ ସ୍ଥାନରେ ପିଆଜ ପେଷ୍ଟ୍, ଟମାଟୋ ସ୍ଥାନରେ ଟମାଟୋ ପ୍ୟୁରି ଇତ୍ୟାଦି), ତା’ହେଲେ ପ୍ରଚୁର ଅମଳ ସମୟରେ ସେ ସମସ୍ତ ପରିବାକୁ ଏଭଳି ରୂପାନ୍ତରିତ କରି ବର୍ଷ ସାରା ଯୋଗାଣରେ ସ୍ଥିରତା ରକ୍ଷା କରାଯାଇପାରନ୍ତା, ଯାହାଦ୍ବାରା ଖାଦ୍ୟ ମୁଦ୍ରାସ୍ଫୀତିକୁ କାବୁ କରାଯାଇପାରନ୍ତା।

Advertisment

‘‘ଏ ହର୍ସ, ଏ ହର୍ସ! ମାଁଇ କିଙ୍ଗ୍‌ଡମ୍ ଫର୍ ଏ ହର୍ସ!’’ ସେକ୍‌ସପିଅର୍‌ପ୍ରେମୀମାନଙ୍କ ମଧ୍ୟରେ ସୁପରିଚିତ ଏହି ପ୍ରସିଦ୍ଧ ଧାଡ଼ିଟି ହେଉଛି ରଣଭୂମିରେ ଘୋଡ଼ାଟିଏ ପାଇବା ନିମିତ୍ତ ଯୁଦ୍ଧରତ ରାଜା ତୃତୀୟ ରିଚାର୍ଡଙ୍କର ବ୍ୟାକୁଳ ଚିତ୍କାର: ଘୋଡ଼ାଟିଏ ବଦଳରେ ସେ ନିଜର ରାଜ୍ୟ ଦେଇଦେବା ପାଇଁ ପ୍ରସ୍ତୁତ। ରାଜା ରିଚାର୍ଡ ଗୋଟିଏ ଘୋଡ଼ା ପାଇଁ ଏପରି ଉଚ୍ଚ ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ଥିବାର କାରଣ ହେଲା ତାଙ୍କୁ ଘୋଡ଼ାଟିଏ ମିଳିବା ଉପରେ ଯୁଦ୍ଧରେ ହାରଜିତ୍ ନିର୍ଭର କରୁଥିଲା।
‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ଗଭର୍ନର୍ ଶକ୍ତିକାନ୍ତ ଦାସ ମଧ୍ୟ ହେଉଛନ୍ତି ଜଣେ ଯୁଦ୍ଧରତ ରାଜା: ତାଙ୍କର ପ୍ରତିପକ୍ଷ ହେଉଛି ମୁଦ୍ରାସ୍ଫୀତି। ଏହି ଦୁର୍ଦ୍ଧର୍ଷ ଶତ୍ରୁର ଅନ୍ତିମ ପରାଜୟ ଆସନ୍ନ ହେବାର ସମସ୍ତ ଲକ୍ଷଣ ଯେତେବେଳେ ପ୍ରକାଶ ପାଇବାକୁ ଆରମ୍ଭ କରିଥିଲା, ସେତିକିବେଳେ ଅକ୍‌ଟୋବର ପାଇଁ ପ୍ରକାଶିତ ଖାଉଟି ମୁଦ୍ରାସ୍ଫୀତି ସୂଚନା ସେଇ ସମ୍ଭାବନାକୁ ଓଲଟପାଲଟ କରିଦେଇ ପୁଣି ବିପଦ ସୀମା ଅତିକ୍ରମ କରିବା ଦେଖାଯାଇଛି। ରାଜା ଶକ୍ତିକାନ୍ତ ଯଦି ବର୍ତ୍ତମାନ ରାଜା ରିଚାର୍ଡଙ୍କୁ ଅନୁସରଣ କରି ବ୍ୟାକୁଳ ଭାବରେ କିଛି କାମନା କରନ୍ତେ, ତାହା ହୁଅନ୍ତା ଏକ ଘୋଡ଼ା ଠାରୁ ମଧ୍ୟ କ୍ଷୁଦାତିକ୍ଷୁଦ୍ରତର- ତା’ର ଟାପୁରେ ଲାଗିଥିବା ନାଲରୁ ହୁଗୁଳି ଖସି ପଡ଼ିଥିବା କଣ୍ଟାଟିଏ। ଏହାର କାରଣ ହେଲା: କଣ୍ଟା ହରାଇଥିବା ନାଲ ଅକାମୀ, ନାଲ ହରାଇଥିବା ଘୋଡ଼ା ଅକାମୀ, ଘୋଡ଼ା ହରାଇଥିବା ରାଜା ଅକାମୀ। ଶେଷରେ ସେଇ ହୁଗୁଳିଥିବା ସାମାନ୍ୟ କଣ୍ଟାଟି ହିଁ ରାଜାଙ୍କର ପରାଜୟର କାରଣ ହୋଇଥାଏ। ମୁଦ୍ରାସ୍ଫୀତି ଉପରେ ଶକ୍ତିକାନ୍ତଙ୍କର ବିଜୟ ଆସନ୍ନ ହୋଇଥିବା ବେଳେ ‌େଶଷ ମୁହୂର୍ତ୍ତରେ ସାମାନ୍ୟ ନାଲର କଣ୍ଟା ଭଳି ଯିଏ ହୁଗୁଳିଯାଇ ତାଙ୍କ ପାଇଁ ପୁଣି ପରାଜୟର ସମ୍ଭାବନା ସୃଷ୍ଟି କରିଛି, ତାହା ହେଉଛି ଅର୍ବାଚୀନ ପିଆଜ, ଟମାଟୋ ଭଳି ପରିବାର ଦର ବୃଦ୍ଧି, ଯାହାର ଚାପରେ ଖାଉଟି ମୁଦ୍ରାସ୍ଫୀତି ହାର ପୁଣି ଉପରମୁହଁା ହୋଇ ୬ ଶତାଂଶ ସୀମା ଲଂଘନ କରିଛି।
ଘୋଡ଼ାର ଚଳନଶୀଳତା ପାଇଁ ନାଲର କଣ୍ଟାଟି ‌ଯେଉଁଭଳି ମାତ୍ରାଧିକ ଗୁରୁତ୍ବ ବହନ କରିଥାଏ, ଆମର ଖାଉଟି ମୁଦ୍ରାସ୍ଫୀତି ହିସାବରେ ଖାଦ୍ୟଦ୍ରବ୍ୟକୁ ସେଇଭଳି ମାତ୍ରାଧିକ ଗୁରୁତ୍ବ (ୱେଟେଜ୍) ପ୍ରଦାନ କରାଯାଇଥାଏ: ୫୪ ଶତାଂଶ। ଏହାର ଫଳସ୍ବରୂପ ଯଦି ଖାଉଟି ଦ୍ରବ୍ୟ ଝୁଡ଼ିରେ ଥିବା ଅନ୍ୟ ସମସ୍ତ ଦ୍ରବ୍ୟମାନଙ୍କର ଦର ନିୟନ୍ତ୍ରଣ ମଧ୍ୟରେ ଥାଏ, କିନ୍ତୁ ଖାଦ୍ୟଦ୍ରବ୍ୟ ଦରରେ ବିଶେଷ ବୃଦ୍ଧି ଦେଖାଦିଏ, ତେବେ ସେଥିଯୋଗୁଁ ଖାଉଟି ଝୁଡ଼ିର ହାରାହାରି ଦରରେ ବୃଦ୍ଧି ଘଟିବ, ଅର୍ଥାତ୍ ଖାଉଟି ମୁଦ୍ରାସ୍ଫୀତି ଦେଖାଦେବ। ଶକ୍ତିକାନ୍ତଙ୍କ ପାଇଁ ସମସ୍ୟା ହେଲା ଏହି ଖାଦ୍ୟଦ୍ରବ୍ୟମାନଙ୍କ ମଧ୍ୟରେ ପନିପରିବା ଦରରେ ଅକ୍‌ଟୋବରରେ ଏକ ତୀକ୍ଷ୍‌ଣ ୪୨ ଶତାଂଶ ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ସେପ୍‌ଟେମ୍ବରର ୩୬ ଶତାଂଶ ବୃଦ୍ଧି ହାର ଠାରୁ ମଧ୍ୟ ବେଶ୍ ଅଧିକ। ନାଲର ହୁଗୁଳା କଣ୍ଟା ଭଳି ପନିପରିବା ଦରରେ ଏହି ବୃଦ୍ଧି କାହାରି ବୋଲ ମାନୁନାହିଁ। ଏହି କଣ୍ଟାଟିକୁ ସାଉଁଟି ଯିଏ ତାଙ୍କ ଘୋଡ଼ା ଟାପରୁ ନାଲରେ ପୁଣି ଭିଡ଼ିକରି ପିଟି ଦିଅନ୍ତା, ରାଜା ଶକ୍ତିକାନ୍ତ ତାକୁ ନିଶ୍ଚିତ ରୂପେ ତାଙ୍କର ରାଜ୍ୟ ଦେଇ ଦିଅନ୍ତେ।
ମୁଦ୍ରାସ୍ଫୀତିର ତୁରନ୍ତ ନିୟନ୍ତ୍ରଣ ଶକ୍ତିକାନ୍ତଙ୍କ ପାଇଁ ଏଭଳି ଜରୁରି ହୋଇପଡ଼ିଥିବାର କାରଣ ହେଉଛି ତାଙ୍କ ଉପରେ ଅନ୍ୟ ଏକ ଦିଗରୁ ବୃଦ୍ଧି ପାଇଚାଲିଥିବା ଚାପ। ଏହା ହେଉଛି ଦେଶରେ ନିବେଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ସୁଧ ହାରରେ ବହୁପ୍ରତୀକ୍ଷିତ ହ୍ରାସର ଆବଶ୍ୟକତା। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ପ୍ରଦାନ କରି ରିଜର୍ଭ ବ୍ୟାଙ୍କ୍ କିନ୍ତୁ ବିଗତ ପ୍ରାୟ ଦୁଇ ବର୍ଷ ଧରି ଏହି ଚାପ ଆଗରେ ମୁଣ୍ଡ ନ ନୁଅଁାଇ ‘ରେପୋ ରେଟ୍’କୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖିଆସିଛି। ନିକଟରେ ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଦେଖାଦେଇଥିବାରୁ ଅବଶେଷରେ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍‌ପିସି’)ର ଦ୍ବିମାସିକ ବୈଠକରେ ‘ରେପୋ ରେଟ୍‌’ରେ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନିଆଯିବା ପ୍ରାୟ ନିଶ୍ଚିତ ବୋଲି ସମସ୍ତେ ଆଶା କରୁଥିଲେ। କିନ୍ତୁ ପିଆଜ, ଟମାଟୋ ବର୍ତ୍ତମାନ ସେଇ ଆଶାରେ ପାଣି ପକାଇ ଦେଇଥିବା ଭଳି ମନେ ହେଉଛି।
ଖାଦ୍ୟଦ୍ରବ୍ୟ ଦରଦାମର ଏଭଳି ଅମାନିଆ ଆଚରଣ ଦ୍ବାରା ବିବ୍ରତ ହୋଇ ସରକାରଙ୍କ ତରଫରୁ ମଧ୍ୟ ଏହାକୁ ଖାଉଟି ମୁଦ୍ରାସ୍ଫୀତି ଠାରୁ ବିଚ୍ଛିନ୍ନ କରି ରିଜର୍ଭ ବ୍ୟାଙ୍କ୍ ମୁଦ୍ରା ନୀତି ନିର୍ଦ୍ଧାରଣ କରିବା ପାଇଁ ଇସାରା ଦିଆଗଲାଣି। ଅର୍ଥାତ୍ ଯଦି ଅଣ-ଖାଦ୍ୟ ମୁଦ୍ରାସ୍ଫୀତି ନୀଚା ଥାଏ, ତେବେ ଖାଦ୍ୟ ମୁଦ୍ରାସ୍ଫୀତି ଉଚ୍ଚା ଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ତା’ର ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଉ ବୋଲି ସରକାର ଓ ଶିଳ୍ପବାଣିଜ୍ୟ ମହଲ ଚାହୁଛନ୍ତି। (ଏହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ସୋମବାର ମୁମ୍ବାଇଠାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ଅବସରରେ କେନ୍ଦ୍ର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଅଭିବୃଦ୍ଧିରେ ସହାୟକ ହେବା ଲାଗି ସୁଧ ହାରରେ ହ୍ରାସ ପାଇଁ ଆହ୍ବାନ ଦେଇଛନ୍ତି।) ରିଜର୍ଭ ବ୍ୟାଙ୍କ୍ କିନ୍ତୁ ଏଭଳି ବିଚ୍ଛିନୀକରଣର ବିପଦ ସମ୍ବନ୍ଧରେ ସଂପୂର୍ଣ୍ଣ ସଚେତନ ଥିବାରୁ ଏଥିପ୍ରତି କୁଣ୍ଠା ପ୍ରକାଶ କରିବାରେ ଲାଗିଛି।
ଏହା ଅବଶ୍ୟ ସତ ଯେ ପନିପରିବା, ଖାଦ୍ୟଶସ୍ୟ ଆଦିର ଦରଦାମ ଯୋଗାଣପାର୍ଶ୍ବିକ କାରଣମାନ ଦ୍ବାରା ପ୍ରଭାବିତ ହୋଇଥିବାରୁ ସୁଧ ହାରରେ ପରିବର୍ତ୍ତନ ଦ୍ବାରା ଏହା ବିଶେଷ ପ୍ରଭାବିତ ହୋଇ ନ ଥାଏ। କିନ୍ତୁ ବିପଦ ହେଲା ଖାଦ୍ୟଦ୍ରବ୍ୟ ଦରଦାମରେ ବୃଦ୍ଧିର ଚାପରେ ପରବର୍ତ୍ତୀ ଛେକରେ ମଜୁରିରେ ବୃଦ୍ଧି ଘଟିଥାଏ ଓ ତାହାର ଚାପରେ ସମସ୍ତ ପ୍ରକାର ଦ୍ରବ୍ୟ ଓ ସେବାର ଦରଦାମରେ ବୃଦ୍ଧି ଘଟିଥାଏ। ଖାଦ୍ୟଦ୍ରବ୍ୟ ଅଧିକାଂଶ ପରିବାରର ଦୈନନ୍ଦିନ ବଜାର ସଉଦା ତାଲିକାର ସର୍ବାଗ୍ରେ ସ୍ଥାନ ପାଇଥାଏ; ତେଣୁ ଖାଦ୍ୟଦ୍ରବ୍ୟ ଦରବୃଦ୍ଧି ଯୋଗୁଁ ପରିବାରର ମୁଦ୍ରାସ୍ଫୀତି ପ୍ରତ୍ୟାଶା ମଧ୍ୟ ଉଚ୍ଚା ହୋଇ ଦେଶରେ ମୁଦ୍ରାସ୍ଫୀତିକୁ ଆହୁରି ଶକ୍ତି ଯୋଗାଇଥାଏ। ପିଆଜ, ଟମାଟୋ ଆଦି ପନିପରିବାର ଦରରେ ବୃଦ୍ଧି ଘଟିବାକୁ ନ ଦେବା ପାଇଁ ସରକାର ଯଦି ରପ୍ତାନି ନିଷିଦ୍ଧ କରିଦିଅନ୍ତି, ପରବର୍ତ୍ତୀ ଋତୁରେ ତା’ର ଫଳ ବିପରୀତ ହୋଇଥାଏ। ରପ୍ତାନି ନିଷେଧ ଯୋଗୁଁ ଘରୋଇ ବଜାରରେ ଦର ନୀଚା ରହିବାରୁ, ତା’ଦ୍ବାରା ନିରୁତ୍ସାହିତ ହୋଇ ଚାଷୀମାନେ ପର ଋତୁରେ ସେ ସବୁ ଫସଲ ଚାଷରେ ସଂକୋଚନ ଘଟାଇଥାନ୍ତି। ଏହା ଫଳରେ ଉତ୍ପାଦନ ଓ ଅମଳରେ ହ୍ରାସ ଘଟି ସେସବୁ ଦ୍ରବ୍ୟର ଦରରେ ବୃଦ୍ଧି ଘଟିଥାଏ। ନାଲର କଣ୍ଟା ପରି ପିଆଜ, ଟମାଟୋ ଆଦି ନଗଣ୍ୟ ମନେ ହେଉଥିଲେ ହେଁ, ସେଥିଯୋଗୁଁ ମୁଦ୍ରାସ୍ଫୀତି ଯୁଦ୍ଧରେ ପରାଜୟ ଅବଶ୍ୟମ୍ଭାବୀ ମନେ ହୋଇଥାଏ।
ଉଭୟ ରିଜର୍ଭ ବ୍ୟାଙ୍କ୍ ଓ ସରକାର ସମସ୍ୟାର ସମାଧାନ ପାଇଁ ଅସମର୍ଥ ମନେ ‌େହଉଥିବା ବେଳେ ବଜାର ମଧ୍ୟ ଏଥିରେ ହାର ମାନିବା ଦେଖାଯାଉଛି। ତେବେ ସମସ୍ୟାର ସମାଧାନ ନିମିତ୍ତ ଗୋଟିଏ ଉପାୟ ଉପଲବ୍‌ଧ ଅଛି ବଜାର ହାତରେ। ଏକ ପ୍ରତିଯୋଗିତାଭିତ୍ତିକ ବଜାର କେବଳ ଗ୍ରାହକମାନଙ୍କର ଚାହିଦା ପୂରଣ କରି ନ ଥାଏ, ତାହା ମଧ୍ୟ ଗ୍ରାହକମାନଙ୍କ ପାଇଁ ନୂତନ ଚାହିଦା ସୃଷ୍ଟି କରିଥାଏ। ଏକ ଉଦାହରଣ ସ୍ବରୂପ ଗୋଟିଏ ପିଢ଼ି ତଳେ ଆମ ଦେଶରେ କେହି ଇନ୍‌ଷ୍ଟାଣ୍ଟ୍ ନୁଡ୍‌ଲ୍‌ସର ନଁା ଶୁଣି ନ ଥିଲେ; ବର୍ତ୍ତମାନ ତାହା ପ୍ରାୟ ପ୍ରତ୍ୟେକ ପରିବାରରେ ଏକ ପରିଚିତ ଆହାରରେ ପରିଣତ ହୋଇଗଲାଣି। ସେହିପରି ବଜାର ଯଦି ଆମର ତାଜା ପରିବା ଖାଇବା ଅଭ୍ୟାସରେ ପରିବର୍ତ୍ତନ ଘଟାଇ ପ୍ରକ୍ରିୟାକୃତ ପରିବା ବ୍ୟବହାର କରିବାରେ ଅଭ୍ୟସ୍ତ କରିଦିଅନ୍ତା (ଯେମିତି ପିଆଜ ସ୍ଥାନରେ ପିଆଜ ପେଷ୍ଟ୍, ଟମାଟୋ ସ୍ଥାନରେ ଟମାଟୋ ପ୍ୟୁରି ଇତ୍ୟାଦି), ତା’ହେଲେ ପ୍ରଚୁର ଅମଳ ସମୟରେ ସେ ସମସ୍ତ ପରିବାକୁ ଏଭଳି ରୂପାନ୍ତରିତ କରି ବର୍ଷ ସାରା ଯୋଗାଣରେ ସ୍ଥିରତା ରକ୍ଷା କରାଯାଇପାରନ୍ତା, ଯାହାଦ୍ବାରା ଖାଦ୍ୟ ମୁଦ୍ରାସ୍ଫୀତିକୁ କାବୁ କରାଯାଇପାରନ୍ତା। ଅଶ୍ବାରୋହୀ ରାଜା ଶକ୍ତିକାନ୍ତଙ୍କ ଘୋଡ଼ାର ଟାପୁରେ ନାଲକୁ ଭିଡ଼ି ଧରିବା ପାଇଁ ଏହା କଣ୍ଟା ରୂପେ କାର୍ଯ୍ୟ କରନ୍ତା ଓ ସେ ମୁଦ୍ରାସ୍ଫୀତି ଯୁଦ୍ଧରେ ଜୟଲାଭ କରି ସୁଧ ହାର କୋହଳ କରିବାକୁ ଆଗେଇ ଆସନ୍ତେ।