ଭାରତୀୟ ସମାଜରେ ଗଭୀର ଚେର ବିସ୍ତାର କରିଥିବା ଏହି ‘ରଙ୍ଗବାଦ’ (‘କଲରିଜ୍ମ’) ଉଭୟ ପୁରୁଷ ଓ ନାରୀମାନଙ୍କୁ ପ୍ରଭାବିତ କରୁଥିଲେ ହେଁ, ଶାରଦା ତାଙ୍କର ଖେଦୋକ୍ତିରେ ସ୍ପଷ୍ଟ କରିଥିବା ଭଳି ଜଣେ ନାରୀକୁ ଏଥିପାଇଁ ଏକ ଦ୍ବୈତ ବିଦ୍ବେଷର ଶିକାର ହେବାକୁ ପଡ଼ିଥାଏ: ପୁରୁଷବାଦୀ ଭାରତୀୟ ସମାଜରେ ଜଣେ ନାରୀ ଭାବରେ ଓ ଚର୍ମର କଳା ରଙ୍ଗ େଯାଗୁଁ ଜଣେ କୃଷ୍ଣବର୍ଣ୍ଣା ନାରୀ ଭାବରେ। କଳା ରଙ୍ଗ ନାରୀ ପାଇଁ କେବଳ ବିବାହରେ ପ୍ରତିବନ୍ଧକ ହୋଇ ନ ଥାଏ, ନିଯୁକ୍ତି ବଜାରରୁ ଆରମ୍ଭ କରି ସିନେମାରୁ ଫେସନ ଦୁନିଆ ପର୍ଯ୍ୟନ୍ତରେ ଏହା ନାକ ଟେକାର ସମ୍ମୁଖୀନ ହେବା ଦେଖାଯାଇଥାଏ।
ଅକ୍ଷୟ ମହାନ୍ତିଙ୍କ କିଂବଦନ୍ତି ପାଲଟିଥିବା ଓଡ଼ିଆ ଗୀତ ‘‘ଯା’ରେ ଭାସି ଭାସି ଯା/ନଉକା ମୋର ଭାସି ଯା’’ର ଏକ ମର୍ମସ୍ପର୍ଶୀ ପଦରେ ଏକ ଗାଧୁଆ ତୁଠର ଝିଅଟିଏ ନାଉରିଆକୁ କହିଥାଏ: ‘‘ନାଉରିଆ ତୁ ଶୁଣି ଯା, କିଏ ବା ମତେ ହେବ ବାହା/ଯିଏ ଦେଖନ୍ତି ନାକ ଟେକନ୍ତି/ମୁଁ କାଳେ କାଳୀ କନିଆ।’’ ଭାରତୀୟ ସମାଜର କୋଣ ଅନୁକୋଣରେ ଅକ୍ଷୟ ମହାନ୍ତିଙ୍କ ଗୀତର ସେଇ କାଳୀଝିଅମାନେ ଏବେ ମଧ୍ୟ ସମ୍ମୁଖୀନ ହେଉଥିବା ବର୍ଣ୍ଣବିଦ୍ବେଷରେ ଯେ ତିଳେମାତ୍ର ଊଣା ହୋଇନାହିଁ, ତାହା ଏବେ ଏଭଳି ଜଣେ ନାରୀଙ୍କ ପ୍ରକାଶିତ ମର୍ମବେଦନା ମାଧ୍ୟମରେ ପ୍ରମାଣିତ ହୋଇଛି, ଯାହା ସମଗ୍ର ଦେଶବାସୀଙ୍କୁ ହତଚକିତ କରିଦେଇଛି।
ଏହି ମହିଳା ଜଣକ ହେଉଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର୍ ତଥା କେରଳ ରାଜ୍ୟର ମୁଖ୍ୟ ଶାସନ ସଚିବ ଶାରଦା ମୁରଲୀଧରନ୍। ସୋସିଆଲ୍ ମିଡିଆରେ ସେ ଅବଶେଷରେ ପ୍ରକାଶ କରିଥିବା ତାଙ୍କର ସାରା ଜୀବନର ପୁଞ୍ଜୀଭୂତ ମନବେଦନା ଅନୁସାରେ ସେ ତାଙ୍କର ପିଲାଟି ଦିନରୁ ତାଙ୍କର ଚର୍ମର କଳା ରଙ୍ଗ ପାଇଁ ଯେଉଁ ବାଛବିଚାର ଓ ବିଦ୍ରୂପର ସମ୍ମୁଖୀନ ହୋଇ ଆସୁଛନ୍ତି, ସେ ସେ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ପଦ ଅଳଙ୍କୃତ କରିବା ପରେ ମଧ୍ୟ ସେଥିରେ ଅନ୍ତ ଘଟିନାହିଁ। ଶାରଦା ଏହାର ଏକ ଉଦାହରଣ ସ୍ବରୂପ ତାଙ୍କ ପୂର୍ବରୁ ସେଇ ମୁଖ୍ୟ ଶାସନ ସଚିବ ପଦରେ ଦାୟିତ୍ବ ନିର୍ବାହ କରିଥିବା ତାଙ୍କର ସ୍ବାମୀ ଭି ବେଣୁଙ୍କ ସହିତ ତାଙ୍କୁ ତୁଳନା କରି ଜଣେ କେହି ପ୍ରଦାନ କରିଥିବା ମନ୍ତବ୍ୟର ଉଲ୍ଲେଖ କରି ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରସାର କରିଛନ୍ତି। ମନ୍ତବ୍ୟକାର ଜଣକ (ଶାରଦା ତାଙ୍କର ପରିଚୟ ପ୍ରକାଶ କରିନାହାନ୍ତି) କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଭାବରେ ଶାରଦାଙ୍କ କାର୍ଯ୍ୟ ହେଉଛି ‘‘ସେଇଭଳି କଳା, ଯେଉଁଭଳି ତାଙ୍କ ସ୍ବାମୀଙ୍କର କାର୍ଯ୍ୟ ଥିଲା ଧଳା।’’
ଶାରଦାଙ୍କର ଏହି ଅନୁଭୂତିରୁ ଯାହା ପ୍ରମାଣିତ ହୋଇଥାଏ, ତାହା ହେଲା, ସେ ଭାରତୀୟ ପ୍ରଶାସନିକ ସେବାରେ ପ୍ରବେଶ କରି ନିଜର ଯୋଗ୍ୟତା ପ୍ରମାଣିତ କଲା ପରେ ମଧ୍ୟ ଏବଂ ସର୍ବୋଚ୍ଚ କ୍ଷମତାର ଆଧାର ରୂପେ ବିବେଚିତ ମୁଖ୍ୟ ଶାସନ ସଚିବ ପଦ ମଣ୍ଡନ କଲା ପରେ ମଧ୍ୟ ତାଙ୍କର ଶରୀରର ରଙ୍ଗ ହିଁ ତାଙ୍କର ମୁଖ୍ୟ ପରିଚୟର ଆସନ ଦଖଲ କରି ରହିଛି। କାରଣ, ଏଇ ରଙ୍ଗ ହେଉଛି କଳା।
ଭାରତ ଏକ ଶ୍ବେତକାୟମାନଙ୍କର ଦେଶ ହୋଇ ନ ଥିଲେ ମଧ୍ୟ ଏବଂ ଏଠାରେ ଦକ୍ଷିଣ ଆଫ୍ରିକା ବା ଆମେରିକା ଭଳି ବର୍ଣ୍ଣବୈଷମ୍ୟ ନୀତି ଅନୁସୃତ ହେବାର ଅବକାଶ ନ ଥିଲେ ମଧ୍ୟ ଆମ ସମାଜ ଓ ସଂସ୍କୃତିରେ ଶାରଦାଙ୍କ ଭଳି କଳା ଲୋକମାନେ ଯେଉଁଭଳି ବିଦ୍ବେଷର ସମ୍ମୁଖୀନ ହୋଇଥାନ୍ତି, ତାହାକୁ ବର୍ଣ୍ଣବୈଷମ୍ୟର ଏକ କୋମଳ ସଂସ୍କରଣ କହିଲେ ଭୁଲ୍ ହେବ ନାହିଁ। ଏଠାରେ ଏହି ପରିବେଶରେ ଶାରଦାଙ୍କ ପରି ବ୍ୟକ୍ତିମାନେ ଯେଉଁଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି, ତାହାର ଅନ୍ତର୍ନିହିତ ଚରିତ୍ର ହୃଦୟଙ୍ଗମ କରିବାରେ ଯଦି ଜଣେ କିଏ ବିଶେଷ ଭାବରେ ସହାୟକ ହୋଇଥାନ୍ତି, ସେ ହେଉଛନ୍ତି ବିଂଶ ଶତାବ୍ଦୀର ପ୍ରସିଦ୍ଧ କୃଷ୍ଣକାୟ ଦାର୍ଶନିକ-ମନସ୍ତତ୍ତ୍ବବିତ୍ ଫ୍ରାନ୍ଜ ଫାନନ୍। ଫରାସୀ ଶ୍ବେତକାୟ ଶାସନାଧୀନ କାରିବିଆନ୍ ଦ୍ବୀପ ମାର୍ଟିନିକ୍ର ଜଣେ କୃଷ୍ଣକାୟ ଅଧିବାସୀ ରୂପେ ନିଜର ଅନୁଭୂତି ଉପରେ ଆଧାରିତ ଏବଂ ମାର୍କ୍ସ, ହେଗେଲ୍ ଓ ସାର୍ତ୍ର ଆଦି ଦାର୍ଶନିକମାନଙ୍କର ଚିନ୍ତାଧାରା ଦ୍ବାରା ପ୍ରଭାବିତ ତାଙ୍କର ୧୯୫୨ରେ ପ୍ରକାଶିତ ରଚନା ‘ଦି ଫ୍ୟାକ୍ଟ ଅଫ୍ ବ୍ଲାକ୍ନେସ୍’ (‘କୃଷ୍ଣତ୍ବର ସତ୍ୟ’)ରେ ଫାନନ୍ କୃଷ୍ଣକାୟମାନଙ୍କର ମନସ୍ତତ୍ତ୍ବ କିପରି ବୃହତ୍ତର ସାମାଜିକ ସଂରଚନାମାନଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ, ତାହା ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି।
ଫାନନ୍ ଏଥିରେ ସାବ୍ୟସ୍ତ କରିବାକୁ ଚାହିଁଛନ୍ତି ଯେ ଜଣେ ଲୋକ ଆପେ ଆପେ ଏକ ବ୍ୟକ୍ତିରେ ପରିଣତ ହୋଇ ଯାଇ ନ ଥାଏ, ଅର୍ଥାତ୍ ବ୍ୟକ୍ତିତ୍ବ ହାସଲ କରି ନ ଥାଏ। ସମାଜର ଅନ୍ୟ ସଦସ୍ୟମାନଙ୍କ ସହିତ ପାରସ୍ପରିକ କ୍ରିୟା-ପ୍ରତିକ୍ରିୟା ମାଧ୍ୟମରେ ବ୍ୟକ୍ତିର ସୃଷ୍ଟି ଘଟିଥାଏ। ଅନ୍ୟ ଭାବରେ କହିଲେ, ଜଣେ ଲୋକ ଏକ ବ୍ୟକ୍ତିରେ ପରିଣତ ହୋଇଥାଏ, ଯେତେବେଳେ ସେ ଦେଖେ ଯେ ଅନ୍ୟମାନେ ତାକୁ ଏକ ବ୍ୟକ୍ତି ରୂପେ ଦେଖୁଛନ୍ତି। ଫାନନ୍ ବଢ଼ିଥିବା ଔପନିବେଶିକ ସମାଜରେ କେବଳ ଶ୍ବେତକାୟମାନେ ବ୍ୟକ୍ତି ରୂପେ ବିବେଚିତ ହେଉଥିଲେ, ସମାଜ ଦୃଷ୍ଟିରେ କୃଷ୍ଣକାୟମାନେ ବ୍ୟକ୍ତି ନୁହେଁ, ବସ୍ତୁ ରୂପେ ପରିଗଣିତ ହେଉଥିଲେ। ରାତିର ଅନ୍ଧାରର ଉପସ୍ଥିତି ଯୋଗୁଁ ଦିନର ଆଲୋକ ତା’ର ବିଶେଷତ୍ବ ଲାଭ କରୁଥିବା ପରି (ଶାରଦାଙ୍କ ଭଳି) କୃଷ୍ଣକାୟମାନଙ୍କର ବସ୍ତୁତ୍ବର ଉପସ୍ଥିତି େଯାଗୁଁ (ଶାରଦାଙ୍କ ସ୍ବାମୀ ଭି. ବେଣୁଙ୍କ ଭଳି) ଶ୍ବେତକାୟମାନଙ୍କର ବ୍ୟକ୍ତିତ୍ବ ପରିସ୍ଫୁଟ ହୋଇଥାଏ। କଳା ରଙ୍ଗ ଧଳା ରଙ୍ଗର ବିପରୀତ ହୋଇଥିବା ଭଳି କୃଷ୍ଣକାୟମାନେ ହୋଇଥାନ୍ତି ଶ୍ବେତକାୟମାନଙ୍କର ବିପରୀତ। ଏଣୁ ଯଦି ଗୋରାମାନେ ହେଉଛନ୍ତି ମନୁଷ୍ୟ, କଳାମାନେ ହେଉଛନ୍ତି ପଶୁ। ଗୋରାମାନେ ଭଲ, କଳାମାନେ ମନ୍ଦ। ଗୋରାମାନେ ଦକ୍ଷ, କଳାମାନେ ଅଦକ୍ଷ। ଗୋରାମାନେ ବୁଦ୍ଧିମାନ, କଳାମାନେ ମୂର୍ଖ। ଏଣୁ କୃଷ୍ଣକାୟମାନଙ୍କର କାର୍ଯ୍ୟ ହେଉଛି ଶ୍ବେତକାୟମାନଙ୍କୁ ସଭ୍ୟ ଓ ମାର୍ଜିତ ବ୍ୟକ୍ତିସତ୍ତାର ଅଧିକାରୀ ରୂେପ ସାବ୍ୟସ୍ତ କରିବା।
ଶାରଦାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଆଶ୍ଚର୍ଯ୍ୟଜନକ ଭାବରେ ଫାନନ୍ଙ୍କର ଏହି ଅନ୍ତର୍ଦୃଷ୍ଟିର ପ୍ରତିଧ୍ବନି ପରି ମନେ ହୋଇଥାଏ। ଶାରଦା ସେଥିରେ ଲେଖିଛନ୍ତି: ‘‘ମୋ’ଠାରେ କଳା ରଙ୍ଗର ମୋହର ମରାଯାଇଛି (ଏଥିରେ ମୁଁ ଜଣେ ନାରୀ ହୋଇଥିବା ପ୍ରତି ମଧ୍ୟ ଚୁପ୍ଚାପ୍ ଇଙ୍ଗିତ କରାଯାଇଥାଏ), ସତେ ଯେମିତି ତାହା ହେଉଛି ଏକ ଘୋର ଲଜ୍ଜାର ବିଷୟ। କଳାର କାର୍ଯ୍ୟ ମଧ୍ୟ ହେଉଛି କଳା। କଳା କେବଳ ଏକ ରଙ୍ଗ ନୁହେଁ, କଳା ହେଉଛି ସଦାବେଳେ ଅକର୍ମା, କଳା ହେଉଛି ଏକ ବ୍ୟାଧି, ଏକ ଶୀତଳ ଅତ୍ୟାଚାର, ଅନ୍ଧାରର ଅଭ୍ୟନ୍ତର।’’ କେରଳର ଏହି ମୁଖ୍ୟ ଶାସନ ସଚିବ ତାଙ୍କର ଶୈଶବ ଅବସ୍ଥାରୁ ହିଁ ତାଙ୍କର ଚର୍ମର କଳା ରଙ୍ଗ ପାଇଁ କିପରି ବିଦ୍ବେଷର ଶିକାର ହୋଇ ଆସିଛନ୍ତି, ତାହା ଉେଲ୍ଲଖ କରି ଏଥିରୁ ମୁକ୍ତି ପାଇବା ପାଇଁ ମାତ୍ର ଚାରି ବର୍ଷ ବୟସରେ ସେ ତାଙ୍କର ଜନ୍ମଦାତ୍ରୀ ମା’ଙ୍କୁ ଯେଉଁ ଶିଶୁସୁଲଭ ନିରୀହ ପ୍ରଶ୍ନ ପଚାରିଥିବା କଥା କହିଛନ୍ତି, ତାହା ସାମାନ୍ୟ ମନୁଷ୍ୟତ୍ବ ଥିବା ଯେ କୌଣସି ବ୍ୟକ୍ତିକୁ ଭାବବିହ୍ବଳ କରିଦେବ। ଶିଶୁ ଶାରଦା ତାଙ୍କ ମା’ଙ୍କୁ ପଚାରିଥିଲେ ଯେ ସେ ତାଙ୍କୁ ତାଙ୍କର ଗର୍ଭକୁ ଫେରାଇ ନେଇ ଆଉ ଥରେ ‘‘ପୂରା ଗୋରୀ ଓ ସୁନ୍ଦରୀ’’ କରି ଜନ୍ମ ଦେଇପାରିବେ କି?
ଭାରତୀୟ ସମାଜରେ ଗଭୀର ଚେର ବିସ୍ତାର କରିଥିବା ଏହି ‘ରଙ୍ଗବାଦ’ (‘କଲରିଜ୍ମ’) ଉଭୟ ପୁରୁଷ ଓ ନାରୀମାନଙ୍କୁ ପ୍ରଭାବିତ କରୁଥିଲେ ହେଁ, ଶାରଦା ତାଙ୍କର ଖେଦୋକ୍ତିରେ ସ୍ପଷ୍ଟ କରିଥିବା ଭଳି ଜଣେ ନାରୀକୁ ଏଥିପାଇଁ ଏକ ଦ୍ବୈତ ବିଦ୍ବେଷର ଶିକାର ହେବାକୁ ପଡ଼ିଥାଏ: ପୁରୁଷବାଦୀ ଭାରତୀୟ ସମାଜରେ ଜଣେ ନାରୀ ଭାବରେ ଓ ଚର୍ମର କଳା ରଙ୍ଗ େଯାଗୁଁ ଜଣେ କୃଷ୍ଣବର୍ଣ୍ଣା ନାରୀ ଭାବରେ। କଳା ରଙ୍ଗ ନାରୀ ପାଇଁ କେବଳ ବିବାହରେ ପ୍ରତିବନ୍ଧକ ହୋଇ ନ ଥାଏ, ନିଯୁକ୍ତି ବଜାରରୁ ଆରମ୍ଭ କରି ସିନେମାରୁ ଫେସନ ଦୁନିଆ ପର୍ଯ୍ୟନ୍ତରେ ଏହା ନାକ ଟେକାର ସମ୍ମୁଖୀନ ହେବା ଦେଖାଯାଇଥାଏ। ଆମେ ଏହାର ଉପସ୍ଥିତିକୁ ସ୍ବୀକାର ନ କରିବା ପାଇଁ ଯେତେ ଛଳନା କଲେ କ’ଣ ହେବ, ଶାରଦାଙ୍କ ସ୍ବୀକାରୋକ୍ତି ଆମର ଅସଲ ଅସନା ଚେହେରାକୁ ପଦାରେ ପକାଇ ଦେଇଛି। ଏହାକୁ ସଫା କରିବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କରୁ ଗଣମାଧ୍ୟମ, ମନୋରଞ୍ଜନ ଶିଳ୍ପ ତଥା ନୀତି ନିର୍ଦ୍ଧାରଣ ପରିସର ପର୍ଯ୍ୟନ୍ତ ବ୍ୟାପକ ସଂସ୍କାର ଓ ସଚେତନତା ସୃଷ୍ଟିର ଜରୁରୀ ଆବଶ୍ୟକତା ରହିଛି- ଏହା ହିଁ ହେଉଛି ତାଙ୍କର ଏହି ସ୍ବୀକାରୋକ୍ତିର ଅନ୍ତର୍ନିହିତ ଆହ୍ବାନ।